Unknown

 

 

 

 

 

 

 

 

 

୧୨୯ତମ ସଂଖ୍ୟା କୋଣାର୍କ ୨୦୦୩

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ଵତ ମୁଖପତ୍ର

 

ଶ୍ରୀ ଉମାଶଙ୍କର ପଣ୍ଡା

ମୁଖ୍ୟ ସମ୍ପାଦକ

 

ଡକ୍ଟର ବିଜୟାନନ୍ଦ ସିଂହ

ସମ୍ପାଦକ

 

ଶ୍ରୀ ଦୋଳଗୋବିନ୍ଦ ନାୟକ

ପରିଚାଳନା ସମ୍ପାଦକ

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ଵର - ୭୫୧୦୧୪

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତ୍ତୃପକ୍ଷଙ୍କ ଅନୁମତି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱମତ ।

***

 

ସଂପାଦକୀୟ

ବିଷୟ ସୁଚୀ

ପ୍ରବଂଧ ସାହିତ୍ୟ

 

ଅନାମଙ୍କ ମଧ୍ୟରେ : ତଥାପି ନାମଟିଏ

:

ଚିତ୍ତରଞ୍ଜନ ଦାସ

‘‘ମୋ ଫୁଟା ଡଙ୍ଗାର କାହାଣୀ ଏବଂ

ମାଇଁ ଡେଜ୍’’ ଏକ ତୁଳନାତ୍ମକ ଅଧ୍ୟୟନ

:

ରମାକାନ୍ତ ସିଂହ

ନିଷିଦ୍ଧ ହୋଇଥିବା ଦୁଇଖଣ୍ଡ ଇତିହାସ ଗ୍ରନ୍ଥ

:

ଡକ୍ଟର ଦୁର୍ଗାପ୍ରସନ୍ନ ପଣ୍ଡା

୪.

‘ଲାବଣ୍ୟବତୀ’ରେ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ୱ

:

ଡକ୍ଟର ନିଳାଦ୍ରୀ ଭୂଷଣ ହରିଚନ୍ଦନ

ଆଧୁନିକ ଓଡ଼ିଆ କବିତାର ଶିଳ୍ପରୂପ ଓ

ଗୀତିଧର୍ମିତା : ଏକ ବିଚାର

:

ଡକ୍ଟର ନିରଞ୍ଜନ ସାହୁ

ଲୋକନାଟ୍ୟକାର କବି କୃଷ୍ଣପ୍ରସାଦ ବେହେରା

:

ଡକ୍ଟର ମନ୍ମଥ କୁମାର ପ୍ରଧାନ

ପାଶ୍ଚାତ୍ୟ ସ୍ରଷ୍ଟାର ପ୍ରାଚ୍ୟ ବିଦ୍ୟା ପ୍ରୀତି

:

ବାଳକୃଷ୍ଣ ବେହେରା

କୁନ୍ତଳା କୁମାରୀ- ଏକ ପ୍ରେମ ଚେତନା

:

ବନଜ ଦେବୀ

ସମାଜ ପରିବର୍ତ୍ତନ, ଲେଖକୀୟ ଅଙ୍ଗୀକାର ଓ

ଓଡ଼ିଆ କ୍ଷୁଦ୍ରଗଳ୍ପ

:

ଗୌରାଙ୍ଗ ଚରଣ ଦାଶ

୧୦

କୃଷ୍ଣପ୍ରସାଦଙ୍କ ଗଳ୍ପରେ ପଶ୍ଚିମର ଉପସ୍ଥାପନ

:

ଡକ୍ଟର ଦୀପ୍ତିରଞ୍ଜନ ପଟ୍ଟନାୟକ

 

 

 

 

 

 

 

 

 

ପୁସ୍ତକ ସମୀକ୍ଷା

୧୧

‘ଭିନ୍ନ ଏକ ସକାଳର ଝିଅ’ ଓ କବି ପ୍ରମୋଦ

ସର : ଏକ ଆଲୋଚନା

:

ଡକ୍ଟର ରବିନାରାୟଣ ମହାରଣା

୧୨

ଏକାଡେମୀ ସମାଚାର

:

 

 

 

ସଂପାଦକୀୟ ..................

ବଞ୍ଚି ରହିବା ଭିତରେ ବି ଅଛି କଳ୍ପନା ବିନ୍ୟାସ

ଉମାଶଙ୍କର ପଣ୍ଡା

 

ଚେକ ଔପନ୍ୟାସିକ ମିଲାନ କୁନ୍ଦେରାଙ୍କ ବୟସ ବର୍ତ୍ତମାନ ସତୁରି ପାଖାପାଖି । ୧୯୬୮ ସାଲରେ ଚେକୋସ୍ଲୋଭାକିୟାରେ ଋୁଷ ସାମରିକ ବାହିନୀର ପ୍ରବେଶ ପରେ କୁନ୍ଦେରାଙ୍କ ଚାକିରି ଚାଲିଯାଏ । ସେ ଥିଲେ ପ୍ରାହା ସହରରେ ଚଳଚିତ୍ର -ବିଷୟକ ଶିକ୍ଷକ । ୧୯୭୫ ମଧ୍ୟଭାଗରୁ ସେ ସେପାରି ନିବାସୀ । ତାଙ୍କର ଶ୍ରେଷ୍ଠ ଉପନ୍ୟାସ ‘ଅସ୍ତିତ୍ୱର ଅସହନୀୟ ଲଘୁତା’ (The Unbearable Lightness of Being) ଚେକ ଭାଷାରେ ପ୍ରକାଶିତ ହୋଇଥିଲା ୧୯୮୪ ସାଲରେ । ଲେଖକ ହିସାବରେ କୁନ୍ଦେରାଙ୍କର ଇଉରୋପ ସାରା ଖ୍ୟାତି ଅବଶ୍ୟ ଏହାର କିଛି ପୂର୍ବର ହିଁ ଘଟଣା-ବିଶେଷ ଭାବରେ ‘ପରିହାସ’, ‘ଜୀବନ ଅନ୍ୟତ୍ର’ ଏବଂ ‘ହସ ଓ ବିସ୍ମୃତିର ବହି’ ପ୍ରକାଶନ ପରେ । କିନ୍ତୁ ‘ଅସ୍ତିତ୍ୱର ଅସହନୀୟ ଲଘୁତା’ ଯେ ଆଧୁନିକ ପଶ୍ଚିମୀ ସାହିତ୍ୟରେ ବିଶେଷ ସ୍ଥାନର ଅଧିକାରୀ ହୋଇପାରେ ଏ ବିଷୟରେ ପାଠକ ମହଲରେ ବୋଧହୁଏ ଦ୍ୱିମତ ନଥିଲା । ଉତ୍ତର-ଆଧୁନିକ ଯୁଗର ଏହି ସୃଷ୍ଟି ଇଉରୋପୀୟ ଆଧୁନିକବାଦର ସର୍ବଶେଷ ମହତ୍ ନିଦର୍ଶନ ।

 

କୁନ୍ଦେରାଙ୍କୁ ଅଳୀକ-ବାସ୍ତବବାଦୀ ବୋଲି କୁହାଯାଏ । ତେବେ ଅନେକ ପାଠକ- ସମାଲୋଚକମାନଙ୍କ ମତରେ ଏହି ଆଖ୍ୟା ଭ୍ରାନ୍ତ । ସ୍ଵପ୍ନ, କଳ୍ପନା, ଅତ୍ୟାଶ୍ଚର୍ଯ୍ୟର ପ୍ରୟୋଗ ଅଛି ତାଙ୍କ ଶିଳ୍ପରେ, କିନ୍ତୁ ତାଙ୍କ ସାହିତ୍ୟର ଦୃଷ୍ଟି-ଭଙ୍ଗୀ ରଚନାର ରୀତି, ଜୀବନ-ଦର୍ଶନ, ସବୁକିଛି ହିଁ ମନେପକାଇ ଦିଏ ଇଉରୋପୀୟ ଆଧୁନିକବାଦର ତାତ୍ତ୍ୱିକ ଦିଗମାନ ‘ଅସ୍ତିତ୍ୱର ଅସହନୀୟ ଲଘୁତା’ କଥାଟିର ସୂତ୍ର ନୀଟ୍‌ଶେର ଏକ ଉକ୍ତିରେ । ଆମର ଜୀବନଗୁଡ଼ିକ ଯଦି ବାରମ୍ବାର ଲେଉଟି ଆସନ୍ତା, ସତରେ ଯଦି ଇତିହାସର ପୁନରାବୃତ୍ତି ଘଟନ୍ତା, ତାହାହେଲେ ଅସ୍ତିତ୍ୱର ଭାର ଆମ ପାଖରେ ଅସହ୍ୟ ହୋଇଉଠନ୍ତା । ସମୟର ସ୍ରୋତରେ ଯେଉଁ ଜୀବନ ଭାସିଯାଏ, ଯେଉଁ ଘଟଣା ଥରକରୁ ବେଶୀଘଟେ ନାହିଁ, ତା’ର କିନ୍ତୁ କୌଣସି ଭାର ହିଁ ନାହିଁ । ସେ ଯେମିତି କଠିଣ ପରୀକ୍ଷା ଅଥବା ବିଚାର ଠାରୁ ବି ମୁକ୍ତ । ଜୀବନରେ କ’ଣ ଏହି ଲଘୁତା ହିଁ କାମ୍ୟ ? କିମ୍ବା ଏହି ଆପାତ ମୁକ୍ତ, ‘ଲଘୁ’ ଜୀବନ ବି ଆମ୍ଭମାନଙ୍କ ପାଖରେ ଅସହନୀୟ ମନେହୁଏ, ଆମେ ଖୋଜୁଥାଉ ସ୍ଥିତି, ପୁନରାବୃତ୍ତି, କୁନ୍ଦେରା ଯାହାକୁ କହନ୍ତି ‘ଭାରର ପ୍ରତୀକ’ ? ୧୯୬୮ ର ବସନ୍ତ କାଳରେ ପ୍ରାହା ସହରରେ ରୁଷ୍ ଟ୍ୟାଙ୍କର ପ୍ରବେଶ ଓ ଚେକୋସ୍ଲୋଭାକୀୟ ପ୍ରଜାତାନ୍ତ୍ରିକ ଆନ୍ଦୋଳନ ଦମନର ପରିପ୍ରେକ୍ଷୀରେ କୁନ୍ଦେରା କେତୋଟି ଜୀବନକୁ ତୋଳି ଧରିଛନ୍ତି । କାହାଣୀର କେନ୍ଦ୍ରସ୍ଥଳ ଅଧିକାର କରିଛି ଟୋମାସ ଓ ଟେରେଜାର ପ୍ରେମ, ଭଲପାଇବା ଓ ମମତାର ମିଶ୍ରିତ ସଂପର୍କ । ରାଜନୈତିକ ବିପର୍ଯ୍ୟୟ ଓ ଉତ୍‌ପୀଡ଼ନ, କର୍ମଚ୍ୟୁତି, ପୋଲିସ ନିଗ୍ରହ, ଏ ସମସ୍ତ ଅତିକ୍ରମ କରି ଟୋମାସ- ଟେରେଜାର ଗଭୀର ପରସ୍ପର ନିର୍ଭରତା ଏକାଥରେ ଉପନ୍ୟାସର ମୂଳ ବିଷୟ ବସ୍ତୁ । ଏମାନଙ୍କର ପ୍ରେମ ଏକ ଧରଣର ଚାପ ସଦୃଶ ଯାହାର ଓଜନରେ ସେମାନଙ୍କୁ ବାରବାର ଏକହିଁ ଜାଗାକୁ ଫେରି ଆସିବାକୁ ହୁଏ ।

 

ଟୋମାସ ଡାକ୍ତର । ସେ ଯଦି ଟେରେଜାକୁ ଏବଂ ସେହି ସଙ୍ଗେ ସ୍ୱଦେଶକୁ ଛାଡ଼ି ଆଗେଇ ଯାଇ ପାରନ୍ତା, ତାହାହେଲେ ତା’ର ଜୀବନ ହୁଅନ୍ତା ଅନେକ ସହଜ ଓ ମସୃଣ । ଟୋମାସ ଚାହେଁ ଏହି ସହଜ ଜୀବନ, ନାରୀ ସମ୍ପର୍କ ମଧ୍ୟରେ ବି ସେ ଖୋଜେ ଅକ୍ଳାନ୍ତ, ଅସ୍ଥିର ଚାଲିବା; କେଉଁଠି ସେ ଠିଆ ହେବାକୁ ଚାହେଁନା । ଅଥଚ ତା’ର ଜୀବନ ଟେରେଜାର ଜୀବନ ସଙ୍ଗେ ଜଡ଼ିତ ହୋଇ ଅସ୍ତିତ୍ୱର ଭାରାରେ ହିଁ ଯେମିତି ତଲ୍ଲିନ ହୋଇଯାଏ । ଏପଟେ ଟୋମାସର ଆଉ ଜଣେ ପ୍ରେମିକା ସୋନିଆ ଭାସିଯାଏ ସମୟର ସ୍ରୋତରେ ସମ୍ପର୍କରୁ ସମ୍ପର୍କକୁ । ସ୍ଥିତିକୁ ସେ ଭୟ ପାଏ । ମୃତ୍ୟୁରେ ବି ସେ ଚାହେଁ ହାଲୁକା ହୋଇ ବତାସରେ ବିଲୀନ ହୋଇ ଯିବାକୁ । ଟୋମାସ-ଟେରେଜା ଭଳି ସେ ନୁହେଁ, କିନ୍ତୁ ଏହି ଚରିତ୍ର ଗୁଡ଼ିକର ପ୍ରତ୍ୟେକଟି ହିଁ ନିଃସଙ୍ଗ, ଗଭୀର ଭାବରେ ଏକା । ପରସ୍ପର ନିର୍ଭର ହେଲେ ବି ଟୋମାସ ଟେରେଜା ପୃଥକ ପୃଥକ ଭାବରେ ନିଃସଙ୍ଗ ସମୟର ବିଚାରରେ ସେମାନଙ୍କ ଜୀବନରେ ରହିଛି ଅସହନୀୟ ଲଘୁତା ।

 

କୁନ୍ଦେରାଙ୍କର ଏହି ଉପନ୍ୟାସରେ ଆହୁରି ଅନେକ କିଛି ଅଛି, ଏହା ସହଜ ପ୍ରେମ କାହାଣୀ ନୁହେଁ । କଥାଶିଳ୍ପ କୁନ୍ଦେରାଙ୍କ ନିକଟରେ ଏକ ପ୍ରକାରର ଜୀବନଦର୍ଶନ । କାହାଣୀକାରର କଳ୍ପନା ଜୀବନକୁ ଜାଳି ସଜାଇ ପାରେ । କିନ୍ତୁ କୁନ୍ଦେରା ଆମକୁ ଭୁଲି ଯିବାପାଇଁ ଦିଅନ୍ତି ନାହିଁ ଯେ ବଞ୍ଚି ରହିବାର ମଧ୍ୟରେ ବି ରହିଛି କଳ୍ପନାର ବିନ୍ୟାସ, ଜୀବନଧାରଣ କରିବାକୁ ବି ଲାଗେ ଗଳ୍ପ କହିବାର କ୍ଷମତା ।

 

ଉମା ଶଙ୍କର ପଣ୍ଡା

ମୁଖ୍ୟ ସଂପାଦକ

 

***

 

ଅନାମଙ୍କ ମଧ୍ୟରେ : ତଥାପି ନାମଟିଏ

ଚିତ୍ତରଞ୍ଜନ ଦାସ

 

କବି କୁମାର ମହାନ୍ତି ମୋଟେ ଗୁଡ଼ିଏ ଲେଖିନାହାନ୍ତି । ସମ୍ଭବତଃ ଏକଥା ମଧ୍ୟ ଠିକ୍ ଯେ ସିଏ ଗଦ୍ୟ ତୁଳନାରେ ଢେର ବେଶି ପଦ୍ୟ ବା କବିତା ମଧ୍ୟ ଲେଖିନାହାନ୍ତି । ଏତେ ତ ପଦ୍ୟ ଲେଖିଲିଣି, ଏବେ କିଛି ଦିନ କିଛି ଗଦ୍ୟ ବି ଲେଖେ; ଅଥବା ଏତେ ତ ଗଦ୍ୟ ଲେଖିଲିଣି, ଏବେ କିଛି ଦିନ ପାଇଁ କିଛି ପଦ୍ୟ ମଧ୍ୟ ଲେଖିଲେ ହୁଅନ୍ତା ବୋଲି ସିଏ ମୋଟେ କେବେହେଲେ ସେହି ହିଡ଼ ଡେଇଁ ଏ କିଆରୀକୁ ଆସି ନଥିବେ ଅଥବା ଏ ହିଡ଼ଟିକୁ ଡେଇଁ ସେ କିଆରୀକୁ ଯାଇ ନଥିବେ -। ସେହି ପ୍ରୟାସ ଆମର ଏହି ଚଳନ୍ତି ଯୁଗଟିରେ ମୋଟେ କମ୍ ଦୃଷ୍ଟିଗୋଚର ହୁଏନାହିଁ । ଖାଲି ଯେ ଆପଣାର ରୁଚିରେ ଗୋଟାଏ ପରିବର୍ତ୍ତନ ଇଚ୍ଛାକଲେ ସଂପୃକ୍ତ ଗଦ୍ୟ ବା ପଦ୍ୟ ଲେଖକମାନେ ଏଭଲି କରୁଛନ୍ତି ତା’ ନୁହେଁ, ପାଠକମାନଙ୍କୁ ଚମତ୍କୃତ କରିଦେବା ନିମନ୍ତେ ମଧ୍ୟ କତିପୟ ଲେଖକ ତାହା କରୁଛନ୍ତି । ସ୍ୱ-ଅବଚେତନର ପ୍ରାୟ ଏକ ଫୁସୁଲାରେ ପଡ଼ି ସେଭଳି କରୁଛନ୍ତି । କୁମାର ମହାନ୍ତି ସେ ରଚନା କରିଥିବା ପଦ୍ୟ ତଥା ଗଦ୍ୟ ଉଭୟ ଭିତରୁ ହିଁ ସବାଆଗ ସ୍ଵୟଂ ଦିଶି ଯାଉଥିଲେ । ସବାଆଗ ପ୍ରେମୀଟିଏ, ସବାଆଗ ସମ୍ମତଟିଏ; -ପଦ୍ୟ କିମ୍ବା ଗଦ୍ୟ ଯାହା ହୋଇଥିଲେ ମଧ୍ୟ ସବାଆଗରେ କୁମାର ମହାନ୍ତି । ଆଖିରେ ଆଖିଏ ସଂବେଦନା, ଆପଣାକୁ ଦେଇ ଦେବାର ଏକ ନିତାନ୍ତ ସହଜ ଅଭିନୟଶୂନ୍ୟ ମଣିଷଟିଏ । ଏଇଟିକୁ ମଧ୍ୟ କ’ଣ ଆପଣ ସାହିତ୍ୟ ଭିତରେ ସାହିତ୍ୟିକର ଏକ ଶୈଳୀ ବୋଲି କହିବେ ?

 

ହଁ, ଗୋଟାଏ ଫରକ ଅବଶ୍ୟ ରହିଥିଲା । ନିଜର ରଚିତ ପଦ୍ୟଗୁଡ଼ିକୁ ସିଏ ଆବୃତ୍ତି କରି ପାରୁଥିଲେ, ଅନେକ ସ୍ଥଳରେ ଗାଇ ବି ପାରୁଥିଲେ । କବିତାର ସେହି ଆବୃତ୍ତି ନାମକ କର୍ମ କଦାପି ସବୁ କବିଙ୍କ ବେଳେ ଆଦୌ ସମ୍ଭବ ହୁଏନାହିଁ । କବିତା-ପାଠୋତ୍ସବମାନଙ୍କରେ ନିଜେ ଲେଖିଥିବା କବିତାଟିକୁ ତ ଅନେକେ ପ୍ରାୟ ଏକ କସରତ ସଦୃଶ ଏପରି ପାଠ କରନ୍ତି ଯେ, ଶୁଣୁଥିବା ସମୟରେ କର୍ତ୍ତାଜଣକ ସତେଅବା କ’ଣ ଗୋଟାଏ ଭୁରୁଡ଼ ମାରିଦେଇ ମଞ୍ଚତ୍ୟାଗ କରୁଥିବା ପରି ମନେ ହେଉଥାଏ । ସେତେବେଳେ ପଠିତ କବିତାଟି ଉପରେ ପ୍ରକୃତରେ ଭାରି ଦୟା ହୁଏ । କୁମାର ମହାନ୍ତି ସ୍ପଷ୍ଟତଃ ଏକାବେଳକେ ଗୋଟିଏ ନିଆରା ପ୍ରତ୍ୟୟ ଦେଇ ନିଜର ପଦ୍ୟଧାଡ଼ିଗୁଡ଼ିକର ଆବୃତ୍ତି କରି ପାରୁଥିଲେ ଏବଂ ଆମ ସମସ୍ତଙ୍କର କେଡ଼େ ଅଜାଣତରେ ସେହି ପ୍ରତ୍ୟୟଗୁଡ଼ିକୁ ଶ୍ରୋତାରୂପୀ ଆମ ସମସ୍ତଙ୍କର ଭିତରକୁ ସଂକ୍ରମିତ କରିଦେଇ ପାରୁଥିଲେ । ଆବୃତ୍ତିଟିର, ଗୀତଟିର ମାଧ୍ୟମରେ ହିଁ କବିତାର ବକ୍ତବ୍ୟଟିକୁ ଅଧିକ ଅନ୍ତରଙ୍ଗ ଭାବରେ ବୁଝିହୋଇ ଯାଉଥିଲା । ସେହି ଅନନ୍ୟ ଅଭିଜ୍ଞତାଟିକୁ ସ୍ମରଣ କରି ବର୍ତ୍ତମାନ କହିବାକୁ ଭାରି ମନ ହେଉଛି ଯେ, ଆପଣାର କବିତାଗୁଡ଼ିକୁ ଧାଡ଼ି ପରେ ଧାଡ଼ି ସୃଜିଯାଉଥିବା ସମୟରେ କୁମାର ମହାନ୍ତି ନିଶ୍ଚୟ ଏକାବେଳକେ ଦୁଇଟିଯାକ କର୍ମ କରୁଥିଲେ, ଯୁଗପତ୍ ଭାବରେ ଲେଖି ଯାଉଥିଲେ ଏବଂ ଶୁଣି ଯାଉଥିଲେ । ସେହି କ୍ଷେତ୍ରରେ କେବେହେଲେ ଏକ କସରତ ବୋଲି କିଛି ନଥିଲା । ଆପଣାର ଧୀଷଣା ଅର୍ଥାତ୍ ଧୀଶକ୍ତିକୁ ମନ୍ଦର ପର୍ବତ କରି ଶବ୍ଦର ସାଗରକୁ ପ୍ରାୟ ଏକ ଆକୁଳ ସତର୍କତା ସହିତ ମନ୍ଥନ କଲେ ଯାଇ କାବ୍ୟ ସମ୍ଭବ ହୁଏ ବୋଲି ଓଡ଼ିଆ ସାହିତ୍ୟର ମଧ୍ୟଯୁଗରେ ଜଣେ କବି ଆମକୁ କେଡ଼େ ଗମ୍ଭୀର ଭାବରେ କହି ଯାଇଛନ୍ତି । ଏବେ, ଆମର ଏହି ନିତାନ୍ତ ଆଧୁନିକ ସମୟର କେତେ କବି ମଧ୍ୟ ସେଥିରେ ଅବଶ୍ୟ ସମର୍ଥନ ଜଣାଇବେ । କବି କୁମାର ମହାନ୍ତି ଏସବୁ ସହିତ ୱାକିବ୍‌ହାଲ୍ ଥିଲେ କି ନାହିଁ, ସେକଥା ଆଦୌ କହି ହେବନାହିଁ । ଏବେ ତ କବିସମ୍ପ୍ରଦାୟର ବହୁତ ସୂତ୍ରକାର କବିକର୍ମକୁ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଏକ ମାନସିକତା ବୋଲି କହୁଛନ୍ତି । ମାନସିକତା ନାମକ ସେହି ସମ୍ପଦର ମୂଲ୍ୟକୁ କଦାପି ଊଣା କରି ହେବନାହିଁ । ତଥାପି, ଆପଣାକୁ ବ୍ୟକ୍ତ କରିବାର ପ୍ରକ୍ରିୟା ସକାଶେ ରାଜି ହୋଇ, ଏପରି ଗୋଟିଏ ଅଭୟ ପାଖରେ ଆସି ପହଞ୍ଚିହୁଏ, ଯେତେବେଳେ କି ମାନସିକତା ସତେଅବା ଆଉକିଛି ବୁଝିଗଲା ପରି ଆପଣାଛାଏଁ ସିଂହାସନରୁ ଓହ୍ଲାଇ ଆସେ, ସେହି ବିପୁଳତାର କଥାକୁ ମାନେ ଏବଂ ଦ୍ୱିଜ ହୁଏ । କିପରି ଏକ ବିପୁଳତାର ବେଢ଼ ଭିତରେ ସଦାନୁସିକ୍ତ ହୋଇ ରହିଥିଲେ, କେବଳ ତଥାକଥିତ ସାହିତ୍ୟିକ ମୁହୂର୍ତ୍ତମାନଙ୍କରେ ନୁହେଁ, ନିରନ୍ତର ।

 

କିଏ କାହିଁକି ଅସ୍ୱୀକାର କରିବ, କୁମାର ମହାନ୍ତି ହୁଏତ ଆଗ ଧାଡ଼ିଗୁଡ଼ିକୁ ନିଜ ଭିତରେ ଗୀତରେ ଗାଇ ପାରୁଥିଲେ ଓ ତା’ପରେ ଯାଇ କଲମ ଧରି ସେଗୁଡ଼ିକୁ ଲେଖିବାର ଦ୍ୱିତୀୟ କାର୍ଯ୍ୟକୁ କରୁଥିଲେ । ଏମିତି ସଙ୍ଗୀତକାର ସକଳ ଯୁଗରେ ରହି ଆସିଛନ୍ତି, ଯେଉଁମାନେ କି ଆଗ ରାଗ, ମୂର୍ଚ୍ଛନା ଅର୍ଥାତ୍ ଲହରୀ ପାଇଛନ୍ତି ଓ ତା’ପରେ ସେଥିରେ ଶବ୍ଦକୁ ବସାଇ ସଂଗୀତ ଅଥବା କବିତା ବାଢ଼ିଦେଇ ପାରିଛନ୍ତି । ଏଠାରେ ପୁରାତନ ଫ୍ରାନ୍‌ସ ଦେଶର Troubadour ମାନଙ୍କୁ ବହୁତ ସଙ୍ଗତି ସହିତ ଏକ ଦୃଷ୍ଟାନ୍ତ ରୂପେ ହୁଏତ ସ୍ମରଣ କରାଯାଇ ପାରିବ । ଜଣେ କବି କ’ଣ ଗୋଟିଏ କଥା କହିବାକୁ ମନ କରୁଛି, ପ୍ରଥମେ ତାହାରି ଅନୁରୂପ ସ୍ୱର ଆସି ତା’ସହିତ ସତେଅବା ଭାନୁମତୀ ଖେଳ ଆରମ୍ଭ କରିଦେବ । ଖେଳ ଖେଳୁ ଖେଳୁ ଧରା ବି ଦେବ ଏବଂ ତା’ପରେ ସତେଅବା ଆଗରୁ ଲେଖା ହୋଇ ରହିଥିବା ଶବ୍ଦଧାଡ଼ୀଗୁଡ଼ିକ ଆସି ପହଞ୍ଚି ଯାଉଥିବେ । ପ୍ରାୟ ଏକ ସାଉଁଟି ଆଣିବାର ପରିରମଣ ଆରମ୍ଭ ହୋଇଯିବ । ଗୋଟାସୁଦ୍ଧା ଗୋଟିଏ ଆତ୍ମ ଆବିଷ୍କାର ପରି ଲାଗୁଥିବ । ତାହାକୁ ଆମେ ଆହୁରି ଖୁସୀ ହୋଇ ବିଶ୍ଵ-ଆବିଷ୍କାରର ଏକ ପ୍ରକ୍ରିୟା ବୋଲି ମଧ୍ୟ କହିପାରିବା । ଯାବତୀୟ ଅର୍ଥରେ ଗୋଟିଏ ଆତ୍ମସାକ୍ଷାତ୍‌କାର ଅର୍ଥାତ୍ ବିଶ୍ଵସାକ୍ଷାତ୍‌କାରର ପ୍ରକ୍ରିୟା କୁମାର ମହାନ୍ତି ଯେକୌଣସି କବିତା- ପାଠୋତ୍ସବର ପଙ୍ଗତରେ ବସି କବିତା ଆବୃତ୍ତି କରୁଥିବା ସମୟରେ ଏକ ସଂପୂର୍ଣ୍ଣ ବ୍ୟତିକ୍ରମ ରୂପେ ହିଁ ବାରିହୋଇ ପଡ଼ୁଥିଲେ । ସିଏ ନିଜେ ହିଁ ଅଧିକତର ପରିମାଣରେ ଦିଶି ଯାଉଥିଲେ, ସମବେତ ହଂସରାଡ଼ିମାନଙ୍କର ମେଳରେ ସେହି ugly duckling ପରି ଦେଖା ଯାଉଥିଲେ ଏବଂ ବୋଧହୁଏ ସେହି କାରଣରୁ ହିଁ ଅନାୟାସରେ ଆକର୍ଷିତ କରି ନେଉଥିଲେ । ସିଏ ଏବଂ ତାଙ୍କର କବିତା, -ସକଳ ଅବସରରେ ସିଏ ସ୍ୱୟଂ ହିଁ ଅଧିକ ମନେ ରହି ଯାଉଥିଲେ, -କବିତାଟି ସମ୍ଭବତଃ ଭୁଲି ହୋଇ ଯାଉଥିଲା; ଭୁଲି ହୋଇ ଯାଇ ଧନ୍ୟ ହେଉଥିଲା । ସର୍ଜନାତ୍ମକତାର ବଜାରରେ ଏଇଟି ପ୍ରକୃତରେ ଏକ ବିରଳ ଘଟଣା !

 

ଶାସ୍ତ୍ରୀୟ ସଂଗୀତର ଯାବତୀୟ ବେଭାର ପରି ଏବେ କବିତା ମଧ୍ୟ କ’ଣ ସବୁ ପାଞ୍ଚି ତାହାରି ଫାନ୍ଦରେ ଯାଇ ପଡ଼ିବାଲାଗି ଇଚ୍ଛା କରି ପକାଇଲା କି ? ଶାସ୍ତ୍ରୀୟ ସଂଗୀତରେ ରାଗ ଓ ରାଗିଣୀମାନଙ୍କୁ ଆଗରୁ ବାନ୍ଧି ଦିଆଯାଇଛି । ତୁମେ ଆଗ ସେଗୁଡ଼ିକର ଶୃଙ୍ଖଳାକୁ ମାନିବ, ଅଲବତ ମାନିବ । ମାତ୍ରା, ତାଳ, ଗାଇବାର ଅନୁକୂଳ ପ୍ରହରମାନ, -ସବୁକିଛି ନିର୍ଦ୍ଧାରିତ ହୋଇ ରହିଛି । ବହୁତ ସମୟରେ, ସତେଯେପରି କ’ଣ ଏକ ଶାସ୍ତ୍ରୀୟ ରୀତିକୁ ହିଁ ଅଧିକ ମାନି, ଆମ କବିମାନେ ସ୍ୱରଚିତ କବିତାଗୁଡ଼ିକ ପଛରେ ଏମିତି ଲୁଚି ରହି ଯାଇଥାଆନ୍ତି ଯେ, ଆଉ ସବୁକିଛି ସବୁମନ୍ତେ ଚିକିଚିକି ହୋଇ ଦିଶୁଥାଏ ଏବଂ ସଂପୃକ୍ତ ଆମ ସମସ୍ତଙ୍କୁ ହତଚକିତ କରି ଦେଉଥାଏ ପଛକେ, ମାତ୍ର ସେମାନେ ମୋଟେ ଦୃଷ୍ଟିଗୋଚ଼ର ହୁଅନ୍ତି ନାହିଁ । କବିନାମକ ସେହି ମହାନ୍ କାରିଗରଟା ଭିତରକୁ ମୋଟେ ପଶି ହୁଏନାହିଁ । କବି ପାଖରେ ହାର ମାନି ତା’ର କବିତାକୁ ବୁଝିବା, ଇଏ ପୁଣି କେଉଁ ରାଜ୍ୟର ରୀତି କେଜାଣି ? ଆରେ ବାବୁ, ତୁମେ ଯଦି ନିଜକୁ ଚିହ୍ନା ଦେବନାହିଁ, ତେବେ କବିତାର କୁଲା ଢାଉଁଢାଉଁ କରି ଆମକୁ କାହିଁକି ଓଲୁ କରି ରଖିବାକୁ ମନ କରିବ କହିଲ । ଆମର ଭାରି ସୌଭାଗ୍ୟ ଯେ, କବି କୁମାର ମହାନ୍ତିଙ୍କ ମୁହଁରୁ ତାଙ୍କ କବିତାବୃତ୍ତିଟିକୁ ଶୁଣୁଥିବା ସମୟରେ ଆମକୁ ସେପରି କୌଣସି ଧର୍ମ ସଙ୍କଟ ମଧ୍ୟରେ ଆଦୌ ପଡ଼ିବାକୁ ହେଉନଥିଲା । କବି ନିଜେ ଆସି ଆମପାଖରେ ପହଞ୍ଚିଯାଉଥିଲେ, ସିଏ ଜଞ୍ଜିରକୁ ଠକ୍ ଠକ୍ କରିବା ମାତ୍ରେ ଆମ ଦ୍ୱାରଟା ଖୋଲି ବି ଯାଉଥିଲା, ମୋଟେ କୁଣ୍ଠାପ୍ରକାଶ କରୁନଥିଲା । ଆମେ ସବୁ ଗୋଟାଏ ସଭାରେ ବସିଛୁ ବୋଲି ସମ୍ପୂର୍ଣ୍ଣ ଭାବରେ ପାସୋର ଯାଉଥିଲା । କବିତାକୁ ଶୁଣି ଆମେ ଶ୍ରୋତାଏ ହାଲୁକା ହୋଇଯାଉଥିଲୁ ଏବଂ ଆମକୁ ସାମନାରେ ପାଇ କବି ମଧ୍ୟ କେଡ଼େ ହାଲୁକା ହୋଇଯାଉଥିଲା । ଏହି ହାଲୁକା ହୋଇଯିବାଟା-ଉଭୟ ପକ୍ଷର ଏହି ହାଲୁକା ହୋଇଯାଇ ପାରିବାଟା,-ସକଳ ସୃଜନାତ୍ମକତାର କାହାଣୀରେ ହୁଏତ ତାହାକୁ ହିଁ ସବୁଠାରୁ ବଡ଼ ସିଦ୍ଧି ବୋଲି ଅନୁମାନ କରାଯାଇ ପାରିବ । ଏକ ସର୍ବକ୍ଷମ rapport ବୋଲି ବି କୁହାଯିବ, ଯାହା ସଂପୃକ୍ତ ଦୁଇ ପକ୍ଷକୁ ଗୋଟାସୁଦ୍ଧା କତିକୁ ନେଇ ଆସିପାରେ । ଶ୍ରୋତା ମଧ୍ୟରେ ମଧ୍ୟ ସ୍ରଷ୍ଟାର ଏକ ଉତ୍ତରଣ ଘଟାଇ ଆଣେ କି କ’ଣ କେଜାଣି, ସେତେବେଳେ ଭେଟିବାର ଏକ ଅନ୍ତର୍ଗତ ଭୂମିରେ ସେ ମଧ୍ୟ ଆଉ ମୋଟେ ନିଷ୍କ୍ରିୟ ହୋଇ ରହେ ନାହିଁ, -ଗୋଟା ସୁଦ୍ଧା ସାଙ୍ଗ ହୋଇ ଯାଏ,- ଶ୍ରୋତା ଓ ସ୍ରଷ୍ଟା ଆମେ ସମସ୍ତେ ସତକୁ ସତ ଏକ ସହୋଦର ପଣରେ ବନ୍ଧା ହୋଇ ରହିଛି ବୋଲି ଏହି ପୃଥ୍ୱୀ ମଧ୍ୟ ଚାଲୁଛି ବୋଲି ଅନୁଭବ ବି କରୁ ।

 

କବି କୁମାର ମହାନ୍ତିଙ୍କୁ ମନେପକାଇ ତାଙ୍କ କବିତାକୁ ଏକ ସ୍ଵତନ୍ତ୍ର ଚିହ୍ନଟ ଦେବା ନିମନ୍ତେ ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା ଜାଗାଏ ଲେଖିଛନ୍ତି ! “କବିତା କିପରି ସିଧା ସିଧା ହୃଦୟରେ ପହଞ୍ଚିବ ମଣିଷର, ସେଥିପାଇଁ ତାଙ୍କର ଗଭୀର ନିଷ୍ଠା” ।..... ଏକା ଏକା କହୁଥିଲେ ବି “ସଖା ସଖା” ଭାବରେ ସେ ସଦାବେଳେ, ଯେତେବେଳେ ଯୋଉଠି ହେଉ ଦେଖା । ଆଗ ସ୍ଵୟଂ କବି ସିଧା ସିଧା ମଣିଷର ହୃଦୟରେ ପହଞ୍ଚି ପାରୁଥିଲେ ତା’ର କବିତାଟା ବି ସେହିପରି ସିଧା ସିଧା ହୃଦୟରେ ପହଞ୍ଚିବ ଅଥବା ଆଗ କବିତା ସିଧା ସିଧା ହୃଦୟରେ ପହଞ୍ଚି ପାରୁଥିଲେ କବି ବି ସିଧା ସିଧା ମଣିଷର ହୃଦୟରେ ଯାଇ ପ୍ରବେଶ କରି ପାରିବ, କବି ପଣ୍ଡା ସେହି ସମ୍ପର୍କରେ ଏହି ସନ୍ଦର୍ଭରେ ଅବଶ୍ୟ କିଛି କହିନାହାନ୍ତି । ପୁନଶ୍ଚ, ଏହି କ୍ଷେତ୍ରରେ ସହଜରେ କଥାଟି ଏହିପରି ବୋଲି ଗାରଟିଏ ପକାଇଦେଇ କିଛି କହିବା ହୁଏତ ଆଦୌ ସହଜ କଥା ନୁହେଁ । କିନ୍ତୁ, ଯଦି ମଣିଷ ସ୍ଵୟଂ ସିଧା ସିଧା ହୃଦୟରେ ପ୍ରବେଶ କରିପାରୁଥାଏ, ତେବେ ସିଏ ଲେଖୁଥବା ଖାଲି କବିତା ବା ପଦ୍ୟ କାହିଁକି ତା’ ଗଦ୍ୟ ମଧ୍ୟ ସିଧା ସିଧା ହୃଦୟ ଭିତରେ କାହିଁକି ପ୍ରବେଶ କରି ନପାରିବ ? ଏହିଭଳି ବିଶ୍ଵାସ ଆମ ଭିତରେ ଦାନା ବାନ୍ଧି ଆସିବାକୁ ଆରମ୍ଭ କରିବା ସଙ୍ଗେ ସଙ୍ଗେ ସଂପୂର୍ଣ୍ଣ ସାହିତ୍ୟଟିର ଆୟତନ ବିଷୟରେ ମଧ୍ୟ ହୁଏତ କେତେ ଅନ୍ୟ ପ୍ରକାରର ଉଦ୍‌ବେଳନ ଆସି ଅନୁଭୂତ ହେବେ, ଯାହାକି ସାହିତ୍ୟତତ୍ତ୍ୱର ସାଂପ୍ରତିକ ବିପ୍‍ଣିମାନଙ୍କରେ ଆଦୌ ସେତେ ସହଜରେ ସ୍ୱୀକୃତି ପାଇ ପାରିବେ ନାହିଁ ।

 

‘ଅନାମଛନ୍ଦ’ ନାମକ ନିଜର ଗୋଟିଏ କବିତା-ସଂକଳନର ଆଦ୍ୟ କଥନରେ ଶ୍ରୀ କୁମାର ମହାନ୍ତି ଅନାମଙ୍କର ମେଦିନୀକୁ ଏହିପରି ଭାବରେ ସୂଚାଇ ଦେବାକୁ ଇଚ୍ଛା କରିଛନ୍ତି । “ମୋ ସୃଷ୍ଟି ସମାଜ ପାଇଁ ଉଦ୍ଦିଷ୍ଟ । ନିଜର ନିଛକ ଭାବବିଳାସ ପାଇଁ କଳା ସୃଷ୍ଟି, ଏପରି ତତ୍ତ୍ୱ ଆମପାଇଁ ଅର୍ଥହୀନ, ଉଦ୍‌ଭଟ, ଆମେ ବିଶ୍ଵାସ କରୁ, ପରିବେଶର ପ୍ରାସଙ୍ଗିକତା ନେଇ ପ୍ରକୃତି ଯେପରି ବିଭିନ୍ନ ରୂପ ଓ ରଙ୍ଗର ବୃକ୍ଷ, ଲତା ଓ ଜୀବ ସୃଷ୍ଟି କରେ, ସେହିପରି ସାମାଜିକ ପ୍ରାସଙ୍ଗିକତା ହିଁ ମାନବିକ ସୃଷ୍ଟିର ଆବେଦନ ଓ ସ୍ଥିତିର ନିୟାମକ ହୁଏ । ସାମାଜିକ ପ୍ରାସଙ୍ଗିକତା ବିନା କୌଣସି କଳାସୃଷ୍ଟି ଉଦ୍ଦେଶ୍ୟହୀନ, ଅବାନ୍ତର” । “ଅନାମ ବାୟାର ଗୀତ” ନାମକ ଆଉ ଏକ ସଂକଳନରେ ସାଂପ୍ରତିକ ସଂସାରର ବିରାଟ ବିଡ଼ମ୍ବନାଗୁଡ଼ିକର ଆଭାସ ଦେଇ ସିଏ ଆହୁରି କେତେକଥା ନିତାନ୍ତ ସିଧା ସିଧା ବି କହି ପକାଇଛନ୍ତି, “ଯେ ହୋଇଲା ଖୁଣ୍ଟିଆଳ, ଗୋଡ଼ାଣିଆ/ ସେ ହେଲା ସୁଜନ/ ଯେ ଚାଲିଲା ସୁଅ ପରି/ ଅଝଟିଆ ଅମାନିଆ/ ସେ ହେଲା ଏ ନାମର ସମାଜେ/ ଅନାମ ଦୁର୍ଜନ ।” ଅନ୍ୟ ସଂକଳନଟିରେ ସେହି ଗୋଟିଏ ଧ୍ୱନି; ନାମୀଙ୍କର ଦୁନିଆରେ ଆମେ ଯେ ଅନାମ ଦୁର୍ଜନ ।” ଅନାମମାନେ ଭାଙ୍ଗିବେ, ଅର୍ଥାତ୍ ପ୍ରତିବାଦ କରିବେ । ପ୍ରତିମାଗୁଡ଼ାକୁ ଭାଙ୍ଗିବାପାଇଁ କୁମାର ମହାନ୍ତି କେଡ଼େ ନିଷ୍ଠାପର ଭାବରେ ଉଦ୍‌ବୋଧନ ଦେଇଛନ୍ତି । ଯୁଗେ ଯୁଗେ ଭାଙ୍ଗିଥିବା ଏବଂ ପ୍ରତିବାଦ କରିଥିବା କୃଷ୍ଣ, ବୁଦ୍ଧ ଏବଂ ଯୀଶୁଙ୍କର ଧାଡ଼ିରେ ଆପଣାକୁ ମଧ୍ୟ ପରିଜନ ଭଳି ସାମିଲ୍ କରି ସିଏ ଆପଣାର କବିତା ଧାଡ଼ିଗୁଡ଼ିକର ପଶ୍ଚାତ୍‌ରେ ରହିଥିବା ସତ୍ୟଗୁଡ଼ିକୁ ହିଁ ଉଖାରି ଆଣିଛନ୍ତି । ସେହି ସତ୍ୟଟିକୁ ଆଧାର ତଥା ପ୍ରେରଣାରେ ପରିଣତ କରି ଗୋଟିଏ ଅନ୍ୟ ସମ୍ପର୍କର ସମ୍ଭାବନା ଯେ ଏହି ପୃଥିବୀରେ ସର୍ବବିଧ ଅସଲ ପ୍ରତିବାଦକୁ ବ୍ୟକ୍ତ କରି ଆସିଛି, କବି ତାହାରି କଥା କହିଛନ୍ତି ।
 

ଏହି ‘ମୁଁ’ ହେଉଛି ପ୍ରତିବନ୍ଧକ, ଅସଲ ମାୟା ଯାହାକି ମନୁଷ୍ୟମାନଙ୍କୁ ଏତେ ଅନ୍ୟମନସ୍କ କରି ରଖିଛି । ତେଣୁ, ଦିଗ୍‌ବଳୟର ବକ୍ଷରେ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ଅନ୍ୟ ପୃଥିବୀ ଆମକୁ ସଦା ଆକର୍ଷିତ କରିବାରେ ଲାଗିଛି । କୁମାର ମହାନ୍ତିଙ୍କର ଭାଷାରେ, “ମୁଁ ଚାହୁଛି ଏପରି ଦୁନିଆ/ ଯେ ଦୁନିଆ ରୁଦ୍ଧ ନୁହେଁ ‘ଅହଂ’ ନର୍ଦ୍ଦମାରେ ।” ପୁନଶ୍ଚ, କାହିଁକି ଏ ‘ମୁଁ’ ର ଦୌରାତ୍ମ୍ୟ ?/ ସମସ୍ତେ କି ହେବାନାହିଁ ଏକ/ ଏ ମେରୁରୁ ସେ ମେରୁ ପର୍ଯ୍ୟନ୍ତ ?” ତେଣୁ, “ଛେଦିବାକୁ ଛଳନାର ସମସ୍ତ ସମ୍ପର୍କ/ ନିଜର କରିବ ତମେ/ ଅପରକୁ/ ଗୋଟିଏ ସମ୍ପର୍କସୂତ୍ରରେ ।” ଶେଷରେ, ମୁଣ୍ଡି ମାରିଲା ପରି, “ମୁଁ ଚାହୁଛି ଏପରି ଦୁନିଆ/ ........ଯେ (ଉଁ) ଦୁନିଆର ଆତ୍ମା ହେବ ମଣିଷ ପଣିଆ/ ମଣିଷ ମଣିବ ଯହିଁ ଅପରକୁ/ ଆପଣାଭଳିଆ” ।/ ଏବଂ, “ରକ୍ତ ନୁହେଁ/ ରୁଟି ଯହିଁ ସମ୍ପର୍କର ହେବ, ମୂଳଦୁଆ ।” ରୁଟି ଯେ ବସ୍ତୁତଃ ସମ୍ପର୍କର ମୂଳଦୁଆ ହେବ, ଏ କଥାଟି ଖାଲି କବିତାରେ କୁହା ଯାଇନାହିଁ । ସେହି ସତ୍ୟକୁ ସବୁ ମଣିଷଙ୍କର ପହୁଞ୍ଚ ଭିତରକୁ ଆସି ପାରିବା ନିମନ୍ତେ ଏକାଧିକ ଆଦର୍ଶବାଦର ଉଦ୍‌ଭବ ହୋଇଛି, ବହୁ ବାଦର ଚଢ଼େଇଙ୍କୁ ମନୁଷ୍ୟଭାଗ୍ୟର ଆକାଶରେ କେତେ କେତେ ଉତ୍ତେଜନାରେ ଉଡ଼ାଇ ଦିଆଯାଇଛି । ବାଦ ଯେତିକି, ଏକାଧିକ କାରଣ ତଥା ଅକାରଣରେ ସେଥିରୁ ଦଶଗୁଣ ବିବାଦ ମଧ୍ୟ ଜନ୍ମଲାଭ କରିଛନ୍ତି । କେତେ ମୁଣ୍ଡ ହଣା ହୋଇଛନ୍ତି,-ଶିବିର ଶିବିର ଭିତରେ ଯୁଦ୍ଧ ଲାଗିଛି ଯାହାକୁ ଆମେ ଭଦ୍ରମାନେ ବିଶ୍ଵଯୁଦ୍ଧ ବୋଲି କହିଛୁ । ସେଗୁଡ଼ିକ ଏବେ ମଧ୍ୟ ଚାଲିଛି । ଯଦି ସାହିତ୍ୟ ସତକୁ ସତ ମନୁଷ୍ୟକୁ ତଥା ଏହି ପୃଥ୍ୱୀଖଣ୍ଡକୁ ଭଲ ପାଇ ଏତେଯାଏ ସତକୁ ସତ ରାଜି ହୁଏ, ତେବେ ସାହିତ୍ୟସାହିର ଆଉ କେତେ କେତେ ଗରିଷ୍ଠ ତଥା ବରିଷ୍ଠ ଅବଶ୍ୟ ଘୋର ପ୍ରମାଦ ଗଣିବେ । ସାହିତ୍ୟ ପଥଭ୍ରଷ୍ଟ ହୋଇଗଲା ବୋଲି ରଡ଼ି ଦେବେ । କବି କୁମାର ମହାନ୍ତି ଯେ ଏତେ ପ୍ରସାର ଦେଇ ଆପଣାର ଧର୍ମଟିକୁ ଅନୁଭବ କରିଥିଲେ, ଆମେ ସେଥିପାଇଁ ତାଙ୍କୁ ଅଭିନନ୍ଦନ ହିଁ ଜଣାଇବା ।

 

ଏବଂ, ସେହି କାରଣରୁ, କବି “ମୋର କଥା ଅଛି ଅସୁମାରି” ବୋଲି କହିଛନ୍ତି । କବି ଯଦି ସମୁଚିତ ଭାବରେ କବିତାକୁ ବନ୍ଧୁ କରି ଜୀବନକୁ ମନ କରି ପାରିବ, ତେବେ ତା’ର କହିବା ଲାଗି ପ୍ରକୃତରେ ଅସୁମାରି କଥା ହିଁ ରହିବ ! ନିଜ ଭିତରକୁ ସତେଅବା ସତକୁ ସତ ଏହି ବିଶ୍ୱଭଳି ଆଖିଟିଏ ସାଙ୍ଗରେ ନେଇ ପ୍ରବେଶ କରି ପାରିଲେ ଏବଂ ନିଜ ଭିତରେ ଆପଣାର ଅସଲ ତଥା ଶୁଭତମ ଅସ୍ପୃହାଗୁଡ଼ିକର ସନ୍ଧାନ ପାଇ ବିଶ୍ଵ ମଧ୍ୟରେ ସତକୁ ସତ ପ୍ରବିଷ୍ଟ ହୋଇ ପାରିଲେ ଓ ଉଚିତ ଡୋରଗୁଡ଼ିକରେ ବାନ୍ଧି ହୋଇଯାଇ ପାରିବାଟାକୁ ହିଁ ସ୍ୱଜୀବନ ଏବଂ ତେଣୁ ସ୍ୱକବିତ୍ଵର ସର୍ବମୂଳ ଉପଲବ୍ଧି ବୋଲି ସମଝି ନେବାକୁ ଆରମ୍ଭ କଲେ ଏଠି ଆମେ ସବୁ ମଣିଷ “ମୋର କଥା ଅଛି ଅସୁମାରି” ବୋଲି ନିଶ୍ଚୟ କହିପାରନ୍ତେ । ଆମ ଯେଝା ଯେଝାର ତାତ୍କାଳିକ ପୃଥିବୀଟି ଆମକୁ ଏପରି ଏକାଧିକ ପ୍ରସୀମନ ଦ୍ଵାରା ଭିଡ଼ି ଭିଡ଼ି ରଖି ଦେଇଥାଏ ଯେ, ଏଠି ଆମେ କେଡ଼େ ଭବ୍ୟ ଭାବରେ ହିଁ ଅଳପରେ ବୋଧ ହୋଇ ରହିଥାଉ, ଅଳ୍ପତାକୁ ସୁଖ ମଣୁ, ଗାର ଡେଇଁବାକୁ ଓ ବାଡ଼ ଉଠାଇବାକୁ ଡରି ମରୁଥାଉ । ସୃଜନାତ୍ମକତା ହିଁ ଆମର ଏହିଭଳି ଜୀବନମାନଙ୍କରେ gadfly ଭଳି କାର୍ଯ୍ୟ କରେ, ଡାଆଁସ ପରି କାମୁଡ଼ି ପକାଏ । ଅସଲ କବି ଏହିପରି ନିଜର ଅସୁମାରି କଥା କହିବାର ରହିଛି ବୋଲି ପ୍ରାୟ ଏକ ରାଜ ସମାରୋହରେ ଆମ ଦୁଆରଟି ପାଖରେ ପହଞ୍ଚିଯାଏ । ଆମ ଲାଗି ଅଭିନନ୍ଦନୀୟ ହଏ । ଓଡ଼ିଆ ସାହିତ୍ୟରେ ଏଡ଼େ ସହଜ ଶବ୍ଦରେ ସେହି କଥାଟିକୁ କହି ପାରିଥିବାରୁ କବି କୁମାର ମହନ୍ତିଙ୍କୁ ଚାଲ ଆମେ ପ୍ରଣାମ କରିବା ।

 

ଅସୁମାରି ସକଳ କଥା ମଧ୍ୟରେ କବିଙ୍କର ମୂଳ ପ୍ରଶ୍ନ ସମ୍ଭବତଃ ମାତ୍ର ତିନୋଟି: ଜୀବନ କି ଖାଲି ଉଦର ପାଇଁ ମୋଟେ ନୁହେଁ, ମଣିଷ କି ଖାଲି ଗୋଲାମ ହେବ ଏ ଭଲ ପାଇବା କି ନିଜେ ନିଜକୁ ? ଏହି ଜୀବନଟା ଯେ ଖାଲି ଉଦର ପାଇଁ ମୋଟେ ନୁହେଁ, ଉଦର ଭରିଲେ ଯାଇ ଜଣେ ମଣିଷ ସେହି କଥାଟିକୁ ବୁଝିପାରିବ । ଲୋଭୀ ରାକ୍ଷସଟାର ଉଦର ସିନା କେବେହେଲେ ହଁ ଭରିବାକୁ ଇଚ୍ଛା କରେନାହିଁ, ମାତ୍ର ମଣିଷର ଉଦରଟା ଭରି ଦେବାକୁ କଦାପି ସେଇ କଥାଟାକୁ ହିଁ ବିନ୍ଦୁ କରି ପୃଥିବୀଯାକ ପଚାଶ ରକମର କୋଳାହଳ ବା ଶୋଷଣ ଜାରି କରି ରଖିବାର କୌଣସି ପ୍ରୟୋଜନ ନଥାଏ । ତଥାପି, ଏଠି ସବୁକାଳେ ଏପରି ଲୋଭୀବୃନ୍ଦ ରହି ଆସିଛନ୍ତି, ଯେଉଁମାନେ କି ବହୁତ ବହୁତ ଅନ୍ୟମାନଙ୍କୁ ବଞ୍ଚିତ କରି ନିଜର ଦଶ ଦଶଟା ଉଦରକୁ ଭର୍ତ୍ତି କରି ରଖିବାର ଫିକର କରି ଆସିଛନ୍ତି । ପୃଥିବୀକୁ ବଡ଼ ଅସୁନ୍ଦର କରି ରଖିଛନ୍ତି । ମୂଳଦୁଆ ଯେ ସମସ୍ତଙ୍କ ନିମନ୍ତେ ଅନ୍ନ ହୋଇ ରହିବ, ଏହି କଥା ଏବେ ମଧ୍ୟ ସମ୍ଭବ ହୋଇ ପାରୁନାହିଁ । ତେଣୁ, ସାହିତ୍ୟ, କଳା, ସଂସ୍କୃତି ତଥା ଆହୁରି କେତେ କ’ଣ ନାମରେ ଉପରର ମହଲାଗୁଡ଼ିକ ଯାହା ଯେଉଁଠି ତିଆରି ହେଉଛି, ସେଗୁଡ଼ିକ ମୋଟେ ସୁସ୍ଥ ହୋଇ ପାରୁନାହିଁ । ପୃଥିବୀରେ ଲକ୍ଷ୍ମୀ ବୃଦ୍ଧି ପାଉଥିଲେ ମଧ୍ୟ ମଣିଷଟା ଲକ୍ଷ୍ମୀଛଡ଼ା ହୋଇ ରହିଛି । ସବୁକିଛି ସତେଯେପରି ସେଇଠାରେ ହିଁ ବିଗିଡ଼ି ଯାଉଛି, ଯାହାଫଳରେ କି ଆମର କେଡ଼େ କେଡ଼େ ସ୍ଵପ୍ନ ପାଣି ଫାଟି ଯାଉଛି । ଅସଲ ସଂହତିଗୁଡ଼ିକ ସମ୍ଭବ ହୋଇ ପାରୁନାହିଁ । ବିଶ୍ୱତମାମ କବିଚିତ୍ତଟା ଭାରି ଦୁଃଖୀ ହୋଇ ରହିଛି । ରୁଟି ବା ଅନ୍ନ ସଂହତିର ମୂଳଦୁଆ ହୋଇ ପାରିଲେ, ଗୋଲାମୀର ଅବକାଶମାନ ମଧ୍ୟ ବହୁତ ଊଣା ହୋଇଯିବେ ।

 

ଆମର ପୃଥିବୀ ଆମ ଇପ୍ସିତ ଉଦୟ ଗୁଡ଼ିକର ଉପଯୁକ୍ତ ହୋଇ ପାରୁନାହିଁ, ଜଣେ କବି ଚିତ୍ତର ସମ୍ଭବତଃ ତାହାହିଁ ହେଉଛି ଗୋଟାଏ ବଡ଼ ଦୁଃଖ । ଏଠି ହନୁଟା ହିଁ ଜଗତି ଉପରେ ବସିଛି ଏବଂ ବାନ୍ଧି ନେଇଯିବେ ବୋଲି ପୋଲିସ୍‌ବାଲା ଚାରିଆଡ଼େ ମହଜୁଦ ହୋଇ ରହିଛନ୍ତି, ଗୋଲାମୀର ଗାରଗୁଡ଼ିକୁ ଜଗି ବସିଛନ୍ତି । କବି କୁମାର ମହାନ୍ତି ଏହି ଉଭୟ image କୁ ବ୍ୟବହାର କରି ଆମ ସାଂପ୍ରତିକ ସ୍ଥିତିଗୁଡ଼ିକର ଏକ ସିଧା ବର୍ଣ୍ଣନା ଦେବାକୁ ଚେଷ୍ଟା କରିଛନ୍ତି । ଜୀବନର ହାଟରେ ଜୀବନମୂଲ୍ୟ ଗୁଡ଼ିକର ଦର ବିଷୟରେ ପ୍ରଶ୍ନ ବି କରିଛନ୍ତି । ଦୁଃଖର ଦର ପଚାରିଛନ୍ତି, ସୁଖର ଦର ପଚାରିଛନ୍ତି । ଆଉଗୋଟିଏ ଅବକାଶରେ ସିଏ ଆମର ଏହି ବହୁପ୍ରସାଧନଯୁକ୍ତ ବଜାରମାନଙ୍କରେ ଯାବତୀୟ ସକଳ କିଛିର ମୂଲ ରହିଥିବା ବେଳେ ‘ମଣିଷର ମୂଲ ନାହିଁ କିଛି’ ବୋଲି ସତେଅବା କେଡ଼େ ଖେଦ ଅଥଚ କେଡ଼େ ତୋଡ଼ରେ କହିଛନ୍ତି । ଆମକୁ ଆମ ମିଛ ତପସ୍ୟାଗୁଡ଼ିକରୁ ଟଳାଇ ଦେବାର ଅଭିଳାଷରେ କ’ଣ ସେଭଳି କରିଛନ୍ତି କି ? ଦରମାନଙ୍କୁ ପଚାରି ପଚାରି କବି ପୃଥ୍ୱୀର ଦର, ପରମର ଦର, କୈବଲ୍ୟର ଦର, ବିଶ୍ଵାସର ଦର ଏବଂ ସତେଅବା ଆହୁରି ଅଧିକ ସ୍ଥାନୀୟ ତଥା ନିର୍ଦ୍ଦିଷ୍ଟ ଭାବରେ ଓଡ଼ିଆ ଜାତିର ଦର ବି ପଚାରିଛନ୍ତି । ପ୍ରାୟ ସବୁଯାକ ଶ୍ଳେଷର ବାଣ ମାରିସାରି ସିଏ ସତେ ଅବା ଆମର ଅଧିକ କତିକୁ ଚାଲି ଆସୁଛନ୍ତି ଏବଂ ଅସଲ ଗୁମରଗୁଡ଼ିକର ରହସ୍ୟ କହି ଦେଉଛନ୍ତି । “ଡରୁଥିବା ଯାଏ ଡର ହିଁ ଡରାଏ” ବୋଲି କହୁଛନ୍ତି । “ମିତ ବସିଲେ ତ କଥା ସରିଲା, ବାନ୍ଧିପାରିବେ କି ପୁଲିସବାଲା ?’’ ବୋଲି କହିଛନ୍ତି ଏବଂ କୁମାର ମହାନ୍ତିଙ୍କର ସମୁଦାୟ ଠାଣି ଏବଂ ଭାବକ୍ଷେତ୍ରର ଚାହାଣିଟି ଏପରି ନିଜସ୍ୱ ଏବଂ ଶକ୍ତିଶାଳୀ ଭାବରେ ଏଭଳି ଅନନ୍ୟ ଯେ, ତାହା କେବଳ ତୁଚ୍ଛା ଶବ୍ଦଗୁଡ଼ାଏ ହୋଇ ଆମ କାନଭିତରେ ପଶି ସାଇତା ହୋଇ ରହି ଯାଆନ୍ତି ନାହିଁ । ଆମକୁ ମଧ୍ୟ ସଚଳ କରିପାରନ୍ତି । ଯିଏ ତାଙ୍କୁ ନିଜ କବିତାଗୁଡ଼ିକୁ ଗାଇବା ବା ଆବୃତ୍ତି କରିବାର ଦେଖିଥିବ, ସିଏ କଦାପି ଖାଲି ତାଙ୍କ ଶବ୍ଦଗୁଡ଼ିକୁ ହିଁ ନୁହେଁ, ତାଙ୍କ ଭିତରର ଆହୁରି ବହୁତ କିଛିକୁ ସାଉଁଟିନେଇ ପାରିଥିବ । ସତେଅବା ନିଜର ସଂସାରଟି ଭିତରେ ମଧ୍ୟ ମିତ ବସି ପାରିଲେ ପୁଲିସବାଲା ଆଉ ମୋଟେ ବାନ୍ଧି ପାରିବେ ନାହିଁ । କଥାଟିର ଗୁମରକୁ ପାଇ ଯାଇଥିବ । ସମ୍ଭବତଃ ଏଇଟି ହେଉଛି ଏକ କାରଣ, ଯେଉଁଟି ପାଇଁ କେତେକ କବି ଆମ ପାଖରେ ଜଣେ ଜଣେ ମିତ ହୋଇ ରହିଯାଆନ୍ତି, ସବୁ କବି ମୋଟେ ରହି ପାରନ୍ତିନାହିଁ ।

 

କବିଟିଏ ମିତ ହୋଇ ପାରିଲେ ଆଗକୁ ପ୍ରକୃତରେ ବାଟଟାଏ ବି ଦିଶିଯାଏ । ମୋତେ କତିପୟ ମିତ ମିଳିଲେଣି ବୋଲି ପ୍ରତ୍ୟୟ ପାଇ କବି ମଧ୍ୟ କେଡ଼େ ସହଜରେ ଓହ୍ଲାଇ ଆସିପାରେ, ଆମର ମିତ ହେବା ସକାଶେ ଓହ୍ଲାଇଆସେ ଏବଂ “ଧଳା ଘୋଡ଼ା ଏବେ ସଜାରେ କୁମର ଏଥର ଛଳନା ଶେଷ ବୋଲି” କହିପାରେ ।

 

-୨-

 

ଅନାମ ଏକ ଗୋଷ୍ଠୀ, ସାଧାରଣ ଅର୍ଥରେ ଗୋଟିଏ ସାହିତ୍ୟଗୋଷ୍ଠୀ, ସାହିତ୍ୟିକମାନଙ୍କର ଗୋଷ୍ଠୀ । ଗୋଟିଏ ପ୍ରତିବାଦ-ଗୋଷ୍ଠୀ । ମୁଖ୍ୟତଃ ଓଡ଼ିଆ ସାହିତ୍ୟର କାରବାର ମଧ୍ୟରେ ଏକ ପ୍ରତିବାଦ-ଗୋଷ୍ଠୀ । ତଥାପି ସାହିତ୍ୟକୁ ଆଳକରି ଅଧିକତର ପ୍ରଗାଢ଼ତା ସହିତ ଗୋଟିଏ ଅନ୍ୟ ଜୀବନାକାଙ୍‍କ୍ଷା ରଖିଥିବା ଗୋଷ୍ଠୀ । କେତେଜଣ ତତ୍କାଳୀନ ତରୁଣଙ୍କୁ ଏକତ୍ର କରି ଆଣିଥିବା ଗୋଷ୍ଠୀ । ହଁ, ବ୍ୟକ୍ତିମାନଙ୍କୁ ଏକାଠି କରିଆଣି ତ ସଚରାଚର ଯାହାକିଛି ଗୋଷ୍ଠୀ ଗଢ଼ା ହୋଇଥାଏ । ସାହିତ୍ୟର ଆମ ବିଶେଷ କ୍ଷେତ୍ରଟିରେ ମଧ୍ୟ ତାହାର କାହିଁକି ବ୍ୟତିକ୍ରମ ହୁଅନ୍ତା ? ତଥାପି, ଅନାମକୁ ଏକ ନାମ ରୂପେ ଗ୍ରହଣ କରି ସେତେବେଳେ ଯେଉଁ ମେଳ ଗଢ଼ି ଉଠିଥିଲା, ସେଥିରେ ଯାବତୀୟ ମୂଲ୍ୟବ୍ୟଞ୍ଜନାରେ ସମ୍ଭବତଃ ବ୍ୟକ୍ତି ପଛରେ ଏବଂ ଗୋଷ୍ଠୀ ଆଗରେ । ନିତାନ୍ତ ସଚେତନ ଭାବରେ ସେମାନେ ସେହିପରି ପରିମଳଟିଏ ସମ୍ଭବ କରି ଆଣିବା ନିମନ୍ତେ ଚେଷ୍ଟା ମଧ୍ୟ କରିଥିଲେ । ଅନାମର ଆରମ୍ଭ ପର୍ବରେ ଯେଉଁ ପତ୍ରିକାଟି ବାହାରୁଥିଲା, ସେଥିରେ ଲେଖକମାନଙ୍କର କୌଣସି ନାମ ନଥିଲା ଏବଂ ଏପରିକି ଲିଖିତ ବିଷୟଗୁଡ଼ିକରେ ମଧ୍ୟ କୌଣସି ଶୀର୍ଷକ ଦିଆଯାଉନଥିଲା । ଅବଶ୍ୟ ପରେ ‘ଅନାମଙ୍କ ପତ୍ର’ରେ ସେଥିରେ ପରିବର୍ତ୍ତନ ଘଟିଲା । ବିଷୟମାନଙ୍କରେ ଶୀର୍ଷକ ରହିଲା ଓ ଲେଖକମାନେ ମଧ୍ୟ ସେଗୁଡ଼ିକରେ ଆସି ଉଭା ହେଲେ ।

 

‘ଅନାମଗୋଷ୍ଠୀ’ ସମ୍ପର୍କରେ ଏହି ଆଲୋଚନାକୁ ଆମେ ଶ୍ରୀ କୁମାର ମହାନ୍ତିଙ୍କ ଠାରୁ ହିଁ ଆରମ୍ଭ କରିବା । ସମ୍ମିଳିତ ଉଦ୍ୟମର ଆଭିମୁଖ୍ୟ ବିଷୟରେ ସଂକ୍ଷେପରେ ଏକ ଧାରଣା ଦେଇ ସେ ଜାଗାଏ ଲେଖିଛନ୍ତି : “ଏକ ଦିଗରେ ଇଉରୋପୀୟ ସାହିତ୍ୟର କପି କରା ରୋମାଣ୍ଟିକ୍ ଧାରା ଓ ଅନ୍ୟ ଦିଗରେ ବିଦେଶୀୟ ସାମ୍ୟବାଦର ସ୍ଲୋଗାନ୍‌ଧର୍ମୀ ହୋ’ହଲ୍ଲାରେ ଅତିଷ୍ଠ ଆମେ କେତେ ଜଣ ପ୍ରସିଦ୍ଧିବିହୀନ କବି ଓଡ଼ିଆ ସଂସ୍କୃତିର ଆଧାରରେ ଓଡ଼ିଆ କବିତାର ଅଭିବୃଦ୍ଧି କାହିଁକି ନ ହେବ ବୋଲି ପ୍ରଶ୍ନ କରିଥିଲୁ । ଆମେ ଅଙ୍ଗେ ନିଭାଉଥିବା ଛଳନାବାଦୀ ସମାଜର ଦ୍ୱୈତ ନୈତିକତା, ଭଣ୍ଡ ଧର୍ମ ଓ ଅସାମାଜିକ ବୀଭତ୍ସତାର ମୁଖୋସ୍ (ମୁଖା) ଖୋଲିବାର ଶପଥ ନେଇ ଆରମ୍ଭ କରିଥିଲୁ ‘ଅନାମଗୋଷ୍ଠୀ’ ଓ ଅନାମ କବିତା ।” ପ୍ରତିପକ୍ଷ ଶିବିରଗୁଡ଼ିକ ପୂର୍ବରୁ ହିଁ ଥିଲେ । ସେଗୁଡ଼ିକରେ ମଧ୍ୟ ସମାନ ଉତ୍ସାହରେ ଉତ୍ତାପ ଏବଂ ତାରୁଣ୍ୟାବେଗ ଇତ୍ୟାଦି ମଧ୍ୟ ନରହିବାର ଆଦୌ କୌଣସି କାରଣ ନାହିଁ । ପୁରୀରେ ଏକାବେଳକେ ସେହି ମୂଳରୁ ହିଁ ଅସୂୟାମାନେ ବେଶ୍ କ୍ରିୟାଶୀଳ ହୋଇ ଉଠିଥିଲେ । ଅନାମର ସଦସ୍ୟମାନଙ୍କୁ ମାରିବାର ଧମକ ଦିଆ ଯାଇଥିଲା । ଘରେ ନିଆଁ ଲଗାଇ ଦେବାର ଧମକ ମଧ୍ୟ ଆସିଥିଲା । ଅନାମ ପତ୍ରିକା ପୋଡ଼ା ବି ଯାଇଥିଲା, ସଭାସମିତିରେ ଅନାମମାନଙ୍କୁ ଭର୍ତ୍ସନା ମଧ୍ୟ ଖୁବ୍ ହୋଇଥିଲା । ସବୁଠାରୁ ସମ୍ଭବତଃ ବେଶୀ ସେହି ପୁରୀରେ । ପୁରୀରେ ଶ୍ରୀ କୁମାର ମହାନ୍ତିଙ୍କର ଘରଟି ହିଁ ଅନାମ ଆନ୍ଦୋଳନର ପ୍ରାଣକେନ୍ଦ୍ର ରୂପେ କାର୍ଯ୍ୟ କରୁଥିଲା ।

 

ଅନାମ ଗୋଷ୍ଠୀର ଏକ ସିଂହାବଲୋକନ କରୁଥିବା ସମୟରେ ‘ଅନାମଙ୍କ ପତ୍ର’-ଜାନୁଆରୀ ୧୯୮୮ ସଂଖ୍ୟାରେ ଆଲୋଚକ ଶ୍ରୀ ମଧୁ ମହାନ୍ତିଙ୍କୁ ‘ଅନାମୀଙ୍କ ବାପା’ ବୋଲି ବର୍ଣ୍ଣନା କରିଛନ୍ତି । ଘଟଣାବଳୀ କହୁଛି ଅନାମମାନେ ପୂର୍ବରୁ ହିଁ ମେଳ ଗଠନ କରି ସାରିଥିଲେ, ନିଜ ପତ୍ରିକାର ପ୍ରଥମ ସଂଖ୍ୟାକୁ ବାହାର କରି ସାରିଥିଲେ । ଶ୍ରୀ ମହାନ୍ତି ତା’ପରେ ଆସି ସେମାନଙ୍କ ସହିତ ଯୋଗ ଦେଲେ । ସମସ୍ତେ ଯେ ତାଙ୍କୁ ବାପା ବୋଲି, ବନ୍ଧୁ, ବିଚାରଦାତା ତଥା ବାଟ ଦେଖାଇ ପାରିବାର ବ୍ୟକ୍ତିରୂପେ ସ୍ୱୀକାର କରିନେବେ, ସେଥିରେ ଆଦୌ କୌଣସି ସନ୍ଦେହର ଅବକାଶ ନାହିଁ । ସେହି ଅନାମଙ୍କର ଏକ ବର୍ଣ୍ଣନାରୁ ଆମେ ଶ୍ରୀଯୁକ୍ତ ମହାନ୍ତିଙ୍କର ହୁଏତ ବେଶ୍ ଏକ ଧାରାକ୍ରମରେ ପରିଚୟଟିଏ ପାଇ ମଧ୍ୟ ପାରିବା: “ଇନ୍‌କମ୍ ଟିକସ୍ ଅଫିସର୍‌ରୁ କଟକ ହାଇକୋର୍ଟରେ ଓକିଲାତି । ନୀଳକଣ୍ଠ, ଗୋଦାବରୀଶ, ରାଜେନ୍ଦ୍ର ନାରାୟଣ ସିଂ ଦେଓ ଇତ୍ୟାଦିଙ୍କ ସହ ‘ଗଣତନ୍ତ୍ର ପରିଷଦ’ର ସ୍ରଷ୍ଟା । ‘ଜନତା’ ଓ ‘ଅବ୍‌ଜର୍‌ଭର’ ନାମକ ଦୁଇଟି ଖବରକାଗଜର ସମ୍ପାଦକ ଓ ପ୍ରକାଶକ ଥିଲେ । .... ଏକାଧାରରେ ଲେଖକ, ସାମ୍ବାଦିକ ଓ ସମାଜସେବୀ । ଓଡ଼ିଶାରେ ରାଡିକାଲ୍ ହ୍ୟୁମାନିଷ୍ଟ ପାର୍ଟିର ସଭାପତି ।” ପ୍ରସଙ୍ଗକ୍ରମେ ଆମେ ସମ୍ଭବତଃ ଜାଣିରଖିବା ଯେ, ପ୍ରଖ୍ୟାତ ରାଜନୀତିକ ନେତା ଓ ଯୋଦ୍ଧା ଏବଂ ରୁଷିଆରେ ଲେନିନ୍ ଓ ଷ୍ଟାଲିନ୍‌ଙ୍କ ପାର୍ଶ୍ୱବର୍ତ୍ତୀ ହୋଇ ରହିଥିବା ଶ୍ରୀ ମାନବେନ୍ଦ୍ର ନାଥ ରାୟ ରୁଷିଆରୁ ଭାରତବର୍ଷ ଆସି ଏଠାରେ ରାଡ଼ିକାଲ୍ ହ୍ୟୁମାନିଷ୍ଟ ପାର୍ଟିର ପ୍ରତିଷ୍ଠା କରିଥିଲେ । ମଧୁ ମହାନ୍ତିଙ୍କ ଜୀବନରେ ଆଉଜଣେ ଆଲୋଚକ ଚାରିଟି ଡାୟ୍‌ମେନ୍‌ସନ୍ ରହିଛି ବୋଲି ମତ ଦେଇଛନ୍ତି । ଚାରିଟା ପ୍ରସ୍ଥର ପ୍ରତିନିଧତ୍ୱ କରୁଥିବା ଏକାବେଳେକେ ଚାରିଟା ଦର୍ପଣ । ସେଗୁଡ଼ିକ ହେଉଛନ୍ତି: ଫ୍ରଏଡ଼ିଆନ ଯୌନକ୍ଷୁଧା, ନୀତ୍‌ଶୀଆନ୍ ପୌରୁଷ, ମାର୍କ୍‌ସୀଆନ୍ ଅର୍ଥଲୋଭ ଓ ଚୈତନ୍ୟମାର୍ଗୀ ବୈଷ୍ଣବଧର୍ମ । ଏହି ଚାରୋଟିଯାକ ଖୁମ୍ବ ଉପରେ ତାଙ୍କର ‘ଜିନିଅସ୍’ ପ୍ରତିଷ୍ଠିତ ବୋଲି ଆଲୋଚକ ମତ ଦେଇଛନ୍ତି ।

 

ପ୍ରକୃତରେ ଅତ୍ୟନ୍ତ ସାଂଘାତିକ ଜୀବନଟାଏ ହୋଇଥିବ । ଚାରିଟାଯାକ ଖୁମ୍ବ ସମ୍ଭବତଃ କ୍ୱଚିତ୍ ଏକତ୍ର ଛିଡ଼ାହୋଇ ଏକ ସମଗ୍ର structureର ପ୍ରତୀତି ଦେବାରେ ସମର୍ଥ ହେଉଥିବେ ଓ ଯାହିତାହି ହୋଇ ତିନିଟା ସିଧା ହେବାକୁ ମନ କଲାବେଳକୁ ଚତୁର୍ଥଟା ହୁଏତ ବଙ୍କାଇ ବି ଯାଉଥିବ-। ଅନାମଗୋଷ୍ଠୀର ‘ବାଇଆ’ମାନଙ୍କ ଉପରେ ସେହି ହରକତଟାର ମଧ୍ୟ କ’ଣ କିଛି ପ୍ରଭାବ ପଡ଼ିଥିଲା ? ସେକାଳର ସେମାନେ ତ ବର୍ତ୍ତମାନ କେତେଭଳି ସାହୀରେ ବାଣ୍ଟି ହୋଇଗଲେଣି । ସେମାନଙ୍କୁ ଜଣଜଣ କରି ଗୋଟିଏ ଗୋଟିଏ ଖାସ୍ ସନ୍ତକ ତଥା ନାମରେ ବି ବେଳେ ବେଳେ ଚିହ୍ନି ହୋଇଯାଉଛି । ସମ୍ଭବତଃ ପ୍ରଧାନତଃ ସେହି କାରଣରୁ ଅନାମମାନଙ୍କର ଆଉ କୌଣସି ମେଳଣ ଏବେ ବସୁନାହିଁ । ହଁ, ସେମାନଙ୍କ ମଧ୍ୟରୁ ହୁଏତ ପ୍ରତ୍ୟେକଙ୍କୁ ସେମାନଙ୍କର ଏକ ନିଜ ପରିଚୟରେ କିଛି କିଛି ଚିହ୍ନି ହେଉଛି ସିନା, କିନ୍ତୁ ସେମାନଙ୍କୁ ଏକଦା ଯୋଡ଼ି ରଖିଥିବା ସୂତାଟା ପ୍ରାୟ ଦେଖିବାକୁ ମିଳୁନାହିଁ । ବେକର ମାଳିଟିକୁ ସେମାନେ ଜାଣତ ବା ଅଜାଣତରେ କାହିଁକି ଯେ ଛିଣ୍ଡାଇ ଅନ୍ୟମନା ହୋଇ ବାହାରି ଆସିଛନ୍ତି, ସେମାନେ ଆପେ ମଧ୍ୟ ହୁଏତ ସେ କଥାଟିକୁ ଲକ୍ଷ୍ୟ କରିନାହାନ୍ତି । ହଁ, ପଣ୍ଡିତ ନୀଳକଣ୍ଠ ଦାଶ ଶ୍ରୀ ମଧୁ ମହାନ୍ତିଙ୍କର ମାନସପିତା ଥିଲେ ବୋଲି ଏକ ମନ୍ତବ୍ୟ ବି ଶୁଣିବାକୁ ମିଳିଥାଏ । ଏହି ସବୁ ଯାବତୀୟ ମତୋକ୍ତିକୁ ସହାୟକ ରୂପେ ବ୍ୟବହାର କରି ବାପା ମଧୁ ମହାନ୍ତିଙ୍କର ‘ଅନାମ' ନାମକ ସେହି ଗୋଷ୍ଠୀରୂପ ଭାବସନ୍ତାନଟିର ଚରିତାଚାରଟିକୁ ଇଚ୍ଛା କଲେ ଆମେ କିଞ୍ଚିତ୍ ଅଧିକ ନିକଟବର୍ତ୍ତୀ ହୋଇ ଉଖାରି କରି ଅବଶ୍ୟ ଦେଖିପାରିବା ।

 

ଅନ୍ୟମାନେ ଏକଜୁଟ ହୋଇ ଆସୁ ଆସୁ ଏବଂ ଆଗକୁ ପାଦ ପକାଉ ପକାଉ କ’ଣ ଧାସ୍‌ଭିତରେ ପଡ଼ିଯାଇ ଆପଣାକୁ ଓଡ଼ିଆ ବୋଲି ଘୋଷଣା କରିଥିଲେ । ଆମେ ଯେଉଁମାନେ ଓଡ଼ିଶାରେ ଜନ୍ମ ହୋଇଛୁ, ଆମ ସାମୂହିକ ସତ୍ୟକଳ୍ପନା ତଥା ଜୀବନ ମୂଲ୍ୟ ଗୁଡ଼ିକୁ ଆମେ ତାହାରି ସ୍ଵାଭାବିକ ଆହ୍ୱାନ ତଥା ପ୍ରେରଣାଗୁଡ଼ିକୁ ଶୁଣିବା ଯୋଗ୍ୟ ହୋଇ ଏହି ଓଡ଼ିଶାରେ ହିଁ ବଞ୍ଚିବୁ,-ଏଥିଲାଗି ପୁଣି ଗୋଷ୍ଠୀ ଗଢ଼ି ବଜାରଟାଏ ବସାଇ ଘୋଷଣାଟାଏ ପୁଣି କାହିଁକି କରିବୁ ? ଏହି ଅତିସଚେତନତା ପଛରେ ଅନେକ ସ୍ଥଳରେ କିଛି ଅସ୍ୱାଭାବିକତା ମଧ୍ୟ ରହିଥାଏ କି ? ଯଦି ଆମେ ସାହିତ୍ୟକୁ ମନ କରିଥାଉ, ତେବେ ଏଠି ଓଡ଼ିଆ ଭାଷା ହିଁ ଆମର ସର୍ବପ୍ରଥମ ଭାଷା ଓ ତେଣୁ ଆମର ସବୁଠାରୁ ଅଧିକ ପ୍ରିୟ ଭାଷା ହୋଇ ରହିବ । ପରସ୍ପରକୁ କହିବାପାଇଁ ଗୋଟାଏ ମଞ୍ଚର କାହିଁକି ଆବଶ୍ୟକତା ରହିବ ? ଶ୍ରୀ ମଧୁ ମହାନ୍ତିଙ୍କର ଜୀବଦ୍ଦଶାରୁ ହିଁ ଭାବପ୍ରେରଣାର ମସୀପାତ୍ରଟି ଏପରି ଏକପାଖିଆ ହୋଇ କାହିଁକି ଇଡ଼ିଯିବାକୁ ମନ କଲା କେଜାଣି ? ତାଙ୍କର ଶ୍ରାଦ୍ଧବାର୍ଷିକୀରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଅନାମ-ମେଳଣରେ ସାଧାରଣ ଆଲୋଚନା ନିମନ୍ତେ “ଅବକ୍ଷୟୀ ଓଡ଼ିଆ ସାହିତ୍ୟର ପରିପ୍ରେକ୍ଷୀରେ ଆଧୁନିକ ଦରବାରୀ ସାହିତ୍ୟର ରୂପରେଖ” ନାମକ ବିଷୟଟିଏ ରଖା ଯାଇଥିଲା । ଅନାମକ ପତ୍ର (ବସନ୍ତ, ୧୯୯୩, ପୃଷ୍ଠା-୪)ରେ ତାଙ୍କ ଗୋଷ୍ଠୀର କାବ୍ୟ-ଆନ୍ଦୋଳନଟିର ବିଶେଷ ପରିଚୟଟିଏ ପ୍ରଦାନ କରି ଶ୍ରୀ କୁମାର ମହାନ୍ତି ମଧ୍ୟ “ସମସ୍ତ ଭାବ-ବ୍ୟଞ୍ଜନାର ମାଧ୍ୟମ କେବଳ ଛନ୍ଦ, ଏବଂ ଛନ୍ଦ ଛଡ଼ା କଳା ଅସ୍ତିତ୍ୱହୀନ” ବୋଲି କହିଛନ୍ତି । ଏକଥାଗୁଡ଼ିକୁ ଅଲବତ୍ ବୁଝି ହେଉଛି । ଏହି ସବୁକିଛି:ଏକ ସାହିତ୍ୟିକ ଦୃଷ୍ଟିର କଥା, ଏକ ସଂପୂର୍ଣ୍ଣ ସୁସ୍ଥ ରୁଚି ବା ଅରୁଚିର ବିଷୟଟିଏ । କିନ୍ତୁ ଜଣେ ସତୀର୍ଥ ଅନାମଙ୍କ ପାଖକୁ ଲିଖିତ ଗୋଟିଏ ଚିଠିରେ ଶ୍ରୀ କୁମାର ମହାନ୍ତି An Oriya Principle of Criticism ବୋଲି କଥାଟିଏ ଉଲ୍ଲେଖ କରିଛନ୍ତି । କଥାଟିକୁ ବୁଝିବା ନିମନ୍ତେ ମଥା ହିଁ ପାଉନାହିଁ । ଏସବୁ ଗହନ ଭିତରେ ପଶି ସଂପୃକ୍ତ ପଥଚାରୀମାନେ ଆପଣାର ଅସଲ ଆବେଦନ ଜଗତଟିକୁ ମାରା କରିଦେବାକୁ ମନ କଲେ କାହିଁକି କେଜାଣି ? ଆଉ ଗୋଟିଏ ଚିଠିରେ ସିଏ social satire ଓ ଶାଣିତ ବ୍ୟଙ୍ଗ ସମ୍ପର୍କରେ ମଧ୍ୟ କହିଛନ୍ତି । ଏସବୁକୁ ସାହିତ୍ୟରେ ଏବେ ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଛନ୍ତି । ତାହାର ପ୍ରାସଙ୍ଗିକତା ଗୁଡ଼ିକୁ ବୁଝିବାରେ ଆଦୌ କୌଣସି ଅସୁବିଧା ହେଉନାହିଁ । ଅନାମ ପାଖରେ ସତକୁ ସତ କୃତଜ୍ଞତା ଜଣାଇ ଆସିବାକୁ ମଧ୍ୟ ଇଚ୍ଛା ହେଉଛି ।

 

ତଥାପି, ଆଉ ଏକ ଅବକାଶରେ ସିଏ ଓଡ଼ିଆ ଜାତିର ସଂଜ୍ଞା କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଆ ସାହିତ୍ୟରେ ସମାଲୋଚନାର ମାନଦଣ୍ଡ କ’ଣ ହେବ ବୋଲି ଜାଣିବାକୁ ଅଡ଼ି ବସିଛନ୍ତି । ସାହିତ୍ୟର ଯେକୌଣସି ମଞ୍ଚରେ ଏଇଟି ପ୍ରକୃତରେ ଏକ ସାଂଘାତିକ କଥା, ବସ୍ତୁତଃ ଏକ ଅସାହିତ୍ୟିକ କଥା । ଭିତରେ କ’ଣ ଗୋଟାଏ ଅସହିଷ୍ଣୁତାକୁ ପ୍ରଶ୍ରୟ ଦିଆଯାଇ ନଥିଲେ କୌଣସି ସମୀକ୍ଷାଦୃଷ୍ଟି ସେପରି ଆଦୌ ଦାବି କରିବାଲାଗି ମନ ବଳାଏନାହିଁ । ଏହି ମୂଳ ଉତ୍ତାପଟିରୁ ମଞ୍ଜି ଉଡ଼ି ଅନାମମାନେ କିଞ୍ଚିତ୍ ଶବ୍ଦ ବୈପୁଲ୍ୟର ସାହାଯ୍ୟ ନେଇ ଉଡ୍ର ସଭ୍ୟତା ଓ ଉଡ୍ର ସଂସ୍କୃତିର ଚର୍ଚ୍ଚାଟାଏ ମଧ୍ୟ- ଆଣି ବାଢ଼ିଦେବାକୁ ଚେଷ୍ଟା କରିଛନ୍ତି । ସେହି ସନ୍ଦର୍ଭରେ ପଣ୍ଡିତ ନୀଳକଣ୍ଠଙ୍କର ଆର୍ଯ୍ୟ-ଜୀବନ ତଥା କଳିଙ୍ଗ-ସଭ୍ୟତା ସମ୍ବନ୍ଧରେ ଏକଆଖିଆ ଉତ୍ସାହପୂର୍ଣ୍ଣ ଉଦ୍‌ଗାରଗୁଡ଼ାକ ମଧ୍ୟ ମନେ ପଡ଼ିଯାଉଛି ଏବଂ ଓଡ଼ିଆ ଜାତିନାମକ ଉଲ୍ଲାସଧର୍ମୀ myth ଟାକୁ ଚକଚକ କେତନଟାଏ ପରି ଉଡ଼ାଇବାକୁ ମନ କଲାମାତ୍ରକେ ଜଗନ୍ନାଥ ଯେ ତତ୍‌କ୍ଷଣାତ ଟଣା ହୋଇ ଆସିଯିବେ, ସେଥିରେ ଆଚମ୍ବିତ ହେବାର କୌଣସି କାରଣ ରହିବା ଉଚିତ ନୁହେଁ । ଜଗନ୍ନାଥ ଯେ ଏହି ପ୍ରକ୍ରିୟାରେ କ୍ରମଶଃ କେତେକ ଚକ୍ରାନ୍ତରେ ପଡ଼ି ଏକ ଗୃହସମ୍ପତ୍ତିରେ ପରିଣତ ହେଲେଣି ଓ ଆମେ କତିପୟ ତାଙ୍କୁ ଅତିଶ୍ରଦ୍ଧାରେ ‘ଆମର’ ବୋଲି କହିଲୁଣି, ତାହାକୁ ସଂପୃକ୍ତ ସେହିମାନଙ୍କର ଅନ୍ଦାଜକ୍ଷେତ୍ରଟାର ଏକ ଶୋଚନୀୟ diminishment ବୋଲି ହୁଏତ କୁହାଯିବ । ଆମେ-ଦେଖିବାକୁ ପାଉଛୁ, ସେହି ୧୯୭୩ ମସିହାରୁ ହିଁ ‘ଅନାମ’ ପତ୍ରିକାଟିକୁ “ଜଗନ୍ନାଥ ମୈତ୍ରୀଚେତନା-ଭିତ୍ତିକ ଅନାମ-ସାହିତ୍ୟିକଙ୍କର ଏକ ସଂକଳନ” ବୋଲି ଲିଖିତ ଭାବରେ ଘୋଷଣା କରାଯାଇଛି । ସେହି ସଂଖ୍ୟାଟିରେ ହିଁ ‘ବୁଧେ ଭାବିବେ କି ?’ ନାମକ କୋଠିଟି ମଧ୍ୟରେ ଏପରି ବିଜ୍ଞାପନଟିଏ ଦିଆଯାଇଛି ! “ଓଡ଼ିଶାରେ ତିନୋଟି ବିଶ୍ୱବିଦ୍ୟାଳୟ । କୌଣସି ଗୋଟିକରେ ଯଦି Jagannath-chair ଟିଏ ସୃଷ୍ଟି କରାଯାଇ ଓଡ଼ିଶାର ସଂସ୍କୃତି, ଭାଷା, ଧର୍ମ, ଦର୍ଶନ ଓ ସମାଜତତ୍ତ୍ୱ (ଯାହା ଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ିଉଠିଛି), ଇତ୍ୟାଦି ବିଷୟରେ ଗବେଷଣା ହୁଅନ୍ତା,-ତା’ହେଲେ ଓଡ଼ିଶାର ଜ୍ଞାନ ଦିଗନ୍ତ ପ୍ରସାରିତ ହୁଅନ୍ତା,-ଓଡ଼ିଆଏ ଆତ୍ମାଭିମାନୀ ହୁଅନ୍ତେ ଏବଂ ଏକବିଂଶ ଶତାବ୍ଦୀକୁ ଏକ ପ୍ରାଣବନ୍ତ ଓଡ଼ିଶା ଆମନ୍ତ୍ରଣ କରିବାର ଅହମିକା ପାଆନ୍ତା-।”

 

କବି କୁମାର ମହାନ୍ତିଙ୍କର କୃତିରେ “ଭୀମ ଭୋଇଙ୍କର ପ୍ରଗାଢ଼ ମାନବବାଦୀ ସଂବେଦନଶୀଳତା ସାମ୍ପ୍ରତିକତାର ପୁଟ ଦିଆଯାଇ କେବଳ ଅଧିକ ତତ୍ତ୍ୱଗମ୍ଭୀର ନୁହେଁ, ଆହୁରି ବର୍ଣ୍ଣାଢ଼୍ୟ ତଥା ମର୍ମସ୍ପର୍ଶୀ ହୋଇପାରିଛି ବୋଲି ତାଙ୍କର ସ୍ମୃତିଚାରଣା କରି ଆଉଜଣେ ଅନାମ ଲେଖିଛନ୍ତି । ସାହିତ୍ୟକୁ ଅଧ୍ୟାତ୍ମ ଦ୍ୱାରା ଉତ୍ତରଣସମର୍ଥ କରି ପାରିଥିବା ସଂସାର ଭିତରର ଭୀମ ଭୋଇ ଆପଣାର ବ୍ୟାଖ୍ୟା ମଧ୍ୟରେ ଜଗନ୍ନାଥଙ୍କୁ ଯେଉଁ ନିର୍ଦ୍ଦିଷ୍ଟ ବିନ୍ୟାସ ଆଣି ଦେଇଥିଲେ, ଅନାମମାନେ ବି ତାହାର ଆଲୋଚନା କରି ପାରିଥାଆନ୍ତେ, ତେବେ ହୁଏତ ସେମାନଙ୍କୁ ଅଧିକ ସ୍ୱଚ୍ଛ ଭାବରେ ବୁଝି ହୋଇଥାନ୍ତା । ଅନାମଗୋଷ୍ଠୀ ତାହା କଲେନାହିଁ ଓ ଜଗନ୍ନାଥଙ୍କୁ ଏପରି ଭାବନାମର ନିରଙ୍କୁଶତା ସହିତ ଯାବୁଡ଼ି ଧରିଲେ ଯେ ତଦ୍ଦ୍ୱାରା ଆହୁରି କିଛି ଆଗକୁ ଆସି ଏବର ଏହି ଅଗାଢ଼ି-ଯୁଗଟାରେ ଜଗନ୍ନାଥ ପ୍ରେରଣାର ସମଗ୍ରାୟତନଟିରେ ଯାବତୀୟ ଅର୍ଥରେ ଏକ ଅବମୂଲ୍ୟୟନ ହିଁ ଘଟିଲା । ସେହି ସମ୍ପତ୍ତିକରଣର ପ୍ରକ୍ରିୟାଟିରେ ଅନାମମାନେ ମଧ୍ୟ ତଥାପି ଏକ ସହାୟତା କଲେ ବୋଲି କୁହାଯାଇ ପାରିବ କି ? ଏବଂ ଜଗନ୍ନାଥତ୍ୱର ମହିମା ମଧ୍ୟରେ ତଥାକଥିତ ଓଡ଼ିଆତ୍ୱର ବହଳ ବିଡ଼ମ୍ବନାଗୁଡ଼ିକୁ ଏକାଠି ଭରିଦେଇ ସ୍ୱୟଂ ଅନାମଚେତନାଟା ବି ଆଖିର କୋଉଠି ଆସି ପହଞ୍ଚିଛି, ଥରେ ଥୟ ହୋଇ ଦେଖିଲେ ! ସତକୁ ସତ ନିଜର ଭୂମିଟିକୁ ଭଲ ପାଇଲେ ଏବଂ ତାହାରି ନିମନ୍ତେ ନିଜକୁ ସତକୁ ସତ ତିଆରି ଆଣିବାକୁ ମନ କଲେ ଆମକୁ ଓଡ଼ିଶା କେଡ଼େ ଅନ୍ୟପ୍ରକାରେ ମହିମାମୟ ତଥା ଆହ୍ୱାନପୂର୍ଣ୍ଣ ହୋଇ ଦିଶିପାରନ୍ତା ! ପୁନଶ୍ଚ ଅଧ୍ୟାତ୍ମ ପଛକେ ପଛକୁ ଥାଉ, ପୂର୍ଣ୍ଣତଃ ସାହିତ୍ୟର ସମଗ୍ର ପ୍ରସ୍ଥଟି ଦେଇ ଦେଖିଲେ ମଧ୍ୟ ଜଗନ୍ନାଥ ମଧ୍ୟ କେତେ ଅନ୍ୟପ୍ରକାରେ ଦୃଷ୍ଟିଗୋଚର ହୁଅନ୍ତେ ଏବଂ ଆମଲାଗି ବହୁ ବିମୋଚନର କାରଣ ହୁଅନ୍ତେ-। ସାରଳା ଦାସଙ୍କ ଠାରୁ ଆରମ୍ଭ କରି ସାଲବେଗଙ୍କ ପର୍ଯ୍ୟନ୍ତ ଏହି ଭୂମିର ଯେଉଁ ସ୍ମରଣୀୟ ପ୍ରେରଣାପିଣ୍ଡମାନେ ଜଗନ୍ନାଥଙ୍କୁ ସେମାନଙ୍କର ରଚନାଚୟରେ ପରିଚିତ କରାଇଛନ୍ତି, ସେମାନେ କେହି ତାଙ୍କୁ ଜାତିତ୍ୱର ଅଡ଼ାଟା ଭିତରେ ଆଣି ଭର୍ତ୍ତି କରିଦେବାର କୌଣସି ଆଗ୍ରହ ଦେଖାଇ ନାହାନ୍ତି । ଆମେ ଏବର ଆଗ୍ରହୀମାନେ କ’ଣ ସେମାନଙ୍କୁ ନିର୍ବୋଧ ବୋଲି ହିଁ କହିବା ?

 

ବ୍ରହ୍ମପୁର ସହରକୁ ଡକା ଯାଇଥିବା ‘ଅନାମ ମେଳଣ-୧୯୯୦’ର ସୂଚନା ଦେଇ ଯେଉଁ ବୃତ୍ତପତ୍ରଟି ଡାକଦ୍ଵାରା ପ୍ରେରଣ କରା ଯାଇଥିଲା, ସେଥିରେ ଏଥର ମେଳଣଟିରେ ଓଡ଼ିଆ ଜାତିତ୍ୱର ଏକ ବିଧିବଦ୍ଧ ଚିହ୍ନଟ ପାଇଁ ମିଳିତ ଭାବରେ ଚିନ୍ତା କରାଯିବ ବୋଲି ଆଭାସ ରହିଥିଲା । “ଓଡ଼ିଆ କିଏ ? କେଉଁ ନିର୍ଦ୍ଦିଷ୍ଟ ଗୁଣ ବା ଚିହ୍ନଟ ଲାଗି ଆମେ ଅନ୍ୟଙ୍କ ଠାରୁ ଭିନ୍ନ ? ଆମର ସ୍ଵକୀୟତା କ’ଣ-? ଆମର ସ୍ୱକୀୟ ଇତିହାସ କାହିଁ ?” -ଇତ୍ୟାଦି, ଇତ୍ୟାଦି । ମଣିଷମାତ୍ରକେ ଆମେ ସମସ୍ତେ ପରସ୍ପର ଠାରୁ କେତେ ଅଭିନ୍ନ, ନ୍ୟାୟତଃ ସବାଆଗ ସେଗୁଡ଼ିକ ବିଷୟରେ ସୁସ୍ଥ ସଚେତନ ହୋଇ ପାରିଲେ, ତା’ପରେ ଯାଇ ଅଧିକ ସୁସ୍ଥ ଭାବରେ ଗୋଟିଏ ଗୋଟିଏ ଜାତି ହିସାବରେ ଆମେ ପରସ୍ପର ଠାରୁ କେତେ ଭିନ୍ନ ବା ଅନନ୍ୟଟିର ହୁଏତ ବିଚାରଟିଏ କରିହୁଏ ବୋଲି ମଧ୍ୟ ସମାନ୍ତର ମତଟିଏ ପୃଥିବୀରେ ଏବେ ମଧ୍ୟ ରହିଛି । ବ୍ୟକ୍ତିକୁ ବିଳ କରି ଖାଲି ନୁହେଁ, ତଥାକଥିତ ସମଷ୍ଟିଟାକୁ କରି ମଧ୍ୟ ବେଶ୍ ଚମତ୍କାର ପଦ୍ଧତିରେ ଏକ କାଳିସୀତତ୍ତ୍ୱ ଅବଶ୍ୟ ତିଆରି କରାଯାଇ ପାରିବ । ଆମ ଅନାମେ ମଧ୍ୟ ବ୍ୟକ୍ତି ପରିଚୟର ସେହି ଅନ୍ୟ ସନ୍ତକଟିକୁ ଫିଙ୍ଗି ଦେଇ କିଞ୍ଚିତ୍ ଉତ୍ସାହାତିଶଯ୍ୟରେ ସେହି ଅନ୍ୟଟିର ଆବର୍ତ୍ତ ମଧ୍ୟରେ ଯାଇ ପଡ଼ିଗଲେ ଓ ତା’ପରେ ଛିନ୍‌ଛତ୍ର ମଧ୍ୟ ହୋଇଗଲେ ! ସେହି ବିଜ୍ଞପ୍ତି ପତ୍ରରେ ଠାଏ ଏପରି ଆଉକିଛି ଅଭିପ୍ରାୟର ଶକୁନଟିଏ ବହନ କରୁଥିବାର ଏକ ଆଭାସ ବି ହୁଏତ ରହିଥିଲା; “ଭାରତୀୟ ସଂଘୀୟ ସଂବିଧାନରେ ଓଡ଼ିଶା ପ୍ରଦେଶ ନିର୍ଦ୍ଦିଷ୍ଟ ଭାଷାଭାଷୀ ଓ ସଂସ୍କୃତି ସଂପନ୍ନ ଏକ ଭୌଗୋଳିକ ଅବସ୍ଥିତି ।.....ଆଜି ଆମ ଚତୁଃପାର୍ଶ୍ୱରେ ବହୁ ଅଣଓଡ଼ିଆ ଓ ବିଦେଶୀ ଅନୁପ୍ରବେଶକାରୀ ତଥା ଶରଣାର୍ଥୀ । ଏମାନଙ୍କ କୁପ୍ରଭାବ ଓଡ଼ିଆଙ୍କ ଜୀତୀୟ ଚରିତ୍ରକୁ ନଷ୍ଟ କରୁଛି । ଓଡ଼ିଶାରେ କଳକାରଖାନା ବସାଇବା ବାହାନାରେ ଆମେ ବହୁ ଅଣଓଡ଼ିଆଙ୍କୁ ସ୍ଥାପିତ କରିବାରେ ଲାଗିଛୁ ଏବଂ ବିଦେଶୀ ମୁଦ୍ରା ଅର୍ଜନ ବାହାନାରେ ଆମର ମାଟି, ପାଣି ଓ ପବନକୁ ଖୋଳି ତାଡ଼ି ସୁନ୍ଦର ପରିବେଶକୁ କଦାକାର କରୁଛୁ ଓ ଭବିଷ୍ୟତକୁ ବିପର୍ଯ୍ୟସ୍ତ କରୁଛୁ ।” ଏବଂ, ମନେ ମଧ୍ୟ ରହିବା ଉଚିତ ଯେ ଏହି ବିଜ୍ଞପ୍ତିପତ୍ରଟି “ଶୁଣ୍ୱନ୍ତୁ ବିଶ୍ଵେ ଅମୃତସ୍ୟ ପୁତ୍ରାଃ” ନାମକ ସେହି ଉପନିଷଦୀୟ ବାକ୍ୟଟିକୁ ଶୀର୍ଷକ ରୂପେ ବହନ କରିଥିଲା ।

 

-୩-

 

ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗ କହିଲେ ମତଭେଦରେ ତିନୋଟି ଭିନ୍ନ ଭିନ୍ନ ସମୟକୁ ବୁଝାଇ ଆସିଛି । ସତେଅବା ତିନି କିସମର ମତଲବରେ ତିନୋଟି ଭିନ୍ନ ଭିନ୍ନ ପର୍ଯ୍ୟାୟକୁ ଠାବ କରାଯାଇଛି । ଆଧୁନିକ ଓଡ଼ିଆ ସାହିତ୍ୟ ବିଷୟରେ ପ୍ରାୟ ସର୍ବପ୍ରଥମ ମନ୍ଥନଟିକୁ କରିଥିବା ଅଧ୍ୟାପକ ଶ୍ରୀଯୁକ୍ତ ନଟବର ସାମନ୍ତରାୟ ଭୁରି ଭୁରି ତଥ୍ୟ ପ୍ରତିଷ୍ଠା ଦ୍ୱାରା ରାଧାନାଥ, ମଧୁସୂଦନ ଓ ସମକାଳୀନ ଆଉମାନଙ୍କୁ ଘଟଣାପ୍ରକରଣର ବହୁ ବ୍ୟବଚ୍ଛେଦର ମାଧ୍ୟମରେ ସ୍ୱନିବନ୍ଧଟିରେ ଉପସ୍ଥାପନା କରିଛନ୍ତି । ଏବେ ମଧ୍ୟ ସେମାନଙ୍କର ସେହି ଉଦ୍‌ବେଳନ-କାଳଟିକୁ ଆମେ ଓଡ଼ିଶାର ରେନେସାଁସ ବୋଲି କହୁଛୁ ଏବଂ ଇଉରୋପୀୟ ଇତିହାସରୁ ରେନେସାଁସ୍ ନାମକ ଆମର ଧାରଣା ପୁଞ୍ଜିକୁ ଧରି କଲିକତା ବାଟ ଦେଇ ସିଧା ଆସି ଓଡ଼ିଶାର ଉପକୂଳରେ ପହଞ୍ଚି ଯାଇଛୁ । ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଆଉଏକ ବନ୍ଧୁଗୋଷ୍ଠୀ ‘ଆଧୁନିକ’ ନାମରେ ସତକୁ ସତ ପତ୍ରିକାଟିଏ ବାହାର କରିବାରେ ବ୍ରତୀ ବି ହୋଇଥିଲେ । ସେମାନେ ଖୁବ୍ ଅଳ୍ପଦିନ ପାଇଁ ଖୁଡ଼୍‌ଖାଡ଼୍ ହୋଇଥିଲେ ସତ, ମାତ୍ର ସାହିତ୍ୟର ସଂଜ୍ଞାରେ ଏକ ପରିଚ୍ଛନ୍ନ ସ୍ୱତନ୍ତ୍ର ପ୍ରସାର ତଥା ଆବେଦନ ଆଣି ଦେଇଥିଲେ-। ତେଣୁ, ହୁଏତ ସେମାନେ ସିନା ଭାରି ଶୀଘ୍ର ତମ୍ବୁ ଭାଙ୍ଗି ଚାଲିଗଲେ ବୋଲି ସେତେବେଳେ ଲାଗିଲା, -ମାତ୍ର ଆବେଦନଟି ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ପ୍ରାୟ ଏକ ସ୍ଥାୟୀ catalyst ହୋଇ ରହିଗଲା, - ସେହି ଶ୍ରଦ୍ଧାଟିର ପ୍ରତିନିଧିତ୍ୱ କରୁଥିବା ଖାସ୍ କବି ଓ ଲେଖକମାନେ ଏବେ ମଧ୍ୟ ରହିଛନ୍ତି; ସମୁଦାୟ ବିଶ୍ଵସାହିତ୍ୟରେ ଅଛନ୍ତି, ତେଣୁ ଭାରତୀୟ ଅନ୍ୟ ସକଳ ଭାଷା ସାହିତ୍ୟ ସମେତ ଓଡ଼ିଆ ସାହିତ୍ୟରେ ମଧ୍ୟ ରହିଛନ୍ତି; ଆଧୁନିକ ସାହିତ୍ୟର ତୃତୀୟ ନମୁନାଟିକୁ ଆମେ ଦ୍ୱିତୀୟ ମହାଯୁଦ୍ଧ ପରେ ହିଁ ଭେଟିବା । ତୁଳନାତ୍ମକ ଭାବରେ ଅବଲୋକନ କଲେ ଖାସ୍ ଓ ବିଶେଷ ଭାବରେ ଆମ କବିତାର କ୍ଷେତ୍ରରେ ତାହାକୁ ଭେଟି ପାରିବା । ଓଡ଼ିଆ ଭାଷାରେ ତ ଆଗରୁ ଅମାର, ଅମାର କବିତା ରହିଥିଲା ଓ ସେହି ମୁତାବକ କେତେ ନା କେତେ କବି ରହିଥିଲେ । କିନ୍ତୁ, ଏହି ଯେଉଁ ନୂଆ ମୁଥଟି ଇହାଦେ ବାହାରିଗଲେ, ଏମାନଙ୍କର ସେଗୁଡ଼ିକ ସହିତ କୌଣସି ଖିଅ ଲାଗିନଥିଲା । ସତେଅବା ଆଉଏକ ଅନ୍ତରୀକ୍ଷରୁ ଏମାନେ ଚରୁଭକ୍ଷି ଆମ ଚଉପାହୀ ଗୁଡ଼ାକୁ ମାଡ଼ିବସିଲେ ଏବଂ ସେମାନେ ଯେଉଁ ନିତାନ୍ତ ଅଭିନବଟିକୁ ସାଙ୍ଗରେ ଧରି ଆସିଛନ୍ତି, ତା’ ତୁଳନାରେ ଆଗରୁ ଗଚ୍ଛିତ ଦ୍ରବ୍ୟଗୁଡ଼ାକ ମୋଟେ ପାସଙ୍ଗରେ ପଡ଼ିବନାହିଁ ବୋଲି ଆମକୁ କେଡ଼େ ବାଗରେ ବୁଝାଇ ବି ଦେଇଥିଲେ । ଭାରତବର୍ଷ ସେତେବେଳେ ନୂଆ ହୋଇ ରାଜନୀତିକ ସ୍ୱାଧୀନତା ଲାଭ କରିଥାଏ; ନୂଆ କେତେ କ’ଣ ଖୋଜିବ ଓ ସୃଜିପାରିବ ବୋଲି ସରଳ ମନଟିଏ ନେଇ ସଜ ହେଉଥାଏ । ଅମାପ ସ୍ଵପ୍ନ ଓ ଜିଜ୍ଞାସା ସହିତ ସଂକଳ୍ପମାନଙ୍କର ନିର୍ଦ୍ଦେଶନାରେ ତା’ର ଇପ୍ସିତ ମହନୀୟ ସଂପର୍କଗୁଡ଼ିକୁ ଦେଇ ଏକ ନୂତନ ଦେଶର ନିର୍ମାଣ କରିବା ନିମନ୍ତେ ରାଜି ହୋଇ ଅପେକ୍ଷା କରିଥାଏ । ତା’ ସାହିତ୍ୟ ମଧ୍ୟ ଏଥିରେ ତାକୁ ସାହାଯ୍ୟ କରିବ ବୋଲି ଅପେକ୍ଷା ରଖିଥାଏ-। ସେତିକିବେଳେ ଏହି ତୃତୀୟ ଆଧୁନିକ ସାହିତ୍ୟର ପର୍ଯ୍ୟାୟଟି ଆସି ପହଞ୍ଚିଗଲା । ମୁଖ୍ୟତଃ କବିତାର କ୍ଷେତ୍ରରେ ଆସିଥିଲା ।

 

ବର୍ତ୍ତମାନ ପଛକୁ ଅନାଇ ଆଧୁନିକ ଏଇଟିର ଅନୁରକ୍ତି ଓ ଆନୁଗତ୍ୟ ଗୁଡ଼ିକୁ ଓଲଟପାଲଟ କରି ଦେଖିବସିଲେ ଭାରି ଧରା ପଡ଼ିଯିବ ଯେ ଏହି କବିମାନେ ପ୍ରାୟ ଏକ ମତଲବୀ ପ୍ରୀତିରେ ଇଂରାଜୀ ସାହିତ୍ୟକୁ ନିଜର ଖାମିନ୍ଦ ଭଳି ମାନି ନେଇଥିଲେ । ସ୍ୱାଧୀନ ଭାରତର ଆହ୍ୱାନ ଓ ଉଦ୍‌ବେଳନ ଗୁଡ଼ିକରେ ସତେଅବା ଆଦୌ କୌଣସି ଭୂମିକା ଗ୍ରହଣ କରିବେ ନାହିଁ ବୋଲି ସେମାନେ ସେପରି କରିଥିଲେ କି ? ଉଚ୍ଚ ଚାକିରିରେ ଥିଲେ ଏବଂ ସେହି ପୁରୁଣା ମଙ୍ଗରାଜିଆ ଅମଳଟାକୁ ହିଁ ଦେଶର ଶାସନ ତଥା ଦେଶର ସଂସ୍କୃତିରେ ଦୋରସ୍ତ କରି ରଖି ଆପଣାକୁ ଭଳି ଭଳି professional ସିଦ୍ଧି ମଧ୍ୟରେ ସତେଅବା ଆଏବା ଆଉ କେତେଟା ପୁରୁଷପାଇଁ ନିରଙ୍କୁଶ ଭାବରେ ବାଟ ଛାଡ଼ିଦେବେ ବୋଲି ପଣ କରିଥିଲେ କି ? ତେଣିକା ଶୈଳୀରେ କବିତା ଲେଖୁଥଲେ, ଗପ ଲେଖୁଥିଲେ । ସେମାନଙ୍କ ଭିତରୁ ଅଧିକାଂଶ ଇଂରାଜୀ ଭାଷାରେ ଅଧ୍ୟାପନା କରୁଥିଲେ । ଏହି କାର୍ଯ୍ୟ ନିମନ୍ତେ ଭାରତୀୟ ଭାଷାଗୁଡ଼ିକ ନିତାନ୍ତ ଅସମର୍ଥ ବୋଲି ହାୱାଟାଏ ସୃଷ୍ଟି ବି କରିଥିଲେ । ଓଡ଼ିଆ କବିତାଗୁଡ଼ିକୁ ଇଂରାଜୀ ଢଙ୍ଗରେ ଲେଖିଲେ ଏବଂ ସୁଯୋଗ ପାଇବା ମାତ୍ରକେ ସେଗୁଡ଼ିକୁ ଇଂରାଜୀରେ ଅନୁବାଦ କରି ତେଣେ ପଠାଇ ଦେଉଥିଲେ । ତଥାକଥିତ ଉଚ୍ଚ ଶିକ୍ଷାଟା ଅଧିକତର ଅର୍ଥରେ ସେହିମାନଙ୍କର ବରାଦ ଅନୁସାରେ ଚାଲୁଥଲା ଏବଂ ତେଣୁ ସାହିତ୍ୟର ଅଳିନ୍ଦଟାରେ ମଧ୍ୟ ସେହିମାନେ ହିଁ ଅର୍ବାଚୀନମାନଙ୍କ ନିମନ୍ତେ ଅସଲ ସାହେବଙ୍କ ପରି ଦେଖାଗଲେ । ତୃତୀୟ ବିଶ୍ୱଟିକୁ ଉପନିବେଶବାଦୀଙ୍କ ପରାକ୍ରମ ଭିତରେ ବେହେରାଣିଆ ବିଚରାଟିଏ ପରି ଦେଖାଯିବା ଭଳି ସବୁମନ୍ତେ ବରାଦ ଯେ କରା ଯାଉଥିଲା, ସେଥିରେ କୌଣସି ସନ୍ଦେହ ନଥିଲା । ଦେଶଟାଯାକ ସବୁକିଛି ଶୁଖି ଶୁଖି ହିଁ ଯାଉଥିଲା, ତଥାପି ଏହି ମାର୍କାର ଆଧୁନିକମାନେ କବିସତ୍ୟ ବୋଲି ଗୋଟାଏ ପୂରା ମିଠା ଟାକୁଆକୁ ଉଲ୍ଲସିତ ଭାବରେ ଚୁଷିବାରେ ଲାଗିଥିଲେ । ଆପଣାର ଯୁକ୍ତିମାନ ଦେଇ ସେମାନେ ଜୀବନସତ୍ୟଟାକୁ ଏହି ତଥାକଥିତ କବିସତ୍ୟଠାରୁ ସଂପୂର୍ଣ୍ଣ ଭାବରେ ଦୋସରା ବୋଲି ଘୋଷଣା କରିଥିଲେ ।

 

ଏହି ପୂର୍ଣ୍ଣ ପର୍ଯ୍ୟାୟଟିରେ ବ୍ୟତିକ୍ରମମାନେ ରହିଥିଲେ ସତ, ମାତ୍ର ପ୍ରତାପୀମାନଙ୍କର ଝିଲିମିଲି ଭିତରେ ବାହାରକୁ ଆପଣାର ପୂର୍ଣ୍ଣ ପ୍ରତିଭାରେ ପ୍ରବେଶ କରି ପାରୁନଥିଲେ । ସମ୍ଭବତଃ ଉଧେଇ ପାରୁନଥିଲେ । ଉଢ଼ୁଆଳ ହୋଇ ରହି ଯାଉଥିଲେ । ଏହି ବେଳଗୁଡ଼ିକର ସେମାନଙ୍କୁ ଠାବ କରିବାକୁ ଯାଇ ଆମର ଦୁର୍ଗାଚ଼ରଣ ପରିଡ଼ା, ଗିରିଶ ବଳିଆରସିଂହ, ବ୍ରହ୍ମାନନ୍ଦ ଦାସ, ପ୍ରସନ୍ନ ମିଶ୍ର, ଶ୍ରୀନିବାସ ଉଦ୍‌ଗାତା ଏହିପରି କେତେ କେତେ ନାମ ମନେ ପଡ଼ିଯିବେ, ତଥା ଆଉ ଗୋଟାଏ ପଲା ଭିତରେ ବ୍ରଜ ରଥ ଓ ତାଙ୍କରି ସରିସା ଆଉମାନେ ବି ଅପେକ୍ଷା କରି ରହିଥିବାର ମଧ୍ୟ ଦିଶି ଦିଶି ଯାଉଥିବ । କିନ୍ତୁ ହାଉଆଗୁଡ଼ାକୁ ଏପରି ଭାବରେ ଏକମଣ କରି ରଖା ଯାଇଥିଲା ଯେ, ଆଧୁନିକତାର ପ୍ରାୟ ସବୁଯାକ ମୁକାମକୁ ସେହି ପାଟମାନେ ହିଁ ମାରି ନେଉଥିଲେ । କବିତାର ପରଖହାଟରେ ସେମାନେ ପ୍ରାୟ ଜଣେ ଜଣେ ସାହୁକାରର ମର୍ଯ୍ୟାଦା ପାଉଥିଲେ, ପତ୍ରିକାମାନଙ୍କରେ ଏବଂ କବିତା ହାଟଟାରେ ସେହିମାନଙ୍କର କବିତା ସର୍ବାଗ୍ରରେ ରହୁଥିଲା, କବିତା ପାଠୋତ୍ସବମାନଙ୍କରେ ସବାଆଗ:ସେହିମାନଙ୍କୁ ଡାକରା ହେଉଥିଲା । ସେହିମାନେ ହିଁ ସାହିତ୍ୟ ପୁରସ୍କାରର କଚେରୀମାନଙ୍କରେ ସବାଆଗ ସିଦ୍ଧିପ୍ରାପ୍ତ ହେଉଥିଲେ । ତଥାପି କ୍ରମେ ବୟସ ବଢ଼ିଲା, ଉଚ୍ଚ ପଦଗୁଡ଼ାକରୁ ବି ବାହାରି ଆସିବାକୁ ପଡ଼ିଲା । ସମ୍ଭବତଃ ସେହି ଅନ୍ୟବେଳଟି ଆସିବାରୁ ଉଢ଼ୁଆଳରେ ରହିଥିବା ସେହି ଅନ୍ୟମାନେ କ୍ରମେ ଅଧିକ ପ୍ରତ୍ୟକ୍ଷ ହୋଇ ଆସୁଛନ୍ତି । ଅଧିକ ଶ୍ରଦ୍ଧାଭାଜନ ହେଉଛନ୍ତି ଏବଂ ଓଡ଼ିଆ ଆଧୁନିକ କବିତା ତଥା ଆଧୁନିକ ଗଳ୍ପର ଏକ ଅନ୍ୟ ପାବଚ୍ଛ ପଡ଼ି ଆସୁଥିବା ପରି ଅନୁଭବ ହେଉଛି । ଏକା ଏକା ଧୁରୀଣମାନଙ୍କ ସାମନାରେ ସମ୍ଭବତଃ ପାରି ହେବନାହିଁ ବୋଲି ଏକଦା ଅନାମମାନେ ମୂଳରୁହିଁ ମେଳଟିଏ ଗଢ଼ି ବାହାରିଥିଲେ କି ? ମେଳଟି ରହିଲାନାହିଁ ଏବଂ ବିଶେଷତଃ ଶ୍ରୀ ମଧୁ ମହାନ୍ତିଙ୍କ ପ୍ରୟାଣ ପରେ ତାହା ଅନ୍ୟମନସ୍କ ହୋଇ ଯାଉଥିବା ପରି ଉତ୍ସାହରେ ଏଇଟା କିମ୍ବା ସେଇଟା ମଧ୍ୟକୁ ହାମୁଡ଼େଇ ପଡ଼ିବାଲାଗି ମନ କଲା ସିନା, ତଥାପି କ୍ରମେ ଆବେଦନ ଗୁଡ଼ିକ ଧର୍ମତଃ ବ୍ୟକ୍ତିଗତ ହେଲେ । କୁମାର ମହାନ୍ତି କ’ଣ ସେହି ମୂଳରୁ ହିଁ ସକଳ ମାପର ମୂଲ୍ୟାୟନରେ ନିଆରା ବି ଶୁଭୁଥିଲେ, ନିଆରା ପରିଚୟଟିଏ ଦେଉଥିଲେ ଏବଂ ମେଳ ଭିତରେ ସର୍ବଦା ଏକ ଅଲଗା ଚାହାଣିରୂପେ ବାରି ହୋଇ ପଡ଼ୁଥିଲେ କି-? ଭାରି କହିବାକୁ ମନ ହେଉଛି, କୁମାର ମହାନ୍ତି ଆହୁରି ଅଧିକ ବର୍ଷ ବଞ୍ଚି ଥାଆନ୍ତେ, କବିତାକୁ ମାଧ୍ୟମ କରି ଆମକୁ ଆହୁରି କେତେ କେତେ ଦୂର ତଥା ନିକଟର ନିବିଡ଼ ପରିଚୟମାନ ଦେଇଥାଆନ୍ତେ । ନାମଟିଏ ହୋଇ ଅନାମର ପରିଚର୍ଯ୍ୟା କରିଥାଆନ୍ତେ ଏବଂ ଅନାମ ନାମକ ମେଳରେ ଥାଇ ଆମ ଆଗରେ ତଥାପି ଅନନ୍ୟ ଏକ ଆତ୍ମୀୟତାର ମୂର୍ତ୍ତ ପ୍ରତିନିଧି ହୋଇ ଦିଶିଦିଶି ବି ଯାଉଥାନ୍ତେ ।

 

 

୮୩-ଏ, ବାପୁଜୀ ନଗର,

ଭୁବନେଶ୍ୱର

 

***

 

‘‘ମୋ ଫୁଟା ଡଙ୍ଗାର କାହାଣୀ’’ ଏବଂ

‘‘ମାଇଁ ଡେଜ୍’’ ଏକ ତୁଳନାତ୍ମକ ଅଧ୍ୟୟନ

ରମାକାନ୍ତ ସିଂହ

 

ବିଂଶ ଶତାବ୍ଦୀର ପ୍ରଥମ ଦଶକରେ (୧୯୦୭) ଜନ୍ମନେଇଥିବା ରସିପୁରମ୍ କୃଷ୍ଣସ୍ୱାମୀ ନାରାୟଣ ଭାରତୀୟ ଇଂରାଜୀ ସାହିତ୍ୟର ଲେଖକ ଭାବରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଔପନ୍ୟାସିକ ଏବଂ ଗାଳ୍ପିକର ମର୍ଯ୍ୟାଦା ଲାଭ କରିଛନ୍ତି । ତାଙ୍କ ରଚିତ ଆତ୍ମଜୀବନୀ ଚରିତର ନାମ “My Days’’ ବା “ମୋ ହଜିଲା ଦିନର ସ୍ମୃତି” । ବିଗତ ଶତାବ୍ଦୀର ଦ୍ୱିତୀୟ ଦଶକରେ ଜନ୍ମ ହୋଇଥିବା ଡାକ୍ତର ରାମଚନ୍ଦ୍ର ମିଶ୍ର ଓରଫ ଫତୁରାନନ୍ଦ (୧୯୧୫) ଓଡ଼ିଆ ଭାଷାରେ ଲେଖନୀ ଚାଳନା କରି ଜଣେ ଜାତୀୟ ସ୍ତରର ହାସ୍ୟରସ ଲେଖକ, ଗୋଟିଏ ଉପନ୍ୟାସ “ନାକଟା ଚିତ୍ରକର” ରଚନା କରି ଔପନ୍ୟାସିକ ଏବଂ ଅନେକ ଲାଳିକା ଓ ଦାଣ୍ଡୀବୃତ୍ତରେ “ସାହି ମହାଭାରତ” ରଚନା କରି ପ୍ରଥିତଯଶ ସ୍ରଷ୍ଟା ହେବାର ଗୌରବ ଅର୍ଜନ କରିଛନ୍ତି ଓ ଓଡ଼ିଆ ହାସ୍ୟରସ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ଅଗ୍ରଜ ନାରାୟଣ ଦକ୍ଷିଣ ଭାରତର ମହୀଶୂରରେ ଜୀବନର ଅଧିକାଂଶ ସମୟ ବିତେଇଥିବା ବେଳେ ଅନୁଜ ଫତୁରାନନ୍ଦ ଓଡ଼ିଶାର ପ୍ରାଚୀନ ରାଜଧାନୀ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରରେ ଜନ୍ମଲାଭ କରି ଜୀବନ ଅତିବାହିତ କରନ୍ତି । ନାରାୟଣଙ୍କ ଜନ୍ମସ୍ଥାନ ମାଲ୍‌ଗୁଡ଼ି ଏବଂ ଫତୁରାନନ୍ଦଙ୍କ ଜନ୍ମସ୍ଥାନ କଟକ । ସେ କାଳର ଗାଉଁଲି ପରିବେଶରେ ମୁଖରିତ ସହର ଉଭୟଙ୍କର ରଚନା ସମୂହକୁ ଗଭୀରଭାବେ ପ୍ରଭାବିତ କରିଛି । କାଳ୍ପନିକ ସହର ମାଲ୍‌ଗୁଡ଼ି ଭିତରେ ନାରାୟଣଙ୍କ ସମସ୍ତ ଚରିତ୍ର ଆତଯାତ ହୋଇଛନ୍ତି । ଭାରତର ଏକ ସ୍ଥାନୀୟ ଗ୍ରାମ ପ୍ରଧାନ ସହର ମାଲ୍‌ଗୁଡ଼ିରେ ରଚିତ ସୃଜନଶୀଳ ଲେଖା ଆଞ୍ଚଳିକତାର ସୀମାସରହଦ ଅତିକ୍ରମ କରି ସାର୍ବଜନୀନ ସର୍ବକାଳୀନ ଯେ କୌଣସି ଅଞ୍ଚଳର ପ୍ରତିନିଧିତ୍ୱ କରିପାରିବାର କ୍ଷମତା ହାସଲ କରିପାରିଛି କାରଣ ଲେଖନୀ ଚାଳନା କରି ନାରାୟଣ ଅନାସକ୍ତ ନୀରିକ୍ଷଣକାରୀ (Dispassionate observer) ହିସାବରେ ନିଜ ଚରିତ୍ରମାନଙ୍କଠାରୁ ନିରାପଦ ଦୂରତ୍ୱ ବଜାୟ ରଖିପାରିଛନ୍ତି । ତେଣୁ ନାରାୟଣଙ୍କର ମାଲ୍‌ଗୁଡ଼ି ପାଠକୀୟ ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଉତ୍କଣ୍ଠାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । କିନ୍ତୁ ଫତୁରାନନ୍ଦଙ୍କ ‘କଟକ’ କ୍ଷୁଦ୍ରଗଳ୍ପ ଗୁଡ଼ିକରେ ସୀମିତ ସ୍ଥାନରେ ଏବଂ “ସାହି ମହାଭାରତ”ରେ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ବ୍ୟାପକ ଭାବେ ପ୍ରତିଫଳିତ ହୋଇଛି । ଦୁଇ ଆତ୍ମଜୀବନୀ ଚରିତ ରଚନାକାରୀ ସଂଯୋଗ ବଶତଃ ଅଭିଜାତ ସମ୍ପନ୍ନ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଛନ୍ତି । ହାସ୍ୟରସରେ ଭରପୁର ଦୁଇଟି ଯାକ ଅମୂଲ୍ୟ ଜୀବନର ବେଦକୁ ପାଠ କଲେ ଉଭୟ ଲେଖକଙ୍କର ବ୍ୟକ୍ତିଗତ ଜୀବନର ତିକ୍ତମଧୁର ସଙ୍ଘର୍ଷମୟ ଜୀବନର କାହାଣୀ ଶୁଣିବା ପାଇଁ ମନ ଲାଳାୟିତ ହୋଇ ଉଠେ । ହାସ୍ୟରସର ପସରା ମେଲେଇ ଦେଇ କଥା ମାଧ୍ୟମରେ “ଯେ ଏପରି ରସାଇ ମଜାଇ ପେଟ ଫଟାଇ ଦେଉଛି ସେ କେତେ ହସକୁରା ମଣିଷଟିଏ ହୋଇନଥିବ, ଯାହାର ଲେଖା ପଢ଼ିଲେ ଆଖିରୁ ଲୁହ ଝରି ଆସୁଛି, ସେ ବାସ୍ତବିକ ଦୁଃଖୀ ମଣିଷଟିଏ ହୋଇଥିବ ପରା ।”

 

“ମାଇଁ ଡେଜ୍” ଏବଂ “ମୋ ଫୁଟା ଡଙ୍ଗାର କାହାଣୀ” ର ଏକ ତୁଳନାତ୍ମକ ଅଧ୍ୟୟନ କଲେ ପ୍ରଥମେ ଆମର ଦୃଷ୍ଟି ଆକର୍ଷଣ କରେ ଫତୁରାନନ୍ଦଙ୍କ ଅଗ୍ରଲେଖ । ସେ ଆତ୍ମଜୀବନୀର ଆରମ୍ଭରେ ଏବଂ ଅନ୍ତିମ ପର୍ଯ୍ୟାୟରେ ମୃତ୍ୟୁ ଚେତନା ସମ୍ପର୍କରେ ଅବହିତ ଥିବାବେଳେ ନାରାୟଣ ମୃତ୍ୟୁ ଚିନ୍ତାଠାରୁ ଦୂରେଇ ଯାଇଛନ୍ତି । ଆଦ୍ୟ ଏବଂ ପ୍ରାନ୍ତରେ ନାରାୟଣ ଶୈଶବର ବିମଳ ଆନନ୍ଦରେ ବିମୁଗ୍ଧ ହୋଇ ରହିଛନ୍ତି । ପ୍ରାରମ୍ଭରେ ନିଜ ଶୈଶବର ସ୍ମୃତିଚାରଣ କରିବାବେଳେ ଶେଷରେ ନିଜ ନାତିର ସୃଜନଶୀଳତାରେ ନାରାୟଣ ନିଜକୁ ଆବିଷ୍କାର କରୁଛନ୍ତି । କିନ୍ତୁ ଖେଳପ୍ରିୟ ଅମଣିଆ ନାତି ଅଜାକୁ କସ୍‌ମିକ କ୍ରିକେଟ୍ କ୍ଲବ ଗଠନ କରିବାର ବାର୍ତ୍ତା ଶୁଣାଉଛି । ଫତୁରାନନ୍ଦ କିନ୍ତୁ ଗର ମଜବୁତ ଫୁଟା ଡଙ୍ଗାରୁ ପାଣି କାଢ଼ି କାଢ଼ି ହାଲିଆ ହୋଇ ପଡ଼ିଛନ୍ତି । ନିଃସଙ୍ଗ ନାବିକ ଉବୁଟୁବୁ ହୋଇ କୂଳରେ ଡଙ୍ଗା ଲଗେଇବାର ଶତଚେଷ୍ଟା କରି ବିଫଳ ହୋଇଛି । ନାରାୟଣଙ୍କ କ୍ରିକେଟ୍ ନିଶା (Swami and Friends) ବହୁସ୍ଥାନରେ ପ୍ରତିଫଳିତ ହୋଇଛି । ଫତୁରାନନ୍ଦ ଫୁଟ୍‌ବଲ୍‌କୁ ସଂସ୍କୃତ ବହି ଏବଂ ତାସ୍‌କୁ ବାଉନପତ୍ରିଆ ସଂସ୍କୃତ ବହି କହି ପ୍ରପିତାମହଙ୍କ ଠାରୁ ଅର୍ଥଯୋଗାଡ଼ କରିଛନ୍ତି ଏବଂ ଫୁଟ୍‌ବଲ ଖେଳରେ ଫାଉଲ୍‌କୁ ପ୍ରାଧାନ୍ୟ ଦେଇଛନ୍ତି ।

 

ନାରାୟଣ ଆରମ୍ଭରୁ ସଚେତନ ହୋଇ ଲେଖକ ଭାବେ ପ୍ରତିଷ୍ଠା ଅର୍ଜନ କରିବାକୁ ଆଶା ପ୍ରକଟ କରିଛନ୍ତି । ସାମୟିକ ଶିକ୍ଷକ ଚାକିରି ତ୍ୟାଗ କରିଛନ୍ତି କେବଳ ଅନ୍ତର୍ଜାତିକ ସ୍ତରର ଲେଖକ ଭାବେ ପରିଚିତ ହେବା ପାଇଁ । ଆନ୍ତର୍ଜାତିକ ଯୋଗାଯୋଗର ଭାଷା ଇଂରାଜୀକୁ ଭାବ ପ୍ରକାଶର ମାଧ୍ୟମ କରିଛନ୍ତି । ବିଦେଶରେ ରହୁଥିବା ବାଲ୍ୟବନ୍ଧୁଙ୍କ ଅକୃତ୍ରିମ ପ୍ରେରଣା, ସ୍କୁଲ ହେଡ଼୍‌ମାଷ୍ଟର ପିତାଙ୍କର ଆଶଙ୍କା ମିଶ୍ରିତ ପ୍ରେରଣା ତଥା ସର୍ବୋପରି ନିଜର ଦୃଢ଼ ଆତ୍ମବିଶ୍ୱାସକୁ ପାଥେୟ କରି ଲେଖକୀୟ ଖ୍ୟାତି ଅର୍ଜନ କରିବା ପାଇଁ ସେ ଅଗ୍ରସର ହୋଇଛନ୍ତି । ପରିଶେଷରେ ଇଂରେଜ ଔପନ୍ୟାସିକ ଗ୍ରାହାମ ଗ୍ରୀନ୍‌ଙ୍କର ପ୍ରାଚ୍ୟ ଲେଖକଙ୍କର ଲେଖାକୁ ସ୍ୱୀକୃତି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇପାରିଛି । ଫତୁରାନନ୍ଦ କିନ୍ତୁ ଦୋଦୋ ପାଞ୍ଚ ହୋଇ ସାରସ୍ୱତ ଜଗତରେ ପାଦ ଥାପିଛନ୍ତି । ଡାକ୍ତର ବନ୍ଧୁ ଜୟକୃଷ୍ଣଙ୍କ ପ୍ରେରଣା ତାଙ୍କୁ ଛଦ୍ମ ନାମରେ ଲେଖିବାର ପ୍ରେରଣା ଯୋଗେଇ ଦେଇଛି । ଫତୁରାନନ୍ଦ ଲେଖିଛନ୍ତି, “ମେଡ଼ିକାଲରେ ପଢ଼ିଲାବେଳେ ଯେଉଁ ଫତୁରାନନ୍ଦ ନାଁଟି ଜଣେ ବନ୍ଧୁ ଦେଇଥିଲେ ଲେଖକ ସ୍ଥାନରେ, ସେହି ଗୋଟିକ ବ୍ୟବହାର କଲି । ଯଦି ପାଠକମାନେ ଗାଳିଗୁଲଜ କରିବେ ତେବେ ମୁଁ ବି ଫତୁରାନନ୍ଦକୁ ଦୁଇପଦ ଗାଳିଦେଇ କହିବି-ମୋଚଡ଼ଟା କାହିଁକି କଲମ ଧରିଥିଲା କେଜାଣି ? ଯଦି ସମସ୍ତେ ବାହାବାହା କରିବେ ତେବେ ସମସ୍ତଙ୍କ ଆଗରେ ଛାତି ଫୁଲାଇ କହିବି-ମୁଁ ପରା ସେହି ଫତୁରାନନ୍ଦ” । (“ମୋ ଫୁଟା ଡଙ୍ଗାର କାହାଣୀ”, ପୃ-୧୮୩) । ବହି ଛପେଇ ରୟାଲଟି ପାଇବାକୁ ଆଶା ବାନ୍ଧିଥିବା ଫତୁରାନନ୍ଦ ପ୍ରକାଶନ ସଂସ୍ଥାର ପରିଚାଳନା ସମ୍ପାଦକଙ୍କଠାରୁ ଲେଖା ଉପରେ କମେଣ୍ଟଟିଏ ପାଇଥିଲେ “Why such a poor attempt ?” କିନ୍ତୁ ଭାଙ୍ଗି ନ ପଡ଼ି ନିଜସ୍ୱ ପ୍ରଚେଷ୍ଟାରେ ସେ ବହି ଛାପିଛନ୍ତି । ଡଗରରେ ପ୍ରକାଶିତ ତାଙ୍କ ଲେଖା ଉପରେ ସମାଲୋଚକ ରାଜକିଶୋର ରାୟଙ୍କର ବନ୍ଧୁତ୍ୱପୂର୍ଣ୍ଣ ମତାମତ, “ନାକଟା ଚିତ୍ରକର” ଉପରେ ଗୋପୀନାଥ ମହାନ୍ତିଙ୍କ ଅକୁଣ୍ଠ ପ୍ରଶଂସା ତାଙ୍କ ଲେଖକୀୟ ପ୍ରତିଷ୍ଠାକୁ ମଜବୁତ କରିଛି । ଫକୀର ମୋହନ, ଗୋପାଳ ପ୍ରହରାଜଙ୍କ ପରେ ଓଡ଼ିଆ ହାସ୍ୟ ସାହିତ୍ୟକୁ ଫତୁରାନନ୍ଦଙ୍କ ଅବଦାନ ଅବିସ୍ମରଣୀୟ ।

 

ଉପନ୍ୟାସମାନଙ୍କରେ ନାରୀ ଚରିତ୍ର ଚିତ୍ରଣରେ ନାରାୟଣ, ଫତୁରାନନ୍ଦଙ୍କ ଠାରୁ ଯଥେଷ୍ଟ ଆଗରେ । ପାଶ୍ଚାତ୍ୟ ଶିକ୍ଷା ସଭ୍ୟତାର ଭାରତକୁ ପ୍ରବେଶ ଫଳରେ ଭାରତୀୟ ନାରୀ ଚରିତ୍ରର ପରିବର୍ତ୍ତନ ନାରାୟଣ ମନ୍ମୟ ଭାବେ ନୀରିକ୍ଷଣ କରିଛନ୍ତି । କିନ୍ତୁ ପ୍ରାଚୀନ ଭାରତୀୟ ନାରୀର ଆଦର୍ଶ, ପରମ୍ପରା, ଶୃଙ୍ଖଳାରେ ସେ କୁଠାରାଘାତ କରିବାର ଅପପ୍ରୟାସ କରିନାହାନ୍ତି । ତାଙ୍କ ଉପନ୍ୟାସରେ ଆଧୁନିକ ନାରୀ ପୁରୁଷ ପ୍ରଧାନ ଭାରତୀୟ ସମାଜରେ ପୁରୁଷର ପୌଢ଼ି, ଦାମ୍ଭିକତା ଅବା ରୋମାଣ୍ଟିସିଜମ ଉପରେ ନିର୍ମମ ନିର୍ଦ୍ଦୟ ଆଘାତ କରିଛି । କିନ୍ତୁ ସେ ସମସ୍ତ ନାରୀ ଚରିତ୍ର ସମାଜ ପରିତ୍ୟକ୍ତା ଦେବଦାସୀ ସମ୍ପ୍ରଦାୟର (ରୋଜି) ଦେହଜୀବୀ (ରଙ୍ଗୀ), ବିଧବା (ଶାନ୍ତାବାଈ) ଅବା ବଂଶ ପରିଚିତି ନଥିବା (ଡେଜି) ସମ୍ପ୍ରଦାୟର । ନାରାୟଣ ଇଚ୍ଛାକୃତ ଭାବେ ସେମାନଙ୍କର ଇଂରାଜୀ ନାମକରଣ (ରୋଜି, ଡେଜି, ଗ୍ରେସ) କରିବା ପଛରେ ମହାନ୍‌ଭାରତୀୟ ପରମ୍ପରା (ସାବିତ୍ରୀ, ଭାରତୀ, ସୁଶୀଳା) ଉଜ୍ଜିବୀତ ତଥା ଅତୁଟ ରଖିବାର ସଯତ୍ନ ପ୍ରୟାସ କରାଯାଇଛି । କିନ୍ତୁ କ୍ଷୁଦ୍ରଗଳ୍ପରେ ସେ ସଂଯୋଗବଶତଃ ନୂତନ ପରୀକ୍ଷା ନୀରିକ୍ଷା କରି ସଫଳ ହୋଇଛନ୍ତି । ପ୍ରେମକୁ ଗୌଣ କରି ନାରୀକୁ ପ୍ରାଧାନ୍ୟ ନଦେଇ ସେ ଆତ୍ମଜୀବନୀରେ ଲେଖୁଛନ୍ତି :

 

In addition to my novel, I had on my hand about twenty short-stories written mainly to see if other subjects than love (which appeared to be the sole theme for every novel, short story, poem or drama in existence) could be written about. I wished to attack the tyranny of Love and see if Life could offer other values than the inevitable Man-woman relationship to a writer. (“My Days’’ P.95.)

 

ଠିକ୍ ସେହି ରୀତିରେ ଏକମାତ୍ର ଉପନ୍ୟାସ “ନାକଟା ଚିତ୍ରକର”ରେ ଫତୁରାନନ୍ଦ ନାରୀକୁ ଜଣେ ସ୍ନେହଶୀଳା, ଅନୁକମ୍ପା ପ୍ରଦର୍ଶନକାରିଣୀ ମହିଳା ରୂପେ ଚିତ୍ରଣ କରିଛନ୍ତି । ଫତୁରାନନ୍ଦୀୟ ଗଳ୍ପଶୈଳୀର ସ୍ଵାତନ୍ତ୍ର୍ୟ ଏହି ଯେ ହାସ୍ୟରସ ଜଡ଼ସଡ଼ କ୍ଷୁଦ୍ରଗଳ୍ପରେ ସେ ବିନା ନାରୀ ଚରିତ୍ରରେ ଅବା ନାରୀକୁ ଗୌଣକରିଦେଇ ଶହ ଶହ କ୍ଷୁଦ୍ରଗଳ୍ପ ରଚନା କରି ପାଠକୀୟ ଶ୍ରଦ୍ଧା ସୁମନର ଅକୃତ୍ରିମ ଭାଗୀଦାର ହୋଇପାରିଛନ୍ତି । ନାରୀ ପାଠିକାମାନେ ଆଦୌ କ୍ଷୁବ୍ଧ ନହୋଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

 

ଏ ପ୍ରସଙ୍ଗରେ ମଜା କଥାଟିଏ ଫତୁରାନନ୍ଦ ଉଲ୍ଲେଖ କରୁଛନ୍ତି । ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ର ଶୃଙ୍ଗାର ରସ ବିନା ହାସ୍ୟରସ ସୃଷ୍ଟି ସମ୍ଭବ ବୋଲି ମତ ଦିଅନ୍ତେ ଫତୁରାନନ୍ଦ ଆହ୍ୱାନକୁ ଗ୍ରହଣ କଲେ । “ଆଜିଠାରୁ ଶୃଙ୍ଗାର ରସକୁ ସମ୍ପୂର୍ଣ୍ଣ ବର୍ଜନ କରି ମୁଁ ହାସ୍ୟରସାତ୍ମକ ଗଳ୍ପ ସବୁ ଲେଖିବି ଏବଂ ସେହିଦିନଠାରୁ ତାହାହିଁ କଲି । ମୋର ଗଳ୍ପମାନଙ୍କରେ ନାରୀ ଚରିତ୍ର ବିଲକୁଲ ରଖିଲି ନାହିଁ ।’’ ସମାଲୋଚକମାନେ ତାଙ୍କୁ ନାରୀଦ୍ୱେଷୀ, ନାରୀ ଘୃଣାକାରୀ ଓ ଛାଞ୍ଚୁଣୀ ମାଡ଼ଖିଆ ବୋଲି ଚିତ୍ରଣ କଲେ । ବ୍ୟକ୍ତିଗତ ଭାବେ ଫତୁରାନନ୍ଦ ନାରୀକୁ ମାତୃସ୍ଥାନୀୟା ଜ୍ଞାନ କରି ସମ୍ମାନ ପ୍ରଦର୍ଶନ କରନ୍ତି ।

 

ଭାରତର ସ୍ଵାଧୀନତା ସଂଗ୍ରାମର ପ୍ରାକ୍‍କାଳରେ ଜନ୍ମହୋଇଥିବା ଦୁଇ କୃତବିଦ୍ୟ ସାହିତ୍ୟିକଙ୍କ ମଧ୍ୟରୁ ନାରାୟଣ ରହସ୍ୟଜନକ ଭାବେ ସ୍ୱାଧୀନତା ସଂଗ୍ରାମ ଦ୍ୱାରା ପ୍ରଭାବିତ ହୋଇନାହାନ୍ତି । “Waiting for the Mahatma’’ ଉପନ୍ୟାସର ବିଷୟବସ୍ତୁ ଗାନ୍ଧିଙ୍କର ଅହିଂସା ସମର ନୁହେଁ ବରଂ ଶ୍ରୀରାମ-ଭାରତୀ ପ୍ରେମ ଆଖ୍ୟାନକୁ ଆଧାର କରି ଉପନ୍ୟାସଟି ରଚିତ ହୋଇଛି । ସ୍ୱାଧୀନତା ସମ୍ପର୍କରେ ସେ ପାଠକଙ୍କୁ ବ୍ରିଟିଶ ଶାସନ ବିରୁଦ୍ଧରେ ମତେଇବାର ପ୍ରୟାସ କରିନାହାନ୍ତି । ଫତୁରାନନ୍ଦ ଛାତ୍ରାବସ୍ଥାରେ ବ୍ରିଟିଶ ଶାସନ ବିରୁଦ୍ଧରେ କବିତା ଲେଖି କାନ୍ଥରେ ମାରିଛନ୍ତି କିନ୍ତୁ ଦଣ୍ଡ ପାଇବା ଭୟରେ ସପ୍ତାହେ କାଳ ସେ ବାଟ ମାଡ଼ି ନାହାନ୍ତି । ମେଡ଼ିକାଲ ସ୍କୁଲର ଛାତ୍ର ଫତୁରାନନ୍ଦ ବିପ୍ଳବୀ ଛାତ୍ରନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାମପନ୍ଥୀ ସାହିତ୍ୟ ଓ ଆଦର୍ଶର ଅନୁଶୀଳନ କରିଛନ୍ତି ନିଜର ସୃଜନ ପ୍ରତିଭାରେ । ସେ ସ୍ଵାଧୀନତା ସଂଗ୍ରାମ ବିଷୟରେ ନୀରବ ରହିଛନ୍ତି ।

 

ବହୁ ପଢ଼ାପଢ଼ି କରିଥିବା ବ୍ୟକ୍ତି ଭଲ ଲେଖକଟିଏ ହୋଇପାରେ । ଉଭୟ ଲେଖକଙ୍କର ଆତ୍ମଜୀବନୀ ଅନୁଶୀଳନ କଲେ ଦେଖିବା ଫତୁରାନନ୍ଦ ସାରଳା ମହାଭାରତ, ବଙ୍ଗଳାଭାଷାରେ କାଶୀରାମଙ୍କ ମହାଭାରତ, ରାମାୟଣ, ନୃସିଂହ ପୁରାଣ, ମାଣବସା ଆଦି ଭାରତୀୟ ପୁରାଣଶାସ୍ତ୍ର ଆନନ୍ଦ ପାଇବା ପାଇଁ ପଢ଼ୁଥିବା ବେଳେ ସ୍ୱତଃ ବହୁଜ୍ଞାନର ଅଧିକାରୀ ହୋଇପାରିଛନ୍ତି । ବଡ଼ମାମୁଁଙ୍କ ଠାରୁ ପ୍ରେରଣା ପାଇ ନାରାୟଣ ମହାଭାରତ, ରାମାୟଣକୁ ବିଶଦ ଅଧ୍ୟୟନ କରନ୍ତି । ନାରାୟଣ କମ୍ବନଙ୍କ “ରାମାୟଣ” ଓ ତାମିଲ ମହାଭାରତର ଇଂରାଜୀ ଅନୁବାଦକ ପାଲଟିଯାଆନ୍ତି । ଫତୁରାନନ୍ଦ ପରିଣତ ବୟସ “ସାହି ମହାଭାରତ” ଦାଣ୍ଡୀ ବୃତ୍ତରେ ରଚନା କରି ଖ୍ୟାତି ଅର୍ଜନ କରନ୍ତି । ଉଭୟ ଲେଖକ ପ୍ରାଚ୍ୟ ସାହିତ୍ୟ ଓ ଇଂରାଜୀ ସାହିତ୍ୟର ସଶ୍ରଦ୍ଧ ପାଠକ । ଫତୁରାନନ୍ଦଙ୍କର ସଂସ୍କୃତ ସାହିତ୍ୟରେ ଅଗାଧ ପ୍ରବେଶ ଲେଖକ ଜୀବନର ମୂଳପିଣ୍ଡକୁ ସୁଦୃଢ଼ କରିଥିଲା । ଛାତ୍ରଜୀବନରେ ନାରାୟଣ ଗଣିତରେ ଅତ୍ୟନ୍ତ ଦୁର୍ବଳ ଥିବାବେଳେ ଫତୁରାନନ୍ଦ ଇତିହାସର ତାରିଖ, ବର୍ଷ କଥା ମନେ ପକାଇ ଛେଳିକୁ ପାଣିକୁ ଟାଣିବାର ଅଭିଜ୍ଞତା ହାସଲ କରିଛନ୍ତି । ନାରାୟଣ Bachelor-of Arts ଡିଗ୍ରୀ (ଏହି ନାମରେ ଉପନ୍ୟାସ ରଚିତ) ହାସଲ କରିବା ବେଳେ ଫତୁରାନନ୍ଦ ମେଡ଼ିକାଲ ଡିଗ୍ରୀ ହାସଲ କରିବା ସହ ବାଜିମାରି ବି.ଏ.ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।

 

ନାରାୟଣ ଓ ଫତୁରାନନ୍ଦଙ୍କର ବ୍ୟକ୍ତିଗତ ଜୀବନ ଦୁଃଖମୟ ଓ ସଙ୍ଘର୍ଷମୟ ଥିଲା । ନାରାୟଣ ଭଲ ପାଇ ବାହାହୋଇଛନ୍ତି । ତାଙ୍କର ଜ୍ୟୋତିଷ ବିଦ୍ୟା ବିଶାରଦ ସ୍କୁଲ ମାଷ୍ଟର ଶ୍ଵଶୁର ଅବଶ୍ୟ ସେମାନଙ୍କ ଦାମ୍ପତ୍ୟ ଜୀବନରେ ବିଚ୍ଛେଦ ଯୋଗ ରହିଛି ବୋଲି ବହୁ ଆଗରୁ ସତର୍କ କରିଦେଇଥିଲେ । ସମୁଦାୟ ପାଞ୍ଚବର୍ଷର ଦାମ୍ପତ୍ୟ ଜୀବନର ପୂର୍ଣ୍ଣଚ୍ଛେଦ ପରେ ଏକମାତ୍ର ଶିଶୁକନ୍ୟାର ପିତାମାତା ହୋଇଛନ୍ତି ନାରାୟଣ । ବାକି ଜୀବନ ପୁନର୍ବିବାହ ବିନା ଅତିବାହିତ କରିଛନ୍ତି । “The English Teachers’’ ଉପନ୍ୟାସ ସମ୍ପର୍କରେ ସେ ଦ୍ୱିଧା ସଙ୍କୋଚ ନ କରି ସ୍ଵୀକାର କରୁଛନ୍ତି ‘‘The English Teacher is autobiographical in content, very little fact of it being fiction” (My Days P.134) । ବିପତ୍ନିକ ଜୀବନ ନାରାୟଣଙ୍କୁ ଜଣେ ସମ୍ବେଦନଶୀଳ ହାସ୍ୟରସ ଲେଖକର ମର୍ଯ୍ୟାଦା ପ୍ରଦାନ କରିଛି । ଫତୁରାନନ୍ଦ ଶେଷ ଜୀବନ ପର୍ଯ୍ୟନ୍ତ ଅଭିଆଡ଼ା ରହିଗଲେ । ଯୌବନର ସ୍ୱପ୍ନରେ ମସଗୁଲ ଫତୁରାନନ୍ଦ ଅଚାନକ ବ୍ୟାଧି ପ୍ରପୀଡ଼ିତ ହୁଅନ୍ତି । ଘର ସଂସାର ଗଢ଼ିବାର ସ୍ଵପ୍ନ ଭାଜିଯାଏ । ବ୍ୟାଧିର ହଳାହଳକୁ ଚଳୁ କରିଦେଇ ଫତୁରାନନ୍ଦ ସୁନେଲି କିରଣ ବୁଣିଦିଅନ୍ତି ନିଜର ପ୍ରିୟ ପାଠକଙ୍କ ସମ୍ମୁଖରେ । “ନାକଟା ଚିତ୍ରକର” ଉପନ୍ୟାସ ଆତ୍ମଜୀବନୀ ମୂଳକ ବୋଲି ସେ ସ୍ୱୀକାର କରନ୍ତି । ମେଡ଼ିକାଲ ଜୀବନର ଅଧିକାଂଶ ଘଟଣାବଳୀ ସେ ଉପନ୍ୟାସରେ ବର୍ଣ୍ଣିତ ।

 

ଭାରତର ଦୁଇ ଭିନ୍ନ ପ୍ରାନ୍ତରରେ ଜନ୍ମ ଗ୍ରହଣ କରିଥିବା ହାସ୍ୟ ରସିକ ଜୀବନରେ ବହୁ ଅଭିଜ୍ଞତା ହାସଲ କରିଛନ୍ତି । ହାଇସ୍କୁଲ ହେଡ଼୍‌ମାଷ୍ଟରଙ୍କ ପୁଅ ନାରାୟଣ ଦୃଢ଼ ଶୃଙ୍ଖଳାବୋଧ ଭିତରେ ଗଢ଼ି ଉଠିଥିଲେ । ଶୈଶବରେ ମାମୁଁଘରେ ଆଈଙ୍କ ସହ କାଳ କାଟିଥିବା ନାରାୟଣ ମୟୂର ବିରାଡ଼ି କୁକୁର ଗହଣରେ ଫଟୋ ଉଠାଉଥିବା ବେଳେ ଅନ୍ଧବିଶ୍ୱାସୀ ଆଈ ପାଟି କରି ଉଠୁଥିଲେ ତାଙ୍କର ଆୟୁଷ କମିଯିବ ପରା ବୋଲି । ଖ୍ୟାତି ସମ୍ପନ୍ନ କବିରାଜ ପରିବାରର ଅଲିଅଳ ପୁଅ ଫତୁରାନନ୍ଦଙ୍କ ପରିବାରରେ ଗୁଣିଗାରେଡ଼ି ଉପରେ ଆସ୍ଥା, ମାଟିବଂଶ ଅବଧାନଙ୍କ ପାଖରେ ବିଦ୍ୟାରମ୍ଭ, ଅଦ୍ଭୁତ ବେଶଭୂଷା ଶିଶୁ ଫତୁରାନନ୍ଦଙ୍କୁ କୌତୁକିଆ ବୋକା କରି ଗଢ଼ି ତୋଳିଥିଲା ।

 

ନାରାୟଣ ଆତ୍ମଜୀବନୀ ଇଂରାଜୀରେ ରଚନା କରି ତାଙ୍କର ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତର ପାଠକବର୍ଗଙ୍କୁ ଚମତ୍କୃତ କରିଦେଇଛନ୍ତି । ସରଳସାବଲୀଳ ମଧ୍ୟବିତ୍ତ ଶ୍ରେଣୀର ଇଂରାଜୀ ଭାଷା ରଚନା ମାଧ୍ୟମରେ ସେ ହସର ପସରା ମେଲେଇ ଦେଇଛନ୍ତି ଓ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଛନ୍ତି । ଫତୁରାନନ୍ଦ ଗାଉଁଲୀ ମଫସଲି କଥିତ ଓଡ଼ିଆ ଭାଷାରେ ଆତ୍ମଜୀବନୀ ରଚନା କରି ସମସାମୟିକ ଓଡ଼ିଆ ଚଳଣୀ, ପର୍ବପର୍ବାଣୀ, ସାମାଜିକ ପରମ୍ପରା ସମ୍ପର୍କରେ ସମ୍ୟକ୍ ଦୃଷ୍ଟିପାତ କରିଛନ୍ତି ଏବଂ ଉତ୍ତର ପିଢ଼ିକୁ ଏକ ଅବଲୁପ୍ତ ଓଡ଼ିଆ ଐତିହ୍ୟ ସମ୍ପର୍କରେ ସଚେତନ କରେଇ ଦେଇଛନ୍ତି । ଲେଖା ମାଧ୍ୟମରେ ସମାଜ ସଂସ୍କାରର ବାର୍ତ୍ତା ନିର୍ଭୀକ ଭାବେ ପୋଷଣ କରିଛନ୍ତି କିନ୍ତୁ ନାରାୟଣ ଜଣେ ନିରପେକ୍ଷ ନୀରିକ୍ଷଣକାରୀ । ଉଭୟ ପ୍ରାଚୀନ ଭାରତୀୟ ପରମ୍ପରା, ଐତିହ୍ୟର ସଶ୍ରଦ୍ଧ ପୂଜାରୀ । ଉଭୟଙ୍କର ଦୀର୍ଘ ସାହିତ୍ୟ ସାଧନା, ବିଶେଷକରି ଆତ୍ମଜୀବନୀ ମାଧ୍ୟମରେ ତତ୍କାଳୀନ ଭାରତବର୍ଷର ଚଳଣି, ଇତିହାସ ଆମର ଦୃଷ୍ଟି ଆକର୍ଷଣ କରେ । ଆତ୍ମଜୀବନୀ ତ ନୁହେଁ ଆଈମା’ର ଗପପେଡ଼ି ସ୍ୱତଃ ମେଲିହୋଇଯାଏ ପାଠକ ସମ୍ମୁଖରେ । କଥାପରେ ଲଥା, ଲଥା ପରେ କଥା । କଥା ନସରୁଣୁ ଆଉରି ଗୋଟିଏ କଥା । ସେଇଥିପାଇଁ “ମୋ ଫଟା ଡଙ୍ଗାର କାହାଣୀ” ଓ “My Days’’ ସୁଖ ପାଠ୍ୟ ହୋଇଛି । ପ୍ରଥମଟି ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବାବେଳେ ଦ୍ୱିତୀୟଟି ଆନ୍ତର୍ଜାତିକ ସମ୍ମାନ ହାସଲ କରିଛି ।

 

 

ସହାୟକ ଗ୍ରନ୍ଥସୂଚୀ :

ମୋ ଫୁଟା ଡଙ୍ଗାର କାହାଣୀ- ଫତୁରାନନ୍ଦ, ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼୍, ଭୁବନେଶ୍ଵର ୧୯୮୯ ।

My Days, R.K.Narayan, Orient Paperbacks, New Delhi, 1986.

ବିଦଗ୍ଧ ହାସ୍ୟରସିକ ଫତୁରାନନ୍ଦ, ସଂପାଦନା -ଡଃ ବିଜୟାନନ୍ଦ ସିଂହ, ହାସ୍ୟବିକାଶ କେନ୍ଦ୍ର, କଟକ-୧୯୯୮ ।

 

 

ବରିଷ୍ଠ ଅଧ୍ୟାପକ, ଇଂରାଜୀ ବିଭାଗ

ବେତନଟୀ ମହାବିଦ୍ୟାଳୟ,

ବେତନଟୀ ମୟୂରଭଞ୍ଜ- ୭୫୭୨୦୫

 

***

 

ନିଷିଦ୍ଧ ହୋଇଥିବା ଦୁଇଖଣ୍ଡ ଇତିହାସ ଗ୍ରନ୍ଥ

ଡକ୍ଟର ଦୁର୍ଗା ପ୍ରସନ୍ନ ପଣ୍ଡା

 

ବ୍ୟାସକବି ଫକୀରମୋହନ ସେନାପତିଙ୍କ “ଭାରତବର୍ଷର ଇତିହାସ” ଏବଂ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ “ଓଡ଼ିଶାର ଇତିହାସ” କିଛିଦିନ ପାଠ୍ୟ ପୁସ୍ତକ ଭାବେ ମାନ୍ୟତା ପାଇ ପରେ କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ଫଳରେ ଅପ୍ରଚଳିତ ହୋଇଥିଲା । ଉତ୍କଳ ଦୀପିକାରେ ଏହି ଘଟଣା ଯୋଗୁଁ ପ୍ରବଳ ଅସନ୍ତୋଷ ଏବଂ ପ୍ରତିବାଦ ବାଣୀ ପ୍ରକାଶ ପାଇଥିଲା । କେଉଁ କାରଣ ପାଇଁ ଓଡ଼ିଶାର ଏଇ ଦୁଇ ଖ୍ୟାତନାମା ଲେଖକଙ୍କୁ ଅପାଙ୍‌କ୍ତେୟ କରାଗଲା ତା’ର କାରଣ ଏହି ପ୍ରବନ୍ଧରେ ବିଶ୍ଳେଷଣ କରାଯାଉଛି ।

 

ଭାରତବର୍ଷର ଇତିହାସ :

ଭାଷାବିଲୋପ ଆନ୍ଦୋଳନର ବହ୍ନିମାନ୍ କାଳରେ ଭାରତବର୍ଷର ଇତିହାସ ପାଠ୍ୟ ପୁସ୍ତକ ରୂପେ ମନୋନୀତ ହୋଇଥିଲା । ଭାରତବର୍ଷର ଇତିହାସ - ୧ମ ଖଣ୍ଡ ୧୮୬୯ରେ ଏବଂ ଏହାର ୨ୟ ଖଣ୍ଡ ୧୮୭୦ରେ ପ୍ରକାଶ ପାଇଲା । ଏହି ଗ୍ରନ୍ଥ ପାଇଁ ଫକୀର ମୋହନ ଶିକ୍ଷା ବିଭାଗରୁ ୭୦୦ ଟଙ୍କା ଏବଂ ଟି: ରେଭେନ୍‌ସାଙ୍କ ଠାରୁ ୩୦୦ଟଙ୍କା ପାଇଥିଲେ । ଶିକ୍ଷା ବିଭାଗର ନୀତିଗତ ନିଷ୍ପତ୍ତି ହେତୁ ଓଡ଼ିଆ ଭାଷାରେ ପାଠ୍ୟ ପୁସ୍ତକ ରଚନା କରିବାକୁ ଯେତେବେଳେ ଉଦ୍ୟମ ଆରମ୍ଭ ହେଲା ବିଭାଗୀୟ ଅମଲାମାନେ ଚକ୍ରାନ୍ତ କରି ଓଡ଼ିଆରେ ଲିଖିତ ପୁସ୍ତକାବଳୀର ଦୋଷ ତ୍ରୁଟି ଦର୍ଶାଇବାକୁ ହୀନ ଉଦ୍ୟମ ଆରମ୍ଭ କରିଦେଲେ । ଫକୀର ମୋହନ ତାଙ୍କ ଆତ୍ମ ଜୀବନୀରେ ଲେଖିଛନ୍ତି, “ନାନା କାରଣରୁ ସ୍କୁଲ ପାଠ୍ୟ ପୁସ୍ତକ ତାଲିକାରୁ ମୋର ସମସ୍ତ ବହି ଉଠି ଯାଇଥିଲା । ନୂତନ ପୁସ୍ତକ ଲେଖିଲେ ଚଳିବାର ଆଶା ମଧ୍ୟ ନଥିଲା । ସ୍କୁଲ ପଢ଼ୁଆ ବାବୁମାନେ ଅବଜ୍ଞା ନେତ୍ରରେ ଉତ୍କଳ ପୁସ୍ତକକୁ ଦେଖୁଥିଲେ ।” (ଫକୀରମୋହନ ଗ୍ରନ୍ଥାବଳୀ ୧ମ, ପୃ ୧୦୭) ନୂତନ ପୁସ୍ତକ ଲେଖିଲେ ଓଡ଼ିଆ ଭାଷା ବିଦ୍ୱେଷୀମାନେ ତାହାକୁ ପାଠ୍ୟ ପୁସ୍ତକଭାବେ ପ୍ରଚଳନ କରାଇବାରେ ଯେ ବାଧା ସୃଷ୍ଟି କରିବେ ଏହା ଫକୀର ମୋହନ ଏଠାରେ ସୂଚାଇ ଅଛନ୍ତି ।

 

ଓଡ଼ିଆ ସ୍ଵତନ୍ତ୍ର ଭାଷା ନୁହେଁ, ଏହା ମନ୍ଦ ବଙ୍ଗଳା । ଏହି ମତ “କଲିକତା ରିଭ୍ୟୁ”ରେ ସମର୍ଥିତ ନ ହୋଇ ଯାହା ପ୍ରକାଶ ପାଇଲା ଉ :ଦୀ : ୩ ।୯ । ୧୮୭୦ ସଂଖ୍ୟାରେ ତା’ର ଅବିକଳ ନକଲ ନିମ୍ନମତେ ପ୍ରକାଶ ପାଇଛି ।

 

“ଏହା (ଓଡ଼ିଆ) ମନ୍ଦ ବଙ୍ଗଳା ହେଲେ ମଧ୍ୟ ଓଡ଼ିଶା ପ୍ରତି ଭଲ ଭାଷା ଅଟଇ ଏବଂ ଓଡ଼ିଶାର ତିନିକୋଟି ଲୋକ କେବଳ ଏ ଭାଷାରେ କଥାବାର୍ତ୍ତା କରନ୍ତି ଏମନ୍ତ ନୋହେ, ଏ ଭାଷାରେ ପୂର୍ବରୁ ଅନେକ ସାହିତ୍ୟ ଗ୍ରନ୍ଥ ରଚନା ହୋଇଅଛି । ଅତଏବ ଓଡ଼ିଶାର ଲୋକଙ୍କୁ ବଳ ପୂର୍ବକ ବଙ୍ଗଳା ଶିକ୍ଷା ଦେଲେ ଗଭର୍ଣ୍ଣମେଣ୍ଟ ସେହି ପ୍ରାୟ ଅନ୍ୟାୟ କରନ୍ତେ କି ଯେମନ୍ତ ପ୍ରୃସିଆ ଗଭର୍ଣ୍ଣମେଣ୍ଟ ଉପର ଉଚ୍ଚ ଭାଷା ହୋଲଷ୍ଟିନ୍‌ରେ ପ୍ରଚାର ବିଷୟରେ ଅନ୍ୟାୟ ଆଚରଣ କରିଥିଲେ-। (ଉ:ଦୀ: ୫/୩୬-ତା ୩-୯-୧୯୭୦ ସଂଖ୍ୟା)”

 

ସେହି ଘୋଷଣାନାମାର ଉଦ୍ଦେଶ୍ୟଥିଲା କାନ୍ତିଚନ୍ଦ୍ରଙ୍କ ଲିଖିତ ପୁସ୍ତକ “ଉଡ଼ିୟା ସ୍ଵତନ୍ତ୍ର ଭାଷା ନୁହେ” ବିରୁଦ୍ଧରେ ଉତ୍ତୋଳିତ ସ୍ୱରକୁ ସମର୍ଥନ କରି ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ଘୋଷଣା କରିବା । (କାନ୍ତି ଚନ୍ଦ୍ରଙ୍କ ବହି ପ୍ରକାଶ ପାଇବା ମାତ୍ରେ ଦୀପିକାରେ ତା ୨୬-୨-୧୮୭୦ - ୫/୯ ସଂଖ୍ୟାରେ ‘ଉଡ଼ିଆ ସ୍ଵତନ୍ତ୍ର ଭାଷା ନୟ' ଶିରୋନାମାରେ ଏକ ଦୀର୍ଘ ପ୍ରତିବାଦ ପ୍ରକାଶ ପାଇଲା । ସେହି ଦିନଠାରୁ ‘ନହେ’ ସ୍ଥାନରେ ଏଯାବତ୍ “ନୟ” ଲେଖାଯାଉଛି ।) ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ସରକାରୀ ଭାବେ ଘୋଷିତ ହେବା ପରେ ବଙ୍ଗୀୟ ଶିକ୍ଷା ବିଭାଗର କର୍ମଚାରୀମାନେ ଓଡ଼ିଆ ପାଠ୍ୟ ପୁସ୍ତକଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କଲେ । “ଭାରତବର୍ଷର ଇତିହାସ” ପ୍ରହାରିତ ହେବାର କାରଣଗୁଡ଼ିକ ଏହିପରି-

 

(୧)

ଏହା ଲେଖକଙ୍କର ମୌଳିକ ରଚନା ନୁହେଁ । ବଙ୍ଗଦେଶର ଅବ୍ୟବହୃତ ତାରିଣୀ ଚରଣଙ୍କ ଇତିହାସରୁ ଏହା ଅନୁଦିତ ।

 

ଏହି ଆକ୍ଷେପ ଭ୍ରମାତ୍ମକ । ଫକୀର ମୋହନ ଭାରତବର୍ଷର ଇତି ହାସ ୧ମ ଖଣ୍ଡ “ବିଜ୍ଞାପନ”ରେ ଲେଖିଛନ୍ତି, “ଏହା (ଭା.ବ.ଇ) ପୁସ୍ତକ ବିଶେଷର ଅନୁବାଦ ବା ଗ୍ରଛ ବିଶେଷରୁ ସଂଗୃହୀତ ହୋଇ ନାହିଁ ।” କଳେବର ଦୃଷ୍ଟିରୁ ତାରିଣୀ ଚରଣଙ୍କ ଇତିହାସ ଫକୀର ମୋହନଙ୍କ ଇତିହାସଠାରୁ ଅନେକ ବଡ଼ ।

 

(୨)

କଲ୍ୟାଣକାମୀ ଇଂରେଜ ଜାତି ପ୍ରତି ଫକୀର ମୋହନଙ୍କ ଆନୁଗତ୍ୟ ପରିବର୍ତ୍ତେ ତାଙ୍କ ଇତିହାସ ବହିରେ ପରାଧୀନତା ବିରୁଦ୍ଧରେ ସଚେତନ ହେବାକୁ ପ୍ରତ୍ୟକ୍ଷ ଭାଷଣ ରହିଛି ।

 

ଇଂରେଜ ପ୍ରତି ‘ଆନୁଗତ୍ୟ’ ପ୍ରସଙ୍ଗରେ ଭାରତ ବର୍ଷର ଇତିହାସ ପ୍ରଥମ ଖଣ୍ଡରେ ନିମ୍ନ ଉଦ୍ଧୃତି ଦ୍ରଷ୍ଟବ୍ୟ । ଏହି ଉଦ୍ଧୃତିରେ ଫକୀର ମୋହନ ସାହେବଙ୍କୁ ଉପହାସ୍ୟ କରିବାର ମେଧା ପ୍ରୟୋଗ କରି, ସାହେବ ହେଲେ ସମସ୍ତେ ଯେ ପଣ୍ଡିତ ହୋଇଯିବେ, ଏଇ ପ୍ରଚଳିତ ବିଶ୍ୱାସକୁ ଖଣ୍ଡନ କରିଛନ୍ତି ।

 

“ବେଣ୍ଟଲି ନାମକ ଜଣେ ସାହେବ ଅନେକ ଶାସ୍ତ୍ର ଆଲୋଚନା କରି ଲେଖିଛନ୍ତି ଯେ ‘ଜଳପ୍ଲାବନଠାରୁ ଶହ ଶହ ଜନ୍ମ ୧୫୨୮ ବର୍ଷ ପୂର୍ବ ପର୍ଯ୍ୟନ୍ତ ଯେ ସମୟରେ ସେ ସତ୍ୟଯୁଗ ସେଦିନଠାରୁ ମସୀହ ଜନ୍ମ ୯୦୧ ବରଷ ପୂର୍ବ ପର୍ଯ୍ୟନ୍ତ ଯେ ସମୟ ସେ ତ୍ରେତା ଯୁଗ ଏବଂ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ କଳିଯୁଗ ।’ ସେ କାହୁଁ ଏମନ୍ତ ପ୍ରମାଣ ପାଇଲେ ସେ ଜାଣନ୍ତି ମାତ୍ର ପୌରାଣିକ କଥାଠାରୁ ଯେ ତାହାଙ୍କ କଥା ଅଧିକ ବିଶ୍ୱାସର ଯୋଗ୍ୟ ଏହା ଆମ୍ଭେମାନେ କହି ନ ପାରୁ । “ବେଣ୍ଟଲି ସାହେବଙ୍କ ବିକୃତ ଓଡ଼ିଆ ଏବଂ ଯୁଗ ନିରୂପଣ ସମ୍ପର୍କିତ ସିଦ୍ଧାନ୍ତ ପ୍ରତି ଫକୀର ମୋହନ ତାଙ୍କ ସ୍ଵଭାବ ସୁଲଭ ବ୍ୟଙ୍ଗମନସ୍କତା ପ୍ରୟୋଗ କରିଛନ୍ତି । ସାହେବଙ୍କ କାନକୁ ବିଷାକ୍ତ କରିବା ପାଇଁ କୁଚକ୍ରୀ ଗୋଷ୍ଠୀ ଏଥିରୁ ଉପାଦାନ ପାଇଥିବେ । ଫକୀର ମୋହନ କୁଚକ୍ରୀ ଗୋଷ୍ଠୀଙ୍କଠାରୁ ‘ଶାଲା ରିଂ ଲିଡ଼ର’ ଉପାଧି ପ୍ରାପ୍ତ ହୋଇଥିଲେ । ବାହିକା ଓ ଦୀପିକାରେ ଶ୍ରୀରଙ୍ଗା ପଞ୍ଚାନନ, କେନଚିତ୍ ଉତ୍କଳ ପୁତ୍ର ଆଦି ଛଦ୍ମ ନାମରେ ଫକୀର ମୋହନ ଉମାଚରଣ ହାଲ୍‍ଦାର, କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ରାଜେନ୍ଦ୍ର ଲାଲ୍ ମିତ୍ର ଏବଂ ଶିବଦାସ ଭଟ୍ଟାଚାର୍ଯ୍ୟ ଆଦିଙ୍କ ବିରୁଦ୍ଧରେ ଲେଖୁଥିଲେ । ଉମାଚରଣ ହାଲ୍‍ଦାର ଓ ଶିବଦାସ ଭଟ୍ଟାଚାର୍ଯ୍ୟ ଓଡ଼ିଆ ପାଠ୍ୟ ପୁସ୍ତକକୁ ଅଚଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏମାନଙ୍କୁ ବାଲେଶ୍ୱରରୁ ବଦଳି କରାଇବାରେ ଫକୀର ମୋହନ ବିଶେଷ ଉଦ୍ୟମ କରିଥିଲେ । ତେଣୁ ସେମାନେ ଭାରତବର୍ଷର ଇତିହାସକୁ ଛାତ୍ରବୃତ୍ତିର ଅନୁପଯୋଗୀ ବୋଲି ଓକିଲାତି କରିଥିଲେ ।

 

(୩)

ସାହେବମାନେ ଭାରତୀୟ ପୁରାଣ ସାହିତ୍ୟ ବିରୁଦ୍ଧରେ ନାନା କୁତ୍ସିତ ମନ୍ତବ୍ୟ ଦେଇଛନ୍ତି । ମେକଲେ ସାହେବ ପୁରାଣରେ କ୍ଷୀର ସମୁଦ୍ର, ଦଧିସମୁଦ୍ର, ଘୃତ ସମୁଦ୍ର ଥିବା କଥା କହି ଭାରତୀୟମାନେ ଭୌଗୋଳିକ ଅବସ୍ଥିତି ସମ୍ପର୍କରେ ଅଜ୍ଞଥିବା କଥା ୧୮୩୪ରେ କହିଥିଲେ । ଫକୀର ମୋହନ ପୌରାଣିକ ଚରିତ୍ର ରାମ, କୃଷ୍ଣ, ଯୁଧିଷ୍ଠିର ଆଦିଙ୍କୁ ଇତିହାସର ମର୍ଯ୍ୟାଦା ଦେଇ ସେମାନେ ଭୂତୁଡ଼ା ଗଳ୍ପର ନାୟକ ନୁହନ୍ତି ବୋଲି ତାଙ୍କ ଇତିହାସ ବହିର ପ୍ରଥମ ଖଣ୍ଡରେ କହିଛନ୍ତି । ହୁଏତ ଏହା ଇତିହାସ ଗ୍ରନ୍ଥର ଅବମୂଲ୍ୟାୟନ କ୍ଷେତ୍ରରେ କାର୍ଯ୍ୟ କରିଥିବ ।

 

(୪)

ବିକ୍ରମାଦିତ୍ୟଙ୍କ ସମୟକୁ ଭାରତୀୟ ସଂସ୍କୃତିର ସୁବର୍ଣ୍ଣ କାଳ ବୋଲି ଫକୀର ମୋହନ ତାଙ୍କ ଇତିହାସରେ ପ୍ରତିପାଦନ କରି ସେ ସମୟର ଶିକ୍ଷା, ସାମାଜିକ ନ୍ୟାୟ ଦାନ ଏବଂ ଶାସନ ପଦ୍ଧତି ଉନ୍ନତ ଥିବା କଥା କହି ଜାତି ଗଠନରେ ପ୍ରଶାସନର ଭୂମିକା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଶାସକଙ୍କ ଆଦର୍ଶ ଚରିତ୍ରବତ୍ତା ଏବଂ ସମକାଳୀନ ଶାସକଙ୍କ ଆଚରଣ ସମ୍ପର୍କରେ କହିବାପାଇଁ ଫକୀର ମୋହନ ଏକ ସୁଯୋଗ ଖୋଜି ତାର ଯଥାର୍ଥ ଉପଯୋଗ କରିଛନ୍ତି । ଏହା କୁଚକ୍ରୀଙ୍କୁ ଏକ ଇନ୍ଧନ ଯୋଗାଇଥିବ ।

 

(୫)

ଇଷ୍ଟ ଇଣ୍ଡିଆ କମ୍ପାନୀ ବ୍ରିଟିଶ ରାଜକୋଶକୁ ୧୨କୋଟି ଟଙ୍କା ବୋହି ନେଇ ଯାଇଥିବା କଥା କହିଥିବାରୁ ଛାତ୍ରଙ୍କ ମନରେ ବ୍ରିଟିଶ ଶୋଷଣ ନୀତି ସମ୍ପର୍କରେ ଘୃଣାଭାବ ଭରିଦେବା ଏକ ଦୂଷଣ ଭାବେ ବିବେଚିତ ହେବା ସ୍ୱାଭାବିକ । ଏକଚାଟିଆ ଇଂରେଜ ବାଣିଜ୍ୟ ନୀତିକୁ ଫକୀର ମୋହନ ସମର୍ଥନ କରି ନାହାନ୍ତି ।

 

(୬)

ଇତିହାସର ଦ୍ୱିତୀୟ ଖଣ୍ଡ ୨୨ ଅଧ୍ୟାୟରେ ଫକୀର ମୋହନଙ୍କ ଔପନ୍ୟାସିକ ଶୈଳୀର ପ୍ରତିଫଳନ ଲକ୍ଷ୍ୟ କରାଯାଇଥାଏ । ‘ସିପାହୀ ବିଦ୍ରୋହ’ ଉପରେ ଲେଖିବା ବେଳେ ନିଜେ ଫକୀର ମୋହନ ଦିଲ୍ଲୀ ବାଦଶାହଙ୍କ ମୁଖପାତ୍ର ସାଜିଛନ୍ତି । ବାଦଶାହ ତାଙ୍କ ବକ୍ତବ୍ୟରେ ଇଂରେଜମାନଙ୍କ ବିରୁଦ୍ଧରେ ଉତ୍ତେଜନା ମୂଳକ ଭାଷଣ ଦେଇଛନ୍ତି । ଭାଷଣର ସାରକଥା ହେଲା “ଇଂରେଜମାନେ” ଭାରତୀୟଙ୍କ “ଧର୍ମ ନାଶକ” ଅଟନ୍ତି । “ଚେନି ଓ ମୟଦାରେ ସେମାନେ ଗବାସ୍ଥିର ଚୂର୍ଣ୍ଣ ମିଶାଇ ଅଛନ୍ତି ବୋଲି ପ୍ରଚାର କରାଗଲା । ସିପାହୀମାନଙ୍କୁ ସେମାନଙ୍କ ବିସ୍ତୃତ ଅତୀତ କଥା ସୂଚାଇ ଜାତୀୟ ଜାଗୃତିର ମନ୍ତ୍ର ଶୁଣାଇବା ବେଳେ ଇଂରେଜମାନଙ୍କ ବିରୁଦ୍ଧରେ ଫକୀରମୋହନଙ୍କ ପରୋକ୍ଷ ଭାଷଣ ଓ ଦେଶାତ୍ମବୋଧ ପ୍ରକାଶ ପାଇଥିବାରୁ ଛାତ୍ରବୃତ୍ତି ପାଇଁ ତାଙ୍କ ପୁସ୍ତକକୁ ଅଯୋଗ୍ୟ ମନେ କରାଯାଇଛି । ଜାତୀୟ ଚେତନାର ପ୍ରେରଣା ପ୍ରଦାନକାରୀ ଗ୍ରନ୍ଥ ମଧ୍ୟରେ ଇତିହାସ ହିଁ ଶ୍ରେଷ୍ଠ ବୋଲି ବିବେଚିତ ହୋଇଥାଏ । ଜାତୀୟ ଆତ୍ମ ବିକାଶର ପଥକୁ ପ୍ରଶସ୍ତ କରିବା ପାଇଁ କୁହାଯାଇଛି- “ସଂପ୍ରତି ଏକ କ୍ଷୁଦ୍ର ଦ୍ୱୀପରୁ କେତେକ ଲୋକ ଆସି ଭାରତ ଭୂମି ଶାସନ କରୁ ଅଛନ୍ତି । ପୂର୍ବେ ହିନ୍ଦୁମାନଙ୍କର ବାଣିଜ୍ୟ ବୋଇତ ସକଳ ଯାବା, ସୁଖତର, ପ୍ରଭୃତି ଦ୍ୱୀପକୁ ଗମନ କରୁଥିଲା । କିନ୍ତୁ ଆଧୁନିକ ହିନ୍ଦୁମାନେ ପୋତାରୋହଣ କଲେ ସମାଜଚ୍ୟୁତ ହେଉଅଛନ୍ତି ।” ଫକୀର ମୋହନ ତାଙ୍କ ଇତିହାସକୁ ଅତୀତର ପରମ୍ପରାରେ ବର୍ତ୍ତମାନକୁ ଗଢ଼ିବା ପାଇଁ ପ୍ରସ୍ତୁତ କରିଥିବାରୁ ତାହା ଅପାଠ୍ୟ ବିବେଚିତ ହେଲା । “ମନୁଷ୍ୟମାନେ କି ଅପରିଣାମଦର୍ଶୀ ? ସଂସାରର ଭାବଗତି ଜାଣି ମଧ୍ୟ କୁକର୍ମରେ ପ୍ରବୃତ୍ତ ହେଉଅଛନ୍ତି ।” (‘ଭାବଗତି’ ହେଲା ଅତ୍ୟାଚାରୀ ଯେତେ ଅତ୍ୟାଚାର କରୁ ପଛେ ସେ ଚିରଦିନ ଭାରତକୁ ପଦାନତ କରି ପାରିବ ନାହିଁ ।) ଭାଷାର ଓଜସ୍ୱିତା ଏବଂ ବିଷୟବସ୍ତୁର ବିନ୍ୟାସ କୌଶଳରେ ପ୍ରଭୂତ ରସ ସୃଷ୍ଟି ହେତୁ ପଣ୍ଡିତ ନୀଳକଣ୍ଠ ଦୀପିକାଙ୍କର “ଗଳ୍ପ ସଂବଳିତ ଇତିହାସ” ମନ୍ତବ୍ୟକୁ ସ୍ୱୀକାର କରି ତାଙ୍କ ଓଡ଼ିଆ “ଭାଷା ଓ ସାହିତ୍ୟ” ଗ୍ରନ୍ଥରେ “ଭାରତବର୍ଷର ଇତିହାସ”ରେ ଅନେକ “ମନୋଗ୍ରାହୀ ଗଳ୍ପ’’ ସଂଜ୍ଜୀକୃତ ହୋଇଥିବା କଥା କହିଛନ୍ତି । (ଓଡ଼ିଆ ଭାଷା ଓ ସାହିତ୍ୟ - ୨ୟ ସଂ: ପୃ ୨୦୦)

 

ଯେଉଁ କାଳରେ “ରୁଚି ଓ ପବିତ୍ରତା” ଆଳରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୁ ଶିକ୍ଷାନୁଷ୍ଠାନରେ ‘ପୁରସ୍କାର-ପୁସ୍ତକ’ ଭାବେ ଅଯୋଗ୍ୟ ଘୋଷଣା କରା ଯାଇଥିଲା, ସେହି କାଳରେ ‘ରୁଚି ଓ ପବିତ୍ରତା’ ମୋହର ନ ଲଗାଇବାରୁ ଫକୀର ମୋହନଙ୍କ ସମସ୍ତ ରଚନା ପାଠ୍ୟ ତାଲିକାରୁ ବାଦ ପଡ଼ିଥିଲା । ଫକୀର ମୋହନ ଆଉ ଜୀବନରେ ପାଠ୍ୟ ପୁସ୍ତକ ଲେଖି ଅପମାନିତ ହେବାର ଦୁର୍ଭାଗ୍ୟକୁ ବରଣ ନ କରିବାକୁ ସିଦ୍ଧାନ୍ତ ନେଲେ ।

 

ଓଡ଼ିଶାର ଇତିହାସ :

“ଓଡ଼ିଶାର ଇତିହାସ ଲେଖିଥିଲା ପ୍ୟାରୀ

ଏମନ୍ତ ସୁନ୍ଦର ଲେଖା ନ ଦେଖେ କାହାରି

କେତେ ଜଣ ଭଲ ଲୋକ ଖଚ କଥା କହି

ପଢ଼ିବାକୁ ଦେଲେ ନାହିଁ ଇସ୍କୁଲରେ ବହି ।”

 

ପ୍ୟାରି ମୋହନ ଆଚାର୍ଯ୍ୟ (୫ ।୮ ।୧୮୫୧- ୨୮ ।୧୨ ।୧୮୮୧) ଉତ୍କଳୀୟ ସ୍ୱାଭିମାନର ପ୍ରତୀକ । ସେ ଏଣ୍ଟ୍ରାନ୍‌ସ ପାସ୍‌ କଲେ ୧୮୬୯ରେ, କଟକ ସ୍କୁଲର ଏଫ୍.ଏ ୨ ବାର୍ଷିକ ଶ୍ରେଣୀରୁ ବହିଷ୍କୃତ ହେଲେ ୧୮୭୧ରେ, ଉତ୍କଳ ପୁତ୍ର ସଂପାଦନା କଲେ ୧୮୭୩ରେ, କଟକ ଏକାଡେମୀ ପ୍ରତିଷ୍ଠା କଲେ ୧୮୭ରେ ଏବଂ ଇହଧାମ ତ୍ୟାଗ କଲେ ୧୮୮୧ରେ । ତାଙ୍କର ବ୍ୟଙ୍ଗ ପ୍ରବନ୍ଧ “ଦରଖାସ୍ତ ଜୁତୀୟାନ୍” ୧୮୭୧ରେ ତତ୍‌କାଳିନ କଟକ ଜିଲ୍ଲା କଲେକ୍ଟର “ଏରିଭିଙ୍ଗ” ସାହେବଙ୍କ କଟକ ଫେରୀ ଫଣ୍ଡ ଟଙ୍କାର ଅଯଥାର୍ଥ ବିନିଯୋଗ ବିରୁଦ୍ଧରେ ପ୍ରସ୍ତାବିତ ହୋଇଥିଲା । ପ୍ରଧାନଶିକ୍ଷକ ଚଣ୍ଡୀ ଚରଣ ବାଳୁର୍ଯଧା ପ୍ୟାରୀମୋହନଙ୍କୁ କ୍ଷମା ପ୍ରାର୍ଥନା କରି ସାହେବଙ୍କୁ ପତ୍ର ଲେଖିବାକୁ ଅନୁରୋଧ କରି ବିଫଳ ହେବାରୁ ଶେଷରେ ତାଙ୍କୁ ବହିଷ୍କାର ଆଦେଶ ଦେଲେ । ତାଙ୍କ ରଚିତ ‘ଓଡ଼ିଶାର ଇତିହାସ’ ପାଇଁ ସେ ୩୦୦ ଟଙ୍କା ପୁରସ୍କାର ସ୍ୱରୂପ ପାଇଥିଲେ-। “ଭଲଲୋକ”ମାନଙ୍କଦ୍ୱାରା ଏହି ଗ୍ରନ୍ଥ କାହିଁକି ପ୍ରତାରିତ ହେଲା ତାହାର କାରଣ ବିଶ୍ଳେଷଣ କରିବା ପୂର୍ବରୁ ଏକଥା କହିରଖିବା ଉଚିତ ଯେ ସେ କାଳରେ ଓଡ଼ିଶା ସମ୍ପର୍କରେ ସଟନ୍ ସାହେବ ଏବଂ ହଣ୍ଟର ସାହେବଙ୍କ ଗ୍ରନ୍ଥକୁ ସର୍ବଶ୍ରେଷ୍ଠ ପ୍ରାମାଣିକ ଗ୍ରନ୍ଥ ବୋଲି ବିଚାର କରାଯାଉଥିଲା । “ଓଡ଼ିଶାର ଇତିହାସ”ର ମୁଖବନ୍ଧରେ ଏଇ ଦୁଇଟି ଗ୍ରନ୍ଥରୁ ଉପାଦାନ ସଂଗୃହୀତ ହୋଇଛି ବୋଲି ଲେଖକଙ୍କ ଆତ୍ମପକ୍ଷ ବିବୃତି ସତ୍ତ୍ୱେ ଏ ଦୁଇଟି ଗ୍ରନ୍ଥକୁ ସେ ଆଦୌ ବିଚାରକୁ ନେଇନଥିଲେ । “ହଣ୍ଟର୍‍ସ ଓଡ଼ିଶା’ର ଅସଲ ରୂପ ନିମ୍ନଲିଖିତ ଉଦ୍ଧୃତିରୁ ପ୍ରତ୍ୟକ୍ଷ କରି ହେବ ।

 

About this time we received a visit from that vivacious but not very accurate writer Dr. W.W. Hunter, who during a stay of seven days subjected me to such an unceasing fire of questions that on his departure, I solemnly forebade any one to ask me any more questions. XXX

 

Hunter's Orissa in two volumes was the result of his visit. It is a clear brilliantly written work, though containing many inaccuracies. I supplied him with a mass of facts and so did the Collectors of Cuttack and Puri, but he put all our contributions into an appendix in small type and made very little use of them in the text of his work. (John Beams - Memories of a Bengal Civilian, page 197)

 

“ନିର୍ଭୁଲ୍ ତଥ୍ୟ ସମ୍ବଳିତ ଲେଖା ପ୍ରତି ଉଦାସୀନ ଜଣେ ଦୁର୍ଦ୍ଦମନୀୟ ଲେଖକ ଡଃ ଡବ୍ଲ୍ୟୁ. ଡବ୍ଳ୍ୟୁ. ହଣ୍ଟର ଏହି କାଳରେ ଆମକୁ ଭେଟିଲେ ଯାହାଙ୍କର ସାତଦିନ ରହଣି କାଳ ମଧ୍ୟରେ ମୋତେ ଏତେ ବିରକ୍ତିକର ଜ୍ୱାଳାମୁଖୀ ପ୍ରଶ୍ନ ପଚାରି ଅସ୍ଥିର କଲେ ଯେ ମୁଁ ତାଙ୍କ ପ୍ରତ୍ୟାବର୍ତ୍ତନ ପରେ କାହାରିକୁ କିଛି ନ ପଚାରିବାକୁ ରୋକ୍‍ଠୋକ୍ ମନା କରିଦେଲି । ଦୁଇ ଖଣ୍ଡରେ ପ୍ରକାଶିତ “ହଣ୍ଟରଙ୍କ ଇତିହାସ” ତାଙ୍କ ଉତ୍କଳ ପରିଦର୍ଶନର ଫଳଶ୍ରୁତି । ଏହି ଗ୍ରନ୍ଥରେ ବହୁ ଭ୍ରମ ପ୍ରମାଦ ଥିଲେ ବି ଏଥିରେ ଲେଖକଙ୍କ ପରିଚ୍ଛନ୍ନ ଭାବନା ଏବଂ ମେଧାର ପ୍ରତିଫଳନ ଘଟିଛି । ମୁଁ ତାଙ୍କୁ ରାଶି ରାଶି ତଥ୍ୟ ଯୋଗାଇ ଥିଲି, କଟକ ଓ ପୁରୀର କଲେକ୍‌ଟର ମଧ୍ୟ ତଥ୍ୟ ଦେଇଥିଲେ । ହଣ୍ଟର ସେଗୁଡ଼ିକର ଯଥୋଚିତ ବିନିଯୋଗ ନ କରି ତାଙ୍କ ଗ୍ରନ୍ଥର ପରିଶିଷ୍ଟ ପୃଷ୍ଠାରେ ଅସ୍ପଷ୍ଟ ଛପାରେ ସ୍ଥାନିତ କଲେ ।” ଜନ୍ ବୀମସ୍‌ଙ୍କ ପରି ଜଣେ ବିଜ୍ଞ ଲେଖକ ‘ହଣ୍ଟରସ୍ ଓଡ଼ିଶା’କୁ ତ୍ରୁଟିପୂର୍ଣ୍ଣ କହିଥିଲେ ମଧ୍ୟ ବ୍ରହ୍ମା ବିଳିବିଳେଇଲେ ବେଦ ନ୍ୟାୟରେ ତଥାକଥିତ ପଣ୍ଡିତମାନେ ଏହାକୁ ମାନ୍ୟତା ଦେଇ ପ୍ୟାରୀମୋହନ ଏହି ଗ୍ରନ୍ଥର ଅନୁସରଣ ନ କରିବା ଏକ ଦୋଷ ବୋଲି କହିଲେ ।

 

ତା ୩/୧୦/୭୩ରେ ଗୋଟିଏ ଇଂରେଜୀ କାଗଜରେ ୭୦ ବର୍ଷର ଓଡ଼ିଶା ଶାସନ ପଦ୍ଧତିକୁ ଏକ ଦୁଃଖଦ କାହାଣୀ ବୋଲି ଅଭିହିତ କରାଯାଇଥିଲା । [For seventy years our whole government of Orissa has been a tale of woe according to the confessions of our own officials. [Overland 3.10.1873 quoted in the ‘Extract from the Friend of Indians] ରିକେଟ ସାହେବ ଏହି ଅଭିଯୋଗକୁ ଖଣ୍ଡନ କରି ତାଙ୍କ ଓଡ଼ିଶା ପରିଦର୍ଶନ ମନ୍ତବ୍ୟରେ ତାହା ଅସତ୍ୟ ବୋଲି ପ୍ରମାଣ କରିବା ପାଇଁ “ହଣ୍ଟରସ ଓଡ଼ିଶା”କୁ ଉଦ୍ଧାର କରିଥିଲେ । ଏହାପରେ ପ୍ୟାରୀମୋହନଙ୍କ “ଉତ୍କଳପୁତ୍ର”, “ଇଂରାଜୀଙ୍କଦ୍ଵାରା ଉତ୍କଳ ଶାସନ” ଶୀର୍ଷକ ପ୍ରବନ୍ଧ ଲେଖି ବ୍ରିଟିଶ ପ୍ରଶାସନର ରୋଷବର୍ଦ୍ଧକ ହେଲେ । ତାଙ୍କ “ଓଡ଼ିଶାର ଇତିହାସ” ଅନେକଙ୍କ ରୋଷାଗ୍ନିରେ ଭସ୍ମୀଭୂତ ହେବାରେ ବିସ୍ମିତ ହେବାର କାରଣ ନାହିଁ ।

 

“ଓଡ଼ିଶାର ଇତିହାସ” ସମ୍ପର୍କରେ ଯେଉଁ ସମସ୍ତ ତଥ୍ୟ ଦୀପିକାରେ ପ୍ରକାଶିତ ହୋଇଥିଲା ସେଥିରୁ କିଛି ଉଦ୍ଧାର କରିବା ସମୀଚୀନ ମନେହୁଏ । “ଶାଖା-କମିଟି ସ୍ଥିର କରି ଅଛନ୍ତି ଯେ ଉତ୍କଳର ଏକ ଖଣ୍ଡି ଇତିହାସ ରଚନା ସକାଶେ ଉକ୍ତ (ଢେଙ୍କାନାଳ ରାଜାଙ୍କ ପାଠ୍ୟ ପୁସ୍ତକ ରଚନା ପାଇଁ ଦାନ) ପୁରସ୍କାର ଦିଆଯିବ X X ବର୍ତ୍ତମାନ ଆମ୍ଭେମାନେ ଏତିକି ମାତ୍ର ସମ୍ବାଦ ଦେଇ ଅତ୍ରତ୍ୟ କୃତ ବିଦ୍ୟ ମହାଶୟମାନଙ୍କୁ ଅନୁରୋଧ କରୁଅଛୁ, ଯେ ଉକ୍ତ ପୁରସ୍କାର ପାଇବା ଆଶାରେ ଏ କାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତୁ ।” ଉ.ଦୀ ୪/୩୭ (୧୧.୯.୧୮୬୯) ୧୮.୯.୧୮୬୯ରେ ଡବ୍‌ଲିଉ. ସି. ଲେସିଙ୍କ ବିଜ୍ଞାପନ ପ୍ରକାଶ ପାଇଲା । ୧୮୭୦ ଜୁଲାଇ ୧ ତାରିଖ ସୁଦ୍ଧା “ବିଦ୍ୟାଧ୍ୟାପନୀୟ କମିଟୀ-କଟକ”ଙ୍କୁ ଗ୍ରନ୍ଥକର୍ତ୍ତାମାନେ ପାଣ୍ଡୁଲିପି ଦେବା, ଯୋଗ୍ୟ ବିବେଚିତ ହେବା ପରେ ପାଣ୍ଡୁଲିପି ସରକାର ଛାପିଲେ ଲେଖକଙ୍କୁ ୫୦ଖଣ୍ଡ ବହି ବିନାମୂଲ୍ୟରେ ଦେବା ଓ ପାରିତୋଷିକ ପ୍ରାପ୍ତିର ଯୋଗ୍ୟତା ଥିଲେ ବହିର ଲେଖକଙ୍କୁ ଟ୩୦୦.୦୦ ମିଳିବା କଥା ବିଜ୍ଞାପନରେ ଘୋଷିତ ହେଲା । ପ୍ୟାରୀମୋହନ ୧୮୭୦ରେ କମିଟି ହାତରେ ଯେଉଁ ଇତିହାସ ବହିର ପାଣ୍ଡୁଲିପି ଦେଲେ ୧୮୭୫ରେ ଜଏଣ୍ଟ ଇନିସ୍‌ପେକ୍ଟରଙ୍କ ଦ୍ୱିତୀୟବାର ବିଜ୍ଞାପନ ପରେ ତାହାକୁ ପୁନର୍ବାର ତାଙ୍କୁ ଦିଆଗଲା । ସେ ମହାଶୟଙ୍କ ଦପ୍ତରରେ ପାଣ୍ଡୁଲିପି ବର୍ଷେକାଳ ପଡ଼ିରହି କେତେକ ସଂଶୋଧନ ନିମନ୍ତେ ଲେଖକଙ୍କୁ ଫେରସ୍ତ ଦିଆଗଲା । ଶେଷରେ ୧୮୭୯ରେ ଏହା ଲେଖକଙ୍କ ମୁଖବନ୍ଧ ସହିତ ପ୍ରକାଶ ପାଇଲା । ବହିଟି ପ୍ରକାଶ ପାଇବା ମାତ୍ରେ “ଉତ୍କଳ ପୁସ୍ତକ ପରୀକ୍ଷା ସଭା”ର ସଭ୍ୟମାନେ ଛିଦ୍ରାନ୍ୱେଷଣରେ ଲାଗିପଡ଼ିଲେ । ଏହି “ପୁସ୍ତକ-ପରୀକ୍ଷା-ସଭା”ରେ ଶିକ୍ଷା ବିଭାଗୀୟ ଲୋକଙ୍କ ମଧ୍ୟରେ “ବାବୁ ଜଗନ୍‌ମୋହନ ରାୟ, ବାବୁ କାଳୀପଦ ବନ୍ଦୋପାଧ୍ୟାୟ, ଦୀନନାଥ ସରକାର, ଚଣ୍ଡୀଚରଣ ବନ୍ଦୋପାଧ୍ୟାୟ ଆଦିଙ୍କ ନାମ ଉଲ୍ଲେଖ ଯୋଗ୍ୟ । ଲେସି ସାହେବ ଥିଲେ “ପରୀକ୍ଷା ସଭା”ର ସଭାପତି । ସେ କାଳର ଡେପୁଟୀ ଇନିସ୍‌ପେକ୍ଟର ବାବୁ ଉମାଚରଣ ହାଲ୍‌ଦାର ବଂଗ ଲିପିରେ ଓଡ଼ିଆ ଅକ୍ଷର ଲେଖିବା ନିମନ୍ତେ ଏକ ଚକ୍ରାନ୍ତ ଚଳାଇ ବାଲେଶ୍ୱରରୁ ସ୍ଥାନାନ୍ତରିତ ହୋଇଥିଲେ । ଏମାନେ ସମସ୍ତେ ପ୍ୟାରୀମୋହନଙ୍କ ଗ୍ରନ୍ଥକୁ କିପରି ଅଚଳ କରାଯିବ ତାର ଯୋଜନା ପ୍ରସ୍ତୁତ କଲେ । କୁଚକ୍ରୀଙ୍କ ବୁଦ୍ଧିଦାତା ଥିଲେ ରାଜେନ୍ଦ୍ର ଲାଲ୍ ମିତ୍ର । ତା ୨୬ ।୩।୧୮୭୦ରେ ଉତ୍କଳ ଦୀପିକାରେ ପ୍ରକାଶ ପାଇଲା, “ଗତ ପ୍ରକାଶିତ ବାଲେଶ୍ଵର ସଂବାଦ ବାହିକାରୁ ଅବଗତ ହେଲୁ ଯେ ଉକ୍ତ ଜିଲ୍ଲାସ୍କୁଲ ସମୂହର ଡେପୁଟୀ ଇନିସ୍‌ପେକ୍ଟର ବାବୁ ଶିବଦାସ ଭଟ୍ଟାଚାର୍ଯ୍ୟ ଉତ୍କଳ ଭାଷା ଉଚ୍ଛେଦର ଚେଷ୍ଟା କରିବାରୁ ବାଲେଶ୍ୱର ସହରସ୍ଥ ପ୍ରାୟ ସମସ୍ତ ଜମିଦାର, ମହାଜନ, ସରକାରୀ କର୍ମଚାରୀ ପ୍ରଭୃତି ତାହାଙ୍କ ବଦଳି ପାଇଁ ଇନିସ୍‌ପେକ୍ଟର ସାହେବଙ୍କଠାରେ ଦରଖାସ୍ତ କରି ଅଛନ୍ତି । XX ବାଲେଶ୍ୱରବାସୀମାନେ ଯାହା କରିଛନ୍ତି ତାହା ଉଚିତ ହୋଇଛି ।” (ଉ :ଦୀ ୫/୧୩) ଏକ ଦିଗରେ ଓଡ଼ିଆ ବିଦ୍ୱେଷୀ, ଅନ୍ୟ ଦିଗରେ ସଂଗ୍ରାମୀ ଓଡ଼ିଆ ଭାଷାପ୍ରେମୀ, ଏହାର ପରିଣାମ କ’ଣ ହେଲା ନିମ୍ନ ଉଦ୍ଧୃତିରୁ ଜଣାପଡ଼େ । (କଲିକତାରୁ “ଡେଲି ନିଉଜ୍” ନାମକ ଏକ ସରକାରୀ କାଗଜ ପ୍ରକାଶ ପାଉଥିଲା । ଏହି କାଗଜକୁ ଜଣେ କେହି ବଙ୍ଗୀୟ ଲେଖକ ଏକ ପତ୍ର ପ୍ରେରଣ କରିଥିଲେ ।)

 

“ବାବୁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ କୃତ – “ଓଡ଼ିଶାର ଇତିହାସ” ସମ୍ପର୍କରେ ଭାରି ଗଣ୍ଡଗୋଳ ଲାଗିଛି । ଉକ୍ତ ପୁସ୍ତକରେ କେତେକ ଅଂଶ ପରିତ୍ୟକ୍ତ ହୋଇଅଛି ମାତ୍ର ଜଗନ୍ନାଥଙ୍କ ବିଷୟ ଯାହା ଲେଖା ଅଛି ତାହା ରହି ଅଛି । xx ଜଗନ୍ନାଥ ମୂର୍ତ୍ତି, କଳା ପାହାଡ଼ର ଅତ୍ୟାଚାର ବିଷୟରେ ଯାହା ଉକ୍ତ ଇତିହାସରେ ଲେଖାଅଛି ତହିଁରେ ବଡ଼ ଭ୍ରମ ଜାତ ହୋଇଅଛି ।” “ପ୍ୟାରୀମୋହନ ଆଚାର୍ଯ୍ୟଙ୍କ କୃତ ଓଡ଼ିଶାର ଇତିହାସ” ଶିରୋନାମାରେ ଏକ ଦୀର୍ଘ ବ୍ୟଙ୍ଗାତ୍ମକ ଲେଖା ଉତ୍କଳ ଦୀପିକା ୧୫/୧୨ ସଂଖ୍ୟାରେ ୨୦। ୩ ।୧୮୮୦ରେ ପ୍ରକାଶ ପାଇବା ପରେ ଲୋକେ ଜାଣିଲେ ଯେ କୁଚକ୍ରୀମାନେ ‘ଓଡ଼ିଶାର ଇତିହାସ’ର ଗଳାଚ୍ଛେଦ ପାଇଁ ସକ୍ରିୟ ।

 

ଦୀପିକା ‘ଓଡ଼ିଶାର ଇତିହାସ’ ଗ୍ରନ୍ଥର ପ୍ରଶଂସା କରି ଲେଖିଲେ, “ଓଡ଼ିୟା ଭାଷାରେ ଓଡ଼ିଶାର ଇତିହାସ ଆଦୌ ନଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ସଟନ ସାହେବଙ୍କ ସଂକଳିତ ପୁସ୍ତକ କେବଳ ନାମ ମାତ୍ର ଇତିହାସ ଅଟଇ ।” ଭ :ଦୀ: ୧୪/୩୮ (୨୦/୯/୧୮୭୯)

 

ଉତ୍କଳ ଦୀପିକା ୧୫/୪(୧୩/୪/୧୮୮୦)ରେ “କାଳିବାବୁଙ୍କ ଗଣ୍ଡଗୋଳ” ଶୀର୍ଷକ ଯେଉଁ ସମ୍ବାଦ ପ୍ରକାଶ ପାଇଲା ଏହି ସମ୍ବାଦରେ କୁହାଯାଇଥିଲା ଯେ କାଳୀବାବୁ “ଓଡ଼ିଶା ଇତିହାସ”ରେ ଥିବା “କଳାପାହାଡ଼ ବୃତ୍ତାନ୍ତ”କୁ ନେଇ ତାଙ୍କ ପ୍ରତିକୂଳ ମନ୍ତବ୍ୟର ଛପା ଫର୍ଦ୍ଦ ଅନେକ ଲୋକଙ୍କୁ ବଣ୍ଟନ କରିଥିଲେ । ପ୍ୟାରୀବାବୁ ଇତିହାସ ନ ଲେଖି ଅନେକ “କପୋଳ କଳ୍ପିତ” କଥା ଲେଖିଥିବା କଥା କାଳୀବାବୁ ସୂଚାଇ ଥିଲେ । କାଳୀବାବୁଙ୍କ ସମାଲୋଚନାର ଉତ୍ତର ଦେବାକୁ ଯାଇ ଦୀପିକା ଲେଖିଥଲେ, “କାଳୀବାବୁ ଆପଣା ମତ ପୋଷକତା ଉଦ୍ଦେଶ୍ୟରେ ତିନି ବର୍ଣ୍ଣନାକୁ ଏକତ୍ର ମୁଦ୍ରିତ କରି ଅଛନ୍ତି । ମାତ୍ର ତହିଁରୁ ତାଙ୍କ ମତର ପୋଷକତା ନହୋଇ ପ୍ୟାରୀବାବୁଙ୍କ ନିର୍ଦ୍ଦୋଷତା ପ୍ରମାଣିତ ହେଉଅଛି ।” ଦୀପିକା “ଓଡ଼ିଶାର ଇତିହାସ” ସଟନଙ୍କ ଇତିହାସଠାରୁ ଉନ୍ନତ ମାନର ବୋଲି ପ୍ରମାଣ କରିଛନ୍ତି । ସଟନଙ୍କୁ ଅନୁସରଣ ନ କରିବା ପ୍ୟାରୀବାବୁଙ୍କ ଦୋଷ ମଧ୍ୟରେ ଅନ୍ୟତମ ବୋଲି କାଳୀବାବୁ ଅଭିଯୋଗ କରିଥିଲେ । ସଟନ ଯାହା ଲେଖିଛନ୍ତି ତାର ଉଦ୍ଧୃତି ଦିଆଯାଇଛି ।

 

“କଳା ପାହାଡ଼ ରାଣ କଲା ଯେ ଓଡ଼ିଶା ଦେଶରେ କୌଣସି ହିନ୍ଦୁଧର୍ମର ଚିହ୍ନମାତ୍ର ନ ରହିବ । ଏଣୁ ସେ ବ୍ରାହ୍ମଣମାନଙ୍କ ପ୍ରତି ରାଗାନ୍ଧ ହୋଇ ସେମାନଙ୍କୁ ନାଶ କଲା । ସେ ଦେଉଳମାନଙ୍କୁ ଭାଙ୍ଗି ପକାଇ ପ୍ରତିମାମାନଙ୍କୁ ଖଣ୍ଡଖଣ୍ଡ କଲା । ମାତ୍ର ସବୁଠାରୁ ଜଗନ୍ନାଥଙ୍କ ବିରୁଦ୍ଧରେ ଅତିଶୟ କ୍ରୋଧିତ ହେଲା । ମାଦଳା ପାଞ୍ଜିରେ ଲେଖାଅଛି ଯେତେବେଳେ ପଣ୍ଡାମାନେ ଏହି ଦୁର୍ଘଟଣାର ବୃତ୍ତାନ୍ତ ସବୁ ବୁଝିଲେ ତେତେବେଳେ ତୃତୀୟ ଥର ଆପଣମାନଙ୍କର ଦେବତାକୁ ଶଗଡ଼ରେ ଲଦାଇ ଲୁଗାରେ ଆଚ୍ଛାଦନ କରି ବହନ ନେଇ ଯାଇ ପାରିକୁଦ ନାମକ ଚିଲିକା କୂଳସ୍ଥ ଏକ ଗଡ଼ରେ ତାହାଙ୍କୁ ପୋତି ରଖିଲେ । ମାତ୍ର ଏମନ୍ତ ସହଜ କରି କଳା ପାହାଡ଼କୁ ଏହି ବହୁ ମୂଲ୍ୟ ଦ୍ରବ୍ୟରୁ ବଞ୍ଚିତ ହେବାକୁ ନ ହୁଅନ୍ତା । ସେ ଅନେକ ଖୋଜି ଶେଷରେ ଆପଣା ଗୁପ୍ତ ସ୍ଥାନରୁ ସେ ମୂର୍ତ୍ତିକି କାଢ଼ି ଗୋଟା ହାତୀ ଉପରେ ତାହାକୁ ଲଦାଇ କ୍ଷେତ୍ରରେ ଆଉ ସବୁ ପିତୁଳିକି ଭାଙ୍ଗି ପକାଇ ଜଗନ୍ନାଥଙ୍କୁ ତମଲୁକ ଆଡ଼କୁ ଘେନିଗଲା । ଏ ଉତ୍ତାରୁ ସେ ଗଙ୍ଗାକୂଳରେ ବଡ଼ ନିଆଁ ଢିପି କରି ଜଗନ୍ନାଥଙ୍କୁ ସେ ଜଳନ୍ତା କାଠ ଉପରେ ଫୋପାଡ଼ି ଦେଲା ମାତ୍ର ସେହିକ୍ଷଣି ନିନ୍ଦୁକର ଅଙ୍ଗପ୍ରତ୍ୟଙ୍ଗ ଖସି ପଡ଼ି ସେ ଅତ୍ୟନ୍ତ କଷ୍ଟରେ ପ୍ରାଣ ଛାଡ଼ିଲା । xx ଏ ସବୁ କର୍ମକୁ ବିଶ୍ଵର ମହାନ୍ତି ବୋଲି ଜଣେ ବିଶ୍ୱସ୍ତ ସେବକ ଜଗିବସି ସେହି ଦରପୋଡ଼ା ମୂର୍ତ୍ତିକି ଗୁପ୍ତରୂପରେ ସ୍ରୋତରୁ କାଢ଼ି ଅତି ଯତ୍ନ କରି ଓଡ଼ିଶା ଦେଶକୁ ବାହୁଡ଼ାଇ ଆଣି କୁଜଙ୍ଗ ଖଣ୍ଡାଇତଠାରେ ସାବଧାନ ରୂପେ ସମର୍ପିଦେଲା । ଏହି ବୃତ୍ତାନ୍ତରେ ବହୁତ ଅମିଳନ କଥା ଅଛି ଏଣୁ କରି ପାଠକ ଯେତେ କଥାକୁ ସତ୍ୟ ମଣି ପାରଇ ତେତିକି ବିଶ୍ୱାସ କରିବ ।” (ସୁଧାକର ପଟ୍ଟନାୟକ ସମ୍ପାଦିତ “ସମ୍ବାଦ ପତ୍ରରୁ ଓଡ଼ିଶାର କଥା’ରୁ ସଂଗୃହୀତ -ପୃ ୬୬୮-୬୯)

 

ପ୍ୟାରୀମୋହନ ଲେଖିଥିବା ପଞ୍ଚମ ଅଧ୍ୟାୟରେ ଥିବା ଆପତ୍ତି ଜନକ “କପୋଳ କଳ୍ପିତ” ଅଂଶଟି ଏହିପରି ।

 

“ପୁରୀ ଜୟ କରି ହିନ୍ଦୁ ଦେବ ଦେବୀଙ୍କ ଉପରେ କଳାପାହାଡ଼ ଘୋର ଅତ୍ୟାଚାର ଆରମ୍ଭ କଲେ । ଜଗନ୍ନାଥ ଦେବଙ୍କ ସେବକମାନେ ଜଗନ୍ନାଥଙ୍କୁ ଘେନି ଚିଲିକା ହ୍ରଦ ତୀରବର୍ତ୍ତୀ ପାରିକୁଦ ନାମକ ସ୍ଥାନରେ ପୋତି ରଖିଲେ । ଦୁର୍ଦ୍ଦାନ୍ତ କଳା ପାହାଡ଼ ସେ ବିଷୟରେ ସନ୍ଧାନ ପାଇ ଜଗନ୍ନାଥ ଦେବଙ୍କୁ ଖୋଳି ହସ୍ତୀ ପିଠିରେ ଲଦି ଗଙ୍ଗାକୂଳକୁ ଘେନି ଗଲେ ଓ ଗଙ୍ଗାକୂଳରେ ଜଳୁଥିବା ଏକ ଚିତାଗ୍ନିରେ ପୋଡ଼ି ଦେବା ପାଇଁ ନିକ୍ଷେପ କଲେ । କିନ୍ତୁ ଓଡ଼ିଶାବାସୀଙ୍କର ଜଗନ୍ନାଥଙ୍କ ପ୍ରତି ଭକ୍ତି ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଦଗ୍ଧୀଭୂତ ହେବାକୁ ଦେଲା ନାହିଁ । ଜଗନ୍ନାଥ ଦେବ ଚିତାଗ୍ନିରେ ପୋଡ଼ି ନ ଯାଉଣୁ ବିଶାର ମହାନ୍ତି ନାମକ ଏକ ବ୍ୟକ୍ତି ତାଙ୍କୁ ଓଟାରି ନେଲା ଓ ତାଙ୍କ ନାଭି ସ୍ଥଳ ଉଦ୍ଧାର କରି ନେଇ ଓଡ଼ିଶାକୁ ପ୍ରତ୍ୟାଗତ ହେଲା । କୁଜଙ୍ଗ ରାଜା ଅବଶେଷରେ ଜଗନ୍ନାଥଙ୍କର ସେହି ନାଭି ସ୍ଥଳ ପ୍ରାପ୍ତ ହୋଇ ତାଙ୍କର ପ୍ରତିଷ୍ଠା କରାଇଲେ । (ସେଖ ମତଲୁବ୍ ଅଲ୍ଲୀ ସଂପାଦିତ “ଓଡ଼ିଶାର ଇତିହାସ” - ପୃ ୧୧୪-୧୧୫)

 

ପ୍ୟାରୀମୋହନଙ୍କ ଇତିହାସରୁ ମାଦଳା ପାଞ୍ଜୀରେ ଥିବା “ପଠାଣର ଦେହ ଖଣ୍ଡ ଖଣ୍ଡ ହୋଇ ଫାଟିଗଲା” ଅଂଶରେ ଅତିବାଦ ଥିବାରୁ ତାହାକୁ ଲେଖକ ବାଦ ଦେଇଛନ୍ତି ମାତ୍ର ସଟନ ସାହେବ ତାହାକୁ ଲେଖି ସେଥିରେ “ଅମିଳନ କଥା” ଅଛି ବୋଲି କହି ତାହା କେତେଦୂର ସତ୍ୟ ସେ ବିଷୟରେ ସନ୍ଦେହ ପ୍ରକାଶ କରିଛନ୍ତି ।

 

କାଳୀ ବାବୁଙ୍କ ଅନ୍ୟ ଏକ ଆକ୍ଷେପ ହେଲା ଇଂରେଜ ସରକାର ଚିରସ୍ଥାୟୀ ବନ୍ଦୋବସ୍ତ ସମ୍ପର୍କରେ “ଆଶା ଦେଇଥିଲେ” ମାତ୍ର ଆଇନ୍ କରି ଲୋକଙ୍କୁ ସେହି ପ୍ରତିଶ୍ରୁତି ପାଳନର ସୁବିଧାରୁ ବଞ୍ଚିତ କଲେ ବୋଲି ଲେଖକ କହି ସରକାରଙ୍କୁ ନିନ୍ଦା କରିଛନ୍ତି । “ବଞ୍ଚିତ” ଶବ୍ଦର ଅର୍ଥ ପ୍ରବଞ୍ଚନା କରିବା ବା ଠକିବା । “ଏପରି ମନ୍ଦ କଥା ବ୍ୟବହାର ହେବାର ଦୋଷ ହେତୁ” ତାହାକୁ ପାଠ୍ୟ ପୁସ୍ତକ ତାଲିକାରୁ ବାଦ ଦେବାକୁ ସେ ପଶି ସାହେବଙ୍କୁ ଲେଖିଲେ । ଏହାପରେ ପଶି ସାହେବ ଗୋଟିଏ ମିଟିଂ ଡକାଇ ଯେଉଁ ସିଦ୍ଧାନ୍ତରେ ଉପନୀତ ହେଲେ ତାର ନିଷ୍କର୍ଷ ଏହିପରି – “ଚିତାଗ୍ନିର ଅର୍ଥ ଶବଦାହ ନୁହେଁ । କାଠଗଦାକରି ନିଆଁ ଲଗାଇଲେ ତାହା ଚିତାଗ୍ନି ବୋଲାଇବ । ଏହି ପ୍ରକାରରେ କାଳୀବାବୁଙ୍କର ବୃଥା ଅଭିମାନ ଖଣ୍ଡନ ହୋଇ ପୁସ୍ତକ ଖଣ୍ଡିକ ରକ୍ଷା ପାଇଲା ।” (ଉ.ଦୀ, ୧୩/୪/୮୦ ସଂଖ୍ୟା) ଦୀପିକା କାଳୀ ବାବୁଙ୍କ ବିରୁଦ୍ଧରେ “ଜଗନ୍ନାଥୀ ୨ ନମ୍ବର” ଶିରୋନାମାରେ ପୁନର୍ବାର କେତେ କଥା ଲେଖିଲେ । କ୍ରମେ କୁଚକ୍ରୀ ଗୋଷ୍ଠୀଙ୍କ ଉଦ୍ୟମରେ ୮ ।୫ ।୧୮୮୦ ତାରିଖରୁ ପ୍ୟାରୀ ମୋହନଙ୍କ ଇତିହାସକୁ ଉଚ୍ଛେଦ କରାଗଲା ।

 

ଉପସଂହାର : ଫକୀର ମୋହନଙ୍କ ‘ବାହିକା’ ଏବଂ ପ୍ୟାରୀମୋହନଙ୍କ ‘ଉତ୍କଳ ପୁତ୍ର’ରେ ବଙ୍ଗୀୟମାନଙ୍କ ଅମର୍ଯ୍ୟାଦା ସୂଚକ ବାଣୀକୁ କର୍କଶ ଭାଷାରେ ନିନ୍ଦା କରାଯାଉଥିଲା । ରାଜେନ୍ଦ୍ର ଲାଲ ମିତ୍ର ତାଙ୍କ ଏମ୍.ଏ ଉପାଧିରୁ ‘ଷ’ ଲୋପ କରିଥିବା କଥା “କସ୍ୟଚିତ୍ ଉତ୍କଳ ପୁତ୍ରସ୍ୟ”ଙ୍କର ଆକ୍ଷେପ ଦୀପିକାରେ ପ୍ରକାଶ ପାଇଥିଲା । ଅର୍ଥାତ୍ ରାଜେନ୍ଦ୍ର ଲାଲ ମଣିଷ ନୁହନ୍ତି “ଏକ ମେଷ” । ଅମୃତ ବଜାର ପତ୍ରିକାରେ ଦୀନନାଥ ବନ୍ଦୋପାଧ୍ୟାୟ “ଉଡ଼ିୟା” ଶିରୋନାମାରେ ୯/୫/୭୩ରେ ଗୋଟିଏ ପ୍ରବନ୍ଧରେ “ଓଡ଼ିଆ ଭାଷା ଅନାର୍ଯ୍ୟଙ୍କ ଭାଷା” ଲେଖିଥିବାରୁ ଉତ୍କଳ ପୁତ୍ର ତାର ପ୍ରତିବାଦ କରି ୧/୩ ସଂଖ୍ୟା (୧୬-୫-୧୮୭୩ରେ) ଲେଖିଥଲେ, ବାହାବା, ବାହାବା, ବାବୁଙ୍କ ଉକ୍ତ ବିଷୟରେ ମତର ସ୍ଥୈର୍ଯ୍ୟ ଜାଣି ନ ପାରିଲାରୁ ଉପଯୁକ୍ତ ପ୍ରମାଣ ଦର୍ଶାଇ ବାବୁଙ୍କ ମତ ଖଣ୍ଡନ କରିବାକୁ ମାନସ ବଳିଲା ନାହିଁ ।” ବଙ୍ଗୀୟ ପଦସ୍ଥ କର୍ମଚାରୀମାନେ ଫକୀର ମୋହନ ଏବଂ ପ୍ୟାରୀମୋହନଙ୍କୁ ସହି ପାରୁ ନଥିବାରୁ ସେମାନଙ୍କ ରଚିତ ଇତିହାସ ଗ୍ରନ୍ଥ ଦ୍ୱୟ ପୁସ୍ତକ ତାଲିକାରୁ ବାଦ୍ ପଡ଼ିଲା । ଓଡ଼ିଶାରେ ଉତ୍କଳ ଭାଷୋପଦ୍ଦୀନୀ-ସଭାର ଦ୍ୱିତୀୟ ବର୍ଷର ପ୍ରଥମ ବୈଠକ ବସିଥିଲା ଜୁଲାଇ ୧୮୭୪ରେ । (ଉ.ଦୀ. ୯/୨୮ ସଂଖ୍ୟା ୧୧/୭/୧୮୭୪) । ୧୮୭୩ ବର୍ଷରେ ଏହି ସଭାର ୪୨ଗୋଟି ଅଧିବେଶନ ହୋଇଥିଲା । ଏଥିରେ ଗୌରୀଶଙ୍କର ରାୟ ଓ ଅନେକ ଉତ୍କଳ ଭାଷାପ୍ରେମୀ କେତେଜଣ ବଙ୍ଗାଳୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯଦି ଗୌରୀଶଙ୍କର ରାୟଙ୍କ ପରି ମସୀ-ଅସି ଚାଳକ ନ ଥାଆନ୍ତେ ତେବେ ଓଡ଼ିଆ ଭାଷା ତତ୍‍କାଳିକ ରାଜ ଦରବାରେ ସ୍ୱତନ୍ତ୍ର ଭାଷା ଭାବେ ପ୍ରତିଷ୍ଠା ପାଇ ନଥାନ୍ତା ।

 

ଟୋଲଙ୍କ/ମୋତିଗଞ୍ଜ, ବାଲେଶ୍ଵର ।

***

 

‘ଲାବଣ୍ୟବତୀ’ରେ ଉପେନ୍ଦ୍ର ଭଂଜଙ୍କ କବିତ୍ଵ

ଡକ୍ଟର ନୀଳାଦ୍ରିଭୂଷଣ ହରିଚନ୍ଦନ

 

ଉପେନ୍ଦ୍ର ଭଂଜଙ୍କ କବିତ୍ୱକୁ ଯଥାର୍ଥ ଭାବେ ଚିହ୍ନିବା ପାଇଁ ଏପର୍ଯ୍ୟନ୍ତ କୌଣସି ଦୃଷ୍ଟିଆକର୍ଷକ ଉଦ୍ୟମ କରାଯାଇ ନାହିଁ । ଯେଉଁମାନେ ତାଙ୍କ କାବ୍ୟକୃତି ଉପରେ ଆଲୋଚନା କରି ଆସିଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶଙ୍କର ‘କବିତ୍ୱ’ ସଂପର୍କରେ ଧାରଣା ସ୍ପଷ୍ଟ ନୁହେଁ । ଶବ୍ଦଶିଳ୍ପକୁ କବିତ୍ୱ ଭାବେ ବିଚାରି ଥିବାରୁ ଉପେନ୍ଦ୍ରଭଂଜଙ୍କ ପ୍ରକୃତ କବିତ୍ୱ ନିକଟରେ ପହଞ୍ଚିବା ସେମାନଙ୍କ ପକ୍ଷରେ ସଂଭବ ହୋଇ ନାହିଁ । ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଭଂଜ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ବହୁ ବକ୍ତୃତା ଶୁଣିବାକୁ ମିଳିଥାଏ । ବକ୍ତାମାନେ ଉପେନ୍ଦ୍ରଭଂଜଙ୍କ କାବ୍ୟର ବିଭିନ୍ନ ଉଦ୍ଧୃତି ଦେଇ ଲଂଫ୍‌ଝଂପ୍ ପୂର୍ବକ ବକ୍ତୃତା କରି ଶ୍ରୋତାମାନଙ୍କୁ ମୁଗ୍ଧ କରିବାର ଚେଷ୍ଟା କରିଥାନ୍ତି । କିନ୍ତୁ ବକ୍ତୃତା ପ୍ରସଂଗରେ ସେମାନେ ଦେଉଥିବା ଉଦ୍ଧୃତିଗୁଡ଼ିକୁ ପରୀକ୍ଷା କଲେ ଜଣାଯିବ ଯେ ସେଗୁଡ଼ିକ କେବଳ ଧ୍ୱନିମାଧୁର୍ଯ୍ୟ ପୂର୍ଣ୍ଣ ଏବଂ ଶ୍ରବଣସୁଖଦାୟକ; ହୃଦୟର ନିବିଡ଼ ଭାବାନୁଭୂତିକୁ ଉଦ୍‌ବୋଧିତ କରିବାର ଶକ୍ତି ସେମାନଙ୍କର ନାହିଁ । ଏପରି ବକ୍ତା ବା ସମାଲୋଚକମାନଙ୍କ ଦ୍ୱାରା ଉପେନ୍ଦ୍ରଭଂଜଙ୍କ ଅସାଧାରଣ ଶବ୍ଦ ଯୋଜନା ଓ ଶବ୍ଦ ନିର୍ମାଣ କୌଶଳ ପରି କାବ୍ୟଶିଳ୍ପର ଗୌଣ ଦିଗଟି କେବଳ ଉନ୍ମୋଚିତ ହୁଏ । ପ୍ରଧାନ ହୃଦୟ ସଂବେଦୀ ଭାବଜଗତଟି ଉଦ୍‌ଭାସିତ ହୁଏ ନାହିଁ । ବହୁ ପାଠକ ଓ ସମାଲୋଚକ ଭଂଜୀୟ ପ୍ରତିଭା ପ୍ରତି ସପ୍ରଶଂସ ଥିଲାବେଳେ କେତେକ ଉପେନ୍ଦ୍ର ଭଞ୍ଜଙ୍କର କବିତ୍ୱ ଶକ୍ତି ଉପରେ ସନ୍ଦେହ ପ୍ରକାଶ କରି ତାଙ୍କର କାବ୍ୟ କେବଳ ଦୁର୍ବୋଧ୍ୟ କ୍ଲିଷ୍ଟ ଶବ୍ଦାବଳୀ ପରିପୂରକ ବୋଲି କହିଥାନ୍ତି । ପ୍ରକୃତ ପକ୍ଷେ ଭଂଜଙ୍କ କବିତାର ଭାବସାବଲ୍ୟ ଅପେକ୍ଷା ଶବ୍ଦାଡମ୍ବରମୟତା ସହଜଲକ୍ଷ୍ୟ । ତେବେ ତାଙ୍କର କାବ୍ୟ ସୃଷ୍ଟିକୁ କୌଣସି ପ୍ରକାରେ କବିତ୍ୱ କଳାବର୍ଜିତ ବୋଲି କହିହେବ ନାହିଁ ।

 

ଆଳଙ୍କାରିକ କାବ୍ୟ ସୃଷ୍ଟି ଲାଗି ଭଂଜଙ୍କ ଉତ୍ସାହ ଏକ ଭ୍ରାନ୍ତ ଉତ୍ସାହ ହୋଇପାରେ କିମ୍ବା ଏକ ରାଜପୁତ୍ରୋଚିତ ଅହଂକାର ହୋଇପାରେ କିନ୍ତୁ ସେ ଯେ ଦୁଇ ଶତାବ୍ଦୀର ଊର୍ଦ୍ଧ୍ୱକାଳ ଓଡ଼ିଆ ସାହିତ୍ୟ ଜଗତରେ ଆଳଙ୍କାରିକ କାବ୍ୟର ଏକ ବିରାଟ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଛନ୍ତି, ଏକଥା ଅସ୍ୱୀକାର କରି ହେବନାହିଁ । ବସ୍ତୁତଃ ଏହି ସାମ୍ରାଜ୍ୟର ଐଶ୍ୱର୍ଯ୍ୟ ହିଁ ମଧ୍ୟକାଳୀନ ଭାରତୀୟ ସାହିତ୍ୟ କ୍ଷେତ୍ରରେ ଓଡ଼ିଆ ଆଳଙ୍କାରିକ ସାହିତ୍ୟକୁ ଏକ ସମ୍ମାନଜନକ ଆସନ ପ୍ରଦାନ କରିଛି । ଭଂଜଙ୍କ ବ୍ୟକ୍ତିତ୍ୱର ଏକ ଅନମନୀୟ ସତ୍ତା ତାଙ୍କୁ ସଂସ୍କୃତ ସାହିତ୍ୟ ସହ ସମସ୍ପର୍ଦ୍ଧ ହେବାକୁ ଉତ୍ସାହ ପ୍ରଦାନ କରିଛି । ଭଂଜୀୟ କାବ୍ୟରେ ସଂସ୍କୃତର ସମସ୍ତ ପ୍ରକାର ଅଳଂକାର ଓ କାବ୍ୟ କୌଶଳର ପ୍ରୟୋଗ ଓଡ଼ିଆ ସାହିତ୍ୟକୁ କରିଛି ଗୌରବ ବିଭୂଷିତ । ଏହାଦ୍ଵାରା କିନ୍ତୁ ଓଡ଼ିଆ ସାହିତ୍ୟ ଯେତିକି ଲାଭବାନ ହୋଇଛି, ସେତିକି ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ମଧ୍ୟ ।

 

ସାରଳା ଦାସଙ୍କ ସମୟରୁ (୧୫ଶ ଶତାବ୍ଦୀରୁ) ଓଡ଼ିଆ ଭାଷା ଯେଉଁ କାବ୍ୟିକ ସୌକୁମାର୍ଯ୍ୟ ଓ ସ୍ଵଚ୍ଛନ୍ଦତା ଲାଭ କରି ଆସିଥିଲା, ତାହା ଆଳଂକାରିକ କାବ୍ୟ ଯୁଗରେ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେଲା । ଓଡ଼ିଆ ଭାଷା ଓ କାବ୍ୟିକ ଚିନ୍ତାର ବିକାଶ ଅଧିକ ପରିମାଣରେ ପ୍ରସାରଣଶୀଳ ହେବା ପରିବର୍ତ୍ତେ ପଶ୍ଚାଦ୍‌ଗାମୀ ହୋଇପଡ଼ିଲା । ସାରଳା ଦାସଙ୍କ ପରି ଚିନ୍ତାଗତ ସ୍ୱାଧୀନତା ନ ଥିବା ହେତୁ ଉପେନ୍ଦ୍ର ଭଂଜଙ୍କ ଦୃଷ୍ଟି ଏକ ସୀମିତ ଜଗତ ଭିତରେ ଆବଦ୍ଧ ରହିଲା । ସାରଳା ଦାସଙ୍କ ଦିଗନ୍ତ ପ୍ରସାରୀ ଦୃଷ୍ଟିକୁ ସ୍ଵଳ୍ପ ପରିମାଣରେ ଅନୁସରଣ କରିଥିଲେ କିମ୍ବା ଦୀନକୃଷ୍ଣଙ୍କ ପରି ନିର୍ମଳ କବିତ୍ୱ ଆଚରଣ କରିଥିଲେ ଭଞ୍ଜ ଓଡ଼ିଆ ସାହିତ୍ୟକୁ ହୁଏତ ଏକ ବିରାଟ ଉଚ୍ଚତାକୁ ପହଞ୍ଚାଇ ଦେଇ ପାରିଥାନ୍ତେ । ସେହିପରି ପ୍ରତିଭାର ଅଧିକାରୀ ଥିଲେ ସେ । କିନ୍ତୁ ରାଜ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ଏକ ପ୍ରତିଭାବାନ କବିର ବ୍ୟାପକ ଦୃଷ୍ଟି ବହୁ ପରିମାଣରେ ସଂକୁଚିତ ହୋଇ ପଡ଼ିଛି । ରାଜ ଦରବାରର ଆଡ଼ମ୍ବରପୂର୍ଣ୍ଣ କାବ୍ୟ ବିଳାସ ଏବଂ ଦରବାରାଶ୍ରିତ ସଂସ୍କୃତ କବି ପଣ୍ଡିତଙ୍କ ପ୍ରଭାବ ତାଙ୍କର କାବ୍ୟ ଭାବନାକୁ ନିୟନ୍ତ୍ରିତ କରିବା ସଂଗେ ସଂଗେ କବିର ସ୍ୱାଧୀନତାକୁ ଯେ ଖର୍ବ କରିଛି, ଏ କଥା ନିଶ୍ଚିତ । ଓଡ଼ିଆ ଭାଷାରେ ଯଥେଷ୍ଟ ଦକ୍ଷତା ଥିବା ସତ୍ତ୍ୱେ ସ୍ୱକୀୟ କାବ୍ୟ ଭାବନାର ପ୍ରକାଶ ଲାଗି ସେ ସଂସ୍କୃତ ଭାଷାକୁ ପ୍ରାଧାନ୍ୟ ଦେଇଛନ୍ତି । ସଂସ୍କୃତ ଆଳଂକାରିକ କାବ୍ୟ ଶୈଳୀକୁ ଆଦର୍ଶ ରୂପେ ଗ୍ରହଣ କରିବା ହିଁ ଏହାର ମୂଳ କାରଣ ।

 

ସଂସ୍କୃତ ସାହିତ୍ୟର ଦୁଇଟି କାବ୍ୟ ଶୈଳୀ ମୁଖ୍ୟତଃ ମଧ୍ୟଯୁଗୀୟ କାବ୍ୟ ରଚନାକୁ ପ୍ରଭାବିତ କରିଛି । ଏ ଦୁଇଟି ଶୈଳୀ ମଧ୍ୟରୁ ଗୋଟିଏ ହେଉଛି ଶ୍ରୀହର୍ଷ, ମାଘ ପ୍ରବର୍ତ୍ତିତ ଆଳଙ୍କାରିକ ଶୈଳୀ ଏବଂ ଅନ୍ୟଟି କାଳିଦାସ ପ୍ରବର୍ତ୍ତିତ ସ୍ୱଭାବସିଦ୍ଧ ଭାବପ୍ରଧାନ ଶୈଳୀ । ରଘୁବଂଶ କାବ୍ୟର ଆରମ୍ଭରେ ନମସ୍କ୍ରିୟା ଅଂଶରେ କାଳିଦାସ ନିଜର କାବ୍ୟଶୈଳୀ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ‘ବାଗର୍ଥ’ ଶବ୍ଦକୁ ବ୍ୟବହାର କରି । (‘ବାଗର୍ଥାବି ସଂପୃକ୍ତେବା ବାଗର୍ଥ ପ୍ରତିପତ୍ତୟେ ଜଗତଃ ପିତରୌ ବନ୍ଦେ ପାର୍ବତୀ ପରମେଶ୍ଵରୌ) । ବାକ୍ ସହିତ ଅର୍ଥର ନିବିଡ଼ ସଂଯୋଗ ଘଟିଲେ ଉତ୍ତମ କାବ୍ୟ ସୃଷ୍ଟି ସଂଭବ । ବାକ୍ ବା କାବ୍ୟବାଣୀ ଅର୍ଥ ପୂର୍ଣ୍ଣ ବା ଭାବମୟ ହେବା ସର୍ବାଦୌ ଆବଶ୍ୟକ । ଭାବ ବିନା କାବ୍ୟବାଣୀ ପାଠକର ହୃଦୟକୁ ରସାଭିଭୂତ କରି ପାରେନାହିଁ । କାଳିଦାସିକ ରଚନା ଆଜି ସମଗ୍ର ବିଶ୍ଵମାନବ ପ୍ରାଣରେ ଆଲୋଡ଼ନ ସୃଷ୍ଟି କରୁଥିବା ବେଳେ ଶ୍ରୀ ହର୍ଷ, ମାଘ ଆଦି ଆଳଂକାରିକ କବିମାନଙ୍କ ରଚନାର ପ୍ରଭାବ ନାହିଁ । କାରଣ ଉଚ୍ଚକୋଟୀର ଭାବ ହିଁ କବିତ୍ୱକୁ ଚିରନ୍ତନତା ପ୍ରଦାନ କରିବାକୁ ସମର୍ଥ । ଭଂଜକବି କାଳିଦାସୀୟ ମାର୍ଗକୁ ଅନୁସରଣ ନ କରି ଶ୍ରୀ ହର୍ଷୀୟ ମାର୍ଗକୁ ଅନୁସରଣ କରିଥିବା ହେତୁ କାବ୍ୟଭାଷାକୁ ଅକାରଣ କ୍ଲିଷ୍ଟ କରି ପକାଇଛନ୍ତି । ସରଳ ସାବଲୀଳ ଭାଷା ଅଭାବରେ ନିର୍ମଳ କବିତ୍ୱର ସ୍ଫୁରଣ ଘଟି ପାରିନାହିଁ । ନିର୍ମଳ କବିତ୍ୱ ପ୍ରକାଶ ପାଇଁ ଯେଉଁ ମାନସିକ ସ୍ୱାଧୀନତା ଆବଶ୍ୟକ, ତାହା ସଂକୁଚିତ ହୋଇ ପଡ଼ିଛି ଗୋଟିଏ ନିର୍ଦ୍ଦିଷ୍ଟ କାବ୍ୟ ନିୟମର ବଂଧନ ଭିତରେ ରହି । ଅଥଚ ଅଳଂକାର ଯୁଗର ଅନ୍ୟତମ ଶ୍ରେଷ୍ଠ କବି ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’ର ବହୁ ଅଂଶରେ କବିତ୍ଵର ସ୍ଵଚ୍ଛ ପ୍ରକାଶ ଘଟିଛି ।

 

ଉପେନ୍ଦ୍ର ଭଂଜଙ୍କର ଶ୍ରେଷ୍ଠ କାବ୍ୟ ଭାବରେ ‘ଲାବଣ୍ୟବତୀ’ ସୁଧୀ ସମାଜ ଦ୍ୱାରା ସ୍ୱୀକୃତି ଲାଭ କରିଆସିଛି । ବିଷୟ କଳ୍ପନା, ଅଳଂକାର ଯୋଜନା, କାବ୍ୟ ଭାଷା ପ୍ରୟୋଗ ଏବଂ ଭାବାନୁଭୂତି ପ୍ରକାଶର ସ୍ୱାତନ୍ତ୍ର୍ୟ ଏଥିପାଇଁ ମୁଖ୍ୟତଃ ଦାୟୀ । ଉପେନ୍ଦ୍ର ଭଂଜ କେବଳ ଏହି ଧର୍ମୀୟ ନିଗଡ଼ମୁକ୍ତ କାବ୍ୟ ‘ଲାବଣ୍ୟବତୀ’ରେ ହିଁ ସ୍ଵକୀୟ କାବ୍ୟାଦର୍ଶ ଉପସ୍ଥାପନ କରିଛନ୍ତି । ଭଂଜୀୟ କାବ୍ୟ ବିଚାର ଲାଗି ଏହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଭଂଜ ତାଙ୍କର ଆଦର୍ଶକୁ ସାମଗ୍ରିକ କାବ୍ୟ ସୃଷ୍ଟିରେ କେତେଦୂର ରକ୍ଷା କରି ପାରିଛନ୍ତି ବା କରି ପାରିନାହାନ୍ତି, ତାହାର ବିଚାର ଲାଗି ଏହାକୁ ଆଧାର ଗ୍ରନ୍ଥ ଭାବେ ଗ୍ରହଣ କରାଯିବା ଉଚିତ । ଏହି ପ୍ରବନ୍ଧରେ ଉପେନ୍ଦ୍ର ଭଂଜଙ୍କ କବିତ୍ଵ ବିଚାର କଲାବେଳେ ପ୍ରୋକ୍ତ କାବ୍ୟ ଗ୍ରନ୍ଥଟିକୁ ହିଁ କେବଳ ଆଧାର ଭାବେ ଗ୍ରହଣ କରାଯାଇଛି ।

 

ଦୁର୍ଭାଗ୍ୟର ବିଷୟ ଯେ ‘ଲାବଣ୍ୟବତୀ’ କାବ୍ୟର ପରିକଳ୍ପନା କବି ଯେପରି ଭାବେ କରିଥିଲେ, ତାହା ସାର୍ଥକ ରୂପାୟନ ଲାଭ କରି ପାରିନାହିଁ । ତାହା ହୋଇଥିଲେ ଏହା ଓଡ଼ିଆ କାବ୍ୟ ଜଗତରେ ଏକ ଚରମ ଉତ୍କର୍ଷମୟ ଶିଳ୍ପ ସୃଷ୍ଟି ଭାବେ ପରିଗଣିତ ହୋଇଥାନ୍ତା । ତଥାପି ଯେତିକି ପରିମାଣରେ ଏହା ସାର୍ଥକତା ଲାଭ କରି ପାରିଛି, ତାହା ହିଁ ଏ କାବ୍ୟର ଶ୍ରେଷ୍ଠତା ପ୍ରତିପାଦକ । କାବ୍ୟର ମୁଖବଂଧ ସ୍ୱରୂପ ପ୍ରଥମ ଛାନ୍ଦଟି ‘ଲାବଣ୍ୟବତୀ’ର ଶ୍ରେଷ୍ଠ ଅଂଶ । ଏହି ଛାନ୍ଦରେ ହିଁ ଭଂଜଙ୍କ ଯଥାର୍ଥ କବିତ୍ୱ ଶକ୍ତିର ପରିଚୟ ମିଳେ । ଏହାର ଅନ୍ତର୍ଗତ କେତୋଟି ପଦ ପାଠକର ଭାବଜଗତକୁ ଗଭୀର ଭାବେ ଆଲୋଡ଼ିତ କରିବାର ସାମର୍ଥ୍ୟ ରଖେ । ଏହିପରି ନିବିଡ଼ ରସାନୁଭୂତି ସୃଷ୍ଟିକ୍ଷମ ସାବଲୀଳ ପଦଯୋଜନା ଅନ୍ୟ ଛାନ୍ଦଗୁଡ଼ିକରେ କାହିଁକି ରହି ପାରିଲା ନାହିଁ ତାହାହିଁ ବିସ୍ମୟର କଥା । ବୋଧହୁଏ କବି ସଂସ୍କୃତ ଆଳଂକାରିକ କାବ୍ୟରୀତି ଓ ଭାଷାଶିଳ୍ପ ପ୍ରତି ଦୁର୍ବଳତାକୁ ଅନ୍ୟ ଛାନ୍ଦଗୁଡ଼ିକର ରଚନା କାଳରେ ସମ୍ବରଣ କରି ପାରିନାହାନ୍ତି ।

 

ଭଂଜୀୟ କବିତ୍ୱର ନିରୂପଣ ଲାଗି ଲାବଣ୍ୟବତୀ ପ୍ରଥମ ଛାନ୍ଦର ପ୍ରାରମ୍ଭରେ ଉପସ୍ଥାପିତ କାବ୍ୟାଦର୍ଶକୁ ପରୀକ୍ଷା କରିବାର ଅବକାଶ ରହିଛି । ଚାରିଧାଡ଼ି ବିଶିଷ୍ଟ କାବ୍ୟାଦର୍ଶ ଅଂଶଟି ଏହିପରି-

 

ମୂର୍ତ୍ତିମନ୍ତ କରି ମୃଦୁ ଗୀତ ବିଚାରଇ

ଏଣୁ କରି ଥିବ ଅଳଙ୍କାର ଯୁକ୍ତ ହୋଇ ।

ପଦ ସରଳ ଧ୍ୱନିରେ ମାନସ ମୋହିବ

ଅର୍ଥୀଃଜନ ପ୍ରକରକୁ ଆନନ୍ଦ କରିବ ।

 

ଏହାହିଁ ପ୍ରକୃତ ପକ୍ଷେ କବିଙ୍କର କାବ୍ୟଯୋଜନା ସଂପର୍କିତ ଅକୃତ୍ରିମ ବାଣୀ । କବି ପ୍ରଥମତଃ ଚାହିଁଛନ୍ତି ମୃଦୁଗୀତ ରଚନା କରିବାକୁ, ଯାହାର ଅର୍ଥ ସରଳ ପଦ୍ୟରଚନା । ମୂଳତଃ ସରଳ, ସୁକୁମାର ଭାଷାରେ ଆପଣାର ଅଭିବ୍ୟକ୍ତିକୁ ପ୍ରକାଶ କରିବା ଥିଲା କବିଙ୍କର ଲକ୍ଷ୍ୟ । କବି ହୃଦୟର ବାର୍ତ୍ତ ସରଳଭାଷାରେ ଅଭିବ୍ୟକ୍ତି ଲାଭ କରି ପ୍ରତି ଯୁଗରେ ପାଠକମାନଙ୍କ ସ୍ଥିର ରସ ସମୁଦ୍ରକୁ ସହଜରେ ଉଦ୍‌ବେଳିତ କରିଥାଏ । ଏଇ ମୁହୂର୍ତ୍ତରେ କବିର ବ୍ୟକ୍ତିଗତ ଭାବନା ବିଶ୍ଵଜନର ଭାବନାରେ ରୂପାନ୍ତରିତ ହୋଇଯାଏ । ଗଭୀର ଅନୁଭବକୁ ସରଳ ଭାଷାରେ ଯେପରି ମାର୍ମିକ ଭାବେ ପ୍ରକାଶ କରାଯାଇ ପାରିବ, ତାହା ଅନ୍ୟଥା ସମ୍ଭବ ନୁହେଁ । ପୁଣି ଏହିସବୁ ଗୀତକୁ ସେ ଚାହିଛନ୍ତି ମୂର୍ତ୍ତିମନ୍ତ ଭାବେ ପ୍ରକାଶ କରିବାକୁ । କବିର ଭାବନାକୁ କାବ୍ୟସୌନ୍ଦର୍ଯ୍ୟ ପ୍ରକାଶକ କରିବାକୁ ହେଲେ କାବ୍ୟଚିତ୍ରର ଆବଶ୍ୟକତା ରହିଛି । ବିଭିନ୍ନ ଚିତ୍ର ରଚନା ବା ସାଦୃଶ୍ୟ କଳ୍ପନା ଦ୍ଵାରା କାବ୍ୟ ମୂର୍ତ୍ତିମନ୍ତ ହୋଇ ପାଠକର ମାନସ ରାଜ୍ୟରେ ଠିଆ ହୋଇଯାଏ ଏବଂ ତାକୁ ଅଭିଭୂତ କରେ । ଚମତ୍‌କାର ଉପମା, ଶବ୍ଦଚିତ୍ର ଏବଂ ବିବିଧ ଅଳଂକାରର ପ୍ରୟୋଗରେ ତଥା ହୃଦୟସ୍ପର୍ଶୀ ଆଡ଼ମ୍ବରହୀନ ଭାଷାରେ କାବ୍ୟ ଭାବନାକୁ ପ୍ରକାଶ କରିବା ଥିଲା ଭଞ୍ଜଙ୍କ ମୂଳ ଆଦର୍ଶ ।

 

କାବ୍ୟ ନାୟିକାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଯଥାସ୍ଥାନରେ ସନ୍ନିବିଷ୍ଟ ସ୍ୱଳ୍ପ ଅଳଂକାର । ଅଳଂକାର ଭାରର ଦୁର୍ବହତା କାବ୍ୟର ଯଥାର୍ଥ ସୌନ୍ଦର୍ଯ୍ୟକୁ କ୍ଷୁର୍ଣ୍ଣ କରିଥାଏ । ଭାବ ହିଁ କବିତାର ପ୍ରାକୃତିକ ଶୋଭା ବିଧାନ କରେ, ଅଳଙ୍କାର କେବଳ ବାହ୍ୟ ଭୂଷଣ ମାତ୍ର । ଆତ୍ମାର ଶୋଭାକୁ ପରିବର୍ଦ୍ଧନ କରିବାର ଶକ୍ତି ଏହାର ନାହିଁ । ବାହ୍ୟ ଅଂଶର ଶୋଭା ବୃଦ୍ଧିକାରୀ ଅଳଂକାରର ଆଧିକ୍ୟ ଯେ କାବ୍ୟ ସୌନ୍ଦର୍ଯ୍ୟର ପରିପନ୍ଥୀ, ଏହା ଭଞ୍ଜଙ୍କ ଭଳି କୁଶଳୀ ଶିଳ୍ପୀଙ୍କୁ ନିଶ୍ଚୟ ଜଣାଥିଲା । ପୁଣି ଅଳଙ୍କାର ପ୍ରଧାନ କାବ୍ୟ କଦାପି ମୃଦୁକାବ୍ୟ ବା ସରଳ ପଦ ସମ୍ବଳିତ କାବ୍ୟ ହୋଇ ନ ପାରେ- ଏ ସଂପର୍କରେ ଭଞ୍ଜଙ୍କର ଯେ ମୂଳରୁ ସଚେତନତା ଥିଲା, ତାହା ସ୍ୱୀକାର୍ଯ୍ୟ ।

 

ତୃତୀୟ ଧାଡ଼ିରେ କବି କହିଛନ୍ତି - ‘ପଦ ସରଳ ଧ୍ୱନିରେ ମାନସ ମୋହିବ’ । ଏହି ପଦ ସରଳ ‘ଶବ୍ଦଯୁଗ୍ମ ମୃଦୁଗୀତ’ ଓ ଶବ୍ଦର ପରିପୂରକ । ସରଳ ପଦ ଯୋଜନାଦ୍ୱାରା ହିଁ ମୃଦୁଗୀତ ବା କୋମଳ କବିତା ସୃଷ୍ଟି ସମ୍ଭବ । ସରଳ ଅଭିବ୍ୟକ୍ତି ଲାଗି ଯେ କବି ବିଶେଷ ଆଗ୍ରହୀ, ଏହା ତାଙ୍କର ବକ୍ତବ୍ୟରୁ ସ୍ପଷ୍ଟ ।

 

‘ପଦ ସରଳ ଧ୍ୱନିରେ ମାନସ ମୋହିବ’ ଧାଡ଼ିରେ ‘କାବ୍ୟ ଧ୍ୱନି’ ସଂପର୍କିତ ସୂଚନା ରହିଛି-। ଯେଉଁମାନେ ‘ଧ୍ୱନି’-ଶବ୍ଦକୁ ‘ପଦ ସରଳ’ ସହିତ ସମନ୍ୱିତ କରି ‘ସରଳ ଧ୍ୱନି’ର ଅର୍ଥ ଖୋଜିବାକୁ ଚାହିଁବେ, ସେମାନେ ନିଶ୍ଚୟ ନିରାଶ ହେବେ । କବିଙ୍କ ଉଦ୍ଦେଶ୍ୟ ହେଉଛି ଧ୍ୱନିରେ ମାନସ ମୋହିବା । ଏ ଧ୍ୱନି କାବ୍ୟଧ୍ୱନି ହୋଇପାରେ କିମ୍ବା ଶ୍ରୁତିଧ୍ୱନି ହୋଇପାରେ ।

 

କାବ୍ୟର ସାର୍ଥକତା ନିହିତ ଥାଏ, କାବ୍ୟଧ୍ୱନି ବା କାବ୍ୟ ବ୍ୟଞ୍ଜନାରେ । ଅଭିଧାର୍ଥ ବାହାରେ କାବ୍ୟ ପଂକ୍ତି ଯେଉଁ ବ୍ୟଙ୍ଗ୍ୟାର୍ଥ ବା ଚମତ୍‌କାର ଅର୍ଥଟି ପ୍ରକାଶ କରିଥାଏ, ତାହା ହିଁ ପାଠକ ପ୍ରାଣକୁ ଅଭିଭୂତ ଓ ଆହ୍ଲାଦିତ କରେ । କାବ୍ୟଧ୍ୱନି ହିଁ କେବଳ ପାଠକର ମାନସକୁ ମୋହିବାକୁ ସମର୍ଥ । ପୁଣି ଏହି ‘ମାନସ’ ଶବ୍ଦଟି ସ୍ଥାନରେ ପାଠାନ୍ତରରେ ‘ଶ୍ରବଣ' ଶବ୍ଦଟି ପ୍ରଯୁକ୍ତ ହୋଇଥିବାର ଦେଖାଯାଏ । ଏଠାରେ ଧ୍ୱନିର ଅର୍ଥ ହେବ ଶ୍ରବଣ ରସାୟନଧ୍ୱନି । ଭଞ୍ଜ ଶବ୍ଦଯୋଜନାର ଚମତ୍‌କାରିତାରେ ଯେଉଁ ଶ୍ରୁତି ମାଧୁର୍ଯ୍ୟ ସୃଷ୍ଟି କରିଛନ୍ତି, ତାହା ଅନନ୍ୟ । ତାଙ୍କର ବହୁ କବିତାର ଅର୍ଥବୋଧ ନ ଘଟିଲେ ମଧ୍ୟ ସେଗୁଡ଼ିକର ଶ୍ରୁତି ସୁଖଦାୟକ ସାଂଗୀତିକ ଗୁଣ ପାଠକ ଚିତ୍ତକୁ ଆହ୍ଲାଦିତ କରିଥାଏ । ଭଞ୍ଜୀୟ କବିତା ଉଭୟ କାବ୍ୟଧ୍ୱନୀ ଓ ଶ୍ରୁତିଧ୍ୱନୀରେ ପୁଷ୍ପକ ଏବଂ ଉଭୟ ମାନସ ଓ ଶ୍ରବଣ ମୋହକାରୀ ।

 

କାବ୍ୟାଦର୍ଶ ସଂପର୍କିତ ଶେଷ ଧାଡ଼ିଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଭଞ୍ଜଙ୍କ କବିତାର ପ୍ରଧାନ ଉଦ୍ଦେଶ୍ୟ ଅର୍ଥୀଜନ ପ୍ରକରକୁ ଆନନ୍ଦ କରିବା । ଭାବଗ୍ରହଣତତ୍ପର ସହୃଦୟ ରସିକ ହୃଦୟରେ ଆନନ୍ଦ ସଂଚାର କରିବାରେ ହିଁ କବିତାର ସାର୍ଥକତା - ଏ କଥାଟିକୁ ଭଞ୍ଜ ଭଲ ଭାବରେ ବୁଝିଥିଲେ-। କାଳିଦାସଙ୍କ ‘ବାଗର୍ଥ’ ଶବ୍ଦର ତାତ୍ପର୍ଯ୍ୟ ଏବଂ ଉପେନ୍ଦ୍ର ଭଞ୍ଜଙ୍କ ‘ଅର୍ଥୀ’ ଶବ୍ଦର ତାତ୍ପର୍ଯ୍ୟରେ ବିଶେଷ ପାର୍ଥକ୍ୟ ନାହିଁ । ପାଠକଦ୍ଵାରା କାବ୍ୟର ଭାବୋପଲବ୍ଧି ବା ରସାନୁଭୂତି ନ ଘଟିଲେ କବିତାର ସ୍ଥାୟିତ୍ୱ ସଂଭବ ନୁହେଁ । ଚିରନ୍ତନ କବିକର୍ମ ଲାଗି କବିର କାବ୍ୟଗୁଡ଼ିକ ରସୋଦ୍ରେକକାରୀ ହେବା ଉଚିତ । ଏକ ସର୍ବକାଳୀନ ସତ୍ୟ ଭାବରେ ବିଶ୍ଵନାଥଙ୍କ ‘ବାକ୍ୟ' ରସାତ୍ମକ କାବ୍ୟମ୍' ଏ କ୍ଷେତ୍ରରେ ସ୍ମରଣୀୟ । ଆମେ ଲକ୍ଷ୍ୟ କରୁ ଯେ ଉପେନ୍ଦ୍ରଭଞ୍ଜଙ୍କ ମହତ୍ ଉଦ୍ଦେଶ୍ୟ ସର୍ବତ୍ର ପାଳିତ ହୋଇନାହିଁ । ପ୍ରଥମ ଛାନ୍ଦ ପରେ ଅଳଙ୍କାର ନିର୍ମାଣ କୌଶଳ ଓ ଶବ୍ଦ ଗୁମ୍ପନ ଚାତୁର୍ଯ୍ୟ ପ୍ରତି ସେ ଏତେ ବେଶି ଅନୁରକ୍ତ ହୋଇ ପଡ଼ିଛନ୍ତି ଯେ ତାଙ୍କର ମୃଦୁଗୀତ ରଚନା ସରଳ ପଦ ଯୋଜନା ପରି ଘୋଷଣା ବିସ୍ତୃତ ହୋଇ ଯାଇଥିବା ପରି ମନେହୁଏ । ତଥାପି ମଝିରେ ମଝିରେ ସ୍ୱତଃସ୍ଫୂର୍ତ୍ତ ଭାବେ କେତୋଟି ଭାବୋଦ୍ଦୀପକ, ଚିତ୍ତଉଲ୍ଲାସକାରୀ ସରଳ ଭାଷା ପ୍ରଯୁକ୍ତ ପଂକ୍ତି କବି ଲେଖନୀରୁ ନିଃସୃତ ହୋଇପଡ଼ିଛି । ସେଗୁଡ଼ିକ ହିଁ ଭଞ୍ଜୀୟ କବିତ୍ଵର ଯଥାର୍ଥ ନିଦର୍ଶନ । ଏଠାରେ ଲାବଣ୍ୟବତୀ ପ୍ରଥମ ଛାନ୍ଦାନ୍ତର୍ଗତ ବାଞ୍ଛାବତୀ କନ୍ୟାର ନିର୍ବାସନ ଓ ପ୍ରଣୟାବେଗ ପ୍ରକଟନ ଭିତରେ କିପରି ସୁକୁମାର କବିତ୍ୱ ବିଳସିତ, ତାହା ଦର୍ଶାଇବା ପାଇଁ କେତୋଟି ପଂକ୍ତିର ସହାୟତା ଗ୍ରହଣ କରାଯାଇଛି । ପ୍ରଥମ ଛାନ୍ଦର ‘ହର ନେତ୍ରପଥଗତ ହେଲେ ଏ ଶୋଭାଙ୍ଗୀ, ଯିବ ସିନା ମୋହର ସୁହାଗୀ ପଣ ଭାଙ୍ଗି ।’ ପଦଟିରେ ସହଜ ଭାବେ ପୁରୁଷର ସୁନ୍ଦରୀ ନାରୀ ପ୍ରତି ଆସକ୍ତି ଅଭିବ୍ୟକ୍ତ କରାଯାଇଛି । ମାନସକନ୍ୟା ଶୋଭାଙ୍ଗୀ ବାଞ୍ଛାବତୀ ପ୍ରତି ଶିବ ହଠାତ୍ ଆସକ୍ତ ହୋଇପାରନ୍ତି ଭାବି ପାର୍ବତୀ ଆଶଂକିତା । କାରଣ ତାଙ୍କର ସୋହାଗୀ ପଣ ଭାଙ୍ଗିଯିବ । ଏଠାରେ ପାର୍ବତୀ ଓ ଶିବଙ୍କୁ ଜଗନ୍ନାତା ବା ମହାଦେବ ରୂପେ ଚିତ୍ରଣ କରା ନ ଯାଇ ସାଧାରଣ ମଣିଷ ଭାବେ ଚିତ୍ରଣ କରା ଯାଇଛି । ସ୍ୱାମୀ କୌଣସି ନାରୀ ପ୍ରତି ଆସକ୍ତ ହୋଇ ପଡ଼ିଲେ ସ୍ତ୍ରୀର ସୋହାଗୀ ପଣ ତୁଟିଯାଏ - ଏହା ଏକ ସ୍ଵାଭାବିକ ଘଟଣା । ଏପରି ଏକ ଘଟଣାର ଆଶଙ୍କାରେ ଆଶଂକିତା ପାର୍ବତୀଙ୍କ ଭାବନାଟି ସହଜ କବିତ୍ୱର ପ୍ରକାଶକ । ଯଥାର୍ଥରେ ‘ଯିବ ସିନା ମୋହର ସୁହାଗୀ ପଣ ଭାଙ୍ଗି’ ପଦଟିରେ ସମାଜର ଗୋଟିଏ ହୃଦୟ ବିଦାରକ ଚିତ୍ର ଉଦ୍‌ଭାସିତ ହୋଇଉଠେ-। ଏ ପଦଟିର ଟୀକା କଲାବେଳେ ପଣ୍ଡିତ ନୀଳକଣ୍ଠ ଦାସ ଲେଖିଛନ୍ତି – “ମହାଦେବଙ୍କୁ ଏପରି କାମାସକ୍ତ ଓ ବହୁନାରୀରତ ବୋଲି କଳ୍ପନା କରି ପାର୍ବତୀ ଈର୍ଷାନ୍ୱିତା ହେବା ହିନ୍ଦୁର ଆଦର୍ଶସିଦ୍ଧ ନୁହେଁ ।” ଅବଶ୍ୟ ମହାଦେବଙ୍କର ଅନ୍ୟନାରୀ ପ୍ରତି କାମାସକ୍ତିର ଚିତ୍ର କୌଣସି କାବ୍ୟ ପୁରାଣରେ ବର୍ଣ୍ଣିତ ହୋଇନାହିଁ । ତେଣୁ ଉପେନ୍ଦ୍ର ଭଞ୍ଜଙ୍କ ଉଦ୍ଦେଶ୍ୟ ଏଠାରେ ଭିନ୍ନ ହୋଇପାରେ । ମନସ୍ତାତ୍ତ୍ୱିକ କାରଣରୁ ପୁରୁଷ ତାର ସୁନ୍ଦର ଝିଅ ପ୍ରତି ସମସ୍ତ ସ୍ନେହଶ୍ରଦ୍ଧା ଢାଳିଦିଏ । ଫଳରେ ସ୍ତ୍ରୀ ପ୍ରତି ସ୍ନେହର ଭାଗ ବହୁତ ଊଣା ହୋଇଯାଏ । ଏପରି କ୍ଷେତ୍ରରେ କନ୍ୟା ପ୍ରତି ସ୍ତ୍ରୀର ଈର୍ଷା ସ୍ଵାଭାବିକ । ସୁନ୍ଦରୀ ବାଞ୍ଛାବତୀ ପାର୍ବତୀଙ୍କର ମାନସ କନ୍ୟା ହୋଇଥିବାରୁ ଶିବଙ୍କର ମଧ୍ୟ ଏହି କନ୍ୟା ସନ୍ତାନ ପ୍ରତି ଅନୁରକ୍ତି ସ୍ୱାଭାବିକ । ସ୍ୱାମୀର କନ୍ୟାପ୍ରତି ବିଶେଷ ଅନୁରକ୍ତି ପ୍ରକାଶ ପାଇଲେ ସ୍ତ୍ରୀ ନିଜକୁ ଅବହେଳିତା ମନେ କରେ । ଏଠାରେ ଏପରି ଏକ ଅର୍ଥବୋଧର ସମ୍ଭାବନା କରାଯାଇପାରେ । ‘ହର ନେତ୍ର ପଥଗତ ହେଲେ ଏ ଶୋଭାଙ୍ଗୀ’ ଭଳି ପଦଯୋଜନା ଭିତରେ ଖୁବ୍ କମ୍ ଶବ୍ଦରେ ଗୋଟିଏ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରଦର୍ଶନ କରାଯାଇଛି । ଏହା ମଧ୍ୟ କବି ଚାତୁରୀର ଏକ ଦିଗ । ଦୁଇଟି ପାଦ ମାଧ୍ୟମରେ ଏକ ସ୍ଵାଭାବିକ ସମାଜ ଚିତ୍ରର ଅକୃତ୍ରିମ ଉପସ୍ଥାପନ କବିତ୍ଵର ନିଦର୍ଶନ ନିଶ୍ଚୟ ।

 

ପାରମ୍ପରିକ ରୀତିରେ ବାଞ୍ଛାବତୀର ରୂପବର୍ଣ୍ଣନା (ଚନ୍ଦ୍ରକୁ ନିନ୍ଦା କରୁଛି ମୁଖ ହାସକାନ୍ତି/ସାରଙ୍ଗକୁ ନିନ୍ଦୁଛି ନୟନ ଭୂରୁ ଗତି) ପାଠକ ହୃଦୟ ବିଶେଷ ସ୍ପନ୍ଦିତ କରି ପାରୁନାହିଁ । କିନ୍ତୁ ପରବର୍ତ୍ତୀ ଦୁଇ ପଦରେ ସୌନ୍ଦର୍ଯ୍ୟର ଏକ ହୃଦୟଗ୍ରାହୀ ଜୀବନ୍ତ ଛବି ପରିସ୍ଫୁଟ ହୋଇଉଠେ ।

 

ଅମର ସଂପତ୍ତି ଲଭି ବିଲୋକନ ମାତ୍ରେ ।

ନାରୀ ରୂପ ପିତୁଳା ଲେଖନ ହେଲା ନେତ୍ରେ ।

ସେ ପ୍ରେମ ମଞ୍ଜରୀ ଶୋଭା ପଞ୍ଜରୀ ହୋଇଲା

ପୁଂସନେତ୍ର ଖଂଜରୀଟ ତହିଁରେ ରହିଲା ।

 

ଦିବ୍ୟନାରୀ ଶ୍ରଦ୍ଧାରେ ପଞ୍ଚାଗ୍ନି ସାଧନା କରିଥିବା ଯୁବକ ପ୍ରଭାକର ଯେଉଁ ନାରୀଟିକୁ ସାରାଜୀବନ ଧରି ଅପେକ୍ଷା କରୁଥିଲା, ହଠାତ୍ ତାକୁ ଅକଳ୍ପିତ ଭାବେ ପାଇଯିବା ଅମର ସଂପତ୍ତି ପ୍ରାପ୍ତିଠାରୁ କଦାପି କମ୍ ନୁହେଁ । ସେଇ ନାରୀକୁ ଚରମ ବିସ୍ମୟରେ ନିର୍ନିମେଷ ନୟନରେ ଚାହିଁ ରହିଛି ପ୍ରଭାକର, ଯାହାର ପ୍ରତିଛବି ପଡ଼ିଛି ତା ଆଖିରେ । ଏହି ବୈଜ୍ଞାନିକ ତଥ୍ୟଟି କାବ୍ୟିକ ବ୍ୟଞ୍ଜନାରେ ପ୍ରକାଶିତ ହୋଇଛି- ‘ନାରୀ ରୂପ ପିତୁଳା ଲେଖନ ହେଲା ନେତ୍ରେ । ‘ପ୍ରଭାକରର ମୁଗ୍ଧ ବିଷ୍ଫାରିତ ଦୃଷ୍ଟିରେ ପରମ ସୁନ୍ଦରୀ ନାରୀର ମୂର୍ତ୍ତି ଯେପରି ଲିପିବଦ୍ଧ ହୋଇ ଯାଇଛି ଚିରନ୍ତନ କାଳ ଲାଗି । ଏଇ ସମୟରେ ପ୍ରେମ ମଞ୍ଜରୀ ବାଞ୍ଛାବତୀ ଶୋଭା ପଞ୍ଜରୀରେ ରୂପାନ୍ତରିତ ହୋଇଯାଇଛି-। ନାରୀଟିଏ ପ୍ରଥମଥର ପାଇଁ ଜଣେ ସୁନ୍ଦର ପୁରୁଷର ମୁଗ୍ଧ ଦୃଷ୍ଟିକୁ ଦେଖିବା ଭିତରେ ତା ପ୍ରତି ଗଭୀର ଭାବେ ପ୍ରେମାସକ୍ତ ହୋଇ ପଡ଼ିବା ସ୍ୱାଭାବିକ । ଏହାହିଁ ପ୍ରଥମ ଦୃଷ୍ଟି ବିନିମୟରେ ଯୁବକ ଯୁବତୀଙ୍କ ଭିତରେ ପ୍ରଣୟ ସଂଚାର । ଯେଉଁ ନାରୀ ହୃଦୟରେ ପ୍ରଥମ ପ୍ରେମ ମଂଜରିତ ହୋଇଉଠେ, ତାକୁ ପ୍ରେମମଞ୍ଜରୀ କହିବା ଯଥାର୍ଥ । ସେଇ ପ୍ରେମମଞ୍ଜରୀ ପୁଣି ହୋଇଛି ଶୋଭାର ପଞ୍ଜରୀ, ଯେ ପୁଂସ ନେତ୍ର ଖଂଜରୀଟକୁ ବନ୍ଦୀକରି ରଖିପାରେ । ନିର୍ମମ ଲୌହ ପଞ୍ଜରୀ ଭିତରେ ଅଭିଶପ୍ତ ପକ୍ଷୀଟିଏ ଆବଦ୍ଧ ହୋଇ ଜୀବନର ସମସ୍ତ ସୁଖ ଓ ସ୍ୱାଧୀନତା ହରାଇ ଦୁର୍ବହ ଜୀବନ ଯାପନ କରେ । ଏଠାରେ ବିଷ୍ଣୁ କବିଙ୍କର ପଞ୍ଜରୀ ଏକ ଶୋଭାପଞ୍ଜରୀ, ଏକ ସୌନ୍ଦର୍ଯ୍ୟ ନିକେତନ, ଯେଉଁଠି ପୁରୁଷ ନିଜେ ବନ୍ଦୀ ହୋଇ ରହିବାକୁ ଚାହେ ଚିରକାଳ । ଦୃଷ୍ଟି ସହିତ ମନର ସଂପର୍କ ନିବିଡ଼ । ଦୃଷ୍ଟିପାତ ଭିତରେ ପୁରୁଷ ନିଜର ମନକୁ ଅର୍ପଣ କରିଦିଏ ନାରୀକୁ । କବିଙ୍କର ପ୍ରଭାକରର ମୁଗ୍ଧବୃଷ୍ଟିକୁ ଖଞ୍ଜରୀଟ ସହ ତୁଳନା କରିବା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ପ୍ରଭାକରର ଦୃଷ୍ଟି ପୁଂସନେତ୍ର ବା ପୁରୁଷର ନେତ୍ର । ସୌନ୍ଦର୍ଯ୍ୟର ଅନ୍ୱେଷଣରେ ପୁରୁଷର ପିପାସୁ ଦୃଷ୍ଟି ନିରନ୍ତର ଭ୍ରମଣ କରୁଥାଏ । ଏହା କଦାପି ଏକ ନିର୍ଦ୍ଦିଷ୍ଟ ସୌନ୍ଦର୍ଯ୍ୟର ଆଧାର ଉପରେ ସ୍ଥିର ହୋଇ ରହିଯାଏ ନାହିଁ । ଯେପରି ଚିରଚଞ୍ଚଳ ଖଂଜରୀଟ ପକ୍ଷୀ ବା କଜଳପାତି କୌଣସି ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସି ରହେ ନାହିଁ, ଗୋଟିଏ ସ୍ଥାନରେ କ୍ଷଣଟିଏ ବସିବା ପରେ ଉଡ଼ିଯାଏ ଅନ୍ୟ ଏକ ସ୍ଥାନରେ ବସିବାକୁ । ପୁରୁଷ ଆଖିର ଚଞ୍ଚଳତା ସହିତ ଖଂଜରୀଟ ପକ୍ଷୀର ଅସ୍ଥିରତା ଭିତରେ ଯେପରି ଗୁଣଗତ ସାମଞ୍ଜସ୍ୟ ରହିଛି, ଆଖି ସହିତ କଜଳପାତିର ସେହିପରି ରୂପ ଓ ଆକାରଗତ ସାମଞ୍ଜସ୍ୟ ଅଛି । ଖଞ୍ଜରୀଟ ପରି ଅସ୍ଥିର ପକ୍ଷୀ କଦାପି ପିଞ୍ଜରା ଭିତରେ ଆବଦ୍ଧ ହୋଇ ରହିପାରେ ନାହିଁ । କିନ୍ତୁ ଏ କ୍ଷେତ୍ରରେ ପୁରୁଷର ନେତ୍ର ଖଂଜରୀଟ ସୌନ୍ଦର୍ଯ୍ୟର ଅନୁପମ ଆଧାରଟି ଉପରେ ସ୍ଥିର ହୋଇ ରହିଯାଇଛି ।

 

ପୁଣି ନାୟିକାର ପ୍ରେମପୂର୍ଣ୍ଣ ନେତ୍ର ତୁଳିତ ହୋଇଛି ବଡ଼ସୀ ସହିତ, ଯାହା ପୁରୁଷର ମନ ମୀନକୁ ଏପରି ଭାବେ ଧରିନିଏ ଯେ, ଯେଉଁଥିରୁ ତାର ଆଉ ମୁକ୍ତି ନାହିଁ । ନାୟକର ମନମୀନକୁ ନାୟିକା କେବଳ ଧରିନେଇ ନାହିଁ, ତାକୁ ପକାଇ ଦେଇଛି ଉରଜ କୁବେଣୀରେ ଅର୍ଥାତ୍ ବକ୍ଷୋଜ ରୂପକ ଖାଳେଇରେ । ଆଖିର ବନ୍‌ସୀରେ ପୁରୁଷମନର ମାଛଟିକୁ ଆକର୍ଷିତ କରି ହୃଦୟର ଖାଳେଇ ଭିତରେ ବନ୍ଦୀ କରି ରଖି ଦେଇଛି ନାୟିକା । (“ନେତ୍ର ବଡ଼ସୀରେ ସେ ଧଡ଼ସି ଅନୁରାଗେ/ପୁରୁଷ ମନମୀନକୁ ଧରି ନେଲା ବେଗେ ।”) ନାରୀର ସୌନ୍ଦର୍ଯ୍ୟରେ ବନ୍ଦୀ ହୋଇ ଯାଇଥିବା ପୁରୁଷଟି ପକ୍ଷରେ ବର୍ତ୍ତମାନ ନାରୀର କରୁଣା ପାଇଁ ଆକୁଳ ନିବେଦନ କରିବା ଛଡ଼ା ଅନ୍ୟଗତି ନାହିଁ । ପ୍ରାର୍ଥନାର ସ୍ଵୀକୃତି ସ୍ଵରୂପ ନାୟିକାର ସାମାନ୍ୟ ସ୍ମିତ ହାସ୍ୟଟିଏ ହିଁ ତା ପାଇଁ ପରମ ଆକାଂକ୍ଷିତ ବସ୍ତୁ । ଏହି ଚିରନ୍ତନ ସତ୍ୟଟିକୁ କବି ପ୍ରକାଶ କରିଛନ୍ତି ‘ଦରହଷିତେ ବରଷିତେ ସଫଳ ତୁ କର’ ପାଦଟିରେ । ଏହାର ପରବର୍ତ୍ତୀ ପଦ ‘ଏ ବଚନ ସୀଉକାର କଟାକ୍ଷେ ଆଣିଲା/ରସିକା ଭଜିଲା ଭାବ ରସିକ ଜାଣିଲା’ ପଦଟିରେ ଦୁଇ ହୃଦୟ ମିଳନର ଏକ ଚମତ୍କାର ଚିତ୍ର ଉଦ୍ଭିନ୍ନ ହୋଇ ଉଠିଛି ।

 

ପୁଣି କନ୍ଦର୍ପ ସହିତ ପ୍ରଭାକରର ଅନୁଚ୍ଚାରିତ ଆଳାପ - ‘ତାକୁ ସ୍ତୁତି କଲା, ତୋ ନାରୀରେ ଇଚ୍ଛା ମୋର, ଭାବି କି ହେଉଛୁ ପର ଏ ଆନ ପ୍ରକାର’ ନାଟକୀୟ ଓ ଚାତୁର୍ଯ୍ୟମୟ । କବିତାରେ ନାଟ୍ୟୋଚିତ ସଂଳାପର ପ୍ରୟୋଗ କାବ୍ୟରସକୁ ନିବିଡ଼ କରି ତୋଳେ ।

 

ବାଞ୍ଛାବତୀ ସହ ପ୍ରଭାକରର ଚତୁରାକ୍ଷିମିଳନ ଚିତ୍ରଟି ବଡ଼ କାବୈଶ୍ୱର୍ଯ୍ୟମୟ । ପ୍ରଭାକରର ସମଗ୍ର ଜୀବନର ତପସ୍ୟାକୁ ସଫଳ କରି ଦିବ୍ୟ ସୁନ୍ଦରୀ ବାଞ୍ଛାବତୀ ଯେତେବେଳେ ଚାହିଁ ଦେଇଛି ତା ଆଡ଼େ, ତା’ର ମନେ ହୋଇଛି ‘ଜନ୍ମ ଅଂଧ ନୟନକୁ ଲଭିଲେ ଯେମନ୍ତ’ । ଚମତ୍‌କାର କବି-କଳ୍ପନା ! ବାଞ୍ଛାବତୀର ଅପରୂପ ସୌନ୍ଦର୍ଯ୍ୟ ପ୍ରକାଶ ଲାଭ କରିଛି ଅପୂର୍ବ କାବ୍ୟବ୍ୟଞ୍ଜନା ଭିତରେ । (“ଏକାଳେ ପୁରୁଷଠାରେ ରାମା ଦୃଷ୍ଟି ପାତ/ଜନ୍ମ ଅଂଧ ନୟନକୁ ଲଭିଲେ ଯେମନ୍ତ ।”) ସାରାଜୀବନ ଧରି ପୃଥିବୀର ବିଚିତ୍ର ରୂପଶୋଭା ଦେଖିବାରୁ ବଂଚିତ ଜନ୍ମାନ୍ଧଟିଏ ଯେତେବେଳେ ହଠାତ୍ ଦୃଷ୍ଟିଶକ୍ତି ଲାଭ କରିବ, ତା ଆଖି ଆଗରେ ଉଦ୍‌ଭାସିତ ହୋଇ ଉଠିବ ପୃଥିବୀର ବିପୁଳ ଶୋଭାରାଶି, ଯାହା ଅଭୂତପୂର୍ବ, ଅଚିନ୍ତନୀୟ । ଏପରି ସୌନ୍ଦର୍ଯ୍ୟକୁ ଜୀବନରେ କେବେ ଦେଖି ପାରିବ ବୋଲି ଆଶା କରିନଥିବା ଲୋକଟିର ହୃଦୟରେ ଯେଉଁ ଆନନ୍ଦର ଜୁଆର ଉଠିବ, ତାହା ଅବର୍ଣ୍ଣନୀୟ । ଆଜି ପର୍ଯ୍ୟନ୍ତ ପ୍ରଭାକର ଯେଉଁ ସୌନ୍ଦର୍ଯ୍ୟର କଳ୍ପନା କରି ଆସିଥିଲା ମନେ ମନେ, ସେଇ ସୌନ୍ଦର୍ଯ୍ୟ ମୂର୍ତ୍ତୀମତୀ ହୋଇ ଯେତେବେଳେ ତା ଆଖି ଆଗରେ ଆସି ଠିଆ ହୋଇ ଯାଇଛି, ତା’ର ଆନନ୍ଦ ଜନ୍ମାନ୍ଧର ନୟନ ପ୍ରାପ୍ତି ଜନିତ ଆନନ୍ଦ ପରି ଅପରିସୀମ । କବିଙ୍କର ଏ ଅପୂର୍ବ ଚିତ୍ରଟିକୁ ହୃଦୟ ଭିତରେ ଅନୁଭବ କରିହେବ ସିନା, ବୁଝାଇ ହେବ ନାହିଁ ।

 

ପାରମ୍ପରିକ ଉପମା ପ୍ରୟୋଗରେ ନାରୀର ଯଥାର୍ଥ ସୌନ୍ଦର୍ଯ୍ୟ ଫୁଟିଉଠେ ନାହିଁ । ସମଗ୍ର ମଧ୍ୟଯୁଗୀୟ ସାହିତ୍ୟର ସଂସ୍କୃତ କାବ୍ୟରୁ ଆହୃତ ନାରୀର ସୌନ୍ଦର୍ଯ୍ୟ ପ୍ରଖ୍ୟାପକ ଉପମାମାନ ବାରଂବାର ବ୍ୟବହୃତ ହୋଇ ସକଳ ନୂତନତ୍ୱ ହରାଇଛି । ଅନେକ ଉପମା କେବଳ ଅଳଂକାର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, କିନ୍ତୁ ଏକ ଅଭିନବ ଭାବୋଦ୍ରେକକାରୀ ଶକ୍ତି ସେଗୁଡ଼ିକରେ ନାହିଁ-। ଯେଉଁଠି କବି ପରଂପରାଠାରୁ ଟିକିଏ ଦୂରେଇ ଯାଇ ଭିନ୍ନ ଚିତ୍ରଟିଏ କଳ୍ପନା କରେ, ସେଇଠାରେ ହିଁ ପ୍ରକାଶ ଘଟେ ସାର୍ଥକ କବିତ୍ୱର । ଉଦାହରଣ ସ୍ଵରୂପ - ବିନ୍ଦୁ ବିନ୍ଦୁ ଜଳ ରହିଛି ଚାରୁ କୁଟିଳ ବାଳେ/ତୃଷାର ବୃଷ୍ଟି ବି ହୋଇଛି ନବ ତମାଳ ଦଳେ ।” (ଛାନ୍ଦ-୬) କେତେକ ସ୍ଥଳରେ ଏକ ଜୀବନ୍ତ ଆଲେଖ୍ୟ ସୃଷ୍ଟି କରୁଥିବା ରସପୂର୍ଣ୍ଣ ସଂଳାପ ସଂଯୋଜନାରେ ବିମଳ କବିତ୍ୱର ସ୍ପର୍ଶ ଲକ୍ଷିତ ହୁଏ –“ଶୁଣି ରସିକା ରମଣୀ ଯେ ବୋଇଲା, ଏ ଭଙ୍ଗୀକି କେ ପାରିବ/କାହିଁ କଥା ନେଇ କାହିଁ ଲଗାଇବ, ତହିଁ କି ଉତ୍ତର ଥିବ ?”

 

ଉପେନ୍ଦ୍ର ରୂପମୁଗ୍ଧ କବି, ନାରୀର ରୂପବର୍ଣ୍ଣନାରେ ତାଙ୍କର ନିଷ୍ଠା ସର୍ବାଧିକ । କବି ଯେଉଁଠି ଲାବଣ୍ୟମୟୀ ନାରୀର ଗତିଭଙ୍ଗୀ, ବଚନ ଭଙ୍ଗୀ ଓ କାର୍ଯ୍ୟକଳାପ ବର୍ଣ୍ଣନା କରିଛନ୍ତି, ସେଠାରେ କବିତା ଉନ୍ନତ କୋଟି ସ୍ପର୍ଶ କରିଅଛି । ନାରୀର ସୌନ୍ଦର୍ଯ୍ୟ ପୂର୍ଣ୍ଣ ଭଂଙ୍ଗୀଟିଏ କବିଙ୍କ ଚିତ୍ର କଳ୍ପନା ଭିତରେ କେତେ ଚମତ୍‌କାର ହୋଇ ପାରେ, ତାହା ନିମ୍ନୋକ୍ତ ପଂକ୍ତିରୁ ଅନୁମେୟ ।

 

“ଫୁଲାଇ ନାସା ଡୋଳାକୁ ଖେଳାଇ ନେବାର

ମୁଖ ହଲାଇ ଗେହ୍ଲାଇ ଭାଷା କହିବାର ।

ଚିବୁକେ ତର୍ଜନୀ ଦେଇ ହୋଇବାର ଉଭା ।

ନେତ୍ର ଦେଖିଥିବ କି ଏପରି ଆନ ଶୋଭା ।” (ଛାନ୍ଦ-୨୮)

 

(ଏଠାରେ ଦୀନକୃଷ୍ଣଙ୍କ ନାୟିକାର ଶୋଭାବର୍ଣ୍ଣନାରେ ‘କଣିଆଇଁ ଚାହୁଁଥିବ ନାସିକା ଫୁଲାଇ/କହୁଥିବ ବକ୍ରବାଣୀ ଅଳପ ଗେଲାଇ’ ପଦଟିକୁ ସ୍ମରଣ କରା ଯାଇପାରେ ।)

 

କିମ୍ବା

 

“ମୁଖ ନ ଟେକିଲା ତ୍ରପା ତ୍ରାସରେ । ହାସ ପ୍ରକାଶିଲା କୃପାବଶରେ

ତା ସେହି ଚାତୁରୀ । ନୟନେ ମୋର ରହିଅଛି ପୂରି ।” (ଛାନ୍ଦ -୪୧)

 

ପ୍ରେମିକ ପୁରୁଷ ନିକଟରେ ପ୍ରେମିକାଠାରୁ ବଳି ଅଧିକ ନେତ୍ରପ୍ରିୟ କେହି ନାହାନ୍ତି । ପ୍ରେମିକା ବିନା ତା ପାଇଁ ସମସ୍ତ ଜଗତ ନିଷ୍ପ୍ରାଣ, ରଂଗହୀନ । ପ୍ରେମିକର ସମସ୍ତ ଚିନ୍ତା କେବଳ ପ୍ରେମିକାକୁ ନେଇ । ଜଗତର ସମସ୍ତ ଶୋଭାକୁ ତୁଚ୍ଛ କରି ପ୍ରେମିକାର ବିମୋହନ ମୂର୍ତ୍ତିଟି ନିରନ୍ତର ତା ଆଖି ଆଗରେ ଭାସିଉଠେ । ତା ମାନସ ଲୋକରେ କେବଳ ସେଇ ଜଣକର ପ୍ରତିଛବି ହିଁ ସଂଚରଣଶୀଳ । ପ୍ରେମ ବ୍ୟାପାରର ଏଇ ଚିରନ୍ତନ ସତ୍ୟଟି ପ୍ରକଟ କରିବାକୁ ଯାଇ କବି କହିଛନ୍ତି – “ଯେଣେ ଅନାଇଲେ ତେଣେ ତ ଦିଶିଲା ଜଣେ ସିନା ଚନ୍ଦ୍ରମୁହିଁ ।” (ଛାନ୍ଦ-୪୦)

 

ଉପେନ୍ଦ୍ର କେବଳ ସାଧାରଣ ପ୍ରଚଳିତ ଭାଷାରେ ନୁହେଁ ତତ୍‌ସମ ଶବ୍ଦ ପୂର୍ଣ୍ଣ ଭାଷାରେ ମଧ୍ୟ ଲାଳିତ୍ୟପୂର୍ଣ୍ଣ ଶ୍ରୁତିମଧୁର କବିତା ରଚନା କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟ ଯେ ଏଇପରି ଶ୍ରୁତିମଧୁର ଶବ୍ଦ ଯୋଜନା ଭିତରେ ଭାବ ମାଧୁର୍ଯ୍ୟ ସଂଚାର ଲାଗି ସେ ଅନେକତ୍ର ପ୍ରୟାସ କରିନାହାନ୍ତି । କେବଳ ଶାବ୍ଦିକ ଧ୍ୱନିରେ ସନ୍ତୁଷ୍ଟ ହୋଇ ରହିଯାଇଛନ୍ତି । ଯେଉଁଠାରେ ସେ ଭାବପ୍ରକାଶ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଠାରେ ସେ ପାଠକର ହୃଦୟ ରାଜ୍ୟକୁ ଅଭିଭୂତ କରିବାକୁ ସମର୍ଥ ହୋଇ ପାରିଛନ୍ତି । ଯେଉଁଠାରେ ପାଣ୍ଡିତ୍ୟର ଅହଂକାର ଜନିତ କ୍ଲିଷ୍ଟ ଅଳଂକାର କଳ୍ପନା ଓ ଆଡ଼ମ୍ବରପୂର୍ଣ୍ଣ ଶବ୍ଦ ଯୋଜନା ଛାଡ଼ି ସାବଲୀଳ ଭାଷାରେ ଆପଣାର ଭାବକଳ୍ପନାକୁ ପ୍ରକାଶ କରିବାକୁ ଯାଇଛନ୍ତି, ସେଇଠାରେ ହିଁ ଯଥାର୍ଥରେ ପରିସ୍ଫୁଟ ହୋଇଛି ନିର୍ମଳ କବିତ୍ୱ । ଦୀନକୃଷ୍ଣଙ୍କ ‘କବି ହୋଇ କରୁଥିବ ନିର୍ମଳ କବିତ୍ୱ’ ବାଣୀଟି ଯେଉଁଠି ତାଙ୍କ ମନ ଭିତରୁ ଅପସାରିତ ହୋଇ ‘ଶବ୍ଦ ସାଗର ପାର ହେବାର’ ଅହମିକାଟି ଆସିଛି, ସେଠାରେ କବିତ୍ୱ ହୋଇ ପଡ଼ିଛି ମ୍ଲାନ । ତେବେ କବିଙ୍କର ବିମଳ କବିତ୍ୱ ଖୋଜିବାକୁ ହେଲେ ଆମ୍ଭମାନଙ୍କୁ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ପରି କାବ୍ୟ ନିକଟକୁ ନ ଯାଇ ‘ପ୍ରେମ ସୁଧାନିଧି’ ପରି କାବ୍ୟ ନିକଟରେ ପହଞ୍ଚିବାକୁ ହେବ ।

 

 

ପ୍ରଫେସର ଓ ବିଭାଗୀୟ ମୁଖ୍ୟ,

ଓଡ଼ିଆ ବିଭାଗ, ବିଶ୍ୱଭାରତୀ

ଶାନ୍ତିନିକେତନ-୭୩୧୨୩୫ (ପଶ୍ଚିମବଙ୍ଗ)

 

***

 

ଆଧୁନିକ ଓଡ଼ିଆ କବିତାର ଶିଳ୍ପରୂପ ଓ

Unknown

ଗୀତିଧର୍ମିତା : ଏକ ବିଚାର

ଡକ୍ଟର ନିରଞ୍ଜନ ସାହୁ

 

ପ୍ରଥମ ପ୍ରସଙ୍ଗ:

ଆଧୁନିକ ଓଡ଼ିଆ କବିତାର ଶିଳ୍ପରୂପ ଓ ଗୀତିଧର୍ମିତା ସଂପର୍କିତ ବିଚାର ଏକ ଉଲ୍ଲେଖଯୋଗ୍ୟ ବିଚାର । ଏହି ବିଚାରରେ ଆଧୁନିକ କବିତାର ସ୍ଥାପତ୍ୟ ଓ ପ୍ରାଣପ୍ରାଚୁର୍ଯ୍ୟ କଳା ସଂପର୍କରେ ଦୁଇଟି ପ୍ରାସଙ୍ଗିକ ଅଧ୍ୟାୟକୁ ଗ୍ରହଣ କରାଯାଇଛି । ଏହାକୁ ଏକ ତାତ୍ତ୍ୱିକ ଅନୁଶୀଳନ ଭାବରେ ଗ୍ରହଣ କରାଯାଇନପାରେ ତେବେ ଏହାକୁ ଏକ ସୂଚନାକୈନ୍ଦ୍ରିକ ବିଚାର କୁହାଯାଇପାରେ-। କେତୋଟି ସାମାନ୍ୟ କଥନିକାର ଅବତାରଣା କରାଯାଇଛି ମାତ୍ର ।

 

ଆଜି ଚଉତିଶା, କୋଇଲି, ପୋଇ, ବୋଲି, ଷୋଡ଼ଶା, ପତ୍ରଗୀତିକା, ବାରମାସୀ, ମଙ୍ଗଳଗୀତି ଆଦି ଆଉ ରଚିତ ହେଉନାହିଁ । ଏହା ପ୍ରାଚୀନ ଓଡ଼ିଆ କାବ୍ୟ ସାହିତ୍ୟର ପ୍ରାଚୀନ ଓ ମଧ୍ୟଯୁଗରେ ରଚିତ ହେଉଥିଲା । ସେତେବେଳେ ଏହାର ବିଶେଷ ଆଦରଥିଲା । ଏହାର ଆଦର ଆଜି ବି ଜନମାନସରେ ଉଚ୍ଚାରିତ । ଏହାର ଶିଳ୍ପରୂପ ଛନ୍ଦୋବଦ୍ଧ ଓ ଗୀତିଧର୍ମୀ । ଆଧୁନିକ ଯୁଗର ପ୍ରାରମ୍ଭରେ ରଚିତ ସମ୍ବୋଧଗୀତିକା, ଶୋକଗୀତିକା, ଚତୁର୍ଦ୍ଦଶପଦୀ କବିତା, ଗାଥା ଗୀତିକା ମଧ୍ୟ ଆଜି ରଚିତ ହେଉନାହିଁ । ଆଖ୍ୟାନ ଧର୍ମୀ, ଛନ୍ଦୋବଦ୍ଧ ଏହି କାବ୍ୟ-କବିତା ରଚନା ପ୍ରତି ଆଜିର କବି ବିମୂଖ । ସଂପ୍ରତି କବି ମୁକ୍ତଛନ୍ଦାଶ୍ରୟୀ, ନୂତନ ଶବ୍ଦ ଓ ଭାବବନ୍ଧର କବିତା ନିର୍ମାଣରେ ବ୍ରତୀ, କବିତାର ଆଙ୍ଗିକ ଓ ଆତ୍ମିକ ଶିଳ୍ପରୂପ ନିର୍ମାଣ ଓ ପରୀକ୍ଷା-ନିରୀକ୍ଷାରେ ନିମଜ୍ଜମାନ । ଏହି ନୂତନ କବିତା ସାମ୍ରାଜ୍ୟର ସ୍ଥାପତ୍ୟ ଓ ଭାବ ଐଶ୍ଵର୍ଯ୍ୟ ଆକଳନ କରିବା ପ୍ରବନ୍ଧର ଏକ ସଂକ୍ଷିପ୍ତ ପ୍ରୟାସ ।

 

ପ୍ରାକ୍ ସ୍ୱାଧୀନତାକାଳୀନ କବିମାନେ ଯେପରି ପ୍ରାଚୀନ ଓ ମଧ୍ୟଯୁଗୀୟ କାବ୍ୟସ୍ୱରରେ ପରିବର୍ତ୍ତନ ଘଟାଇଥିଲେ, ସ୍ଵାଧୀନତା ପରବର୍ତ୍ତୀ ଆଧୁନିକ କବିମାନେ ଯୁଗଯନ୍ତ୍ରଣାର ଆହ୍ୱାନରେ ସ୍ଵାଧୀନତା ପରବର୍ତ୍ତୀ କବିତାର ଶୈଳୀ (ରୂପଗତ ଓ ଭାବଗତ) ପରିବର୍ତ୍ତନ ଘଟାଇଛନ୍ତି । ଦ୍ୱିତୀୟ ବିଶ୍ଵଯୁଦ୍ଧର ବିଷାଦଗ୍ରସ୍ତ ପରିଣତି ଓ ତଜ୍ଜନିତ ହତାଶା, ନୈରାଶ୍ୟ, ଆତଙ୍କ ଓ ସାମାଜିକ ସଂକଟ କବିତାର ରୂପ ଓ ଭାବରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି । କବିତାର ଶୈଳୀରେ ଏହି ଆଧୁନିକ କବିମାନେ ଇଂରେଜୀ କବିମାନଙ୍କୁ ଅନୁକରଣ କରି ନୂତନ ପରୀକ୍ଷାରେ ନିଜକୁ ନିୟୋଜିତ କରିଛନ୍ତି । ବାହାଦୂରୀ ନେବାର ଉପକ୍ରମକରି କବିତାକୁ କେଉଁଠି ଅଯଥା ଭାରାକ୍ରାନ୍ତ କରିଛନ୍ତି ପୁଣି କେଉଁଠି ବୌଦ୍ଧିକତାର ଆଳରେ ଅସମ୍ଭବ ଦୁର୍ବୋଧ୍ୟ ଭିତରକୁ ପ୍ରବେଶ କରିଛନ୍ତି । ଦ୍ୱିତୀୟ ପୃଥିବୀ ମହାସମର ପରବର୍ତ୍ତୀକାଳରୁ ବିଶ୍ୱବ୍ୟାପୀ ଘଟିଥିବା ସଂକଟ, ବିଶୃଙ୍ଖଳା, ବିଚାର ବିଭ୍ରାଟ ଓ ସ୍ଥିତିବାଦୀ ଦର୍ଶନର ପରିଣାମ କବିତାର ରୂପ ଓ ଭାବଗତ ଶିଳ୍ପବିଧିରେ ପରିବର୍ତ୍ତନ ଘଟାଇଛି । ବିପରୀତଧର୍ମୀ ବହୁ ଭାବନାକୁ ପ୍ରକାଶ କଲାବେଳେ କବିର ଭାବନା ମାଟିକୁ ତ୍ୟାଗ କରିଥିବାପରି ମନେ ହୋଇଛି ।

 

ଆଧୁନିକ କବିତାର ରୂପଗତ ଓ ଭାବଗତ ବୈଶିଷ୍ଟ୍ୟ ପ୍ରମୂର୍ତ୍ତ ଏଥିରେ ନିଃସନ୍ଦେହ । ମୁକ୍ତଛନ୍ଦ ବା ସୁଦୀର୍ଘ-ଗଦ୍ୟାତ୍ମକ ପଂକ୍ତିବିନ୍ୟାସ, ପଦସଂଘଟନରେ ବ୍ୟତିକ୍ରମ, ନୂତନ ଉପମା, ପ୍ରତୀକ ଓ ରୂପକଳ୍ପ-ଚିତ୍ରକଳ୍ପର ପ୍ରୟୋଗ ହେଉଛି ଆଧୁନିକ କବିତାର ରୂପଗତ ବୈଶିଷ୍ଟ୍ୟ ସଂପାଦିତ ବିଧି ବିଶେଷ । ବ୍ୟକ୍ତିକ ଶୈଳୀ, ମୃତ୍ୟୁ ଚେତନା, ଅଣପାରମ୍ପରିକ ରମ୍ୟବୋଧ, ଅତିବାସ୍ତବତା, ମିଥ୍ ପ୍ରସଙ୍ଗ ଆଦି ଆତ୍ମିକ ବା ଭାବଗତ ବୈଶିଷ୍ଟ୍ୟ ହେଉଛି ଆଧୁନିକ କବିତାର ସାମଗ୍ରିକ ଶିଳ୍ପବିଧି ।

 

ଦ୍ୱିତୀୟ ପ୍ରସଙ୍ଗ :

‘ରସ’ ହେଉଛି କାବ୍ୟର ଆତ୍ମା । ବିଶ୍ଵନାଥ କବିରାଜ ତାଙ୍କର ସାହିତ୍ୟ ଦର୍ପଣରେ ‘ବାକ୍ୟଂ ରସାତ୍ମକଂ କାବ୍ୟମ୍’ ବୋଲି କହିଛନ୍ତି । ଏହା ଭାରତୀୟ କାବ୍ୟାଦର୍ଶର ଶ୍ରେଷ୍ଠ ସିଦ୍ଧାନ୍ତ । କବି କଳ୍ପନା ଓ କବି ଦୃଷ୍ଟିକାବ୍ୟାଦର୍ଶରେ ଅପ୍ରଧାନ ନହେଲେ ମଧ୍ୟ ରସତତ୍ତ୍ୱ କାବ୍ୟତତ୍ତ୍ୱର ମୁଖ୍ୟ ଉପାଦାନ । ‘ରସଗଙ୍ଗାଧର’ର ପ୍ରଣେତା ପଣ୍ଡିତ ଜଗନ୍ନାଥ ‘ରମଣୀୟାର୍ଥ ପ୍ରତିପାଦକ ଶବ୍ଦଃ କାବ୍ୟମ୍” ବୋଲି କହିଛନ୍ତି । ଅର୍ଥାତ୍ ରମଣୀୟ ରଚନାହିଁ କାବ୍ୟ । ତେଣୁ କାବ୍ୟରେ ବାକ୍ୟ ବିନ୍ୟାସର ଯେଉଁ ଚମତ୍କାରିତା ପ୍ରକାଶପାଏ ତାହାହିଁ କାବ୍ୟ ପ୍ରକରଣର ମୂଳଧର୍ମ । କାବ୍ୟର ଏହି ଚମତ୍କାରିତ୍ୱ ହେଉଛି ନନ୍ଦନତାତ୍ତ୍ୱିକ ପୁଲକ ବା Aesthetic Thrill । ତେଣୁ ରସ ସିଦ୍ଧାନ୍ତ ବ୍ୟତୀତ ବାକ୍ୟ ବିଚାର ବା ଶବ୍ଦକଳାର ଚମତ୍କାରିତା କେଉଁ ପ୍ରାଚୀନ କାଳରୁ ସ୍ଥିରୀକୃତ ହୋଇଛି । ଏହି ଭାଷା ବା ବାକ୍ୟ ବିଚାର କବିତାର ମର୍ମବାଣୀକୁ ଇନ୍ଦ୍ରିୟ ପ୍ରତ୍ୟକ୍ଷ କରିଥାଏ । (ଆଧୁନିକ କବି ଜିଜ୍ଞାସା ଓ ଚିତ୍ରକଳ୍ପ :- ଡଃ ଦାଶରଥି ଦାସ)

 

ଗୋଟିଏ ଜାତିର ସଂବେଗଶୀଳ ମାନସର ସୂକ୍ଷ୍ମତମ ସ୍ଥିତି ଓ ମାନସିକତାର ଭାବରୂପ ହେଉଛି କବିତା । ସ୍ଵାଧୀନତା ପୂର୍ବର ମାନସିକତା ସ୍ୱାଧୀନତାପରେ ପରିବର୍ତ୍ତିତ ହୋଇଛି । ସ୍ୱାଧୀନତାର ସ୍ଵପ୍ନ ଆହତ ହୋଇଛି । ନିରର୍ଥକ ହୋଇଛି ତ୍ୟାଗ ଓ ତପସ୍ୟା । ପାରଂପରିକ ମୂଲ୍ୟବୋଧର ବିପର୍ଯ୍ୟୟ ସାଂପ୍ରତିକ ମଣିଷ ମନରେ ଅସହାୟତା, ବ୍ୟର୍ଥତା ଓ ନିଃସଙ୍ଗତା ସୃଷ୍ଟିକରିଛି । କବିତାରେ ଏହି ମୁଦ୍ରାଙ୍କ ନୂତନ ରୂପ (Form) ବା ସ୍ଥାପତ୍ୟ ବହନ କରିଛି । ଆଧୁନିକ କବିତାର ଧାରାରେ ରାଧାନାଥ, ମଧୁସୂଦନଙ୍କ ଠାରୁ କବିତାର ନୂତନଧାରାର ସୂତ୍ରପାତ ଘଟିଥିଲା । ଗୋପବନ୍ଧୁ, ନୀଳକଣ୍ଠ, ବୈକୁଣ୍ଠ, ମାୟାଧର, କାଳିନ୍ଦୀ ଚରଣଙ୍କ କବିତାରେ ସେହି ନୂତନତା ବୈଚିତ୍ରମଣ୍ଡିତ ହୋଇଥିଲା । ସ୍ୱାଧୀନତା ପୂର୍ବର ଏହି ବୈଚିତ୍ର୍ୟ ସ୍ୱାଧୀନତା ପରେ ଅଧିକ ବିସ୍ଫାରିତ ହେଲା । ଆଙ୍ଗିକରେ ପରିବର୍ତ୍ତନ ଘଟି ଛନ୍ଦପାତରେ ମୁକ୍ତଛାନ୍ଦର ଆନୟନ ଘଟିଲା । ଶବ୍ଦକଳାର ପ୍ରୟୋଗରେ ନୂତନତା ଦେଖାଦେଲା । ପ୍ରତୀକ, ରୂପକଳ୍ପ-ଚିତ୍ରକଳ୍ପ ଓ ମିଥ୍‌ର ପରିପ୍ରକାଶ ଘଟିଲା । କବିତାର ଶକ୍ତି, ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ ବିଭିନ୍ନ ଦିଗରୁ ସୁସ୍ପଷ୍ଟ ହେଲା । ଷଷ୍ଠ ଦଶକରୁ କବିତାର ରୂପ (Form) ଓ ଶବ୍ଦବିମ୍ବରେ ଅସାଧାରଣ ରୂପ-ସ୍ପର୍ଶ ପ୍ରକାଶ ପାଇଲା । ସଚ୍ଚିଦାନନ୍ଦ ରାଉତରାୟ ଏହାର ନେତୃତ୍ୱ ନେଲେ । ଗୁରୁପ୍ରସାଦ, ବିନୋଦଚନ୍ଦ୍ର, ଜ୍ଞାନୀନ୍ଦ୍ର, ଭାନୁଜୀ, ଚିନ୍ତାମଣି, ବେଣୁଧର ପ୍ରମୁଖ କାବ୍ୟ ନାୟକମାନେ କବିତା କ୍ଷେତ୍ରରେ ବିବିଧ ପରୀକ୍ଷା-ନିରୀକ୍ଷା କଲେ । ସପ୍ତମ ଦଶକରୁ ରମାକାନ୍ତ, ସୀତାକାନ୍ତଙ୍କ କବିତାରେ ନୂତନ ଶବ୍ଦ, ନୂତନ ଛନ୍ଦ ପ୍ରୟୋଗରେ ନୂତନ ଶକ୍ତି ସଞ୍ଚାରିତ ହେଲା । କବିତାର ଜୀବନଶକ୍ତି ବଳିଷ୍ଠ ହେଲା- ଓଜଃ ପ୍ରକାଶ ପାଇଲା ।

 

କବିଙ୍କ ଦିଗରୁ କାବ୍ୟ ବିଚାର ସଠିକ୍ ବିଚାର ନୁହେଁ, କବିଙ୍କ ବ୍ୟକ୍ତି ମାନସର ବିଚାର କବିତାର ବୈଶିଷ୍ଟ୍ୟକୁ ପ୍ରତିପାଦନ କରେ । ତେଣୁ ଜଗତ ଓ ଜୀବନର ରୂପ ବଡ଼ ନୁହେଁ, କବିଙ୍କ ମନୋଜଗତ ବଡ଼ । ସେଥିପାଇଁ କବିଦୃଷ୍ଟି ଓ ଭାବାନୁଭୂତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । I.A. Richardsଙ୍କ ଭାଷାରେ -” It is never what a poem says that matter but what it is.” କବିତା କ’ଣ କହେ ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସ୍ଵୟଂ ତାହା କ’ଣ ତାହାହିଁ ପ୍ରଣିଧେୟ ।” (ଡଃ ଦାଶରଥି ଦାସ - ଆଧୁନିକ କାବ୍ୟ ଜିଜ୍ଞାସା : ଚିତ୍ରକଳ୍ପ)

 

ଶବ୍ଦ ଓ ଭାବର ଲୁଚକାଳି ଖେଳ ହେଉଛି ଆଧୁନିକ କବିତା । ବିଶେଷ କରି ଏହା ଏକ ରୂପସୃଷ୍ଟି । ଭାବ ଅପେକ୍ଷା ରୂପଗତ ବିନ୍ୟାସ ଏହାର ଶକ୍ତି । ଶବ୍ଦ ଓ ଛନ୍ଦର ଅକୃତ୍ରିମ ପ୍ରାଚୁର୍ଯ୍ୟ କବିତାକୁ ବଡ଼କରେ । Susanne K. Longerଙ୍କ ମତରେ- “Art is the creation of forms symbolic of human feelings.”

 

ସ୍ୱାଧୀନତା ପରବର୍ତ୍ତୀ (ଷଷ୍ଠ ଦଶକ) ଆଧୁନିକ ଓଡ଼ିଆ କବିତାରେ ଶବ୍ଦର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହା କବିତାର ପ୍ରମୁଖ ଶିଳ୍ପବିଧି । କାରଣ ଆଧୁନିକ କବିତା ଶବ୍ଦକଳା ରୂପାତ୍ମକ ସ୍ଥାପତ୍ୟ । ଶବ୍ଦର ଆକାଶ ହେଉଛି କବିତାର ପ୍ରାଣଭୂମି । ଏହା ସୃଜନଶୀଳ ଓ ସୃଷ୍ଟିକ୍ଷମ । ଏହା ଯେପରି ହୃଦୟାବେଗ ପରିପୂର୍ଣ୍ଣ ସେହିପରି ଭାବାବିଷ୍ଟ । କବି ଭାବାବିଷ୍ଟ ହେଲେ ଶବ୍ଦକଳାର ଚିତ୍ର ଫୁଟେ । ରଙ୍ଗରୁ ଚିତ୍ର ପ୍ରକଟିଲା ପରି ଭାଷାରୁ ଫୁଲ ଫୁଟେ । (ଡଃ ଦାଶରଥି ଦାସ)

 

କବିତାରେ ଶବ୍ଦ ସଂଯୋଜନା-ସଙ୍ଗୀତ ରଚନା, ମୂର୍ତ୍ତି ନିର୍ମାଣ ଓ ଚିତ୍ରାଙ୍କନ ପରି ଏକ ଗଠନ ସୁଷମା ବା ଆଙ୍ଗିକ ପ୍ରବିଧି । କେବଳ ବହିର୍ଜଗତ ବସ୍ତୁକୁ ତାହା ବ୍ୟକ୍ତ ବା ଉଜ୍ଜ୍ୱଳ କରେ ନାହିଁ, ବୌଦ୍ଧିକ ଚିନ୍ତା ବିଳାସରୁ ଜନ୍ମ ନେଇଥିବା ଅନେକ କଳ୍ପନାର ଛବି କବିତା ପ୍ରତିମାକୁ ଜୀବନ୍ତ ଅସ୍ତିତ୍ୱ ପ୍ରଦାନ କରେ ।

 

କବିତାର ‘ଶବ୍ଦ ରୂପ’ ଦ୍ୱିବିଧ- ଧ୍ୱନିଗତ ଓ ଅର୍ଥଗତ । ଧ୍ୱନି ଓ ଅର୍ଥ ଏକ କଥା ନୁହେଁ । ପ୍ରତ୍ୟେକଟିର ସ୍ୱାତନ୍ତ୍ର୍ୟ ରହିଛି । ତେବେ ଭାବ ସଂବେଗ ଉଭୟ ଧ୍ୱନି ବିନ୍ୟାସ ଓ ଅର୍ଥ ବିନ୍ୟାସକୁ ସମ୍ମିଳିତ କରି ରଖିଛି । ତେଣୁ ‘ଭାବ’ ହେଉଛି କବିତାର ବ୍ରହ୍ମ । କବିତା ଏକ ଅନୁଭବର ଶିଳ୍ପ ହୋଇଥିବାରୁ ‘ଭାବ ସଂବେଗ’ ସବୁଠାରୁ ମହତ୍ଵପୂର୍ଣ୍ଣ ।

 

ଗଦ୍ୟର ଶବ୍ଦ ଓ କବିତାର ଶବ୍ଦ ସ୍ୱତନ୍ତ୍ର । କବିତାର ଶବ୍ଦ ଅନଭ୍ୟସ୍ତ ପାଠକକୁ ପ୍ରହେଳିକା ପରି ମନେହୁଏ । ଅନଭ୍ୟସ୍ତ ପାଠକ କବିତାକୁ ପାଠକଲେ ଦର୍ଶନ ଶାସ୍ତ୍ର ଅବା ଅଙ୍କଶାସ୍ତ୍ର ପାଠ କଲାପରି ମନେକରେ । ଏହା ହେଉଛି କବିତାରେ ସଂଯୋଜିତ ଶବ୍ଦ ପ୍ରୟୋଗର ଜଟିଳତା ବା ଦୁର୍ବୋଧ୍ୟତା । କବିତାର ଶବ୍ଦ କଳାଗତ ଅନୁଭବ ଶକ୍ତି ପାଠକର ନଥିଲେ ଆଧୁନିକ କବିତା ଚିରକାଳ ଦୁର୍ବୋଧ୍ୟ ହୋଇ ରହିଯିବ ଏଥିରେ ସନ୍ଦେହ ନାହିଁ । ଯେହେତୁ କବିତାର ଶବ୍ଦ ଇନ୍ଦ୍ରିୟାନୁଭବ, ଅତନ୍ଦ୍ରିୟାନୁଭବ, ପ୍ରତୀକାତ୍ମକ, ରୂପକଳ୍ପାତ୍ମକ, ମିଥ୍ୟାତ୍ମକ ସେହେତୁ ଶବ୍ଦ କଳାକୁ ପ୍ରଥମେ ହୃଦୟଙ୍ଗମ କରିବା ଆବଶ୍ୟକ ।

 

ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ପାଣ୍ଡୁଲିପି’ କବିତା କ୍ଷେତ୍ରରେ ଏକ ନୂତନ ଆହ୍ୱାନ । ମୁକ୍ତଛାନ୍ଦରେ ରଚିତ ହେଲେ ମଧ୍ୟ କବିତାର ଛନ୍ଦମୟ ଭାବ, ପ୍ରତୀକାତ୍ମକ ଓ ଚିତ୍ରକଳ୍ପ (ରୂପକଳ୍ପ)ର ଶବ୍ଦକଳାକୁ ଲକ୍ଷ୍ୟ କରାଯାଇପାରେ-

 

“ବାହାରେ କଳହରତ ଭିକାରୀ ଦି’ଜଣ

ଉପରେ ଟିଣର ଜହ୍ନ

ଯାଏ ବୁଡ଼ି

ଈଷତ୍ କୁହୁଡ଼ି

କଦମ୍ବ ଫୁଲିଆ ଜହ୍ନ ହେଲା ଆସି ଲାଲ

ମନେହୁଏ ଏକ ମୃତ ହରିଣର ଛାଲ

ଢାଙ୍କେ ପୃଥିବୀ

ପାହାଡ଼ ନଦୀ ବି ! !”

(ଲାବଣ୍ୟବତୀକୁ ଚନ୍ଦ୍ରଭାନୁର ଚିଟାଉ)

 

କବିତାର ବାକ୍ୟ ବିନ୍ୟାସରେ ରୂପକଳ୍ପ ଏକ ନୂତନ ସଙ୍କେତ । ‘ଟିଣର ଜହ୍ନ’, ଈଷତ୍ କୁହୁଡ଼ି, କଦମ୍ବଫୁଲିଆ ଜହ୍ନ, ମୃତ ହରିଣର ଛାଲ ପ୍ରଭୃତି ଶବ୍ଦ ପ୍ରୟୋଗ ଭାବନାକୁ ପ୍ରସାରିତ କରୁଛି-। ‘ଟିଣର ଜହ୍ନ’ ପ୍ରକୃତ ଜହ୍ନ ନୁହେଁ । ଏହା ଏକ ମାନସିକ ପ୍ରତିଫଳନ । ଏହା ଏକ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା । ଆଧୁନିକ କବିତାରେ କବି ବର୍ଣ୍ଣନା ନୁହେଁ ବ୍ୟଞ୍ଜନାତ୍ମକ ଶୈଳୀରେ ଶବ୍ଦ ପ୍ରୟୋଗ ଘଟାଇଥାନ୍ତି । ସେହିପରି ‘ପ୍ରତିମା ନାୟକ’ କବିତାରେ କବି- ‘ସାବୁନ୍‌ର ଫେଣପରି ସଫା’ କହି ନୂତନ ବାକ୍ୟ ବିନ୍ୟାସର ପରିଚୟ ପ୍ରଦାନ କରିଛନ୍ତି । ସେ ଲେଖିଛନ୍ତି-

 

ମୁଖ ତା’ର ବ୍ରଣ ଦୁଷ୍ଟ ହାତରେ ତା ଚମଡ଼ାର ବ୍ୟାଗ୍

ଶୀର୍ଣ୍ଣ ସାଦା ଗାଲେ ଫୁଟେ ବ୍ୟର୍ଥତାର ଅକପଟ ଦାଗ

ତନୁ ତା’ର ରୋଗଜୀର୍ଣ୍ଣ, ବ୍ରଣେ ତା’ର ସ୍ନାନ ମୁହଁ ଯାକ

ଶ୍ଳଥ, ରଜ୍ଜୁଦେହ-ଶିଖା ଢାଙ୍କି ଅଛି ଖାକୀର ପୋଷାକ ।

(ପ୍ରତିମା ନାୟକ)

 

ଏଠାରେ ମଧ୍ୟ ସେହିପରି ଶବ୍ଦିକ ରୂପକଳ୍ପର ସୃଷ୍ଟି ଘଟିଛି । ବ୍ୟଙ୍ଗାତ୍ମକ ଦୃଷ୍ଟି ଶାଣିତ ଓ ସୁସ୍ପଷ୍ଟ । ଯଥାର୍ଥରେ କବିତାର ଭାବମୂର୍ତ୍ତିକୁ ଲକ୍ଷ୍ୟକରି ଶବ୍ଦିକ ଅନୁଭବ କଳାକୁ ଲକ୍ଷ୍ୟ ନ କରାଗଲେ କବିତାକୁ ବୁଝିହେବ ନାହିଁ । କାରଣ ଶବ୍ଦ ମାଧ୍ୟମରେ କବିତାର ଆଙ୍ଗିକ ବା ରୂପ ଶିଳ୍ପ ଗଠିତ ଯାହା ଜଟିଳ ରୂପ ନେଇଛି । ସେଥିପାଇଁ କବିତାର ଶବ୍ଦକଳା ସହିତ ପରିଚିତ ହେବା ଏକାନ୍ତ ପ୍ରୟୋଜନ । ତାଙ୍କର ‘ବନ୍ଦିନୀ’ କବିତା ସଂଯୋଜିତ ଶବ୍ଦ କଳାକୁ ଲକ୍ଷ୍ୟ କରାଯାଇପାରେ-

 

ତାଙ୍କ ରେଶମୀ ଚମରେ

ଏକ କଅଁଳ ପତ୍ରର ବଗିଚା

ନୂଆ ପୁଆର କଞ୍ଚାଳିଆ ତ୍ୱକ

ଯାହା ଉପରେ ସେହି

ଏକୁଟିଆ ଜୁଳୁଜୁଳିଆ ପୋକ

କାଲି ରାତିରେ ଜଳି ଉଠିଲା

ଆଉ ତାଙ୍କର କଦଳୀପତ୍ର ଶାଢ଼ୀରେ

କି ତନ୍ମୟତା !

କାଞ୍ଚୁଲୀର ବୋତାମ ସବୁ

କେମିତି ନଖପରି ଶୁଭ୍ର,

ସତେଜ ଓ ଚକ୍ ଚକ୍ !

X X X

ପୁଣି ସର୍ବୋପରି ସେ ଭୟ

ଓ ସନ୍ଦେହ

ଯେ ମୁଁ କାଳେ କିଛି ଗୋଟାଏ କାଣ୍ଡ କରିବସିବି

ମୁଁ ତାଙ୍କ ଘରୁ ସେ ଦିନ ସହଳ ଚାଲି ଆସିଲି ।

 

ଶବ୍ଦମାନଙ୍କର ଛନ୍ଦରେ କବି କାବ୍ୟିକ ଆବେଗ ସୃଷ୍ଟି କରିଛନ୍ତି । ପ୍ରତୀକ ଓ ଚିତ୍ରକଳ୍ପ ମାଧ୍ୟମରେ ରୋମାଣ୍ଟିକ ଭାବନା ପ୍ରକାଶ ପାଇଛି । ଶବ୍ଦର ଇନ୍ଦ୍ରିୟଗ୍ରାହୀ ଅନୁଭବ ତନ୍ମୟତା ସୃଷ୍ଟି କରିଛି । ରେଶମୀ ଚମ, କଅଁଳ ପତ୍ରର ବଗିଚା, କଞ୍ଚାଳିଆତ୍ୱକ, ଜୁଳୁଜୁଳୁଆ ପୋକ, କଦଳୀପତ୍ରର ଶାଢ଼ୀ, କାଞ୍ଚୁଲୀର ବୋତାମ, ନଖପରି ଶୁଭ୍ର, ପ୍ରଭୃତି ଚିତ୍ରକଳ୍ପ ମାଧ୍ୟମରେ ରୂପଦର୍ଶନର ଚେତନାକୁ ପ୍ରତିବିମ୍ବିତ କରାଯାଇଛି ।

 

କବିତାର ଭାଷା ସାଧାରଣ ଭାଷା ନୁହେଁ-ଶକ୍ତିଶାଳୀ । ମାରିଆ ରିଲ୍‌କେଙ୍କ ମତରେ- “No word in the poem is identical with the same sounding word in common use and conversation.’’ (Language within Language) କବିତାରେ ସଂଯୁକ୍ତ ଶବ୍ଦ କଳା ଚିତ୍ତସ୍ପର୍ଶୀ । ସେଥିରେ ପ୍ରାଣ ଓ ଉତ୍ତାପ ଅଛି । ଚିତ୍ରାତ୍ମକ ଶକ୍ତି ଅଛି । ଶବ୍ଦର ଏହି ପ୍ରାଣଶକ୍ତି ଉପରେ କବିତାର ମହିମା ରୂପଶ୍ରୀ ନିର୍ଭର କରେ । ଗଟ୍ ଫ୍ରିଡ୍‌ବେନଙ୍କ ଇଂରାଜୀ ଓ ମାନବେନ୍ଦ୍ର ମୁଖୋପାଧ୍ୟାୟଙ୍କ ବଙ୍ଗଳା କବିତାର ଓଡ଼ିଆ ଅନୁବାଦ କବିତା ‘ଏକ ଶବ୍ଦ’କୁ ଲକ୍ଷ୍ୟ କରାଯାଉ-

 

“ଗୋଟିଏ ଶବ୍ଦ, ଗୋଟିଏ ବାକ୍ୟବଂଧ

ଶୂନ୍ୟ ମଧ୍ୟରୁ ଉଠିଆସେ

ଅନୁଭୂତ ଜୀବନ, ଆକସ୍ମିକ ଚେତନା

ସୂର୍ଯ୍ୟ ନିଶ୍ଚଳ, ସ୍ତବ୍‌ଧ ବୃତ୍ତ

କେବଳ ସବୁକିଛି ଆଗେଇ ଆସିଛି ଗୋଟିଏ ଶବ୍ଦ କେନ୍ଦ୍ରରେ

ଗୋଟିଏ ଶବ୍ଦ-ଆଲୋକର ଏକ ଝଲକ

ପାଖାମେଲା ଏକ ଉତ୍‌କ୍ରାନ୍ତ ଅଗ୍ନି

ଅଗ୍ନିର ଏକ ବହ୍ନିଶିଖା,

ଛିଟିକି ବାହାରି ଆସେ ଗୋଟିଏ ନକ୍ଷତ୍ର ।”

 

ସାଧାରଣ ଶବ୍ଦକୁ ଛନ୍ଦ ଦେଇ ଭାବ ସଂବେଗ ସୃଷ୍ଟି କରିବାରେ ସାର୍ଥକ କବି ଗୁରୁପ୍ରସାଦ ମହାନ୍ତି ଲେଖିଛନ୍ତି-

 

ସେ ଗଲା ସି.ଏଲ.ନେଇ କେଉଁ ନର୍ସ ମାଷ୍ଟରାଣୀ ଆଡ଼େ

ସେ ପୁଣି ତ ଜାଣି ନାହିଁ ପୁଅ ତୋର ନୁହେଁ ତା’ର

ସେ ପୁଣି ତ ଆସ୍ଥା ରଖେ ତୋର ସଫା ଧଳା ସତୀତ୍ଵରେ ।

(କାଳ ପୁରୁଷ)

 

ସଚ୍ଚି ରାଉତରାୟଙ୍କ ଶବ୍ଦକଳା ଅନେକାଂଶରେ ଆତ୍ମିକ ହେଲେ ମଧ୍ୟ ରହସ୍ୟାଚ୍ଛନ୍ନ । କିନ୍ତୁ ଗୁରୁ ପ୍ରସାଦଙ୍କ କବିତାର ଶିଳ୍ପରୀତି ଭାବ ସଂବେଗଶୀଳ ଓ ପ୍ରାଞ୍ଜଳ । ତେବେ ରମାକାନ୍ତଙ୍କ କବିତାର ଶବ୍ଦ ଶିଳ୍ପ ଅଧିକ ମନସ୍ତାତ୍ତ୍ୱିକ ଓ ବୌଦ୍ଧିକ । କବି ଲେଖିଛନ୍ତି-

 

ଶବ୍ଦମାନେ, ଫୁଟୁଥିଲେ ଭୟର ଉତ୍ତାପେ

ଆପେ ସୃଷ୍ଟି ହେଉଥିଲେ ଶବ୍ଦ ମାନେ

ଆପେ ମଧ୍ୟ ଧ୍ୱଂସ ହେଉଥିଲେ

ଶବ୍ଦମାନେ ଭାସୁଥିଲେ କେଉଁ ଏକ

କୁଳୁକୁଳୁ ସୁନ୍ଦର ନଈରେ

ହାଲୁକା ଜାହାଜ ପରି ସ୍ରୋତର ବିପକ୍ଷେ ।

(ବାଘଶିକାର)

 

(ଅଥବା) :-

 

ଅସହ୍ୟ ଅର୍ଥଙ୍କର ଭଙ୍ଗାକାଚ଼ ଉଡ଼ି ଖାବରା କରନ୍ତି

ହୃଦୟର ଭିତରର ପିନ୍ଧା ମୁହଁ,

ଆହା ଉଲ୍ଲୁ ପୃଥିବୀ ଯାକର

ତମର ଚୌଦିଗେ ମୃତ୍ୟୁ

ଏବଂ ତା’ର ଥଣ୍ଡା ଥଣ୍ଡା ହାତ

ଚିପିବାକୁ ଆସେ ତମ ବେକ

ଉଲ୍ଲୁ ! ଉଲ୍ଲୁ ! ଉଲ୍ଲୁ !

ଶିଖିନ କାନ୍ଦିବା ଲାଗି ଯନ୍ତ୍ରଣାର

ଢେଉପରି ଭାଙ୍ଗିବା ନିମିତ୍ତ ।

(ଅନନ୍ତ ଶୟନ)

 

ରମାକାନ୍ତଙ୍କ କବିତାର କାବ୍ୟିକ ଗତି ସଚ୍ଚିତ୍ର । ତାଙ୍କ କବିତାର ପ୍ରତ୍ୟେକ ଶବ୍ଦକଳା ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଚିତ୍ର ସୃଷ୍ଟି କରନ୍ତି । ତାଙ୍କର ଶବ୍ଦକଳା ଚିନ୍ତନଶୀଳ ଓ ଗମ୍ଭୀର ମୁଦ୍ରା ସୃଷ୍ଟି କରନ୍ତି । ଶବ୍ଦ ଓ ଛନ୍ଦ ବୌଦ୍ଧିକ । ଭାଷା ଉଜ୍ଜ୍ୱଳ, ଦୀପ୍ତ ଓ ମାର୍ଜିତ । ଅନେକ ସ୍ଥାନରେ ବାସ୍ତବଧର୍ମୀ କେତେକ ସ୍ଥାନରେ ଅନୁସନ୍ଦିତ୍ସା ପରିପୂର୍ଣ୍ଣ । ସୀତାକାନ୍ତଙ୍କ ଶବ୍ଦକଳା ନିଷ୍କପଟ ଓ ଆନ୍ତରିକତା ପରିପୂର୍ଣ୍ଣ । ଗୋଟିଏ ପ୍ରବୀଣ ମନର ପରିପକ୍ୱ ମୁଦ୍ରାଙ୍କ ହେଉଛି ତାଙ୍କର ଉପଲବ୍‌ଧି । କବି ମନର ବିଚିତ୍ର ବର୍ଣ୍ଣାଳୀକୁ ତାଙ୍କ କବିତାର ଶବ୍ଦକଳା ପ୍ରୟାସୀ । ଆଧୁନିକତାକୁ ପ୍ରତ୍ୟାଖ୍ୟାନକରି ସଂସ୍କୃତ ଓ ପରଂପରାର ଗଭୀରତାକୁ ଛୁଇଁବାର ବିରଳ ବ୍ୟାକୁଳତା ବାରିହୁଏ । ତାଙ୍କର ଭାଷା, ଶୈଳୀ ଓ ବକ୍ତବ୍ୟରେ ଫୁଟିଉଠେ ଏଇ ମାଟି, ପାଣି ଓ ଜୀବନଧାରା । ସେ ଜଣେ ଶୁଭବିଶ୍ୱାସୀ କବି । ସେ ଲେଖିଛନ୍ତି

 

ଆମେ ସବୁ ସଁବାଳୁଆ

ଯିଏ ମଲୁ ନିଜଗଢ଼ା ଖୋଳପା ଭିତରେ

ଆମରି ଦାୟାଦ ତୁମେ ଜଗତ୍‌କାରୁ ପ୍ରଜାପତି ହୋଇ

ରୂପ ନିଅ, ଉଡ଼ିଯାଅ

ବିଚିତ୍ର ଡେଣା ହଲାଇ ଆଶ୍ଚର୍ଯ୍ୟ ଏ ରଙ୍ଗୀନ ଖରାରେ

(ଦାୟାଦ)

 

ସୀତାକାନ୍ତଙ୍କ କବିତାର ଶବ୍ଦକଳାରେ ଦାର୍ଶନିକତା ଥିଲେ ମଧ୍ୟ ତାହା ପ୍ରାଣମୟ, ସମ୍ବେଦନଶୀଳ ଓ ଅନୁଭବ ପ୍ରବଣ ।

 

ବଉଦର କ୍ଲାନ୍ତ ଢେଉ

ଚିକ୍ ଚିକ୍ ରୂପାରଙ୍ଗ ଖରା

ଅରା ଅରା ନିଝୁମ ଆକାଶ

ସନ ସନ ଶୂନ୍ୟତାର ନିରୁଦ୍‌ବିଗ୍ନ ଇଲାକାରୁ

ତଳେ ଦିଶେ ଚରାମାଟି

ପରିଚିତ ନଈଛାତି

ଧଳାଗାର-ନେଳିଗାର

ଧୋବାତୁଠ- ଦଉଡ଼ିରେ ଶୁଖା ଲୁଗା ଢେଉ

ଦୋଳିରେ ଗାଁର ଝିଅ

ଲଙ୍ଗଳ-ଠିରିକା ମାଟି

ନଣନ୍ଦର ମୁଣ୍ଡବାନ୍ଧେ ନୂଆ ଭାଉଜୋଉ ।

(ଏରୋଡ୍ରମ-ଶବ୍ଦର ଆକାଶ)

 

ଶବ୍ଦ ପ୍ରୟୋଗ ଆଧୁନିକ କବିତାର ଏକ ଉଲ୍ଲେଖଯୋଗ୍ୟ ଦିଗ । କବିର ଶବ୍ଦ କଳାର ନିପୁଣ ବ୍ୟବହାର କୌଶଳ ଏକ ସଫଳ କବିତାକୁ ଜନ୍ମଦିଏ । କାରଣ ଶବ୍ଦ ହେଉଛି କବିତା । ଶବ୍ଦ କଳାର ଚାତୁର୍ଯ୍ୟର ତୁଳନ: ହିଁ ଚିତ୍ରକଳ୍ପ (Image) । ଆଧୁନିକ କବିତାର ନିର୍ମାଣରେ ଶବ୍ଦକଳା ବା ଚିତ୍ରକଳ୍ପ, ରୂପକଳ୍ପ (ବିମ୍ବ)ର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଡକ୍ଟର ପ୍ରତିଭା ଶତପଥୀ ଲେଖିଛନ୍ତି- “ଶବ୍ଦ ନିର୍ମିତ ରୂପ ନୂଆ କଥା ନୁହେଁ । ଭାବାଭିବ୍ୟକ୍ତି କ୍ଷେତ୍ରରେ କବିତ୍ଵର ସାହଚର୍ଯ୍ୟ ହେତୁ ଚିତ୍ର ନିର୍ମିତ ହୋଇଥାଏ । କେବଳ କବିତାରେ ନୁହେଁ, ବିଶେଷ ଧରଣର ରସିକତା ଯୁକ୍ତ କଥୋପକଥନରେ ମଧ୍ୟ ରୂପଟିଏ ପ୍ରମୂର୍ତ୍ତ ହୋଇଥାଏ । ଆବେଗ, ଭାବ ନିବିଡ଼ତା ଓ ମନନଶୀଳତା ମିଶି ଭାବୋପଲବ୍ଧିକୁ ଚାକ୍ଷୁଷ ରୂପ ପ୍ରଦାନ କରିଥାଏ । ତଥାପି ପାଶ୍ଚାତ୍ୟ କାବ୍ୟାଦର୍ଶ ହିଁ ଆମକୁ କବିତାର ରୂପ ପ୍ରତି ଅଧିକ ଧ୍ୟାନଶୀଳ କରିଅଛି, ରୂପର ନିର୍ମାଣ ଓ ତତ୍ତ୍ୱାନୁସନ୍ଧାନର ଗୁରୁତ୍ୱ ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଛି । ବିମ୍ବ (ରୂପକଳ୍ପ) କାବ୍ୟ ସୃଜନ କାଳରୁ ଉପସ୍ଥିତ ଥିଲେ ହେଁ, ପାଶ୍ଚାତ୍ୟ ସଂସର୍ଗରୁ ତାହାର ପ୍ରାଧାନ୍ୟ ଆମେ ସଚେତନ ଭାବେ ସ୍ୱୀକାର କରୁଅଛୁ ।”

 

ଚିତ୍ରକଳ୍ପ ଦୃଶ୍ୟଧର୍ମୀ-ଉପମାଧର୍ମୀ । ଚିତ୍ରକଳ୍ପ ଆବେଗିକ ଓ ମନନଧର୍ମୀ ଏକ ଜଟିଳତାକୁ ପ୍ରକାଶ କରିଥାଏ । ଚିତ୍ରକଳ୍ପ ପ୍ରଥମ ଅନୁଭୂତି ଆମ ଇନ୍ଦ୍ରିୟ ମାଧ୍ୟମରେ ଘଟି କ୍ରମେ ପ୍ରଜ୍ଞା ଓ ସଂବିତ୍‌କୁ ଉଦ୍‌ବୁଦ୍ଧ କରାଏ । ଦୃଷ୍ଟି ସଂବେଦୀ ଚିତ୍ର ଘଟିବା ପରେ ଭାବସଂବେଦୀ ଚିତ୍ର ପ୍ରକାଶିତ ହୁଏ । କବିତାର ଏହି କାବ୍ୟିକ ଚିତ୍ରକଳ୍ପ ଗୋଟିଏ ଶବ୍ଦ ଚିତ୍ର । ଏଥିରେ ଭାବାବେଗ ଓ ଆସକ୍ତି ଋଦ୍ଧିମନ୍ତ ହୋଇ ରହିଥାଏ । ଅନ୍ତରର ନିବିଡ଼ ଅନୁଭୂତିକୁ କବି ଶବ୍ଦଗତ କରେ ଓ ଆତ୍ମୀୟତାର ସହିତ ଚିତ୍ରକଳ୍ପ ମାଧ୍ୟମରେ ପ୍ରକାଶ କରେ । କବିତାରେ ଗୋଟିଏ ବା ଏକାଧିକ ଚିତ୍ରକଳ୍ପ ରହିପାରେ କିମ୍ବା ସମଗ୍ର କବିତା ଗୋଟିଏ ଚିତ୍ରକଳ୍ପରେ ପରିଣତ ହୋଇପାରେ । କବି ସଚ୍ଚି ରାଉତରାଙ୍କ ଠାରୁ ଆଜି ପର୍ଯ୍ୟନ୍ତ ଚିତ୍ର କଳ୍ପର ସାର୍ଥକ ବ୍ୟବହାର ପ୍ରତିଷ୍ଠା ପାଇଛି ।

 

(କ)

ଖରାବେଳେ ନିଛାଟିଆ/ବୃନ୍ଦାବନ ସହରର ବାଟ

ଉତ୍ତାପର ଟହ ଟହ ହସ ମଧ୍ୟେ

ପ୍ରେମିକ ସମ୍ରାଟ/

ଆଖିରେ ପ୍ରଚକ୍ଷୁ ଏବଂ ହାତରେ ମୁରଲୀ ଧରି

ଡାକୁଛନ୍ତି ରାଧା ଆସ ଆସ ବୋଲି ।

 

(ରମାକାନ୍ତ-ସୂର୍ଯ୍ୟାସ୍ତରେ ଖରା ଶେଷ ନୁହେଁ)

(ଖ)

କ୍ଳାନ୍ତ ଶ୍ରାନ୍ତ ପାରିଧିରୁ ସେ ଫେରୁଥିବେ,

ମୁହଁ ଧୋଇବେ ଝରଣାରେ/

ମୁଁ ଗୋଟେ ଝରଣା ପରି ବୋହି ଯାଉଥାଏ

ତାଙ୍କ ବିବର୍ଣ୍ଣ ସ୍ମୃତିର ଅନ୍ଧାର ଭିତରେ/

(ସୌଭାଗ୍ୟ ମିଶ୍ର-ଶକୁନ୍ତଳା)

(ଗ)

ଆଉ ଜ୍ୟୋତ୍ସ୍ନା/

ଧୋବ ଫର ଫର ସାଦା ରୁମାଲରେ/

ପୋଛିଦବ ତା’ର କ୍ଲାନ୍ତି/

ଏବଂ ଲିପିଦେବ/

ଶୀତଳତାର ସ୍ନିଗ୍ଧ ପ୍ରଲେପ/

ତା’ର ଜର୍ଜରିତ ସମଗ୍ର ଦେହରେ ।

(ବ୍ରଜନାଥ ରଥ-ମନର ମାନଚିତ୍ର)

(ଘ)

ସହରର ମୃତ ଉପତ୍ୟକା ଉପରେ

ସୂର୍ଯ୍ୟ ଓହ୍ଲାଇଯାଏ ରକ୍ତାକ୍ତ ପାଦପକାଇ/

ରୁଦ୍ଧ ଚିତ୍କାର ପ୍ରତିଧ୍ୱନି ହୋଇ

ଫେରିଯାଏ ନିୟନ୍ତ୍ରଣର କୋଠରୀକୁ ।

(ଜଗନ୍ନାଥ ପ୍ରସାଦ ଦାସ-ଆହ୍ନିକ)

(ଙ)

ମୋ ଶାଢ଼ୀ କୁଞ୍ଚରେ ମହାନଦୀର ଢେଉ

ମୋ କଣ୍ଠିମାଳରେ ଗୋଟିଗୋଟି ତାରା

ମୋ ଗୀତରେ/ସ୍ନେହ ଅଛି/

ଲୁହ ଅଛି/ମୁଁ ନ ଦିଶନ୍ତି କେମିତି ?

(ପ୍ରତିଭା ଶତପଥୀ-ବିନା ସ୍ୱପ୍ନରେ)

(ଚ)

ସ୍ଵପ୍ନମାନେ ନିଃଶ୍ୱାସ ନେଇଥାନ୍ତି ଯେଉଁଠି

ଢାଙ୍କି ଦେଇ ଯନ୍ତ୍ରଣାକୁ ସକାଳର କୁହୁଡ଼ିରେ

(ଜୟନ୍ତ ମହାପାତ୍ର-କୋଣାର୍କ: କିଛି ଭୟ କିଛି ଅଭିମାନ)

(ଛ)

ନିମଗଛ ପରି/

ସିଧା ସଳଖ ତୁମ ଶରୀର ଗଠନ

ନିମଗଛ ଡାଳରେ ମୌନ ହଳଦୀବସନ୍ତ ପରି/

ତୁମ ବାଁ କାନ୍ଧରେ ହଳଦୀ ରଙ୍ଗର/

ଚନ୍ଦନ ଗନ୍ଧ ଚାଦରର ବିଛନ୍ଦ ପତନ ।

 

(ଦୀପକ ମିଶ୍ର-ଗୌରମୋହନ ମାଷ୍ଟ୍ରେ)

 

ଚିତକଳ୍ପ ବିଶେଷ କରି ଭାବଧର୍ମୀ କଳା । କୁହାଯାଇଛି ଯେ- ଗୋଟିଏ ମୌଳିକ ଚିତ୍ରକଳ୍ପ ରଚନା କରିବା ସବୁଠାରୁ ଗୌରବପୂର୍ଣ୍ଣ ଓ କବିତାର ସାର୍ଥକତା । ଚିତ୍ରକଳ୍ପ ଆଧୁନିକ କବିତାକୁ ଅଧିକ ତୀର୍ଯ୍ୟକ ଓ ଭାବଧର୍ମୀ କରିଥାଏ । ତେଣୁ କବିତା କ୍ଷେତ୍ରରେ ସଂଯୋଜିତ ଚିତ୍ରକଳ୍ପ ଗୁଡ଼ିକୁ ହୃଦୟଙ୍ଗମ କରିବା ସବୁଠାରୁ ବଡ଼କଥା । ଭାସିଆସେ ଏକ ରାଜହଂସୀ ନାଆ, ଚମ୍ପାଫୁଲ ମହକରେ ବାଟଭୁଲି ସମୁଦ୍ରର ଢେଉ, ଚର୍ବିପରି ସ୍ନିଗ୍‌ଧ ନିଦ, କଦଳୀପତ୍ରର ଶାଢ଼ୀ, କଦମ୍ବଫୁଲିଆ: ଜହ୍ନ, କଞ୍ଚାଳିଆ ତ୍ୱକ, କାଞ୍ଚୁଲୀର ବୋତାମ, ଖାକୀର ହସ, ପଉଷର ପଳିତମୂର୍ଚ୍ଛନା, ମାଇଲିଏ କ୍ଷୁଧା, କାକର ହକଳା, ଘାସର ବିପୁଳ ହ୍ରଦ, ଈଷତ୍ କୁହୁଡ଼ି, ବିକଳାଙ୍ଗ ପ୍ରାଚୀନ କାମନା, କ୍ଳୀବ ଆୟୁଷ, ମହାକଇଁ ବନ, କ୍ଲାନ୍ତ ବାଟୋଇର ସନ୍ଧ୍ୟା, ମୃତ୍ୟୁ ଏକ ଚପଳ ବାଳକ, ଟିଣର ଜହ୍ନ ପ୍ରଭୃତି ଚିତ୍ରକଳ୍ପ ଜୀବନ୍ତ ଓ ଭାବଧର୍ମୀ ।

 

ଆଜିର ଜୀବନକୁ ପ୍ରକାଶ କରିବା ପାଇଁ ଆଧୁନିକ କବି ଚିତ୍ରକଳ୍ପର ଆଶ୍ରୟ ନେଇଛି । ଜୀବନର ଅନେକ ଜଟିଳତମ ସତ୍ୟକୁ ପ୍ରକାଶ କରିବା ପାଇଁ ଏହିପରି କାବ୍ୟକଳ୍ପର ଆଶ୍ରୟ ଆଧୁନିକ କବି ନେଇଛି । କେଉଁଠି ପ୍ରେମାସ୍ପଦା ପାଖରେ ପ୍ରେମିକ ତଥାପି ସଂଦେହ ଜର୍ଜର, ଯୌନକାମନା, ସ୍ୱାର୍ଥ ସର୍ବସ୍ୱ ମଣିଷର ଚିନ୍ତା, ସ୍ନେହ-ପ୍ରେମ ଓ ଆତ୍ମୀୟତାର ବାସ୍ତବତା, ପରଶ୍ରୀକାତରତା, ନିର୍ଯ୍ୟାତିତା ନାରୀ, କପଟତା, ଆତ୍ମପ୍ରବଞ୍ଚନା, ଛଳନା, ତଥାପି ମାଟି-ମା, ପ୍ରତି ମମତ୍ୱବୋଧ, ମଣିଷପଣିଆ, ଆଧୁନିକ ଜୀବନର ଗଳଦ୍‌ଘର୍ମ ପ୍ରତିଯୋଗିତା ଅଯୋଗ୍ୟତା, ଅପାରଗତା, ଜୟ ପରାଜୟ ଆଦିକୁ ପ୍ରକାଶ କରିବାପାଇଁ କବି ଚିତ୍ରକଳ୍ପର ଆଶ୍ରୟ ନେଇଛନ୍ତି ।

 

‘ଛନ୍ଦ’ ଆଧୁନିକ କବିତାର ଆଉ ଏକ ଶିଳ୍ପରୂପ । ଆଧୁନିକ କବିତା ମୁକ୍ତଛନ୍ଦ (Free Verse) ବା ଗଦ୍ୟ ଛନ୍ଦ (Prose Verse) ମୟ । ଗଦ୍ୟ ଓ ପଦ୍ୟର ମିଶ୍ର ଛନ୍ଦରେ କବିତା ସାର୍ଥକତା ଲାଭ କରିଛି । ହ୍ୱାଇଟ୍‌ମ୍ୟାନ୍, ଏଲିଅଟ ପ୍ରମୁଖ ଇଂରାଜୀ କବି ଓ ଓଡ଼ିଶାରେ ସଚ୍ଚି ରାଉତରା, ଗୁରୁପ୍ରସାଦ, ବିନୋଦ ଚନ୍ଦ୍ର, ଭାନୁଜୀ, ବେଣୁଧର, ରମାକାନ୍ତ ଓ ସୀତାକାନ୍ତ ପ୍ରମୁଖ ଏହି ଧାରର କବି । ସେମାନଙ୍କ ଆଦର୍ଶରେ ଯତିପାତ ବା ଭଲ ପଦମେଳ ବଡ଼ କଥା ନୁହେଁ ଭଲ କବିତାଟିଏ ରଚନା କରିବା ବଡ଼ କଥା । ପ୍ରଥାସିଦ୍ଧ ଛାନ୍ଦ ବନ୍ଧନକୁ ପରିତ୍ୟାଗ କରି ଏମାନେ ମୁକ୍ତଛନ୍ଦ/ଗଦ୍ୟଛନ୍ଦ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । କାରଣ କବିତାର ଭାଷା ଆବେଗମୟ । ଆବେଗ ପଥରେ ପ୍ରତିବନ୍ଧକ ସୃଷ୍ଟି ନ କରି ଭାବକୁ ନିରନ୍ତର ପ୍ରକାଶ କରିବା ହେଉଛି ଆଧୁନିକ କବିତାର ଲକ୍ଷ୍ୟ । ଷଷ୍ଠ ଦଶକରୁ ଆଧୁନିକ ଓଡ଼ିଆ କବିତା ବାକ୍‌ଛନ୍ଦ ସହିତ କାବ୍ୟ ଛନ୍ଦକୁ ପୁଣି ଗଦ୍ୟଛନ୍ଦ ସହିତ ମୁକ୍ତ ଛନ୍ଦର ଶିଳ୍ପରୂପ ନିର୍ମିତ ହୋଇଛି । ଭାବ ସଂରଚନା ସହିତ ଛନ୍ଦ ସୃଷ୍ଟିରେ ଆଧୁନିକ କବି କିପରି ବ୍ୟାକୁଳ ସେ ପ୍ରସଙ୍ଗକୁ ଲକ୍ଷ୍ୟ କରାଯାଇପାରେ । ଏଠାରେ ବାକ୍‌ଛନ୍ଦ ସହିତ କାବ୍ୟ ଛନ୍ଦକୁ ଦେଖି ହେବ । ଯଥା:-

 

(କ)

ଟିକି ପିଲା ପରି ମୁଁ ଡ଼ାକେ

ଆସ ଆସ ଧଳା ପାରା ମୋ ପିଣ୍ଡାରେ ବସ

ଖାଇବାକୁ ଦେବି ତୁମକୁ ମୋରି କଳା ଶୋଷ

ପିଇବାକୁ ଦେବି ତୁମକୁ ମୋ ଆତ୍ମାର ଅନ୍ଧାର ନିର୍ଯ୍ୟାସ ।

(ସୀତାକାନ୍ତ : ଦିନଲିପି)

(ଖ)

କାଠଘୋଡ଼ା ପାଣି ପି ରେ ପାଣି ପି

ରାଜାଘର ପୋଖରୀ ଏ ଜାଣି ପି

ପଦ୍ମରୁ ଏଠି ବରଷଣ ମଧୁର

ପଦ୍ମରେ ସୁରଭିତ ଏଇ ସୁଶୀତଳ ମଧୁର

ଜାଣି ପି’ରେ ଜାଣି ପି, କାଠଘୋଡ଼ା ପାଣି ପି’ ।

(ବେଣୁଧର-କାଠଘୋଡ଼ା ପାଣି ପି)

(ଗ)

ପ୍ରଥମେ ବନ୍ଦନା କଲି ବୃକ୍ଷରାଜ ବଟ

ଦ୍ୱିତୀୟେ ବନ୍ଦିଲି ମୁହିଁ ନାଉରୀର ଘାଟ

ଶେଷରେ ବନ୍ଦନାକରେ ଆପଣାର ଘଟ ।

(ରାଜେନ୍ଦ୍ର-ଷଷ୍ଠ ଚେତନା)

(ଘ)

ଦିନେ କ’ଣ ହେଲା/ଓଦାବାଳ ଓଦା ରହିଗଲା

ସେ ଏତେ ଓଜନ ହେଲା, ବେକ ଲଇଁ ଗଲା

ବେକ ଲଇଁ ଗଲାବେଳେ ଚୋଟ ମରା ହେଲା

ଦିନେ କ’ଣ ହେଲାନା ଶୁଖିବା ଆଗରୁ ଲୁହ ବୋହିଗଲା

(ସମ୍ବନ୍ଧ-ରମାକାନ୍ତ)

 

ପ୍ରାଚୀନ ଦାଣ୍ଡୀବୃତ୍ତ, ନବାକ୍ଷରୀ ବୃତ୍ତ ଓ ପରବର୍ତ୍ତୀକାଳରେ ଅକ୍ଷରନିୟମ, ଉପଧାମିଳନ, ଅମିତ୍ରାକ୍ଷର ଛନ୍ଦ, ପୟାର ଛନ୍ଦ ତଥା ପ୍ରାନ୍ତମିଳନ ପ୍ରଭୃତି ଛନ୍ଦ ଓ ରାଗରୁ ଆଧୁନିକ କବିତା ନିଜକୁ ମୁକ୍ତକରି ଗଦ୍ୟ ଛନ୍ଦ ବା ମୁକ୍ତ ଛନ୍ଦରେ ରଚିତ ହୋଇଛି । ଦାଣ୍ଡିବୃତ୍ତ ପରି ପଦ୍ୟ ଓ ଗଦ୍ୟ ରୀତି ମୁକ୍ତଛନ୍ଦରେ ସମନ୍ୱିତ । ସଂଳାପଧର୍ମୀ, ନାଟକୀୟ ଓ କଥ୍ୟରୀତି ଛନ୍ଦରେ ଆଧୁନିକ କବିତା ଯେପରି ମହିମାମଣ୍ଡିତ ହୋଇଛି ତାହାର ଏକ ଦୃଷ୍ଟାନ୍ତକୁ ଲକ୍ଷ୍ୟ କରାଯାଇପାରେ । ଯଥା :-

 

କାଞ୍ଚନ ଗଛର ତଳେ ପ୍ରବାହିତ ରକ୍ତ ନଦୀ, ଦେଖ

ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି ।

ଦେବ କି ନଦେବ ଫୁଲ ରାଜାଙ୍କର ମାଳୀ ଆସିଅଛି

ରାଜା ନିଜେ ମାଗୁଛନ୍ତି ? ପାଦଶବ୍ଦ ଶୁଭିଲାଣି, ଦୂର

କାନ୍ଦଣା ସାଙ୍ଗରେ ମିଶେ ହ୍ରେଷାରବ ।”

(ବିମାନ ଦୁର୍ଘଟଣାରେ ମୃତ୍ୟୁ)

 

ନାଟକୀୟ ଛନ୍ଦ ବା ପ୍ରଶ୍ନୋତ୍ତର ଶୈଳୀରେ କବିତା ରଚିତ ହୋଇଛି । ସ୍ୱର୍ଗତୋକ୍ତି ବା ଆତ୍ମସଂଳାପ ମାଧ୍ୟମରେ ଆତ୍ମକଥାକୁ ବ୍ୟାଖ୍ୟା କରାଯାଇଛି-

 

ଅସହାୟ ଶକୁନି ମୁଁ

କୁଢ଼ କୁଢ଼ କଙ୍କାଳ ଉପରେ

ଦେଖିଛି ମୋ ପୃଥିବୀର ସୀମିତ ଦିଗନ୍ତ

ଦୁର୍ଯ୍ୟୋଧନ ପାଚେରୀ ଘେରିଛି ମୋତେ

ମୋ ଛାତିର ନିଆଁ ମୋ ହାତରେ

ମୋ ହାତରେ ମୋ ପିତାର ଅସ୍ଥି ।

 

ଆଧୁନିକ କବିତାରେ ଚିତ୍ରକଳ୍ପ ଓ ଛନ୍ଦର ପ୍ରୟୋଗ ପରି ପ୍ରତୀକର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ପ୍ରତୀତି ସୃଷ୍ଟି କରିବା ପ୍ରତୀକର ଧର୍ମ । ଯେହେତୁ ଆଧୁନିକ କବିତାର ଅଭିବ୍ୟକ୍ତି ସିଧାସଳଖ ନୁହେଁ ସେହେତୁ କବିମାନେ କବିତାରେ ପ୍ରତୀକକୁ ଆଶ୍ରୟ କରିଛନ୍ତି । ପ୍ରତ୍ୟେକଟି ଚିତ୍ରକଳ୍ପ ତତ୍ତ୍ୱତଃ ପ୍ରତୀକାତ୍ମକ । କାରଣ ଉଭୟ ପ୍ରତୀକ ଓ ଚିତ୍ରକଳ୍ପର ଲକ୍ଷ୍ୟ ଓ ଆବେଦନ ସମାନ-। ଡଃ ଦାଶରଥି ଦାସ ଉଲ୍ଲେଖ କରିଛନ୍ତି ଯେ- “ଯୁଗ୍ମ ଚିତ୍ରକଳ୍ପ ପରି ପ୍ରତୀକ ମଧ୍ୟ ଦୁଇଟି ବସ୍ତୁର ଅପେକ୍ଷା ରଖେ ଓ ସେହି ଦୁହିଙ୍କ ମଧ୍ୟରେ ସଂପର୍କ ସୂତ୍ରଟିଏ ସ୍ଥାପନ କରେ । ସେହି ସଂପର୍କ ସୂତ୍ରଟି ପ୍ରତୀକ । x x X ପ୍ରତୀକର ସଂପର୍କ କିନ୍ତୁ ସାଦୃଶ୍ୟର, ସଂଗତିର ଐକ୍ୟବୋଧର ଓ ସଂସ୍ପର୍ଶର ।”

 

ପ୍ରତୀକ ଧର୍ମୀ ଚେତନା କବିତାର ନାମକରଣ ଠାରୁ ଆରମ୍ଭ କରି ଶବ୍ଦ ସଂଯୋଜନାର ପ୍ରତି ପଦକ୍ଷେପରେ ପ୍ରକାଶିତ । ପ୍ରତୀକ ମୁଖ୍ୟତଃ କବିତାର ଭାଷାକୁ ନିୟନ୍ତ୍ରଣ କରେ-ସଂହତି ସ୍ଥାପନ କରେ । କବିତାର ଅତିକଥନ, ପୁନରୁକ୍ତି ଓ କୃତ୍ରିମତାକୁ ଲୋପ କରି ଇଙ୍ଗିତଧର୍ମୀ କରେ । ଇଙ୍ଗିତଧର୍ମୀତା କବିତାର ମହତ୍ୱ ସଂପାଦନ କରିଥାଏ । ତେବେ ପ୍ରତୀକ କବିତାକୁ ଲାବଣ୍ୟମୟ ଓ ଉପଭୋଗ୍ୟ କରିଥାଏ । ସାରଳାଦାସଙ୍କ ମହାଭାରତରେ ‘କୋକୁଆ’ ଏକ ପ୍ରତୀକ, ଯାହା ଆଧୁନିକ କବିତା କ୍ଷେତ୍ରରେ ପ୍ରତୀକାତ୍ମକ ଭାବରେ ସଂଯୁକ୍ତ । ସଚ୍ଚି ରାଉତରାୟଙ୍କ ‘ପ୍ରତିମା ନାୟକ’, ‘ଅଳକା ସାନ୍ୟାଲ’ ଇତ୍ୟାଦି ଗୋଟିଏ ଗୋଟିଏ ପ୍ରତୀକାତ୍ମକ ନାମ । ରମାକାନ୍ତ ରଥଙ୍କ ‘ବାଘ’ ଏକ ପ୍ରତୀକ ।

 

ଅନ୍ଧାର ସମୁଦ୍ରକୁ ଦୁଲୁସାଇ ଫେରି ବସେ ବାଘ

କୌଣସି ନିଦ୍ରିତ ଏବଂ ସ୍ଵପ୍ନହୀନ ନାରୀ ଉଦ୍ଦେଶ୍ୟରେ

ମୁଁ ହାୟ ମୋହର କ୍ଷିପ୍ତ ଖଣ୍ଡ ଖଣ୍ଡ ଛୋଟ ଆଖିଯୋଗୁଁ

ତାକୁ ଦେଖି ପାରିବିନି ଆଜୀବନ ଅପେକ୍ଷା ଉତ୍ତାରେ

ବାଘ ମଧ୍ୟ ଦେଖିବନି ମତେ ।”

(ବାଘ ଶିକାର-ରମାକାନ୍ତ)

 

ସେହିପରି ବେଣୁଧର ରାଉତଙ୍କ ‘କାଠ ଘୋଡ଼ା’ (ଶୋଷିତ ପ୍ରଜାଙ୍କ ପ୍ରତୀକ), ସୀତୀକାନ୍ତ ମହାପାତ୍ରଙ୍କ ‘ଘାସଫୁଲ’ (ଅବହେଳିତ) ଇତ୍ୟାଦି ପ୍ରତୀକାତ୍ମକ ଶବ୍ଦ ପ୍ରୟୋଗ । ଏହା ବ୍ୟତୀତ ଆଧୁନିକ କବିତାରେ ମିଥ୍ ପ୍ରସଙ୍ଗ ଏକ ପ୍ରତୀକାତ୍ମକ ପ୍ରୟୋଗ । ପ୍ରସିଦ୍ଧ ଲୋକଗଳ୍ପ, କିମ୍ବଦନ୍ତୀ, ପୁରାଣ, ଇତିହାସକୁ ଆଧାରକରି ଏହି ‘ମିଥ୍’ ଗୁଡ଼ିକର ପରିକଳ୍ପନା । କବି ବେଣୁଧର ରାଉତଙ୍କ ‘ପିଙ୍ଗଳାର ସୂର୍ଯ୍ୟ, ବୃହନ୍ନଳା, ସୁନାସିଂହରେ ମିଥ୍‌ର ପ୍ରୟୋଗ ଘଟିଛି । କଳାମେଣ୍ଢା, କେଶବତୀ, କାଠଘୋଡ଼ା ପାଣି ପି ପ୍ରଭୃତି ଲୋକ ମିଥ୍ ଉପରେ ପର୍ଯ୍ୟବଶିତ । ଗୁରୁପ୍ରସାଦଙ୍କ (କାଳପୁରୁଷ) ସମୁଦ୍ର ସ୍ନାନ-ଚମ୍ପାଫୁଲ, ସୀତାକାନ୍ତ ମହାପାତ୍ରଙ୍କ କୁବୁଜା ପାଇଁ ଗୋଟିଏ ସଙ୍ଗୀତ, ଘାସଫୁଲ, ପ୍ରତିଭା ଶତପଥୀଙ୍କ ଦେବକୀ, ଶ୍ରମଣା, ସାହାଡ଼ା ସୁନ୍ଦରୀ, ସୌରୀନ୍ଦ୍ର ବାରିକଙ୍କ ଚକ୍ରବ୍ୟୂହ-ରକ୍ତ ନଈକୂଳେ, ରାମାକାନ୍ତ ରଥଙ୍କ ଶ୍ରୀରାଧା, ଶରତ ଚନ୍ଦ୍ର ପ୍ରଧାନଙ୍କ କଟକ ସହର, ହଂସ ଧ୍ୱନି, ଉଚ୍ଚୈଶ୍ରବା, ଦୀପକ ମିଶ୍ରଙ୍କ ଅରଣା ମଇଁଷି, ସୌଭାଗ୍ୟ ମିଶ୍ରଙ୍କ ମୃଗୁଣୀ ସ୍ତୁତି, ଅହଲ୍ୟା, ଶବରୀ, ଚିନ୍ତାମଣି ବେହେରାଙ୍କ ହେ ବୈଦେହୀ ଭୁଲିଯାଅ, କମଳାକାନ୍ତ ଲେଙ୍କାଙ୍କ କଳାକାହ୍ନୁ, ବିଭୁଦର ମିଶ୍ରଙ୍କ ହେ ସାରଥି ରଥ ରଖ, ହରିହର ମିଶ୍ରଙ୍କ ଶଙ୍ଖନାଭି, ପ୍ରସନ୍ନ ମିଶ୍ରଙ୍କ ଅଦୃଶ୍ୟ ସଙ୍ଗମ ପ୍ରଭୃତି କବିତା ସଂକଳନମାନଙ୍କରେ ସଂକଳିତ କବିତାମାନଙ୍କରେ ମିଥ୍ ପ୍ରସଙ୍ଗକୁ ଲକ୍ଷ୍ୟ କରାଯାଇପାରେ-। ମିଥ୍ ପ୍ରସଙ୍ଗ ପରି ମୃତ୍ୟୁଚେତନା ଓ ଅନ୍ୟାନ୍ୟ ବିଭବକୁ ଆଧୁନିକ କବିତାର ଶିଳ୍ପରୂପ ଭାବରେ ଗ୍ରହଣ କରାଯାଏ ।

 

ତୃତୀୟ ପ୍ରସଙ୍ଗ :

ଗୀତିଧର୍ମିତା ପ୍ରତ୍ୟେକ କବିତାର ଆତ୍ମା । ଗୀତିଧର୍ମୀତା କବିତାରେ ପ୍ରାଣ ପ୍ରାଚୁର୍ଯ୍ୟ ସୃଷ୍ଟିକରେ । କାବ୍ୟିକ ଚାରୁତା ସୃଷ୍ଟିପାଇଁ ପ୍ରତ୍ୟେକ କାଳର କବି ପ୍ରଚେଷ୍ଟିତ । ପ୍ରାଚୀନ କବିତା ସଙ୍ଗୀତ ପ୍ରଧାନ । କିନ୍ତୁ ଆଧୁନିକ କବିତା ଭାବ ପ୍ରଧାନ । ଭାବ ସୃଷ୍ଟି ବ୍ୟତୀତ ଆଧୁନିକ କବିତାରେ କବିବୃନ୍ଦ ପଦଧ୍ୱନି, ଶବ୍ଦ କଳାର ଚାରୁତା ପ୍ରତିପାଦନ ନିମିତ୍ତ ‘ଶବ୍ଦ-ନାଦ’ ପ୍ରତି ଯତ୍ନଶୀଳ ହୋଇଥାନ୍ତି । ଅନେକ ସ୍ଥଳରେ ଗଦ୍ୟଛନ୍ଦ ଗୀତିଧର୍ମିତାକୁ ପ୍ରତିହତ କରୁଥିଲେ ମଧ୍ୟ ଗୋଟିଏ ଭଲ କବିତାରେ ଗୀତିଧର୍ମିତା ବିନଷ୍ଟ ନୁହେଁ । ଏହି ଗୀତିଧର୍ମିତା କାବ୍ୟାବେଗ ସୃଷ୍ଟି କରିଥାଏ । କେତୋଟି ଉଦାହରଣକୁ ଲକ୍ଷ୍ୟ କରାଯାଇପାରେ । ଯଥା :-

 

(କ)

ତମେ କରିଥିଲ ଧ୍ୱଂସର ଆରାଧନା

ଆବିଳ ସୃଷ୍ଟି ନେଇଥିଲ ନାହିଁ ମାନି

ତମେ ପାଇଥିଲ ଶିବର ସଂବେଦନା

ତମେ ଚାହିଁଥିଲ ନାଶିବାର ପାଇଁ ଗ୍ଳାନି ।

(ଜ୍ଞାନୀନ୍ଦ୍ର ବର୍ମା-ହିରଣ୍ୟକଶିପୁ)

(ଖ)

ଭାସିଆସେ ଏକ ରାଜହଂସୀ ନାଆ

ସାଦା ଡେଣାରେ ମାରି ଆହୁଲା

ମନେହେଲା

ତା’ଉପରେ ବସିଛି ମୋର ମାଆ

ଏକ ଧୋବଶାଢ଼ୀ ପିନ୍ଧି

ବିରାଟ ସେ ଯେପରି ଏସିଆ ।

(ସଚ୍ଚିରାଉତରାୟ-ପୂର୍ଣ୍ଣିମାର ମହାନଦୀକୂଳେ)

(ଗ)

ଚମ୍ପାଫୁଲ ମହକରେ ବାଟଭୁଲି ସମୁଦ୍ରର ଢେଉ

ଆସିଥିଲା କୂଳଡେଇଁ ଶୁଖିଥିଲା ଭରାନଈ ଛାତି

ପଥର ତରଳି ଥିଲା ମଶାଣିର ଭୂତପ୍ରେତ ଛାଡ଼ି

ରଜୋବତୀ କନ୍ୟା ଲାଗି ଯୋଗୀ ଥିଲା ମଦନରେ ମାତି ।

(ଚମ୍ପାଫୁଲ-ଗୁରୁପ୍ରସାଦ ମହାନ୍ତି)

(ଘ)

ପଲ୍ଲୀ ଗାଆଁଟିର ଝରା କନିଅର କଅଁଳ ଶୀରି

କଅଁଳ ଶୀରିରେ ଫିରିକି କଣ୍ଟା କି ଦେଉଚି ଚିରି

କଅଁଳ ପାଖୁଡ଼ା ଝରା ଜଳଜଳ କାଳର ପଣା

ନୀଳ ଘାସ ଝରା କବି ମାନସୀର କବିତା ପଣା ।

(ଗୋପାଳ ଚନ୍ଦ୍ର ମିଶ୍ର)

(ଙ)

ପିଜୁଳି ଗଛର ଖରା

ରଇରୁଦ୍ର ଖରା

ଅନେକ ପତ୍ରଙ୍କ ତଳେ

ଛାଇ ଛାଇ ଅଗମ୍ୟ ବଖରା

କେଉଁ ବଖରାରେ ପ୍ରଶ୍ନ କେଉଁଠି କ୍ରନ୍ଦନ

ଏକାକାର ନିଷେଧରେ

ରହସ୍ୟର ଝାପ୍‌ସା ବୃନ୍ଦାବନ ।

(ରମାକାନ୍ତ ରଥ-ସୂର୍ଯ୍ୟାସ୍ତରେ ଖରା ଶେଷନୁହେଁ)

(ଚ)

ହେ ପର୍ଜନ୍ୟ, ହେ ବୃତ୍ରାରି

ହେ ମିତ, ବରୁଣ

ଯିବା ଚାଲ ଶ୍ଵାନ ଖୋଜି

ଗାଆଁ ବିଲବଣ

ମୋ ଦେହରେ ଫୁଲ ଫୁଟେ

ଆକାଶର ଫୁଲ

କିଆ ବାଡ଼େ କାନ୍ଥ ଦାଢ଼େ

ଜହ୍ନ ଓ ଭ୍ରମର

ଚୁପ୍ ଚାପ ଯିବା ଚାଲ

ଗୋଠ ଗୋଠ ଗାଈ

ସକାଳ ହେଲାକୁ ଆହା ଗୋଟିଏ ବି ନାହିଁ ।

(ଗୋଟିଏ ଅଶିଣର କଥା-ଶରତ ପ୍ରଧାନ)

(ଛ)

ଆସ ଆସ ଘାସ ଫୁଲ

ମୋ ପିଣ୍ଡାରେ ବସ

ଖାଇବାକୁ ଦେବୁ ତୁମକୁ

ହୃଦୟର ରସ

ପିଇବାକୁ ଦେବୁ ତୁମକୁ

ବେଣ୍ଟ ପୋଖରୀରୁ ପାଣି

ଗପୁଥିବୁ, ନାଚୁଥିବୁ ତମ ମନ ଜାଣି

(ଘାସ ଫୁଲ ୨-ସୀତାକାନ୍ତ)

(ଜ)

ଆଷାଢ଼

ଏକ ବିମୁଗ୍‌ଧା ନାୟିକା ପରି

ସନ୍ତର୍ପଣେ ଛିଡ଼ା ହେଲା

ମୋ ସାମ୍ନାରେ ଆସି

ନୀଳ କବରୀରେ ତାର

କେତକୀ ଓ ମଲ୍ଲୀ ଫୁଲ ଖୋସି ।

(ମୁଁ ଓ ଆଷାଢ଼-ବ୍ରଜନାଥ ରଥ)

(ଝ)

ବସନ୍ତ ଆସିଛି ସତେ

କୋକିଳର କୂଜନରେ

ଚୂତ ବକୁଳରେ

ଦକ୍ଷିଣାର ଅଳସ ଗତିରେ

ବିଜୟ ବାନା ଉଡ଼ାଇ

ମହକେ ଅବନୀ ଭରି ସୁଭରି ମହୁଲ ସ୍ତନରେ ।

(ଶ୍ରୀନିବାସ ଉଦ୍‌ଗାତା-ବସନ୍ତ ଆସିଛି ସତେ)

 

କବିତାର ମୂଳ ଧର୍ମ ହେଉଛି ଗୀତିମୟତା । କି ପ୍ରାଚୀନ କି ଆଧୁନିକ ପ୍ରତିଟି କବିତାରେ କବିପ୍ରାଣର ପୁଲକ, ଉଚ୍ଛ୍ୱାସ ଓ ଆନନ୍ଦବୋଧ ପାହାଡ଼ି ଝରଣା ପରି କୁଳୁକୁଳୁ ନିନାଦରେ ଝରିଆସେ । ତାହା ଶିଳା ବନ୍ଧୁର ନମାନି ଗତିକରେ । କବିତା ଯେତେ ଗୀତିମୟ ଓ ଲଳିତ ହେବ ତାହା ସେତେ ରୁଚିଶୀଳ, ପ୍ରଗଳ୍‌ଭ, ଭାବପୂର୍ଣ୍ଣ ହେବ ଏଥିରେ ସନ୍ଦେହ ନାହିଁ ।

 

ଅପର୍ଣ୍ଣା ନଗର

(ସିଦ୍ଧେଶ୍ଵର ମାର୍ଗ)

(ଚାଉଳିଆଗଞ୍ଜ)

କଟକ-୪

 

***

 

ଲୋକନାଟ୍ୟକାର, କବି କୃଷ୍ଣପ୍ରସାଦ ବେହେରା

ଡକ୍ଟର ମନ୍ମଥ କୁମାର ପ୍ରଧାନ

 

ଓଡ଼ିଆ ଯାତ୍ରା-ସଂସ୍କାର ଆନ୍ଦୋଳନ ତଥା ଲୋକନାଟ୍ୟ ପରମ୍ପରାର ଜଣେ ସାର୍ଥକ ଦାୟାଦ ଭାବରେ କୃଷ୍ଣପ୍ରସାଦ ବେହେରା ସ୍ମରଣୀୟ । ‘ବେହେରା ମାଷ୍ଟ୍ରେ’ ରୂପେ ସେ ବିଶେଷତଃ ପରିଚିତ ଥିଲେ । ତାଙ୍କ ପ୍ରତିଭା ଅନାଲୋଚିତ ହୋଇ ରହି ଆସିଛି । ମାତ୍ର ତାଙ୍କର ମନଛୁଆଁ ସଂଗୀତ ଓ ନାଟକର ଲୋକପ୍ରିୟତା ଚିରନ୍ତନ ହୋଇରହିଛି । ଓଡ଼ିଆ ଲୋକନାଟ୍ୟ ପରମ୍ପରାରେ ଯେଉଁ ଯାତ୍ରା ସଂସ୍କାର ଗୋପାଳ ଦାସ, ବୈଷ୍ଣବ ପାଣି, ବାଳକୃଷ୍ଣ ମହାନ୍ତି, କୃଷ୍ଣପ୍ରସାଦ ବସୁ ପ୍ରମୁଖଙ୍କ ଦ୍ଵାରା ହୋଇ ଆସିଥିଲା, ତାହା ୧୯୩୦ ମସିହା ପରେ ନୂତନ ରୂପ ନେଲା । ଚଳିତ ଶତାବ୍ଦୀର ପଞ୍ଚମ ଦଶକର ଉତ୍ତର ଦାୟାଦ ରୂପେ କୃଷ୍ଣପ୍ରସାଦ ବେହେରା ଥିଲେ ଅନ୍ୟତମ ପ୍ରତିଭା-। ଯାତ୍ରା ଜଗତର ଜଣେ ସ୍ୱନାମଧନ୍ୟ କଳାକାର, କବି, ନାଟ୍ୟକାର, ନିର୍ଦ୍ଦେଶକ, କଳାସଂସ୍ଥା ସଂଗଠକ ଭାବରେ ସେ ଆଦୃତ । ଚତୁର୍ଥଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଅର୍ଜନ କରିଥିଲେ ହେଁ, ସେ ଥିଲେ ନୈସର୍ଗିକ ପ୍ରତିଭାର ଅଧିକାରୀ । ପ୍ରତିଭା ହିଁ ଅମର, ଅବିନଶ୍ୱର, ସର୍ବକାଳୀନ । ଯଥାର୍ଥରେ କୁହାଯାଇଛି –

 

“ଗୁଣ ଲୁଚି ରହିବ କି ?

କବାଟ ଭିତରେ କସ୍ତୁରୀ ରଖିଲେ

ଉଠିବ ଆପେ ମହକି ।”

 

ସେହିପରି ଜଣେ ପ୍ରତିଭାବନ୍ତ ଶିଳ୍ପୀ ରୂପେ କୃଷ୍ଣପ୍ରସାଦ ଅମର ହୋଇ ରହିଛନ୍ତି । ତାଙ୍କ ଭାଷାର ମାଧୁର୍ଯ୍ୟ ଓ ଚାତୁର୍ଯ୍ୟତାକୁ ସ୍ଵତଃ ଅନୁଭବ କରାଯାଏ । ତାଙ୍କ ରଚିତ ନାଟକ ଓ କବିତାର ଭାଷାରୁ, ଭାବରୁ ଯେ କୌଣସି ବ୍ୟକ୍ତି କୃଷ୍ଣପ୍ରସାଦଙ୍କ କୃତି ବୋଲି ସ୍ୱତଃ ଜାଣିପାରନ୍ତି । ଏହା ହିଁ ତାଙ୍କର ବିଶିଷ୍ଟ ପ୍ରତିଭା ।

 

କୃଷ୍ଣ ପ୍ରସାଦଙ୍କ ଜନ୍ମସ୍ଥାନ ମୂଳଗାଁ ଗ୍ରାମ ଭଦ୍ରକ ସବ୍‌ଡିଭିଜନ୍‌ରେ ଅବସ୍ଥିତ । ସେ ୧୯୧୭ ମସିହାରେ ଜନ୍ମ ହୋଇଥିଲେ । ତାଙ୍କ ପିତାଙ୍କର ନାମ ଥିଲା ପୁରୁଷୋତ୍ତମ ବେହେରା ଓ ମାତାଙ୍କର ନାମ ଥିଲା କମଳିନୀ ବେହେରା । ପିଲାକାଳରୁ ସେ ଚାଟଶାଳୀ ଶିକ୍ଷାଲାଭ କରିଥିଲେ । ବିଦ୍ୟା ପ୍ରତି ତାଙ୍କର ଆସକ୍ତି ନଥିଲା । ନାଟକ ଦେଖିବା, ଗୀତ ଗାଇବା, ନାଟକ ପଢ଼ିବାକୁ ଆଗ୍ରହୀ ଥିଲେ । ଶେଷରେ ସେ ପାଠପଢ଼ା ବନ୍ଦ କରିଦେଲେ । ସେ ସମୟରେ ବାପାଙ୍କର ସାଙ୍ଗ ଅର୍ଜୁନ ଚାନ୍ଦ ଏକ ଅପେରା ପାର୍ଟି ଗଠନ କରିଥିଲେ । କୃଷ୍ଣପ୍ରସାଦଙ୍କ ନାଟ୍ୟ ପ୍ରେମ ଦେଖି ବାପା ପୁରୁଷୋତ୍ତମ ତାଙ୍କୁ ଅର୍ଜୁନ ଚାନ୍ଦ ଅପେରାରେ ରଖାଇଦେଲେ । ସେହିଦିନଠାରୁ କୃଷ୍ଣପ୍ରସାଦଙ୍କ କଳାକାର ଜୀବନ ଆରମ୍ଭ ହୋଇଥିଲା । ୧୯୨୯ ମସିହାରେ ସେ ‘କଂସ’ ନାଟକରେ ରାଧା ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ । (୧) କଳା ଅନୁରାଗ ଓ ଅଭିନୟ ପିପାସାରେ କୃଷ୍ଣ ପ୍ରସାଦଙ୍କ ଅଭିନୟ ମଧ୍ୟ ସମସ୍ତଙ୍କୁ ମୁଗ୍ଧ କଲା । ବିଭିନ୍ନ ଲୀଳା, ସୁଆଙ୍ଗ, ଯାତ୍ରାନାଟକ ଚର୍ଚ୍ଚାରେ ସେ ନିଜକୁ ନିୟୋଜିତ କଲେ । ମାନୁଷୀ ପ୍ରତିଭା ପରିବେଶର ସହଯୋଗରେ ହୁଏ ବଳିଷ୍ଠ । ସେ ସମୟରେ କାଳୀଚରଣ ପଟ୍ଟନାୟକଙ୍କ ଦ୍ୱାରା ୧୯୩୯ରେ ଗଠିତ ହୋଇଥିବା “ଓଡ଼ିଶା ଥିଏଟର୍ସ”ରେ ଅଭିନୟ କରି କୃଷ୍ଣ ପ୍ରସାଦ କଳା ନୈପୁଣ୍ୟ ହାସଲ କରିଥିଲେ । (୨) ଏହି ସମୟରେ ସେ କବିତା ରଚନାରେ ମନ ବଳାଇଲେ । ସାଧନା ଓ ପ୍ରତିଭା ବଳରେ ସୃଜନଶୀଳ ସଂଗୀତ ରଚନାରେ ସେ ସଫଳ ହେଲେ । ୧୯୪୦ ମସିହାରେ ସେ ‘ମଞ୍ଜୁଳା’ ଗୀତିଗୁଚ୍ଛ ରଚନା କଲେ । ଏହା ଖୁବ୍ ଛୋଟ ଆକାରରେ ମୁଦ୍ରିତ ହୋଇଥିଲା । ରୋମାଣ୍ଟିକ୍ ଭାବଧର୍ମୀ ଏହି କବିତାଗୁଡ଼ିକ ଯେକୌଣସି ପାଠକକୁ ମୁଗ୍ଧ କରେ । (୩) ସେ କୋଚିଆକୋଇଲି ଗ୍ରାମ (ବାଲେଶ୍ୱରସ୍ଥ) ଏକ ଯାତ୍ରାପାର୍ଟି ଗଠନ କରି ଶିକ୍ଷକତା କଲେ । କ୍ରମେ ନିର୍ଦ୍ଦେଶନା ତଥା ସଂଗୀତ ରଚନା ସହିତ ନାଟକ ଲେଖିବାର ପ୍ରୟାସ କଲେ । କ୍ରମେ ତାଙ୍କର ପ୍ରତିଭା ବିକଶିତ ହେଲା । ୧୯୪୧ ମସିହାରେ ଅଭଣାରେ ବାଞ୍ଛାନିଧି ଅଗସ୍ତିଙ୍କର ପୃଷ୍ଠପୋଷକତାରେ ‘ନବୀନ ନାଟ୍ୟମଣ୍ଡଳୀ’ ଗଠନ କରାଯାଇଥିଲା । କୃଷ୍ଣ ପ୍ରସାଦ ସେଠାରେ ଅଠରବର୍ଷ ଧରି କଳା ସାଧନାରେ ବ୍ରତୀ ହେଲେ । ଏହି ଗ୍ରାମର ଅନତିଦୂରରେ ଅବସ୍ଥିତ ବେଳାଭୂମି ଓ ସମୁଦ୍ରର ପ୍ରାକୃତିକ ପରିବେଶ ତାକୁ ପ୍ରୋତ୍ସାହିତ କଲା । ଶତାଧିକ ସଂଗୀତ ଓ ଶତାଧିକ ଯାତ୍ରାନାଟକ ରଚନା କରି ମଞ୍ଚସ୍ଥ କଲେ । ବଙ୍ଗ-ବିହାର ଓ ଓଡ଼ିଶାରେ ଏହି ଯାତ୍ରାପରମ୍ପରାକୁ ସେ ସମୃଦ୍ଧ କରିଥିଲେ । ଏହାପରେ ସେ ବିଭିନ୍ନ ସ୍ଥାନରେ ଯାତ୍ରା ପାର୍ଟି ଗଠନ କରିବା, ନିର୍ଦ୍ଦେଶନା ଦେବା ଓ କଳାସଂସ୍ଥା ସ୍ଥାପନରେ ସହଯୋଗ କରିଥିଲେ । ୧୯୭୧ ମସିହାରେ ସେ ଇହଧାମ ତ୍ୟାଗ କରିଥିଲେ । ବାଲ୍ୟକାଳରୁ ମୃତ୍ୟୁପର୍ଯ୍ୟନ୍ତ ସେ କଳା ସାଧନାରେ ଲିପ୍ତ ଥିଲେ । ଓଡ଼ିଆ ସଂଗୀତ ତଥା ଲୋକନାଟ୍ୟ ପରମ୍ପରାକୁ ବିକାଶ କରିବାରେ କୃଷ୍ଣପ୍ରସାଦଙ୍କ ଅବଦାନ ଅବିସ୍ମରଣୀୟ । ତାଙ୍କ ରଚନାରେ ଆଧ୍ୟାତ୍ମିକ, ଦେଶାତ୍ମବୋଧକ, ପ୍ରେମମୂଳକ, ପଲ୍ଲୀଭିତ୍ତିକ, ଲଘୁସଂଗୀତ ଦେଖିବାକୁ ମିଳୁଥିଲେହେଁ, ମୁଖ୍ୟତଃ ପଲ୍ଲୀମୂଳକ ରଚନା ପାଇଁ ସେ ଖ୍ୟାତ ଓ ଆଦୃତ । ସେ ପଲ୍ଲୀକବି ରୂପେ ସର୍ବଜନାଦୃତ; ମାତ୍ର ଏହି ପଲ୍ଲୀକବି ଉପାଧି ରାଜାନୁଗତ ବା ଅନୁଷ୍ଠାନଗତ ସମ୍ମାନର ଅଧିକାରୀ ନୁହଁନ୍ତି । ସମଗ୍ର ମାନବ ହୃଦୟରେ ସେ ପଲ୍ଲୀକବି ରୂପେ ସ୍ୱତଃ ଆସୀନ । ଲୋକଗୀତିର ସ୍ଵର ଓ ଛାନ୍ଦକୁ ଅନବଦ୍ୟ ରଚନାର ଶୈଳୀ ମାଧ୍ୟମରେ ସେ ତୋଳି ଧରିଛନ୍ତି । ତାଙ୍କର – ପଲ୍ଲୀମୂଳକ ରଚନା- “ଗାଁ ପାରିହେଲେ ବୋଉ ନାଁ ମୋର ଲୁଚିବ”, “ଗାଁ ମାଟି ମୋତେ ଡାକେ”, “ଏଇ ମାଟି ମୋ ମାଆରେ”, “ଶାନ୍ତି, ମୁକ୍ତି ପ୍ରଗତିର ବାଣୀ କଲ ପ୍ରଚାର”, “ନେଳିଆ ସରଗ ତଳେ ଶାଗୁଆ ବନ”, “ନିଦ ଭାଙ୍ଗିଦେଇ ଉଠ୍ ମୋ କୁନା” ପ୍ରଭୃତି ବହୁ ସଂଗୀତ ଏବେ ବି ଆବାଳ ବୃଦ୍ଧ ବନିତାଙ୍କ କଣ୍ଠରେ ନିନାଦିତ

 

କୃଷ୍ଣ ପ୍ରସାଦ ଚୟନିକା - ୧୯୮୦ ସଂପାଦନା - ପୃ-୧ ମୁଖବନ୍ଧ

୨.

କୃଷ୍ଣ ପ୍ରସାଦ ଚୟନିକା - ୧୯୮୦ ସଂପାଦନା - ପୃ-୧ ମୁଖବନ୍ଧ

୩.

ଆଜି ଏ ମଞ୍ଜୁଳ ଲଗନେ

      ବିହଗ କାକଳି କୂଜନେ,

ଅଥିର କଲାରେ ନିଥିର ବୁକୁଟା

      କଳପନା ବସି ବିଜନେ ।” (ମଞ୍ଜୁଳା)

 

ହେଉଛି । ୧୯୮୦ ମସିହାରେ ଶହେଟି ସଂଗୀତକୁ ନେଇ “କୃଷ୍ଣପ୍ରସାଦ ଚୟନିକା” ଡଃ ଭାଗୀରଥି ନାୟକ ଓ ଭାସ୍କରଚନ୍ଦ୍ର ଅଗସ୍ତିଙ୍କ ସଂପାଦନାରେ ପ୍ରକାଶିତ ହେଲେହେଁ, ଏହାର ପ୍ରସାର ହୋଇନାହିଁ । ତେବେ ସଂଗୀତଗୁଡ଼ିକର ତରଳମାଧୁରୀ, ଚପଳ ଚାତୁରୀ, ଭାଷାର ଯାଦୁକାରୀ ଆକର୍ଷଣ, ଭାବର ତଥା ଛନ୍ଦର ମାଧୁର୍ଯ୍ୟ ଯେ କୌଣସି ପାଠକକୁ ବିମୋହିତ କରେ ।

 

କବିଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ସଞ୍ଜ-ସକାଳ, ଗାଁର ଅବସ୍ଥିତି ଓ ତା’ ଚାରିପାଖର ଦୃଶ୍ୟ (୪), ନଈ, ଝରଣା, ନାଲି ସଡକ, ଗାଁ ମଥାରେ ଥିବା ଦେଉଳ, ପକ୍ଷୀମାନଙ୍କର କାକଳି, ଧାନକ୍ଷେତ (୫), ବାଡ଼ି ବଗିଚାରେ ଫୁଟୁଥିବା ଫୁଲ-ଫଳର ମହକ (୬), ପୁନେଇ ପରବର ଚମକ, ଗାଁ ଟାଉଟରମାନଙ୍କର କାରସାଦି, ପଲ୍ଲୀବାଳାର ସ୍ଵପ୍ନ ଓ ସ୍ମୃତି ଜନିତ ବୁକୁଫଟା ବିଳାପ, ନିତିଦିନିଆ ତେଲ-ଲୁଣ-ସଂସାରର ରୁଟିନ୍ ବନ୍ଧା ଜୀବନ, ଶାଶୁଘରକୁ ଯିବାବେଳେ ଝିଅର ମରମ ଫଟା ଗାନ (୭), ପିଲାକୁ ନିଦରୁ ଉଠାଇବା ପାଇଁ ମନମତାଣିଆ ତାନ (୮), ବର୍ଷାଋତୁରେ ବେଙ୍ଗନାନୀର ଫୁଲରୁ ଫୁଲକୁ ନାଚ, ବିଜୁଳିର ଚମକ, ବିଲୁଆର

 

୪.

“ଯୋଡ଼ି ଯାଉଁଳି ଝାମ୍ପୁରା ବର

      କିଆ ଗୋହିରୀ ପାଖେ,

ତାଳ ନଡ଼ିଆ ବାହୁଙ୍ଗା ବାଜି

      ଝଡ଼ ପବନ ଡାକେ ।

କୃଷ୍ଣପ୍ରସାଦ ଚୟନିକା - ପୃ-୮୯

୫.

ସେ ପାଖେ ହଳଦୀ କ୍ଷେତ

      ଗହୀର ବିଲରେ କଇଁ,

ଉଡ଼ିଯାଏ ଗେଣ୍ଡାଳିଆ

      କଳାମେଘ ଆସେ ନଇଁ,

ପାଣିର ପଞ୍ଜୁରୀ ଠେଲି

      ମାଛରଙ୍କା ବୁଡ଼ିଯାଏ

ଝାଉଁବଣ ଗୀତଗାଏ

      ମଉସୁମୀ ମହୁ ପିଇ ।” (ଅତ୍ରୈବ)

୬.

“କଳମଫୁଲ ନିଦରେ ଶୁଏ, ନରମ ସଞ୍ଜ ଆସେ,

କଞ୍ଚା କମଳା ସବୁଜ ଘାସେ, ଶିଶିର ବିନ୍ଦୁ ହସେ ।” - ପୃ-୧୯୩

୭.

“ଟଭା ରସ ମଲ୍ଲୀବାସ ବସାଦହି ପଖାଳ,

ମନ ଜାଣି କିଏ ଦେବ ଫାଟିଲା ମୋ କପାଳ ।

X      X      X      X

କଂସା ତୋରାଣିରେ ବୋଉ ଲୁହ କଂସେ ବହିବ

ଆହା କରିବାକୁ କେହି ସାହା କେହି ନଥିବ ।” ପୃ-୧୦୦

୮.

“ନିଦ ଭାଙ୍ଗି ଦେଇ ଉଠ୍ ମୋ କୁନା

      ଉଠ୍ ମୋ ସୁନାରେ

ଜହ୍ନମାମୁଁ ପରା ଡାକୁଛି ତୋତେ

      ଅନା ଅନାରେ ।” ପୃ-୧୭୬

 

ରଡ଼ି, ମେଘର ଘଡ଼ଘଡ଼ି ଇତ୍ୟାଦି କବିଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି । ଏପରିକି କାଙ୍କଡ଼ କଷି ଧରିବା, ବାଲିଛତୁ ଫୁଟିବା, ଲାଉ ମଞ୍ଚାରେ ପୋଇ ମାଡ଼ିବାର ଦୃଶ୍ୟ କବିଙ୍କର ଲେଖନୀରୁ ବାଦ୍ ପଡ଼ିନି –

 

“କାଙ୍କଡ଼ ଧରଇ କଷି       ବାଲିଛତୁ ଦିଏ ହସି

ଲାଉଟେକେ ଡାହିରେ,

ରଞ୍ଜା ଡେଇଁ ମାଡ଼ିଯାଏ       ନାଲି ନେଳି ପୋଇରେ ।”(୯)

 

ଭାଗବତ ଟୁଙ୍ଗିରେ ପୁରାଣ ଆସର (୧୦) ଓଷାବ୍ରତ, ପ୍ରଚଳନ (୧୧), ବାବନା ଭୂତ ପ୍ରତି ବିଶ୍ଵାସ (୧୨), ଆଧୁନିକା ବୋହୂର ଅସହ୍ୟ ବ୍ୟବହାର (୧୩), ଦୀନ ମଜୁରିଆର ଦୁଃଖ, ଅନାଟନ, ଶଗଡ଼ିଆର କରୁଣ ନିଃଶ୍ୱାସ, ମହାଜନର ନାଲିଆଖି ଇତ୍ୟାଦି ବାସ୍ତବ ଜୀବନକୁ କବି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି । ପଲ୍ଲୀଜୀବନର ଦୁଃଖ ଦୁର୍ଦ୍ଦଶାକୁ ଦୂରୀଭୂତ କରି ପଲ୍ଲୀ ସମାଜକୁ ଉନ୍ନତ-ମାର୍ଜିତ କରିବାର ଆଶାରେ କବି “ଦିଶେ ଆଗାମୀ ଯୁଗର ଗାଁ” କବିତାରେ ଆଶାୟୀ ହୋଇଛି । ପଲ୍ଲୀର ଶାନ୍ତ-କାନ୍ତ କମନୀୟ ଜୀବନ ପ୍ରତି ପ୍ରଲୋଭିତ କରିବାରେ କବିଙ୍କ ଲେଖନୀ ସାର୍ଥକ ଲଭିଛି । ପଲ୍ଲୀର ସେହି ମନୋରମ ପରିବେଶ ବେଶ୍ ଆକର୍ଷଣୀୟ-

 

“ଛନଛନିଆ ଗୁଣ୍ଡୁଚି ମୂଷା

ଡାକୁଛି ମୋତେ ଆ...

ଛଣି ଫୁଲର ହାଟ ବସିଛି

ନଈ ଅତଡ଼ା ବାଙ୍କେ

ଗାଁମାଟି ମୋତେ ଡାକେ ।”

 

ନିତିକଥା, ନିତିଶୁଣା, ନିତିଦେଖା ଛବିରେ କବିଙ୍କର ସଂଗୀତର ରଂଗ ଏବେବି ସମସ୍ତଙ୍କର ମନ ହୃଦୟରେ ଲାଖି ରହିଛି ସତେ ଯେପରି ଚିନ୍ତା ବିନା କଲମରୁ ଏହି ସଂଗୀତର ମଧୁଧାରା

 

୯.

ପୃ - ତତ୍ରୈବ

୧୦.

“ସଞ୍ଜବେଳେ ଯେବେ ଭାଗବତ ଘରେ

      ଗୀତ ଗାଉଥିଲି ମୁହିଁ

କୋଶେ ବାଟକୁ ତ ପାଟି ଶୁଭୁଥିଲା

      ଲୋକେ ଆସୁଥିଲେ ଧାଇଁ ।” ପୃ-୧୦୮

୧୧.

“ଚିତଉ ଉଁଆସ ପିଠା ଆଖି ଆଗେ ନାଚେ ମୋର,

ଭାଦର ମାସର ଖୁଦୁରୀ କୁଣିଆ ଫିଟିଥାଏ ମେଘଝର ।” ପୃ-୧୧୦

୧୨.

“ବାବନା ଭୂତଟା ଗଡ଼ି ଗଡ଼ି ଯାଏ ହୁଁ ହୁଁକାର ହୁଁ ହୁଁ...

କବନ୍ଧ ନାଚୁଛି ପିତାଶୁଣି ପାଶେ ପ୍ରେତ କାଶେ ଖୁଁ ଖୁଁ... ।” ପୃ-୯୬

୧୩.

ଚା’ ନ ହେଲେ ବୋହୂ ସାଆନ୍ତାଣୀ

      ବିଛଣାରୁ ଉଠୁ ନାହିଁ

ନିତି ଆସୁଛନ୍ତି ଦଶବାର ଜଣ

      ସମସ୍ତେ ଧରମ ଭାଇ ।” ପୃ-୧୮

 

ସ୍ରବିଯାଇଛି । ଏଥିରେ ଶବ୍ଦର କୁଟିଳତା ନାହିଁ, କୋମଳତା ଅଛି, ଅର୍ଥର ଇନ୍ଦ୍ରଜାଲ ନାହିଁ, ଇନ୍ଦ୍ରଧନୁର ବର୍ଣ୍ଣାଳି ରହିଛି, ଛନ୍ଦର ନାମବନ୍ଧ ନାହିଁ, ଲୟର ଲାଳିତ୍ୟ ଅଛି, ରୀତିର ନୀତି ନାହିଁ, ରସର ଗତି ରହିଛି । ପଲ୍ଲୀଜୀବନର ହସ-କାନ୍ଦ, ବେଦନା-ବେପଥୁ, ଅନ୍ଧବିଶ୍ୱାସ, ସମାଜଜୀବନର ଚିତ୍ର-ଚରିତ୍ର ପଲ୍ଲୀବାସୀଙ୍କ ପ୍ରତି ମାନବିକ ସମ୍ବେଦନା ଗଣଅନ୍ତର ଗଣମନକୁ ଅଭିଭୂତ କରିବାରେ ସକ୍ଷମ ହୋଇଛି । ପଲ୍ଲୀବାସୀଙ୍କର ଜୀବନ, ଜୀବନ ଉପଭୋଗର ମାନଦଣ୍ଡ, ସେମାନଙ୍କର ଚୈତ୍ତିକ ପରିବେଶ ଓ ପଲ୍ଲୀପ୍ରକୃତିର କମନୀୟ ସୌନ୍ଦର୍ଯ୍ୟର ଆଧାର କବିଙ୍କ ସୃଷ୍ଟିରେ ପରିଲକ୍ଷିତ ହୋଇଥିବାରୁ କବିଙ୍କୁ ପଲ୍ଲୀକବି ରୂପେ ସ୍ୱୀକୃତ କରାଯାଇପାରେ । (୧୪)

 

ବିଶେଷତଃ ପଲ୍ଲୀମୂଳକ କବିତାରେ ପଲ୍ଲୀପ୍ରାଣତା, ପଲ୍ଲୀଜୀବନର ପ୍ରାଣପୂର୍ଣ୍ଣ ପରିପ୍ରକାଶ, ମୌଖିକ ପ୍ରବାହ, ସାମୂହିକ ଆବୃତ୍ତି, ସଂଗୀତର ମଧୁର ମୂର୍ଚ୍ଛନା, ବିଷୟବସ୍ତୁର ଅର୍ଥହୀନତା, ସହଜ ଓ ସାବଲୀଳତାର ରୂପ ବିଭବ ପ୍ରଭୃତି ବୈଶିଷ୍ଟ୍ୟ ରହିବା ଆବଶ୍ୟକ । (୧୫) ଯାହା ପଲ୍ଲୀ ମଧ୍ୟରେ ବଞ୍ଚିରହି ପଲ୍ଲୀବାସୀ ହୃଦୟର କୋମଳ ସୂକ୍ଷ୍ମତନ୍ତ୍ରୀକୁ ସ୍ପର୍ଶ କରେ, ତାହାହିଁ ଯଥାର୍ଥ ପଲ୍ଲୀ ସଂଗୀତର ନିଦର୍ଶନ । ପଲ୍ଲୀ ସଂଗୀତରେ ଜୀବନ, ସମାଜ ଓ ପ୍ରକୃତିର ମଧୁର ମିଳନ ହୁଏ । କ୍ଷଣିକ ଭାବଉଚ୍ଛ୍ୱାସ ହିଁ ଏହାର ପରମ ବୈଶିଷ୍ଟ୍ୟ ଅଟେ । ଏହି ଦୃଷ୍ଟିରୁ ପଲ୍ଲୀକବି କୃଷ୍ଣପ୍ରସାଦଙ୍କ କବିମାନସ ପାଶ୍ଚାତ୍ୟ ସଭ୍ୟତାର ସୁରମ୍ୟ ଶୋଭିତ ସୁପରିକଳ୍ପିତ ପୁଷ୍ପ ବାଟିକାରେ ବିଲାତୀ ପ୍ରସୂନ କିମ୍ବା ଭୋଗାବଳୀ ସାହିତ୍ୟର ରାଜପ୍ରାସାଦର ରଜତବାଡ଼ରେ ଅଙ୍କା ସୁବର୍ଣ୍ଣଲତାର ସୌରଭ ବିହୀନ ସାଇତା ସମ୍ପଦର ପ୍ଲାଷ୍ଟିକ୍ ଫୁଲକୁ ସଂଗ୍ରହ ନକରି ପଲ୍ଲୀର ସରସ, ସୁନ୍ଦର ସହାସ୍ୟ ମରମୀ ଫୁଲକୁ ଅଧିକ ଆଦର କରିଛି । ପଲ୍ଲୀର ରୂପ ବିଭବକୁ ନେଇ ତାଙ୍କର ସାହିତ୍ୟ ହୋଇଛି ପଲ୍ଲୀ ସାହିତ୍ୟ । ପ୍ରକୃତି କୋଳରେ ବଢ଼ି ତା’ର ଶୋଭାସମ୍ଭାରକୁ ସନ୍ଦର୍ଶନ କରି ଯେଉଁ ଅଭିଜ୍ଞତା ଅର୍ଜନ କରିଛନ୍ତି, ତାକୁ ଅବିକଳରୁପେ ସଂଗୀତରେ ଚିତ୍ରିତ କରିଥିବାରୁ ତାଙ୍କ ରଚନାଗୁଡ଼ିକ ସାର୍ଥକ ଲଭିଛି । ସେଥିପାଇଁ ସେ କେତେଜଣର ନ ହୋଇ ଅଗଣିତ ଗଣ ହୃଦୟରେ ମୁକୁଟବିହୀନ ସମ୍ରାଟ ।

 

କୃଷ୍ଣ ପ୍ରସାଦ ଜଣେ ସଂଗୀତଜ୍ଞ ହୋଇଥିବାରୁ ଛନ୍ଦ ପ୍ରୟୋଗ କ୍ଷେତ୍ରରେ ଯତିପାତ, ସଂଗୀତର ସୌକୁମାର୍ଯ୍ୟରେ ତ୍ରୁଟି ଦେଖିବାକୁ ମିଳେନା । ତାଙ୍କ ସଂଗୀତରେ ‘କଦମ୍ବଫୁଲିଆ ଜହ୍ନ, ମଖମଲି ଢଙ୍କାରାତି, ଆଡ଼ପାତେଳି ଅଳତା, ପାଉଁଶିଆ ମେଘ, ମାଈସଞ୍ଜ ଇତ୍ୟାଦି ପ୍ରତୀକାତ୍ମକ ଗ୍ରାମ୍ୟଭାଷା, କାଉ ଆଖିପରି ପତଳା ଜଳ, କମଳା ଲେମ୍ବୁର ଖରା, କେଳାର ନାଗୁଣୀ ପରି ରଜନୀ, ସାପଫଣା ପରି ଧାନ ପେନ୍ଥି ପ୍ରଭୃତି କେତେକ ପ୍ରତୀକାତ୍ମକ ଉପମା କବିଙ୍କର ଶୈଳ୍ପିକ ସୌନ୍ଦର୍ଯ୍ୟକୁ ବୃଦ୍ଧିକରିଛି । ଏକ ଚିତ୍ରକଳ୍ପକୁ ଏଠାରେ ଉଲ୍ଲେଖ କରାଯାଇପାରେ-

 

“ଡେଣାରୁ ସଞ୍ଜୁଆ ଖରା ପୋଛି ଦେଇ ଉଡ଼େ ପାରା

ସୁନାପୁଟ ଦିନଯାଏ,

 

୧୪.

ଡଃ ମନ୍ମଥ କୁମାର ପ୍ରଧାନ – “ଓଡ଼ିଆ ସାହିତ୍ୟକୁ ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରାଙ୍କ ଅବଦାନ ।” - ଗବେଷଣା ସନ୍ଦର୍ଭ- ୧୯୮୮-ପୃ-୩୫୩

୧୫.

ଡଃ ନଟବର ସାମନ୍ତରାୟ- ପଲ୍ଲୀ ସାହିତ୍ୟ-୧୯୭୦-ପୃ-୭

ଅନ୍ଧାରେ ପାହାଡ଼ ତଳି ରାକ୍ଷାସ ଆଖିପରି

ସନ୍ଧ୍ୟାତାରା ଫେରିଫେରି ଚାହେଁ ।”(୧୬)

 

ତେବେ ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିରୁ କବିଙ୍କର ଗୀତିକବିତାର କଳାତ୍ମକ ମୂଲ୍ୟ ଉଚ୍ଚକୋଟୀର (୧୭) ଏହା ଏକ ସ୍ଵତନ୍ତ୍ର ଆଲୋଚନାର ଅପେକ୍ଷାକରେ ।

 

ପ୍ରଥମତଃ ଜଣେ କବି ହେଲେ ହେଁ ପରବର୍ତ୍ତୀ କ୍ଷେତ୍ରରେ କୃଷ୍ଣପ୍ରସାଦ ଜଣେ ନାଟ୍ୟକାର ଭାବରେ ତାଙ୍କର ପ୍ରତିଭା ଅନନ୍ୟ । ତାଙ୍କର ବହୁ ପାଣ୍ଡୁଲିପି ନଷ୍ଟ ହୋଇଯାଇଛି । ଅଧିକାଂଶ ନାଟକକୁ ସେ ରଚନା କରି ମଞ୍ଚସ୍ଥ କରିଛନ୍ତି । ବିଷୟବସ୍ତୁ ଦୃଷ୍ଟିରୁ ତାଙ୍କ ରଚିତ ନାଟକଗୁଡ଼ିକୁ ଐତିହାସିକ, ପୌରାଣିକ, କାଳ୍ପନିକ, ସାମାଜିକ ପ୍ରଭୃତି ଶ୍ରେଣୀରେ ବିଭକ୍ତ କରାଯାଏ । ତାଙ୍କର ପୌରାଣିକ ନାଟକ ଗୁଡ଼ିକ ହେଲା- ମାନ୍ଧାତା, ଧ୍ରୁବ, ଦୈବଚକ୍ର, କୁଶଧ୍ୱଜ, ହରିଶ୍ଚନ୍ଦ୍ର, ପ୍ରହ୍ଲାଦ, ଜଳନ୍ଧରବଧ, ଦକ୍ଷଯଜ୍ଞ, ଉର୍ବଶୀ, ପ୍ରବୀରାର୍ଜୁନ, ବିଲ୍ୱମଙ୍ଗଳ, ଦେବୀ ଅନ୍ନପୂର୍ଣ୍ଣା, ତରଣୀସେନ ବଧ, ମାତୃମୁକ୍ତି, ଶଙ୍ଖଚୂଡ଼, ସାଗରାଭିଷେକ ଇତ୍ୟାଦି ।

 

ଐତିହାସିକ ନାଟକାବଳୀ – ରାଣୀଭବାନୀ, ଚନ୍ଦ୍ରଗୁପ୍ତ, ରାଣାପ୍ରତାପ, ବିକ୍ରମାଦିତ୍ୟ

 

କାଳ୍ପନିକ ନାଟକାବଳୀ - ପ୍ରତିଦାନ ପୁଣ୍ୟଭୂମି, ଗରିବଝିଅ, ମାଣିକ ମାଳା, ନଷ୍ଟଚନ୍ଦ୍ର, କାଳପିପାସା, ଅଗ୍ନିଶିଖା, ଘରଭେଦୀ, ବିଚାରକ, ଶିଶିରବିନ୍ଦୁ, ମହାମନ୍ତ୍ରୀ, ରାଜମୁକୁଟ, ଅଛୁଁଆ ଦେବତା, ଅଶ୍ରୁକଣିକା, ଅକାଳ ଉଲ୍‌କା ।

 

ସାମାଜିକ ନାଟକ - ରାଜଦ୍ରୋହୀ, ଅସବର୍ଣ୍ଣା, କଳାବଜାର, ଝରାଫୁଲ, ଜନଶକ୍ତି, ଯୁଗର ଦାବୀ, ନାରୀ ଜାଗରଣ, ସିଂହରଡ଼ି, ଏ ସମାଜକୁ ଭାଙ୍ଗିଦିଅ, ଇତ୍ୟାଦି ।

 

୧୯୪୦ ମସିହାରୁ ୧୯୬୯ ମସିହା ମଧ୍ୟରେ ଏହି ନାଟକ ଗୁଡ଼ିକ ରଚିତ ହୋଇ ଅଭିନୀତ ହୋଇଛି । କେତେକ ନାଟକ କଲିକତା ପ୍ରେସରୁ ମୁଦ୍ରିତ ହୋଇଛି ।

 

କୃଷ୍ଣପ୍ରସାଦଙ୍କ ପୌରାଣିକ ନାଟକ ଗୁଡ଼ିକରେ ମୁଖ୍ୟତଃ ଆଧ୍ୟାତ୍ମିକ ଭାବ, ତ୍ୟାଗ- ତିତିକ୍ଷାର ମହନୀୟତାକୁ ଦର୍ଶାଇଛନ୍ତି । ସାମାଜିକ ଜୀବନକୁ ନୀତିଗତ ଆଦର୍ଶବୋଧରେ ଅନୁପ୍ରାଣୀତ କରିବା ପାଇଁ ସେ ପ୍ରୟାସ କରିଛନ୍ତି । ଐତିହାସିକ ନାଟକରେ ଜାତୀୟ ଚେତନା ତଥା ଆଦର୍ଶବୋଧର ପରିଚୟ ମିଳେ । ମାନବିକ ଭାବାଦର୍ଶ, ଆଦର୍ଶ ଶାସନ ବ୍ୟବସ୍ଥା ତଥା ଦେଶଦ୍ରୋହୀଙ୍କ ପ୍ରତି ଥିବା ତିରସ୍କାର ହିଁ ନାଟ୍ୟକାରଙ୍କ ଦେଶାତ୍ମବୋଧର ପରିଚୟ ମିଳେ । ସେହିପରି କାଳ୍ପନିକ ନାଟକ ଗୁଡ଼ିକରେ ରାଜତନ୍ତ୍ର ଶାସନର ଅନ୍ତରାଳରେ ସ୍ୱେଚ୍ଛାଚାରିତା,

 

୧୬

କୃଷ୍ଣପ୍ରସାଦ ଚୟନିକା - ପୃ-୧୯୪ (୧୯୮୦)

୧୭.

ପଲ୍ଲୀକବି କୃଷ୍ଣ ପ୍ରସାଦ - ଡଃ ମନ୍ମଥ କୁମାର ପ୍ରଧାନ - ପୃ-୬୦, (୨୦୦୦) ପ୍ରାଚୀ ପ୍ରକାଶନୀ- କଟକ-୨

 

ବ୍ୟଭିଚାର ଭାବ ଅନ୍ତଃରାଳରେ ଏକ ମାନବିକ ଭାବ ସଂପ୍ରୀତି ସୃଷ୍ଟି କରିବାପାଇଁ ସ୍ରଷ୍ଟାମାନସ ପ୍ରୟାସ କରିଛନ୍ତି । ଅର୍ଥ, ନାରୀ, କ୍ଷମତା ପାଇଁ ଯେ ସମସ୍ତ ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହୁଏ ଏହାହିଁ କାଳ୍ପନିକ ନାଟକର ମାର୍ମିକ ଅଭିବ୍ୟକ୍ତି । ନାଟ୍ୟକାର ବିଶ୍ୱାସ କରନ୍ତି କର୍ମବାଦ ଉପରେ-। ମଣିଷ ତା’ର କୃତକର୍ମର ଫଳ ଭୋଗ କରେ । ଅନ୍ୟକୁ ଠକିଦେଲେ ମଧ୍ୟ ସେ ଭଗବାନଙ୍କ ଦରବାରରେ ଦଣ୍ଡପାଏ । ନୀତିବୋଧ ପ୍ରତିଷ୍ଠା ଦିଗରେ ସ୍ରଷ୍ଟା ସଚେତନାତ୍ମକ ଅଭିବ୍ୟକ୍ତି ବାଢ଼ିଛନ୍ତି । ସମସାମୟିକ ସାମାଜିକ ଭାବସତ୍ତାକୁ ଆଧାର କରି ଯେଉଁ ନାଟକ ଗୁଡ଼ିକ ରଚିତ, ସେଗୁଡ଼ିକ ବାସ୍ତବତାର ମାନଦଣ୍ଡରେ ଯଥାର୍ଥ ହୋଇଛି ଏକ ଶାନ୍ତ ସମାହିତ, ଶୋଷଣମୁକ୍ତ ସମାଜଜୀବନ ଗଠନ ପାଇଁ ନାଟ୍ୟକାର ଆଶାୟୀ ହୋଇଛନ୍ତି । ପ୍ରତ୍ୟେକ ନାଟକରେ ମାନବିକ ଭାବସତ୍ତା ସୃଷ୍ଟିକରିବାରେ ସଫଳ ହୋଇଛନ୍ତି ।

 

କୃଷ୍ଣ ପ୍ରସାଦଙ୍କ ସମସ୍ତ ନାଟକର କଥାବସ୍ତୁ ପ୍ରାରମ୍ଭରେ ନାଟକୀୟ ସଂଘର୍ଷ ସୃଷ୍ଟିକରି ବିଷୟବସ୍ତୁ ପ୍ରତି ଦର୍ଶକମାନଙ୍କୁ ଆକୃଷ୍ଟ କରନ୍ତି, ଯାହା ତାଙ୍କ ନାଟ୍ୟଶୈଳୀର ଅନ୍ୟତମ ବୈଶିଷ୍ଟ୍ୟ । ନାଟକ ଗୁଡ଼ିକ କେତେକ ଚରିତ୍ର ପ୍ରଧାନ ଅଟେ । ନାଟକର ସଂଳାପ ଗୁଡ଼ିକ ଅମିତ୍ରାକ୍ଷର ଛନ୍ଦଧର୍ମୀ ଓ କାବ୍ୟଧର୍ମୀ । ମାର୍ଜିତ ଭାଷାର ବ୍ୟବହାରରେ ସଂଳାପ ଗୁଡ଼ିକ ପାତ୍ରମୁଖୀ ଓ ପ୍ରଭାବଶାଳୀ ହୋଇଛି । କାବ୍ୟିକଛଟା ଓ ଲାଳିତ୍ୟପୂର୍ଣ୍ଣ ଭାଷା – “ଏହି ସେହି ଶୁଭ୍ର ତୁଷାର ଗୁମ୍ଫିତ କୈଳାସ ଶିଖରୀ, ରୌପ୍ୟ ବିନିର୍ମିତ ବୋଲି ହୁଅଇ ପ୍ରତ୍ୟୟ, ବନସ୍ପତିଗଣ ନବ କିଶଳୟ ଭାରେ ହୋଇ ବିମଣ୍ଡିତ, ଅପୂର୍ବ ଶୋଭା ସମ୍ଭାର ବିଲୋକନ୍ତି ବନେ, ସ୍ତବକେ ସ୍ତବକେ ଫୁଲ ଫଳେ ଫଳମୟ ରମ୍ଭା, ନାରିକେଳ, ଆମ୍ର, ପଟଳ, ଖେର୍ଜୁର, ପନସ ଆଦିହୋଇ ସୁସଜ୍ଜିତ, ବସନ୍ତ ସ୍ୱାଗତ ଗୀତି କରନ୍ତି ପ୍ରଚାର । ଦେଖ ଦେଖ ଦେବରାଜ, ତୁଷାର ହାର ଧବଳା ଅଳକାନନ୍ଦାର ଦୃଶ୍ୟ, ଗଙ୍ଗାନାମ ଧରି ବହିଯାଏ ଭାରତ ବକ୍ଷରେ, ଆହା କି ପର୍ବତର ଶୋଭା କୈଳାସ ଭୁବନେ । (୧୮) ‘ଦୈବିଚକ୍ର’ ନାଟକରେ ଏକ ସନ୍ଧ୍ୟା ବର୍ଣ୍ଣନା – “ମ୍ଲାନରବି ପଶ୍ଚିମ ଗଗନେ, ପ୍ରାଚୀ ଚକ୍ରବାଳ କୋଳୁ ଧୀରେ ଧୀରେ ଆସେ ସନ୍ଧ୍ୟାରାଣୀ ଉଡ଼ାଇଣ ବିଚିତ୍ର ଅଞ୍ଚଳ, ପ୍ରାକୃତିକର ଗଗନେ ପବନେ ନୀଡ଼େ ଯାଏ ବିହଙ୍ଗିଣୀ, ବତ୍ସାଧନୁ ଘେନି ଗୋପାଳ ବାଳକ ଯାଏ ମୁରଲୀବଜାଇ, ଦେବାଳୟୁ ଋଷି ଆଶ୍ରମରୁ ବାଜେ ଶଙ୍ଖ, ଘଣ୍ଟା, ଶୁଭେ ପ୍ରାର୍ଥନା ସଂଗୀତ, ପଥ ଶ୍ରମେ ଅଳସ ଅବଶ ତନୁ, ନାହିଁ ଶକ୍ତି ଯିବି ପ୍ରାସାଦକୁ ।” (୧୯) ସାମାଜିକ ନାଟକ ‘ରାଜଦ୍ରୋହୀ’ରେ ସେହିପରି ବାସ୍ତବଧର୍ମୀ ସଂଳାପ ମଧ୍ୟ ବ୍ୟବହାର କରାଯାଇଛି - “ସବୁ ଆଡ଼େ ବୁଲି ଦେଖିଛି, ଉଚ୍ଚାସନରେ ବସିଲା ପରେ ଗରିବ ଦୁଃଖୀଙ୍କ କଥା ସମସ୍ତେ ଭୁଲି ଯାଆନ୍ତି, ଯାହାଙ୍କ ଦ୍ୱାରା ସେମାନେ ସେ ଆସନ ପାଇଲେ, ତାକୁ ସେ ଚିହ୍ନି ପାରନ୍ତି ନାହିଁ ।” (୨୦)

 

ବିଷୟବସ୍ତୁ, ଉତ୍କଣ୍ଠା, ଦ୍ୱନ୍ଦ୍ୱ, ଚରିତ୍ର ଚିତ୍ରଣରେ, ଅଙ୍କ ଓ ଦୃଶ୍ୟ ସଂଯୋଜନା, ସଂଗୀତ ପରିବେଷଣ ଦୃଷ୍ଟିରୁ କୃଷ୍ଣ ପ୍ରସାଦଙ୍କ ନାଟକ ଗୁଡ଼ିକ ଯେ କୌଣସି ଦର୍ଶକକୁ ଅଭିଭୂତ କରେ ।

 

୧୮.

‘ଜଳନ୍ଧର’ ନାଟକ - ୧ମ ଅଙ୍କ/୧ମ ଦୃଶ୍ୟ

୧୯.

‘ଦୈବ ଚକ୍ର’ ନାଟକ - ୧ମ ଅଙ୍କ/୧ମ ଦୃଶ୍ୟ

୨୦.

‘ରାଜଦ୍ରୋହୀ’ ନାଟକ - ୨ୟ ଅଙ୍କ - ୨ୟ ଦୃଶ୍ୟ

 

କୁଷ୍ଣ ପ୍ରସାଦଙ୍କ ନାଟକଗୁଡ଼ିକରେ ବଙ୍ଗଳା ନାଟକର ପ୍ରଭାବକୁ ସ୍ୱୀକାର କରାଯାଇପାରେ-। ବଙ୍ଗଳାର ବ୍ରଜେନ୍ଦ୍ର ଦେ, ବିନୟକୃଷ୍ଣ ମୁଖପାଧ୍ୟାୟ, ନନ୍ଦଲାଲ ଚୌଧୁରୀ, ଭୈରବ ଗାଙ୍ଗୁଲି, ଗୌରଚନ୍ଦ୍ର ଉଡ଼ ପ୍ରଭୃତି ନାଟ୍ୟକାରଙ୍କ ନାଟକର ପ୍ରଭାବରେ କୃଷ୍ଣ ପ୍ରସାଦ ପ୍ରଭାବିତ ହେଲେହେଁ, ତାଙ୍କ ମୌଳିକ ପ୍ରତିଭା ଅକ୍ଷୁର୍ଣ୍ଣ ରହିଛି । ଏହା ମଧ୍ୟ ଏକ ସ୍ଵତନ୍ତ୍ର ଆଲୋଚନାର ଅପେକ୍ଷା କରେ । କୃଷ୍ଣ ପ୍ରସାଦଙ୍କ ଯାତ୍ରାନାଟକ ଗୁଡ଼ିକ ଲୋକନାଟକର ଅନ୍ତର୍ଭୁକ୍ତ । ସମାଜ ଓ ସାମାଜିକତା ସହିତ ମାନବୀୟ ମୂଲ୍ୟବୋଧ ହଁ କୃଷ୍ଣ ପ୍ରସାଦଙ୍କ ନାଟ୍ୟ ମାନସର ମୂଳ ଆଧାର । ସେ ଏକ ଅଭୁଲା-ଅଲିଭା ସ୍ମୃତିର ସନ୍ତକ । ଓଡ଼ିଆ ନାଟ୍ୟ ସାହିତ୍ୟରେ କୃଷ୍ଣ ପ୍ରସାଦଙ୍କ ପ୍ରତିଭା-ଏକ ସଂଯୋଗ । ସେ ଗଣ ଜୀବନର ଓ ଗଣ ହୃଦୟର ନାଟ୍ୟକାର ।

 

ଓଡ଼ିଶାର ସାଂସ୍କୃତିକ ଜାଗରଣରେ ଓ ନାଟ୍ୟକଳାର ବିକାଶରେ ଓଡ଼ିଆ ଯାତ୍ରା ନାଟକର ଅବଦାନ ଅବିସ୍ମରଣୀୟ । କୃଷ୍ଣପ୍ରସାଦ ଲୋକନାଟ୍ୟ ପରମ୍ପରାରେ ଓ ପଲ୍ଲୀକବି ଭାବରେ ଅନାଲୋଚିତ ଥିଲେହେଁ ସେ ଅମର ହୋଇ ରହିଛନ୍ତି । ଜଣେ ଅଭିନେତା, ନିର୍ଦ୍ଦେଶକ, କବି, ନାଟ୍ୟକାର ତଥା କଳା ସଂସ୍ଥା ସଂଗଠକ ଭାବରେ ସେ ଆଦୃତ । ଜନସାଧାରଣଙ୍କର ମନୋରଞ୍ଜନ, ରୁଚିପୂର୍ଣ୍ଣ ସୁସଂହତ ସାମାଜିକ ଜୀବନର ବିକାଶ ପାଇଁ ଅଭିବ୍ୟକ୍ତି ତାଙ୍କ ରଚନା ଗୁଡ଼ିକରେ ସୁସ୍ପଷ୍ଟ । ଲୋକନାଟକ ମାଧ୍ୟମରେ ଜାତି-ଧର୍ମ-ନିର୍ବିଶେଷରେ ସଂହତି ସ୍ଥାପନ କରିବା, ଆଧ୍ୟାତ୍ମିକ ଚେତନାରେ ଅନୁପ୍ରାଣୀତ କରିବା ଦିଗରେ କୃଷ୍ଣପ୍ରସାଦଙ୍କ ସୃଷ୍ଟି ମାନସ ଅତୀବ ସଚେତନ । ଓଡ଼ିଶାରେ ଅଭିନୟ କଳାର ଅଭିବୃଦ୍ଧି ଘଟାଇବାରେ କୃଷ୍ଣପ୍ରସାଦଙ୍କ ଭୂମିକା ଅସାଧାରଣ ଥିଲା । ଅର୍ଦ୍ଧଶତାବ୍ଦୀ ଧରି ସେ ନାଟ୍ୟକଳାର ବିକାଶରେ ନିଜ ଜୀବନକୁ ଜଡ଼ିତ କରାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଶତାଧିକ ଛାତ୍ର ନାଟ୍ୟକଳା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ସେ ସମୟରେ ବଙ୍ଗଳା ନାଟକର ପ୍ରାଦୁର୍ଭାବ ଓ ଓଡ଼ିଆ ଯାତ୍ରା ପରମ୍ପରାରେ ସଂସ୍କାର ଆଣିବାରେ କୃଷ୍ଣପ୍ରସାଦଙ୍କ ଭୂମିକା ଥିଲା ଅତୀବ ଗୁରୁତ୍ୱପୂର୍ଣ୍ଣ । ସଙ୍ଗୀତ କଳା ପ୍ରତି ତାଙ୍କର ଅବଦାନ ଯଥେଷ୍ଟ ରହିଛି । ସଂଗୀତ ରଚନା କରି, ସ୍ୱର ସଂଯୋଜନାରେ କୃଷ୍ଣ ପ୍ରସାଦ ସଫଳ ହୋଇଥିଲେ । ଗୀତିକବି ଭାବରେ ତାଙ୍କର ପ୍ରତିଭା ଥିଲା ଅନନ୍ୟ । ତେଣୁ ଆଧୁନିକ ଓଡ଼ିଆ ନାଟ୍ୟ ସାହିତ୍ୟକୁ ତଥା ଓଡ଼ିଆ ଗୀତି କବିତାକୁ କୃଷ୍ଣ ପ୍ରସାଦଙ୍କର ଅବଦାନ ସ୍ୱୀକାର୍ଯ୍ୟ । ଓଡ଼ିଆ ପଲ୍ଲୀସାହିତ୍ୟର ଓ ଗୀତିକବିତାର ପରିସର ମଧ୍ୟରେ କୃଷ୍ଣ ପ୍ରସାଦଙ୍କ ସ୍ଥାନ ସ୍ୱତନ୍ତ୍ର ଅଟେ । ଅନ୍ୟ ପକ୍ଷରେ ଲୋକନାଟ୍ୟ ପରମ୍ପରାକୁ ବିକାଶ କରିବା ସଙ୍ଗେ ସଙ୍ଗେ ନାଟ୍ୟକାର ଭାବରେ ଜଣେ ସଫଳ ସ୍ରଷ୍ଟା ଭାବରେ କୃଷ୍ଣ ପ୍ରସାଦ ଚିର ଅମର ହୋଇ ରହିବେ । ଓଡ଼ିଆ ସାହିତ୍ୟରେ ସେ ଅନାଲୋଚିତ ହେଲେହେଁ, ଚିହ୍ନରା ଗ୍ରାହକ, ରସିକ, କୋବିଦଙ୍କ ପାଖରେ ସେ ଚିରସ୍ମରଣୀୟ ହୋଇ ରହିଛନ୍ତି ।

 

 

ବରିଷ୍ଠ ଅଧ୍ୟାପକ, ଓଡ଼ିଆ ବିଭାଗ

ନୀଳମଣି କଲେଜ, ରୁପ୍‌ସା

ବାଲେଶ୍ୱର

 

***

 

ପାଶ୍ଚାତ୍ୟ ସ୍ରଷ୍ଟାର ପ୍ରାଚ଼୍ୟ ବିଦ୍ୟା ପ୍ରୀତି

ବାଳକୃଷ୍ଣ ବେହେରା

 

ସବୁ ଯୁଗର ସବୁ ଜାତିର ଅବଦାନ ମିଶି ବିଶ୍ୱମାନବର ଜ୍ଞାନରାଜ୍ୟ ଆଜି ବହୁଭାବରେ ପରିପୂର୍ଣ୍ଣ ଓ ମହାନ । ଜାତି ଧର୍ମ ଭାଷା ଅବା ଯେ କୌଣସି ବାହ୍ୟ ସଂକୀର୍ଣ୍ଣତା ଊର୍ଦ୍ଧ୍ୱରେ ମଣିଷର ଭାବଜଗତ ଏକ ଓ ଅଭିନ୍ନ । ସତ୍ୟ ଉପଲବ୍‌ଧିରେ ବିଶ୍ଵର ସବୁ ସ୍ରଷ୍ଟା ମଧ୍ୟରେ ଏକାତ୍ମତା ପ୍ରତୀକିତ-। ପୃଥିବୀର ପୂର୍ବ ପଶ୍ଚିମ ଧାରଣାରେ ଆଉ ଯେ କୌଣସି ଭୌଗୋଳିକ ସୀମାବଦ୍ଧତାକୁ ଆଧୁନିକ ମଣିଷ ଅସ୍ୱୀକାର କରୁଛି । ପୂର୍ବ ପଶ୍ଚିମ ଉଭୟ ଉଭୟଙ୍କ ପ୍ରତି ଦେବା ଓ ନେବାରେ ସର୍ବଦା ଉନ୍ମୁଖ-। ଏହି ଉଦାରତା ବିଶ୍ଵର ଉଦାରଚେତା ମହାମନୀଷୀଙ୍କ ଯୋଗୁଁ ଆଜିର ମଣିଷଜାତି ଲାଭ କରିପାରିଛି ।

 

ସମଗ୍ର ମଣିଷ ଜାତିର ଭାବଜଗତକୁ ମିଳେଇ ଦେବା ପାଇଁ ସାହିତ୍ୟ ହିଁ ପ୍ରାୟତଃ ଅଙ୍ଗୀକାରବଦ୍ଧ । ଏହି ସାହିତ୍ୟକୁ କେବଳ ବିଶ୍ଵସାହିତ୍ୟ ହିଁ କୁହାଯିବ । ବିଶ୍ୱସାହିତ୍ୟ ସମସ୍ତଙ୍କୁ ଯୋଡ଼ି ଦେଇଛି ।

 

ଭାରତର ଆଧ୍ୟାତ୍ମିକ ଚିନ୍ତାଧାରା ୟୁରୋପ ଓ ଆମେରିକାରେ କ୍ରମଶଃ ଅନୁପ୍ରବେଶ କରିଛି । ଭାରତରେ ପ୍ରାଚୀନ ଓ ମହତ ସଭ୍ୟତା ବିଦ୍ୟମାନ । ଚିରନ୍ତନ ମୂଲ୍ୟବୋଧ ନେଇ ତା’ର ସଂସ୍କୃତି ସମୃଦ୍ଧ । ସଂସ୍କୃତିର ଊର୍ଦ୍ଧ୍ୱମୁଖୀନତା ତା’ର ବୈଶିଷ୍ଟ୍ୟ । ତା’ର ଆଧ୍ୟାତ୍ମିକ ଚେତନା ବିଶ୍ଵର ଆତ୍ମିକ ଉନ୍ନତି ଘଟିବାରେ ସାହାଯ୍ୟ କରିଛି । ପ୍ରସିଦ୍ଧ ଐତିହାସିକ ଆର୍‌ନୋଲଡ଼୍ ଟୟେନବୀଙ୍କ ମତରେ, “ଆମେ ଆଜି ଭାରତକୁ ଚାହିଁ ରହିଛୁ । ଏହି ଆଧ୍ୟାତ୍ମିକ ଅବଦାନ ଯାହାକି ମନୁଷ୍ୟକୁ ମାନବିକ ଭାବାପନ୍ନ କରିପାରିଛି-ତାହା ଏପର୍ଯ୍ୟନ୍ତ ମଧ୍ୟ ଭାରତୀୟ ଆତ୍ମାରେ ବଞ୍ଚିରହିଛି । ପୃଥିବୀକୁ ଏହି ଭାରତୀୟ ଉଦାହରଣ ଆପଣମାନେ ଦେଇଯାଆନ୍ତୁ । ଏହା ଛଡ଼ା ଅନ୍ୟ କୌଣସି ଉପାୟ ମନୁଷ୍ୟକୁ ନିଜର ଆତ୍ମ-ଧ୍ୱଂସରୁ ରକ୍ଷା କରିପାରିବ ନାହିଁ ।” (୧)

 

ଶହ ଶହ ବର୍ଷ ପୂର୍ବରୁ ଭାରତୀୟ ତପସ୍ୱୀଗଣ ନିଜର କଠୋର ସାଧନାବଳରେ ଜୀବନର ଶାଶ୍ଵତ ମୂଲ୍ୟକୁ ବୁଝିବାକୁ ସମର୍ଥ ହୋଇଛନ୍ତି । ସତ୍ୟ ସୌନ୍ଦର୍ଯ୍ୟ, ଆତ୍ମା ପରମାତ୍ମା ପରସ୍ପର ମଧ୍ୟରେ ନିହିତ ମହତ ଆକର୍ଷଣର ରହସ୍ୟକୁ ସେମାନେ ଉଦ୍‌ଘାଟନ କରିଯାଇଛନ୍ତି ଏବଂ ଏହାକୁ ପବିତ୍ର ଗ୍ରନ୍ଥଗୁଡ଼ିକରେ ଲିପିବଦ୍ଧ କରିଯାଇଛନ୍ତି । ଭାରତବର୍ଷରେ ବେଦ, ଉପନିଷଦ, ରାମାୟଣ, ମହାଭାରତ ଓ ଭାଗବତ ଆଦି ବହୁ କ୍ଲାସିକ ସାହିତ୍ୟ ଜନ୍ମଲାଭ କରିଛି । ଏଥିରେ ମଣିଷକୁ ପରମ ଶାନ୍ତି ଦେବା ଓ ଆପଣା ଆପଣା ଭିତରେ ଯୋଡ଼ିଦେବାର ସାମର୍ଥ୍ୟ ରହିଛି ।

 

ଆରନୋଲଡ୍ ଟୟେନବୀ, ଏକ ବିଶ୍ୱ ଓ ଭାରତ, ଅନୁ- ଡଃ ରାଧାନାଥ ରଥ, ଗ୍ରନ୍ଥ ମନ୍ଦିର, କଟକ, ୧୯୭୦, ପୃ-୭୮-୭୯ ।

 

ପାଶ୍ଚାତ୍ୟ ସ୍ରଷ୍ଟାଗଣ ଅନୁଭବ କରିଛନ୍ତି-ଏ ବିଶ୍ଵରେ ଦିବ୍ୟଜ୍ୟୋତି ହିଁ କେବଳ ସବୁ ତିମିସ୍ରାଚ୍ଛନ୍ନତାକୁ ଦୂରେଇ ଦେଇ ପାରିବ । ଏହା ମଣିଷର ମହତ ଆକର୍ଷଣକୁ ଯଥୋଚିତ ମାନ୍ୟତା ଦେବ । ଏ ଦିବ୍ୟଜ୍ୟୋତି ଭାରତୀୟ ଆଧ୍ୟାତ୍ମିକତାର ଦିବ୍ୟଜ୍ୟୋତି । ପାଶ୍ଚାତ୍ୟ ସ୍ରଷ୍ଟାମାନେ ଯେତେବେଳେ ଏସବୁ ଅନୁଭବର ଅଧିକାରୀ ସେତେବେଳେ ସେମାନେ ମଧ୍ୟ ଭାରତୀୟ ଚେତନା ସହ ଏକାତ୍ମ । ପ୍ରାଚ୍ୟ ସ୍ରଷ୍ଟା ପରି ସେମାନେ ମଧ୍ୟ ଆଲୋକୋନ୍ମୁଖ । ସମସ୍ତେ ସତ୍ୟ ଓ ସୌନ୍ଦର୍ଯ୍ୟ ଅନୁଭବ କରିବାରେ ଏକ ଓ ମହାନ ।

 

ପ୍ରାଚ୍ୟ ବିଦ୍ୟା ପ୍ରତି ପାଶ୍ଚାତ୍ୟ ବିଦ୍ଵାନଗଣ ବହୁଭାବରେ ଆକୃଷ୍ଟ । କେବଳ ଯେ ଆକୃଷ୍ଟ ତା’ ନୁହେଁ ; ବରଂ ପ୍ରାଚ୍ୟ ମନୀଷୀମାନଙ୍କ ଅପେକ୍ଷା ଅଧିକ ପରିମାଣରେ ସେମାନେ ଭାରତର ଏକ ସମୁଚ୍ଚ ସ୍ଵରୂପ ବିଶ୍ଵ ଆଗରେ ଉପସ୍ଥାପନ କରିଛନ୍ତି । ପାଶ୍ଚାତ୍ୟ ବିଦ୍ୱାନମାନଙ୍କ ମଧ୍ୟରେ ଭାରତୀୟ ବିଦ୍ୟାଚର୍ଚ୍ଚା ଏକ ପ୍ରମୁଖ ସାହିତ୍ୟ ଚର୍ଚ୍ଚାର ବିଷୟ ହୋଇପଡ଼ିଛି । ଭାରତୀୟ ବିଦ୍ୟା ଅଧ୍ୟୟନ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ସ୍ଵତନ୍ତ୍ର ଶିକ୍ଷାନୁଷ୍ଠାନମାନ ଗଢ଼ିଉଠିଛି । ବିଶ୍ଵବିଖ୍ୟାତ ସ୍ରଷ୍ଟାମାନଙ୍କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ସେମାନେ ଏହି ଅନୁଷ୍ଠାନଗୁଡ଼ିକରେ ଅଧ୍ୟୟନ କରି ପ୍ରାଚ୍ୟତତ୍ତ୍ୱବିତ୍ ହେବାର ଗୌରବ ଲାଭ କରିଛନ୍ତି । ସେମାନେ ମହାକବି ବାଲ୍ମୀକି, ବ୍ୟାସଦେବ, କାଳିଦାସ, ଭବଭୂତି, ମାଘ, ଶ୍ରୀହର୍ଷ, ରାଜଶେଖର, ରବୀନ୍ଦ୍ରନାଥ ପ୍ରମୁଖଙ୍କୁ ଶ୍ରଦ୍ଧାର ସହ ଅଧ୍ୟୟନ କରିଛନ୍ତି ।

 

ପାଶ୍ଚାତ୍ୟ ସ୍ରଷ୍ଟାଗଣ ଭାରତୀୟ ବିଦ୍ୟା ଅଧ୍ୟୟନ କରି ନିଜ ଅନ୍ତରକୁ ଭାରି କୋମଳ, ଅନୁରାଗମୟ ଓ ଆଲୋକୋନ୍ମୁଖ କରିଛନ୍ତି । ଭାରତକୁ ମଧ୍ୟ ତା’ର ଦିବ୍ୟଜ୍ୟୋତି ସହ ପୁଣି ଥରେ ପରିଚୟ କରାଇ ଦେବାରେ ଏହା ବହୁ ପରିମାଣରେ ସମର୍ଥ ହୋଇଛି.। ଅନେକ ଭାରତର ପବିତ୍ର ଭୂମିରେ ଜୀବନ ବଞ୍ଚିବାର ଆଗ୍ରହ ପ୍ରକାଶ କରିଛନ୍ତି । ସନାତନ ହିନ୍ଦୁଧର୍ମ ଓ ବୁଦ୍ଧଧର୍ମରେ ନିଜକୁ ଦୀକ୍ଷିତ କରିବା ତାଙ୍କର ପ୍ରବଳ ଇଚ୍ଛା । ଭାରତୀୟ ସରଳ ଜନଜୀବନ ମଧ୍ୟରେ ନିଜକୁ ହଜେଇ ଦେବାକୁ ଚେଷ୍ଟିତ ।

 

ଇ.ଏମ୍.ଫୋଷ୍ଟରଙ୍କ ପରି ପ୍ରାଚ୍ୟ ସ୍ରଷ୍ଟା ଭାରତୀୟ ଗୋକୁଳାଷ୍ଟମୀ ତିଥିରେ ନିଜକୁ ମିଶେଇ ଦେଇଛନ୍ତି । ଭାରତ ପ୍ରତି ତାଙ୍କର ଶ୍ରଦ୍ଧାଶୀଳ ଦୃଷ୍ଟିର ପରିଚୟ ମିଳେ ‘ଏ ପେସେଜ ଟୁ ଇଣ୍ଡିଆ’ ରେ । ସେ ମଧ୍ୟ ଭାରତର ଅଗ୍ରଗାମୀ ଚେତନାକୁ ବର୍ଣ୍ଣନା କରି କହିଛନ୍ତି, “The Ganges though flowing from the foot of Vishnu and though Siva’s hair is not ancient stream, Geologically looking further than religion knows of a time when neither the river nor the Himalaya that nourished it existed and an Ocean flowed over the Holy place of Hindustan.... But Indian is really for older. They are older than anything in the world.” (୨)

 

ବୈଦିକ ଋଷି, ମହାତ୍ମା ବୁଦ୍ଧ, ମହାତ୍ମାଗାନ୍ଧୀ, ରାମକୃଷ୍ଣ ପରମହଂସ, ସ୍ଵାମୀ ବିବେକାନନ୍ଦ ପ୍ରମୁଖ ପାଶ୍ଚାତ୍ୟସ୍ରଷ୍ଟାଙ୍କ ଆରାଧ୍ୟ । ଏମାନଙ୍କୁ ଅଧ୍ୟୟନ କରିବାର ଦୃଷ୍ଟିଭଙ୍ଗୀଟି ସେମାନଙ୍କ ଏକାନ୍ତ ଅନ୍ତରୀଣ । ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଗେଟେ ଏବଂ ଅନ୍ୟାନ୍ୟ ୟୁରୋପୀୟ ସ୍ରଷ୍ଟାଗଣ ପ୍ରାଚୀନ ଭାରତୀୟ ଅନୁବାଦ ଗ୍ରନ୍ଥ ପଢ଼ିବାର ସୁଯୋଗ ଲାଭ କରିଥିଲେ । ଗେଟେ ତାଙ୍କ ‘ଫଷ୍ଟ’ ଗ୍ରନ୍ଥର

 

E.M. Forster, A Passage to India, ed-G.R. Kanwal Surjeet Publication, Delhi-, p-23

 

ମୁଖବନ୍ଧରେ ଭାରତୀୟ ନାଟ୍ୟତତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି ଓ ତା’ର ଦ୍ୱିତୀୟ ଭାଗରେ ଭାରତୀୟ ସାଧୁର ତପସ୍ୟାଲବ୍ଧ ଜ୍ଞାନକୁ ଗ୍ରହଣ କରିଛନ୍ତି । ଗେଟେ ଓ ରିଲ୍‌କେଙ୍କ ପରି ମହାନ ଜର୍ମାନ କବି, ମାକ୍ସମୁଲାରଙ୍କ ପରି ବିଶିଷ୍ଟ ଜର୍ମାନ ପଣ୍ଡିତ ଭାରତୀୟ ସଂସ୍କୃତ ସାହିତ୍ୟର ଉନ୍ନତ ବ୍ୟାଖ୍ୟା କରିଛନ୍ତି; ଯାହାକି ବେଦ, ଉପନିଷଦ ଓ କାଳିଦାସଙ୍କ ସାହିତ୍ୟକୁ ଅନୁଶୀଳନ କରିବାରେ ସହାୟକ ହୋଇଛି ।

 

ଆଧୁନିକ ଜର୍ମାନ ସ୍ରଷ୍ଟାଙ୍କ ମଧ୍ୟରେ ଥୋମାସମ୍ୟାନ, ଷ୍ଟିପେନ ଜୁଇଗ, ୱାଲଡ଼ିମାର ବୋନସେଲସ ଏବଂ ମାକ୍ସ ଡାଉଥେନଡ଼ି ଭାରତୀୟ ଦର୍ଶନ ଓ ସଂସ୍କୃତି ପ୍ରତି ପ୍ରବଳ ଭାବରେ ଆକୃଷ୍ଟ ହୋଇଛନ୍ତି । ବୋନସେଲସ, ଡାଉଥେନଡି ଏବଂ ହେସ ପ୍ରମୁଖ ଭାରତକୁ ପରିଦର୍ଶନ ମଧ୍ୟ କରିଛନ୍ତି ଏବଂ ସେମାନେ ନିଜ ସାହିତ୍ୟକୃତି ଭିତରେ ଭାରତୀୟତାକୁ ଚିତ୍ରଣ କରିଛନ୍ତି । ଡେକାର୍ତେ ଉତ୍ତର ସୋଫେନ୍‌ହାୱାର ନିତ୍‌ସେ ପ୍ରମୁଖ ବହୁ ଜର୍ମାନ ଦାର୍ଶନିକ ଭାରତୀୟ ଦର୍ଶନ ସହିତ ପରିଚିତ ହେବାକୁ ଯଥାର୍ଥ ମନେ କରିଛନ୍ତି । ସୋଫେନହାୱାର ଭାରତୀୟ ସାହିତ୍ୟ ଓ ମନସ୍ତତ୍ତ୍ୱ ବିଷୟରେ ପ୍ରଭାବିତ ହୋଇଛନ୍ତି । ସେ ମୁକ୍ତଭାବରେ ବୁଦ୍ଧଙ୍କ ଧର୍ମ ଦର୍ଶନ ଦ୍ୱାରା ପ୍ରଭାବିତ ହୋଇଥିବା କଥା ସ୍ୱୀକାର କରିଛନ୍ତି ।

 

ଫିଚଟେ ଏବଂ ହେଗେଲଙ୍କ ସୃଷ୍ଟିରେ ଭାରତୀୟ ଚିନ୍ତାଚେତନା ପ୍ରତିଫଳିତ । ନିତ୍‌ସେ ସେହିପରି ତାଙ୍କ ଦର୍ଶନ ଗ୍ରନ୍ଥରେ ଭାରତୀୟ ପୁରାଣର ବିଶ୍ଵାମିତ୍ର ଉପାଖ୍ୟାନକୁ ଉଲ୍ଲେଖ କରିଛନ୍ତି । ଆମେରିକୀୟ ସ୍ରଷ୍ଟା ଇମରସନ ଓ ଥିଓରୋ ତଥା ନ୍ୟୁଇଂଲଣ୍ଡର ସ୍ରଷ୍ଟାମାନେ ବହୁଭାବରେ ଭାରତୀୟତା ପ୍ରତି ଆକୃଷ୍ଟ ହୋଇଥିଲେ । ଊନବିଂଶ ଶତାବ୍ଦୀର ଶେଷଭାଗରେ ଆମେରିକୀୟ ସ୍ରଷ୍ଟା ରିଚାର୍ଡ ଜେଫରୀ ଓ ଏଡ଼ୱାର୍ଡ କାର୍ପେଣ୍ଟର ପ୍ରଭୃତି ଭାରତୀୟ ଚିନ୍ତାଚେତନା ସହ ପରିଚିତ ହୋଇଥିଲେ । ଊନବିଂଶ ବିଂଶ ଶତାବ୍ଦୀର ପାଶ୍ଚାତ୍ୟ ଦାର୍ଶନିକଗଣ ପ୍ରାଚୀନ ଭାରତୀୟ ଚିନ୍ତାଚେତନା ପାଖରେ ଅନେକ ପରିମାଣରେ ଋଣୀ । ଏ. ଏଲ୍. ବସମଙ୍କ ମତରେ, “The sages who meditated in the jungle of the Ganges valley six hundred years or before Christ are still forces in the world.”(୩)

 

ବଟ୍ରାଣ୍ଡ ରସେଲଙ୍କ ମତରେ ପୃଥିବୀର ସଂସ୍କୃତିକୁ ଭାରତୀୟ ଦାନ ହେଉଛି ‘ଶୂନ’ (Zero) । ଏହାକୁ ଭୁଲରେ ଆରବୀୟ ସଂଖ୍ୟା କୁହାଯାଉଥିଲେ ହେଁ ଏହା ହିନ୍ଦୁଗଣନା ସଂଖ୍ୟା । ହିନ୍ଦୁମାନେ ଶୂନର ଉଦ୍ଭାବନ କରିଥିବାରୁ ପୃଥିବୀବାସୀ ତାଙ୍କ ପାଖରେ ଚିରଋଣୀ । ବ୍ଲୁମ୍ ଫିଲଡ଼ କହନ୍ତି ପାଣିନୀଙ୍କ ଅଷ୍ଟାଧ୍ୟାୟୀ ପରି ଇଣ୍ଡୋୟୁରୋପୀୟ ଭାଷାରେ କୌଣସି ବ୍ୟାକରଣ ନାହିଁ । ଏହା ହେଉଛି ପ୍ରାଚୀନ ବିଶ୍ୱର ଏକ ସର୍ବୋତ୍କୃଷ୍ଟ ଏବଂ ମହତକୃତି । ଏହାକୁ ଆଜି ମଧ୍ୟ ବିଶିଷ୍ଟ ଭାଷାତତ୍ତ୍ୱବିଦ୍‌ମାନେ ଅଧ୍ୟୟନ କରୁଛନ୍ତି ।

 

ଆମେରିକୀୟ ବିଦ୍ୱାନଙ୍କ ମତରେ ‘କଥାସରିତ ସାଗର’ ହେଉଛି ପୃଥିବୀର ବୃହତ୍ତମ ଉପନ୍ୟାସ ଏବଂ ମହାଭାରତ ବୃହତ୍ତମ କାବ୍ୟ, ଯାହାକି ‘ଇଲିଆଡ଼୍’ ଓ ‘ଓଡ଼େଶୀ’ର ସାତଗୁଣ ବଡ଼-। ଇଲିଅଟଙ୍କ ଅନୁସାରେ ‘ଗୀତା’ ହେଉଛି ଦାନ୍ତେଙ୍କ ‘ଡିଭାଇନ କମେଡ଼ି’ ପରେ ସର୍ବ ବୃହତ ଧାର୍ମିକ

 

A. L. Basham, The Wonder that was India, Sidgwick and Jackson 1954, p-483

 

କବିତା । ଅନ୍ୟ ଅନେକ ବିଦ୍ୱାନମାନଙ୍କ ମତରେ ମଧ୍ୟ ‘ଗୀତା’ ବିଶ୍ୱ ସାହିତ୍ୟର ଏକ ଉଚ୍ଚଭାବ ସମ୍ପନ୍ନ ମହାନ ଦାର୍ଶନିକ ଗ୍ରନ୍ଥ । ଏହା ବିଶ୍ଵର ଗଭୀର ଚିନ୍ତାଚେତନା ପ୍ରକାଶ କରୁଥିବା ମହାନ ଗ୍ରନ୍ଥ । ଏହା ବିଶ୍ୱର ପ୍ରାୟ ସବୁଭାଷାରେ ଗୃହୀତ । ଇଲିଅଟଙ୍କ ଡ୍ରାଏସେଲଭେଜେସ୍‌ରେ ଗୀତା ବର୍ଣ୍ଣିତ ‘କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ.. ର ପ୍ରଭାବ ଦେଖିବାକୁ ମିଳେ । ଯଥା – “Do not think the fruit of action”. (୪)

 

ସର୍ବୋପରି ଗୀତା ବର୍ଣ୍ଣିତ ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶକୁ ଇଲିଅଟ ତାଙ୍କ ‘ଫୋର କ୍ୱାଟେଟସରେ’ ସାରମର୍ମ ଭାବରେ ଲେଖି ଯାଇଛନ୍ତି । ଯୁଦ୍ଧ ବିଧ୍ୱସ୍ତ ପୃଥିବୀକୁ ସୃଜନଶୀଳ କରିବା ପାଇଁ ଶାନ୍ତି ମନ୍ତ୍ର ଏକାନ୍ତ ଆବଶ୍ୟକ ବୋଲି ତାଙ୍କ ‘ୱେଷ୍ଟଲ୍ୟାଣ୍ଡ’ରେ ଇଲିଅଟ ଅନୁଭବ କରିଛନ୍ତି । ଭାରତୀୟ ସାହିତ୍ୟ କ୍ଷେତ୍ରରେ ରସଧ୍ୱନିର ଆବିଷ୍କାର ଭାରତର ସର୍ବଶ୍ରେଷ୍ଠ ଅବଦାନ ।

 

ମହତ ଓ ଚିର ନୂତନତା ବହନ କରୁଥିବା ଭରତୀୟ ଚିନ୍ତାଧାରା ଓ ସଭ୍ୟତା ଅତି ପ୍ରାଚୀନ-। ଏହା ପାଶ୍ଚାତ୍ୟ ସଭ୍ୟତାକୁ ବହୁଦିନରୁ ପ୍ରଭାବିତ କରିଆସୁଛି । ଏହା ପ୍ରାଚୀନ ଭାରତରେ ଆବିଷ୍କୃତ ହୋଇଥିଲେ ହେଁ ଆଜି ଆଶ୍ଚର୍ଯ୍ୟ ହୋଇରହିଯାଇଛି କେବଳ । ତେବେ ଆଜି ଯାହା ପ୍ରାୟ ପରିବର୍ତ୍ତନ ଘଟିଛି ତାହା ଭାରତୀୟ ଚେତନାର ପ୍ରଭାବ ସଂପାତ । ସି.ଇ.ଏମ ଜୋଏଡ଼ଙ୍କ ମତରେ, “The latest novelities of the 20th century turn casually as it were and as matters taken for granted. The discovery cannot fail to sober, let alone humiliate, the so called progressivists in western thought today” [୫]

 

ମହାକବି ମିଲଟନ, ସେକସପିଅର, ସ୍ପେନସରଙ୍କର କୃତିଗୁଡ଼ିକରେ ଭାରତୀୟ ଚିତ୍ର ବର୍ଣ୍ଣନା ରହିଛି । ଭାରତୀୟଙ୍କ ପରି ୱାଡ଼ସୱାର୍ଥଙ୍କ ସାହିତ୍ୟରେ ସର୍ବେଶ୍ୱରବାଦର ବର୍ଣ୍ଣନା ରହିଛି । ଶେଲୀଙ୍କ ମହାନସୃଷ୍ଟି ‘ଏଡ଼ୋନିସ’ ଭାରତୀୟ ଚେତନା ଉପରେ ଆଧାରିତ । ଟମମୋରଙ୍କ ‘ହାହାରୋଖ’ ଏବଂ ସାଉଥିଙ୍କ ‘ଦି କୋର୍ସ ଅଫ କେହେମା’ ଭାରତୀୟ କିମ୍ବଦନ୍ତୀ ଉପରେ ଆଧାରିତ । ସାଉଥି, ପ୍ରଥମ ଇଂରେଜ ଲେଖକ ଯିଏକି ଭାରତୀୟ ‘ଅମୃତ’ ଶବ୍ଦକୁ ତାଙ୍କ ସାହିତ୍ୟରେ ସ୍ଥାନ ଦେଇଛନ୍ତି, ତଥା ଭାରତୀୟ ‘ଗନ୍ଧର୍ବ’ ଶବ୍ଦକୁ ଉଲ୍ଲେଖ କରିଛନ୍ତି । ସାଉଥିଙ୍କ ପରି କଲ୍‌ରିଜ ମଧ୍ୟ ତାଙ୍କ ଲିଖିତ କୁବଲା ଖାଁ ଏବଂ ଶେଲୀଙ୍କ ‘ଏଲାଷ୍ଟର’ରେ ଭାରତର ପ୍ରାକୃତିକ ଚିତ୍ର ବର୍ଣ୍ଣନା ଅତି ପ୍ରାଞ୍ଜଳ ଭାବରେ ରହିଛି । ଭାରତ ଭୂଇଁକୁ ମଧୁ ଏବଂ ଦୁଗ୍‌ଧପୂର୍ଣ୍ଣ ଭୂସ୍ୱର୍ଗ ବୋଲି ସେମାନେ ବିବେଚନା କରିଛନ୍ତି ।

 

କୀଟସ ବିଶେଷ ଭାବରେ କାଳିଦାସଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ବାଇରନଙ୍କ ସୃଷ୍ଟିରେ ମଧ୍ୟ ଭାରତର ଚିତ୍ର ଦେଖିବାକୁ ମିଳେ । ସାର ୱାଲ୍‌ଟର ସ୍କଟ ତାଙ୍କ ‘ସର୍ଜନସ୍ ଡଟର’ରେ ପ୍ରାଞ୍ଜଳ ଭାବେ ଭାରତୀୟ ଜୀବନଯାପନକୁ ବର୍ଣ୍ଣନା କରିଛନ୍ତି । କବି ୟିଟସ୍ ବିଶ୍ଵ କବି ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳି (ବିଶ୍ଵକବିଙ୍କ ସ୍ଵ ଅନୁଦିତ ଇଂରାଜୀ ଗଦ୍ୟଗ୍ରନ୍ଥ)ର ସୁନ୍ଦର ମୁଖବନ୍ଧ ଲେଖିଛନ୍ତି । ଏହାରି ଭିତରୁ ବିଶ୍ଵକବିଙ୍କ ପ୍ରତି ଥିବା କବି ୟିଟସଙ୍କ ଶ୍ରଦ୍ଧା ଓ କୃତଜ୍ଞତାର ଭାଷା ସ୍ୱତଃ ଜଣାପଡ଼େ । ଜଣେ କବି ଆଉ ଜଣେ କବିଙ୍କ ସହ ଏକାତ୍ମ ହୋଇଯିବାର କି ଚମତ୍କାର ଦୃଷ୍ଟାନ୍ତ ଏହା । ବିଶ୍ୱ କବିଙ୍କ ସାହିତ୍ୟ ପ୍ରତି

 

T.S. Eliot, Dry Salvages. Four Quarterts Faber, London 1959, p-161

୫.

C.E.M. Joad. The story of Indian Civilization, Macmillan 1936, p-56.

 

ୟିଟସଙ୍କ ହୃଦୟର ଭାଷାକୁ ଏଠାରେ ଉଲ୍ଲେଖ କରାଯାଇ ପାରେ, “ରବୀନ୍ଦ୍ରନାଥ ଠାକୁରଙ୍କ ଏଇ ଗଦ୍ୟ ଅନୁବାଦ ମୋ ରକ୍ତକୁ ବର୍ଷ ବର୍ଷ ଧରି ଆନ୍ଦୋଳିତ କରିଛି, ଯାହାକି ଅନ୍ୟ କେହି କରିପାରି ନାହିଁ ।” [୬]

 

ସେ ପୁଣି ଲେଖିଛନ୍ତି, “ଆମେ ଦୀର୍ଘ ପୁସ୍ତକମାନ ଲେଖିଥାଉ ଯେଉଥିରେ କି ସମ୍ଭବତଃ ଲେଖାକୁ ଆନନ୍ଦଦାୟକ କଲାଭଳି ଗୋଟିଏ ହେଲେ ପୃଷ୍ଠା ନଥାଏ । ଠିକ୍ ଯୁଦ୍ଧ କଲା ଭଳି ଆମେ ସାଧାରଣ କଳ୍ପନାରେ ଆସ୍ଥା ରଖି ଲେଖୁ, ଅର୍ଥର ଅର୍ଥ କରୁ- କିନ୍ତୁ ଭାରତୀୟ ସଭ୍ୟତାର ନିଜସ୍ଵତା ପରି ରବୀନ୍ଦ୍ରନାଥ ଆତ୍ମାକୁ ଆବିଷ୍କାର କରି ତାଙ୍କ ନିଜକୁ ସ୍ୱତଃସ୍ଫୁର୍ତ୍ତରେ ସମର୍ପଣ କରିବାରେ ସନ୍ତୁଷ୍ଟ ରହିଛନ୍ତି ।” [୭]

 

ଏଜରା ପାଉଣ୍ଡଙ୍କ ପରି ପାଶ୍ଚାତ୍ୟ ଜଗତରେ ‘ଗୀତାଞ୍ଜଳି’ ଓ ରବୀନ୍ଦ୍ରନାଥଙ୍କ ପ୍ରଧାନ ପୃଷ୍ଠପୋଷକ ବା ସମର୍ଥକ ଥିଲେ କବି ୟିଟସ । ରବିନ୍ଦ୍ରନାଥ ପୁଣି ‘ଗୀତାଞ୍ଜଳି’ର ଅନୁବାଦ ପ୍ରସ୍ତୁତ କରିଥିଲେ ଇଂରେଜ ମହାତ୍ମା ଆଣ୍ଡ୍ରୁଜଙ୍କ ଅଶେଷ ପ୍ରେରଣାରୁ । ୱିଲକିନସ ‘ଗୀତା’କୁ ଇଂରାଜୀରେ ଅନୁବାଦ କରିଛନ୍ତି । ୧୭୯୩ ମସିହାରେ ମହାଭାରତର ଶକୁନ୍ତଳା ଉପାଖ୍ୟାନ ସମ୍ପର୍କରେ ଏକ ଆଲୋଚନା ପ୍ରସ୍ତୁତ କରିଛନ୍ତି । ଟେନିସନ ଜୟଦେବଙ୍କ ‘ଗୀତଗୋବିନ୍ଦ’ ଓ ‘ଆରନୋଲଡ଼’ ‘ଗୀତା’ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । ଆର୍‌ନୋଲ୍‌ଡ଼୍‌ଙ୍କ ‘ଦି ଲାଇଟ ଅଫ ଏସିଆ’, କିପଲିଙ୍ଗଙ୍କ ‘ଦି ଜଙ୍ଗଲ ବୁକ’, ଦି ବ୍ରିଜବିଲଡ଼ର ହକ୍ସଲେଙ୍କ ‘ପେରିନିଏଲ ଫିଲୋସଫି’, ଫୋଷ୍ଟରଙ୍କ ‘ପାନ’ ଏବଂ ‘ଦି ହାଇମନ ବିଫୋର ଏକ୍ସନ’ ପ୍ରଭୃତି ଭାରତପ୍ରିୟ ପାଠକମାନଙ୍କୁ ଅତିମାତ୍ରାରେ ଆକୃଷ୍ଟ କରିଛି । ଜି. ଡବ୍ଲ୍ୟୁ. ରସେଲଙ୍କ ‘କ୍ରିଷ୍ଣା’, ଇ.ଜି. ହୋମସଙ୍କ ‘ନିର୍ବାଣ', ଇମରସନଙ୍କ ‘ବ୍ରହ୍ମ’, ଲୋୱେଲଙ୍କ ‘ମାମୁଦ’, ହୁଇଟରଙ୍କ ‘ଦି ବ୍ରିଙ୍ଗ ଅପ୍ ଦି ସୋମା’, ମେରେଡ଼ିଥଙ୍କ ‘ଚଲିଆନୱାଲା’ ଏବଂ ଟେନିସନଙ୍କ ‘ଡିଫେନସ ଅଫ୍ ଲକ୍ଷ୍ନୌ’ ପ୍ରଭୃତି ଭାରତୀୟତାର ପରିଚୟ ବହନ କରିଛି ।

 

ଜାତକ, ପଞ୍ଚତନ୍ତ୍ର ଓ ହିତୋପଦେଶ ବହୁ ୟୁରୋପୀୟ ଭାଷାକୁ ଅନୁଦିତ ହେବା ଯୋଗୁଁ ଏହି ସବୁ ଭାରତୀୟ ଗ୍ରନ୍ଥର ଭାବଭାବନା ପାଶ୍ଚାତ୍ୟ କବି ଲେଖକଙ୍କୁ ପ୍ରଭାବିତ କରିଛି । ସେରଙ୍କ ‘ପାରଡ଼ୋନରସଟେଲ୍’ ଭାରତୀୟ ଜାତକ ଗଳ୍ପଦ୍ଵାରା ବିଶେଷ ଭାବରେ ପ୍ରଭାବିତ । ପ୍ରାଚୀନ ଓ ମଧ୍ୟଯୁଗୀୟ ସଂସ୍କୃତ ଗ୍ରନ୍ଥ ସମୂହ ଯାହା କାବ୍ୟତତ୍ତ୍ୱ, ଦର୍ଶନ, ସୌନ୍ଦର୍ଯ୍ୟତତ୍ତ୍ୱ, ଅଳଙ୍କାର ଶାସ୍ତ୍ର ଏପରିକି କାମଶାସ୍ତ୍ର ବିଷୟକ, ତାହା ୟୁରୋପର ବହୁଭାଷାକୁ ଅନୁଦିତ ହେବା ଫଳରେ ୟୁରୋପୀୟମାନେ ପ୍ରାଚ୍ୟବିଦ୍ୟା ଅନୁଶୀଳନ କରିବାକୁ ଯେଥେଷ୍ଟ ସୁଯୋଗ ଲାଭ କରିଛନ୍ତି । ପୁଣି ଇଂରାଜୀ ଆନ୍ତର୍ଜାତିକ ଭାଷା ହୋଇଥିବାରୁ ଅନ୍ୟ ଭାଷା ଭାଷୀ ସାହିତ୍ୟିକ ଓ ପଣ୍ଡିତମାନେ ଇଂରାଜୀ ଜରିଆରେ ଭାରତୀୟ ଗ୍ରନ୍ଥସମୂହକୁ ପାଠ କରିବାର ସୁଯୋଗ ଲାଭ କରିପାରିଛନ୍ତି ।

 

ଡିରାଜିଓଙ୍କ ପରି ଜଣେ ଅଣଭାରତୀୟ ପୁଣି ଯେତେ ଅଧିକ ପରିମାଣରେ ଭାରତୀୟ ପ୍ରାଣ ହୋଇପାରିଛନ୍ତି, ତାହା ଏ ପ୍ରସଙ୍ଗରେ ଏକାନ୍ତ ଉଲ୍ଲେଖଯୋଗ୍ୟ । ଡିରାଜିଓଙ୍କ ପରି ଶତାଧିକ ୟୁରୋପୀୟଙ୍କ ନାମୋଲ୍ଲେଖ କରାଯାଇପାରେ ଯେଉଁମାନେ ଭାରତରେ ଅବସ୍ଥାନକରି ଭାରତୀୟ

 

ରବୀନ୍ଦ୍ରନାଥ ଠାକୁର, ଗୀତାଞ୍ଜଳି, ଅନୁ-ଜଗନ୍ନାଥ ପାତ୍ର ଓଡ଼ିଶା ବୁକ୍ ଷ୍ଟୋର, କଟକ, ୧୯୯୬, ପୃ-କ ।

୭.

ତତ୍ରୈବ, ପୃ-ଟ-o।

 

ବିଦ୍ୟାଦ୍ୱାରା ପ୍ରଭାବିତ ହୋଇ ବହୁ ପୁସ୍ତକ ରଚନା କରିଛନ୍ତି । ଏପରିକି ଲରେନସ୍, ଓସ୍କାରୱାଇଲଡ୍, ହୁଇଟମ୍ୟାନ୍, ପାଉଣ୍ଡ, ମେଲଭିଲ ଓ ହେମିଙ୍ଗୱେଙ୍କ ପରି ଲେଖକଙ୍କ ଲେଖାରେ ଭାରତୀୟ ପ୍ରସଙ୍ଗ ସ୍ଥାନିତ । ଆମେରିକା ଅଧିବାସୀ ହେନେରୀ ମିଲର ତାଙ୍କ ‘ଟ୍ରପିକ ଅପ୍ କ୍ୟାନସର୍’ ଉପନ୍ୟାସରେ ଭାରତୀୟ ଧର୍ମ, ସମାଜ, ସଂସ୍କୃତି ଓ ଭାରତୀୟ ଚାଲିଚଳଣୀ ସମ୍ପର୍କରେ ଅନେକ ଇଙ୍ଗିତ ପ୍ରଦାନ କରିଛନ୍ତି । ମିଲର ଭାରତୀୟଙ୍କ ଯୌନଜୀବନ ସମ୍ପର୍କରେ ମଧ୍ୟ କିଛି ମତ ଓ ମନ୍ତବ୍ୟ ଉପସ୍ଥାପନ କରିଛନ୍ତି । ଫରାସୀ ନୋବେଲ ବିଜେତା ରୋମାଁରୋଲାଁ ରାମକୃଷ୍ଣ, ବିବେକାନନ୍ଦ, ଗାନ୍ଧୀ ପ୍ରମୁଖ କେତେଜଣ ଭାରତୀୟ ମହାପୁରୁଷଙ୍କ ଉଚ୍ଚମାନର ଜୀବନୀ ଲେଖିଛନ୍ତି-

 

ଡେନମାର୍କର କାର୍ଲଗ୍ୟେଲରପ, ଇଂଲଣ୍ଡର ରୁଡ଼ିୟାର୍ଡ କିପଲିଙ୍ଗ, ଜର୍ମାନୀର ହେରମାନ ହେସ- ଏହି ତିନିଜଣ ମହାନ ସ୍ରଷ୍ଟା ଭାରତବର୍ଷକୁ କେନ୍ଦ୍ରକରି ଅମୂଲ୍ୟ ଗ୍ରନ୍ଥ ରଚନା କରିଛନ୍ତି । ଭାରତକୁ କେନ୍ଦ୍ର କରି ରଚିତ ତାଙ୍କ ପୁସ୍ତକଗୁଡ଼ିକ ଯଥାକ୍ରମେ-ପିଲିଗ୍ରୀମ କାମନୀତ, କିମ୍ ଓ ସିଦ୍ଧାର୍ଥ ସର୍ବଶ୍ରେଷ୍ଠ ନୋବେଲ ପୁରସ୍କାର ପାଇବାର ସୌଭାଗ୍ୟ ଲାଭ କରିଛି ।

 

ଗ୍ୟେଲରପ ପାଲି ଧର୍ମଗ୍ରନ୍ଥ ମଜଝିମନିକାୟ, ଦଣ୍ଡୀଙ୍କ ଦଶକୁମାର ଚରିତ, ଆର୍. ସ୍ମିଥଙ୍କ ‘ବେଟ୍ରେଜ କୁର ଇନଡ଼ିସଚେନ ଏରୋଟିକ୍’ (ଭାରତୀୟ କାମକଳା), କାର୍ଲ ଇଗେନ ନ୍ୟୁମେନଙ୍କ ଅନୁବାଦ ଗ୍ରନ୍ଥ ଡାଇରିଡ଼େନ ବୁଦ୍ଧୋସ (ବୁଦ୍ଧପ୍ରବଚନ), ବୈଦାନ୍ତିକ ଗ୍ରନ୍ଥ ବ୍ରହ୍ମସୂତ୍ରର ଅବିକଳ ନକଲରୁ ଆଣି ଯାତ୍ରୀ କାମନୀତକୁ ପରିପୁଷ୍ଟ କରିଛନ୍ତି । ‘ଯାତ୍ରୀକାମନୀତ’ର ଦଶମ ପରିଚ୍ଛେଦରେ ବେଦ ଓ ଗୀତାରୁ ଈଶ୍ଵରଙ୍କ ଅସ୍ତିତ୍ୱ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

 

ଗ୍ୟେଲରପ ବୁଦ୍ଧଧର୍ମର ମର୍ମକୁ ବିଶ୍ଵରେ ସର୍ବଦା ଜୀବନ୍ତ ରଖିବାର ପ୍ରୟାସ କରିଛନ୍ତି । ସେ ‘ଧର୍ମ୍ମପଦ’ର ଅନୁବାଦକ ଡାକ୍ତର କାର୍ଲ ନୟମାନଙ୍କ ବକ୍ତବ୍ୟକୁ ଉଦ୍ଧାର କରି କହିଛନ୍ତି, “ବୁଦ୍ଧ ପ୍ରକୃତରେ କିଏ ଥିଲେ ଏବଂ ସେ ଜଗତକୁ କ’ଣ ସବୁ ଶିକ୍ଷା ଦେଇଥିଲେ, ଗତ କେତେ ଦଶକର ବା କେତେବର୍ଷର ଗବେଷଣା ଫଳରେ ବର୍ତ୍ତମାନ ଆଉ ସେହି ବିଷୟରେ କୌଣସି ସଂଶୟ ବା କୌଣସି ଅସ୍ପଷ୍ଟତା ନାହିଁ; ମାତ୍ର ବୌଦ୍ଧଧର୍ମର କାବ୍ୟ ଭଣ୍ଡାର ଏବଂ ଏହାର ଗଭୀରତମ ମର୍ମ ଆମ ଆଗରେ ତଥାପି ଜଉମୁଦ ଦିଆହୋଇ ରହିଥିବା ଏକ ଅପଠିତ ଗ୍ରନ୍ଥ ପରି ରହିଛି । ଯେତିକି ଆମେ ଏହି ଧର୍ମର ହୃଦୟରେ ପ୍ରବେଶ କରିବାକୁ ସମର୍ଥ ହେଉଥିବା, ଏହି ଜଉମୁଦ ସେତିକି ସେତିକି ଖୋଲିଯାଉଥିବ । ପଣ୍ଡିତମାନଙ୍କର ଅନୁସନ୍ଧାନ କାର୍ଯ୍ୟ ଶେଷ ହେବାପରେ ବର୍ତ୍ତମାନ କାବ୍ୟାନୁରାଗୀ କବି ତାହାର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ତା’ପାଇଁ ପ୍ରାଚୀନ ପାଲିଗ୍ରନ୍ଥମାନ ଅପେକ୍ଷା କରି ରହିଛନ୍ତି । ଏହି ଗ୍ରନ୍ଥଗୁଡ଼ିକ ଭିତରେ ପ୍ରବେଶ କରିବା ପରେ ଯାଇ ବୁଦ୍ଧ ପ୍ରଚାରିତ ଧର୍ମ ଆମ ଲାଗି ଜୀବନ୍ତ ହୋଇ ଜାଗି ଉଠି ପାରିବ ।”(୮)

 

‘ସିଦ୍ଧାର୍ଥ’ରେ ମଧ୍ୟ ହେରମାନ ହେସ ବୁଦ୍ଧଙ୍କୁ ନେଇ ଗ୍ରନ୍ଥ ରଚନା କରିଛନ୍ତି । ବେଦ, ଉପନିଷଦ ପ୍ରଭୃତି ଭାରତୀୟ ବିଦ୍ୟାରେ ତାଙ୍କର ଗଭୀର ଜ୍ଞାନ ରହିଥିଲା । ହେସଙ୍କ ପିତା ଓ ମାତାମହ ଉଭୟେ ବେସେଲ ଇଭ୍ୟାଞ୍ଜେଲିକ୍ୟାଲ ମିଶନର ଭାରତୀୟ କେନ୍ଦ୍ରର ପାଦ୍ରି ଥିବାରୁ ଓ ହେସଙ୍କ ମାଆ ଭାରତରେ ଜନ୍ମଗ୍ରହଣ କରିଥିବା କାରଣରୁ ହେସ ବାଲ୍ୟକାଳରୁ ଭାରତୀୟ ଇତିହାସ ଓ ଦର୍ଶନ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇପାରିଥିଲେ ।

 

ଚାର୍ଲ ଗ୍ୟେଲରପ୍, ଯାତ୍ରୀ କାମନୀତ, ଅନୁ-ଚିତ୍ତରଞ୍ଜନ ଦାସ, ଫ୍ରେଣ୍ଡସ୍ ପବ୍ଲିଶର୍ସ କଟକ, ୧୯୯୬, ପୃ-XII.

 

ବିଶ୍ୱବିଖ୍ୟାତ ସ୍ରଷ୍ଟାମାନଙ୍କ ମଧ୍ୟରେ ଲୁଇଫିସର, ମାର୍ଟିନବୁବୁର, ୱେର୍ନର ଜିମିରମ୍ୟାନ ପ୍ରମୁଖ ସାହିତ୍ୟ ସାଧକ ମହାତ୍ମା ଗାନ୍ଧୀଙ୍କ ବିଷୟରେ ନିଜର ଅମର ଲେଖନୀ ଚାଳନା କରିଛନ୍ତି । ଗାନ୍ଧିଜୀଙ୍କୁ ନେଇ ଲୁଇଫିସରଙ୍କ ଦୃଢ଼ଧାରଣା ହୋଇଛି ଯେ, “ଭାରତୀୟମାନେ ପାଶ୍ଚାତ୍ୟମାନଙ୍କ ଅପେକ୍ଷା ଢେର ସଚ୍ଚୋଟ । ସେମାନେ ନିଜ କଥା ଖୋଲାଖୋଲି ପ୍ରକାଶ କରନ୍ତି ଓ ଅନ୍ୟମାନଙ୍କ ଅପେକ୍ଷା ବେଶୀ ଆତ୍ମବିଶ୍ଳେଷଣ ଓ ଆତ୍ମସମାଲୋଚନା କରିଥାନ୍ତି ।” (୯)

 

ଜଣେ ମହାତ୍ମାଙ୍କୁ ନେଇ ଗୋଟିଏ ଜାତିର ସମ୍ମାନ ଯେ କେତେ ପରିମାଣରେ ବିଶ୍ୱ ଦରବାରରେ ଉପସ୍ଥାପିତ ଏହା ତା’ର ଏକ ଚରମ ନମୁନା ।

 

ଶ୍ରୀଅରବିନ୍ଦଙ୍କ ପରି ଭାରତୀୟ ମହାଯୋଗୀଙ୍କ ଦିବ୍ୟଦର୍ଶନରୁ ଫରାସୀ ମହୀୟସୀ ଶ୍ରୀମା ଉଚ୍ଚ ପ୍ରଂଶସା କରିଛନ୍ତି । ଭବିଷ୍ୟତରେ ଭାରତ ପୃଥିବୀର ଆଧ୍ୟାତ୍ମିକ ନେତୃତ୍ୱ ନେବ ବୋଲି ସେ ଘୋଷଣା କରିଛନ୍ତି । ସିନ୍ଥିଆ ବୋଲସଙ୍କ ସାରସ୍ୱତ କୃତି ‘ଇଣ୍ଡିଆ ମାଇଁ ନେଟିଭଲେଣ୍ଡ’ ନାମଟିରୁ ବୋଲସଙ୍କ ଭାରତପ୍ରୀତି ଜଣାପଡ଼େ । ଐତିହାସିକ ଟୟେନବୀ ମହାତ୍ମା ବୁଦ୍ଧ ଓ ଗାନ୍ଧୀଙ୍କୁ ଭଲପାଇଛନ୍ତି । ଜାତିପ୍ରଥାକୁ ଦୂରକରିବାରେ ଭାରତୀୟ ସ୍ୱରକୁ ବର୍ଣ୍ଣନା କରି କହିଛନ୍ତି, “ଏହି ଭାରତରେ ତ ଅଢ଼େଇ ହଜାର ବର୍ଷ ତଳେ ବୁଦ୍ଧଦେବ ଜାତିଭେଦ ପ୍ରଥାକୁ ଅସ୍ୱୀକାର କରିଥିଲେ ଏବଂ ମୋ ମତରେ ଏ ପର୍ଯ୍ୟନ୍ତ ଯେତେ ମହାନ ଭାରତୀୟ ଜନ୍ମ ହୋଇଛନ୍ତି, ବୁଦ୍ଧ ସେମାନଙ୍କ ଭିତରେ ମହତ୍ତମ ଏବଂ ଆମର ସମକାଳୀନ ଭାରତୀୟମାନଙ୍କ ମଧ୍ୟରେ ଶ୍ରେଷ୍ଠତମ ବ୍ୟକ୍ତି ହେଲେ ମହାତ୍ମା ଗାନ୍ଧୀ । ଯେତେବେଳେ ମହାତ୍ମା ଏବଂ ବୁଦ୍ଧ ଏକାସ୍ୱରରେ କଥା କହୁଛନ୍ତି, ସେତେବେଳେ ସେ ସ୍ୱରରେ ଆମେ ଭାରତର ନିଜ କଣ୍ଠସ୍ୱର ଶୁଣୁଛୁ ।”(୧୦)

 

ଅଣଭାରତୀୟ ଶିକାରୀ ଜିମ୍ କରବେଟ୍ କିନ୍ତୁ ଭାରତୀୟ ଜନଜୀବନ ସହ ଘନିଷ୍ଠ ଭାବରେ ସମ୍ପର୍କିତ । ବହୁ ସହାନୁଭୂତିଭରା ଅଭିଜ୍ଞତାରେ ପରିପୂର୍ଣ୍ଣ ହୋଇଛି ତାଙ୍କ ଜୀବନ । ଜଣେ ଶିକାରୀ ଶିକ୍ଷିତ କିମ୍ବା ଇଂରେଜ ଶାସକର ମନୋଭାବ ନେଇ କଦାପି ଭାରତୀୟଙ୍କ ମେଳରେ ଜୀବନ ବିତାଇ ନାହାନ୍ତି, ବରଂ ସେ ତାଙ୍କ ବହୁ ମୂଲ୍ୟ ଜୀବନର ଦୀର୍ଘ ସତୁରୀ ବର୍ଷ ବିତାଇଛନ୍ତି ଭାରତୀୟଙ୍କ ମେଳରେ ନିଜ ଦରଦକୁ ବାଣ୍ଟିଦେଇ ।

 

ଏସବୁରୁ ଜଣାଯାଏ ଯେ ପୃଥିବୀ ଆଜି ବିଶ୍ୱଭାତୃତ୍ୱରେ ବନ୍ଧା । ତା’ର ଜ୍ଞାନ ଜଗତ ଏକ । ସେହିପରି ଭାବ ଓ ଦର୍ଶନ ଜଗତ ମଧ୍ୟ । ସମସ୍ତେ ସମସ୍ତଙ୍କ ଦ୍ଵାରା ପ୍ରଭାବିତ ହେବା ଅତ୍ୟନ୍ତ ସ୍ଵାଭାବିକ । ପୂର୍ବଦ୍ଵାରା ପଶ୍ଚିମ, ପଶ୍ଚିମ ଦ୍ଵାରା ପୂର୍ବ ସବୁବେଳେ ହିଁ ପ୍ରଭାବିତ ହୋଇଆସିଛି । ଏହି କେତେ ଦଶନ୍ଧି ଧରି ପାଶ୍ଚାତ୍ୟ ପ୍ରଭାବ ଭାରତର କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ସହିତ ଜ୍ଞାନବିଜ୍ଞାନକୁ ମଧ୍ୟ

 

ଲୁଇ ଫିସର, ଗାନ୍ଧୀଜୀଙ୍କ ସହିତ ଏକ ସପ୍ତାହ, ଅନୁ-ଗୋଲକ ବିହାରୀ ଧଳ, ସୁଧା ପ୍ରକାଶନ, କଟକ- ୧୯୯୯, ପୃ-୬୫ ।

୧୦.

ଆରନୋଲଡ଼ ଟୟେନବୀ, ଏକ ବିଶ୍ୱ ଓ ଭାରତ, ଅନୁ-ଡଃ ରାଧାନାଥ ରଥ, ଗ୍ରନ୍ଥମନ୍ଦିର, କଟକ, ୧୯୭୦, ପୃ-୬୨-୬୩ ।

 

ନାନାଭାବରେ ପ୍ରଭାବିତ କରିଛି । ଏହି ପ୍ରଭାବକୁ ଆମେ ମଧ୍ୟ ବିଭିନ୍ନ ଦୃଷ୍ଟିରୁ କଳନା କରୁଛୁ । ମାତ୍ର ପ୍ରାଚ୍ୟ ପ୍ରଭାବ କେଉଁ ଭାବରେ ପାଶ୍ଚାତ୍ୟ କଳା ଓ ଜୀବନବୋଧକୁ ପୁଷ୍ଟ ଓ ପ୍ରଭାବିତ କରିଛି, ତାହା ଅନୁରୂପଭାବେ ଅନୁଶୀଳିତ ହୋଇପାରିନାହିଁ, ବିଶେଷ କରି ଓଡ଼ିଶାରେ । କିନ୍ତୁ ଏହା ସତ୍ୟ ଯେ ପାଶ୍ଚାତ୍ୟର ବହୁ ମନୀଷୀ ପ୍ରାଚ୍ୟ ସାହିତ୍ୟ ଓ ଦର୍ଶନ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେହି ପ୍ରଭାବର ସ୍ୱରୂପ ବହୁ ପ୍ରସ୍ଥ ଯୁକ୍ତ ।

 

ପ୍ରାଚ୍ୟ ବିଦ୍ୟା କହିଲେ ତାହାର ଦର୍ଶନ, ପୁରାଣ, ତା’ର ଆଧ୍ୟାତ୍ମିକ ଜ୍ଞାନ, ନୀତିଶାସ୍ତ୍ର ଓ ବିପୁଳ ରସ ସାହିତ୍ୟ, ତା’ ସହିତ ତନ୍ତ୍ର, ମନ୍ତ୍ର, ସମ୍ମୋହନ, ଉଚ୍ଚାଟନ, ବଶୀକରଣ ବିଦ୍ୟା ଆଦିକୁ ବୁଝାଏ । ଏସବୁ ପ୍ରତି ବହୁ ପାଶ୍ଚାତ୍ୟ ପଣ୍ଡିତ ବିଭିନ୍ନ ଦୃଷ୍ଟିରୁ ଆକୃଷ୍ଟ ହୋଇଛନ୍ତି, ଯାହା ସେମାନଙ୍କ ରଚନାରେ ଅଭିଲିପିତ । ପୁଣି ପ୍ରାଚ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବା କାରଣରୁ ଜଣେ ପାଶ୍ଚାତ୍ୟ ସ୍ରଷ୍ଟା ଓ ଗବେଷକ କେତେ ଅଧିକ ଭାରତୀୟ ପ୍ରାଣ ହୋଇପଡ଼ିଛନ୍ତି, ତାହା ଏକାନ୍ତ ଉଲ୍ଲେଖଯୋଗ୍ୟ ।

 

ଆମେ ଯେତେବେଳେ ପାଶ୍ଚାତ୍ୟ ପ୍ରଭାବକୁ ଗ୍ରହଣ କରୁଛୁ, ତାହା ବେଶୀ ପରିମାଣରେ ବୈଷୟିକ ଓ ବାହ୍ୟିକ । ସତରେ ଜୀବନକୁ ଆବେଦନମୟ କରିଦେବାର ଚେତନାଗତ ଇନ୍ଧନ ପ୍ରାୟ ଆମେ ତାଙ୍କଠାରୁ ଗ୍ରହଣ କରିପାରିନାହୁଁ । ବୈଷୟିକ ଜ୍ଞାନ କୌଶଳର ପ୍ରଭାବରେ ନିଜ ଜୀବନକୁ ବେଶୀ ବେଶୀ ଅସଜଡ଼ା କରିଦେଉଛୁ ଓ ନିଜର ସୃଜନଶୀଳତାକୁ ଲୋପକରିଦେବାରେ ସାହାଯ୍ୟ କରୁଛୁ ବାରମ୍ବାର । ଏପରି ସ୍ଥଳେ ପାଶ୍ଚାତ୍ୟସ୍ରଷ୍ଟାଗଣ ଆମର ପ୍ରେରଣାର ଉତ୍ସ ହୋଇପଡ଼ିଛନ୍ତି । ସେମାନେ ଯେପରି ଏକ ଆତ୍ମିକ ପ୍ରଭାବରେ ନିଜକୁ ହଜେଇ ଦେଇଛନ୍ତି ଆମେ ମଧ୍ୟ ସେମିତି ତାଙ୍କ ପାଖରୁ ଗ୍ରହଣ କରିନେବା ଉଚିତ । ଖୁସିର କଥା ଯେ ଗତ ଦଶନ୍ଧି ଧରି ପାଶ୍ଚାତ୍ୟ ସାହିତ୍ୟ ଆଲୋଚନାର ଉତ୍ସୁକତା ବେଶୀ ପରିମାଣରେ ଓଡ଼ିଆ ସାହିତ୍ୟିକଙ୍କ ମଧ୍ୟରେ ଦେଖାଦେଇଛି । ତେବେ ଓଡ଼ିଆ ସାହିତ୍ୟରେ ପାଶ୍ଚାତ୍ୟ ପ୍ରଭାବ ଆଲୋଚନା କଲାବେଳେ ସାହିତ୍ୟର ସୂକ୍ଷ୍ମ ସୌନ୍ଦର୍ଯ୍ୟ ଅନ୍ୱେଷଣ ଅଧିକ ଫଳ ପ୍ରସୂ ହୋଇପାରିନାହିଁ ।

 

ଅବଶ୍ୟ ଓଡ଼ିଆ ସାହିତ୍ୟରେ ଆଜି ଚିତ୍ତରଞ୍ଜନ ଦାସ, ଶରତ ମହାନ୍ତି, ସୀତାକାନ୍ତ ମହାପାତ୍ର, ଦୀପକ ମିଶ୍ର, ଆଦିକନ୍ଦ ସାହୁ ପ୍ରମୁଖ ସାହିତ୍ୟର ଅନ୍ତରୀଣ ଚେତନା ବଳୟକୁ ଆଲୋଚନା କରିବାରେ ସଫଳ ହୋଇଛନ୍ତି । ଏହା ଓଡ଼ିଆ ସାହିତ୍ୟକୁ ଚେତନାପୁଷ୍ଟ କରିବାରେ ନୂତନ ଆଲୋକ ସଦୃଶ । ପାଶ୍ଚାତ୍ୟ ସ୍ରଷ୍ଟାର ପ୍ରାଚ୍ୟବିଦ୍ୟାପ୍ରୀତି ବିଷୟରେ ଆଲୋଚନା ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ପ୍ରାଚ୍ୟର ସାହିତ୍ୟ, ସଂସ୍କୃତି, ଧର୍ମଧାରଣା କେବଳ ପୂର୍ବମଣ୍ଡଳରେ ସୀମିତ ହୋଇନାହିଁ । ତାହା ପାଶ୍ଚାତ୍ୟବାସୀଙ୍କୁ ପ୍ରବୋଧିତ କରିଛି ନାନାଭାବରେ, ଯାହାର ଅସଂଖ୍ୟ ଦୃଷ୍ଟାନ୍ତ ହେଉଛି ସେମାନଙ୍କର ପ୍ରାଚ୍ୟବିଦ୍ୟା ସମ୍ବଳିତ ରଚନାବଳୀ ।

 

ସହାୟକ ଗ୍ରନ୍ଥସୂଚୀ

ଓଡ଼ିଆ

କାର୍‌ବେଟ୍, ଜିମ୍, ମୋର ଭାରତ, ଅନୁ-ଡଃ ପ୍ରଫୁଲ୍ଲ କୁମାର କର, ଗ୍ରନ୍ଥମନ୍ଦିର, କଟକ, ୧୯୮୦ ।

ଗ୍ୟେଲରପ, କାର୍ଲ, ଯାତ୍ରୀକାମନୀତ, ଅନୁ-ଚିତ୍ତରଞ୍ଜନ ଦାସ, ଫ୍ରେଣ୍ଡସ ପବ୍ଲିଶର୍ସ, କଟକ, ୧୯୯୬ ।

ଘୋଷ, ଶ୍ରୀ ଅରବିନ୍ଦ, ଭାରତୀୟ ସଂସ୍କୃତିର ଆଧାର, ଅନୁ-ଶ୍ରୀ ଲଳିତ ମୋହନ ଘୋଷ, ନବଜ୍ୟୋତି କାର୍ଯ୍ୟାଳୟ, ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ, ୧୯୭୫ ।

ଟୟେନବୀ, ଆରନୋଲଡ଼୍, ଏକବିଶ୍ୱ ଓ ଭାରତ, ଅନୁ-ଡଃ ରାଧାନାଥ ରଥ, ଗ୍ରନ୍ଥମନ୍ଦିର, କଟକ, ୧୯୭୦ ।

ଠାକୁର, ରବୀନ୍ଦ୍ରନାଥ, ଗୀତାଞ୍ଚଳି, ରୂପାନ୍ତର-ଜଗନ୍ନାଥ ପାତ୍ର, ଓଡ଼ିଶା ବୁକ୍ ଷ୍ଟୋର, କଟକ, ୧୯୯୬ ।

ଦାସ, ଦାସରଥି, ସାହିତ୍ୟବିବେକ, ଅଗ୍ରଦୂତ, କଟକ, ୧୯୯୬ ।

ଫିସର, ଲୁଇ, ଗାନ୍ଧିଜୀଙ୍କ ସହ ଏକ ସପ୍ତାହ, ଅନୁ-ଗୋଲୋକ ବିହାରୀ ଧଳ, ସୁଧା ପ୍ରକାଶନ, କଟକ, ୧୯୯୯ ।

ବୋଲସ, ସିନ୍ଥିଆ, ଭାରତ ମୋର ଘର, ଅନୁ-ଗୋଲକ ବିହାରୀ ଧଳ,କଟକ ଟ୍ରେଡିଂ କମ୍ପାନୀ, କଟକ ।

ମିଶ୍ର, ଦୀପକ, କବି କବିତା ଓ ତା’ର ପୃଷ୍ଠଭୂମି, ବିଦ୍ୟାପୁରୀ, କଟକ, ୧୯୯୧ ।

୧୦

ମହାନ୍ତି, ଶରତକୁମାର, ଅସ୍ତିତ୍ଵବାଦର ମର୍ମକଥା, ଅଗ୍ରଦୂତ, କଟକ, ୧୯୯୨ ।

୧୧

ହେସ, ହେରମାନ, ସିଦ୍ଧାର୍ଥ, ଅନୁ-ସୁଭଦ୍ରାନନ୍ଦନ, ଫ୍ରେଣ୍ଡର୍ସ ପବ୍ଲିଶର୍ସ, କଟକ, ୧୯୯୯ ।

 

ବଙ୍ଗଳା

ଲୋକେଶ୍ଵରାନନ୍ଦ, ରାମକୃଷ୍ଣ ପରମହଂସ, କେନ୍ଦ୍ର ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ, ୧୯୯୯ ।

 

ଇଂରାଜୀ

1.

Basham A.L. The wonder that was India. Rupa and Co., New Delhi-1999.

2.

Forster Edward Morgaon. A Passage to India. Surjeet Publication, Delhi.

3.

Viswanatham Prof. K., India in English Fiction. Andhra University Press, Waltair, 1971.

 

ପତ୍ରପତ୍ରିକା

ଦାସ, ଶ୍ରୀନବକିଶୋର, କବି ୟିଟସ୍‌ଙ୍କ ସ୍ମୃତିତର୍ପଣ, ନବଭାରତ, ସଂ. ନୀଳକଣ୍ଠ ଦାସ, ୫ମ ବର୍ଷ, ସପ୍ତମ ସଂଖ୍ୟା, ୧୯୫୦-୫୧ ।

 

 

ବି.୧୧

ଜ୍ୟୋତି ବିହାର

ବୁର୍ଲା

 

***

 

* କୁନ୍ତଳା କୁମାରୀ- ଏକ ପ୍ରେମ ଚେତନା

ବନଜ ଦେବୀ

 

ପ୍ରତ୍ୟେକ କବି ନିଜ ଅଜାଣତରେ ଜଣେ ପ୍ରେମିକ ଓ ପ୍ରତ୍ୟେକ କବିତାର ଜନ୍ମ ସଂପୃକ୍ତିରୁ ଏଇ ସଂପୃକ୍ତି ହୋଇପାରେ ଜୀବନ ଓ ଜଗତ ସହ, ମାଟି ଓ ଆକାଶ ସହ, ରହସ୍ୟମୟ ଅପହଞ୍ଚ ସୀମା ସହ ମଧ୍ୟ । ଯେଉଁଠି ସଂପୃକ୍ତି ଯେତେ ଘନ ଓ ପ୍ରଗାଢ଼ ସେଠି କବିତା ସେତେ ଶକ୍ତିଶାଳୀ ଓ ରସୋତୀର୍ଣ୍ଣ । କ୍ୱଚିତ କବି ଏହି ସଂପୃକ୍ତିକୁ ପ୍ରେମରେ ରୂପାନ୍ତରିତ କରିଥାନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟରେ କୁନ୍ତଳାକୁମାରୀ ଏପରି ଏକ ବିସ୍ମୟକର ପ୍ରତିଭାମୟୀ କବି ଥିଲେ ଯିଏ ତାଙ୍କ ସଂପୃକ୍ତିକୁ ପ୍ରେମରେ ରୂପାନ୍ତରିତ କରିଥିଲେ । ତାଙ୍କର ପ୍ରେମାନୁଭବ ବିନ୍ଦୁ ବିନ୍ଦୁ ହୋଇ ସିଦ୍ଧ ହୋଇ ଏକ ବଳିଷ୍ଠ ଚେତନାରେ ପରିଣତ ହୋଇଥିଲା ଓ ତାହାହିଁ ଥିଲା ତାଙ୍କ କାବ୍ୟ ଭୂମିର ଆଧାର ଶିଳା-। ତାଙ୍କର ଏହି ପ୍ରେମଚେତନା କାବ୍ୟ ସ୍ୱର ହୋଇ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟର ଦୁଇତଟ ଛୁଇଁ ତୀବ୍ର ପ୍ରବାହରେ ବହମାନ ଥିଲା । ଏହାର ପ୍ରତି ତରଙ୍ଗ ଥିଲା ପ୍ରେମର ଏକ ସମାହିତ ଉଚ୍ଛ୍ୱାସ । ମାନବ ପ୍ରେମରୁ ନିସୃତ ଏଇ ଭାବଧାରା ପ୍ରକୃତି ପ୍ରେମ, ଦେଶପ୍ରେମ, ଜାତିପ୍ରେମ ସର୍ବୋପରି ଈଶ୍ୱର ପ୍ରେମରେ ରୁଦ୍ଧିମନ୍ତ ହୋଇଥିଲା । ସମକାଳୀନ କୌଣସି କବିଙ୍କ ଲେଖାରେ ଏତେ ପ୍ରେମ ଦେଖାଯାଏ ନାହିଁ ।

 

କୁନ୍ତଳା କୁମାରୀ ବୃତ୍ତିରେ ଜଣେ ଚିକିତ୍ସକ ଥିଲେ ହେଁ ପ୍ରବୃତ୍ତିରେ ଥିଲେ ଜଣେ ମାନବବାଦୀ କବି । ହେଲେ ସର୍ବପ୍ରଥମେ ସେ ଥିଲେ ଜଣେ ସ୍ପର୍ଶକାତର ସ୍ନେହମୟୀ, ମମତାମୟୀ ନାରୀଟିଏ । ତାଙ୍କ ସାହିତ୍ୟର ପୃଷ୍ଠ ଭାଗରେ ଏହି ସ୍ନେହକାଙ୍ଗାଳ ନାରୀଟିକୁ ଆମେ ଦେଖିବାକୁ ପାଉ । ସେ ଜନ୍ମ ହୋଇଥିଲେ ମଧ୍ୟ ପ୍ରଦେଶର ବସ୍ତର ଜିଲ୍ଲାର ଜଗଦଳପୁରରେ । ଶୈଶବ, କାଟିଥିଲେ ବର୍ମାରେ, କୈଶୋର ଖୋର୍ଦ୍ଧାରେ, ଯୌବନ କଟକରେ ଓ ଜୀବନର ଶେଷ ବର୍ଷ ମହାନଗରୀ ଦିଲ୍ଲୀରେ । ପିତାଙ୍କର ଉପେକ୍ଷା ଓ ବିଶ୍ୱାସଘାତକତାକୁ ସାଙ୍ଗରେ ନେଇ ମାଆଙ୍କ ସହ ସେ ଫେରି ଆସିଥିଲେ ବରୁଣେଇ ପାହାଡ଼ ଘେରା, ବୀରମାଟି ଖୋର୍ଦ୍ଧା ଭୂଇଁକୁ । ଏଇ ଖୋର୍ଦ୍ଧାମାଟିର ପ୍ରଥମ ସ୍ପର୍ଶ ହିଁ ତାଙ୍କ ମନରେ ଦେଇଥିଲା ଭଲ ପାଇବାର ବୀଜମନ୍ତ୍ର । ଖୋର୍ଦ୍ଧାମାଟିର ବୀର ଗାଥା, ଜେଜେମାଙ୍କର ସ୍ନେହ, ପାଖ ପଡ଼ିଶା ମଣିଷମାନଙ୍କର ସ୍ନେହ ଶ୍ରଦ୍ଧା, ତାଙ୍କ ଅନୁଭୂତିକୁ କରିଥିଲା ପୁଷ୍ଟ ଓ ଗଭୀର । ମାତୃଭୂମିର ସ୍ନେହରେ ବାନ୍ଧି ହୋଇଥିଲେ ସେ । ତାଙ୍କ ମନରେ ଏଇଠୁ ଯେଉଁ ଭଲପାଇବାର ସ୍ରୋତ ଆରମ୍ଭ ହୋଇଥିଲା, ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତାହା ଶୁଖି ନଥିଲା । ଏହି ଖୋର୍ଦ୍ଧା ରହଣି ହିଁ ତାଙ୍କର ଥିଲା କବି ଜୀବନର ପ୍ରସ୍ତୁତି ପର୍ବ ।

 

କୁନ୍ତଳା କାବ୍ୟ ଚେତନାରେ ଚାରୋଟି ଧାରା ଆମେ ଦେଖିବାକୁ ପାଉ । ପ୍ରେମ, ଦେଶାତ୍ମବୋଧ, ପ୍ରକୃତି ଓ ମଣିଷ । ଏହି ଚାରୋଟି ବିଭବକୁ ଅନ୍ତରଙ୍ଗ ଭାବେ ଭୋଗିଛନ୍ତି ସେ ନିଜ ଅନ୍ତଃକରଣରେ, ଉପଲବ୍ଧି କରିଛନ୍ତି ତାଙ୍କ ଆତ୍ମାରେ । ତାଙ୍କ ଦୃଷ୍ଟିରେ, ତାଙ୍କ ଅନୁଭବରେ

 

* ୮ଫେବୃୟାରୀ ୨୦୦୩ରେ ଏକାଡେମୀ ପକ୍ଷରୁ ଆୟୋଜିତ ଉତ୍କଳ ଭାରତୀ କୁନ୍ତଳା କୁମାରୀ ଜୟନ୍ତି ଉତ୍ସବରେ ପଠିତ

 

୮ଫେବୃୟାରୀ ୨୦୦୩ରେ ଏକାଡେମୀ ପକ୍ଷରୁ ଆୟୋଜିତ ଉତ୍କଳ ଭାରତୀ କୁନ୍ତଳା କୁମାରୀ ଜୟନ୍ତି ଉତ୍ସବରେ ପଠିତ ତାଙ୍କ କବିତାରେ ମଧ୍ୟ ପ୍ରେମ ଏକ ସ୍ଵର୍ଗୀୟ ବିଭବ । ପ୍ରେମ ହିଁ ଏକମାତ୍ର ଐଶ୍ଵର୍ଯ୍ୟ ଜୀବନର । ପ୍ରେମ ବିନା ସବୁ ତୁଚ୍ଛ, ଅସାର । ସେ ପୁଣି କହିଛନ୍ତି ପ୍ରେମ ଶକ୍ତି, ସାହସ ଓ ସୌନ୍ଦର୍ଯ୍ୟ ।

 

ପ୍ରେମ ଜୀବନକୁ ଯେମିତି ସୁନ୍ଦର କରେ ସେମିତି ସଂପର୍କକୁ କରେ ଶକ୍ତ । ସେ ତାଙ୍କ କବିତାରେ କହିଛନ୍ତି-

 

ଶତ ଗୁଣ ଥିଲେ ହୃଦୟ ମଧ୍ୟରେ

ପ୍ରେମ ବିନା ସେ ତ ନୀରସ ପ୍ରାନ୍ତର

ପ୍ରେମ ବଳ ବିନା କେ ଜିଣେ ସଂସାର

ପ୍ରେମ ବିନା ଧର୍ମ ନିଷ୍ଫଳ ଅସାର ।

 

ପ୍ରେମାନୁରାଗିଣୀ ଏହି କବିଙ୍କର ପ୍ରଥମ କବିତାଗ୍ରନ୍ଥ ‘ଅଞ୍ଜଳି’ । ଏ ‘ଅଞ୍ଜଳି’ ପ୍ରେମ ପୁଷ୍ପର ଅଞ୍ଜଳି । ହୋଇପାରେ କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ଉଦ୍ଦିଷ୍ଟ; କିନ୍ତୁ କୁନ୍ତଳାଙ୍କ କବିତାରେ କୌଣସି ବ୍ୟକ୍ତିର ସ୍ପଷ୍ଟ ଚିତ୍ର ଦେଖାଯାଏ ନାହିଁ । କୁନ୍ତଳାଙ୍କ ପ୍ରେମ କବିତାଗୁଡ଼ିକ ଲୌକିକ ସ୍ଥିତିରୁ ଉତ୍ପନ୍ନ ହୋଇଥିଲେ ହେଁ ଏହି ପ୍ରେମାନୁଭୂତି ଦ୍ରୁତ ଲୟର ଆରୋହ ପରି ଏକ ଅଲୌକିକ ସୀମାରେ ବିସ୍ତାର ଓ ବିକାଶ ଲାଭ କରିଛି । କୁନ୍ତଳାଙ୍କ କବିତାରେ କେଉଁଠି ପ୍ରେମ ଏକ ଶୁଭ୍ର ଶତଦଳର ଭାବ ଓ ବାସ୍ନାରେ ଢଳଢଳ ରସୋଚ୍ଛଳ ତ, କେଉଁଠି ପୂଜାଘରର ସୁଗନ୍ଧିତ ଧୂପ । କୁନ୍ତଳାଙ୍କ ପ୍ରେମର ବୈଶିଷ୍ଟ୍ୟ ଗଭୀର ଆସକ୍ତିର ଅନାସକ୍ତି, ତୀବ୍ର ଅନୁରାଗର ବୈରାଗ୍ୟ, ନପାଇବାର ଅଧୀର ଆକୁଳତା ମଧ୍ୟରେ ପାଇଯିବାର ମୁଗ୍ଧ ପରିପୂର୍ଣ୍ଣତା । କୁନ୍ତଳାଙ୍କ ‘ପୂଜା’ କବିତାରୁ ଏହାର ଦୃଷ୍ଟାନ୍ତ ମିଳିଥାଏ ।

 

“ବ୍ୟସ୍ତ ଥିଲି ମୁଁ ପରା ସାରା ସକାଳ

ଗୋଟାଇ ଫିଙ୍ଗୁଥିଲି ହୃଦ ଜଂଜାଳ

ଝାଡ଼ି ନିର୍ମଳ କରି ଗୁନ୍ଥିଣ ମାଳ

ଅନାଇ ରହିଲି ତୋ’ ଆସିବା କାଳ

ଘଡ଼ି କି ଘଡ଼ି ମନ ହୁଏ ଉଚ୍ଛନ

ମୁହୂର୍ତ୍ତେ ଯୁଗ ବୋଲି ହୁଏ କି ଭ୍ରମ,

ହୃଦକଣରେ ପରା ପ୍ରେମ ପ୍ରଚ୍ଛନ୍ନ

ଛନକା ପଶେ ତେଣୁ ହୃଦେ ସଘନ

ଆସି ହେଲାଣି ସଂଜ ଆସିଲୁ ନାହିଁ

କି କଥା କଲୁ ଏତେ ଭାବ ଲଗାଇ ।”

 

କବିତାର ପ୍ରାରମ୍ଭରେ ପ୍ରତୀକ୍ଷାର କି ତୀବ୍ର ଉଚ୍ଚାଟନ । ଏହି ପ୍ରତୀକ୍ଷା ମଧ୍ୟ କବିଙ୍କ ପାଇଁ ଏକ ପରୀକ୍ଷାର ଆହ୍ୱାନ ସୃଷ୍ଟି କରିଛି ଓ ଏହି ଆହ୍ୱାନକୁ ସେ ସପ୍ରେମ ସ୍ୱୀକାର କରି ସେଇ କବିତାରେ କହିଛନ୍ତି –

 

“ସୁନା କି ଭେଲ ତୁହି କଷ ପଥର

ମନ ମୋର ପରଖି ନିଅ ସତ୍ତ୍ୱର

ମୋ ମନ ଲୁହା ଯଦି ତୁ ଅୟସ୍ଳାନ୍ତ

ବେଗେ ପରଶି ସୁନା କର ସୁକାନ୍ତ”

 

ଅୟସ୍ଳାନ୍ତ ମଣିର ଦିବ୍ୟ ସ୍ପର୍ଶରେ ଲୁହା ସଦୃଶ ମନକୁ ମଣିରେ ରୂପାନ୍ତରିତ କରିବା ହିଁ ଥିଲା କୁନ୍ତଳାଙ୍କ ପ୍ରେମର ସାଧନା । ତାଙ୍କର ନିରନ୍ତର ପ୍ରତୀକ୍ଷା ମଧ୍ୟରେ ହିଁ ସେ ଲାଭ କରିଛନ୍ତି ଅନନ୍ତ ପ୍ରାପ୍ତିକୁ । ତେଣୁ ସେ କହିଛନ୍ତି-

 

“କସ୍ତୁରୀ ଘେନି ଯେହ୍ନେ ମୃଗ ନାଭିରେ

ପୂରି ରହିଥା ତେହ୍ନେ ହୃଦ ଭିତରେ”

 

କୁନ୍ତଳାଙ୍କ ରାଶି ରାଶି କବିତା ପାଠ କଲେ ହୃଦ୍‌ବୋଧ ହୁଏ ଯେ, କୁନ୍ତଳାଙ୍କ ପ୍ରେମ ଏକ ରହସ୍ୟମୟ ପରିଣତିରେ ଲୀଳ ହୋଇ ଯାଇଛି । ଏହି କବିତାରେ ମାନବିକ ଉତ୍କଣ୍ଠା ଅଛି, କିନ୍ତୁ ହତାଶା ନାହିଁ, ନପାଇବାର ଦୁଃଖ ଅଛି, କିନ୍ତୁ ହାହାକାର ନାହିଁ, ଅବସାଦ ନାହିଁ । ଦୁଃଖକୁ ସେ ଧୂପ ଓ ଦୀପରେ ପରିଣତ କରି ପାଠକକୁ ଅନିର୍ବଚନୀୟ ସୁଗନ୍ଧ ଓ ଆଲୋକ ପ୍ରଦାନ କରିଛନ୍ତି । ତାଙ୍କର କାମନା ମଧ୍ୟ ଭକ୍ତି, ତ୍ୟାଗ ଓ ସମର୍ପଣର ଦିବ୍ୟ ରଂଗରେ ଶ୍ରୀମଣ୍ଡିତ ହୋଇଛି । ପ୍ରେମର ସନ୍ନ୍ୟାସ ନେଇଥିବା ଏହି ବ୍ରତଚାରିଣୀ କବି ନିଜ ପ୍ରେମିକକୁ ପରମେଶ୍ଵରଙ୍କ ମଧ୍ୟରେ ହଜେଇ ଦେଇଛନ୍ତି ।

 

କୁନ୍ତଳାଙ୍କ ପ୍ରକୃତି ପ୍ରେମ ତାଙ୍କର ସୌନ୍ଦର୍ଯ୍ୟ ପିପାସୁ ପ୍ରାଣର ପରିଚୟ ଦିଏ । ସାରା ସୃଷ୍ଟିକୁ ସେଇ ଈଶ୍ଵରଙ୍କର ଏକ ଆନନ୍ଦମୟ ପରିପ୍ରକାଶ ବୋଲି ସେ ମନେ କରିଛନ୍ତି । ସୌନ୍ଦର୍ଯ୍ୟ ହିଁ ପ୍ରେମ ଓ ପ୍ରେମ ହିଁ ସୌନ୍ଦର୍ଯ୍ୟ ଏହି ଭାବନାର ବଶବର୍ତ୍ତୀ କୁନ୍ତଳା ନିଜ ପ୍ରେମର ପରାକାଷ୍ଠା ନେଇ ଆତ୍ମ ଅତିକ୍ରମ କରିଯାଇଥିଲେ ଓ ଏହି ଅତିକ୍ରମଣ ତାଙ୍କୁ ପରିବ୍ୟାପ୍ତ ପ୍ରକୃତି ମଧ୍ୟରେ ବିଞ୍ଚି ଦେଇଥିଲା । ସୌନ୍ଦର୍ଯ୍ୟ ଯେ ଦୃଷ୍ଟିର ଇନ୍ଦ୍ରଜାଲ ନୁହେଁ, ଏହା କେଉଁ ସୂକ୍ଷ୍ମାତିସୂକ୍ଷ୍ମ ମହାସତ୍ତାର ଧାରକ, କେଉଁ ଅରୂପର ରୂପାବରଣ, ରୂପ ଓ ନାଦର ମିଶ୍ରିତ ଏକ ଅବ୍ୟକ୍ତ ପରିଭାଷା, କୁନ୍ତଳାଙ୍କ କବିତାରେ ଏହି ରହସ୍ୟମୟ ଭାବ ଆବେଗମୟ ଭାଷାରେ ପ୍ରକଟିତ ହୋଇଛି । ତାରା, କାମିନୀ, ଚନ୍ଦ୍ର, କମଳ, ଶେଫାଳି ଆଦି କ୍ଷୁଦ୍ର ବସ୍ତୁରେ ସେ ପରମ ସତ୍ତାକୁ ଆବିଷ୍କାର କରିଛନ୍ତି ଓ ନିଜର କ୍ଷୁଦ୍ରାତିକ୍ଷୁଦ୍ର ସତ୍ତାରେ ଏହାର ପ୍ରତିଫଳନର ଚମତ୍କାରିତାରେ ମୁଗ୍ଧ ହୋଇଛନ୍ତି । ‘ଶେଫାଳି ପ୍ରତି’ କବିତା ତାଙ୍କର ଆତ୍ମଜିଜ୍ଞାସା, ଚନ୍ଦ୍ର, କମଳ ଆଦି କବିତା ତାଙ୍କର ସୌନ୍ଦର୍ଯ୍ୟ ଚେତନା ଓ ରୂପ ଗ୍ରହୀତାକୁ, ‘କାମିନୀ ପ୍ରତି’ ଓ ‘ମହୀରୁହ’ କବିତାରେ ତାଙ୍କର ଶିକ୍ଷା ସଚେତନତା ଓ ସେବାପରାୟଣତା ଚମତ୍କାର ଭାବେ ପ୍ରକଟିତ । ପ୍ରକୃତି ତାଙ୍କ ପାଇଁ ନିର୍ଭୟ ଆଶ୍ରୟ ଖାଲି ନୁହେଁ, ତାହା ଏକ ବିଶାଳ ଶିକ୍ଷାୟତନ । ‘କାମିନୀ’ ପରି କ୍ଷୁଦ୍ର ଫୁଲଟି ପାଖରେ ସେ ଥିଲେ ବିନୀତ ଶିକ୍ଷାର୍ଥୀ ।

 

“କର ଲୋ ତୋ’ ପରି ମତେ କାମିନୀ ସୁନ୍ଦରୀ

କର ପୂତ ସୁବାସିତ ମୋ କ୍ଷୁଦ୍ର ହୃଦୟ

ଢାଳୁ ପ୍ରତି ପ୍ରାଣେ ପ୍ରେମ ପୂତ ଶାନ୍ତି ବାରି

ହେଉ ମୋ ଭୂଷଣ ଲଜ୍ଜା, ନମ୍ରତା ବିନୟ ।”

 

କାମିନୀ ଫୁଲଟିର କ୍ଷୁଦ୍ରତା ନେଇ ଠିକ୍ ତାରି ପରି ସୁବାସ ବିକିରଣ କରି ଅନ୍ୟ ପ୍ରାଣରେ ଶାନ୍ତି ଦାନ କରିବା ତାଙ୍କର ଯେ ଆନ୍ତରିକ ବାସନା ତାହା ଏହି ପଦଟିରୁ ଜଣାଯାଏ । ବୃକ୍ଷଲତା, ଫୁଲ ସମସ୍ତଙ୍କ ଠାରୁ କିଛି ଶିଖିବା ଓ ସମସ୍ତଙ୍କ ଦ୍ଵାରା ଅନୁପ୍ରାଣିତ ହେବା ତାଙ୍କର ଲକ୍ଷ୍ୟ ଥିଲା । ମନୁଷ୍ୟ ଶ୍ରେଷ୍ଠ ଜୀବ ହେଲେ ହେଁ, ତା’ର ବି ପ୍ରକୃତିର କ୍ଷୁଦ୍ର ବୃହତ୍ ସବୁଠାରୁ ଶିଖିବାର ଅଛି, ଏହା ସେ କାମିନୀ ପରି ଅବିକଳ ସହକାରକୁ ମଧ୍ୟ କହିଛନ୍ତି ।

 

“ରେ ରସାଳ ଦ୍ରୁମ, ଶିଖାଅ ହେବି ତୋ’ ସମ

ସୁବୀନିତ ନମ୍ର ମନ

ଅକାତରେ ଭବ ସେବା ଯାଉଥିବି କରି

ମୋ କ୍ଷୁଦ୍ର ଆୟାସେ ବହୁ କ୍ଳେଶ ନେବି ହରି ।

ପ୍ରତିଦାନ ବିନା ହିତ କରିବି ସବୁରି ।”

 

ବୃକ୍ଷ ନିଜ ଅଜାଣତରେ ନିରନ୍ତର ଜଗତର ହିତ ଓ ସେବା କରିଥାଏ । ଏ ସେବାରେ ତା’ର ପ୍ରତିଦାନ ଲିପ୍ସା ନଥାଏ । କୁନ୍ତଳା କୁମାରୀଙ୍କ ସେବା ପରାୟଣତାର ପଶ୍ଚାତ୍ ଭାଗରେ ପ୍ରତିଦାନର ଲିପ୍‌ସା ନଥିଲା । ସେ ନିଃସ୍ୱାର୍ଥ ଜନସେବା ମଣିଷର ଧର୍ମ ଓ କର୍ମ ବୋଲି ଦର୍ଶାଇଛନ୍ତି-

 

କୁନ୍ତଳାଙ୍କ ବ୍ୟକ୍ତି ପ୍ରେମରେ ଯେପରି ତ୍ୟାଗ ଓ ସମର୍ପଣର ଭାବନା ଥିଲା, ପ୍ରକୃତି ପ୍ରେମରେ ସେପରି ପ୍ରଗାଢ଼ ଈଶ୍ୱରାନୁରାଗ ଓ ସେବା ପରାୟଣତାର ଚରମ ନିଦର୍ଶନ ପ୍ରକଟିତ ହୋଇଥିଲା । ଅନ୍ୟ ପାଇଁ ସପ୍ରେମ ଭାବେ ଜୀବନ ଉତ୍ସର୍ଗ କରିବାର ଅଧୀରତା ତାଙ୍କର ରାଶି ରାଶି କବିତାରେ ପ୍ରତିଫଳିତ ହୋଇଥିଲା ।

 

ଦେଶପ୍ରେମ- କୁନ୍ତଳାଙ୍କ କବିତାରେ ଦେଶପ୍ରେମର ପଟାନ୍ତର ନାହିଁ । ତାଙ୍କର ସମଗ୍ର ଜୀବନ ପ୍ରେମର ଏକ ଚଳମାନ ମନ୍ଦିର ଥିଲା । ଈଶ୍ଵର ପ୍ରେମ ଓ ପ୍ରକୃତି ପ୍ରେମ ଏହାର କାନ୍ଥ ସଦୃଶ ହେଲେ ଦେଶ ପ୍ରେମ ଥିଲା ଏହାର ଉତ୍ତୁଙ୍ଗ ଦଧିନଉତି । କୁନ୍ତଳା ତାଙ୍କର ସମକାଳୀନ ଜାତୀୟତାବାଦୀ କବିମାନଙ୍କ ଦ୍ୱାରା, ବିଶେଷତଃ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଜାତୀୟତାବାଦୀ ଚେତନା ଦ୍ୱାରା ପ୍ରଭାବିତ ହୋଇଥିବା କଥା ସମାଲୋଚକମାନେ କହନ୍ତି । ଯେ କୌଣସି କବି ତା’ର ବଞ୍ଚୁଥିବା ସମୟ ଓ ପରିବେଶରୁ କଦାଚିତ ମୁକ୍ତ ନୁହେଁ । କୁନ୍ତଳାଙ୍କ କବି ଜୀବନକୁ ତତ୍‍କାଳୀନ ରାଜନୈତିକ ପରିବେଶ, ଦେଶର ପରାଧୀନତାର ଦୁରାବସ୍ଥା, ବ୍ରିଟିଶ ଶାସକ ଦ୍ଵାରା ଅତ୍ୟାଚାରିତ ଭୟାର୍ତ୍ତ ଜନମାନସ ଯେ ପ୍ରଭାବିତ କରି ନଥିବ ଏହା ନୁହେଁ । କିନ୍ତୁ ତାଙ୍କ କବିତା ପାଠ କଲେ ଜଣାଯାଏ, ଦେଶପ୍ରେମ ତାଙ୍କର ସ୍ୱତ୍ତଃସ୍ଫୁର୍ତ୍ତ ଓ ପ୍ରଚଣ୍ଡ । ତାଙ୍କର ସମସ୍ତ ଦେଶପ୍ରେମର କବିତା ସ୍ୱକୀୟ ଭାବ ଭାଷାର ଆବେଦନରେ ବେଳେବେଳେ ଅଗ୍ନିବର୍ଷୀ ଓ ସୀମା ଉଲଙ୍ଘନକାରୀ । ଦେଶ ତାଙ୍କ ପାଇଁ ନଥିଲା ନଦ, ନଦୀ, ପାହାଡ଼ ପରିବେଷ୍ଟିତ ଏକ ନିର୍ଜୀବ ଭୂଖଣ୍ଡ, ଦେଶ ତାଙ୍କ ପାଇଁ ଥିଲା ବହୁ ପ୍ରାଚୀନ ସଭ୍ୟତା, ସଂସ୍କୃତି, ଧର୍ମ ଦର୍ଶନରେ ପରିପୁଷ୍ଟ ସମୃଦ୍ଧ ଏକ ଜାଗ୍ରତ ଆତ୍ମା-। ପରାଧୀନ ଭାରତର ଦୂରାବସ୍ଥାରେ ସେ ଥିଲେ ମର୍ମାହତ, ବିକ୍ଷୁବ୍ଧ ଓ ବିଦ୍ରୋହୀ । ଏଇ ନୀରବ ବିଦ୍ରୋହର କାବ୍ୟିକ ପ୍ରକାଶ ତାଙ୍କର ଓଜସ୍ୱିନୀ ଭାଷାର କବିତା ବହି ଦୁଇଟି ‘ସ୍ଫୁଲିଙ୍ଗ’ ଓ ‘ଆହ୍ୱାନ’ । କୁନ୍ତଳା ଭାରତର ମୁକ୍ତି ସଂଗ୍ରାମର ପରୋକ୍ଷ ସଂଗ୍ରାମୀ ଥିଲେ ହେଁ ତାଙ୍କ ରଚିତ ‘ସ୍ଫୁଲିଙ୍ଗ’ ଓ ‘ଆହ୍ୱାନ’, ଏ ବହି ଦିଓଟି ଥିଲା, ଭାରତର ମୁକ୍ତି ସଂଗ୍ରାମର ପୁରୋଭାଗରେ ଦୁଇଟି ନେପଥ୍ୟ ସେନାପତି । ‘ଆହ୍ୱାନ’ର ‘ଆହ୍ୱାନ’ ଏତେ ଶାଣିତ, ଏତେ ତୀବ୍ର ଯେ, ବ୍ରିଟିଶ ଶାସକ ବ୍ୟାଜାପ୍ତ କରିଥିଲେ ଏ ବହିଟିକୁ । ‘ସ୍ଫୁଲିଙ୍ଗ’କୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରି ସେ କହିଛନ୍ତି

 

“ଯାଅ ତେବେ ଗୋ ସ୍ଫୁଲିଙ୍ଗ କ୍ଷୁଦ୍ର ଅଗ୍ନିକଣା

ଆଣ, ଜୀବନେ ଅନନ୍ତ ଅନଳ ପ୍ରେରଣା

XXX ଜାଳ, ପ୍ରତିପ୍ରାଣେ ପୁଣ୍ୟ ଦେଶ ପ୍ରେମ ଦୀପ”

 

ଅନଳ ପ୍ରେରଣା । କି ଜ୍ଵଳନ୍ତ ଶବ୍ଦ ବିନ୍ୟାସ, ଜଡ଼ ଜାତିକୁ ଚେଙ୍ଗି ଉଠାଇବାକୁ, କି ତେଜୀୟାନ ଏ ଶବ୍ଦ ପୁଞ୍ଜ । କୁନ୍ତଳାଙ୍କ ସଂଗ୍ରାମ କେବଳ ଦେଶମୁକ୍ତି ପାଇଁ ବଳବତ୍ତର ନଥିଲା, ତାଙ୍କର ସଂଗ୍ରାମ, ଅନ୍ୟାୟ, ଅନୀତି, ଅଶିକ୍ଷା, କୁସଂସ୍କାର ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସକ୍ରିୟ ଥିଲା । ତାଙ୍କର ବିଦ୍ରୋହ ଥିଲା ବ୍ରିଟିଶ ଶାସକର ଅତ୍ୟାଚାର ବିରୁଦ୍ଧରେ । ତାଙ୍କ ଦେଶପ୍ରେମର ବହୁମୁଖୀତା ଥିଲା । ସେ ଅହିଂସା ପ୍ରତି ବିଶ୍ୱସ୍ତ ଥିଲେ । ଅହିଂସା ମାନବ ଧର୍ମ ବୋଲି ସେ ବହୁବାର କହିଛନ୍ତି ମଧ୍ୟ । କିନ୍ତୁ ବିନା ରକ୍ତଦାନରେ ଯେ ସ୍ୱାଧୀନତା ମିଳେନାହିଁ ତାହା ତାଙ୍କ କବିତାରେ ପରିସ୍ଫୁଟ ହୋଇଥିଲା । ସ୍ୱାଧୀନତା ପାଇବାକୁ ହେଲେ ପ୍ରାଣବଳି ଦେବାକୁ ହିଁ ହେବ । ସେ କହିଥିଲେ-

 

“ହଣା ହେବ ବୀର ଶିର ଗୋଟି ଗୋଟି

ତୁମ ରକ୍ତ ଭୂଇଁ ତଳେ ଯିବ ଲୋଟି

ଗଙ୍ଗାଧାର ସାଂଗେ ରଂଗାଧାର ମିଶି

ପୋଛି ନେବ ଦୁଃଖ, ଅତ୍ୟାଚାର ରାଶି ।”

 

କୁନ୍ତଳାଙ୍କ ପ୍ରେମ କବିତା ଯେତିକି କୋମଳ, ରସୋଚ୍ଛଳ, ତାଙ୍କର ପ୍ରକୃତି ପ୍ରୀତି କବିତା ଯେତିକି ଆବେଗମୟ ଓ ରସଘନ ତାଙ୍କ ଦେଶ ପ୍ରେମର କବିତା ସେତିକି ଜ୍ଵାଳାମୟୀ ଓ ପ୍ରଚଣ୍ଡ । ପୁରୁଷମାନଙ୍କ ନିଷ୍କ୍ରିୟତାକୁ ତାଚ୍ଛଲ୍ୟ କରି ସେ ଶବ୍ଦର କମାଣ ଫୁଟେଇ ଥିଲେ ।

 

‘ହେ ପୁରୁଷ ଯଦି ନଉଠ ଏଥର

ଆମେ ରଣ ବେଶେ ହେବୁ ଅଗ୍ରସର

ତୁମ୍ଭେ ଯଦି ଭୟେ ଦିଅ ପଛଘୁଞ୍ଚା

ଆମେ ତେଜି ଯିବୁ ଆମ ଲାଜ ଲୁଚା

ଆମେ ନାରୀଗଣ କୋଣରୁ ବାହାରି

ଧରିବୁ ଅସହଯୋଗ ତରବାରୀ

ଦେଉ ସେ ଆମକୁ ଧରି କାରାଦଣ୍ଡ

କରୁ ସୁକୋମଳ ଦେହ ଖଣ୍ଡ ଖଣ୍ଡ

ଟାଙ୍ଗୁଥାଉ ଫାଶୀ ଖୁଣ୍ଟେ ଆମ ମୁଣ୍ଡ

ଆମେ ଯେ ନ ଡରୁ ଚିତା ଅଗ୍ନିକୁଣ୍ଡ

ଉଠିବୁ ଗୋ ଚଣ୍ଡୀ ଚାମୁଣ୍ଡା ପ୍ରଚଣ୍ଡ

ବୈରୀଶକ୍ତି ନିଶ୍ଚେ ହେବ ଲଣ୍ଡଭଣ୍ଡ ।

 

ନାରୀମାନେ ଯେ ପ୍ରୟୋଜନ ବେଳେ ସଂହାରକାରିଣୀ’, ମହାକାଳୀ ରୂପ ଧାରଣ କରିବାରେ ସମର୍ଥ ଏହା ସେ ତାଙ୍କ କବିତାରେ ସୂଚାଇ ଥିଲେ ।

 

କୁନ୍ତଳାଙ୍କର ଦେଶପ୍ରେମର ବହୁମୁଖୀତା ଉପରେ ଆଲୋକପାତ କଲେ ତାଙ୍କର ବ୍ୟକ୍ତିତ୍ୱର ପରାକାଷ୍ଠାକୁ ସ୍ମରଣ କରିବାକୁ ହୁଏ । ସେ ବ୍ରିଟିଶ ରାଜତ୍ଵ କାଳରେ ତାଙ୍କର ଅତ୍ୟାଚାର ବିରୁଦ୍ଧରେ ଯେପରି କବିତାରେ ବିଦ୍ରୋହ କରିଥିଲେ, ସେପରି ନିଜ ଜାତିର କେତେକ ନ୍ୟସ୍ତ ସ୍ୱାର୍ଥାନ୍ୱେଷୀ ପ୍ରତାରଣାକାରୀ ବ୍ୟକ୍ତି ଚରିତ୍ର ପ୍ରତି ମଧ୍ୟ ତୀବ୍ର ଭର୍ତ୍ସନା ଓ ତାତ୍ସଲ୍ୟ କରିଥିଲେ । କେତେକ ସ୍ଵାର୍ଥାନ୍ୱେଷୀ ଗୋଷ୍ଠୀ ବ୍ରିଟିଶ ଅଫିସରଙ୍କ ପଦଲେହନକାରୀ ହେବାର ପ୍ରମାଣ ପାଇ ସେ ସେମାନଙ୍କ ଉଦ୍ଦେଶ୍ୟରେ ନିଜର ତାଚ୍ଛଲ୍ୟ ଓ ଘୃଣା ପ୍ରକାଶ କରିଥିଲେ । ସେ କହିଥିଲେ-

 

‘ନଟକୂଟ ପଟୁ ବ୍ରିଟେନ କୁମାରେ

କାଠ ପିତୁଳାଙ୍କୁ ନଚାନ୍ତି ମଜାରେ

ରାୟ ବାହାଦୂର, ଖାଁ ବାହାଦୂର

ପଦଟି ଆଶାରେ ହଜାରେ ଜୁହାର

ଚୋର ଭାଇ ଗଳା କଟା ସରଦାର

ଚିହ୍ନି କର ୟାଙ୍କୁ ଦୂରରୁ ଜୁହାର ।’

 

କୁନ୍ତଳାଙ୍କ ଦେଶପ୍ରେମ ପରି ଜାତିପ୍ରେମ ମଧ୍ୟ ଅତ୍ୟନ୍ତ ପ୍ରଗାଢ଼ । ନିଜକୁ ଓଡ଼ିଆ ବୋଲି କହିବାରେ ସେ ଯେପରି ଗର୍ବ ଅନୁଭବ କରୁଥଲେ, ପ୍ରତ୍ୟେକ ଓଡ଼ିଆର ତାହା କରିବା ଉଚିତ୍ ବୋଲି ସେ ତାଙ୍କ ଗଦ୍ୟ ରଚନାରେ ବାରମ୍ବାର କହିଥିଲେ । ଏହିପରି ଜାତି ଦେଶପ୍ରେମର ଏକ ମୂଲ୍ୟବାନ ଦଲିଲ୍ କୁନ୍ତଳାଙ୍କ ‘ଦିଲ୍ଲୀଚିଠି' । ଜାତୀୟ ଇତିହାସରେ ଏହା ଏକ ସ୍ମରଣୀୟ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ସନ୍ତକ । ଓଡ଼ିଶା ଠାରୁ ବହୁ ଦୂରରେ ଦିଲ୍ଲୀ ମହାନଗରୀରେ ନିଜକୁ ପ୍ରତିଷ୍ଠା କରିବାର ଆପ୍ରାଣ ସଂଗ୍ରାମ ମଧ୍ୟରେ, ସେ ନିରନ୍ତର ଚିନ୍ତା କରୁଥିଲେ, ଓଡ଼ିଶାର କଥା, ଓଡ଼ିଆ ଲୋକଙ୍କର କଥା, ଓଡ଼ିଆ ମାଟିର ଦଳିତ, ମଥିତ, ମଜଦୁରର କଥା, ଓଡ଼ିଆ ପାଇକ ପୁଅ, କଟୁଆଳ ପୁଅ, ଓଡ଼ିଆ ନାରୀର କଥା । ‘ଦିଲ୍ଲୀ ଚିଠି’ ଏହାର ଉତ୍କଳ ନିଦର୍ଶନ । ‘ଦିଲ୍ଲୀଚିଠି’ରେ ନିଜ ଜାତିର ସ୍ୱାଭିମାନର ସୁରକ୍ଷା, ବିଚ୍ଛିନ୍ନ ଉତ୍କଳକୁ ପୂର୍ଣ୍ଣାଙ୍ଗ ଉତ୍କଳରେ ପରିଣତ କରିବାର ସ୍ଵପ୍ନ ଓ ସାଧନା, ଓଡ଼ିଆ ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ପ୍ରୟାସ, ଚାଷୀ, ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଯେଉଁ ଉଦ୍‌ବୋଧନ ଦେଇଥିଲେ ତାହା ନିତ୍ୟ ପଠନୀୟ, ନିତ୍ୟ ସ୍ମରଣୀୟ । ଦିଲ୍ଲୀଚିଠିରେ ସେ ଚଷାମାନଙ୍କୁ କହିଛନ୍ତି “ଭାଇ ଚଷା, ତମେ ନଥିଲେ ଆମେ ଥିବୁଟି ? ତମେ ନହେଲେ ଆମେ ହେବୁଟି ? ଦେଶଟା କ’ଣ ତୁମର ନୁହଁ ? ଦେଶଟା କ’ଣ ଏଇ ଗଣ୍ଡାଏ ପୁଞ୍ଝାଏ ଧୋବଧଉଳିଆ ବାବୁଭାୟାଙ୍କର ? ଆମେ ଯେତେ ଧୋବଧଉଳିଆ ବାବୁ ସବୁ ଦେଶର ଗୋରାଚମ ତମେ ତ ଅସଲ ପିଞ୍ଜରା କାଠି ।”

 

ସେ ପୁଣି ପ୍ରବାସୀ ଓଡ଼ିଆଙ୍କ ହୀନମନ୍ୟତା ପ୍ରତି ଆଙ୍ଗୁଠି ଦେଖାଇ କହିଛନ୍ତି “ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ ପାଟି ଖନି ମାରି ଯାଉଛି । ମୁଁ ପଚାରେ, କାହିଁକି ?

 

ପ୍ରାୟ ସତୁରୀ ବର୍ଷ ତଳର ଏଇ କାହିଁକି ଶବ୍ଦଟି ଆଜି ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଅନୁପେକ୍ଷ ପ୍ରଶ୍ନବାଚୀ ।

 

କୁନ୍ତଳାଙ୍କ ଜାତି ପ୍ରେମର ବହୁଳ ପ୍ରମାଣ ଦିଏ ଏଇ ଦିଲ୍ଲୀଚିଠି ଓ ଓଡ଼ିଆର ବୀରତ୍ଵ ପ୍ରଦର୍ଶନ କରିବାରେ ସେ ପ୍ରଗଳ୍ଭ ହୋଇ ଉଠିଛନ୍ତି । ଇତିହାସର ପେଟରା ଖୋଲି ଗୌରବର ଏହି ଆୟ ଅଳଙ୍କାରଗୁଡ଼ିକ ଗୋଟି ଗୋଟି କରି ସେ ଦେଖାଇବାର ପ୍ରୟାସ କରିଥିଲେ । ସେ ସବୁ ଓଡ଼ିଆ ପୁଅଙ୍କ ନାମ ଆଗରେ ‘ବୀରଶ୍ରୀ’ ଉପାଧି ଓ ସବୁ ନାରୀମାନଙ୍କ ନାମ ଆଗରେ ବୀର ଶ୍ରୀମତୀ ଲେଖିବାକୁ ପରାମର୍ଶ ଦେଇଥିଲେ । ଏହି ପରାମର୍ଶ, ଏହି ଚିନ୍ତନ କୁନ୍ତଳାଙ୍କ ଉଗ୍ର ଜାତିପ୍ରେମର ଜ୍ୱଳନ୍ତ ନମୁନା ।

 

ଆଜିକୁ ପ୍ରାୟ ଶହେ ବର୍ଷ ତଳେ ଯେଉଁ ପ୍ରତିଭାମୟୀ ନାରୀଟି ଜନ୍ମ ନେଇ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏ ବିପୁଳ ପୃଥିବୀକୁ ଆଲିଙ୍ଗନ କରିବାକୁ ବାହୁ ବଢ଼ାଇ ଠିଆ ହୋଇଥିଲା, ସେ କିନ୍ତୁ ତା’ ଜୀବଦ୍ଦଶାରେ ପାଇ ନଥିଲେ ପ୍ରେମର ପାଣି ଟୋପାଟିଏ । ସେ ବଢ଼ିଥିଲେ ଉପେକ୍ଷାରେ, ପ୍ରତାରଣା ଓ ଲାଞ୍ଛନାରେ ଅଥଚ ଅମୃତ କଳସଟିଏ ହୃଦୟରେ ସ୍ଥାପନ କରି ଢାଳି ଯାଇଥିଲେ ଅଜସ୍ର କାବ୍ୟ ମଧୁ । ସେ କାବ୍ୟ ମଧୁରେ ଭିଜିଥିଲା ଓଡ଼ିଶାର ଜନମାନସ, ଭିଜିଥିଲା ଏକଦା ମାଟି ଓ ବତାସ । କୁନ୍ତଳାଙ୍କର ସେହି ବିପୁଳ ସାହିତ୍ୟ ସମ୍ଭାର ସମୟର ପୁରୋଭାଗରେ ଏକ ପ୍ରଜ୍ଜ୍ୱଳିତ ମଶାଲ ହୋଇ ଖାଲି ଉତ୍ତାପ ନୁହେଁ ଏକ ଚିରନ୍ତନ ଆଲୋକ ବିକିରଣ କରୁଅଛି । ଆଜିର ଏହି ଦେଶ ବିମୁଖ, ଜାତି ବିମୁଖ, ପ୍ରେମ ଓ ସଂସ୍କୃତି ବିମୁଖ ଜନମାନସ ପାଇଁ ତାହା ଏକ ଶାଣିତ ଚେତାବନୀ ହୋଇ ରହିଛି ଓ ରହିବ । ଆଗ୍ରହୀ ପ୍ରାଣ ଏଥିରେ ଉଦ୍ଦିପୀତ ଓ ଆଲୋକିତ ହେବେ ଏଥିରେ ସନ୍ଦେହ ନାହିଁ ।

 

 

ଶିବଛାୟା

ରଥରୋଡ଼, ବାରିକ ସାହି

ଭୁବନେଶ୍ୱର

 

***

 

ସମାଜ ପରିବର୍ତ୍ତନ, ଲେଖକୀୟ ଅଙ୍ଗୀକାର ଓ

Unknown

ଓଡ଼ିଆ କ୍ଷୁଦ୍ରଗଳ୍ପ

ଗୌରାଙ୍ଗ ଚରଣ ଦାଶ

 

କୌଣସି ଏକ ଜାତିର ପରିବର୍ତ୍ତନ ପ୍ରକ୍ରିୟାରେ ସାହିତ୍ୟ ଅଣୁଘଟକର କାର୍ଯ୍ୟ କରେ – ପୃଥିବୀର ସମାଜବିଜ୍ଞାନୀ ଓ କଳା ସମୀକ୍ଷକମାନେ ଏହା ପ୍ରାୟତଃ ସ୍ୱୀକାର କରିଛନ୍ତି । ଓଡ଼ିଶା ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଅନୁରୂପ ବିଚାରକୁ ଆରୋପ କରାଯାଇପାରିବ କି ? ଏହା ମୋ ପାଇଁ ଏକ ଗରୁତମ ପ୍ରଶ୍ନ । ପୁଣି ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରକରଣଗୁଡ଼ିକ ମଧ୍ୟରେ ଗଳ୍ପ- ଯାହାର ଇତିହାସ ପ୍ରାୟ ଏକଶହ ବର୍ଷରୁ କିଛି ଅଧିକ କାଳର, ପାଠକମାନଙ୍କର ସବୁଠାରୁ ପ୍ରିୟ । ତେଣୁ ତତ୍ ସଂକ୍ରାନ୍ତ ମୋର ବକ୍ତବ୍ୟ ଓ ବିଚାର କେତେକଙ୍କୁ ଅପ୍ରୀତିକର ବୋଧ ହୋଇପାରେ । କାରଣ ମୁଁ ଅନୁଭବ କରେ କୌଣସି ଏକ ରାଜନୀତିକ ଆୟତନରେ ବଞ୍ଚୁଥିବା ଜନସମୁଦାୟର ଗତିଶୀଳତା କହିଲେ, ସାମୂହିକ ଚେତନାର ଉନ୍‌ମୀଳନ ପ୍ରସଙ୍ଗକୁ ହିଁ ବୁଝାଏ । ଆଜି ଭାରତ ବର୍ଷରେ ଓଡ଼ିଆ ନାମରେ ପରିଚିତ ଯେଉଁ ଜାତି ବଂଚିରହିଛି, ତାହା ସତରେ ଯେ ଜାଗ୍ରତ, ଏହା ମୋ ପାଇଁ ଏକ ଦୁରୂହ ପ୍ରଶ୍ନ । ସେହି ନ୍ୟାୟରେ, ଏକ ଜାତିର ସାହିତ୍ୟର ଅନ୍ୟତମ ଶକ୍ତିଶାଳୀ ପ୍ରକରଣ “କଥା”ରେ ଜାଗୃତିର ମନ୍ତ୍ର କେତେ ମାତ୍ରାରେ ଉଚ୍ଚାରିତ, ତାହା ସମସ୍ୟା ସୃଷ୍ଟିକରିବା ସ୍ୱାଭାବିକ ।

 

କୌଣସି ଜନ ସମୁଦାୟର ଜାଗୃତି ପ୍ରସଙ୍ଗ ଆଲୋଚନା କାଳରେ ସମାଜଶାସ୍ତ୍ରୀ ଓ ମନବିଜ୍ଞାନୀମାନେ ପ୍ରାୟତଃ ଏହା ସ୍ୱୀକାର କରନ୍ତି - ସେହିମାନେ ଆପଣା ଆପଣାର ସୃଜନ ଶକ୍ତିରେ ଅନ୍ୟମାନଙ୍କୁ ଗତିଶୀଳ କରିବାରେ ସମର୍ଥ ହୁଅନ୍ତି, ଯେଉଁମାନେ ପ୍ରଥମେ ଆପଣାର ଓ ଦ୍ୱିତୀୟରେ ସାମାଜିକ ସ୍ଥିତାବସ୍ଥାର ହେତୁମାନଙ୍କୁ ଅନୁଭବ କରିଥାନ୍ତି । କାରଣ ପ୍ରତ୍ୟେକ ସଚେତନ ମଣିଷ ତାକୁ ଜଡ଼ବତ୍ କରି ରଖିଥିବା ଆହ୍ୱାନଗୁଡ଼ିକୁ ଭେଦିଥାଏ । ଆହ୍ୱାନଗୁଡ଼ିକୁ ସାମ୍ନା କରିବାର ଶକ୍ତି ଓ ସାମର୍ଥ୍ୟ ସେ ଆପଣା ଆତ୍ମାରୁ ହିଁ ଆବିଷ୍କାର କରେ । ଆତ୍ମଶକ୍ତିରେ ସେ ପ୍ରଥମେ ନିଜକୁ ସମାର୍ଜିତ କରେ, ଜନପଦକୁ ଆସେ ଏବଂ ବ୍ୟକ୍ତି ଓ ସମୂହର ଆତ୍ମଶକ୍ତିକୁ ଯାବତ୍ ଚନ୍ଦ୍ରାର୍କ ନିଜ ଆୟତ୍ତରେ ରଖିବାପାଇଁ ଉତ୍ସାହମାନଙ୍କୁ ପରିପାଳନ କରୁଥିବା ମଣିଷରୂପୀ ଦୈତ୍ୟମାନଙ୍କର ସେ ସାମ୍ନା କରେ । ସେମାନଙ୍କ ଅଭିମାନଗୁଡ଼ିକୁ ଭାଙ୍ଗେ । ସେ ଏକା ଏକା ଏହି ଭାଙ୍ଗଣ ପ୍ରକ୍ରିୟାରେ କେବଳ ମତ୍ତ ରୁହେନି, ଆପଣାର ସମଧର୍ମୀମାନଙ୍କୁ ମଧ୍ୟ ସାଥୀ କରିନିଏ । ଆହତମାନେ ଅବଶ୍ୟ ଅଭିଯାତ୍ରୀମାନଙ୍କୁ ଉତ୍ସାହର ପ୍ରତିବାଦ କରନ୍ତି । ସେମାନଙ୍କୁ ବିଦ୍ରୋହୀ ଆଖ୍ୟା ଦିଅନ୍ତି । ମାତ୍ର ସମୂହ ସମ୍ମୁଖରେ ଆତ୍ମସମର୍ପଣ କରିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥାଏ । ତେଣୁ ସମୂହର ଜାଗରଣ, ଗତିଶୀଳତା, ସଂଘର୍ଷ ଓ ସମାଧାନର ପ୍ରସଙ୍ଗ- କାଳ କାଳ ଧରି ଆହତ ଓ ପ୍ରତାରିତମାନଙ୍କ ଚେତନାକୁ ଆଲୋକିତ କରିବାର ଭୀତ୍ତିହୀନ ମାନସିକତାରେ ପ୍ରାଣବନ୍ତ । ଫ୍ରାନ୍ସ, ଋଷ୍, ଚୀନ୍, ଭିଏତ୍‌ନାମ ଆଦି ଦେଶର ସାହିତ୍ୟକୁ ଆମେ ଉପର୍ଯ୍ୟୁକ୍ତ ଆଦର୍ଶର ଉଦାହରଣ ଭାବରେ ଗ୍ରହଣ କରିପାରିବା । ମାତ୍ର ବିଗତ ପ୍ରାୟ ଏକ ଶହ ବର୍ଷ ମଧ୍ୟରେ ଆମେ ଯେଉଁ ଓଡ଼ିଆ ଗଳ୍ପକାରମାନଙ୍କୁ ଭେଟିଛୁ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ବ୍ୟକ୍ତିତ୍ୱ ବାସ୍ତବତଃ ଜାଗ୍ରତ ଓ ମୋହମୁକ୍ତ ତାହା ବିଶେଷ ଆଲୋଚନାର ପ୍ରସଙ୍ଗ ।

 

ମୋ ଉପକ୍ରମଣିକାରୁ କେହି ଭାବିବା ଉଚିତ ନୁହେଁ ଯେ ଓଡ଼ିଶାର ଗଳ୍ପକାରମାନଙ୍କ କୃତିରେ ସେମାନେ ବଞ୍ଚୁଥିବା ସମୟ ଓ ପରିବେଶର କଥା କୁହାଯାଇ ନାହିଁ । ଆମ ଗଳ୍ପଗୁଡ଼ିକରେ ସମୟର ସ୍ୱର ଓ ସମସ୍ୟାଗୁଡ଼ିକର ଚିତ୍ର ଅବଶ୍ୟ ରହିଅଛି । ସ୍ୱର ଓ ଛବିଗୁଡ଼ିକୁ ଏକତ୍ର କରି ଆମେ ସମାଜର ଇତିହାସ ମଧ୍ୟ ଲେଖିଦେଇ ପାରିବା । ସେହି ଇତିହାସ ପାଠକ, ଶ୍ରୋତା ଓ ଦର୍ଶକମାନଙ୍କୁ ମଧ୍ୟ ମୁଗ୍ଧ ଓ ପୁଲକିତ କରିବ । ବହି କରି ଥାକରେ ସାଇତି ରଖିବାକୁ ଇଚ୍ଛା ହେବ । ମାତ୍ର ଜଣେ ଅସଲ ଆଖିନେଇ ଚିତ୍ରଗୁଡ଼ିକୁ ଭେଦିବାର ପ୍ରୟାସ କଲେ କ୍ରାନ୍ତିଗୀତଗୁଡ଼ିକ ତାକୁ ଅଙ୍କରାନ୍ତି ଫଳ ପରି ବୋଧ ହେବ । ସେ ନିଶ୍ଚିତ ଭାବରେ ଅନୁଭବ କରିବ ଯେ ସେଗୁଡ଼ିକ ଅତି ଭାବାବେଗ ଜନିତ କ୍ଳାନ୍ତିର ସ୍ତୂପାୟନ । ସେଠି ମହାମାନ୍ୟ ସମସ୍ୟାମାନେ ସିଂହାସନାରୂଢ଼, ତେଣୁ ବେଗ ରହିତ-। ସେଠି ଲେଖକମାନେ ଅବଶ୍ୟ ଅଛନ୍ତି, ମାତ୍ର ସେମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଆପଣାହାତରେ ଅଙ୍କନ କରିଥିବା ଚିତ୍ରଗୁଡ଼ିକ ସହିତ ଭାବ ଜଗତରେ ଅସଂପୃକ୍ତ -ତେଣୁ ଅଂଗୀକାରହୀନ । ଯେଉଁ ଅଳପଙ୍କ ଚେତନାରେ ସମସ୍ୟା ଅତିକ୍ରମଣର ଦୁଃସାହସ ରହିଛି, ନିଶ୍ଚେତନ ସମୂହ, ସୁବିଧାବାଦୀ ନେତୃତ୍ଵ ଓ ବ୍ୟାଧିଗ୍ରସ୍ତ ସାମନ୍ତମାନଙ୍କ ଦୌରାତ୍ମ୍ୟରେ ସେମାନଙ୍କ ଗତି ଅବରୁଦ୍ଧ ଏବଂ ବ୍ୟକ୍ତିତ୍ୱ ଆହତ । ଆଲୋଚନା ପ୍ରସଙ୍ଗରେ ମୁଁ ବିଗତ ଶହେବର୍ଷର ଓଡ଼ିଆ ଗଳ୍ପସାହିତ୍ୟରେ ପ୍ରତିବିମ୍ବିତ ସମାଜ ବ୍ୟବସ୍ଥାର ଆଦୌ ଚାଟୁକାର ହେବି ନାହିଁ; ବରଂ ଏ ଜାତିର ମାନସିକ ଜଡ଼ତା ଭାଙ୍ଗି ସ୍ୱପ୍ନରେ ବିଭୋର ଓ ବିକଳ୍ପ ଅନ୍ୱେଷୀ ଗତିଶୀଳ ଚେତନାର ଉଦ୍‌ଗାତାମାନଙ୍କର କଥା ହିଁ କହିବି । ସମାଜର ଅନ୍ତଃରୂପର କଥା କହିବି ।

 

ଦୁଇ

 

ଊନବିଂଶ ଶତାବ୍ଦୀରେ ଆମେ ଯେଉଁ ଓଡ଼ିଶାକୁ ଦେଖିଛୁ, ଭାଷା ଓ ଶାସନ ଦୃଷ୍ଟିରୁ ତାହା ଏକ ବହୁଧା ବିଭକ୍ତ ଆୟତନ । ଗୋଟିଏ ପାଖରେ ଅଛନ୍ତି ଚବିଶ ଜଣ ମହାମହିମ ରାଜା, ମହାରାଜା-ଗୋସ୍ପଦତୁଲ୍ୟ ଚବିଶ ଗଡ଼ଜାତ ରାଜ୍ୟର ସେମାନେ ଈଶ୍ୱର । ଆଚରଣ ଓ ବିଚାରରେ ସେମାନେ ଶୋଷଣତନ୍ତ୍ରର ପ୍ରତିନିଧି - ପରାଧୀନ, ନିର୍ବୀଯ୍ୟ ଅଥଚ ବୃଷଭମନସ୍କ । ଭାରତର ସ୍ୱାଧୀନତା ଲାଭ ପରେ ମଧ୍ୟ ମାନସିକ ରୁଗ୍‌ଣତାରୁ ସେମାନେ ମୁକ୍ତ ହୋଇପାରି ନାହାନ୍ତି । ଅନ୍ୟ ଆୟତନ ଇଂରେଜମାନଙ୍କର ପ୍ରତ୍ୟକ୍ଷ ଶାସନାଧୀନ- ମୋଗଲବନ୍ଦୀ ନାମରେ ପରିଚିତ । ସେମାନେ ପୁଣି ବିଭିନ୍ନ ସମୟରେ ନାନା ପ୍ରଶାସନିକ ଓ ରାଜନୀତିକ କାରଣଯୋଗୁଁ ପଡ଼ୋଶୀ ବଙ୍ଗଳା, ବିହାର, ମାନ୍ଦ୍ରାଜ ଓ କେନ୍ଦ୍ର-ରାଜ୍ୟ ସହିତ ମଧ୍ୟ ସୂତ୍ରାୟିତ । ତେଣୁ ଗଡ଼ଜାତ ଓ ମୋଗଲବନ୍ଦୀ ଉଭୟ ଆୟତନରେ ବଞ୍ଚୁଥିବା ମଣିଷମାନଙ୍କର ସମସ୍ୟାଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ରହିବା ସ୍ଵାଭାବିକ । ତଥାପି ସମାଜ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି କୈନ୍ଦ୍ରିକ କେତେକ ନିର୍ଦ୍ଦିଷ୍ଟ ସମସ୍ୟା ଦ୍ୱାରା ଉଭୟ ଭୂମିର ମଣିଷମାନେ ସଂକ୍ରମିତ ହୋଇ ରହିଛନ୍ତି ।

 

ପଶ୍ଚିମ ଭାରତକୁ ଆସିଛି । ପ୍ରଥମେ କଲିକତା, ମାନ୍ଦ୍ରାଜ, ଦିଲ୍ଲୀ ଓ ବମ୍ବେ ଆଦି ସହରଗୁଡ଼ିକ ଇଂରେଜ ପ୍ରଶାସନର ପ୍ରଧାନ ପୀଠ ହୋଇଛି । ଆପଣାକୁ ଦେବଅଂଶୀ ଜ୍ଞାନ କରୁଥିବା ଗୋରାମାନଙ୍କୁ ଦେଶୀମାନଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ବିଷ୍‌ପିତା ଲାଗିଛି । ଜାତି ଓ ଧର୍ମକୁ କେନ୍ଦ୍ର କରି ପ୍ରାଚ୍ୟ ଭୂମିରେ ଗଢ଼ିଉଠିଥିବା ହଜାର ହଜାର ବର୍ଷର ପ୍ରାଣହୀନ ପାଚେରୀ ସେମାନଙ୍କୁ ଚକିତ କରିଛି । ସେମାନଙ୍କୁ ଦେଶୀ ଦେବତାମାନେ ଦୁଶିଛନ୍ତି -ସତ୍ୟର ଦୂରନ୍ତ ଶତ୍ରୁପରି ଏବଂ ପୁରୁଷ ପ୍ରଧାନ ସମାଜବ୍ୟବସ୍ଥାରେ ଦାସଠାରୁ ଅଧିକ ଦୟନୀୟ ଜୀବନ ବଞ୍ଚୁଥିବା ନାରୀମାନେ ସେମାନଙ୍କୁ କିମ୍ଭୂତ ବୋଧହୋଇଛନ୍ତି । ସେମାନେ ଭାରତୀୟ ସଂସ୍କୃତିର ପରିଚର୍ଚ୍ଚା କରିଛନ୍ତି । କାଳ କାଳ ଧରି ଭାରତର ସମାଜ ଜୀବନକୁ ଆଚ୍ଛନ କରି ରଖିଥିବା ଅନ୍ଧକାରର ଆଲୋକନ ପାଇଁ ସେମାନେ କେଜାଣି କାହିଁକି କେଉଁ ବିଶେଷ ଉତ୍ସାହ ଦ୍ଵାରା ପ୍ରଚୋଦିତ ହୋଇଛନ୍ତି କେଜାଣି ଆତ୍ମସମୀକ୍ଷା ପାଇଁ ଦେଶୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଶିକ୍ଷା ହୋଇଛି ଏହି ନବାୟନର ପ୍ରଧାନ ମାଧ୍ୟମ । ସତୀତ୍ୱ, ପତିଭକ୍ତି ଓ ସେବାଆଦି ବିଶେଷ ସାମନ୍ତବାଦୀ ଆଦର୍ଶବୋଧ ସଂକ୍ରମିତ ନାରୀତ୍ୱ ଏବଂ ଉଚ୍ଚବର୍ଣ୍ଣର କର୍ତ୍ତୃତ୍ୱବିସ୍ତାରୀ ମାନସିକତା ନିପୀଡ଼ିତ ଦଳିତମାନେ ମୁକ୍ତିକାମୀ ହୋଇଛନ୍ତି । ବଂଗଭୂମି ପ୍ରଥମେ ଜାଗ୍ରତ ପଶ୍ଚିମ ବିଚାରର ପ୍ରୟୋଗଶାଳା ହୋଇଛି ଏବଂ ବଙ୍ଗଳା ବାଟ ଦେଇ ପଶ୍ଚିମ ଆସିଛି ଓଡ଼ିଶାକୁ । ଓଡ଼ିଆ ସମାଜ ବଦଳିଛି ଏବଂ ସାମାଜିକମାନେ ଆପଣା ସଂସ୍କୃତିକୁ ବୁଝିବାକୁ ପ୍ରୟାସ କରିଛନ୍ତି । ମାତ୍ର ସେମାନେ ଆଧୁନିକତାର ଅନ୍ତଃସ୍କରଣରେ ଅନୁଭବ କରିବାରେ ଯେ ସମର୍ଥ ହୋଇଛନ୍ତି ଏହା ଆଜି ମଧ୍ୟ ଏକ ପ୍ରଶ୍ନ ହୋଇ ରହିଛି ।

 

ମୋ ବିବେଚନାରେ, ନାନା କାରଣରୁ ପଶ୍ଚିମ ଶିକ୍ଷା ମାଧ୍ୟମରେ ଆଲୋକିତ ଓଡ଼ିଶାର ନବଶିକ୍ଷିତମାନେ ନିଜ ବିଚାରର ଅନ୍ତରଂଗ ପୁରିଷ-ପୁଷ୍କରିଣୀଗୁଡ଼ିକୁ ଜମାରୁ ପର କରିପାରିନାହାନ୍ତି-। ଦାଣ୍ଡରେ ସେମାନେ ଅବଶ୍ୟ ନିଜ ନିଜକୁ ସଂସ୍କୃତାୟିତ ବୋଲି ଦାବି କରିଛନ୍ତି, ମାତ୍ର ଭିତର ଘରେ ସେମାନେ ସେଇ ନିଉଛୁଣା ବିଚାର ସହିତ ମିତ ଭାବକୁ ଅଧିକ ଘନ କରିଛନ୍ତି । ସାମନ୍ତବାଦ ପଶ୍ଚିମର ପୋଷାକ ପିନ୍ଧି, ପଶ୍ଚିମର ଭାଷା ତୁଣ୍ଡରେ ଧରି ଦେଶୀ ସମାଜ ଭିତରକୁ ଆସିଛି । ଦଣ୍ଡ ଓ ଖଟୁଲି ମନସ୍କ ହୋଇଛି । ଦେଶୀମାନଙ୍କ ଉପରେ ଦର୍ପ ପ୍ରକାଶିଛି । ଗୋରାପ୍ରଶାସକମାନଙ୍କ ବିଶ୍ଵସ୍ତ ଦାସ ରୂପରେ ଅହଂକାରକୁ ରାଜକୀୟ କରିଛି ଏବଂ ଉପନିବେଶବାଦୀମାନେ କେତେ ସୂତରରେ ନବଶିକ୍ଷିତ ଓ ଦେଶୀସାମନ୍ତମାନଙ୍କ ମାଧ୍ୟମରେ ନିଜ ନିଜର ଆବଶ୍ୟକତାମାନ ହାସଲ କରିନେଇଛନ୍ତି । ସମାଜ ସଂସ୍କାର, ଚେତନାର ଉନ୍‌ମୀଳନ, ପ୍ରଶାସନର ଲୋକାୟନ ଆଦି ଭାବାଦର୍ଶ ଅବଶ୍ୟ ଶିକ୍ଷିତମାନଙ୍କ ମଧ୍ୟରେ ବିଶେଷ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ମାତ୍ର ଭାରତର ଅଧିକ ସଂଖ୍ୟକ ଶିକ୍ଷିତଙ୍କ ପାଇଁ ଏହି ପଶ୍ଚିମ ଭାବାଦର୍ଶ ଅଳଂକାର ହୋଇଛି ସିନା, ଜୀବନ ହୋଇପାରିନାହିଁ । ପରବର୍ତ୍ତୀକାଳରେ ରାଜତନ୍ତ୍ର ଓ ସାମ୍ରାଜ୍ୟବାଦର ଶୋଷଣରୁ ଏ ଜାତି ଅବଶ୍ୟ ମୁକ୍ତ ହୋଇଛି ! ମାତ୍ର ନିଜକୁ ଆଲୋକିତ ବୋଲି ଦାବି କରୁଥିବା ଶିକ୍ଷିତ ସମୁଦାୟ ସାମନ୍ତବାଦର ଦୂଷଣମାନଙ୍କ ମିତ୍ରତ୍ୱକୁ ଅସ୍ୱୀକାର କରିପାରିନାହିଁ । ସହସ୍ର ଆନ୍ଦୋଳନର ଅପେକ୍ଷା ରଖିଥିବା ଏହି ବିଚିତ୍ର ବର୍ଷରେ ଅସଲ ଆହ୍ୱାନମାନେ ଭୂମିଗତ ହୋଇ ପାରି ନାହାନ୍ତି । ଭାରତୀୟମାନେ ଯେ ଚେତନାଲୋକରେ ତଥାପି ଅଜାଗ୍ରତ, ବର୍ତ୍ତମାନ କାଳର ଓଡ଼ିଆମାନଙ୍କ ଜୀବନଯାତ୍ରା ଆକଳନ ମାଧ୍ୟମରେ ଆମେ ତାହା ଅନୁଭବ କରିପାରିବା ଏବଂ ସାହିତ୍ୟକୁ ଯଦି ଜୀବନଗତିଶୀଳତାର ଅନ୍ୟତମ ଉପାଦାନ ଭାବରେ ଗ୍ରହଣ କରାଯାଏ, ଆମ କଥା ସାହିତ୍ୟରେ ତହିଁର ଉପସର୍ଗ କେତେ ମାତ୍ରାରେ ନିହିତ -ତତ୍ ସଂକ୍ରାନ୍ତରେ ନିର୍ମୋହ ବିଚାର କରିପାରିବା ।

 

ତିନି

 

ମୁଁ ପ୍ରଥମରୁ ଉଲ୍ଲେଖ କରିଛି - ଊନବିଂଶ ଶତାବ୍ଦୀ ନବ ଶିକ୍ଷିତମାନଙ୍କ ଚେତନାରେ ସମାଜ-ଶୋଧନ ମାନସିକତା ଭ୍ରୁଣାୟନର କାଳ । ବିଂଶଶତାବ୍ଦୀର ଚତୁର୍ଥ ଦର୍ଶକ ପର୍ଯ୍ୟନ୍ତ ଏହି ବିଚାର ସକ୍ରିୟ ରହିଛି । ଜାତି, ଧର୍ମ ଓ ନାରୀ କୈନ୍ଦ୍ରିକ ଯାବତୀୟ ସମସ୍ୟାର ସଂସ୍କାର ପାଇଁ ଆଧୁନିକମାନେ ଏକ ପ୍ରକାର ଚିତ୍‌କାର କରିଛନ୍ତି । ବିବରାମାନେ ପୁନର୍ବରା, ନିରକ୍ଷରାମାନେ ସାକ୍ଷରା ଓ ଅସ୍ପୃଶ୍ୟମାନେ ସ୍ପୃଶ୍ୟ ହୁଅନ୍ତୁ କି ନ ହୁଅନ୍ତୁ, ସମାଜ ଭାଷଣ ଓ କଲମ ମାଧ୍ୟମରେ ସମସ୍ୟା ସଂକ୍ରମିତମାନଙ୍କ ପାଇଁ ରାଜକୀୟ ରୀତିରେ ବିଳାପ କରିଛି ଏବଂ ନିବଶିକ୍ଷିତ ଅମଲାତନ୍ତ୍ରୀମାନେ ସାଧାରଣ ଜନତାର ଜାଗୃତି ଓ ସେବା ଆଳରେ ବେଳେବେଳେ ଆପଣା ପରିସରର ଅବଶିଷ୍ଟମାନଙ୍କୁ ‘ରଷ୍ଟିକ’ ଭାବରେ ବିବେଚନା କରିଛନ୍ତି । ଅଧିକାର ପ୍ରମତ୍ତ, ଶୋଷଣ ମନସ୍କ, ଉପଭୋଗ ପ୍ରବଣ, ବହୁ ଥାକୀ ଓ ବହୁରୂପୀ ଅମଲା ଏବଂ ଛକ-ସଂସ୍କାରକମାନଙ୍କ ସ୍ୱରୂପ ଉଦ୍‌ଘାଟନରେ ସାହିତ୍ୟିକମାନେ ଶ୍ରଦ୍ଧା ପ୍ରକାଶ କରିଛନ୍ତି । ଫକୀରମୋହନ ସେନାପତି, ଚନ୍ଦ୍ରଶେଖର ନନ୍ଦ, ନନ୍ଦକିଶୋର ବଳ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ଅନନ୍ତ ପ୍ରସାଦ ପଣ୍ଡା ଆଦି କଥାକାରଙ୍କ ସୃଷ୍ଟିରେ ଆମେ ଶୋଧନ ମାନସିକତା ଲକ୍ଷ୍ୟ କରିପାରିବା ଏବଂ ଏହି ସମୟଖଣ୍ଡ ମଧ୍ୟରେ ଗଳ୍ପକାରିତାକୁ ଆପଣେଇ ନେଇଥିବା ପ୍ରତିଭାମାନଙ୍କ ମଧ୍ୟରେ ଫକୀରମୋହନ ଯେ ଜଣେ ବ୍ୟତିକ୍ରମ - ଅନୁରୂପ ବିଚାରକୁ ମଧ୍ୟ ସ୍ୱୀକାର କରିବା ।

 

ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟର ଇତିହାସକାରମାନେ ଫକୀର ମୋହନଙ୍କୁ ମୁଖ୍ୟତଃ ଜଣେ ସମାଜ ସଂସ୍କାରକର ମାନ୍ୟତା ଦେଇଛନ୍ତି । ମାତ୍ର ମୋ ବିବେଚନାରେ ଜୀବନର ପରିଣତ ବୟସରେ ଗଳ୍ପକାରିତାରେ ହାତ ପାକଳ କରିଥିବା ଫକୀର ମୋହନ ଜଣେ ସାଧାରଣ ସମାଜ-ଶୋଧକ କି ତୁଛା ପ୍ରଚାର ମନସ୍କ, ବାବହୂକ ନୁହନ୍ତି, ସେମାନଙ୍କଠାରୁ ଅଧିକ କିଛି । ରେବତୀ, ଡାକମୁନ୍‌ସି, ପେଟେଣ୍ଟ ମେଡ଼ିସିନ୍, ରାଣ୍ଡିପୁଅ ଅନନ୍ତା, ସଭ୍ୟ ଜମିଦାର, ଧୂଳିଆବାବା, ମାଧ ମହାନ୍ତିଙ୍କ କନ୍ୟାସୁନା ଆଦି ଗଳ୍ପଗୁଡ଼ିକ ମାଧ୍ୟମରେ ଆମେ ତାଙ୍କ କଳା ପ୍ରାଣତାକୁ ଅନୁଭବ, କରିପାରିବା । ତାଙ୍କ ଗଳ୍ପଗୁଡ଼ିକରେ ବ୍ୟକ୍ତିର ଜୀବନ, ପ୍ରେମ ଓ ସମାଜଶୋଧନ ମାନସିକତା ଏତେ ସୂକ୍ଷ୍ମରୀତିରେ ସୂତ୍ରାୟିତ ହୋଇଛି ଯେ, ପାଠକ ସେଗୁଡ଼ିକୁ ପଢ଼ିଲା ବେଳେ ହସେ, କାନ୍ଦେ ଓ ହସକାନ୍ଦର ମିଶ୍ରରାଗ ଭିତରେ ବଂଚିବାର ସୁଆଦ ଅନୁଭବ କରେ । ପେଟରୁ କାଟି, ଭିଟାମାଟି ଓ ପତ୍ନୀଠାରୁ ଦୂରରେ ରହି ବକଟେ ମାତ୍ର ପୁଅକୁ ଡାକମୁନ୍‌ସି କରିଥିବା ହରି ସିଂ, ପୁଅଦ୍ଵାରା ଏକପ୍ରକାର ଲାଞ୍ଛିତ ହେବାପରେ ଗାଁକୁ ଫେରିଛି ଏବଂ ପତ୍ନୀ-ମନସ୍କ ଜୀବନ ବଞ୍ଚିଛି । ସୁରା ଓ ସାକୀଖୋର ପତିଦ୍ୱାରା ଅତ୍ୟନ୍ତ ଚତୁର ରୀତିରେ ପ୍ରତାରିତା ଜଣେ ନାରୀ ସୁଲୋଚନା ଝାଡ଼ୁରେ ଅବଶ୍ୟ ପ୍ରିୟତମ ଦେବତାକୁ ସମାର୍ଜିତ କରିଛନ୍ତି । ମାତ୍ର ପରକ୍ଷଣରେ ସ୍ୱାମୀଙ୍କ ଦେହ ଓ ମନର ସକଳ ଅବସାଦ ଓ ଯନ୍ତ୍ରଣାକୁ ସଫା କରିଦେଇଛନ୍ତି ଆଖିର ଲୁହ ଓ ହୃଦୟର ଆବେଗରେ । ଅବଶିଷ୍ଟ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହୋଇଛି । ହେଲୋ ଆଉ ହାଣ୍ଡସେକ୍‌ରେ ଶାଶୁଙ୍କୁ ପରିଚର୍ଚ୍ଚା କରୁଥିବା, ଗୋବର ପାଣିରେ ଲିପାପୋଛା ହୋଇ ଚିକ୍‌କଣ ଦିଶୁଥିବା ରୋଷେଇ ଓ ଠାକୁର ଘରକୁ ଦେଖି ନାଷ୍ଟି ନାଷ୍ଟି କହି ନାକ ଟେକୁଥିବା ଏବଂ ଚପଲମାଡ଼ି ଘର ଭିତରେ ଚଳପ୍ରଚଳ ହେଉଥିବା ଆପଣାର ମେମ୍ ସାହେବା ବୋହୂ ଏବଂ ଉଚ୍ଚଶିକ୍ଷିତ ସଭ୍ୟ ପୁଅଙ୍କୁ ସାଆନ୍ତାଣୀ ଅସ୍ୱୀକାର କରିଛନ୍ତି-। ଅରୁଚି ଓ ଅବିବେକିତାକୁ ଦୋସର କରିଥିବା ସୁଯୋଗ୍ୟ ଭବିଷ୍ୟତ ତାଙ୍କ ପାଇଁ ଅନାବଶ୍ୟକତା । ଝିଅଟିଏ ହୋଇ ପାଠ ପଢ଼ିବା ପରି ଏକ କୁକର୍ମ ଆଚରଣର ଅପରାଧରେ ରେବତୀକୁ ତା ଜେଜୀମା ଅନେକ ଝିଂଗାସିଛନ୍ତି । ହଇଜାରେ ସବୁଦିନପାଇଁ ହଜିଯାଇଥିବା ତା’ର ପୁଅ, ବୋହୂ ଓ ବାସୁଦେବ ନାମକ ତା ଭବିଷ୍ୟତର ନାତୁଣୀଜୋଇଁର ଅପମୃତ୍ୟୁ ପାଇଁ ସେ ପାଠପଢ଼ାକୁହିଁ ଦାୟୀ କରିଛନ୍ତି ଏବଂ ସମୟ ଆସିଛି ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ଓ ଔଷଧ ଅଭାବରେ ରେବତୀ ଓ ଜେଜୀମା’ ମରିବାକୁ ବାଧ୍ୟ ହୋଇଛନ୍ତି । ଆପଣା ଶରୀରର ଦର୍ପ ପ୍ରକାଶ କରି ଗାଁର ସକଳଙ୍କୁ ଆତଙ୍କିତ କରି ରଖିଥିବା ଗଜମୂର୍ଖ ଓ ହୁରୁମା ଭାବରେ ପରିଚିତ ଜଣେ ବାପଛେଉଣ୍ଡ ବୋକା ଅନନ୍ତା ନଈ ପାଣିର ତୋଡ଼ରୁ ହଜାର ହଜାର ଗ୍ରାମବାସୀଙ୍କୁ ରକ୍ଷା କରିବା ପାଇଁ ଘାଇ ମୁହଁରେ ଆଡ଼ ଦେଇ ଶୋଇପଡ଼ିଛି ଏବଂ ଅନ୍ୟମାନଙ୍କୁ ଆଦେଶ ଦେଇଛି ତା ଉପରେ ମାଟି ପକେଇବା ପାଇଁ । ସେ ଘାଇ ମୁହଁ ମାଟି ପେଟରେ ରହି ଅନେକଙ୍କୁ ଜୀବନ ଦେବାରେ ସମର୍ଥ ହୋଇଛି । ଅର୍ଥ ଲୋଭରେ ବୁଢ଼ା ବରମାନଙ୍କ ହାତରେ କନ୍ୟାମାନଙ୍କୁ ଛନ୍ଦି ଦେଉଥିବା ମାଧ ମହାନ୍ତିଙ୍କ ପରି ବାପାମାନଙ୍କୁ ସେମାନଙ୍କ ଝିଅ ମାଧ୍ୟମରେ ଫକୀରମୋହନ ସଦ୍‌ବୁଦ୍ଧି ଶିଖାଇଛନ୍ତି ଏବଂ ଭାଗ୍ୟ ଓ ଭଗବାନଙ୍କ ଦ୍ୱାହିଦେଇ ସାଧାରଣ ନିର୍ବୋଧ ଓ ସରଳ ଗ୍ରାମୀଣ ମଣିଷମାନଙ୍କୁ ଅର୍ଥପୂର୍ଣ୍ଣ ଭବିଷ୍ୟତର ସ୍ୱପ୍ନ ଦେଖାଉଥିବା ବାବା ବେଶୀ ଶଠମାନଙ୍କର ଜୀବନ ଯେ କେତେ କରୁଣ ଓ ଦୟନୀୟ ହୋଇପାରେ-ସେନାପତିଙ୍କ ‘ଧୂଳିଆବାବା’ ଗପ ତାହାର ଏକ ଚମତ୍‌କାର ଉଦାହରଣ ।

 

ଫକୀରମୋହନଙ୍କ ଗଳ୍ପକାରିତା ଭିତରେ ପାଠକ ଆବିଷ୍ଟ ହେବାର ପ୍ରଧାନ କାରଣ ସେ ଭେଟୁଥିବା ଚରିତ୍ରମାନେ ତା ବଞ୍ଚୁଥିବା ସମାଜରେ ଜୀବନ୍ତ ଓ ଗତିଶୀଳ ଏବଂ ଗଳ୍ପ ବର୍ଣ୍ଣିତ ଚରିତ୍ରମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ମଧ୍ୟ ତା ଆପଣାର, ତା ଅନୁଭବର । ସେ ଚରିତ୍ରମାନଙ୍କ ଜୀବନର ସଫଳତା ଅଥବା ବିଫଳତା ପାଇଁ, କରୁଣା ଦେଖାଇବା ପାଇଁ ସାମାନ୍ୟ ସୁଯୋଗ ପାଏନି-ସେମାନଙ୍କ ସହିତ ମିତ୍ରଟିଏ ହୋଇଯାଏ । ସେମାନଙ୍କ ସହିତ ହସେ ଓ କାନ୍ଦେ, ସ୍ଵପ୍ନବିଭୋର ହୁଏ । ଫକୀରମୋହନଙ୍କ ସୃଷ୍ଟି ସମୂହର ଏହି କାଳୋତ୍ତୀର୍ଣ ବିଭବର କାରଣ- ତାଙ୍କ ବ୍ୟକ୍ତିକ ଜୀବନର ଅନୁଭବ ଓ ସମାଜ ଜୀବନ ସହିତ ସଂପୃକ୍ତି । ବାଳୁତ କାଳରୁ ସେ ବଞ୍ଚିବାପାଇଁ ନିଜ ସହିତ ଓ ସମାଜ ସହିତ ଝଗଡ଼ି ଆସିଛନ୍ତି । ବାପ ମାଙ୍କୁ ହରାଇଛନ୍ତି । ଜେଜୀମା ହାତରେ ମଣିଷ ହୋଇଛନ୍ତି । ବ୍ରଜମୋହନ ନାଁରୁ ଫକୀର ମୋହନ ନାଁ ବି ପାଇଛନ୍ତି । ଏକାନ୍ନବର୍ତ୍ତୀ ପରିବାରର ସ୍ୱାର୍ଥପରତା ଓ ଅସନ୍ତୋଷର ମଧ୍ୟ ସାମନା କରିଛନ୍ତି । ଛୋଟ ପିଲା ଥିଲାବେଳେ ସମୁଦ୍ର କୂଳରେ ଅଝାଲ ସିଲେଇ କାମରେ ନିଯୁକ୍ତ ମଜୁରିଆମାନଙ୍କର ହିସାବ ରଖିଛନ୍ତି । ପାଠ ପଢ଼ିବାକୁ ଇସ୍କୁଲ୍ ଯାଇଛନ୍ତି । ମାତ୍ର ସେଠି ଅଧିକ କାଳ ବସିପାରିନାହାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା- ଆନୁଷ୍ଠାନିକ ଶିକ୍ଷାଗତ ପ୍ରମାଣପତ୍ର ନଥାଇ ମଧ୍ୟ ଭର୍ଣ୍ଣାକୁଲାର ସ୍କୁଲରେ ଶିକ୍ଷକତା କରିଛନ୍ତି । ଭଲ ଶିକ୍ଷକ ଭାବରେ ଗୋରା ପ୍ରଶାସନ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ବଙ୍ଗଳା, ଇଂରାଜୀ, ପାର୍ଶୀ, ଓଡ଼ିଆ ଭାଷାରେ ବିଶେଷ ଦକ୍ଷତା ଥିବାରୁ ଗୋରା ପ୍ରଶାସକମାନଙ୍କର ଶିକ୍ଷକ ହେବାର ବିରଳ ସୁଯୋଗ ମଧ୍ୟ ପାଇଛନ୍ତି ଏବଂ ଏହି ସୁଯୋଗ ପରବର୍ତ୍ତୀ କାଳରେ ଓଡ଼ିଶାର କେନ୍ଦୁଝର, ପାଲ୍‌ଲହଡ଼ା, ଢ଼େଙ୍କାନାଳ, ନୀଳଗିରି, ଦଶପଲ୍ଲା ଆଦି ଗଡ଼ଜାତ ମାହାଲରେ ଦେୱାନ୍, ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ତାଙ୍କୁ ଆସୀନ କରିଛି । ପତ୍ରିକା ଓ ଖବରକାଗଜ ପ୍ରକାଶନ ନିଶାରେ ଘାରିହୋଇ ପି.ଏମ୍.ଏଣ୍ଡ କୋ ନାମରେ ବାଲେଶ୍ଵରଠାରେ ମୁଦ୍ରାଯନ୍ତ୍ର ପ୍ରତିଷ୍ଠା କରିଛନ୍ତି । ବହି, ଖବର କାଗଜ, ପତ୍ରିକା ପ୍ରକାଶ କରିଛନ୍ତି ଏବଂ ଲେଖିଛନ୍ତି । ପଢ଼ାବହି ଲେଖିବା ଓ ଅନୁବାଦ କରିବାରେ ମଧ୍ୟ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ବିଦେଶୀ ଭାଷା ମାଧ୍ୟମରେ ଅବଶିଷ୍ଟ ପୃଥିବୀକୁ ଜାଣିବା, ମୋଗଲବନ୍ଦୀ ଓ ଗଡ଼ଜାତମାନଙ୍କରେ ପ୍ରଶାସନର ପ୍ରତିନିଧି ରୂପରେ କାର୍ଯ୍ୟ କରିବା ଯୋଗୁଁ ସାଧାରଣ ମଣିଷମାନଙ୍କ ପରାଧୀନ ଜୀବନର ଅବଶୋଷକୁ ଆପଣା ଆତ୍ମାରେ ଅନୁଭବ କରିବା, ଆପଣାକୁ ସମାଜ-ସଂସ୍କାରକ, ପଶ୍ଚିମାୟିତ ବିଶିଷ୍ଟ, ଜାତି ନନ୍ଦିଘୋଷର ରଥୀ ଓ ସାରଥି ବୋଲି ଦାବି କରୁଥିବା ଦେଶୀମାନଙ୍କର ନିକଟତମ ହେବା ଫଳରେ ସେ ସମକାଳୀନମାନଙ୍କ ଅନ୍ତଃରୂପ ଆବିଷ୍କରଣର ସୁଯୋଗ ପାଇଛନ୍ତି । ଶୋଷଣ ଯନ୍ତ୍ର ଭିତରେ ପରିପୂର୍ଣ୍ଣ ବିଳାସ-ମଳକୁ ଠାବ କରିପାରିଛନ୍ତି ଏବଂ ଅନ୍ୟ ଜାତୀୟତାବାଦୀମାନଙ୍କ ପରି ନିଜ ଅସନ୍ତୋଷକୁ ମୃଦୁଭାବରେ ପ୍ରକାଶ କରିଛନ୍ତି । (୧) ବ୍ରାହ୍ମ, ଖ୍ରୀଷ୍ଟିଆନ, ହିନ୍ଦୁଧର୍ମର ପ୍ରବକ୍ତାମାନଙ୍କ ପରି ସମାଜଶୋଧନର କଥା କହିଲାବେଳେ ଆତ୍ମ-ଉତ୍ସାହର ଚାଟୁ କରିନାହାନ୍ତି, ଆପଣା ସାଂସ୍କୃତିକ ମୂଲ୍ୟବୋଧର ନିର୍ଯାସକୁ ଖୋଜିଛନ୍ତି । ମୂଲ୍ୟବୋଧ ମାଧ୍ୟମରେ ସମାଜ ଜୀବନରେ ଗ୍ରହୀତବ୍ୟ ଓ ପରିତ୍ୟଜ୍ୟ ପ୍ରସଂଗ ଚର୍ଚ୍ଚା କରିଛନ୍ତି । ପଶ୍ଚିମ-କୈନ୍ଦ୍ରିକ ଆଧୁନିକତା ଓ ପୂର୍ବକୈନ୍ଦ୍ରିକ ରକ୍ଷଣଶୀଳତା-ଉଭୟ ତାଙ୍କ ବିଚାର ଓ ବିଶ୍ଳେଷଣର ବିଷୟ ହୋଇଛି । ସୁଲୋଚନା, ରେବତୀ, ହରିସିଂ, ସା’ନ୍ତାଣୀ, ସିଂହାଣୀ, ବଗଲାବଗୁଲୀ ଆଦି ଚରିତ୍ରମାନଙ୍କ ମାଧ୍ୟମରେ ସେ ନିଜ ଗଭୀର ଶୋଧନ ଦୃଷ୍ଟିକୁ ପ୍ରକାଶ କରିଛନ୍ତି । ସେ ଅନୁଭବ କରିଛନ୍ତି -ସହିଷ୍ଣୁତା ଓ ନିରବ ପ୍ରତିବାଦ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର । ଯିଏ ସକଳ ଯନ୍ତ୍ରଣାକୁ ଆତ୍ମସ୍ଥ କରି ଜାଣେ, ସେହି ହିଁ କେବଳ ଅନ୍ୟକୁ ଭଲପାଏ ଏବଂ ତା ଲୁହ ସଜଳ ମୁହଁ ଦୁଶେ ଭାରି ହସକୁରା । ତାହାର ଏ ନିରବତା ଅନ୍ୟକୁ ଅବଶ୍ୟ କାଟେ, ମାତ୍ର ତାକୁ ପରମୁହୂର୍ତ୍ତରେ ହସାଏ ଓ ତାପାଇଁ ପ୍ରେରଣା ହୋଇଯାଏ । ଏହାହିଁ ଫକୀରମୋହନଙ୍କ ଆବିଷ୍କୃତ କଳା-ମୋଦକ-ହସ, ଲୁହ ଓ ଶୋଧନ ରସରେ ପରିପ୍ଳୁକ୍ତ, ଯାହା ପାଠକର ଅନ୍ତର୍ଲୋକକୁ ଉଦ୍ଦୀପିତ ଓ ଗତିଶୀଳ କରାଏ । (୨)

 

ଊନବିଂଶ ଶତାବ୍ଦୀରେ ଓଡ଼ିଶା ଭୋଗୁଥିବା ଧର୍ମ, ଜାତି, ଶିକ୍ଷା, ଭାଷା, ସମାଜବ୍ୟବସ୍ଥା ଓ ଶାସନଗତ ବ୍ୟାଧି ଅବଶ୍ୟ ବିଂଶ ଶତାବ୍ଦୀର ପ୍ରଥମ ଦୁଇତିନି ଦଶକରେ ସାମାନ୍ୟ ଉପଶମର ସୁଯୋଗ ପାଇଛି । ମାତ୍ର ତାହା ମୁଖ୍ୟତଃ ଉଚ୍ଚବର୍ଗ ଓ ସହରୀ ମଣିଷମାନଙ୍କ ରୁଚି ଓ ବିଳାସର ବିତ୍ତ ହୋଇଛି । ଉନ୍ନତ ବିଚାରଗୁଡ଼ିକ ସତେ ଯେମିତି ମଫସଲୀ ହେବାକୁ ଭୟ କରିଛନ୍ତି । ଫକୀରମୋହନ ଏବଂ ତାଙ୍କ ଭାବାଦର୍ଶ ଅନୁଗାମୀ କେତେକ କଥାକାର ସେହି ପରିବର୍ତ୍ତିତ ବିଚାରକୁ ହିଁ ରୂପ ଦେଇଛନ୍ତି ଆପଣାର ସୃଷ୍ଟିଗୁଡ଼ିକରେ । ପ୍ରଧାନତଃ ନାରୀମାନଙ୍କ ସମସ୍ୟା ହିଁ ସେମାନଙ୍କ ଆବେଗକୁ ଆଲୋଡ଼ିତ କରିଛି । ନନ୍ଦକିଶୋର ବଳଙ୍କ ବହୁଚର୍ଚ୍ଚିତ ଗଳ୍ପ ‘ଲକ୍ଷ୍ମୀ’; କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭୁଲ, ବୁଢ଼ାବର, ପରିଣାମ, ପ୍ରଜାପତିଙ୍କ ଅଭିଶାପ; ଅନନ୍ତ ପ୍ରସାଦ ପଣ୍ଡାଙ୍କ ଅତୃପ୍ତ ବାସନା, ଅର୍ଥର ମୋହ, ଛତ୍ରଖାଈ ଏବଂ ଚିନ୍ତାମଣି ମହାନ୍ତି ଓ ଗୋଦାବରୀଶ ମହାପାତ୍ରଙ୍କ କେତେକ ଗଳ୍ପରେ ଆମେ ନାରୀ ଜୀବନର ଅସହାୟତା ଅନୁଭବ କରୁ-। ସେମାନଙ୍କ ବିଚାର ପାଠକର ବିବେକକୁ ଉଚ୍ଚକିତ କରିବାର ପ୍ରଧାନ କାରଣ-ସେମାନଙ୍କ ସୃଷ୍ଟି ସମକାଳୀନ ସମାଜ ବ୍ୟବସ୍ଥା ଓ ଆପଣା ବ୍ୟକ୍ତିକ ଜୀବନାନୁଭବର ଅଛଦ୍ମ ସମବାୟ । ସେମାନେ କେହି ସମୟ ସ୍ରୋତରେ ଭାସି ଯାଇନାହାନ୍ତି । ସ୍ରୋତକୁ ଆକଟ କରି ଠିଆ ହୋଇଛନ୍ତି-। ବ୍ରାହ୍ମମାନଙ୍କ ସମାଜ ଶୋଧନ କୈନ୍ଦ୍ରିକ ଛଳ ଆଦର୍ଶବୋଧ, ସମାଜ ସଂସ୍କାରକମାନଙ୍କ ସମାଜ ଅସଂପୃକ୍ତି ଓ ବୌଦ୍ଧିକ ମନ୍ତବ୍ୟ ଏବଂ ଜାତ୍ୟାଭିମାନୀମାନଙ୍କର ଜାତିଆଣ କୈନ୍ଦ୍ରିକ ହୁଂକାର ଯେ କେବଳ ରବ-ସର୍ବସ୍ଵ ତେଣୁ ଦିବା ଅଭିସାରବତ୍ କ୍ଳାନ୍ତିକର- ଏହା ସେମାନେ ଅନୁଭବ କରିଛନ୍ତି । ପ୍ରତିବାଦୀ ହୋଇଛନ୍ତି । ଆମମାନଙ୍କ ପାଖରେ ପ୍ରତିରୋଧର ପରିଣତି ଓ ତାହାର ବିକଳ୍ପ ଗୁଡ଼ିକ ସଂକ୍ରାନ୍ତରେ ସଂକେତ ଦେଇଛନ୍ତି । ଫଳତଃ ସେମାନଙ୍କ କଥାଗୁଡ଼ିକ ସମାଜର ସ୍ଥୂଳ ଛବି ପରିବର୍ତ୍ତେ ହୋଇଛି ସମାଜ-ପରିବର୍ତ୍ତନ ମାନସିକତାର କାବ୍ୟିକ ଇସ୍ତାହାର ।

 

ସବୁଠାରୁ ଆଶ୍ଚର୍ଯ୍ୟର କଥା, ସମକାଳରେ ଓଡ଼ିଆ ଭାଷା-ଭାଷୀ ଅଞ୍ଚଳର ବିଶିଷ୍ଟମାନେ ଆତ୍ମ ପରିଚିତି ପାଇଁ ଏକ ସ୍ଵତନ୍ତ୍ର ରାଜନୀତିକ ଆୟତନର ଆବଶ୍ୟକତା ଅନୁଭବ କରିଛନ୍ତି । ବାରମ୍ବାର ବିହାର, ବଂଗଳା, ମାନ୍ଦ୍ରାଜ ଓ କେନ୍ଦ୍ର ରାଜ୍ୟ ସହିତ ସେମାନଙ୍କ ପ୍ରାଶାସନିକ ଶୋଷଣର ପ୍ରତିବାଦ କରିଛନ୍ତି । ଇଂରେଜ ସରକାରଙ୍କ କରୁଣା ପ୍ରାର୍ଥୀ ବି ହୋଇଛନ୍ତି । ସେମାନେ ଯେ ବାସ୍ତବତଃ ଆନ୍ଦୋଳିତ, ଏହା ପ୍ରମାଣ କରିବା ଉଦ୍ଦେଶ୍ୟରେ ପ୍ରତିବାଦକୁ ସଂଗଠାନାୟିତ କରିଛନ୍ତି ଏବଂ ଏହାର ନାମ ରଖିଛନ୍ତି ‘ଓଡ଼ିଆ ଆନ୍ଦୋଳନ’ । (୩) ଉତ୍କଳ ସମ୍ମିଳନୀ ନାମକ ଏକ ଅନୁଷ୍ଠାନ ଆନ୍ଦୋଳନର ନେତୃତ୍ୱ ନେଇଛି । ମାତ୍ର ସେମାନଙ୍କ ଆନ୍ଦୋଳିତ ମାନସିକତାକୁ ଗତିଶୀଳ କରିବା ପାଇଁ କଥାକାରମାନେ ବିଶେଷ ଉତ୍ସାହ ପ୍ରକାଶ କରିନାହାନ୍ତି । ନିଜକୁ ବାରମ୍ବାର ରାଜଭକ୍ତ ଦାବି କରୁଥିବା ଏକ ଜାତି, ଆନ୍ଦୋଳନ ନୁହେଁ, ସେବା ଓ ଭକ୍ତି ମାଧ୍ୟମରେ ଆପଣା ପଣକୁ ହାସଲ କରିବା ପାଇଁ ସତେ ଅବା ବିଳାପ କରିଛି । ସେମାନେ ସାଧାରଣ ମଣିଷମାନଙ୍କ ପାଖକୁ ସେମାନଙ୍କ ସମସ୍ୟା ଓ ସମସ୍ୟା ସମାଧାନର ବିକଳ୍ପ ମାଧ୍ୟମଗୁଡ଼ିକୁ ସାଥିରେ ନେଇ ଯାଇ ନାହାନ୍ତି-। ବହୁତମାନେ ଆନ୍ଦୋଳନ ସଂପର୍କରେ ସାମାନ୍ୟ ସୁରାକ ମଧ୍ୟ ପାଇନାହାନ୍ତି ଏବଂ ଯେଉଁ ଅଳପ ଆନ୍ଦୋଳନ ମଞ୍ଚକୁ ଅପେକ୍ଷା କରିଛନ୍ତି-ସେଠି ଦେଖିଛନ୍ତି ପଲେ ମଂଚାସୀନ ପ୍ରଜାପୀଡ଼କ ଓ ବିଳାସୀ ନପୁଂସକ । ସେମାନେ ପ୍ରକୃତ ଓଡ଼ିଶା ପାଖକୁ ଯାଇ ନାହାନ୍ତି ଅଥଚ ଓଡ଼ିଶାର ନେତୃତ୍ୱ ନେବା ପାଇଁ ବୀର ଦର୍ପରେ ଆପଣା ଆପଣା ସହିତ ଖଟୁଲି-କୈନ୍ଦ୍ରିକ ଝଗଡ଼ାରେ ଧନ୍ଦି ହୋଇଛନ୍ତି-। ହଁ, ଆମ ଗଳ୍ପରେ ଓଡ଼ିଆମାନଙ୍କର ସ୍ୱାଭିମାନ କୈନ୍ଦ୍ରିକ ସମସ୍ୟାମାନେ ଅବଶ୍ୟ ସ୍ତୂପାୟିତ ହୋଇଛନ୍ତି । ମାତ୍ର ସ୍ତୂପମାନେ ମଣିଷମାନଙ୍କ ବିଚାର ଓ ବିବେକକୁ ଆଲୋକିତ କରିପାରିନାହାନ୍ତି । ଇଂରେଜମାନଙ୍କ ଅପାର କରୁଣାରୁ ୧୯୩୬ ମସିହାରେ ଓଡ଼ିଆମାନେ ଓଡ଼ିଶା ନାମରେ ଏକ ଭାଷା ଭିତ୍ତିକ ରାଜନୀତିକ ଆୟତନ ପାଇଛନ୍ତି । ମାତ୍ର ବିଶିଷ୍ଟମାନଙ୍କ ଉଚ୍ଛିଷ୍ଟ ଓ ଅନୁକଂପା ଯେ ଏକ ଜାତିର ପଶ୍ଚାତଗତିର କାରଣ ହୋଇଥାଏ- ଆଧୁନିକ ଓଡ଼ିଶାକୁ ଆମେ ଏହି ବିଚାରର ଏକ ସାର୍ବକାଳିକ ଉଦାହରଣ ଭାବରେ ଗ୍ରହଣ କରିପାରିବା ।

 

ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଆମେ ମହାତ୍ମା ଗାନ୍ଧି ନାମରେ ପରିଚିତ ଜଣେ ମଣିଷକୁ ଭେଟୁ । କେବଳ ଭାରତ ବର୍ଷର ରାଜନୀତି ନୁହେଁ, ସମାଜ ପରିବର୍ତ୍ତନ ଓ ବିକାଶ ପ୍ରକ୍ରିୟାରେ ସେ ବିଚାର ଓ ପ୍ରେରଣାର ଉତ୍ସ । ଭାରତୀୟମାନଙ୍କ ଚେତନାରେ ଭାରତୀୟତାର ବୀଜାୟନ ପାଇଁ ସେ ବିଶେଷ ରାଜନୀତିକ ଓ ସାଂସ୍କୃତିକ ଆନ୍ଦୋଳନର ସ୍ୱପ୍ନ ଦେଖିଛନ୍ତି ଏବଂ ବିଚାରକୁ ଗତିଶୀଳ କରିବା ପାଇଁ ମାନବୀୟ ଆହ୍ୱାନ ଦେଇଛନ୍ତି । ଏକ ‘ବର୍ଷର’ ସଂସ୍କୃତି ଓ ବିଶ୍ଵର ଆଧୁନିକ ବିଚାର-ଉଭୟକୁ ମିତ କରି ଭିତିହୀନ ରୀତିରେ ପାଦ ପକାଇଛନ୍ତି । ଜାତୀୟ ଜୀବନକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ସମାଜର ସବା ତଳେ ବଞ୍ଚୁଥିବା ମଣିଷମାନଙ୍କର ଭୂମିଗତ ସମସ୍ୟାଗୁଡ଼ିକର ଭିତରକୁ ସେ ଭେଦିଛନ୍ତି । ‘ଅସ୍ପୃଶ୍ୟ’ ପରି ଅମର୍ଯ୍ୟାଦାଜନକ ଭାବରେ ପରିଚିତ ମଣିଷମାନଙ୍କୁ ସେ ‘ହରିଜନ’ କହିଛନ୍ତି । ନିଜ ବିଚାରର ମୁଖପତ୍ରର ନାଁ ବି ‘ହରିଜନ’ ରଖିଛନ୍ତି ଏବଂ ସେହି ହରିଜନମାନଙ୍କୁ ଦେବତାମାନଙ୍କର ଘର ‘ମନ୍ଦିର’ ଭିତରକୁ ପ୍ରବେଶ ଅଧିକାର ଦେବାପାଇଁ ସବର୍ଣ୍ଣମାନଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରକୃତ ବୈଷ୍ଣବର ପରିଚୟ ଖୋଜି ଖୋଜି ସେ ମଧ୍ୟଯୁଗୀୟ ସଂଥ କବି ନରସିଂହଙ୍କ ପାଖରେ ପହଞ୍ଚିଛନ୍ତି ଏବଂ ତାଙ୍କ ଲିଖିତ ‘ବଇଷ୍ଣବ ଜନ ତୋ ତେନ କହିୟେ’ ଗୀତକୁ ଜୀବନର ମନ୍ତ୍ର କରିଛନ୍ତି । ଭାରତୀୟ ସମାଜ, ଅର୍ଥ ବ୍ୟବସ୍ଥା ଓ ସାଂସ୍କୃତିକ ଜୀବନର ପରିମଳୀକରଣ ଉଦ୍ଦେଶ୍ୟରେ କୁଟୀର ଶିଳ୍ପ, ପଂଚାୟତରାଜ, ସମବାୟ ଯୋଜନା, ଅମଲାଗଜଣ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ, ନାରୀଶିକ୍ଷା, ପୌଢ଼ଶିକ୍ଷା ଆଦି ନାନା ପ୍ରସଂଗର ସାଂସ୍କୃତିକ ବ୍ୟାଖ୍ୟା କରିଛନ୍ତି । ରାଜନୀତିକ ସ୍ଵାଧୀନତା ଲାଭ ଏବଂ ତାହାକୁ ସବୁଜ ରଖିବା ପାଇଁ ଏକ ଜାତିର ଆର୍ଥିକ ସ୍ୱାବଲମ୍ବନଶୀଳତା ଓ ମାନସିକ ସ୍ୱାଧୀନତା ଯେ ଏକାନ୍ତ ଅପରିହାର୍ଯ୍ୟ, ତାହା ସେ ଅନୁଭବ କରିଛନ୍ତି । ସ୍ୱାଧୀନତା ଆନ୍ଦୋଳନକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ‘ଅହିଂସା' ନାମକ ଏକ ଅଭିନବ ସଂସ୍କୃତି ଅସ୍ତ୍ର ଓ ‘ଚରଖା’ ନାମକ ଯନ୍ତ୍ର ମଧ୍ୟ ଆବିଷ୍କାର କରିଛନ୍ତି । ସେ ଓଡ଼ିଶାକୁ ବି ଆସିଛନ୍ତି । ଓଡ଼ିଆମାନଙ୍କୁ ଭାରତୀୟତା ଓ ବିଶ୍ୱ ପ୍ରୀତି ଭାବ ସହିତ ସୂତ୍ରାୟିତ ହେବାରେ ତାଙ୍କ ପ୍ରେରଣା ମଧ୍ୟ କ୍ରିୟାଶୀଳ ରହିଛି ଏବଂ ଆମ ଗପ ଲେଖକମାନଙ୍କ ରଚନାରେ ପଥର- ମଣିଷମାନଙ୍କର ପୁନର୍ଜୀବନାୟନର କଥା ପ୍ରକାଶିତ ହୋଇଛି । ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ଅନଂତ ଚରଣ ପଣ୍ଡା, ନିତ୍ୟାନନ୍ଦ ମହାପାତ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀ, ସରଳା ଦେବୀ, ରାମପ୍ରସାଦ ସିଂ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଆମେ ପ୍ରତିବାଦୀ ଓଡ଼ିଆମାନଙ୍କର ପ୍ରତିନିଧି ରୂପରେ ଗ୍ରହଣ କରିପାରିବା ।

 

ଆମେ ଦେଖୁ- ଯନ୍ତ୍ରର ଦାନବୀୟତାକୁ ସାମ୍ନା କରି ନପାରି ମାଗୁଣିମାନଙ୍କର ଶଗଡ଼ ଓ ବଳଦମାନେ ବିଳାପ କରିଛନ୍ତି (ମାଗୁଣିର ଶଗଡ଼) । ସଭ୍ୟତାର ଦୌରାତ୍ମ୍ୟରେ ଆତଙ୍କିତ ଓ ଚକିତ ଗୋପୀସାହୁମାନଙ୍କର ଦୋକାନଗୁଡ଼ିକ ମଧ୍ୟ ତ୍ରାହି ତ୍ରାହି ଡାକିଛନ୍ତି (ଗୋପୀ ସାହୁର ଦୋକାନ) । ବିଚାରୀ ରଂଗଣୀମାନେ ଫିରିଙ୍ଗୀମାନଙ୍କ ଶାସନରେ ଗଂଧ ତୈଳ, ଲୁଣ ଓ ଲୁଗା ପାଇଁ ନବ୍ୟ ସାହୁକାରମାନଙ୍କ କରୁଣାର ପାତ୍ରୀ ହୋଇଛନ୍ତି (ରଂଗଣୀର ସଂସାର) । କନ୍‌ଟ୍ରୋଲର ଅନ୍ୟଭାଷା ଯେ ବିଳାପୋତେଇ ଏବଂ ଆପଣାକୁ ସଂଗ୍ରାମୀ ମଣୁଥିବା ଦେଶୀମାନେ ଯେ ଏହି ବିଶେଷ ବିଦ୍ୟାରେ ବିଶାରଦ, ସେମାନଙ୍କ ଫିସାଦୀକୁ କଥାକାରମାନେ ଦାଣ୍ଡକୁ ଆଣିଛନ୍ତି । ଅନନ୍ତ ଚରଣ ପଣ୍ଡା ଆପଣାର ଅଧିକାଂଶ ଗପରେ ମଣିଷର ଅର୍ଥନୀତିକ ଓ ସାମାଜିକ ଦୁଃସ୍ଥିତି ପାଇଁ କିଏ ଦାୟୀ ବୋଲି ତଥାକଥିତ ସଭ୍ୟମାନଙ୍କୁ ପ୍ରଶ୍ନ କରିଛନ୍ତି । ସକଳ କଥାକାରଙ୍କ ମଧ୍ୟରେ ଅଧିକ ଭାବପ୍ରବଣ ହୋଇଛନ୍ତି ଗୋଦାବରୀଶ ମହାପାତ୍ର । ପଲ୍ଲୀଛାୟା, ଗଳ୍ପ ନୁହେଁ, ଏ ମଣିଷକୁ ପଥର କଲା କିଏ, ଏବେ ମଧ୍ୟ ବଂଚିଛି ଆଦି ପ୍ରାୟ ପ୍ରତ୍ୟେକ ସଂକଳନରେ ଓଡ଼ିଶାର ସାମାଜିକ ଓ ରାଜନୀତିକ ସମସ୍ୟାଗୁଡ଼ିକର କଥା କହିଛନ୍ତି । ସମସ୍ୟା ସମାଧାନର ବିକଳ୍ପ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ଓଡ଼ିଆ ପାଠକମାନେ ଗୋଦାବରୀଶ ମହାପାତ୍ରଙ୍କ ଦୁଇଟି ଟଙ୍କା, ମାଗୁଣିର ଶଗଡ଼, ଶବ ସଂସ୍କାର, ଜାତିର ଧକ୍‌କା, ପଟ୍ଟନାୟକେ- ପଇସାଟିଏ, ହରିସାହୁର ଗାନ୍ଧିଟୋପି ଆଦି ଗପଗୁଡ଼ିକର ଚରିତ୍ରମାନଙ୍କୁ ଆଜି ବି ମନେପକାନ୍ତି । ଗୋଦାବରୀଶ ମିଶ୍ର ନାରୀମାନଙ୍କ ସମସ୍ୟା ସଂକ୍ରାନ୍ତରେ ଅଧିକ ସଚେତନ । ପରଦାସୀନ, ତୋଳାକନ୍ୟା, ନାରୀର ଗତି, ପାଷାଣର ଭାଷା, ସାବତ ପୁଅ, ବଡ଼ପୁଅ, ରେବତୀର ଶବ ଆଦି ଗଳ୍ପଗୁଡ଼ିକରେ ନାରୀ ଶିକ୍ଷା, ଯୌତୁକ ପ୍ରଥା ଓ ଅନ୍ଧବିଶ୍ୱାସ ସଂପର୍କରେ ଚର୍ଚ୍ଚା କାଳରେ ଗାନ୍ଧିଙ୍କ ନାରୀ-ମୁକ୍ତି ବିଚାରର କଥାଇ କହିଛନ୍ତି । କାଳିନ୍ଦୀ ଚରଣଙ୍କ ଜୟହିନ୍ଦ୍, ପଂଗୁ, ରେଙ୍ଗୁନଯାତ୍ରା, ମାଂସର ବିଳାପ, ନିୟତିର କ୍ରୀଡ଼ା, ଚକ ବୁଲୁଥାଏ ଆଦି ଗଳ୍ପଗୁଡ଼ିକର ଭାବଭୂମି କ୍ଷୟିଷ୍ଣୁ ସାମନ୍ତବାଦ, କର୍ମହୀନ ଓଡ଼ିଆମାନଙ୍କର ବଞ୍ଚିବା ପାଇଁ ବିଦେଶଯାତ୍ରା ଓ ଜାତୀୟ ଜୀବନରେ ଅନ୍ତଃସାରଶୂନ୍ୟ ବର୍ତ୍ତମାନ । ଜାତି ଓ ଧର୍ମ କୈନ୍ଦ୍ରିକ ବିଶ୍ୱାସ ଯେ ସାମନ୍ତବାଦୀ ଚକ୍ରାନ୍ତର ଫଳଶ୍ରୁତି ଏବଂ ଆଧ୍ୟାତ୍ମ ଅନୁଭବର ପରିପନ୍ଥୀ- ଗାନ୍ଧିଙ୍କ ଧର୍ମ କୈନ୍ଦ୍ରିକ ଏହି ଜୀବନ ଦୃଷ୍ଟି ଚିନ୍ତାମଣି ମହାନ୍ତି (ଦାର୍ଶନିକ ପଣ୍ଡିତ), ଗୋଦାବରୀଶ ମହାପାତ୍ର (ଦେବତାର ବିଧାତା, ଜାତିର ଧକ୍‌କା, ନୀଳମାଷ୍ଟ୍ରାଣୀ), ଅନନ୍ତ ପ୍ରସାଦ ପଣ୍ଡା (ଦେଖିଲା କାମ, ଆମ ଗାଁ ଠାକୁରାଣୀଙ୍କ ଆଜ୍ଞା, ଦିନକର ଅନୁଭୂତି), ଗୋଦାବରୀଶ ମିଶ୍ରଙ୍କ ବହୁ ଗଳ୍ପରେ ପ୍ରତିଫଳିତ ହୋଇଛି । ସାଧାରଣ ମଣିଷ ଅବଶ୍ୟ ଗାନ୍ଧିଙ୍କୁ ବୁଝିଛି, ତାଙ୍କୁ ମହାମାନବ ଭାବରେ ଗ୍ରହଣ କରିଛି ; ମାତ୍ର କେଜାଣି କାହିଁକି ସେମାନଙ୍କ ଚେତନାରେ ଅଂକୁରିତ ଅଧ୍ୟାତ୍ମ ବୀଜ ମାଟିରେ ଚେର ଧରି ପାରିନି । ଅସମୟରେ ସୁକୁଟି ଯାଇଛି । ଓଡ଼ିଆମାନେ ନା ଓଡ଼ିଶା, ନା ଭାରତ, କାହାକୁ ଗତିଶୀଳ କରିବାରେ ସମର୍ଥ ହୋଇପାରିନାହାନ୍ତି । ନେତୃସ୍ଥାନୀୟମାନଙ୍କ ଭିତରେ ରାଜନୀତିକ ଇଚ୍ଛାଶକ୍ତି ଓ ଆତ୍ମବଳର ଅଭାବ ଓ ଛଳ-ଆଦର୍ଶବାଦ ସତେ ଯେମିତି ସାମାଜିକ ଆନ୍ଦୋଳନକୁ ଶକ୍ତି ଓ ଗତିହୀନ କରିଦେଇଛି ।

 

ବିଂଶ ଶତାବ୍ଦୀର ତୃତୀୟ ଓ ଚତୁର୍ଥ ଦଶକରେ, ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରେ ଆମେ କାର୍ଲମାର୍କସ, ମାଓ-ସେ-ତୁଂଗ, ହୋ-ଚି-ମିନ୍, ଲେଲିନ୍‌ଙ୍କ ପରି ସମାଜବାଦୀ ଚିନ୍ତାନାୟକମାନଙ୍କୁ ଭେଟିଛୁ । ଭାରତୀୟ ଜାତୀୟ କଂଗ୍ରେସ ମଞ୍ଚରେ ମଧ୍ୟ ତରୁଣମାନେ ସମାଜବାଦୀ ଚିନ୍ତାଧାରାର କଥା କହିଛନ୍ତି, ଗୋଷ୍ଠୀ ଗଢ଼ିଛନ୍ତି । ଜବାହାରଲାଲ ନେହେରୁ ଏହି ଗୋଷ୍ଠୀର ନେତୃତ୍ୱ ନେଇଛନ୍ତି । ସେମାନଙ୍କ ଉଦ୍ୟମରେ ଶ୍ରମିକ ଓ କୃଷକ ସଂଗଠନମାନ ମଧ୍ୟ ଜନ୍ମ ନେଇଛି । ନେତୃସ୍ଥାନୀୟମାନେ ପ୍ରଜା ଓ ଶ୍ରମିକମାନଙ୍କୁ ଜମିମାଲିକ, ସାମନ୍ତ, ରାଜା ଓ ଶିଳ୍ପପତିମାନଙ୍କ ବିରୋଧରେ ପ୍ରତିବାଦ କରିବାକୁ ପ୍ରବର୍ତ୍ତାଇଛନ୍ତି । ଓଡ଼ିଶାରେ ସମାଜବାଦୀ ଭାବାଦର୍ଶର ସାରଥି ହୋଇଛନ୍ତି ଭଗବତୀ ଚରଣ ପାଣିଗ୍ରାହୀ । ଗୌରାଙ୍ଗ ଚରଣ ଦାସ, ନବକୃଷ୍ଣ ଚୌଧୁରୀ, ପ୍ରାଣନାଥ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈଷ୍ଣବ ଚରଣ ପଟ୍ଟନାୟକ, ଶ୍ରୀମତୀ ମାଳତୀ ଦେବୀ ଚୌଧୁରୀ ଏବଂ ଆହୁରି ଅନେକଙ୍କୁ ସେ ସାଥୀ ଭାବରେ ପାଇଛନ୍ତି । ନବକୃଷ୍ଣ ଓ ମାଳତୀ ଦେବୀଙ୍କ ଉଦ୍ୟମରେ ସାରଥି (୧୯୩୩) ଓ କୃଷକ (୧୯୩୮) ନାମରେ ଦୁଇଗୋଟି ପତ୍ରିକା ପ୍ରକାଶ ପାଇଛି । ସେମାନେ ପତ୍ରିକା ମାଧ୍ୟମରେ କୃଷକ ଓ ଶ୍ରମିକମାନଙ୍କୁ ସଂଗଠିତ ହେବାକୁ ଆହ୍ୱାନ ଦେଇଛନ୍ତି । (୪) ଚୀନ, ସୋଭିଏତ ଗଣରାଜ୍ୟ, ଭିଏତନାମ ଆଦି ଦେଶଗୁଡ଼ିକର ରାଜନୀତିକ ଓ ସାମାଜିକ ପରିବର୍ତ୍ତନ ପ୍ରକ୍ରିୟାରେ ଗଣ ଓ ଗଣ ସାହିତ୍ୟର ଭୂମିକା ସଂପର୍କରେ ଚର୍ଚ୍ଚା କରିଛନ୍ତି । ଭଗବତୀ ଚରଣଙ୍କ ଉଦ୍ୟମରେ ପ୍ରତିଷ୍ଠିତ ହୋଇଛି ‘ନବଯୁଗ ସାହିତ୍ୟ ସଂସଦ’ । ସେ ‘ଆଧୁନିକ’ ନାମକ ସାହିତ୍ୟ ପତ୍ରିକା (୧୯୩୬) ମଧ୍ୟ ପ୍ରକାଶ କରିଛନ୍ତି (୫) ଏବଂ କାଳିନ୍ଦୀ ଚରଣ ପାଣିଗ୍ରାହୀ ‘ଆଧୁନିକ’ର ପ୍ରଥମ ପୃଷ୍ଠାରେ ପତ୍ରିକା ପ୍ରକାଶନ ଓ ସଂଗଠନ ଗଠନର ଆଭିମୁଖ୍ୟ ସଂକ୍ରାନ୍ତରେ ସକଳଂକ ବିଚାରର ଚର୍ଚ୍ଚା କରିଛନ୍ତି । ପତ୍ରିକା, କିନ୍ତୁ, ବାଳରିଷ୍ଟ ନ କଟୁଣୁ ମରଣକୁ ସ୍ୱୀକାର କରିଛି ।

 

ଭଗବତୀ ଚରଣ କେବଳ ସଂଗଠକ ନୁହଁନ୍ତି, ସ୍ରଷ୍ଟା ବି ଥିଲେ । ସେ ମାତ୍ର ଆଠଟି ଗପ ଲେଖିଛନ୍ତି । ସେଗୁଡ଼ିକ ମଧ୍ୟରେ ‘ଶିକାର’ ଓ ‘ଦା ଓ ହାତୁଡ଼ି’ ଦୁଇଗୋଟି ସ୍ଵତନ୍ତ୍ର ସୃଷ୍ଟି । ଏଗୁଡ଼ିକୁ ସମାଜବାଦୀ ବିଚାର ଆଧାରିତ କଳାତ୍ମକ ସୃଷ୍ଟି ଭାବରେ ଗ୍ରହଣ କରାଯାଇପାରେ । ଘିନୁଆ ନାମକ ଆଦୀବାସୀ, ପଶୁ ନୁହେଁ, ଜଣେ ମଣିଷ ଶିକାର କରିଛି । ସେହି ମଣିଷ ଜଣକ ସାହୁକାର- ଯିଏ ତାପରି ମଣିଷମାନଙ୍କର ଶ୍ରମ ଓ ସଂପତ୍ତି ନେଇଛି । ସେ ସାହୁ କରଣ ସକଳସହିଛି, ମାତ୍ର ଯେତେବେଳେ ସେହି ମଣିଷ ଜଣଙ୍କ ତା ପତ୍ନୀ-ମନସ୍କ ହୋଇଛି, ଘିନୁଆ ଭିତରେ ଶୋଇଥିବା ପୌରୁଷ ପ୍ରତିବାଦୀ ହୋଇଛି । ଟାଙ୍ଗିଆରେ ସେହି ମଣିଷର ରୂପ ଭିତରେ ହେଣ୍ଟାଳୁଥିବା ବାଘକୁ ହତ୍ୟା କରିଛି । ମଣିଷର କଟାମୁଣ୍ଡ ହାତରେ ଧରି ଏକା ନିଃଶ୍ଵାସକେ ପହଞ୍ଚିଛି ଗୋରା ସରକାରଙ୍କ ପାଖରେ । ବାଘ ହତ୍ୟାକାରୀ ଭାବରେ ତାକୁ ପୁରସ୍କୃତ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛି ଏବଂ ଜଣେ ମଣିଷମରାର ଫଳ ବି ପାଇଛି । ଘିନୁଆ ଆଦିବାସୀ - ସରଳ, ମୂର୍ଖ । ଏତେ ସରଳ ଯେ, ମଣିଷ ମାରିବା ଯେ ଏକ ଅପରାଧ, ସେ ତାହା ଜାଣିନି । ଯେଉଁ ଗବେଷକମାନେ ଘିନୁଆକୁ ସମାଜବାଦୀ ବିଚାର-ପରିଚାଳିତ ଜଣେ ପ୍ରତିବାଦୀ ରୂପରେ ବିବେଚନା କରନ୍ତି, ସେମାନଙ୍କୁ ନିର୍ଭୁଲ କହିବା ନିରାପଦ ନୁହେଁ । ଘିନୁଆର ପ୍ରତିବାଦର ପ୍ରଧାନ କାରଣ ତାର ଶ୍ରମ ଓ ରକ୍ତର ଶୋଷଣ ନୁହେଁ - ତା ସ୍ଵପ୍ନ ଓ ପ୍ରେମ ପ୍ରତି ପ୍ରତାରଣା ବା ଚଞ୍ଚକତା । ତେଣୁ, ଭଗବତୀଙ୍କ ଗପକୁ ଜଣେ ସରଳ ପ୍ରାଣର ପ୍ରତାରଣା ବିରୋଧରେ ପ୍ରତିବାଦ କୁହାଯାଇପାରେ - ଯାହାର ବିଚାରରେ ମଣିଷ ଓ ପଶୁ ପ୍ରାୟତଃ ଏକଜାତୀୟ ଜୀବ । ଏକଥା ଆମେ ଅବଶ୍ୟ ସ୍ୱୀକାର କରିବା ଯେ, ଅର୍ଥ ଓ କ୍ଷମତା ଶକ୍ତି ମଣିଷ ଭିତରେ କୁହୁଳୁଥିବା ଦେହ ଭୋଗର ନିଆଁକୁ ଉଚ୍ଚକିତ କରେ । ଫ୍ରାନସ, ଋଷରେ ସଂଘଟିତ ରାଷ୍ଟ୍ରବିପ୍ଲବ ମୂଳରେ ସେହି ପ୍ରମୁଖ ଉପାଦାନ ଗୁଡିକ ହିଁ କ୍ରିୟାଶୀଳ ରହିଛି ଏବଂ ଅର୍ଥ ଓ ଶାସନ ଶକ୍ତିର ଯାବତୀୟ ଅପଚାରରେ ପଶୁବତ୍ ଜୀବନ ବଞ୍ଚୁଥିବା ସମୂହ ସଂଗଠିତ-ପ୍ରତିବାଦ ବି କରିଛି । ସଚେତନ ମଣିଷମାନେ ବ୍ୟକ୍ତି ଜୀବନକୁ ନିୟନ୍ତ୍ରଣ କରୁଥିବା ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ବ୍ୟବସ୍ଥାଗୁଡ଼ିକର ପରିଶୋଧନ ମାଧ୍ୟମରେ ଶୋଷଣମୁକ୍ତ ସମାଜ ଗଠନ ପାଇଁ ଜନ ସମୁଦାୟକୁ ହିଁ ସାଥୀ କରିଛନ୍ତି । ଭଗବତୀ ଚରଣ ସେମିତି ସ୍ୱପ୍ନମାନ ଦେଖିଛନ୍ତି ଏବଂ ସେହି ସ୍ୱପ୍ନମାନେ ପଶ୍ଚିମରୁ ହିଁ ଆସିଛନ୍ତି । (୬) ସମ୍ଭବତଃ ଅହିଂସା ଆନ୍ଦୋଳନର ସ୍ୱପ୍ନକୁ ସାମ୍ନା କରିବା ଏବଂ ବିପ୍ଳବର ନୂଆ ଭାବାଦର୍ଶ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଜଣେ ଆଦିବାସୀକୁ ମିତ୍ର କରିଛନ୍ତି । ତେଣୁ ଏହି ଗପକୁ ନିଶ୍ଚିତ ଭାବରେ ଆମେ ଏକ ଦୁଃସାହସ କହିପାରିବା - ଯାହା ଆମ ଭିତରେ ଅନେକ ସମ୍ଭାବନା ସୃଷ୍ଟିର କାରଣ ହୋଇଛି । ମାତ୍ର ଭଗବତୀ ଚରଣ ଆମ ପୃଥିବୀରେ ଅଧିକ କାଳ ବଞ୍ଚି ନାହାନ୍ତି । ତାକୁ ଅକାଳ ବିୟୋଗ (୧୯୦୮-୧୯୪୩) ଆମକୁ ଅନେକ ସମ୍ଭାବନାରୁ ବଂଚିତ କରିଛି ।

 

ସବୁଠାରୁ କୌତୂହଳର ପ୍ରସଂଗ-ପଶୁବଳି, ଜାତିଭେଦ ଆଦି ଧର୍ମ ଓ ଜାତିକୈନ୍ଦ୍ରିକ ଉତ୍କଟ ସମସ୍ୟା, ଗୃହପାଳିତ ପଶୁପରି ବଞ୍ଚୁଥିବା ନାରୀମାନଙ୍କର ବୈକଲ୍ୟ ଏବଂ ଗଡ଼ଜାତର ଅନ୍ଧାରୀ ମୂଲକରେ ରାଜା ମହାରାଜାମାନଙ୍କ ବର୍ବରୋଚିତ ଅପଶାସନରେ ଦାସପରି ବଞ୍ଚୁଥିବା ନିପୀଡ଼ିତମାନଙ୍କ ପ୍ରାଣରେ ନବଜୀବନର ସଂଚାର ପାଇଁ କଥାକାରମାନଙ୍କ କଲମରେ ତେଜ ପ୍ରକାଶି ନାହିଁ । ଶ୍ରୀ ପାଣିଗ୍ରାହୀ ଯେଉଁ ଭାବାଦର୍ଶ ପ୍ରତିଷ୍ଠା ପାଇଁ ଆମ ଆପଣା ପାଖରେ ପ୍ରତିଶ୍ରୁତିବଦ୍ଧ ଥିଲେ, ତାହାକୁ ଗତିଶୀଳ କରିବାକୁ ସେ କିମ୍ବା ସମକାଳୀନ ସ୍ରଷ୍ଟାମାନେ ଶ୍ରଦ୍ଧାଶୀଳ ହୋଇ ନାହାନ୍ତି । ଓଡ଼ିଆ ଗଳ୍ପକାରିତାର ଏହି ନବ ନିଦାନ ସତେ ଯେପରି ତାଙ୍କ ପରେ ତେଜ ହରେଇଛି ।

 

ଗତ ଶତାବ୍ଦୀର ଚତୁର୍ଥ ଓ ପଞ୍ଚମ ଦଶକରେ ଆମେ ଅବଶ୍ୟ ସମାଜବାଦୀ ବିଚାରପୁଷ୍ଟ ଅନେକ ମଣିଷଙ୍କୁ ଭେଟିଛୁ । ସେମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ରାଉତରାୟ, ମନମୋହନ ମିଶ୍ର, ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ରାମପ୍ରସାଦ ସିଂ, ମନୋଜ ଦାସ ଆଦି କଥାକାର ଜଣେ ଜଣେ ବହୁ ଆଲୋଚିତ ବ୍ୟକ୍ତିତ୍ଵ । ଭାରତରେ ପ୍ରତିଷ୍ଠିତ ପ୍ରଗତିଶୀଳ ଲେଖକ ସଂଘ (ପି.ଇ.ଏନ୍.) ସହିତ ସେମାନଙ୍କ ମଧ୍ୟରୁ କେତେକ ସୂତ୍ରାୟିତ ହୋଇଛନ୍ତି । ସାମ୍ୟବାଦୀ ବିଚାରକୁ ଆଧାର କରି ଗଣ ସାହିତ୍ୟ ଶୀର୍ଷକରେ ଶ୍ରୀମତୀ ସରଳା ଦେବୀ, ଶ୍ରୀ ଗୋପୀନାଥ ମହାନ୍ତି, ଶ୍ରୀ ସଚ୍ଚି ରାଉତରାୟ, ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଳ, ଶ୍ରୀ ରାମପ୍ରସାଦ ସିଂହ, ଶ୍ରୀ ସୁରେନ୍ଦ୍ର ନାଥ ଗୋସ୍ୱାମୀ, ଶ୍ରୀ ଗୋବିନ୍ଦ ତ୍ରିପାଠୀ ଆଲୋଚନାମାର ଲେଖିଛନ୍ତି । (୭) ସଚ୍ଚି ରାଉତରାୟଙ୍କ ଅନ୍ତରଙ୍ଗ (୧୯୩୩), ରିକ୍ସାବାଲା (୧୯୩୬), ଆଙ୍ଗୁଠି (୧୯୩୭), ଅନ୍ଧାରୁଆ (୧୯୪୦), ରଜା ପୁଅ (୧୯୪୦), ହାତ (୧୯୪୧), ଗୋପୀନାଥ ମହାନ୍ତିଙ୍କ କାଉ କୋଇଲି (୧୯୩୭), ଘାସ ଫୁଲ (୧୯୪୭), ନିତ୍ୟାନନ୍ଦ ମହାପାତ୍ରଙ୍କ ଗରିବର ଦେବତା, ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଧାତୁର, ଫଗୁଦାସଙ୍କ କୋଠାତଳେ,ଏ ମଣିଷକୁ ପଥର କଲା କିଏ, ଦେବତାର ବିଧାତା, ମନମୋହନ ମିଶ୍ରଙ୍କ ଆଖିର ଦାଗ, ଚାବିବାଲା (୧୯୪୭), ବଡ଼-ଲୋକ ଛୋଟ-ଲୋକ, ମହାରାଜା (୧୯୪୬), ରଘୁନାଥ ଦାସଙ୍କ ଯାତ୍ରା ପଥେ, ଗଛ ତୁ କାହିଁକି ମଲୁ ଆଦି ଗପ ସମାଜବାଦୀ ବିଚାରପୃଷ୍ଟ ଗୋଟିଏ ଗୋଟିଏ ସଫଳ ସୃଷ୍ଟି । ରାଜକିଶୋର ପଟ୍ଟନାୟକ ମୂକ, ପଶୁ, ଜୀବନର ମାୟା, ବଣ ବିରାଡ଼ି ଆଦି ଗପରେ ପ୍ରତୀକାତ୍ମକ ରୀତିରେ ମଣିଷର ଅସହାୟତାର କଥା କହିଛନ୍ତି । ମାତ୍ର କେଜାଣି କାହିଁକି ଅନେକ ଶକ୍ତିଶାଳୀ ଗଳ୍ପକାର ଅତ୍ୟନ୍ତ ସଚେତନ ଭାବରେ ଆପଣା ଜୀବନକୁ ସମାଜନିଷ୍ଟ ବିଚାରର ପ୍ରୟୋଗଶାଳା କରିବାକୁ କୁଣ୍ଠିତ ହୋଇଛନ୍ତି । କେତେକ ପ୍ରଶାସନର ଚାଟୁକାର ହୋଇଛନ୍ତି ଓ କେତେକ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି ରାଜନୀତିକୁ ଏକ ଅର୍ଥକରୀ ଫସଲ ଜ୍ଞାନ କରି ଦଳବଦଳ ପ୍ରକ୍ରିୟାରେ ପ୍ରମତ୍ତ ରହିଛନ୍ତି ଏବଂ ସମାଜବାଦର ଖୋଳ ପିନ୍ଧି ସାମନ୍ତବାଦ ସହିତ ରତି କରିଛନ୍ତି । ଅନ୍ୟ କେତେକ ତରୁଣ ସରକାର ଏବଂ ଶିଳ୍ପପତିମାନଙ୍କ ଅପାଦମୁକ୍ତ ଛାତ ତଳେ ଆପଣା ଆପଣାର ହାକିମାତି କସିଛନ୍ତି । ବସ୍ତୁତଃ ଅକର୍ମାମାନଙ୍କର ଭବ୍ୟ ଆୟତନ ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନ ସଦା ବାୟବୀୟ ହୋଇ ରହିଛି ଏବଂ ସମାଜବାଦ ବିଚାରପୁଷ୍ଟ କଥାକାରମାନେ ଗତିରହିତ ହୋଇଛନ୍ତି ।

 

ଏଠାରେ ପ୍ରସଙ୍ଗକ୍ରମେ ସଚ୍ଚି ରାଉତରାୟ, ମନମୋହନ ମିଶ୍ର, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ ଆଦି କଥାକାରମାନଙ୍କ ନାମୋଲ୍ଲେଖ କରାଯାଇ ପାରେ । ଏମାନେ ପ୍ରତ୍ୟେକ ସମାଜର ଦଳିତ ଜନଗଣ ଓ ଅନ୍ଧବିଶ୍ୱାସୀମାନଙ୍କ ପାଇଁ ଲେଖା ମାଧ୍ୟମରେ ବିଳାପ କରିଛନ୍ତି । ସଚ୍ଚ ରାଉତରାୟଙ୍କ ମାଟିର ତାଜ, ମଶାଣିର ଫୁଲରେ ସଂକଳିତ ଗପ ଆଜି ମଧ୍ୟ ପାଠକମାନଙ୍କୁ ଆବିଷ୍ଟ କରୁଛି । ସୁରେନ୍ଦ୍ର ମହାନ୍ତିଙ୍କ କୃଷ୍ଣଚୂଡ଼ା, ମହାନଗରୀର ରାତ୍ରୀ, ମରାଳର ମୃତ୍ୟୁ, ମନୋଜ ଦାସଙ୍କ ବିଷକନ୍ୟାର କାହାଣୀ, ସାମୁଦ୍ରିକ, ଶେଷ ବସନ୍ତର ଚିଠି, ଲକ୍ଷ୍ମୀର ଅଭିସାରରେ ସଂକଳିତ ବହୁ ଗଳ୍ପ ସେମାନଙ୍କ ସମସ୍ୟା ସଚେତନ ଓ କ୍ରାନ୍ତିକାରୀ ମାନସିକତାର ପ୍ରତିନିଧିତ୍ୱ କରୁଛନ୍ତି । ମାତ୍ର ମୋର ମନେହୁଏ ସଂକଳନସ୍ଥ ଅଧିକ ସଂଖ୍ୟକ ଗପ ସାମାଜିକ ସମସ୍ୟାଗୁଡ଼ିକର ଚାରୁଚିତ୍ର ହୋଇ ରହିଯାଇଛନ୍ତି । ପାଠକମାନଙ୍କ ଚେତନାରେ ସମାଜର ବହୁପତିମାନଙ୍କ ବିରୋଧରେ ପ୍ରତିବାଦ ଓ ପ୍ରତିକ୍ରିୟା ସୃଷ୍ଟି କରିପାରି ନାହାନ୍ତି । ଓଡ଼ିଶା ମାଟିରେ ପ୍ରଗତିବାଦୀ ଆନ୍ଦୋଳନର ବୀଜ ଅଙ୍କୁରିତ ହୋଇ ଚେର ଧରିପାରି ନଥିବା ପରି ନିଜକୁ ସଂକ୍ରାନ୍ତି ପୁରୁଷ ଦାବି କରୁଥିବା ମହାନ୍‌ମାନେ ଆପଣାର କଳାକାମିନୀମାନଙ୍କ ବରଅଂଗମାନଙ୍କୁ ଆନ୍ଦୋଳନ- ଅଳଂକାର ବହୁଭୂଷିତା କରି, ବାରନାରୀ ପରି ବଜାର ବୁଲେଇଛନ୍ତି । ସେମାନଙ୍କୁ ସାଧବମାନଙ୍କ ଅଙ୍କଶାୟିନୀ କରି ନିଜ ନିଜ ବପୁକୁ ବିପୁଳ କରିଛନ୍ତି ଏବଂ ବିଚରା ପଲ ଫତୁରିଖୋରିମାନଙ୍କୁ ଜଳ ଜଳ ଅନିଷା କରି ରହିବାକୁ ବାଧ୍ୟହୋଇଛି ।

 

ହଁ, ଏହା ଅବଶ୍ୟ ସତ୍ୟ, ଆମ କଥା ସାହିତ୍ୟର ପେଡ଼ି ଭିତରକୁ ରେଙ୍ଗୁନ୍, କାଳିମାଟି, କଲିକତା, ଆସାମର ଚା’ ବଗିଚା ଓ ସୁରତର ସୂତା ଓ ଲୁଗାକଳମାନଙ୍କୁ ପିମ୍ପୁଡ଼ି ପରି ଧାଡ଼ି ଛୁଟିଥିବା କୁଲି, ଦିନମଜୁରିଆ, ଭାଗ୍ୟ ଓ ଭଗବାନ ନିର୍ଭର ଅସହାୟ କୃଷକ, ସାମାଜିକ ନ୍ୟାୟ ଓ ଅଧିକାର ବଂଚିତ ଅସ୍ପୃଶ୍ୟ ଓ ଅବଳା ଏବଂ ଯାବତୀୟ ଅନ୍ଧବିଶ୍ୱାସକୁ ବନ୍ଧୁ କରିଥିବା ଅତିବିଶ୍ୱାସୀମାନେ ଆସିଛନ୍ତି । କଥାକାରମାନେ ସତମୁଖରେ ସେମାନଙ୍କର ସମସ୍ୟା ଗାନ ବିଭୋର ହୋଇଛନ୍ତି । ମାତ୍ର ପ୍ରକୃତ ଜୀବନରେ ସେମାନେ କ’ଣ ଜନତା ଭାଂଗଣ ଅଭିଯାତ୍ରାରେ ନିଜ ନିଜକୁ ସାମିଲ୍ କରିଛନ୍ତି ? ଏହି ଗୁରୁପ୍ରଶ୍ନର ଉତ୍ତର କେବଳ ସେହିମାନେ ହିଁ ଦେଇପାରିବେ ।

 

ଚାରି

 

୧୯୩୦ରୁ ୧୯୫୦ ମସିହା ମଧ୍ୟରେ ଓଡ଼ିଶା ଏବଂ ଭାରତର ରାଜନୀତିକ ଇତିହାସରେ ବହୁ ପରିବର୍ତ୍ତନର ସ୍ୱର ଶୁଭିଛି । ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ ଦିନ ଆପଣା ପାଇଁ ଏକ ସ୍ୱତନ୍ତ୍ର ରାଜନୀତିକ ଆୟତନ ଦାବି କରି ଆସୁଥିବା ରାଜଭକ୍ତ ବୀର ଓଡ଼ିଆମାନେ ଫିରିଙ୍ଗି ଶାସକଙ୍କ ଅପାର କରୁଣାରୁ ଖଣ୍ଡିଆ ଫଳଟିଏ ପାଇ କୃତାର୍ଥ ହୋଇଛନ୍ତି । ଭାରତ ମଧ୍ୟ ତା’ର ବହୁ ଆକାଂକ୍ଷିତ ସ୍ୱାଧୀନତା ପାଇଛି-ରାଜନୀତିକ ସ୍ୱାଧୀନତା । ମାତ୍ର ଯେଉଁ ସ୍ୱାଧୀନତା ବୋଧ ବ୍ୟକ୍ତି ଓ ସମୂହର ଜୀବନକୁ ଭବିଷ୍ୟତ ସ୍ଵପ୍ନରେ ବିଭୋର କରେ, ଗତିରେ ତାତି ଦିଏ, ଓଡ଼ିଆମାନେ ତାହାର ସୁଆଦ ଅନୁଭବ କରିପାରି ନାହାନ୍ତି । ଉପନିବେଶବାଦୀମାନଙ୍କ ଉପଭୋଗ ଓ ଶୋଷଣର ଉପଚାରଗୁଡ଼ିକରେ ସଂକ୍ରମିତ ସେମାନଙ୍କ ମଗଜ ସତେ ଯେମିତି ଅଜଗର ପାଲଟି ଯାଇଛି । ବିବେକାନନ୍ଦ, ଶ୍ରୀ ଅରବିନ୍ଦ, ଗାନ୍ଧି ଏବଂ ଗୋପବନ୍ଧୁଙ୍କ ପରି ଚିନ୍ତାନାୟକମାନଙ୍କର ବିଚାର ଓ ଆଦର୍ଶକୁ ସେମାନେ ଜୀବନପଥରୁ ଦୂର କରି ଦେଇଛନ୍ତି । ବ୍ୟକ୍ତି ଓ ପଲର ସ୍ୱପ୍ନ ଓ ସଂପତ୍ତିକୁ ଜୂର ଓ ଉପଭୋଗ କରିବା ସେମାନଙ୍କ ଜୀବନର ଏକମାତ୍ର ଆଦର୍ଶ ହୋଇଛି । ଅଧିକ ସଂଖ୍ୟକ ସ୍ୱାଧୀନତା ସଂଗ୍ରାମୀ କ୍ଷମତା-ରାଜନୀତି-ରଂକ ହୋଇଛନ୍ତି । ଏପରିକି ତୁଣ୍ଡରେ ସମାଜବାଦର ନାରା ଦେଉଥିବା ବିପ୍ଳବୀମାନେ ଶାସନ, ଅର୍ଥ ଓ ସମାଜ ବ୍ୟବସ୍ଥାକୁ ଆପଣାର ଅନ୍ତଃପୁରମାନଙ୍କର କିଂକରୀ କରି ରଖିଛନ୍ତି । ଅତୀତରେ ବହୁପତ୍ନୀକତାର ନିଂଦାଗାନ କରୁଥିବା ନବ- ସାମନ୍ତମାନେ ସକଳ ରାଷ୍ଟ୍ରିୟ ବ୍ୟବସ୍ଥା ଉପରେ ନିଜ ନିଜର ଭର୍ତ୍ତାତ୍ୱ ଜାହିର କରିଛନ୍ତି ଏବଂ ଦିଶାହୀନ ଜନ ସମୁଦାୟ ସ୍ୱୀକାର କରିଛନ୍ତି ଛଳସେବକମାନଙ୍କର ରାଜକୀୟ ଅଭିସାରକୁ । ନିଜ ନିଜକୁ ବୁଦ୍ଧିଜୀବୀ, ବିବେକୀ, ସୁପଠ, କ୍ରାନ୍ତଦର୍ଶୀ ଦାବି କରୁଥିବା ସଭ୍ୟ ଶିକ୍ଷିତମାନେ ସାମନ୍ତମାନଙ୍କ ସିଂହାସନତଳେ ଯୋଡ଼ହସ୍ତ ହୋଇ କରୁଣ କଣାଏ ଲାଭ ପାଇଁ କେତେ ନିଉଛାଳି ହୋଇଛନ୍ତି ଏବଂ ସବଠାରୁ ମଜାକଥା ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ହେଉଛନ୍ତି ବିଚାରୀ ସରସ୍ୱତୀଙ୍କ ବିଶ୍ୱସ୍ତ ସେବକ । ସେମାନଙ୍କର ଜ୍ଞାନକୋଷରେ ସତେ ଯେପରି ସରସ୍ୱତୀ ବିପ୍ଳବିଣୀ ନୁହନ୍ତି, ବିକୃତିମାନଙ୍କର ପରିଚର୍ଚ୍ଚାକାରିଣୀ ବିନୋଦିନୀ । ଯେଉଁ ଅଳପମାନେ କ୍ରାନ୍ତି ସହିତ ପରିଣୀତ ହୋଇଛନ୍ତି ସରସ୍ୱତୀଙ୍କୁ ସଖୀ କରିଛନ୍ତି- ସେହି ସଂଖ୍ୟାଲଘୁମାନଙ୍କୁ ଅତ୍ୟନ୍ତ ରାଜକୀୟ ରୀତିରେ ନବ- କୁଣ୍ଡଳଧାରୀମାନେ ରାଜ୍ୟରୁ ବିତାଡ଼ନ କରିଛନ୍ତି । ସମାଜ ମଧ୍ୟ ସେହି ନିର୍ବାସିତମାନଙ୍କୁ ଚିହ୍ନିବାର ସୁଯୋଗ ପାଇନାହିଁ । ଭର୍ତ୍ତାମାନଙ୍କ କର୍ତ୍ତୃତ୍ୱ ସେମାନଙ୍କୁ ନିଶ୍ଚିହ୍ନ କରିଦେଇଛି । ଓଡ଼ିଶା ଭୂମିରେ ଅଧିକ ସଂଖ୍ୟକ ଗଳ୍ପକାରଙ୍କୁ ଆମେ ଉପର୍ଯ୍ୟୁକ୍ତ ଆଦର୍ଶର ଧ୍ୱଜାଧାରୀ ରୂପରେ ଗ୍ରହଣ କରିପାରିବା ।

 

୧୯୫୦ରୁ ୮୦ ମସିହା ମଧ୍ୟରେ ଯେଉଁ ଶକ୍ତିଶାଳୀ କଥାକାରମାନଙ୍କୁ ଆମେ ଓଡ଼ିଶାରେ ଭେଟିଛୁ, ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକଙ୍କ ଜନ୍ମ ସ୍ଵାଧୀନତା ସଂଗ୍ରାମୀ ଗର୍ଭରୁ । ଅନେକ ବି ସଂଗ୍ରାମ କରିଛନ୍ତି ଏକ ଜାତିର ଗତିଶୀଳତା ପାଇଁ ଯେଉଁ ବିଶେଷ ବିଶେଷ ଆହ୍ୱାନମାନଙ୍କୁ ସାମନା କରିବାର ଆବଶ୍ୟକତା ରହିଛି, ସେମାନେ ସେଗୁଡ଼ିକୁ ମଧ୍ୟ ଚିହ୍ନିଛନ୍ତି । ମାତ୍ର କ୍ଷମତା ଉପଭୋଗ ଜନିତ ଅବସନ୍ନତା ସେମାନଙ୍କୁ ଏତେମାତ୍ରାରେ ଗ୍ରାସିଛି ଯେ, ସେମାନେ ନିଜ ଭିନ୍ନ ଆଉ କାହାକୁ ଦେଖିବା ପାଇଁ ମାନସିକ ଶକ୍ତି ହରେଇ ବସିଛନ୍ତି । ତୁଣ୍ଡରେ ସେମାନେ ଗାନ୍ଧି, ଭାରତୀୟ ସଂସ୍କୃତିର ମହାନତା ସଂପର୍କରେ ଗଳଦ୍‌ଘର୍ମ ଭାଷଣ ଦେଇଛନ୍ତି, ଶଗଡ଼ବହନ କାଗଜ ଓ କାଳି ବି ଖରଚ କରିଛନ୍ତି । ମାତ୍ର ଏ ସମସ୍ତ ବିଶେଷ ଆଧ୍ୟାସ ମୂଳରେ ସକ୍ରିୟ ରହିଛି-ଜନତାଙ୍କୁ ଯାବତ୍ ଚନ୍ଦ୍ରାର୍କ ଦାସ କରି ରଖିବାର ଚତୁର ମାନସିକତା । ଗୋଟିଏ ପ୍ରକାରର ଜୀବନ ବଞ୍ଚିଛନ୍ତି, ଆଉ ଏକ ପ୍ରକାର ଜୀବନର କଥା କହିଛନ୍ତି । ଏଠାରେ ପ୍ରସଙ୍ଗ କମେ କେତେଜଣ ଶକ୍ତିଶାଳୀ କଥାକାରଙ୍କ ଜୀବନ ଓ ସାହିତ୍ୟାଦର୍ଶ ସମ୍ପର୍କରେ ଚୁମ୍ବକରେ ଆଲୋକପାତ କରାଯାଇପାରେ । ଆମେ ଜାଣୁ, ସୁରେନ୍ଦ୍ର ମହାନ୍ତିଙ୍କ କଥା ସମ୍ଭାର ଆଧୁନିକ କାଳର ଓଡ଼ିଶା ରାଜନୀତିରେ ବ୍ୟକ୍ତିସ୍ୱାର୍ଥର ପରିପୂର୍ତ୍ତି ଓ ଘୋଡ଼ାବେପାର, କ୍ଷୟିଷ୍ଣୁ ସାମନ୍ତବାଦ, ନବଶିକ୍ଷିତମାନଙ୍କ ଛଳ-ଦେଶ ସେବା ଓ ବୌଦ୍ଧିକ ବିକାଶ ଓ ଅପସଂସ୍କୃତି ବିରୋଧରେ ବିଷୋଦ୍‌ଗାର । ମାତ୍ର ବ୍ୟକ୍ତିକ ଜୀବନରେ ଶ୍ରୀ ମହାନ୍ତି କ୍ଷମତା, ଶୋଷକ ଓ ସାମନ୍ତ ଆଶ୍ରିତ । ବର୍ବରତାର ପ୍ରତିନିଧି ଗଡ଼ଜାତି ରାଜାମାନଙ୍କର ବିଶ୍ୱସ୍ତ ମୁଖପାତ୍ର । (୮) ଏକଦା ଶ୍ରମିକ, କୃଷକ, ଖଟିଖିଆମାନଙ୍କ ପାଇଁ ବିଳାପ କରୁଥିବା ସ୍ୱାଧୀନତା ସଂଗ୍ରାମ, ଗଡ଼ଜାତ ଆନ୍ଦୋଳନ ଓ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିବା ଏବଂ ଗାଁ ମଶାଣି, ନଈ, ବିଲବଣ, ନୂଆବୋହୂର ଅଳତା ମଖା ପାଦ, କୁଆଁରୀର ହଳଦୀ ଗୁରୁଗୁରୁ ମୁହଁ, ଭଗୀରଥ ନାହାକଙ୍କ ଝୁଅର ଅଣ୍ଡିରିପଣ, ଜଟିଆମା’ର ଖୁଡୀଗିରି ଏବଂ ଗାଈଆଳ ଟୋକାର ବଇଁଶୀ ସ୍ଵନକୁ ଝୁରି ହେଉଥିବା ସଚ୍ଚିଦାନନ୍ଦ ରାଉତରାୟ କଲିକତାର ଲୁଗାକଳରେ ଶ୍ରମ ଅଧିକାରୀ, ମିଲ୍‌ମାଲିକର ଚାଟୁକାର ଓ ସହରବାସୀ । (୯) ମନୋଜ ଦାସ ଅବଶ୍ୟ ଶିକ୍ଷକର ଜୀବନ ବଞ୍ଚିଛନ୍ତି; ମାତ୍ର ଜନଗଣକୁ ଜଡ଼ତାମୁକ୍ତ କରିବା ପାଇଁ ସେ ଗଳ୍ପକାରିତାରେ ଫାଣ୍ଟାସିର ଆଶ୍ରୟ ନେଇଛନ୍ତି, ମେଟାଫିଜିକାଲ ହୋଇ ପଡ଼ିଛନ୍ତି । ଅରଣ୍ୟର ଚୂଳ, ଦୁର୍ବାର, ଅଦିନ ବଉଳ ଆଦି ଗଳ୍ପ ଗ୍ରନ୍ଥର ସ୍ରଷ୍ଟା ଶାନ୍ତନୁ କୁମାର ଆଚାର୍ଯ୍ୟ ମଧ୍ୟ ମେଟାଫିଜିକାଲ ଓ ଫାଣ୍ଟାସି ଜଗତଠାରୁ ନିଜକୁ ଅଲଗା କରିପାରି ନାହାନ୍ତି । ବୁଦ୍ଧି-ବିଳାସୀ ହୋଇ ପଡ଼ିଛନ୍ତି । ଚନ୍ଦ୍ରଶେଖର ରଥ ମଧ୍ୟ ସମଗୋତ୍ରୀୟ ପର ସହିତ ଆତ୍ମିକ ସଂପର୍କ ରହିତ ବହୁସଂଖ୍ୟକ ପ୍ରଶାସକ, ରାଜନେତା ଓ ଅଧ୍ୟାପକମାନଙ୍କର ଆତ୍ମରତି ଓ ଆତ୍ମପ୍ରତିଷ୍ଠାର ଲୋଭନୀୟ ସଂପଦ ହୋଇଛି ଗଳ୍ପକାରିତା । ପ୍ରଗତିର ପ୍ରତିରୋଧକାରୀ, ଶୋଷଣ ବିଦ୍ୟାରେ ବିଶାରଦମାନେ ଗଳ୍ପରେ ପ୍ରତିକ୍ରିୟାଶୀଳତା ଓ ପ୍ରତିବାଦର ନାରା ଦେଇଛନ୍ତି । ପାଠକ ଗପଗୁଡ଼ିକୁ ପଢ଼ିଲାବେଳେ ଜଳ ଜଳ ହୋଇ ଗଳ୍ପକାରମାନଙ୍କୁ ଅନିଷା କରିଛି । ଉପର୍ଯ୍ୟୁକ୍ତ ଭାବାଦର୍ଶ ପୁଷ୍ଟ ଓଡ଼ିଆ ଗଳ୍ପଗୁଡ଼ିକୁ ଆମେ କଣ ଜାଗୃତିର କାବ୍ୟାୟନ, ବିପ୍ଲବର ମନ୍ତ୍ର ବୋଲି କହିପାରିବା ।

 

ପାଞ୍ଚ

 

ଗତ ଶତାବ୍ଦୀର ସପ୍ତମ ଦଶକ ବେଳକୁ ପଶ୍ଚିମର ସ୍ଥିତିବାଦୀ ଚିନ୍ତା ନାୟକମାନେ ଓଡ଼ିଶାରେ ପହଞ୍ଚିଛନ୍ତି । ‘ସ୍ଥିତିବାଦ’ ଏକ ଜୀବନ ଦୃଷ୍ଟି – ଯାହାର ମୂଳରେ ରହିଛି ଶିଳ୍ପ-ଅର୍ଥନୀତି, ଉପଭୋକ୍ତାବାଦ, ଧର୍ମୀୟ ମୌଳବାଦ-ସମ୍ଭୂତ ଶୂନ୍ୟତାବୋଧରୁ ମୁକ୍ତି ଆକାଂକ୍ଷା । ମାର୍କସ, ହାଉଡଗାର, କିରନ୍‌କଗୋର, ନିଚେ ପ୍ରମୁଖଙ୍କ ଦର୍ଶନକୁ କାବ୍ୟାୟିତ କରିଛନ୍ତି କାଫ୍‌କା, କାମ୍ପ୍ୟୁ, ସାର୍ତ୍ତ, ଦସ୍ତୋଭସ୍କି ଓ ଅନ୍ୟ କଥାକାରମାନେ । ପୃଥିବୀର ଜନସମୁଦାୟର ଭାଗ୍ୟ ବିଧାତା ବୋଲି ଦାବି କରୁଥିବା ଧନ ଓ କ୍ଷମତା- ଗାଦିନାସୀନ ଓ ଜୀବନ ଭୀରୁମାନଙ୍କ ବିରୋଧରେ ସେମାନଙ୍କ ବିଚାର ଥିଲା ଏକ ଆଧ୍ୟାତ୍ମିକ ଆହ୍ୱାନ । ସେମାନଙ୍କୁ ଗୋଟିଏ ଶବ୍ଦରେ ‘ରିବେଲ୍’, ‘ଆଉଟ୍ ସାଇଡର’ କୁହାଯାଇପାରେ । ସମସ୍ୟାର ଆବର୍ତ୍ତରୁ ସେମାନଙ୍କର ଜନ୍ମ । ଓଡ଼ିଶାର ଜନସମୁଦାୟ ମଧ୍ୟ ସମସ୍ୟାକ୍ଲିଷ୍ଟ । ମାତ୍ର ଶିଳ୍ପୋନ୍ନତ ପଶ୍ଚିମ ଭୂଖଣ୍ଡର ସମସ୍ୟାଠାରୁ ପଖାଳଖିଆ ଓଡ଼ିଆମାନଙ୍କର ସମସ୍ୟା ବହୁଭାବରେ ଭିନ୍ନ । ଓଡ଼ିଶା ପ୍ରାୟତଃ ଶିଳ୍ପ ଓ ସହରହୀନ । ଏହା ଅଳ୍ପତୁଷ୍ଟ, ଶ୍ରମକୁଣ୍ଠିତ ମାନସିକ ଜଡ଼ତାଗ୍ରସ୍ତମାନଙ୍କର ଏକ ଭବ୍ୟ ଆୟତନ । ଏପରି ଏକ ଆୟତନର ସୁଶୁପ୍ତ ପଲଂଙ୍କୁ ଜୀବନ ସମ୍ବୋଧୀ କରିବା ଉଦ୍ଦେଶ୍ୟରେ ଅଖିଳ ମୋହନ ପଟ୍ଟନାୟକ, ରାମ ଚନ୍ଦ୍ର ବେହେରା, ଜଗଦିଶ ମହାନ୍ତି, ସରୋଜିନୀ ସାହୁ, ଅଶୋକ ଚନ୍ଦନ, କହ୍ନେୟାଲାଲ୍ ଦାସ, ସତ୍ୟ ମିଶ୍ର ପ୍ରମୁଖ କଥାକାରମାନେ କାଫ୍‌କା ଓ ସାର୍ତ୍ତାୟନ ପ୍ରୟାସୀ ହୋଇଛନ୍ତି । ମାତ୍ର ସେମାନେ ଭୁଲିଯାଇଛନ୍ତି ଯେ ପଶ୍ଚିମର ପ୍ରତ୍ୟେକ ସ୍ଥିତିବାଦୀ ସ୍ୱଭାବତଃ ଜଣେ ଜଣେ ଅଧ୍ୟାତ୍ମବାଦୀ, ବିପ୍ଳବୀ, ସୁବିଧାବାଦ– ବିରୋଧୀ । ମୋ ଜାଣିବାରେ “ଅସ୍ତିତ୍ଵବାଦ ମନ୍ତ୍ର” ଗାନ- କରୁଥିବା ଜଣେ ହେଲେ ଓଡ଼ିଆ କଥାକାର ମନ୍ତ୍ର-ସଂବୋଧୀ ନୁହନ୍ତି । ସେମାନେ ନା ଜୀବନବାଦୀ, ନା ସାମାଜିକ ସମସ୍ୟା ସଚେତନ । ସେମାନେ ଶାସକ, ସାମନ୍ତ ଓ ବୃତ୍ତିଅନୁଗତ, କ୍ଷମତା ସେବକ । ବିପ୍ଳବ ସେମାନଙ୍କ ଜୀବନର ଆତ୍ମା ନୁହେଁ, ଅଳଙ୍କାର । ସେମାନେ ଆପଣାମାଟିର ସମସ୍ୟାଗୁଡ଼ିକୁ ଭେଦି ନଥିବା ଅଥବା ଭେଦିଥିଲେ ସୁଦ୍ଧା ପ୍ରତିବାଦୀ ହେବାର ଦୁଃସାହସ ସହିତ ମିତ ବସିନଥିବା ଜଣେ ଜଣେ ଛଦ୍ମବେଶୀ ବିଦେଶୀ, ସିଉଡୋ-ଆଉଟ୍ଇଡ଼ର । ତେଣୁ ଓଡ଼ିଶାର କାଫ୍‌କା, କମ୍ୟୁ, ସାର୍ତ୍ତ ଅଥବା ଦସ୍ତେଭସ୍କି ହେବାର ସୌଭାଗ୍ୟରୁ ସେମାନେ ଆପଣାଛାଏଁ ବଞ୍ଚିତ ହୋଇଛନ୍ତି । ସେମାନେ ନା ଅଛନ୍ତି ଆପଣା ଆପଣାର ଗଳ୍ପ ଭିତରେ, ବା ଏକ ବୃହତ୍ତର ସମାଜ ଜୀବନ- ବିବର୍ତ୍ତିତ ପ୍ରକିୟା ମଧ୍ୟରେ ।

 

ପ୍ରତ୍ୟେକ ଜନସମୁଦାୟର ନିଜସ୍ଵ ସମସ୍ୟାମାନ ଥାଏ ଏବଂ ସମସ୍ୟାଗୁଡ଼ିକ ସମାଧାନର ସୂତ୍ର ମଧ୍ୟ ସେମାନଙ୍କ ଜୀବନ ଦୃଷ୍ଟିରୁ ଜନ୍ମ ନେଇଥାଏ । ଓଡ଼ିଶାର ଦୀର୍ଘ ପ୍ରାୟ ଦେଢ଼ ଶହ ବର୍ଷର ସାମାଜିକ ଇତିହାସକୁ ବିଶ୍ଳେଷଣ କଲେ ଜଣାଯାଏ - ଏହା ସତେଯେପରି ସମସ୍ୟା ଦୂରୀକରଣ ନୁହେଁ, ପରିପାଳନ ଓ ପରିବର୍ଦ୍ଧନର ଭୂମି ହୋଇଛି । ସେଦିନ ରେବତୀମାନଙ୍କର ପାଠପଢ଼ାକୁ ସମାଜ ବିରୋଧ କରୁଥିଲା । ଆଜିର ରେବତୀମାନଙ୍କୁ ପାଠପଢ଼ିବାର ସୁଯୋଗ ମିଳୁନି ଏବଂ ଯେଉଁମାନେ ପାଠ ପଢ଼ୁଛନ୍ତି ସେମାନେ ଅପାଠୋଈ ରେବତୀମାନଙ୍କଠାରୁ ଅଧିକ ମାନସିକ ଓ ଶାରୀରିକ ଯନ୍ତ୍ରଣାର ଶିକାର ହେଉଛନ୍ତି । ଆମ ଉଚ୍ଚ ଶିକ୍ଷିତ ପୁରୁଷପୁଂଗବମାନେ ବିଚାରୀମାନଙ୍କୁ ଅବଶ୍ୟ ଓଡ଼ଣାହୀନା କରିଛନ୍ତି, ତୁଣ୍ଡରେ ନାରୀମୁକ୍ତିର ନାରା ଦେଉଛନ୍ତି, ସେମାନଙ୍କୁ ନିର୍ଯ୍ୟାତନାମୁକ୍ତ କରିବା ପାଇଁ ହଜାର ଆଇନ୍ ତିଆରି କରିଛନ୍ତି; ମାତ୍ର ବିଚାରରେ ସେମାନେ ତଥାପି ‘ଅସୂର୍ଯ୍ୟପଶ୍ୟାମ୍’ ହୋଇ ରହିଛନ୍ତି । ଯେଉଁ ପୁରୁଷ ଓ ନାରୀମାନେ ରେବତୀମାନଙ୍କ ସମସ୍ୟାମାନଙ୍କୁ ସଂପଦକରି ଗପ ଲେଖିଛନ୍ତି ସେମାନେ ଯେ ରେବତୀମାନଙ୍କୁ ଅନୁଭବ କରିଛନ୍ତି -ଏହା ବିଶ୍ୱାସ କରିବା ପାଇଁ କିନ୍ତୁ ଲାଗେ । ଚନ୍ଦ୍ରମଣିମାନଙ୍କର ଉତ୍ପାତ ଏବେ ବହୁଗୁଣିତ ହୋଇଛି-। ସେମାନଙ୍କ ହାତରେ ଲାଠି । ସୁଲୋଚନାମାନେ କାକୁସ୍ଥା, କିଂକର୍ତ୍ତବ୍ୟବିମୂଢ଼ା । ସେଦିନର କନ୍ୟାସୁନାର ସ୍ଥାନ ନେଇଛି ଯୌତୁକ ବ୍ୟବସ୍ଥା । ରେବତୀମାନେ ଅନୁଡ଼ା ରହିବାକୁ ବାଧ୍ୟ ହେଉଛନ୍ତି-। ଓଡ଼ିଶା ହୋଇଛି ନିରକ୍ଷର ଓ ନିରାକ୍ଷରୀମାନଙ୍କର ଉର୍ବର ଆୟତନ । କେବଳ ଶିକ୍ଷା ନୁହେଁ; ଦୁର୍ନୀତି, ବ୍ୟାଧି, ଅଂଧବିଶ୍ୱାସ, ନାରୀ ନିର୍ଯ୍ୟାତନା, ଦାରିଦ୍ର୍ୟ ଓ ଶୋଷଣ ଆଦି ସକଳ କ୍ଷେତ୍ରରେ ଭାରତ ବର୍ଷରେ ଓଡ଼ିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି । ଯେଉଁ ବୀର ଓଡ଼ିଆମାନେ ନିଜ ଭୂମିର ‘କୁ' ଓ ‘ଅପ’ମାନଙ୍କୁ ଆଧାର କରି ଗଦାଗଦା ଗପ ଲେଖୁଛନ୍ତି ସେମାନେ ଆପଣାର ଜୀବନମାନଙ୍କୁ ସମସ୍ୟାମାନଙ୍କର ପରୀକ୍ଷାଗାର କରି ପାରିଛନ୍ତି, କି ଆପେ ଶୋଷଣ ଯନ୍ତ୍ରର ହାକିମ ହୋଇଛନ୍ତି, ଏବେ ପାଠକମାନେ ଏହି ପ୍ରଶ୍ନ ସେମାନଙ୍କୁ ପଚାରିବା ଆରମ୍ଭ କଲେଣି ।

 

ପୁନଶ୍ଚ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଓଡ଼ିଶାରେ ଆଦିବାସୀମାନଙ୍କ ସଂଖ୍ୟା ଜନସଂଖ୍ୟାର ପ୍ରାୟ ଚାଳିଶ ଭାଗରୁ ଅଧିକ । ଅନେକ ଲେଖକ ଆଦିବାସୀମାନଙ୍କ ସାମାଜିକ ଓ ବ୍ୟକ୍ତିକ ଜୀବନ କଥାୟନ ପ୍ରୟାସୀ ହୋଇଛନ୍ତି । ମାତ୍ର ଗଳ୍ପକାରମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କ ସମସ୍ୟା ଓ ଜୀବନକୁ ବୁଝିଛନ୍ତି, ସେମାନଙ୍କୁ ଏକାନ୍ତରେ ଭେଟିଛନ୍ତି ଏବଂ ସେମାନଙ୍କ ବର୍ତ୍ତମାନ ଓ ସ୍ଵପ୍ନ ସହିତ ମିତ ବସିଛନ୍ତି ? ବଣ, ଜଙ୍ଗଲ, ପାହାଡ଼, ପରବତ, ଗଛଲତା, ପଥର, ପଶୁ, ପକ୍ଷୀ ଏବଂ ଅନେକ ଆଦିମ ବିଶ୍ଵାସର ପୃଥିବୀରେ ଜୀବନ ବଞ୍ଚୁଥିବା ଲଙ୍ଗଳା ଓ ଅଧା ଲଙ୍ଗଳାମାନଙ୍କୁ ସେମାନେ କ’ଣ ଦେଖିଛନ୍ତି ? ସେମାନେ ରୁହନ୍ତି ସହରର କଂକ୍ରିଟ୍ ଜଙ୍ଗଲରେ । କେବେ କେବେ ଅସନ୍ତୋଷମାନଙ୍କୁ ସୁଖ ଦେବା ପାଇଁ ଜଙ୍ଗଲମାନଙ୍କୁ ଅବଶ୍ୟ ଯାନ୍ତି । ମାତ୍ର ସେମାନଙ୍କ ସାଥିରେ ଥାନ୍ତି ଅନ୍ୟକିଛି । ଅନେକ ସେମାନଙ୍କ ସେବକର ଭେକ ପିନ୍ଧିଥାନ୍ତି । ସେମାନଙ୍କୁ ଅନ୍ଧବିଶ୍ୱାସ, ଅଶିକ୍ଷା ଓ ଶୋଷକମାନଙ୍କ ଅତ୍ୟାଚାରରୁ ମୁକ୍ତ କରିବାର ଘୋଷଣାପତ୍ର ହାତରେ ଧରିଥାନ୍ତି । ମାତ୍ର ସେମାନଙ୍କ ଦେହର ମିଠା ଓ ଗାଢ଼ରକ୍ତ ପିଇବାର ମଜା ଥରେ ପାଇଗଲେ ଭୁଲିଯାନ୍ତି ଆପଣାର ଅଙ୍ଗୀକାରବଦ୍ଧତାକୁ । ମଣିଷମାନେ ବାଘ ହୋଇଯାନ୍ତି । ସେମାନେ ନା ବୁଝିଛନ୍ତି ଜଙ୍ଗଲ ଓ ନା ଦେଖିଛନ୍ତି ଜଙ୍ଗଲର ବିଭବ, ପ୍ରକୃତ ମଣିଷମାନଙ୍କୁ । ସେମାନେ ଯେଉଁମାନଙ୍କୁ ଜଙ୍ଗଲୀ, ବର୍ବର, ଅମାର୍ଜିତ, ମୂର୍ଖ, ହିଂସ୍ର ବୋଲି କୁହନ୍ତି, ସେମାନେ ଆପେ ଯେ ଏହି ବିଶେଷ ବିଶେଷଣମାନଙ୍କର ଜୀବନ୍ତ ପ୍ରତୀକ - ଏହା ଭୁଲିଯାଇଛନ୍ତି । ‘ଅଭିଜାତବୋଧ’ର ଗୁମାନମାନଙ୍କୁ ଅଳଂକାର କରି ପୃଥିବୀର ଯେଉଁ ବିଶିଷ୍ଟମାନେ ଅଟବୀ ଓ ଅଟବୀକମାନଙ୍କୁ ବୁଝିବାକୁ ଦର୍ପ ପ୍ରକାଶିଛନ୍ତି-ପରାଜିତ ହେବା ହିଁ ସେମାନଙ୍କ ଅଭିଯାତ୍ରାର ପରିଣତି ହୋଇଛି । ଆଦିବାସୀମାନଙ୍କ ପାଇଁ ଲୁହ ଝରାଉଥିବା ବଜାର-ବିଳାସୀ ଓଡ଼ିଆ କଥାକାରମାନଙ୍କୁ ଆମେ ଉପର୍ଯ୍ୟୁକ୍ତ କାଟର ପ୍ରତୀକ ରୂପରେ ଗ୍ରହଣ କରିପାରିବା । ସତ କହୁଛି- ସେମାନଙ୍କ ପାଇଁ ଲେଖା ଯାଇଥିବା ଗପଗୁଡ଼ିକୁ ବିଚରା ଆଟବିକମାନେ ଯଦି ସତରେ ପଢ଼ନ୍ତେ, ନିରକ୍ଷର ଯୋଗୁଁ ପଢ଼ି ନପାରିଲେ ବି, ଯଦି ଶୁଣନ୍ତେ ଓ ଶୁଣି ବୁଝିପାରନ୍ତେ - ଆପଣାର ଅଦ୍‌ଭୂତ ନବକଳେବର ଦେଖି ସେମାନେ ନିଶ୍ଚିତ ଭାବରେ ବିସ୍ମିତ ଓ ବିମୂଢ଼ ହୋଇଯାନ୍ତେ । ଭଗବତୀ ଚରଣଙ୍କ ଶିକାର ଠାରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଆମ ସହରୀ ବାବୁମାନଙ୍କ ଆଖିରେ ଘିନୁଆମାନେ ସେମିତି ଦୁର୍ବୋଧ୍ୟ ହୋଇ ରହିଯାଇଛନ୍ତି ।

 

ଛଅ

 

ଗତ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଆମେ ଭେଟିଥିବା ଗଳ୍ପକାରମାନଙ୍କ ମଧ୍ୟରେ ବାମାଚରଣ ମିତ୍ର, ଭୁବନେଶ୍ୱର ବେହେରା, ବସନ୍ତ କୁମାର ଶତପଥୀ, ସୁନୀଲ ମିଶ୍ର, ଅଚ୍ୟୁତାନନ୍ଦ ପତି, ଫତୁରାନନ୍ଦ, ମହାପାତ୍ର ନୀଳମଣି ସାହୁ, ଚୌଧୁରୀ ହେମକାନ୍ତ ମିଶ୍ର ଜଣେ ଜଣେ ବ୍ୟତିକ୍ରମ ବ୍ୟକ୍ତିତ୍ୱ । ବାମାଚରଣଙ୍କ ମହାପୁରୁଷବାଗ, ମିତ୍ରଗଳ୍ପ, ମିତ୍ରକଳ୍ପ ଆଦି ସଂକଳନସ୍ଥ ଅଧିକାଂଶ ଗଳ୍ପ ଜନଗଣର ସମସ୍ୟା ଓ ସେ ସମସ୍ତ ସମାଧାନର ବିକଳ୍ପ ଅଦ୍ୱେଷୀ ଭାବରେ ସମୃଦ୍ଧ । ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ବହୁକାଳର ତିକ୍ତ ସଂପର୍କ ଯେ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ, ‘ହୋଲି’ ଓ ‘ଧର୍ମକ୍ଷେତ୍ର’ ଆଦି ଗଳ୍ପରେ ସେ ସ୍ପଷ୍ଟ କରି ଦେଇଛନ୍ତି । ଅଚ୍ୟୁତାନନ୍ଦ ପତିଙ୍କ ଅଶୁଭପୁତ୍ରର କାହାଣୀ, ନିଆଁଜଳୁଛି, ଉଗ୍ରସେନ ଉବାଚ, ଚାରିସଂଗାତ କଥା ସଂକଳନସ୍ଥ ଗଳ୍ପଗୁଡ଼ିକ ଆମେ ସମ୍ମୁଖୀନ ହେଉଥିବା ଆହ୍ୱାନମାନଙ୍କର ଇସ୍ତାହାର । ମାନବେତର ଚରିତ୍ରମାନଙ୍କ ମାଧ୍ୟମରେ ପ୍ରତୀକାତ୍ମକ ଓ ବୌଦ୍ଧିକ ଶୈଳୀରେ ସେ ଆପଣାର ବିଦ୍ରୋହୀ ଆତ୍ମାର ଗଳ୍ପାୟନ କରିଛନ୍ତି । ଉଇଟ ଓ ହିଉମର ଚଉଧୁରୀ ହେମକାନ୍ତ ମିଶ୍ରଙ୍କର ଗଳ୍ପକାରିତାର ବିଶେଷତ୍ଵ । ତାଙ୍କ ଅଧିକାଂଶ ଗଳ୍ପର ସେ ନିଜେ ହିଁ ଚତୁର ନାୟକ । ଭୁବନେଶ୍ୱର ବେହେରାଙ୍କ ଗଳ୍ପର ବୈଶିଷ୍ଟ୍ୟ- ଗଳ୍ପବର୍ଣ୍ଣିତ ଚରିତ୍ର ଓ ଘଟଣାଗୁଡ଼ିକ ସହିତ ତାଙ୍କ ଅନ୍ତରଙ୍ଗ ସଂପୃକ୍ତି । ଆତ୍ମକଥନମୂଳକ ରୀତିରେ ଲିଖିତ ତାଙ୍କ ଶୁଣପରୀକ୍ଷ, ଆନ୍‌ସରୀ ଚାଚା ଓ ଫରଫର ଉଡ଼େ ସଂକଳନରେ ସଂଯୋଜିତ କାହାଣୀଗୁଡ଼ିକରେ ସେ ଆପଣାର ସ୍ୱାର୍ଥପରତାକୁ ମଧ୍ୟ କମ୍ ବ୍ୟଙ୍ଗ୍ୟ କରିନାହାନ୍ତି । ଅନ୍ୟପକ୍ଷରେ ବସନ୍ତକୁମାର ଶତପଥୀ ଓ ଫତୁରାନନ୍ଦ ପ୍ରଧାନତଃ ଜଣେ ଜଣେ ହିଉମରିଷ୍ଟ-ହାସ ପରିହାସପ୍ରିୟ । ଏମାନଙ୍କ ଗପଗୁଡ଼ିକୁ ପଢ଼ିଲାବେଳେ ପାଠକ, ଗପବର୍ଣ୍ଣିତ ଚରିତ୍ରମାନଙ୍କ ଜୀବନ ଭିତରେ ଆପଣାକୁ ଅନୁଭବ କରେ । ହସିହସି କାନ୍ଦି ପକାଏ । ଆପଣାର ଦୟନୀୟତାକୁ ଆବିଷ୍କାର କରେ ଏବଂ ଉଠି ଠିଆହୁଏ, ସକାଳର ଅପେକ୍ଷା ରଖେ । “ବିହଷକୀୟତା” ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପକାରିତାର ବିଭବ । ଅନ୍ତରରେ କାନ୍ଦି କାନ୍ଦି ଓଠରେ ହସ ଫୁଟାଇ, ଜୀବନର ସକଳ ବିରୋଧାଭାସ ପ୍ରତି ଅତ୍ୟନ୍ତ ଚତୁର ରୀତିରେ ଆଙ୍ଗୁଳି ଦେଖାଇ ପାରୁଥିବା ସେ ଜଣେ “ଡହରାନନ୍ଦ” ଅଥବା ଅଭିଶପ୍ତ ଗନ୍ଧର୍ବ । ଏହି ବ୍ୟତିକ୍ରମ ବ୍ୟକ୍ତିତ୍ୱମାନେ ଆପଣାର ଚରିତ୍ରମାନଙ୍କ ପ୍ରତି ସମ୍ବେଦନଶୀଳ ନୁହଁନ୍ତି, ଶ୍ରଦ୍ଧାଶୀଳ । ସେମାନେ ନିଜେ ଯେପରି ଆପଣା ସୃଷ୍ଟିର ନାୟକ । ଅଭିବ୍ୟକ୍ତିରେ ସେମାନେ ନିର୍ଭୀକ ଏବଂ କଥନ ଭଙ୍ଗୀରେ ଅଭିଜାତମନସ୍କ ନୁହଁନ୍ତି, ସ୍ୱାଭାବିକ । ସେମାନେ କେହି ମଧ୍ୟ କୌଣସି “ବାଦଈଶ୍ୱର”ଙ୍କର ଅନୁଗତ ନୁହଁନ୍ତି । ତେଣୁ ଆମେ ସେମାନଙ୍କୁ ଆପଣା କାଳର କଳ୍‌ମୁଷକୁ ଅନୁଭବ କରିଥିବା ଏବଂ କର୍ତ୍ତୃତ୍ୱବିସ୍ତାରୀମାନଙ୍କ ଦାନବୀୟ ପଞ୍ଝାରୁ ମୁକ୍ତିପାଇଁ ସମୂହ ପ୍ରାଣକୁ କ୍ରାନ୍ତି ମନ୍ତ୍ରରେ ଉଚ୍ଚକିତ କରୁଥିବା ଜଣେ ଜଣେ ସଚେତନ ସ୍ରଷ୍ଟା ରୂପରେ ଗ୍ରହଣ କରିପାରିବା ।

 

ଗତ ଶତାବ୍ଦୀର ଶେଷ ଦୁଇ ଦଶକରେ ଓଡ଼ିଆ ପାଠକମାନଙ୍କୁ ଆପଣା ଜାତିର ମାନସିକ ଜଡ଼ତାର କାରଣଗୁଡ଼ିକ ବ୍ୟାଖ୍ୟାନରେ ସାହସିକତା ପ୍ରଦର୍ଶନ କରିଛନ୍ତି ରଜନୀକାନ୍ତ ମହାନ୍ତି, ରବି ସ୍ୱାଇଁ, ଗିରିଦଣ୍ଡ ସେନା, ସଦାନନ୍ଦ ତ୍ରିପାଠୀ, ମନମୋହନ ଦାଶ, ମନୋଜ ପଣ୍ଡା, ଦିପ୍ତୀରଞ୍ଜନ ପଟ୍ଟନାୟକ ଆଦି ପୌଢ଼ ଓ ତରୁଣ କଥାକାରମାନେ । ମହାନ୍ତିଙ୍କ ଶତାଣ୍ଡୀ ପୁରୁଷ ଓ ପଣ୍ଡାଙ୍କ ହାଡ଼ ବଗିଚା ବହି ଦୁଇଟି ସମ ଆଦର୍ଶପୁଷ୍ଟ ସଂକଳନ । ଗିରିଦଣ୍ଡସେନା ସଂକଳିତ ହୋଇନଥିଲେ ସୁଦ୍ଧା, ତାଙ୍କ ଗଳ୍ପଗୁଡ଼ିକୁ ଆମେ ଏକ ବେସାଲିସ୍ ଆତ୍ମାର ଆହ୍ୱାନ ଭାବରେ ଗ୍ରହଣ କରିପାରିବା । ତରୁଣମାନଙ୍କର ଗଳ୍ପଗୁଡ଼ିକ କାହାଣୀଧର୍ମ, ଭାଷା ଓ ପ୍ରକାଶଭଙ୍ଗୀ ଗଣତୁଣ୍ଡ ଅନୁରୂପ, ଗଣ ଆତ୍ମାର ଅଛଦ୍ମ ପରିପ୍ରକାଶ ।

 

ସାତ

 

ଓଡ଼ିଆ ଗଳ୍ପରେ ପ୍ରତିଫଳିତ ଏକ ନିର୍ଦ୍ଦିଷ୍ଟ ଭାବାଦର୍ଶ “ସାମାଜିକ ଅଙ୍ଗୀକାର” ସଂପର୍କରେ ମୁଁ ଏପର୍ଯ୍ୟନ୍ତ ଯାହା କହିଆସିଛି, ତାହା ଗଳ୍ପପ୍ରିୟ ପାଠକ ଓ ଗଳ୍ପକାରମାନଙ୍କୁ କିନ୍ତୁ ଲାଗିବାର ସମ୍ଭାବନା ଅଧିକ । ଏଠାରେ ପୁନଶ୍ଚ ମୁଁ ସ୍ପଷ୍ଟ କରିଦେବାପାଇଁ ଚାହୁଁଛିଯେ - ଆମ ଗଳ୍ପକାରମାନଙ୍କ ହୃଦୟରେ ସାଧାରଣ ମଣିଷମାନଙ୍କ ପ୍ରତି କରୁଣା ଭାବ ଅବଶ୍ୟ ପରିପୂର୍ଣ୍ଣ ହୋଇ ରହିଛି ; ମାତ୍ର ଅଳ୍ପ ସଂଖ୍ୟକ ଭିତରେ ରହିଛି ସମସ୍ୟା ଓ ପୀଡ଼ିତମାନଙ୍କ ସହିତ ସେମାନଙ୍କ ଅନ୍ତରଙ୍ଗତା, ସଂପୃକ୍ତି ଏବଂ ସର୍ବୋପରି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଗଣନେତୃତ୍ୱ ନେବାର ସାହସିକ ମାନସିକତା-। ଗଳ୍ପର ନାୟକ (ଏଠାରେ ଗାଳ୍ପିକ କୁହାଯାଇ ପାରେ) ମାନଙ୍କୁ କେଜାଣି କାହିଁକି ମାନସିକ ଅବସନ୍ନତା ଏତେମାତ୍ରାରେ ଘାରିଛି ଯେ ସେମାନେ ପତିମାନଙ୍କ ହାତରେ କଣ୍ଢେଇ ହୋଇ ନାଚିବାକୁ ଉଚିତ ମଣିଛନ୍ତି । ଏହା ଜାଗୃତି ଅଥବା ଅଙ୍ଗୀକାରବଦ୍ଧତାର ଲକ୍ଷଣ ନୁହେଁ, ବରଂ ଚରମ ମାନସିକ ଶୈଥିଲ୍ୟ ଜନିତ ବିକୃତି । ଏହି ମାନସିକତା ସେମାନଙ୍କ ଗଳ୍ପର ଚରିତ୍ରମାନଙ୍କର ନୁହେଁ, ସେମାନଙ୍କୁ ଜନ୍ମ ଦେଇଥିବା ବିଚରା ପ୍ରଭୁମାନଙ୍କର । ଏହି ବିଚାରଗତ ବିଶେଷତାକୁ ଆମେ ଲେଖକୀୟ ଅବସନ୍ନତା ବୋଲି ମଧ୍ୟ କହିପାରିବା । କାଳ କାଳ ଧରି ରାଜତନ୍ତ୍ର ଓ ଉପନିବେଶବାଦୀ ସଂସର୍ଗ ଜନିତ ଶଠତା ଓ ଉପଭୋଗ ମାନସିକତା ପୀଡ଼ିତ ସ୍ରଷ୍ଟା ପ୍ରାଣର ଏହା କଳାତ୍ମକ ଅମଳ ।

 

ପଶ୍ଚିମର ସଂସ୍ରବରୁ ଓଡ଼ିଶାରେ ଯେଉଁ ଶିକ୍ଷିତ ଓ ମଧ୍ୟବିତ୍ତ ବର୍ଗ ଜନ୍ମ ନେଇଛି, ତାହା ଶୋଷଣ, ଶୈଥିଲ୍ୟ ଓ କର୍ତ୍ତୃତ୍ୱ ବିସ୍ତାରଣ ପରି ଧ୍ୱଂସକାରୀ ମାନସିକତାର ପ୍ରତିନିଧିତ୍ୱ କରିଛି । ଅନ୍ୟଭୂମିର ମଧ୍ୟବିତ୍ତ ବର୍ଗର ମଣିଷମାନଙ୍କ ପରି ସେମାନେ ଅବଶ୍ୟ ସ୍ଵପ୍ନ ଦେଖିଛନ୍ତି । ମାତ୍ର ଅନିଶ୍ଚିତ ଭବିଷ୍ୟତ, ନିର୍ଦ୍ଦିଷ୍ଟ ପ୍ରଗତିଶୀଳ ରାଜନୀତିକ ଭାବାଦର୍ଶର ଅଭାବ, ଦୂରଦୃଷ୍ଟିହୀନ ନେତୃତ୍ୱ ସେମାନଙ୍କୁ ଭାରି ଭୀରୁ କରି ରଖିଛି । ସେମାନେ ଆତ୍ମରକ୍ଷା ଅଥବା ଶୋଷଣ ପ୍ରବଣ ହୋଇଛନ୍ତି । ସଂସାରକୁ ଡରିମରି ଅନ୍ଧାର ଘର ଭିତରେ କତରା ଘୋଡ଼େଇ ହୋଇ ଘୁଙ୍ଗୁଡ଼ି ମାରିଛନ୍ତି । ଭାଗ୍ୟ ଓ ଭଗବାନ ନାମକ ଦୁଇଟି ମିଛ ଆଶ୍ୱାସନାକୁ ଅବଲମ୍ବନ କରିବା ହୋଇଛି ସେମାନଙ୍କ ସୁଖକର ଜୀବନ-ଯାପନର ବିକଳ୍ପ । ସେମାନେ ରାଜନୀତିକ ସ୍ଵାଧୀନତା ଅବଶ୍ୟ ପାଇଛନ୍ତି; ମାତ୍ର ତାହା କେବଳ କାଳୀ, କଲମ ଓ କାଗଜ ସୃଷ୍ଟ ଅର୍ଗଳିରେ କିଳି ହୋଇ ରହିଛି । ସେମାନଙ୍କ ସ୍ୱାଧୀନ ଜୀବନ ଯେ କେତେ ପରାଧୀନ, ଏକଥା ସ୍ୱୀକାର କରିବା ପାଇଁ ସାମାନ୍ୟ ଶ୍ରଦ୍ଧାଶୀଳ ହୋଇନାହାନ୍ତି- ଜାତି, ଧର୍ମ, ଭାଷା, ସଂସ୍କୃତି, ବୃତ୍ତି ଭେଦରେ ବିଭକ୍ତ ପଲମାନଙ୍କୁ ଯାବତ୍ ଚନ୍ଦ୍ରାର୍କ ଦାସ କରି ରଖିବା ପାଇଁ ଯେତେ ପ୍ରକାରର ମହୌଷଧି ପ୍ରସ୍ତୁତ କରାଯାଇପାରେ, ପଲେ ପରାଧୀନ ତହିଁରେ ମସାଏ ବି ହେଳା କରିନାହାନ୍ତି । ନିଜ ନିଜ ପାଣ୍ଡିତ୍ୟ ଓ ସୃଜନଶୀଳତାର ପୂର୍ଣ୍ଣ ବିନିଯୋଗ କରିଛନ୍ତି ।

 

ଆମେ ଏକଥା ବି ଜାଣୁ, ଶୋଷକମାନଙ୍କ ଅପେକ୍ଷା ଛଳ-ସେବକ ଓ ତ୍ରସ୍ତ ବିପ୍ଳବୀମାନେ ଅଧିକ ବିପଦ୍‌ଜନକ । ଇତିହାସରେ ମଧ୍ୟ ଛଳମାନଙ୍କ ଜୀବନଚର୍ଯ୍ୟା ସଂକ୍ରାନ୍ତରେ ପ୍ରତୁଳ ପ୍ରମାଣ ରହିଛି । ଯେଉଁମାନେ ନିଜେ ଅଜାଗ୍ରତ, ପରାଧୀନ ଓ ଶଠ, କ୍ଷମତା ସେବକ ସେମାନେ ହିଁ ଜାଗୃତିର କଥା ଲେଖିଛନ୍ତି, ପଲ ପାଇଁ ରାଜକୀୟ ରୀତିରେ ବିଳାପ କରିଛନ୍ତି ଏବଂ ଆଦୌ ସଂଘଟିତ ହୋଇ ନ ଥିବା ଏକ ଆୟତନରେ ପଲର ଚେତନା ଆଲୋକନର ନେତୃତ୍ୱ ନେଉଛନ୍ତି ବୋଲି ସେହି ଅଳପମାନେ ହିଁ ଦାବି କରୁଛନ୍ତି । ନିଜ ଘର ଭିତରେ ସେମାନେ ଯେ ଜଣେ ଜଣେ ଦୟନୀୟ ଦୈତ୍ୟ-ଏହି ଅପ୍ରୀତିକର ସତ୍ୟକୁ ସେମାନେ ଆଦୌ ଦାଣ୍ଡକୁ ଆଣୁ ନାହାନ୍ତି । କ୍ଷମତାର ଖୁନ୍ଦା ଖାଇବାକୁ ତଥାପି ଭାଗ୍ୟ ବୋଲି କହୁଛନ୍ତି ଏବଂ ଆପଣାର କାରୁଣ୍ୟକୁ ଦେଖି ହସୁଛନ୍ତି । ଆପଣା ସୌଖୀନ ଯନ୍ତ୍ରଣାର କଥାଗୁଡ଼ିକ ଗପରେ ଲେଖୁଛନ୍ତି ଏବଂ କହୁଛନ୍ତି- ଏହା ସମାଜର ଅସନ୍ତୋଷ, ଶୋଷଣ ଓ ବ୍ୟଥାର କଥା ।

 

ଏହା ଅସତ୍ୟ ନୁହେଁ ଯେ, ଓଡ଼ିଶା ମାଟିରେ ସହସ୍ର ବିପ୍ଳବର ବୀଜ ଅଙ୍କୁରିତ ହୋଇ ପଡ଼ିରହିଛି । ଧର୍ମ, କ୍ଷମତା ଓ ମେଧାର ଅଧିପତିମାନେ ସେମାନଙ୍କର ବୀଜାୟନକୁ ବନ୍ଦୀ କରି ରଖିଛନ୍ତି । ଆମ କଥାକାରମାନେ ଯେ ଅଙ୍କୁରାୟନ ପ୍ରୟାସୀ ହୋଇନାହାନ୍ତି, ତାହା ନୁହେଁ । ମାତ୍ର ସେମାନଙ୍କ ସଂଖ୍ୟା ଅଙ୍ଗୁଳିମେୟ । ସମାଜ ଶୋଧନର କଥା କହିଲାବେଳେ ସେମାନେ ସଂସ୍କୃତିର ପରିଚର୍ଚ୍ଚା କରିଛନ୍ତି ଏବଂ ସୁବିଧାବାଦୀମାନଙ୍କ ପ୍ରତି ଆଙ୍ଗୁଳି ବି ଦେଖାଇଛନ୍ତି । ମାତ୍ର ଭୀରୁ ମଧ୍ୟବିତ୍ତ ବର୍ଗ ସୃଷ୍ଟ ଶୃଗାଳ- ଅର୍ଗଳୀ ଓ ଶୋଷଣ-ସର୍ବସ୍ୱ-ସେବା ମାନସିକତା ପଲର ଅମୁସ୍କାୟନରେ ସଫଳ ହୋଇଛି । ଚନ୍ଦା ମଣିଷମାନେ ଆପଣା ଆପଣା ଚନ୍ଦାତ୍ୱର କାରଣଗୁଡ଼ିକୁ ତଥାପି ଭେଦିପାରୁ ନାହାନ୍ତି । ଦାସତ୍ୱ ମୁକ୍ତି ମାନସିକତା ସେମାନଙ୍କ ପାଇଁ ଦୂରନ୍ତ ସ୍ଵପ୍ନ ହୋଇ ରହିଯାଇଛି । ହଜାର ସଂଖ୍ୟକ ଗପ ଏ ଭାଷାରେ ଲେଖା ଯାଇଛି । ମାତ୍ର କୋଟି ସଂଖ୍ୟକ ମଣିଷ ଗପରେ ସେମାନଙ୍କ ଜୀବନ ଗାଥା ଶୁଣିବାକୁ ଅପେକ୍ଷା ରଖିଛନ୍ତି । ପଲ ଯେପରି ଅନୁଭବ କରୁଛି, ଗପର ଅନ୍ୟନାମ ଗାଲୁ । ତାହା ଶୁଣିବା ଓ ପଢ଼ିବାକୁ ଅବଶ୍ୟ ଭଲ ଲାଗେ; ଆତ୍ମାକୁ ଉଚ୍ଚକିତ କରିପାରେ ନାହିଁ, ଚିକ୍‌କଣ ମିଛମାନଙ୍କୁ କଥନ ଭଙ୍ଗୀର ଚମତ୍‌କାରିତାରେ ଜଡ଼ ପ୍ରତିମାବତ୍ କରି ରଖିଥାଏ ।

 

ନୋଟ୍

 

୧.

ଫକୀରମୋହନଙ୍କ ଆତ୍ମଜୀବନ ଚରିତର ଦୁଇଗୋଟି ଅଧ୍ୟାୟ ତାଙ୍କ ଜୀବିତାବସ୍ଥାରେ ‘ସତ୍ୟବାଦୀ’ ଓ ଅବଶିଷ୍ଟାଂଶ ମୃତ୍ୟୁପରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ । ଏହା ବହି ଆକାରରେ ପ୍ରକାଶ ପାଇଛି ୧୯୨୭ ମସିହାରେ । ମାତ୍ର ତାଙ୍କ ପୁତ୍ର ମୋହିନୀମୋହନ ସେନାପତି ମୂଳ ଲେଖାର ଅନେକ ଖଣ୍ଡନ ମଣ୍ଡନ କରିଛନ୍ତି । ସମ୍ପ୍ରତି ପ୍ରକାଶିତ ଅଧ୍ୟାପକ ଦେବେନ୍ଦ୍ର କୁମାର ଦାଶଙ୍କ ଦ୍ୱାରା ସମ୍ପାଦିତ ଆତ୍ମଜୀବନୀ ପୁସ୍ତକକୁ ଆମେ ଆପାତତଃ ପ୍ରମାଦମୁକ୍ତ କହିପାରିବା । ଆତ୍ମଜୀବନୀ ପୁସ୍ତକର ଶୈଶବ କଥା, ଅଝାଲ ସିଲାଇ ନିମକ ମାହାଲ, ନୀଳଗିରି, ଡୋମପଡ଼ା, ଦଶପଲ୍ଲା, ପାଲଲହଡ଼ାରେ ଦେବାନୀ ଏବଂ ଢେଙ୍କାନାଳରେ ଆସିଷ୍ଟାଣ୍ଟ ମାନେଜରି ଓ କେନ୍ଦୁଝରଠାରେ ମାନେଜରି ଅଧ୍ୟାୟଗୁଡ଼ିକ ତାଙ୍କ ଆତ୍ମସ୍ୱୀକାରୋକ୍ତି ମାନସିକତାର ହିଁ କଳାରୂପ ।

 

୧୯୨୭

:

ସେନାପତି ଫକୀରମୋହନ: ଆତ୍ମଜୀବନୀ ଚରିତ, ରାଧାନାଥ ରଥ ଅପରେଟିଭ ପ୍ରେସ, କଟକ ।

 

୨୦୦୧

:

ବେହେରା କୃଷ୍ଣ ଚରଣ ଓ ଦାଶ ଦେବେନ୍ଦ୍ର କୁମାର (ସମ୍ପାଦନା) ଫକୀରମୋହନ ଗ୍ରନ୍ଥାବଳୀ, ଗ୍ରନ୍ଥମନ୍ଦିର, କଟକ-୨

 

୨.

ଫକୀରମୋହନ କେତେଗୋଟି ଗପ ଲେଖିଛନ୍ତି, ତାହା ଏବେ ମଧ୍ୟ ବିତର୍କର ପ୍ରସଙ୍ଗ । ପୁନର୍ମୂଷିକ ଭବ ଓ ରାଣ୍ଡୀପୁଅ ଅନନ୍ତା ଚଟି ବହି ଆକାରରେ ଯଥାକ୍ରମେ ୧୯୦୯ ଓ ୧୯୧୩ ମସିହାରେ ମୁକୁର ପ୍ରେସ, ଗଳ୍ପସ୍ୱଳ୍ପ (ଚଉଦଗୋଟି ଗପର ସମାହାର) ୧୯୧୭ ମସିହାରେ ଉତ୍କଳ ସାହିତ୍ୟ ପ୍ରେସ୍ ଦ୍ୱାରା ପ୍ରକାଶିତ । ମୋହିନୀ ମୋହନ ୧୯୨୫ ମସିହାରେ ଗପଗୁଡ଼ିକୁ ଦୁଇଗୋଟି ଭାଗରେ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଗଣତିରେ ଫକୀରମୋହନଙ୍କ ଗପ ସଂଖ୍ୟା କୋଡ଼ିଏ । ମାତ୍ର ଫକୀର ମୋହନ ସାହିତ୍ୟର ସମୀକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ଦାଶଙ୍କ ମତାନୁସାରେ ତାଙ୍କ ଗଳ୍ପଗୁଡ଼ିକ ସଂଖ୍ୟାରେ ଛବିଶ । ସଭ୍ୟ ଜମିଦାର, ଗାରୁଡ଼ି ମନ୍ତ୍ର, ରାଣ୍ଡୀପୁଅ ଅନନ୍ତା, ପୁନର୍ମୂଷିକ ଭବ, ରେବତୀ, ସଭ୍ୟ ଜମିଦାର, ପେଟେଣ୍ଟ ମେଡ଼ିସିନ୍, ମାଧ ମହାନ୍ତିଙ୍କ କନ୍ୟାସୁନା, ଧୂଳିଆବାବା, ବଗଲା ବଗୁଲି ଆଦି ଗପଗୁଡ଼ିକୁ ପ୍ରେମ ଓ ସାମାଜିକ ସମସ୍ୟାର କଳାତ୍ମକ ସମବାୟ ଭାବରେ ଗ୍ରହଣ କରାଯାଇପାରେ ।

 

୩.

ଭାରତ ବର୍ଷର ଓଡ଼ିଶା ଶେଷ ରାଜ୍ୟ, ଯାହା ୧୯୦୩ ମସିହାରେ ଇଂରେଜ ସାମ୍ରାଜ୍ୟ ପରିସର ଭୁକ୍ତ ହୋଇଥିଲା ଏବଂ ପ୍ରଥମ ରାଜ୍ୟ, ଯାହା ଭାଷା ଭିତ୍ତିରେ ଗଠିତ ହୋଇଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖରେ । ଆପଣା ଜାତିର ଅସ୍ମିତା ପ୍ରତିଷ୍ଠା ପାଇଁ ଓଡ଼ିଆମାନଙ୍କୁ ସଂଗଠିତ ସଂଗ୍ରାମ କରିବାକୁ ପଡ଼ିଥିଲା । ଆଧୁନିକ ଓଡ଼ିଶାର ଇତିହାସରେ ତାହା ‘ଓଡ଼ିଆ ମୁଭମେଣ୍ଟ’ ନାମରେ କଥିତ । ଏହି ଆନ୍ଦୋଳନ ବା ମୁଭମେଣ୍ଟର ନେତୃତ୍ୱ ନେଇଥିଲା ‘ଉତ୍କଳ ସମ୍ମିଳନୀ ବା ଓଡ଼ିଆ ଆସୋସିଏସନ’ ସଂଗଠନ । ଆଧୁନିକ ଓଡ଼ିଶାର ଇତିହାସ ଓଡ଼ିଆ ଜାତୀୟବାଦୀ ଆନ୍ଦୋଳନ ଏବଂ ନବ ଗଠିତ ଓଡ଼ିଶା ରାଜ୍ୟର ପରବର୍ତ୍ତୀ ଇତିହାସ ଅଧ୍ୟୟନ କ୍ଷେତ୍ରରେ ‘The Oriya Movement : Begin a demand for a united Orissa: by Niranjan Pattnaik and Chakrapani Pradhan: 1919 ଏବଂ Resurrected Orissa: by Lal Mohan Pattnaik -1941 ଦୁଇଟି ବହୁ ଚର୍ଚ୍ଚିତ ପୁସ୍ତକ ।

 

୪.

ସାରଥି (୧୯୩୩)ର ମୁଖ ପୃଷ୍ଠାରେ ଉଲ୍ଲେଖ ଥିଲା ‘ଦୁନିଆର ଶ୍ରମିକ ଏକ ହୁଅ ।’ ପଣ୍ଡିତ ନୀଳକଣ୍ଠ ଦାସ ନବଭାରତ ପତ୍ରିକାରେ ଏହାକୁ “ଋଷିଆରୁ ମାଗି ଆଣିଥିବା ତିଅଣ, ଗର୍ଜନ, ତର୍ଜନ” କହିବା ସହିତ ସାମ୍ୟବାଦୀମାନଙ୍କୁ “ଜମିଦାର ଶ୍ରେଣୀର ଲୋକ” କହିଛନ୍ତି । (ନବଭାରତ, ଅଗଷ୍ଟ ୧୯୩୪)

 

‘କୃଷକ’ ଘୋଷଣା କରିଛି- “ଏହା ଗାଁ ଗହଳିର ଜମିଦାର, ମହାଜନ, ସରକାରୀ କର୍ମଚାରୀମାନଙ୍କର ଅତ୍ୟାଚାର, ଜୁଲମ ଓ ଅନ୍ୟାନ୍ୟ କାଣ୍ଡସବୁ ସର୍ବସାଧାରଣରେ ପ୍ରକାଶ କରିବ ଏବଂ ସେସବୁର ପ୍ରତିକାର ପାଇଁ ଦେଶ ଭିତରେ ଆନ୍ଦୋଳନର ସୂତ୍ରପାତ କରିବ । (ଜାନୁୟାରୀ:୧୩, ୧୯୩୩, ପୃଷ୍ଠା ୧୧) “କଂଗ୍ରେସ ସ୍ୱାଧୀନତା ସଂଗ୍ରାମକୁ ଅଧିକ ବଳଶାଳୀ ଓ ଗଣତନ୍ତ୍ରମୂଳକ କରିବା ନିମନ୍ତେ ‘କୃଷକ’ ବରାବର ଜାଗ୍ରତ ରହିବ । ଶୋଷିତ ଶ୍ରେଣୀର ଏହି ନ୍ୟାଯ୍ୟ ଦାବି ନିର୍ଭୟରେ ସମର୍ଥନ କରିବା ଯୋଗୁଁ ଯଦି ସମାଜର ବର୍ତ୍ତମାନ କ୍ଷମତାଶାଳୀ ବା ଧନୀକ ଶ୍ରେଣୀର ବିରାଗଭାଜନ ହେବାକୁ ପଡ଼େ, ସେଥିପାଇଁ କୃଷକ ଭ୍ରୁକ୍ଷେପ କରିବ ନାହିଁ । (ଜାନୁୟାରୀ :୧୩, ୧୯୩୮ ପୃଷ୍ଠା-୩) ଦୁଇ ପତ୍ରିକାର ଉପର୍ଯ୍ୟୁକ୍ତ ‘ଘୋଷଣା’ରେ କର୍ମକର୍ତ୍ତା (ଶ୍ରୀ ନବକୃଷ୍ଣ ଚୌଧୁରୀ, ଶ୍ରୀମତୀ ମାଳତୀ ଦେବୀ ଚୌଧୁରୀ, ଶ୍ରୀ ସୁରେନ୍ଦ୍ର ନାଥ ଦ୍ୱିବେଦୀ, ଶ୍ରୀ ପ୍ରାଣକୃଷ୍ଣ ପଟ୍ଟନାୟକ ଓ ଅନ୍ୟମାନେ) ମାନଙ୍କ ସମାଜବାଦୀ ମାନସିକତା ସୁସ୍ପଷ୍ଟ ।

 

୫.

ନବଯୁଗ ସାହିତ୍ୟ ସଂସଦର ପ୍ରଥମ ବୈଠକରେ ସଭାପତିତ୍ୱ କରିଛନ୍ତି ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ । ଧର୍ମ ଓ ଆଧୁନିକ ଶିକ୍ଷା ଯେ ଦାସ ସୃଷ୍ଟିର କାରଣ ଶ୍ରୀଯୁକ୍ତ ପାଣିଗ୍ରାହୀ ଆପଣାର ବକ୍ତବ୍ୟରେ ଏହା ସ୍ପଷ୍ଟ କରିଦେଇଛନ୍ତି । ସେ ସର୍ବ ଭାରତୀୟ ସଂଗଠନ PENରେ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କ ଉପନ୍ୟାସ, ଗଳ୍ପ ଓ କବିତାରେ ଆମେ ଗାନ୍ଧି ଓ ମାର୍କସ ଉଭୟଙ୍କ ବିଚାରର ପରିଣୟ ଲକ୍ଷ୍ୟ କରିଥାଉ ।

 

୧୯୭୩: ପାଣିଗ୍ରାହୀ କାଳିନ୍ଦୀ ଚରଣ : ଅଙ୍ଗେ ଯାହା ନିଭେଇଛି : କଟକ ଷ୍ଟୁଡ଼େଣ୍ଟସ ଷ୍ଟୋରସ, କଟକ- ୨, ପୃ ୪୨୪, ୪୨୫, ୫୫୫ ।

 

୬.

ଆଧୁନିକ ଏହାର ପ୍ରଥମ ବର୍ଷର ପ୍ରଥମ ସଂଖ୍ୟାରେ ଘୋଷଣା କରିଛି-ଏହି ପରିବର୍ତ୍ତନର ଗତିରୋଧ କରିବାକୁ ଯେଉଁମାନେ ଠିଆ ହେବେ, ସେମାନେ ସମାଜର ପ୍ରଗତି ବିରୋଧୀ, ଶତ୍ରୁ.... ଆଧୁନିକ କେବଳ ସାହିତ୍ୟ ପାଇଁ ସାହିତ୍ୟ ଚର୍ଚ୍ଚା କରିବାକୁ ଯାଉନାହିଁ । ଓଡ଼ିଶାରେ ଏହି ପୃଥିବୀ ବ୍ୟାପୀ ଆନ୍ଦୋଳନ ବିଷୟରେ ଚେତନା ଆଣିବା ଏହାର ଲକ୍ଷ୍ୟ... ସାହିତ୍ୟ ପତ୍ରିକାମାନଙ୍କର ସାଧାରଣ ନୀତି ହେଉଛି-ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ । ସାପ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ, ନିଜର ବାଡ଼ିଟି ବଜାୟ ରଖିବା ହିଁ ସେମାନଙ୍କର ଲକ୍ଷ୍ୟ । ଆଧୁନିକର କିନ୍ତୁ ତାହା ଲକ୍ଷ୍ୟ ନୁହେଁ । ବାଡ଼ି ଭାଙ୍ଗି ଯାଉପଛେ, ସାପ ମରୁ, ତାହା ତା’ର ନୀତି ।...... ଯେଉଁ ସବୁ ବଦ୍ଧମୂଳ ଧାରଣା ଓ ସଂସ୍କାର ମାନବର ସାମାଜିକ ତଥା ବ୍ୟକ୍ତିଗତ ଜୀବନକୁ ଆଚ୍ଛନ୍ନ କରିରଖିଛି, ତାହାରି ମୂଳରେ ଏହାର ପ୍ରଧାନ ଆଘାତ । -ଆଧୁନିକ, ମେ ୧୯୩୬, ପୃ-୦୧ ।

 

୭.

ଗଣ ସାହିତ୍ୟ ସମ୍ପର୍କରେ ପ୍ରଥମେ ଚର୍ଚ୍ଚା ଆରମ୍ଭ ହୋଇଛି ଆରତୀ ପତ୍ରିକାରେ । ଏହାର ଶୀର୍ଷକ ରହିଛି- ‘ଗଣ ସାହିତ୍ୟର ପ୍ରସ୍ତାବନା । ସଂପାଦକ ମାୟାଧର ମାନସିଂ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ‘ସାହିତ୍ୟ ପାଇଁ ସାହିତ୍ୟ ବା ଆର୍ଟ ପାଇଁ ଆର୍ଟ-ଏ ମତବାଦ ଭିକ୍‌ଟୋରିଆ ଯୁଗ ସହିତ ସମାଧି ପ୍ରାପ୍ତ ହୋଇଛି । -ଆରତୀ, ପ୍ରଥମ ବର୍ଷ, ପୃଷ୍ଠା ୨୪୨-୨୪୪ । ଆରତୀ ଆରମ୍ଭ କରିଥିବା ଏହି ଆଲୋଚନା ବାଳକୃଷ୍ଣ କରଙ୍କ ଦ୍ୱାରା ସମ୍ପାଦିତ ‘ସହକାର’ ପୃଷ୍ଠାରେ ପଲ୍ଲବିତ ହୋଇଛି । ସାହିତ୍ୟ ସହିତ ଗଣର ସମ୍ପର୍କ ସଂକ୍ରାନ୍ତରେ ସମକାଳୀନ ଲେଖକ ଲେଖିକାମାନଙ୍କର ବିଚାର ଏଠାରେ ଉଲ୍ଲେଖ କରାଯାଇପାରେ ।

 

(କ)

ସରଳା ଦେବୀ: “ଆଜିକାଲି ଆମ ଦେଶରେ ପଞ୍ଝାଏ ବେକାର ଏବଂ ମଧ୍ୟବିତ୍ତ ଶ୍ରେଣୀର ଲେଖାଳୀ ସ୍ଵକୀୟ ପରିସ୍ଥିତି ଓ ବାୟୁମଣ୍ଡଳ ପ୍ରଭାବରେ ଯେଉଁ ତଥାକଥିତ ସାହିତ୍ୟ ସୃଷ୍ଟି କରୁଛନ୍ତି, ତାହା ଏପରି ସ୍ଵପ୍ନ ପ୍ରବଣ ଯେ, ଜନସାଧାରଣର ବାସ୍ତବ ଜୀବନର ନଗ୍ନ ଦିବାଲୋକରେ ତାକୁ ପରୀକ୍ଷା କଲେ, ତାହା ଜୀବନ ସଂଗ୍ରାମର ତୀବ୍ରତା ମଧ୍ୟରୁ ଭୟରେ ପଳାଇ ଯାଉଥିବା ପଳାତକ ସୈନିକର ବିଳାପ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ପ୍ରତୀୟମାନ ହେବ ନାହିଁ ।” ସହକାର/ ୧୮ଶ ଭାଗ/ ୪ର୍ଥ ସଂଖ୍ୟା/ ୧୯୩୭-ପୃ ୩୧୪-୧୯ ।

 

(ଖ)

ଗୋପୀନାଥ ମହାନ୍ତି-ଗଣ ସାହିତ୍ୟକୁ ମଜଦୁର ବା ଚାଷୀ ଭାଇର ସାହିତ୍ୟ ବୋଲି କହିଛନ୍ତି । ତାଙ୍କ ଭାଷାରେ- “ଓଡ଼ିଶାରେ ଆଜିକାଲି ଅନେକ ଯେଉଁ ପ୍ରକାର ଗଣ ସାହିତ୍ୟ ଚାହୁଁଛନ୍ତି, ତାକୁ ମଜଦୁର୍ ସାହିତ୍ୟ କହିବା ବରଂ ଭଲ । Class War, ମଜଦୁର ଜାଗରଣ, ପୁଞ୍ଜିବାଦ ବିରୋଧରେ ଅଭିଯାନ, ସୁସ୍ଥବାଦ ମଝିରେ ବିଦ୍ରୋହୀ ପ୍ରଭୃତି ଯେଉଁସବୁ ଧାରଣା ଆଜିକାଲି ଘଡ଼ଘଡ଼ି କବିତା, ବିଦ୍ରୋହ କବିତାରେ ମାତିଉଠିଛି, ସେ ତ ଦେଶର ମଜଦୁର ଜନଗଣର ଢେଉ ।” ସହକାର/୧୬ଶ ଭାଗ/ ୬ଷ୍ଠ ସଂଖ୍ୟା ୧୯୩୫-ପୃଷ୍ଠା ୫୬୦-୬୬ ।

 

(ଗ)

ହରିଶ୍ଚନ୍ଦ୍ର ବଡ଼ାଳ “ଯୁଗ ସାହିତ୍ୟ ବନାମ ଯୁଗହୀନ ସାହିତ୍ୟ” ଶୀର୍ଷକ ଆଲୋଚନାରେ ସରଳା ଦେବୀ ଓ ସତି ରାଉତରାୟଙ୍କ ବିଚାରକୁ କଟୁ ସମାଲୋଚନା କରିବା ସହିତ ପ୍ରଚାରଧର୍ମୀ ସାହିତ୍ୟର ସର୍ବକାଳିକ ଆବେଦନ ସଂପର୍କରେ ପ୍ରଶ୍ନ କରିଛନ୍ତି । ମାର୍କସବାଦୀ ସାହିତ୍ୟର ସ୍ଵରୂପ ସଂପର୍କରେ ସେ ଲେଖିଛନ୍ତି- “ଓଡ଼ିଶାର ଗାଁମାନଙ୍କରେ ବୁରଜୋୟା ଧନତନ୍ତ୍ରର ଉଚ୍ଛେଦ ସାଧନ କରିବା ଛାଡ଼, ବୁର୍ଜୋୟା କ’ଣ, ଆଉ ସେହି ଅଦ୍‌ଭୁତ ତନ୍ତ୍ରର ଉଚ୍ଛେଦ କିପରି କରାଯିବ, ଏକଥା ସ୍ୱୟଂ ଖଡ଼ିରତ୍ନ ଜ୍ୟୋତିଷକୁ ବି ଜଣା ନଥିବ । “ଆଦ୍ୟେପରେ କା କଥା” ବିଶେଷତଃ, ଶ୍ରୀ ବଡ଼ାଳ ଓଡ଼ିଶାର ଜନଗଣର ସମସ୍ୟା ଓଡ଼ିଆ ସାହିତ୍ୟରେ ପ୍ରତିଫଳନ ହେବା ଉଚିତ ବୋଲି ଯୁକ୍ତି ବାଢ଼ିଛନ୍ତି । ସହକାର/ ୧୮ଶ ଭାଗ/ ୭ମ ସଂଖ୍ୟା/ ୧୯୩୭-ପୃ ୫୯୮-୬୦୩ ।

 

(ଘ)

ଗଣ ସାହିତ୍ୟ ସଂପର୍କରେ ରାମପ୍ରସାଦ ସିଂହଙ୍କ ଆଲୋଚନା “ଗଣ ସାହିତ୍ୟ ଓ ତାହାର ଆଲୋଚନା” ଅଧିକ ବୈଜ୍ଞାନିକ । ସେ ଉଲ୍ଲେଖ କରିଛନ୍ତି- “ଗଣର ଅର୍ଥ ଶ୍ରେଣୀ ନୁହେଁ, ଗଣ ମଧ୍ୟ ଏକ ଯୁଗର ମନୁଷ୍ୟ ସମଷ୍ଟି ନୁହେଁ । ତେଣୁ ଗଣ ସାହିତ୍ୟ-ଶ୍ରେଣୀ ସାହିତ୍ୟ କି ଯୁଗ ସାହିତ୍ୟ ହେବ ନାହିଁ ।..... ଚାଷ ସାହିତ୍ୟ ଯେ ଆଦର୍ଶ ଗଣ ସାହିତ୍ୟ, ତାହା ମଧ୍ୟ କହି ହେବ ନାହିଁ । କିନ୍ତୁ ଋଷିଆ ଗଣ ସାହିତ୍ୟ ସୃଷ୍ଟି ଦିଗରେ ଯେଉଁ ବିରାଟ ପରୀକ୍ଷା, experiment ଚଳାଇ ଆସିଛି ଓ ଚଳାଉଛି, ତାହା ବାଦ ଦେଇ ଏ ଦିଗରେ ପରୀକ୍ଷା ଚଳାଇବାର କୌଣସି ଅର୍ଥ ଥାଇପାରେ ।.....ବରଂ ବର୍ତ୍ତମାନର ଓଡ଼ିଆ ସାହିତ୍ୟ ବାବୁ ସାହିତ୍ୟ.....ଶ୍ରେଣୀ ସାହିତ୍ୟ ବୋଲି କହିଲେ, ଏହାକୁ ପ୍ରଶଂସା କରାଯାଏ ।.....ତେଣୁ ଏହାର ପ୍ରଭାବର ପରିସର ମୁଷ୍ଟିମେୟ ଅର୍ଦ୍ଧଶିକ୍ଷିତଙ୍କ ମଧ୍ୟରେ ସୀମାବଦ୍ଧ” – ସହକାର/ ୧୮ଶ ଭାଗ/ ୭ମ ସଂଖ୍ୟା/୧୯୩୭-ପୃଷ୍ଠା ୫୯୮-୬୦୩ ।

 

(ଙ)

ଅଧ୍ୟାପକ ସୁରେନ୍ଦ୍ର ନାଥ ଗୋସ୍ୱାମୀ : ଗଣ ସାହିତ୍ୟର ପ୍ରସ୍ତାବନା-ସହକାର/ ୨୦ଶ ଭାଗ/ ୩ୟ ସଂଖ୍ୟା/ ୧୯୩୯ -ପୃ ୧୯୩-୯୬ ।

 

୮.

ସୁରେନ୍ଦ୍ର ମହାନ୍ତିଙ୍କ ବ୍ୟକ୍ତିତ୍ୱ ସାହିତ୍ୟ, ରାଜନୀତି ଓ ସାମ୍ବାଦିକତାର ସମବାୟ । ମାତ୍ର ଆମେ ଦେଖୁ ଶ୍ରୀ ମହାନ୍ତି ନାନା କାରଣରୁ ବିଭିନ୍ନ ରାଜନୀତିକ ଦଳ ଓ ଆଦର୍ଶବାଦ ସହିତ ସମ୍ପର୍କ ରଖିଛନ୍ତି । ଆପଣାର ଲେଖାଗୁଡ଼ିକରେ ସାମନ୍ତବାଦ, ସାମ୍ରାଜ୍ୟବାଦ ଓ ସୁବିଧାବାଦୀ-ରାଜନୀତି ବିରୋଧରେ ବିଷୋଦ୍‌ଗାର କରୁଥିଲେ ସୁଦ୍ଧା, ସେ କର୍ତ୍ତୃତ୍ୱ-ବିସ୍ତାରୀ ଶୋଷକଗୋଷ୍ଠୀର ଚାଟୁକାର ହୋଇଛନ୍ତି । ସମାଜ, ସାହିତ୍ୟ ଓ ଲେଖକ ପରସ୍ପର ସହିତ କିପରି ସମ୍ପର୍କିତ, ତତ୍ରସଂକ୍ରାନ୍ତରେ ତାଙ୍କ ମନ୍ତବ୍ୟ- “ମୁଁ ଏକ ପ୍ରବଞ୍ଚନାବାଦୀ ତତ୍ତ୍ଵର ଘୋର ବିରୋଧୀ । ସତ୍ ସାହିତ୍ୟର ନିଶ୍ଚୟ ଆର୍ଥିକ ମୂଲ୍ୟ ରହିଛି । ସମାଜ ଯଦି ସତ୍ ସାହିତ୍ୟ ଚାହେଁ, ତାହେଲେ ସେଥିପାଇଁ ସମାଜକୁ ଉପଯୁକ୍ତ ମୂଲ୍ୟ ଦେବାକୁ ପଡ଼ିବ ।” ବିଶେଷ ପ୍ରଣିଧାନ ଯୋଗ୍ୟ । ଗଡ଼ଜାତର ରାଜା ମହାରାଜାମାନଙ୍କ ପ୍ରତି ଶ୍ରୀ ମହାନ୍ତିଙ୍କ ଆନୁଗତ୍ୟ- ତାଙ୍କ ଆତ୍ମଜୀବନୀ ଗ୍ରନ୍ଥ “ପଥ ଓ ପୃଥିବୀ”ର ବହୁ ପୃଷ୍ଠାରେ ପ୍ରତିଫଳିତ ।

 

 

୧୯୮୬ : ମହାନ୍ତି ସୁରେନ୍ଦ୍ର- ପଥ ଓ ପୃଥିବୀ, ଇଷ୍ଟର୍ଣ୍ଣ ମିଡ଼ିଆ, ଭୁବନେଶ୍ୱର-ପୃଷ୍ଠା ୨୯୧ ।

 

୯.

ସଚ୍ଚିଦାନନ୍ଦ ରାଉତରାୟ ଆପଣାର ଆତ୍ମଜୀବନୀ ଗ୍ରନ୍ଥ ‘ଉତ୍ତର କକ୍ଷ’ରେ ସ୍ୱାଧୀନତା ସଂଗ୍ରାମ, ପ୍ରଜାମଣ୍ଡଳ ଆନ୍ଦୋଳନ, କୃଷକ ଆନ୍ଦୋଳନ, ଛାତ୍ର ଆନ୍ଦୋଳନରେ ଆପଣାର ସମ୍ପୃକ୍ତି ଓ ୧୯୪୧ ମସିହାରେ କଲିକତା ସ୍ଥିତ ‘କେଶୋରାମ କଟନ ମିଲସ୍’ରେ ଲେବର ଓଏଲଫେଆର ଅଫିସର ପଦରେ ଯୋଗଦେବା କାରଣ ସମ୍ପର୍କରେ ବିଶଦ ଚର୍ଚ୍ଚା କରିଛନ୍ତି । ଅନ୍ୟତ୍ର ଓଡ଼ିଶାରେ ପ୍ରଗତିବାଦୀ ଆନ୍ଦୋଳନର ଉଦ୍‌ଗାତା ରୂପରେ ଆପଣାକୁ ପ୍ରତିଷ୍ଠା କରିବା ନିମିତ୍ତ ଶ୍ରୀ ରାଉତରାୟଙ୍କ ପ୍ରୟାସ ଓଡ଼ିଶା ବିଦ୍ୱତ୍ ମଣ୍ଡଳୀରେ କମ୍ ବିତର୍କ ସୃଷ୍ଟି କରିନାହିଁ । ‘Sachi Rout-Roy: The peoples poet’ ତାଙ୍କ ବକ୍ତିତ୍ଵ ପ୍ରତିଷ୍ଠା ସଂକ୍ରାନ୍ତ ଅନ୍ୟ ଏକ ବହୁଚର୍ଚ୍ଚିତ ଗ୍ରନ୍ଥ । ତାଙ୍କ ବକ୍ତବ୍ୟକୁ ସ୍ୱୀକାରୋକ୍ତି ମୂଳକ, ଲେଖାକୁ ପ୍ରାମାଣିକ ଏବଂ ସାହିତ୍ୟକୁ ଜୀବନାଦର୍ଶ ଓ ଅନୁଭବର ଉଚ୍ଚାରଣ ବୋଲି ସ୍ୱୀକାର କରିବାକୁ ଏବେ ମଧ୍ୟ ଅନେକ ଗବେଷକ ଓ ପାଠକ କିନ୍ତୁ ମଣନ୍ତି ।

 

୧୯୯୮

:

ରାଉତରାୟ ସଚ୍ଚିଦାନନ୍ଦ : ଉତ୍ତର କକ୍ଷ (ପ୍ରଥମ ଭାଗ), ଗ୍ରନ୍ଥ ମନ୍ଦିର, କଟକ

୨୦୦୦

:

ରାଉତରାୟ ସଚ୍ଚିଦାନନ୍ଦ : ଉତ୍ତର କକ୍ଷ (ଦ୍ଵିତୀୟ ଭାଗ)

1955

:

Chakravarty Basudha (Ed) Sachi Rout-Roy: The Peoples Poet, Prabasi Press, Calcutta.

 

୧୦.

ରେବତୀ ଶୀର୍ଷକରେ ଓଡ଼ିଆ ଭାଷାରେ ଏଯାବତ୍ ୧୬ ଗୋଟି ଗଳ୍ପ ପ୍ରକାଶିତ । ଗଳ୍ପଗୁଡ଼ିକରେ ଆମେ ପ୍ରାୟ ଏକ ଶହ ବର୍ଷ ମଧ୍ୟରେ ପାଠ ପଢ଼ିବା ପାଇଁ ଦୃଢ଼ ପ୍ରତିଜ୍ଞ ରେବତୀଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତା ଓ କର୍ମଜୀବୀ ରେବତୀମାନଙ୍କୁ ଭେଟୁ । ଏହି ଗଳ୍ପଗୁଡ଼ିକରେ ପରିବର୍ତ୍ତିତ ସମୟ ଓ ସମାଜବ୍ୟବସ୍ଥାରେ ରେବତୀମାନଙ୍କର ରୂପାନ୍ତରକୁ ଆମେ ଅନୁଭବ କରିପାରିବା । ମାତ୍ର ମୋର ମନେହୁଏ, ଗାଳ୍ପିକ ଓ ଗାଳ୍ପିକାମାନେ ତଥାପି ରେବତୀମାନଙ୍କୁ ଚିହ୍ନିପାରି ନାହାନ୍ତି । ଫକୀରମୋହନଙ୍କ ଉତ୍ତରାଧିକାରୀ ଶ୍ରୀମତୀ ବୀଣାପାଣି ମହାନ୍ତି, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଜଗଦୀଶ ମହାନ୍ତି, ହୃଷୀକେଶ ପଣ୍ଡା, କବିତା ବାରିକ୍, ବାସନ୍ତୀ ପାଣିଗ୍ରାହୀ, ବ୍ରଜେନ୍ଦ୍ର ନାଥ ଗିରି, ରାମଚନ୍ଦ୍ର ସାହୁ (ରତ), ପ୍ରତାପ ବିଶ୍ୱାଳ, ଶଶି ରଥ, ଅଭୟ ବାରିକ୍, ଅଞ୍ଜଳି ପାଢ଼ୀ, ରଜନୀକାନ୍ତ ମହାନ୍ତି, ପୁଷ୍ପାଞ୍ଜଳି ନାୟକ ଓ ରଣଜିତ୍‌ ପଟ୍ଟନାୟକମାନଙ୍କ ସହିତ ଏ ସଂକ୍ରାନ୍ତରେ ବିଶେଷ ଆଲୋଚନା କରାଯାଇପାରେ-

 

୧୯୯୮: ମହାନ୍ତି ଅସୀତ (ସମ୍ପାଦନା) ରେବତୀ : ରେବତୀ- ଫ୍ରେଣ୍ଡସ୍ ପବ୍ଲିସରସ୍, କଟକ-୨

 

 

ଆନନ୍ଦ ଆଶ୍ରମ

କୁଟାରିମୁଣ୍ଡା, ଡାକଭାୟା-ଖମାର,

ଅନୁଗୋଳ

 

***

 

କୃଷ୍ଣପ୍ରସାଦଙ୍କ ଗଳ୍ପରେ ପଶ୍ଚିମର ଉପସ୍ଥାପନ

ଡକ୍ଟର ଦୀପ୍ତିରଞ୍ଜନ ପଟ୍ଟନାୟକ

(୧)

 

ପ୍ରସ୍ତାବନା : ସାହିତ୍ୟ ଜୀବନ ଓ ସତ୍ୟର ଉପସ୍ଥାପନ କରେ ବୋଲି ବିଶ୍ଵାସ କରାଯାଏ-। ଜୀବନ ଓ ସତ୍ୟର ଅସଲ ସ୍ୱରୂପ ଯାହା ହୋଇଥାଉନା କାହିଁକି, ଉପସ୍ଥାପନ ଜରିଆରେ ହିଁ ସାହିତ୍ୟ ତାହା ଆମକୁ ପ୍ରତ୍ୟକ୍ଷ କରାଏ ବୋଲି ସାଧାରଣ ଭାବରେ ଗୃହୀତ ହୋଇଛି । ତେଣୁ ସାହିତ୍ୟ ସମ୍ପର୍କିତ ଆମର ସମସ୍ତ ଅବଧାରଣାର କେନ୍ଦ୍ରରେ ରହିଥାଏ ଏହି ଉପସ୍ଥାପନ ପ୍ରକ୍ରିୟା । ପ୍ଲେଟୋ, ଆରିଷ୍ଟଟଲ୍‌ଙ୍କ ଭଳି ଆଦ୍ୟ ନାନ୍ଦନିକଗଣ ସେଥିପାଇଁ ସମସ୍ତ ପ୍ରକାରର କଳାତ୍ମକ ଅଭିବ୍ୟକ୍ତିକୁ ବିଭିନ୍ନ ପ୍ରକାରର ଉପସ୍ଥାପନ ପ୍ରକ୍ରିୟା ବୋଲି ଗ୍ରହଣ କରିଥିଲେ । ଏପରିକି ଆମର ସମସ୍ତ ଜ୍ଞାନ ଆହରଣ କୌଶଳ ଏହି ଉପସ୍ଥାପନ ପ୍ରକ୍ରିୟା ମାଧ୍ୟମରେ ହୁଏ ବୋଲି ଆରିଷ୍ଟଟଲ୍ ଘୋଷଣା କରିଥିଲେ । ଅନୁକରଣ ଓ ଉପସ୍ଥାପନ କେବଳ ଏକ ମାନବୀୟ ଗୁଣ ଏବଂ ଅନ୍ୟ ପ୍ରାଣୀମାନଙ୍କଠାରୁ ଏହା ମଣିଷକୁ ଅଲଗା କରି ଚିହ୍ନାଇ ଦେଇପାରେ ବୋଲି ମଧ୍ୟ ସେ ବିଶ୍ୱାସ କରୁଥିଲେ ।

 

ତେବେ ପ୍ରଶ୍ନ ହେଉଛି ସାହିତ୍ୟ ସେହି ତଥାକଥିତ ଜୀବନ ଓ ସତ୍ୟର ଉପସ୍ଥାପନ କେମିତି କରେ ? ଶବ୍ଦ ଓ ଭାଷା ମାଧ୍ୟମରେ ଯେ ସାହିତ୍ୟ ସେହି ଉପସ୍ଥାପନ ପ୍ରକ୍ରିୟା ସମ୍ପାଦନ କରେ ତାହା ଖୁବ୍ ଜଣାଶୁଣା କଥା । କେବଳ ସାହିତ୍ୟ କାହିଁକି, ଯେ କୌଣସି ପ୍ରକାରର ଜ୍ଞାନ ଏହି ଶବ୍ଦ, ଅର୍ଥ ଓ ଭାଷା ମାଧ୍ୟମରେ ହିଁ ଆମ ନିକଟରେ ପ୍ରତ୍ୟକ୍ଷ ହୁଅନ୍ତି । ଶବ୍ଦର ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଲକ୍ଷ୍ୟକରି ସଂସ୍କୃତ ନାନ୍ଦନିକ ଭର୍ତ୍ତୃହରି ‘ବାକ୍ୟପଦୀୟ’ ରେ କୁହନ୍ତି,

 

ନ ସୋଽସ୍ତି ପ୍ରତ୍ୟୟୋ ଲୋକେ ଯଃ ଶବ୍ଦାନୁଗମାଦୃତେ

ଅନୁବିଦ୍ଧମିବ ଜ୍ଞାନଂ ସର୍ବଂ ଶବ୍ଦେନ ଭାଷତେ ।

 

ଅର୍ଥାତ ସଂସାର ଭିତରେ ଏଭଳି ଜ୍ଞାନ କିଛି ନାହିଁ ଯାହାକି ଶବ୍ଦକୁ ଛାଡ଼ି ରହିପାରିଛି, କାରଣ ସମସ୍ତ ଜ୍ଞାନ ଶବ୍ଦ ଏବଂ ଅର୍ଥଦ୍ୱାରା ହିଁ ଅନୁବନ୍ଧିତ ଏବଂ ଶବ୍ଦ ଦ୍ୱାରା ହିଁ ସମସ୍ତ ଜ୍ଞାନ ପରିପ୍ରକାଶ ହୋଇଥାଏ । ତେବେ କଥା ହେଉଛି ଶବ୍ଦଗୁଡ଼ିକ ଅସଲରେ ଗୋଟିଏ ଗୋଟିଏ ଚିହ୍ନ । ସେମାନେ ଅସଲ ଜିନିଷର ପ୍ରତିନିଧି ହିସାବରେ ଦାୟିତ୍ୱ ତୁଲାଇଥାଆନ୍ତି । ଉଦାହରଣ ସ୍ଵରୂପ “ଗଛ” । ଏହି ଶବ୍ଦଟି ଆମ ମନରେ ଗୋଟିଏ ପ୍ରତ୍ୟୟ ସୃଷ୍ଟି କରେ ଯାହା ମାଧ୍ୟମରେ ଆମେ ଅନେକଗୁଡ଼ିଏ ଗଛକୁ ଚିହ୍ନିପାରୁ । “ଗଛ” ଶବ୍ଦଟି କିନ୍ତୁ ଅର୍ଥପୂର୍ଣ୍ଣ ହେବାପାଇଁ “ଲତା”, “ଗୁଳ୍ମ” ଇତ୍ୟାଦି ଠାରୁ ଭିନ୍ନ ହେବା ଆବଶ୍ୟକ କରେ । ଅତଏବ ଗୋଟିଏ ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ ଶବ୍ଦଗୁଡ଼ିକ ଅର୍ଥପୂର୍ଣ୍ଣ ହୁଅନ୍ତି । ସେ ପରିପ୍ରେକ୍ଷା ହେଉଛି ଭାଷାର ଅନ୍ତର୍ନିହିତ ପାରସ୍ପରିକତା । ଆଉ ସେହି ଅନ୍ତର୍ନିହିତ ପାରସ୍ପରିକତା ଏକ ସାମୂହିକ ସାମାଜିକ ସହମତିରେ ନିର୍ଦ୍ଧାରିତ ହୋଇଥାଏ । “ଗଛ” କହିଲେ ଆମେ ଏଇ ଏଇ ଜିନିଷଗୁଡ଼ିକୁ ବୁଝିବୁ , “ଲତା” କହିଲେ ଆମେ ଏଇ ଅସ୍ତିତ୍ୱମାନଙ୍କୁ ବୁଝିବୁ, ଏଇଭଳି ଏକ ଅଲିଖିତ “କୋଡ଼୍” ଆମ ଅଜ୍ଞାତସାରରେ ରହିଥାଏ । ତେଣୁ ଶବ୍ଦ ବ୍ୟବହାର କରୁଥିବା ଯେ କୌଣସି ପ୍ରକାର ବ୍ୟାଖ୍ୟାନ, ଉପସ୍ଥାପନର ଏଇ ସାମାଜିକ ସହମତି ସୃଷ୍ଟି ପରମ୍ପରା ଭିତରେ ଅର୍ଥପୂର୍ଣ୍ଣ ହୋଇଥାଏ ।

 

ଉପର୍ଯ୍ୟୁକ୍ତ ଯୁକ୍ତି ଅନୁସାରେ ତେଣୁ ଉପସ୍ଥାପନ କେବଳ ଏକ ନିରପେକ୍ଷ ପ୍ରତିଫଳନ ନୁହେଁ । ଅନ୍ୟ ଭାଷାରେ କହିଲେ, ସାହିତ୍ୟ ସମେତ ସମସ୍ତ ପ୍ରକାରର ଉପସ୍ଥାପନ ଦର୍ପଣ ମଣିଷର ଚେହେରାକୁ ପ୍ରତିଫଳିତ କଲାଭଳି ସମାଜ ଓ ସତ୍ୟକୁ ପ୍ରତିଫଳିତ କରନ୍ତି ନାହିଁ । ବରଂ କଲାଇଡ଼ୋସ୍କୋପ୍‌ର ରଙ୍ଗବେରଙ୍ଗ କାଚ ଭଲି ଏହା ବିଭିନ୍ନ ପ୍ରକାରର ଦୃଶ୍ୟର ଅବତାରଣା କରାଏ-। କାଚଖଣ୍ଡଗୁଡ଼ିକ ସମାନ ଥାଆନ୍ତି; କିନ୍ତୁ କଲାଇଡ଼ୋସ୍କୋପ ଘୂରାଇଲେ ଆଖି ଆଗରେ ଦୃଶ୍ୟମାନ ବଦଳି ଯାଆନ୍ତି । ସେମିତି ପ୍ରେକ୍ଷାପଟ ବଦଳିଗଲେ ବା ସାମାଜିକ ପରିବର୍ତ୍ତନ ସଂଘଟିତ ହେଲେ, ବା ଦୃଷ୍ଟିକୋଣ ବଦଳିଗଲେ ସତ୍ୟର ପରିଭାଷା ବଦଳିଯାଏ । ବ୍ୟକ୍ତି ଓ ସମାଜର ନିର୍ଦ୍ଦିଷ୍ଟ ଅବଲୋକନ ବିନ୍ଦୁରୁ ସେଇ ଏକା ଐତିହାସିକ ଘଟଣା ଭିନ୍ନ ପ୍ରତୀୟମାନ ହୁଅନ୍ତି । ବ୍ୟକ୍ତି ଓ ସମାଜର ଦ୍ୱନ୍ଦ୍ୱାତ୍ମକ ଅବସ୍ଥିତିରୁ ଯେଉଁ ଭାବାଦର୍ଶ ଉତ୍ପନ୍ନ ହୋଇଥାଏ, ସେଇ ଭାବାଦର୍ଶ ଅନେକ ସମୟରେ ଉପସ୍ଥାପନକୁ ନିୟନ୍ତ୍ରଣ କରେ । ବ୍ୟକ୍ତି ପରମ୍ପରାକ୍ରମେ ଗୋଟିଏ ଭାବାଦର୍ଶ ଭିତର ଦେଇ ବଞ୍ଚୁଥାଏ; ତେଣୁ ତା’ର ସମାଜ ଦୃଷ୍ଟି ଓ ସତ୍ୟ-ପ୍ରତ୍ୟକ୍ଷ କରିବାର କ୍ଷମତା ସେହି ଭାବାଦର୍ଶଦ୍ୱାରା ଅଳ୍ପ ବହୁତ ରଙ୍ଗାୟିତ ହୋଇଥାଏ । ସାହିତ୍ୟ ବା ଅନ୍ୟ କୌଣସି ଉପସ୍ଥାପନ ପ୍ରକ୍ରିୟାରେ ସେହି ଭାବାଦର୍ଶ ମଧ୍ୟ ପ୍ରତିଫଳିତ ହୁଏ ।

 

ଅନ୍ୟ କଥାରେ କହିଲେ ଭାଷା, ଭାବାଦର୍ଶ, ସାମାଜିକ ସହମତି, ରାଜନୀତିକ ଆବଶ୍ୟକତା ଇତ୍ୟାଦି ସମସ୍ତ ପ୍ରକାରର ପ୍ରଶ୍ନ ଉପସ୍ଥାପନ ପ୍ରକ୍ରିୟାର ଏକ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ପୁଣି ଏ ସମସ୍ତ ଅଂଶ କେବଳ ଗୋଟିଏ ଗୋଟିଏ ନିରପେକ୍ଷ ସାଧନ ନୁହନ୍ତି, ଏମାନେ ନିଜ ନିଜର ପରମ୍ପରାଗତ ଭୂମିକା ଦୃଷ୍ଟିରୁ ଉପସ୍ଥାପନକୁ ପ୍ରଭାବିତ ମଧ୍ୟ କରନ୍ତି । ଅତଏବ ଯେ କୌଣସି ଉପସ୍ଥାପନ କେବଳ ସତ୍ୟ ଓ ସାମାଜିକ ବାସ୍ତବତାର ନିରପେକ୍ଷ ପ୍ରତିଫଳନ ନୁହେଁ, ଏହା ଏକାଧାରରେ ସାମାଜିକ ସହମତି ସୃଷ୍ଟ ଭାଷା ଓ ରାଜନୀତିକ କ୍ଷମତା-ଦୃଷ୍ଟ ଭାବାଦର୍ଶର ମଧ୍ୟ ବର୍ଣ୍ଣନା । ଏକ ଉପସ୍ଥାପନ କଳା ହିସାବରେ ସାହିତ୍ୟ ମଧ୍ୟ ଭାଷା ଓ ରାଜନୀତିକ ଭାବାଦର୍ଶର ଭାର ବହନ କରିବାକୁ ବାଧ୍ୟ ହୋଇଥାଏ । ସତ୍ୟ ଓ ସାମାଜିକ ବାସ୍ତବତାର ନିଚ୍ଛକ ପ୍ରତିଫଳନ କରେ ନାହିଁ, ବରଂ ଭାବଦର୍ଶର ସାହାଯ୍ୟ ନେଇ ଶବ୍ଦ ଦ୍ଵାରା ସତ୍ୟ ଓ ବାସ୍ତବତାର ନିର୍ମାଣ କରେ । ତଥାକଥିତ ସତ୍ୟ ଓ ବାସ୍ତବତାକୁ ପୁରାପୁରି ଅସ୍ୱୀକାର କରେ ନାହିଁ ସତ, ବେଳେବେଳେ ସତ୍ୟ ଓ ବାସ୍ତବତାର ପର୍ଯ୍ୟବେକ୍ଷଣରେ ଅନ୍ତରାୟ ମଧ୍ୟ ହୁଏ । ସାହିତ୍ୟର ଏଇ ଶେଷୋକ୍ତ ଭୂମିକାକୁ ଲକ୍ଷ୍ୟ କରି ପ୍ଲେଟୋ ତାଙ୍କର କଳ୍ପିତ “ଆଦର୍ଶ ସାଧରଣତନ୍ତ୍ର”ରୁ ସାହିତ୍ୟିକମାନଙ୍କୁ ବାସନ୍ଦ କରିଥିଲେ । ଅବଶ୍ୟ ପ୍ଲେଟୋଙ୍କ ମନ୍ତବ୍ୟ ଏକ ଚରମ ପ୍ରତିକ୍ରିୟା ବୋଲି ସର୍ବଜନସ୍ୱୀକୃତ । କିନ୍ତୁ ଉପସ୍ଥାପନ ଯେ ଏକ ସମସ୍ୟା-ବିଜଡ଼ିତ ପ୍ରକ୍ରିୟା, ଏକ ସରଳରୈଖିକ ପ୍ରତିଫଳନ ନୁହେଁ, ସେତକ ସୂଚାଇଦେବାକୁ ଏହା ଯଥେଷ୍ଟ । ବିଂଶ ଶତାବ୍ଦୀର ଫର୍ମାଲିଷ୍ଟ ଓ ଆଧୁନିକବାଦୀମାନେ ତେଣୁ ସାହିତ୍ୟର ଉପସ୍ଥାପନ ଭୂମିକାକୁ ଅନେକାଂଶରେ ଅସ୍ୱୀକାର କରୁଥିଲେ । ସେମାନେ ବିଶ୍ୱାସ କରୁଥିଲେ ଉପସ୍ଥାପନ କୌଣସି ନିର୍ଦ୍ଦିଷ୍ଟ ଭାବସତ୍ତା ବା ‘ଦ୍ରବ୍ୟ’ର ଅବତାରଣା ନୁହେଁ, ବରଂ ଏକ ଆତ୍ମରତି, ଏକ ଶବ୍ଦ ଖେଳ ଯାହା ନିଜର ସଂଯୋଜନା-କଳାକୁ ପ୍ରଦର୍ଶିତ କରିଥାଏ । ଉତ୍ତର-ଆଧୁନିକ କଳା-ଧାରଣା ଆଉ ଏକ ପାଦ ଆଗେଇ ଯାଇ ସମସ୍ତ ପ୍ରକାରର ଭାବସତ୍ତା ‘ଦ୍ରବ୍ୟ’କୁ ଏକ ଏକ ଉପସ୍ଥାପନ ବୋଲି ଗ୍ରହଣ କରେ । ଦ୍ରବ୍ୟ ଓ ଉପସ୍ଥାପନ ମଧ୍ୟରେ କୌଣସି ପ୍ରଭେଦ ଦେଖେ ନାହିଁ । ସାହିତ୍ୟର ଶବ୍ଦମାନ ଯେମିତି ‘ଦ୍ରବ୍ୟ’ର ଉପସ୍ଥାପନ ବୋଲି ସାଧାରଣତଃ ବିଶ୍ଵାସ କରାଯାଏ, ସେମିତି ଦ୍ରବ୍ୟମାନ ମଧ୍ୟ କାହାର ନା କାହାର ଉପସ୍ଥାପନ ବୋଲି ଉତ୍ତର-ଆଧୁନିକ ନାନ୍ଦନିକ ଧାରଣା ବିଶ୍ୱାସ କରିଥାଏ । ଅତଏବ ଉତ୍ତର -ଆଧୁନିକତା କୌଣସି ଚରମ ସତ୍ୟ ବା ନିର୍ଦ୍ଦିଷ୍ଟ ସାମାଜିକ ବାସ୍ତବତାକୁ ସ୍ୱୀକାର କରେ ନାହିଁ । ଯାହାକିଛିକୁ ଆମେ ସତ୍ୟ ବା ବାସ୍ତବତା ବୋଲି ଗ୍ରହଣ କରିଥାଉ ତାହା ଏକ ଆପାତଃ ସତ୍ୟ ବା ଆପାତଃ ବାସ୍ତବତା ଯାହା ଅନ୍ୟ କିଛି ସତ୍ୟ ବା ବାସ୍ତବତାର ପୁନର୍ଗଠନ ବା ପୁନଃ-ଉପସ୍ଥାପନ । ପ୍ରସ୍ତାବନାର ଉପସଂହାରରେ ଏତକ କୁହାଯାଇପାରେ ଯେ, ଉପସ୍ଥାପନ ଏକ ସରଳ ପ୍ରକ୍ରିୟା ନୁହେଁ-। ଭାଷା ଓ ଭାବାଦର୍ଶର ପ୍ରଶ୍ନାବଳୀ ଉପସ୍ଥାପନ ପ୍ରକ୍ରିୟାକୁ ସମସ୍ୟା- ବିଜଡ଼ିତ କରନ୍ତି । ଉପସ୍ଥାପନ କାଳରେ ଏହି ଦେଶ-କାଳ-ପାତ୍ରଗତ ପ୍ରଶ୍ନମାନ ଯେତିକି ସତ୍ୟ ଓ ସାମାଜିକ ବାସ୍ତବତା ପ୍ରଦର୍ଶିତ କରାନ୍ତି, ଅନେକ ସମୟରେ ମଧ୍ୟ ସତ୍ୟ ଓ ବାସ୍ତବତାକୁ ଢାଙ୍କି ଦେଇ ପାରନ୍ତି । ଅସଲରେ ଉପସ୍ଥାପନ ଜରିଆରେ ଅନୁଭୂତ ହେଉଥିବା ସତ୍ୟ ଓ ବାସ୍ତବତା ଏକ ଏକ ନିର୍ମିତି । କିନ୍ତୁ ତା ବୋଲି ଉପସ୍ଥାପନ ପ୍ରକ୍ରିୟାକୁ ମିଥ୍ୟା ବା ଅବାସ୍ତବ କହି ହେୟଜ୍ଞାନ କରିହେବ ନାହିଁ । ଆମ ଜ୍ଞାନ-ବିଶ୍ଵରେ ଆମେ ଯାହାକିଛି ସତ୍ୟ ଓ ବାସ୍ତବତା ପ୍ରତ୍ୟକ୍ଷ କରୁ ତାହା ଏହି ଉପସ୍ଥାପନ ପ୍ରକ୍ରିୟାରେ ସମ୍ଭବ ହୋଇଥାଏ । ସମ୍ପୂର୍ଣ୍ଣ ସତ୍ୟ ବା ସମ୍ପୂର୍ଣ୍ଣ ବାସ୍ତବତାର ଅନୁଭବ ପ୍ରଦାନ ନ କରି ପାରିଲେ ବି, ଉପସ୍ଥାପନ ଏକ ଜରୁରୀ ମାନବୀୟ ଆବଶ୍ୟକତା । ଉପସ୍ଥାପନ ସମ୍ପର୍କୀୟ ଜ୍ଞାନ-ଚର୍ଚ୍ଚା ଆମକୁ ଆମ ଜୀବନ ଓ ସତ୍ୟାନୁଭୂତିର ଏଇ ଆପେକ୍ଷିକତ୍ଵ ବିଷୟରେ ସଚେତନ କରେ । ଯେ କୌଣସି ନିର୍ମାଣ ପଛରେ ଏକ ଭିତ୍ତିଭୂମି ଥାଏ । ଉପସ୍ଥାପନ ଏକ ନିର୍ମାଣ ହେଲେ ହେଁ, ଏହା ଆମକୁ ସତ୍ୟର ଭିତ୍ତିଭୂମି ସମ୍ପର୍କରେ ବିଶ୍ୱାସ ପ୍ରଦାନ କରିଥାଏ । ହୁଏତ ଭାବାଦର୍ଶ ଓ ଭାଷାର ନିର୍ମାଣଗୁଡ଼ିକ କେବଳ ଆମେ ପ୍ରତ୍ୟକ୍ଷ କରୁ; ତଥାପି ସେମାନଙ୍କର ଅନ୍ତରାଳରେ ପ୍ରତ୍ୟକ୍ଷ ହୋଇପାରୁନଥିବା ସତ୍ୟ ଓ ବାସ୍ତବତାର ଭିତ୍ତିଭୂମି ସମ୍ପର୍କରେ ଆମେ ସଚେତନ ଥାଉ । ଅତଏବ ଯେ କୌଣସି ଉପସ୍ଥାପନ ପ୍ରକ୍ରିୟାର ଆଲୋଚନା, ଭାବାଦର୍ଶ ଓ ଭାଷାର ନିର୍ମାଣଗୁଡ଼ିକୁ ଆପଣାର ପରିସରରେ ଅନ୍ତର୍ଭୁକ୍ତ କରିବା ଅବଶ୍ୟମ୍ଭାବୀ । କୃଷ୍ଣପ୍ରସାଦଙ୍କ ଗଳ୍ପ ସମ୍ପର୍କରେ ଚର୍ଚ୍ଚା କଲାବେଳେ ଉପସ୍ଥାପନ ତତ୍ତ୍ୱଟିକୁ ମୁଁ ନିମ୍ନରେ ଏଇ ବିଶେଷ ଅର୍ଥରେ ବ୍ୟବହାର କରିଛି । ପଶ୍ଚିମ ସମ୍ପର୍କରେ କୃଷ୍ଣପ୍ରସାଦଙ୍କର ଅବବୋଧ ଭୁଲ୍ ନା ଠିକ୍, ଏଭଳି ସରଳୀକୃତ ବିଭେଦ ପରିଦର୍ଶନ କରିବା ଏ ଆଲୋଚନାର ଉଦ୍ଦେଶ୍ୟ ନୁହେଁ । ବରଂ ପଶ୍ଚିମର ଯେଉଁ ପରିନିର୍ମାଣ କୃଷ୍ଣପ୍ରସାଦ କରିଛନ୍ତି, ତାହା କିଭଳି ଭାବେ କୃଷ୍ଣପ୍ରସାଦ ବଞ୍ଚୁଥିବା ସମାଜ, ସମୟ ଓ ଭାବାଦର୍ଶ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା, ତାହା ହିଁ ଲକ୍ଷ୍ୟ କରିବା ଏ ପ୍ରବନ୍ଧର ମୂଳ ଉଦ୍ଦେଶ୍ୟ । କେବଳ କୃଷ୍ଣପ୍ରସାଦଙ୍କ ଗଳ୍ପ କାହିଁକି, ଯେ କୌଣସି ଉପସ୍ଥାପନ ପ୍ରକ୍ରିୟାର ଆଲୋଚନା ସତରେ କୌଣସି ମୂଳସତ୍ୟ ଆବିଷ୍କାର କରିବାର ଲକ୍ଷ୍ୟ ରଖେ ନାହିଁ । ବରଂ ଏହା ଅଧିକ ଭାବରେ ଉପସ୍ଥାପିତ ନିର୍ମିତିରେ ବ୍ୟବହୃତ ସାମାଜିକ ସହମତି ସୃଷ୍ଟ ଭାଷା ଓ ରାଜନୀତିକ କ୍ଷମତା-ଦୃଷ୍ଟ ଭାବାଦର୍ଶର ଆଲୋଚନା । କୃଷ୍ଣପ୍ରସାଦଙ୍କ ଉପସ୍ଥାପନକୁ ଆଲୋଚନା ଭିତରକୁ ନେଇ ଅନ୍ୟାନ୍ୟ ବହୁ ଉପସ୍ଥାପନରେ ଭାବାଦର୍ଶର ଆଲୋଚନା ସମ୍ଭବ କରେଇବା ମଧ୍ୟ ଏ ପ୍ରବନ୍ଧର ଅନ୍ୟତମ ଉଦ୍ଦେଶ୍ୟ ।

 

କୃଷ୍ଣପ୍ରସାଦ ଜଣେ ଶକ୍ତିଶାଳୀ ଗାଳ୍ପିକ ଏବଂ ତାଙ୍କ ଗଳ୍ପର ଉପଯୁକ୍ତ ଚର୍ଚ୍ଚା ଓ ମୂଲ୍ୟାୟନ ହୋଇପାରିନାହିଁ ବୋଲି ମୁଁ ସ୍ଵୀକାର କରେ । ସାମନ୍ତବାଦ ଗୋଟିଏ ଉପସଂସ୍କୃତିର ମୁଖ୍ୟ ସ୍ରୋତ ହେଲେ ଜୀବନଚର୍ଯ୍ୟା ଓ ସାହିତ୍ୟିକ ଶାସ୍ତ୍ର-ମାନ୍ୟତା Canon-formation ରେ ଯେଉଁ ବିଡ଼ମ୍ବନାମାନ ଦେଖାଦିଏ, କୃଷ୍ଣପ୍ରସାଦ ତା’ର ଶିକାର ହୋଇଥିବା ଖୁବ୍ ସମ୍ଭବ । ତେବେ ତାଙ୍କ ଗଳ୍ପରେ ନିହିତ ଥିବା ଅତି ଗୁରୁତ୍ଵପୂର୍ଣ୍ଣ ତଥା ଅନାଲୋଚିତ ଦିଗ ସମ୍ପର୍କରେ ମୁଁ ଆଲୋକପାତ କରିବାକୁ ଚେଷ୍ଟା କରିବି । ତାହା ତାଙ୍କ ଗଳ୍ପମାନଙ୍କରେ ପଶ୍ଚିମର ଉପସ୍ଥାପନା । କୃଷ୍ଣପ୍ରସାଦ ପଶ୍ଚିମ ଦେଶମାନଙ୍କର ଦୀର୍ଘଦିନ ରହିବାର ସୁଯୋଗ ଲାଭ କରିଥିଲେ । ସେ ସମ୍ପର୍କରେ ତାଙ୍କର ଅନୁଭୂତିକୁ ଗଳ୍ପ ମାଧ୍ୟମରେ ଖୁବ୍ ବିଧିବଦ୍ଧ ଭାବରେ ଉପସ୍ଥାପନ କରିଥିଲେ । ଓଡ଼ିଶାର ବହୁ ଲେଖକ ପଶ୍ଚିମ ସଂସର୍ଗରେ ଆସିଥିବେ, କିନ୍ତୁ ତାଙ୍କ ପୂର୍ବରୁ କେହି ଗଳ୍ପ-ସାହିତ୍ୟରେ ତାହାର ବିଧିବଦ୍ଧ ଉପସ୍ଥାପନ କରିବାକୁ ହୁଏତ ଉଦ୍ୟମ କରିନଥିଲେ । ଏଥିପାଇଁ ତାଙ୍କର ବ୍ୟକ୍ତିକ ଶ୍ରେୟ ଓ ତାଙ୍କୁ ମିଳିଥିବା ସୁଯୋଗର ଭୂମିକା ଅବଶ୍ୟ ରହିଛି । କିନ୍ତୁ ବ୍ୟକ୍ତି ଏକାଧାରରେ ଜଣେ ବ୍ୟକ୍ତି ଓ ଏକ ସାମାଜିକ ପ୍ରକ୍ରିୟାର ଅଂଶବିଶେଷ; ଗୋଟିଏ ବ୍ୟାଖ୍ୟାନ, ଚର୍ଚ୍ଚା ପରମ୍ପରା ବା discourseର ଅଧିବାସୀ । ଆମେ କୃଷ୍ଣପ୍ରସାଦଙ୍କ ଗଳ୍ପରେ ପଶ୍ଚିମର ଉପସ୍ଥାପନାକୁ ଏହି ସାମାଜିକ ପ୍ରକ୍ରିୟାର ବିଶ୍ଳେଷଣ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିପାରିବା । ଗଳ୍ପମାନଙ୍କ ମାଧ୍ୟମରେ ସମାଜ-ପ୍ରକ୍ରିୟା ଓ ସମାଜ-ପ୍ରକ୍ରିୟା ମାଧ୍ୟମରେ ସାହିତ୍ୟର ପର୍ଯ୍ୟାଲୋଚନା ଦ୍ୱାରା ସଂସ୍କୃତି-ସମୀକ୍ଷାର ପରିବେଶ ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ଆମେ ଆଶା କରିବା ।

 

ଯେ କୌଣସି ଉପସ୍ଥାପନର ବିଶ୍ଳେଷଣ ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଚାର ନିମ୍ନମତେ । ଯେ, ସାହିତ୍ୟ ଏକ ନାନ୍ଦନିକ ପରିପ୍ରକାଶ ହେଲେ ମଧ୍ୟ ରାଜନୀତିକ ଓ ଭାବାଦର୍ଶ ସମ୍ପର୍କିତ ପ୍ରଶ୍ନାବଳୀରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହେବା ଅସମ୍ଭବ । ସାହିତ୍ୟରେ ପଶ୍ଚିମର ଉପସ୍ଥାପନ ସେହିଭଳି ଏକ ଭାବାଦର୍ଶଗତ ନିର୍ମିତି ଉପରେ ପର୍ଯ୍ୟବେସିତ । ପଶ୍ଚିମ ପାଇଁ ‘ପୂର୍ବ’ ଭଳି, ପୂର୍ବ ପାଇଁ ‘ପଶ୍ଚିମ’ ‘ପର’ (the other)ର ଭୂମିକା ନିର୍ବାହ କରି ଆସିଛି । ‘ପର’ର ପରିନିର୍ମାଣ ମାଧ୍ୟମରେ ଅନେକ ସାଂସ୍କୃତିକ ପ୍ରକାର୍ଯ୍ୟ ସମାପନ ହୋଇଥାଏ । ହିତୋପଦେଶରେ ‘ପର’ର ପରିକଳ୍ପନାକୁ ଏକ ନିମ୍ନସ୍ତରର ଚିନ୍ତାଧାରା ବୋଲି ଅବଶ୍ୟ କୁହାଯାଇଛି (ଅୟଂ ନିଜ ପରୋ ବେତ୍ତି ଗଣନା ଲଘୁଚେତସାମ୍) । କିନ୍ତୁ ସବୁ ଜନଗୋଷ୍ଠୀ, ରାଷ୍ଟ୍ର ଓ ବ୍ୟକ୍ତି ସଚେତନତାରେ ଭେଦର ସାର୍ବଜନୀନ, ସର୍ବକାଳୀନ ଓ ସର୍ବବ୍ୟାପକ ଉପସ୍ଥିତି ଅନସ୍ୱୀକାର୍ଯ୍ୟ । ମ୍ଳେଚ୍ଛ, କାଫେର, ଯବନ, ପ୍ଲେବିଆନ୍, ସ୍ଲେଭ ଆଦି ବର୍ଗ ବିଭିନ୍ନ ସ୍ଥାନ, କାଳ ଓ ପାତ୍ର ପାଇଁ ଏହି ‘ପର’ ଓ ‘ଭେଦ’ର ପରିକଳ୍ପନା । ଏହାର ପରିନିର୍ମାଣ ମାଧ୍ୟମରେ ବ୍ୟକ୍ତି, ରାଷ୍ଟ୍ର ବା ଜନଗୋଷ୍ଠୀ ନିଜ ପାଇଁ ପରିଚୟ ତିଆରି କରେ । ସ୍ଥଳବିଶେଷରେ ଏହା ବହିଷ୍କରଣର ଏକ ଅସ୍ତ୍ର ଭାବରେ କିମ୍ବା ଆତ୍ମସମୀକ୍ଷାର ସାଧନ ହିସାବରେ ମଧ୍ୟ ବ୍ୟବହାର କରାଯାଇଥାଏ । ବେଦାନ୍ତ ଦର୍ଶନର ଏକ ଉଚ୍ଚତର ପରିକଳ୍ପନା ପର୍ଯ୍ୟାୟରେ ଅଭେଦ ଓ ଦ୍ୱୈତ ହୁଏତ ଏକ ଆଦର୍ଶ ହିସାବରେ ଗୃହୀତ, କିନ୍ତୁ ଜନଜୀବନରେ ‘ଭେଦ’ ଓ ‘ପର’ର ବ୍ୟାବହାରିକତା ସର୍ବବ୍ୟାପୀ । ଏସବୁ ଉଲ୍ଲେଖ କରିବାର ଉଦ୍ଦେଶ୍ୟ କୃଷ୍ଣପ୍ରସାଦ ନିଜ ଗଳ୍ପମାନଙ୍କରେ ପଶ୍ଚିମର ଉପସ୍ଥାପନ ଜରିଆରେ ଏହି ବିଭିନ୍ନ ପ୍ରକାର୍ଯ୍ୟର ସମ୍ପାଦନ କରାଇଛନ୍ତି । କେତେକ ଗଳ୍ପରେ ପଶ୍ଚିମ ତାଙ୍କ ପାଇଁ ଆତ୍ମ-ପରିଚୟ ଲାଭର ମାଧ୍ୟମ ହୋଇଛି ତ କେତେବେଳେ ପୂର୍ବର କ୍ଷୁବ୍‌ଧ ଅନ୍ତେବାସୀ ଭଳି ତାଙ୍କୁ ଆତ୍ମ-ସମୀକ୍ଷା ପାଇଁ ପ୍ରେରିତ କରିଛି । ପୁଣି ଭେଦ ଖୋଜୁ ଖୋଜୁ ସେ ମଣିଷ ଅସ୍ତିତ୍ୱର ତଥାକଥିତ ମୂଳଭୂତ ସତ୍ୟ ଓ ପ୍ରକୃତିଗତ ଅଭେଦତା ପାଖରେ ପହଞ୍ଚିଛନ୍ତି । ଲେଭିସ୍ ଷ୍ଟ୍ରସଙ୍କ ବ୍ରିକୋଲିଅର୍ ନୃତତ୍ତ୍ୱବିତ୍ ଭଳି ସେ ହୁଏତ ପୂର୍ବ ଓ ପଶ୍ଚିମର ଦୁଇ binary oppositionକୁ ନିଜ ଅନୁସନ୍ଧାନର ପ୍ରାଥମିକ ପର୍ଯ୍ୟାୟରେ ପ୍ରଥମେ ବ୍ୟବହାର କରିଛନ୍ତି; କିନ୍ତୁ ବାହ୍ୟ ଗୁରୁତ୍ୱହୀନ ବିଭେଦ ସତ୍ତ୍ୱେ ଶେଷରେ ଏହି ବିଭେଦକୁ ଅତିକ୍ରମ କରି ସାର୍ବଜନୀନ (?) ଓ ସର୍ବକାଳୀନ (?) ମଣିଷ ପ୍ରକୃତିକୁ ଆବିଷ୍କାର କରିଛନ୍ତି ।

 

ଏଠାରେ ଗୋଟିଏ କଥା ଅଧିକ ସ୍ପଷ୍ଟ କରାଯିବା ଦରକାର । ପଶ୍ଚିମ, କୃଷ୍ଣପ୍ରସାଦଙ୍କ ସମେତ ସମସ୍ତ ଭାରତୀୟଙ୍କ ପାଇଁ ଏକ ନୀରିହ- ‘other’ ନୁହେଁ । ଏହା ଉପନିବେଶୀ ନେଣଦେଣ ସମସ୍ୟା ସହିତ ବିଜଡ଼ିତ । ଉପନିବେଶବାଦ ଏକ କ୍ଷମତା-ସମୀକରଣ ସୃଷ୍ଟି କରେ, ଯାହା ଉଭୟ ଶାସକ ଓ ଶାସିତଙ୍କର ଲୋକ-ଚରିତ୍ରକୁ ଅପରିବର୍ତ୍ତନୀୟ ଭାବରେ ବଦଳାଇ ଦିଏ ବୋଲି ଆଶୀଷ ନନ୍ଦୀଙ୍କ ଭଳି ସମାଜଶାସ୍ତ୍ରୀମାନେ ମତଦେଇଛନ୍ତି (The intimate Enemy) । ଶାସିତର ପ୍ରତିବାଦ ଓ ରଣ-କୌଶଳଗୁଡ଼ିକ ମଧ୍ୟ ଅନେକ ସମୟରେ ଶାସକ-ମାନସିକତାର ହନୁକରଣ କରିଥାଏ । ସାହିତ୍ୟରେ ପଶ୍ଚିମର ଉପସ୍ଥାପନ ମଧ୍ୟ ଅନୁରୂପ ତତ୍ତ୍ୱର ପରିସ୍ରବଣ ମାଧ୍ୟମରେ ହୋଇଥାଏ । ଅନେକ ସମୟରେ ଶାସକର ପରିନିର୍ମିତିଗୁଡ଼ିକୁ ବିରୋଧ କରୁଥିବା ସାହିତ୍ୟ ଓ ସମାଜ-ଆଲୋଚନା, ଶାସକର ପରିନିର୍ମିତିକୁ ସଚେତନ ବା ଅଚେତନ ଭାବରେ ବ୍ୟବହାର କରିବାକୁ ବାଧ୍ୟ ହୋଇଥାଏ । ସାଂସ୍କୃତିକ କାନ୍ଥଗୁଡ଼ିକ ବହୁ ଛିଦ୍ରଯୁକ୍ତ ଏବଂ, ଉପନିବେଶବାଦ ଏଭଳି ଏକ ଐତିହାସିକ ସତ୍ୟ ଯାହା ଏହା ପରବର୍ତ୍ତୀ ସମସ୍ତ ସତ୍ୟାନୁସନ୍ଧାନର ଦିଗକୁ ନିୟନ୍ତ୍ରଣ କରେ । ପଶ୍ଚିମ ପାଇଁ ପୂର୍ବ ଓ ପୂର୍ବ ପାଇଁ ପଶ୍ଚିମର ପରିନିର୍ମାଣ ଏହି ଐତିହାସିକ ସତ୍ୟର ରଙ୍ଗରେ ଅତ୍ୟନ୍ତ ଅଧୌତ ଭାବରେ ରଙ୍ଗାୟିତ । କୃଷ୍ଣପ୍ରସାଦଙ୍କ ଗଳ୍ପରେ ପଶ୍ଚିମର ଉପସ୍ଥାପନ ସମ୍ପର୍କରେ ଆଲୋଚନା କଲାବେଳେ ଆମେ ଏହି ଦିଗ ପ୍ରତି ନିଶ୍ଚିତ ଭାବରେ ସଚେତନ ହବା ।

 

କୃଷ୍ଣପ୍ରସାଦ ଉପନିବେଶବାଦୀ ଜ୍ଞାନ-ଚର୍ଚ୍ଚାର ପରିବେଶ ସହିତ ହୁଏତ ପରିଚିତ ଥିବେ । କିନ୍ତୁ ତାଙ୍କ ସାହିତ୍ୟ ସାଧନା ସମୟର ଜ୍ଞାନ-ବିଜ୍ଞାନ ସ୍ଥିତିକୁ ଯଥାର୍ଥରେ ନବ-ଉପନିବେଶି ମାନସିକତା ବୋଲି କୁହାଯାଇପାରେ । ଉପନିବେଶି ଶାସକର ଆଦ୍ୟ ସଂସର୍ଗରେ ଶାସିତର ପ୍ରତିକ୍ରିୟାଠାରୁ ନବ-ଉପନିବେଶି ସାମାଜିକ ପ୍ରକ୍ରିୟା ସମୟରେ ‘ପର’ର ପରିନିର୍ମାଣ ଗୁଣାତ୍ମକ ଭାବରେ ଭିନ୍ନ ହୋଇପାରେ । ସାମାଜିକ ପ୍ରକ୍ରିୟାର ଏହି ବିବର୍ତ୍ତନକୁ ଭାରତୀୟ ସମାଜ ପରିପ୍ରେକ୍ଷାରେ ମୁଖ୍ୟତଃ ତିନି ପର୍ଯ୍ୟାୟରେ ବିଭକ୍ତ କରାଯାଇ ପାରିବ । ପ୍ରଥମ ପର୍ଯ୍ୟାୟରେ ଉପନିବେଶି ଶାସକର ନିଜ ଭୂମିରେ ଉପସ୍ଥିତି ଜନିତ ସଂସ୍ରବ । ଦ୍ୱିତୀୟ ପର୍ଯ୍ୟାୟରେ ବିଦେଶୀ ଶାସନରୁ ମୁକ୍ତ ହେବାପାଇଁ ସଂଗ୍ରାମ ଜନିତ ପ୍ରତିକ୍ରିୟା । ତୃତୀୟ ପର୍ଯ୍ୟାୟରେ ସ୍ୱାଧୀନତା ହାସଲ ପରେ ସମାଜର ଆଧୁନିକୀକରଣ ନିମିତ୍ତ ପଶ୍ଚିମ ପରିନିର୍ମିତିମାନଙ୍କ ଉପରେ ନିର୍ଭରଶୀଳତା । ଏହି ସମସ୍ତ ପର୍ଯ୍ୟାୟରେ ଶାସିତ ଓ ଶାସକ ଭିତରେ ସମ୍ପର୍କର ଯାହା ସାଧାରଣ ଭିତ୍ତିଭୂମି ତାହା ଏକାଧାରରେ ଉଭୟ ପ୍ରେମ ଓ ଘୃଣାର ଆବେଗ । ପ୍ରତ୍ୟେକ ଶାସିତ ବ୍ୟକ୍ତି ଓ ଗୋଷ୍ଠୀ ନିଜେ ଶାସକର ଭୂମିକାରେ ନିଜକୁ କଳ୍ପନା କରୁଥାଏ । ତାହା ହିଁ ତାହାର ଶାସକ ପ୍ରତି ପ୍ରେମର ଭିତ୍ତିଭୂମି-। ପୁଣି ଠିକ୍ ସେହି ସମୟରେ ନିଜ ଶାସିତ ଅବସ୍ଥାର ଅନୁଭୂତି ଶାସକ ପ୍ରତି ଘୃଣା ସୃଷ୍ଟି କରିଥାଏ । ଏହି ଦ୍ୱନ୍ଦ୍ୱାତ୍ମକ ଆବେଗ ସାହିତ୍ୟ-ନିର୍ମାଣରେ ମଧ୍ୟ ପ୍ରତିଫଳିତ ହୁଏ । ଫକୀରମୋହନ ଆଦିଙ୍କ ସାହିତ୍ୟରେ ପାଶ୍ଚାତ୍ୟର ଏହିଭଳି ଉପସ୍ଥାପନର ଆଦ୍ୟ ଝଲକ ଆମେ ଦେଖିବାକୁ ପାଇପାରିବା । ବ୍ରିଟିଶ୍ ଶାସକମାନଙ୍କର ବହୁଳ ଓ ବିଧିବଦ୍ଧ ଉପସ୍ଥାପନ ତାଙ୍କ କବିତା, ଉପନ୍ୟାସ ଓ ଆତ୍ମଜୀବନୀ ଆଦିରେ ଦେଖିବାକୁ ମିଳେ :

 

ଯାହା କରିଗଲେ ଉଡ଼ବରନ ସାହେବ

ରକ୍ତ ଅକ୍ଷରରେ ଇତିହାସେ ଲେଖା ହେବ

ଚାରିଆଡ଼େ ତାଙ୍କ ଯଶ ହେଉଛି ବିକାଶ

ଓଡ଼ିଆମାନଙ୍କୁ କିନ୍ତୁ କଲେ ସର୍ବନାଶ

(ଉତ୍କଳ ଭ୍ରମଣଂ)

 

ଏହାର ଠିକ୍ ବିପରୀତଧର୍ମୀ ଉପସ୍ଥାପନ ଦେଖିବାକୁ ମିଳେ ‘ବିଦେଶିନୀ ବାଳିକାର ଛାୟାଚିତ୍ର’ କବିତାରେ । ‘ଛ’ ମାଣ ଆଠଗୁଣ୍ଠ ଉପନ୍ୟାସର ଅସୁରଦୀଘି ପରିଚ୍ଛେଦରେ ଉପନିବେଶବାଦ ବିରୋଧରେ ଶାଣିତ ବିଦ୍ରୁପର ନମୁନା ଦେଖିବାକୁ ମିଳେ । ସେହିଭଳି ତାଙ୍କ ଗଳ୍ପମାନଙ୍କରେ ପଶ୍ଚିମ ପ୍ରତି ପ୍ରତିକ୍ରିୟା ଅତ୍ୟନ୍ତ ଜଟିଳ ଯଦିଓ ପ୍ରତ୍ୟକ୍ଷ ଉପସ୍ଥାପନ ଖୁବ୍ ଗୌଣ । ଏକ ଦିଗରେ କୁସଂସ୍କାରାଚ୍ଛନ୍ନ ଭାରତୀୟ ସମାଜ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ଆହ୍ୱାନ, କିନ୍ତୁ ଅନ୍ୟ ଦିଗରେ ପାଶ୍ଚାତ୍ୟ ହେତୁବାଦୀ-କୈନ୍ଦ୍ରିକ ଆଧୁନିକୀକରଣ ଓ ପାଶ୍ଚାତ୍ୟ ସଭ୍ୟତାର ହନୁକରଣ ପ୍ରତି ବିଦ୍ରୁପ ଗଳ୍ପମାନଙ୍କର ଜଟିଳ ବିବିଧତା ସୂଚାଇଥାଏ । ଏକଥା ଉଲ୍ଲେଖ କରିବାବେଳେ ମନେରଖିବାକୁ ହେବ ଯେ, ଫକୀରମୋହନ ପଶ୍ଚିମର ସମାଲୋଚନା ପାଇଁ ବ୍ୟବହାର କରିଥିବା ଉପନ୍ୟାସ, ଗଳ୍ପର ରୂପାଙ୍ଗିକଗୁଡ଼ିକ ଯଥାର୍ଥରେ ବିଦେଶୀ ପରିନିର୍ମିତି-ପ୍ରେରିତ-

 

ଉପନିବେଶି ସଂସର୍ଗର ଦ୍ୱିତୀୟ ପର୍ଯ୍ୟାୟର ପ୍ରତିକ୍ରିୟା ଗାନ୍ଧି-ନେହେରୁବାଦୀ ମୁକ୍ତି ଆନ୍ଦୋଳନର ପରିପ୍ରକାଶ । ଏହି ରାଜନୀତିକ-ସାମାଜିକ ଅବସ୍ଥାର ଉପସ୍ଥାପନ ମଧ୍ୟ ଓଡ଼ିଆ ସାହିତ୍ୟରେ ଦେଖିବାକୁ ମିଳେ । ବିବେକାନନ୍ଦ-ଅରବିନ୍ଦ-ଗାନ୍ଧୀ ଦର୍ଶନ ଦ୍ୱାରା ନିୟନ୍ତ୍ରିତ ଭାବାଦର୍ଶ ସାହିତ୍ୟ ରଚନାକୁ ପ୍ରଭାବିତ କରିଥିଲା ଏବଂ ଉପନିବେଶି ଶାସନତନ୍ତ୍ରର ସମାଲୋଚନା କରିଥିଲା-। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଓଡ଼ିଆ ସାହିତ୍ୟରେ ଅନ୍ୟ ଭାରତୀୟ ଭାଷା ସାହିତ୍ୟ ତୁଳନାରେ ପଶ୍ଚିମର ପ୍ରତ୍ୟକ୍ଷ ଉପସ୍ଥାପନ ଖୁବ୍ ନଗଣ୍ୟ । କନ୍ନଡ଼ ସାହିତ୍ୟର ମସ୍ତି, କୃଷ୍ଣଭଟ୍ଟ, ରାମାନୁଜନ, ସବିତାରାମ୍ମା, ମାଲୟାଲମ୍‌ର ଭି.କେ. ନୟନାର୍, ପୋଟ୍ଟେକାଟ୍, ତାମିଲ୍‌ର ଅଶୋକମିତ୍ରନ୍, ଇନ୍ଦିରା ପାର୍ଥସାରଥି, ତେଲୁଗୁର ଶେଷାଗିରି ରାଓ ଆଦିଙ୍କ ପରି ଓଡ଼ିଆ ଗଳ୍ପସାହିତ୍ୟରେ ବିଧିବଦ୍ଧ ଭାବରେ ଏହିପରି ପଶ୍ଚିମର ଉପସ୍ଥାପନ ଦେଖିବାକୁ ମିଳେନାହିଁ ।

 

ନବ ଉପନିବେଶି ଜ୍ଞାନ-ସ୍ଥିତିରେ ବ୍ରିଟେନ୍‌ର ଭୂମିକା ଆମେରିକା ଗ୍ରହଣ କରିଛି । କୃଷ୍ଣପ୍ରସାଦଙ୍କ ଗଳ୍ପରେ ଏହି ଆମେରିକୀୟ ସଭ୍ୟତା, ‘ପର’ ବା ‘ଅନ୍ୟ' ଭାବରେ ଉପସ୍ଥାପିତ ହୋଇଛି । ବସ୍ତୁସ୍ଥିତି ଓ ପାତ୍ରମାନେ ବଦଳି ଯାଇଥିଲେ ହେଁ, କୃଷ୍ଣପ୍ରସାଦଙ୍କ ପାଶ୍ଚାତ୍ୟ ପ୍ରତି ଆଭିମୁଖ୍ୟ ଠିକ୍ ଫକୀରମୋହନଙ୍କ ଜଟିଳ ବିବିଧତାର ପୁନରାବୃତ୍ତି କରେ । ଏହି ଦୃଷ୍ଟିରୁ କୃଷ୍ଣପ୍ରସାଦଙ୍କ ଗଳ୍ପରେ ପଶ୍ଚିମ ସମ୍ପର୍କରେ ବ୍ୟବହୃତ ଗତାନୁଗତିକୀ (Stereotype) ଗୁଡ଼ିକ ପୂର୍ବରୁ ସୂଚାଇ ଦିଆଯାଇଥିବା ଅନ୍ୟ ଭାରତୀୟ ଭାଷା ସାହିତ୍ୟର ଗାଳ୍ପିକମାନଙ୍କର ଗତାନୁଗତିକୀର ସମଧର୍ମା । ‘ଅନ୍ୟ’ ଓ ‘ପର’ର ଅନ୍ତଃକରଣ ଅନେକ ସମୟରେ ଏହି ଗତାନୁଗତିକୀ ମଧ୍ୟଦେଇ ଗତିଶୀଳ । ଉପନିବେଶି ଶାସକ ଓ ଶାସିତର ସମ୍ପର୍କର ପ୍ରେକ୍ଷାପଟରେ ଏହି ଗତାନୁଗତିକୀଗୁଡ଼ିକର ଏକ ସାଧାରଣ ଚିହ୍ନଟ ମଧ୍ୟ କରାଯାଇପାରିବ । ବେଳେବେଳେ ଗାଳ୍ପିକ ଗତାନୁଗତିକୀଗୁଡ଼ିକୁ ସଚେତନ ଭାବରେ ଭାଙ୍ଗିବାକୁ ଚେଷ୍ଟା କରିଥାଏ । ଯାହାର ଉଦାହରଣ କୃଷ୍ଣପ୍ରସାଦଙ୍କ ଗଳ୍ପରେ ଦେଖିବାକୁ ମିଳେ । କିନ୍ତୁ ଗତାନୁଗତିକୀଗୁଡ଼ିକୁ ଭାଙ୍ଗିବା ପୂର୍ବରୁ ସେଗୁଡ଼ିକର ଉପସ୍ଥାପନ ଜରୁରୀ ହୋଇପଡ଼େ । ଅଶୋକମିତ୍ରନ୍ ଓ ସୂଚାଯାଇଥିବା ଅନ୍ୟ ଭାଷା-ସାହିତ୍ୟର ଗାଳ୍ପିକମାନଙ୍କ ଭଳି କୃଷ୍ଣପ୍ରସାଦଙ୍କ ଗଳ୍ପରେ ବାରମ୍ବାର ଦୃଷ୍ଟିଗୋଚର ହେଉଥିବା ଗତାନୁଗତିକୀଗୁଡ଼ିକୁ ନିମ୍ନମତେ ବ୍ୟାଖ୍ୟା କରାଯାଇପାରିବ । ଯଥା, ପୂର୍ବର ଆଧ୍ୟାତ୍ମିକତା ବନାମ ପଶ୍ଚିମର ଭୋଗବାଦୀତା । ଏକ ସମାନ୍ତରାଳ ଗତାନୁଗତିକୀ ହେଉଛି ପ୍ରାଚୀର ଉଚ୍ଚ ଆଦର୍ଶ ଓ ନୀଚ ବ୍ୟବହାରିକ ଜୀବନର ସଂଘାତରୁ ସୃଷ୍ଟି ହେଉଥିବା ଛଳନା ବନାମ ପଶ୍ଚିମର ଏକନିଷ୍ଠ ମନୋବୃତ୍ତି ଓ ଅଙ୍ଗୀକାରବଦ୍ଧତା । ‘ଜଣେ ହିପି ତରୁଣୀର ଇତିବୃତ୍ତ’ ଗଳ୍ପ ଏହିଭଳି ଗତାନୁଗତିକୀମାନଙ୍କର ନାଟକୀୟ ରୂପାୟନ । ପୂର୍ବର ବୌଦ୍ଧ ଦର୍ଶନର ତତ୍ତ୍ୱ, ପଶ୍ଚିମର ବସ୍ତୁନିଷ୍ଠ ଜୀବନପ୍ରବାହ ପ୍ରତି ସେଠାକାର ଯୁବମାନସରେ ବିରାଗ ବାଦ୍ ଅବଶ୍ୟ ଆଇରିସ୍ ଆଲ୍‌ସପ୍ ଜଣେ ଅତି ଅସାଧାରଣ ବ୍ୟକ୍ତିତ୍ଵ । ତାଙ୍କ ବ୍ୟକ୍ତିତ୍ୱର ମହାନତା ଫୁଟାଇବା ପୂର୍ବରୁ ସାମାଜିକ ପ୍ରକ୍ରିୟାଦ୍ୱାରା ସୃଷ୍ଟି ହେଉଥିବା ଗତାନୁଗତିକୀଗୁଡ଼ିକୁ ମଧ୍ୟ କୃଷ୍ଣପ୍ରସାଦ ଉପସ୍ଥାପନ କରିଛନ୍ତି । ସେଗୁଡ଼ିକୁ ଏକ ସମୀକ୍ଷାତ୍ମକ ଦୃଷ୍ଟିକୋଣରୁ ଦେଖିଛନ୍ତି । ନିଜର ‘ଅନ୍ୟ’ ନିର୍ମାଣ କଲାବେଳେ ପଶ୍ଚିମ ଏକ ନିର୍ଦ୍ଦିଷ୍ଟ ସମାଜ-ପ୍ରକ୍ରିୟା ମଧ୍ୟଦେଇ ଆଧ୍ୟାତ୍ମିକ ପ୍ରାଚ୍ୟର ଗତାନୁଗତିକୀ ସୃଷ୍ଟି କରିଛି ବୋଲି ଏଡୱାର୍ଡ ସଇଦ୍‌ଙ୍କ ଭଳି ସାହିତ୍ୟ-ସମାଲୋଚକମାନେ ମତ ଦିଅନ୍ତି । ଠିକ୍ ସେହିଭଳି ଉପନିବେଶବାଦ ବିରୋଧରେ ମୁକ୍ତି ସଂଗ୍ରାମର ଆଦ୍ୟ ପର୍ଯ୍ୟାୟରେ ବିବେକାନନ୍ଦଙ୍କ ଭଳି ମନୀଷୀମାନେ ଭାରତକୁ ଏକ ନିର୍ଦ୍ଦିଷ୍ଟ ଆତ୍ମ-ପରିଚୟ ଦେବାକୁ ଚେଷ୍ଟା କରିଥିଲେ । ଏକ ସଂଗଠିତ ଆତ୍ମ-ପରିଚୟର ରାଜନୀତିକ ଆବଶ୍ୟକତା ଦୃଷ୍ଟିରୁ ଭାରତୀୟ ବିବିଧତାକୁ ଅଦ୍ୱୈତ ଦର୍ଶନର ଏକତ୍ଵ ଚାରିପଟେ ଗ୍ରନ୍ଥିଭୁକ୍ତ କରିବାକୁ ଚେଷ୍ଟା କରିଥିଲେ । କୃଷ୍ଣପ୍ରସାଦ ଦର୍ଶନର ଛାତ୍ର । ସେହି ନ୍ୟାୟରେ ଭାରତୀୟ ଅଦ୍ୱୈତବାଦୀର ଚେତନା ଦେଇ ଅନେକ ମଧ୍ୟରେ ଏକର ଆବିଷ୍କାର କରିବାକୁ ଗଳ୍ପମାନଙ୍କରେ ପ୍ରଚେଷ୍ଟା କରିଥିବା ସମ୍ଭବ । ମାତୃସ୍ନେହ ଭଳି ଜାଗତିକ ଆବେଗ ସ୍ଥାନ, କାଳ ଓ ପାତ୍ରର ଉର୍ଦ୍ଧ୍ୱରେ ବୋଲି ‘ଯଶୋଦାର ଶୋକ’ ଗଳ୍ପ ପ୍ରତିପାଦିତ କରେ । ଲିସା ୱିଲାଣ୍ଡଙ୍କ ଭଳି ଜଣେ କାନାଡ଼ିଆନ୍ ପୌଢ଼ାଙ୍କ ଚରିତ୍ର ଚିତ୍ରଣ ପାଇଁ ଭାରତୀୟ ମାତୃତ୍ୱର ମୌଳରୂପ (archetype) ଯଶୋଦାଙ୍କୁ ଆହ୍ୱାନ କରିବା ଯଥାର୍ଥରେ ଏହାର ପ୍ରତୀକ । ଜଣେ ଭାରତୀୟ ଭାବେ ହୁଏତ ଭାରତୀୟ ମାତୃତ୍ୱର ମୌଳରୂପ ତାଙ୍କ ରଚନାକୁ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଆସିଛି । କିନ୍ତୁ ଭାରତୀୟ ଜୀବନଚର୍ଯ୍ୟାକୁ ବିନା ପରୀକ୍ଷଣରେ ପାଶ୍ଚାତ୍ୟ ଅପେକ୍ଷା ଶ୍ରେୟସ୍କର ବୋଲି ପ୍ରତିପାଦନ କରିନାହାନ୍ତି । ଜଣେ କ୍ଷୁବ୍‌ଧ ଅନ୍ତେବାସୀ ଭଳି, ମହାନ୍ ଆଦର୍ଶ ଓ ଦର୍ଶନର ପରମ୍ପରା ସତ୍ତ୍ୱେ ଭାରତୀୟ ଜୀବନଚର୍ଯ୍ୟାର ଛଳନାକୁ “ମାର୍ଥାର ସମାଧି” ଗଳ୍ପରେ ଅତି ନିର୍ମମ ଭାବରେ ତିରସ୍କାର କରିଛନ୍ତି । ଫକୀରମୋହନଙ୍କ ସଭ୍ୟ ଜମିଦାର ଭଳି, “ମାର୍ଥାର ସମାଧି” ଗଳ୍ପର ନାୟକ ତଥାକଥିତ ଆଧୁନିକତା ନାଁରେ ପଶ୍ଚିମର ବାହ୍ୟ ସ୍ୱରୂପର କେତୋଟି ପ୍ରତୀକକୁ ଆପଣେଇଛି । ରମେଶ ଦୃଷ୍ଟିରେ ପଶ୍ଚିମର ଗତାନୁଗତିକୀ ହେଉଛି ସହଜଲଭ୍ୟ ଯୌନତା ଓ ପୂର୍ବର ଗତାନୁଗତିକୀ, ହିପ୍ନୋଟିଜମ୍ ଓ ବାତ୍ସାୟନଙ୍କ କାମସୂତ୍ର । ‘ଅନ୍ୟ’କୁ ବସ୍ତୁ ଓ ଉପଭୋଗର ସାମଗ୍ରୀ ହିସାବରେ ପରିକଳ୍ପନା କରୁଥିବା ମାନସିକତାକୁ କୃଷ୍ଣପ୍ରସାଦ ସମୁଦ୍ରର ମଗର ରୂପକଳ୍ପ ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ମାର୍ଥା ଜଣେ ପଶ୍ଚିମ ରମଣୀ ହୋଇଥିଲେ ବି ହିନ୍ଦୁ ଦର୍ଶନ ଓ ଯୋଗର ତତ୍ତ୍ୱକୁ ଅଙ୍ଗୀଭୂତ କରିପାରିଛି । ତା’ର ଏକନିଷ୍ଠତା ଓ ଅଙ୍ଗୀକାରବଦ୍ଧତା ବଳରେ ସେ ମୁକ୍ତିମାର୍ଗରେ ଆଗେଇ ଯାଇଛି-। ତଥାକଥିତ ଆଧ୍ୟାତ୍ମିକ ସଂସ୍କୃତିରେ ପରିପୁଷ୍ଟ ରମେଶ ଭଳି ଅନେକ ଭାରତୀୟ ମଗର-ଚେତନା ଗ୍ରସ୍ତ ହେଇଥିବା ବେଳେ ବସ୍ତୁନିଷ୍ଠ ପ୍ରାଚୁର୍ଯ୍ୟର ସଭ୍ୟତା ମାର୍ଥାର ମୁକ୍ତିକାମୀ ମାନସିକତା ପାଇଁ ବନ୍ଧନ ହେଇପାରିନାହିଁ । ମଣିଷ ତା’ର ସ୍ୱଧର୍ମ ଉତ୍‌ପ୍ରେରକର କେନ୍ଦ୍ର ଠାବ କରିପାରିଲେ ଦେଶ, କାଳ, ପାତ୍ରର ସୀମାରେଖାଗୁଡ଼ିକ ଗୌଣ ହୋଇଯାଇପାରିବ ବୋଲି ଏକ ମାନବବାଦୀ ବିଶ୍ଵାସ କୃଷ୍ଣପ୍ରସାଦଙ୍କ ଗଳ୍ପ ସମୁଦାୟରେ ଦେଖିବାକୁ ମିଳେ ।

 

ଏକ ଅନୁରୂପ ମାନବବାଦୀ ବିଶ୍ୱାସର ଚେର ଭାରତୀୟ ବେଦାନ୍ତ ଦର୍ଶନରେ ସିଏ ଠାବ କରିଥିବା ଖୁବ୍ ସମ୍ଭବ । ‘ବସୁଧୈବ କୁଟୁମ୍ବକମ୍’, ‘ଏକମ୍ ସତ୍ ବିପ୍ରାଃ ବହୁଧା ବଦନ୍ତି’ ଇତ୍ୟାଦି ଆପ୍ତବାକ୍ୟର ସତ୍ୟତା ପରୀକ୍ଷା କରିବାପାଇଁ ସେ ସତକୁ ସତ ସମଗ୍ର ବସୁଧା ଓ ସତ୍ୟର ସମସ୍ତ ବିବିଧତାକୁ ନିଜର ପ୍ରେକ୍ଷାପଟ ଭାବରେ ନେଇଛନ୍ତି । ବସୁଧାକୁ କେବଳ ଏ ଅମୂର୍ତ୍ତଭାବ ହିସାବରେ ନୁହେଁ, ବସୁଧାର ସମଗ୍ର ବସ୍ତୁସ୍ଥିତିକୁ ଗ୍ରହଣ କରିବାଦ୍ୱାରା ଓଡ଼ିଆ ଗଳ୍ପ ସାହିତ୍ୟର ଭୌଗୋଳିକ ମାନଚିତ୍ରୀକରଣକୁ ଅଧିକ ବ୍ୟାପ୍ତ କରାଇଛନ୍ତି । ଶଙ୍କର, ରାମାନୁଜଙ୍କ ଠାରୁ ଆରମ୍ଭ କରି ହବ୍‌ସ୍, ମାର୍କ୍ସଙ୍କ ପର୍ଯ୍ୟନ୍ତ ବହୁ ଦର୍ଶନ, ବହୁ ପାଠ ମଧ୍ୟ ଦେଇ ଓଡ଼ିଆ ଗଳ୍ପ ମାନସର ବୌଦ୍ଧିକ ସାବାଳକୀକରଣ କରାଇଛନ୍ତି । ଉଭୟ ପରିକ୍ରମଣ ଓ ଅନ୍ତର୍ଜଳୀ ଯାତ୍ରା ଶେଷରେ ବହୁ ଶାଖାପ୍ରଶାଖା ବିଶିଷ୍ଟ ଏହି ବିଶ୍ଵଜୀବନର ଚେର ପାଖରେ ପହଞ୍ଚିଛନ୍ତି ।

 

ସମଗ୍ର ଯାତ୍ରା ଶେଷରେ ଆପଣାର ମୂଳକୁ ଫେରିବାର ଏକ ଆକାଂକ୍ଷାର ଏକ ସମ୍ଭାବ୍ୟ ଚିତ୍ର ଆମେ ‘ଡାଫୋଡିଲ୍‌ଠୁ ଗଙ୍ଗଶିଉଳୀର ଦୂରତା’ ଗଳ୍ପରେ ଦେଖିବାକୁ ପାଇବା । ଗଳ୍ପନାୟକ ବିଜୟ ନିଜର ଅଧ୍ୟବସାୟ ଓ ଉଚ୍ଚାକାଂକ୍ଷା ବଳରେ ଆମେରିକାର ସଫଳତା ଓ ପ୍ରାଚୁର୍ଯ୍ୟର ଦୌଡ଼ରେ ଜିତାପଟ ପାଇଛି ସତ, କିନ୍ତୁ ଶେଷରେ ସେଇ ସଫଳତା ତା ପାଇଁ ବନ୍ଧନ ହେଇପଡ଼ିଛି-। ବହୁଚର୍ଚ୍ଚିତ ‘ଆମେରିକାନ ଡ୍ରିମ୍’ ତା ପାଇଁ ହେଉଛି ଦୁଃସ୍ୱପ୍ନ, ଯେତେବେଳେ ତା’ର ଦୁଇପୁଅ ଆମେରିକୀୟ ଜୀବନର ବାହ୍ୟ ଚାକଚକ୍ୟ, ତା’ର ଭୋଗବାଦୀ ଜୀବନଶୈଳୀ ଓ ସହଜିଆ ମୂଲ୍ୟବୋଧର ଶିକାର ହେଇଛନ୍ତି । ଶ୍ରେୟ ଓ ପ୍ରେୟର ସଂଘାତରେ ପ୍ରେୟର ସହଜ ରାସ୍ତାଟି ସେମାନଙ୍କୁ ଆକୃଷ୍ଟ କରିଛି । ବିଜୟର ଭାରତୀୟ ସଂସ୍କାରଗ୍ରସ୍ତ ମନ ଏସବୁ ବିରୋଧରେ ବିଦ୍ରୋହ କରିଉଠିଛି :

 

“ପ୍ଲିଜ୍, ଷ୍ଟପ୍ ଇଟ୍ ! ତୁମେମାନେ ନିଜର କଥା କହୁନ, ଶୁଣାଶୁଣି କଥା କହୁଛ, ଆମେରିକାନ୍ ସାଙ୍ଗମାନେ ଯାହା କହୁଛନ୍ତି ତା କହୁଛ ।...... ତୁମଠି ପତନର ଏହିସବୁ ଲକ୍ଷଣ, ଏହିସବୁ ଶିଖାଶିଖି ବୈରାଗ୍ୟ ! ମୋର ଦୁର୍ଭାଗ୍ୟ ତୁମେ ଦୁହେଁ କୌଣସି ସଫଳତା ନ ପାଉଣୁ ବଦଭ୍ୟାସଗୁଡ଼ିକର ଦାସ ହେଇପଡ଼ିଲଣି ।” (ଡାଫୋଡିଲ୍ ଓ ଗଙ୍ଗଶିଉଳୀ ପୃ.୭) ।

 

ବ୍ୟକ୍ତି ସ୍ୱାଧୀନତାକୁ ଅତ୍ୟଧିକ ସମ୍ମାନ କରୁଥିବା ଆମେରିକୀୟ ବାପମା’ ହୁଏତ ସେମାନଙ୍କର ପିଲାମାନଙ୍କର ଏସବୁ ବିଲକ୍ଷଣ ପ୍ରତି ଉଦାସୀନ ରହିଥାନ୍ତେ । ସେମାନଙ୍କୁ ନିଜ ନିଜର ଇଚ୍ଛା ଅନୁସାରେ ଜୀବନ ବଞ୍ଚିବାକୁ ଛାଡ଼ିଦେଇଥା’ନ୍ତେ । କିନ୍ତୁ ଆମେରିକୀୟ ଆଦବକାଇଦାରେ କୋଡ଼ିଏ ବର୍ଷଧରି ମଣ ହେଇଥିବା ବିଜୟର ରକ୍ଷଣଶୀଳ ମନ ପୁଣି ଭାରତୀୟ ସଭ୍ୟତା ଓ ସଂସ୍କୃତିର ଆଶ୍ରୟ ଖୋଜିଛି । ସଫଳତାର ଦୌଡ଼ରେ ବିଜୟଠୁ ହାରିଯାଇଥିବା ପିଲାଦିନର ବନ୍ଧୁ ରାଧେଶ୍ୟାମ ପାଖରେ ନିଜକୁ ସମର୍ପଣ କରିଛି । ଭାରତୀୟ ସଂସ୍କୃତିର ପ୍ରତୀକ ଭୂଲଗ୍ନ ରାଧେଶ୍ୟାମ ପାଖକୁ ଯାତ୍ରା ଶେଷରେ ଫେରିଆସିବା ହିଁ ଯେପରି ସମସ୍ତ ପରିକ୍ରମଣର ଅସଲ ଭବିତବ୍ୟ ।

 

ପଶ୍ଚିମର ସର୍ବବିଧ ଉପସ୍ଥାପନ ପଛରେ ହୁଏତ ଏହିଭଳି ସାଂସ୍କୃତିକ ପଶ୍ଚାତ୍‍ଦୃଷ୍ଟି ତାଙ୍କର ରଚନାମାନଙ୍କରେ ପ୍ରତିଫଳିତ ହେଇଛି । ବର୍ତ୍ତମାନର ବାସ୍ତବ ଜୀବନର ସଂଘାତରେ ଅତୀତର ଯେଉଁ ମୂଲ୍ୟବୋଧଗୁଡ଼ିକ କ୍ରମେ ଅନ୍ତର୍ହିତ ବା ମଳିନ ଜଣାପଡ଼ୁଛନ୍ତି ପଶ୍ଚିମର ପ୍ରେକ୍ଷାପଟରେ ହିଁ ସେଗୁଡ଼ିକ ଉଜ୍ଜ୍ୱଳ ହେଇଉଠିଛନ୍ତି କୃଷ୍ଣପ୍ରସାଦଙ୍କ ଗଳ୍ପସମଗ୍ରରେ । ଭାରତରୁ ଆମେରିକା ଯାଇଥିବା କୃଷ୍ଣପ୍ରସାଦଙ୍କ ଭଳି କ୍ଷୁବ୍ଧ ଅନ୍ତେବାସୀ ହୁଅନ୍ତୁ ବା ଭାରତ ପ୍ରତି ସହାନୁଭୂତିଶୀଳ ‘ମୁଖା’ ଗଳ୍ପର ନାୟିକା ବିଦେଶାଗତ ମାର୍ଲିନ୍ ହୁଅନ୍ତୁ, ବିବିଧତା ଓ ଭିନ୍ନତା ସେମାନଙ୍କର ପାଖରେ ଦର୍ପଣର ଭୂମିକା ନିର୍ବାହ କରିଛି । ନିଜର ସହଯାତ୍ରୀ ଜନ୍ ନିକଟରେ କରୁଣା ଓ ପରୋପକାରର ଆବେଗ ପ୍ରତ୍ୟକ୍ଷ କଲାପରେ ହିଁ ତାକୁ ମାର୍ଲିନ୍ ଅସଲ କଳାକାର ଓ ଅଭିନେତାର ମାନ୍ୟତା ଦେଇଛି । ମୁଖ୍ୟ ପାତ୍ରପାତ୍ରୀ ଓଡ଼ିଶା ଭ୍ରମଣରେ ଆସିଥିବା ଆମେରିକୀୟ ହେଲେ ହେଁ, ‘ମୁଖା’ ଗଳ୍ପ ପ୍ରକୃତରେ ଓଡ଼ିଆ ପାଠକମାନଙ୍କୁ ଗୋପବନ୍ଧୁଙ୍କ ଆଦର୍ଶପ୍ରତି ସଚେତନ କରାଇବା ପାଇଁ ଉଦ୍ଦିଷ୍ଟ ।

 

ମୋଟ୍ ଉପରେ ପଶ୍ଚିମର ଉପସ୍ଥାପନ ମାଧ୍ୟମରେ ଚିରନ୍ତନ ମାନବିକ ମୂଲ୍ୟବୋଧର ଗଭୀରତର ଭାବେ ଉପଲବ୍ଧି କରିବାପାଇଁ କୃଷ୍ଣପ୍ରସାଦଙ୍କ ଗଳ୍ପମାନ ଆହ୍ୱାନ କରନ୍ତି । ଅବଶ୍ୟ ସେ ଚିରନ୍ତନ ମାନବିକ ମୂଲ୍ୟବୋଧଗୁଡ଼ିକର ରୂପରେଖ ଗାଳ୍ପିକ ଭାରତୀୟ ସଂସ୍କୃତି, ଜୀବନପ୍ରବାହ ଓ ଦର୍ଶନରୁ ଆହରଣ କରିଛନ୍ତି । ମନୀଷୀ ଗୋଟେ ଏକଦା କହିଥିଲେ ଯିଏ କେବଳ ପୂର୍ବ ବା କେବଳ ପଶ୍ଚିମ ଏହିଭଳି ଦେଖେ ସିଏ ପ୍ରକୃତରେ କିଛି ଦେଖିପାରେ ନାହିଁ । କୃଷ୍ଣପ୍ରସାଦଙ୍କ ଦୃଷ୍ଟି ପଶ୍ଚିମକୁ ଦେଖିବା ବାହାନାରେ ପୂର୍ବକୁ ଭଲକରି ଦେଖିନିଏ । ପଶ୍ଚିମ ଭିତରଦେଇ ପୂର୍ବକୁ ଓ ପୂର୍ବର ସାଂସ୍କୃତିକ ନିର୍ମିତି ମଧ୍ୟଦେଇ ପଶ୍ଚିମକୁ ଦେଖିବାଦ୍ୱାରା ଗଳ୍ପଗୁଡ଼ିକ ଯଥାର୍ଥରେ ସାଂସ୍କୃତିକ ସମ୍ବାଦର କ୍ଷେତ୍ରଟିଏ ପ୍ରସ୍ତୁତ କରନ୍ତି । ‘ଅନ୍ୟ’ ବା ‘ପର’କୁ ଦର୍ପଣ ଭାବରେ ବ୍ୟବହାର କରି ଆତ୍ମାନୁସନ୍ଧାନ ବା ଆତ୍ମଜ୍ଞାନ ଲାଭ କରିହୁଏ କୃଷ୍ଣପ୍ରସାଦ ତାଙ୍କ ଗଳ୍ପମାନଙ୍କରେ ବାରମ୍ବାର ପ୍ରତିପାଦନ କରିଛନ୍ତି ଏବଂ ଏଇ ଆତ୍ମଜ୍ଞାନ ସବାଶେଷରେ ନିଜ ଓ ପରର ବାହ୍ୟ ବିଭେଦଗୁଡ଼ିକୁ ଆଖିବୁଜି ଏକ ବୃହତ୍ତର ମାନବୀୟ ସାମ୍ୟ ଦର୍ଶନ କରିବାକୁ ଆଗଭର ହୁଏ । ଅବଶ୍ୟ ଏହି ସମ୍ୟକ୍ ଉଚ୍ଚତର ଜ୍ଞାନଲାଭ ପାଇଁ ବିଭେଦ ଭିତରଦେଇ ଯିବାକୁ ପଡ଼େ । ବାହାରର ଆଖିଗୁଡ଼ାକ ଅନ୍ତରର ବିଭବ ପ୍ରତି ଆମକୁ ଅଧିକ ଶ୍ରଦ୍ଧାଶୀଳ କରାଏ । ଏହି ଦୃଷ୍ଟିରୁ ପଶ୍ଚିମ କୃଷ୍ଣପ୍ରସାଦଙ୍କ ପାଇଁ ଏକ ଜରୁରୀ ଅବଲମ୍ବନ ।

 

ପଶ୍ଚିମ ପ୍ରତି ଏଭଳି ଏକ ଜଟିଳ ଦୃଷ୍ଟିକୋଣ ପଛରେ ଥିବା ସମ୍ଭାବ୍ୟ ଭାବାଦର୍ଶ ସମ୍ପର୍କରେ ଏ ପ୍ରବନ୍ଧର ଉପସଂହାରରେ ଉଲ୍ଲେଖ କରାଯିବା ବାଞ୍ଛନୀୟ । ମୋ ମତରେ ପଶ୍ଚିମ ପ୍ରତି ଏଭଳି ଏକ ଦୃଷ୍ଟିକୋଣ ଭାରତୀୟ ଉଚ୍ଚ-ଶ୍ରେଣୀ ଚିନ୍ତାଧାରାର ପ୍ରତିବିମ୍ବ । ବ୍ରାହ୍ମଣବାଦର ଏହି ଶ୍ରେଣୀ-ଚେତନା ଉପନିବେଶବାଦ ବିରୋଧରେ ସଂଗ୍ରାମର ନେତୃତ୍ୱ ନେଇଥିଲା । କୌଣସି ବ୍ୟକ୍ତି-ବିଶେଷର ପ୍ରଜ୍ଞା-ଉନ୍ମେଷ (epiphary) ଉପରେ ପର୍ଯ୍ୟବେସିତ ନହୋଇ ଗୋଟିଏ ଗଣର ଜୀବନାନୁଭୂତି ଓ ଚିନ୍ତା-ନିର୍ଯ୍ୟାସ ଉପରେ ଆଧାରିତ ହେଇଥିବାରୁ ଏହି ଚେତନା ଅଧିକତର ଭାବରେ ସହାବସ୍ଥାନଶୀଳ ଓ ସାଲିସ୍‍ବାଦୀ ବୋଲି ମୋର ମତ । ଭାରତୀୟ ଉପନିବେଶ-ବିରୋଧୀ ସଂଗ୍ରାମକୁ ଦିଗ୍‍ଦର୍ଶନ ଦେବା ଓ ନେତୃତ୍ୱ ନବାରେ ଭୂମିକା ଗ୍ରହଣ କରିଥିବା ଯୋଗୁଁ ଆଗରୁ ସୂଚାଯାଇଥିବା ଶାସିତ-ଶାସକ ମଧ୍ୟରେ ଥିବା ଘୃଣା ପଶ୍ଚିମ କ୍ଷେତ୍ରରେ ଦେଖିବାକୁ ମିଳେନାହିଁ ଯାହା ପ୍ରାଂଞ୍ଜ ଫ୍ୟାନୋଁ ଆଦି ଅନ୍ୟ ପାଶ୍ଚାତ୍ୟ-ବିରୋଧୀ ଚିନ୍ତାନାୟକଙ୍କ ଲେଖାରେ ଦେଖିବାକୁ ମିଳିଥାଏ । ବରଂ ଗାନ୍ଧି ପରବର୍ତ୍ତୀ ଭାରତୀୟ ନେତୃତ୍ୱ ଖୁବ୍ ସହଜରେ ନିଜର ପଶ୍ଚିମୀକରଣ ପାଇଁ ବ୍ୟାକୁଳ ହୋଇଥିବାର ଦେଖାଯାଏ । ଏକପଟେ ଶାସିତର ମାନସିକତା ଯୋଗୁଁ ଏକ ଭିନ୍ନ ଆତ୍ମ-ପରିଚୟର ଆହ୍ୱାନ, ଅପରପଟେ ଶାସକ ଭୂମିକାରେ ନିଜକୁ ଦେଖିବାକୁ ପାଶ୍ଚାତ୍ୟୀକରଣ, ଆଧୁନିକୀକରଣ ପାଇଁ ବ୍ୟଗ୍ରତା ଭାରତୀୟ ଉଚ୍ଚବର୍ଗର ଦ୍ୱିଧା ଓ ଦ୍ୱନ୍ଦ୍ୱକୁ ଅଧିକ ସମସ୍ୟା ବିଜଡ଼ିତ କରିଛି । ବହୁକାଳ ଧରି ଉଚ୍ଚଶିକ୍ଷା ଓ ସାହିତ୍ୟ-ସଂସ୍କୃତି ଏହି ବିଶେଷ ବର୍ଗଦ୍ୱାରା ପୁଷ୍ଟ ହେଉଥିବାରୁ ସାହିତ୍ୟରେ ମଧ୍ୟ ତା’ର ପ୍ରତିଫଳନ ଘଟିଛି । କୃଷ୍ଣପ୍ରସାଦ ମଧ୍ୟ ସେହି ଶ୍ରେଣୀ-ମାନସିକତାର ପ୍ରତିନିଧି । ପଶ୍ଚିମ ତାଙ୍କ ପାଇଁ ଉଭୟ ସମ୍ଭାବନା ଓ ସଂସର୍ଗ । ଏହି ଦ୍ୱିଧା ଓ ଦ୍ୱନ୍ଦ୍ୱର ସଫଳ ନାଟକୀୟ ରୂପାୟନ ଓ ଏହାକୁ ଅତିକ୍ରମ କରି ଏକ ବିଶ୍ଵଜୀବନର ଅନୁସନ୍ଧାନ ତାଙ୍କ ଗଳ୍ପକୁ କଳାତ୍ମକତାର ଉତ୍କର୍ଷ ଓ ସାମାଜିକ ପ୍ରକ୍ରିୟାର ବିଶ୍ୱସନୀୟ ଦଲିଲ୍‍ର ମାନ୍ୟତା ଦେଇପାରିଛି ।

 

ଗ୍ରନ୍ଥସୂଚୀ :

ଡାଫୋଡିଲ୍ ଓ ଗଙ୍ଗଶିଉଳୀ, କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର, କଟକ : ୧୯୯୧

 

 

ଅଧ୍ୟାପକ, ଇଂରାଜୀ ବିଭାଗ

ଉତ୍କଳ ବିଶ୍ଵବିଦ୍ୟାଳୟ

ଭୁବନେଶ୍ୱର-୭୫୧୦୦୪

 

 

ପୁସ୍ତକ ସମୀକ୍ଷା

ଭିନ୍ନ ଏକ ସକାଳର ଝିଅ’ ଓ କବି

ପ୍ରମୋଦ ସର : ଏକ ଆଲୋଚନା

ଡକ୍ଟର ରବିନାରାୟଣ ମହାରଣା

 

ସାଂପ୍ରତିକ ଓଡ଼ିଆ କବିତା କ୍ଷେତ୍ରରେ ଡକ୍ଟର ପ୍ରମୋଦ ସର ଜଣେ ପ୍ରତିଭାଶାଳୀ ତଥା ପ୍ରତିସ୍ପର୍ଦ୍ଧା କବି ଭାବରେ ବେଶ୍ ସୁପରିଚିତ । ସେ ଅବଶ୍ୟ ତରୁଣ । ତେବେ ତାଂକ ଲେଖନୀରେ ତରୁଣର ଦୁର୍ବାର ଉନ୍ମାଦନା ପରିବର୍ତ୍ତେ ପ୍ରବୀଣର ପ୍ରଜ୍ଞା ଅତିମାତ୍ରାରେ ଉଚ୍ଛ୍ୱସିତ ରହିଥିବାର ଲକ୍ଷ୍ୟ କରିହୁଏ । ଓଡ଼ିଆ କବିତା କ୍ଷେତ୍ରରେ ତାଂକର ପ୍ରଥମ ସ୍ୱାକ୍ଷର ହେଉଛି, ‘ଅର୍କ୍ଷିତ ଆକାଶ’ (୧୯୯୦) । ପରେ ପରେ ତାଙ୍କର ଅନ୍ୟ ଏକ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି ୧୯୯୧ ରେ, ସଂକଳନର ନାମ: ‘ନୀରବତା ନିଜର ଯେଉଁଠି’ । ଓଡ଼ିଆ କବିତାର ରସମୋଦୀ ପାଠକ ଏକ ନୂତନ ସ୍ୱାଦରୁ ଆସ୍ୱାଦନ କଲାବେଳକୁ କବି କିଂତୁ କବିତା ରାଜ୍ୟରୁ ଅକସ୍ମାତ ଅଜ୍ଞାତବାସକୁ ବରଣ କରି ନିଅନ୍ତି । କବିଙ୍କର କବିତା ରାଜ୍ୟରେ ପୁନଶ୍ଚ ଆତ୍ମପ୍ରକାଶ ୨୦୦୧ ମସିହାରେ । ୧୯୯୧ ରୁ ୨୦୦୧-ଦୀର୍ଘ ଦଶବର୍ଷର ନିରବଚ୍ଛିନ୍ନ ସମୟ ମଧ୍ୟରେ କବି ତେବେ କ’ଣ କରୁଥିଲେ ? ଏତାଦୃଶ ପ୍ରଶ୍ନ ମନରେ ଉଙ୍କି ମାରିବା ସ୍ଵାଭାବିକ । ବାସ୍ତବରେ କବି କିଂତୁ କବିତାକୁ ପରୀକ୍ଷା କରୁଥିଲେ ଏହି ଦୀର୍ଘ ଦଶବର୍ଷ କାଳ । କବିତାର ଭାବ-କବିତାର ଛନ୍ଦ, କବିତାର ଆଙ୍ଗିକ, କବିତାର ଆତ୍ମିକ, କବିତାର ଐତିହାସିକତା.... ଇତ୍ୟାଦି ଇତ୍ୟାଦି । ପରୀକ୍ଷାକାଳର ଅନୁଭବ-ସିଦ୍ଧାନ୍ତ ଇତ୍ୟାଦି ମଧ୍ୟ ଗ୍ରଂଥ ରୂପ ଏଇଠୁ ନେଇ ଆତ୍ମପ୍ରକାଶ କରିଛି ସମାଲୋଚନା କ୍ଷେତ୍ରରେ । ତାହା ହେଉଛି : ‘ସ୍ଵପ୍ନ, ସଂପର୍କ ଓ ସ୍ଵୀକାରୋକ୍ତି (୧୯୯୩)’ ଓ ‘ସୀମାବଦ୍ଧ ସମୟ ଓ ସ୍ୱପ୍ନର ଅଭିସାର (୧୯୯୯)’ । ଯେଉଁ ପାଠକମାନେ ଉଭୟ ଓଡ଼ିଆ କବିତା ଓ କବିତାର ସମାଲୋଚନା- ଏହି ଉଭୟ ଜଗତ ସହ ସଂପର୍କ ରକ୍ଷା କରିଥାନ୍ତି; ସେମାନେ କବି ପ୍ରମୋଦଂକୁ କେବଳ ସମାଲୋଚକ ଭାବରେ ସମୟ କ୍ରମେ ଚିହ୍ନିଲେ ନାହିଁ; ଅଧିକନ୍ତୁ ତାଂକର ଧିଷଣାକୁ ଗଭୀର ଭାବରେ ଆକଳନ କରିବାର ସୁଯୋଗ ଲାଭ କଲେ । କବି ମଧ୍ୟ ଅନୁରୂପ ଭାବରେ ନିଜର ପରବର୍ତ୍ତୀ କାବ୍ୟ ସଂକଳନ ପାଇଁ ନିଜର ଭାବକୁ ବୈଜଗଧ୍ୟର କଷଟି ପଥରରେ କଷି ମାର୍ଜିତ କରାଇ ନେଲେ । ଫଳରେ ଦୀର୍ଘ ଏକ ଦଶକ ପରେ ଆତ୍ମପ୍ରକାଶ କରିଥିବା କବିତା ଗ୍ରଂଥ ‘ଭିନ୍ନ ଏକ ସକାଳର ଝିଅ’ (୨୦୦୧) ତାଂକର ପୂର୍ବ ପାଠକଂକୁ କେବଳ ଏହି ଗ୍ରଂଥ ପ୍ରତି ଆକୃଷ୍ଟ କରାଇଲା ନାହିଁ; ଗ୍ରଂଥର ନୂତନତା ଓ ତା’ର ଅପୂର୍ବ ଶୈଳୀର ପରିବେଷଣ ରୀତି, ପୁଣି ଥରେ ଆଧୁନିକ ଓଡ଼ିଆ କବିତାର ପାଠକଂକୁ ଚକିତ ଓ ବିସ୍ମିତ କରାଇଦେଲା ।

 

‘ଭିନ୍ନ ଏକ ସକାଳର ଝିଅ’ କବିତା ଗ୍ରନ୍ଥରେ ଦେଖିବାକୁ ଗଲେ ଛୋଟ-ବଡ଼ ମିଶି ପ୍ରାୟ ସତେଇଶଟି କବିତା ରହିଛି । କବିତା ଯାହା ପାଇଁ ଲେଖାଯାଇଛି, ତା’ପ୍ରତି ଉତ୍ସର୍ଗୀକୃତ ରହିଥିବା ଅଂଶ ମଧ୍ୟ ଏକ କବିତା, ଏଇମିତି ଦେଖିଲେ କବିତା ହେବ ଠିକ୍ ଅଠେଇଶଟି । ମାତ୍ର ଏକାଦିକ୍ରମେ ଯଦି କବିତାକୁ ପାଠ କରାଯାଏ; ତେବେ ଜଣାଯିବ ତାହା ଅଠେଇଶ କି ସତେଇଶଟିର ଏକ କବିତା ଗ୍ରଂଥ ନୁହେଁ- ଅଧିକନ୍ତୁ ଗୋଟିଏ ଦୀର୍ଘ କବିତାର ଗ୍ରଂଥ । ତେଣୁ ପାଠକ ଅବିରାମ ଭାବରେ କବିତାକୁ ପାଠ କରିପାରେ- ପାଠ କରିପାରେ ମଧ୍ୟ ଗ୍ରଂଥର ଏକ ଏକ ଛୋଟ -ବଡ଼ କବିତାକୁ ଦୀର୍ଘ କବିତାର ଏକ ଏକ ଅଂଶ ଭାବରେ । ତେବେ କବିତା ଗ୍ରଂଥର ସବୁଠାରୁ ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ବିଭବ ହେଉଛି ଏଇଆ ଯେ, ତାହା ପାଠକଙ୍କୁ କବିଂକର ଭାବୋଚ୍ଛ୍ୱାସରେ ସିକ୍ତ କରାଇ ଦେବ ସିନା, କେବେ କେଉଁଠି ଆନମନା କରାଇବ ନାହିଁ ।

 

ଗ୍ରଂଥଟିରେ କବି ପ୍ରମୋଦ ନିଜକୁ ପିତା ସ୍ଥାନରେ ରଖି ନିଜ ଝିଅ ପାଇଁ କବିତା ଲେଖିଛନ୍ତି । ଏତାଦୃଶ କବିତା ଆମ ଓଡ଼ିଆ କବିତା ରାଜ୍ୟରେ ଆଦୌ ନୂଆ ନୁହେଁ । କେତୋଟି କବିତାକୁ ଏହି କ୍ରମରେ ସ୍ମରଣ କରାଯାଇ ପାରେ । ଯେପରି : ‘ମନୁ ପାଇଁ ଗୋଟିଏ କବିତା’, ‘ଲୁଲୁ ପାଇଁ ନାନାବାୟା ଗୀତ’, ‘ଝିଅ ପାଇଁ ଦୁଇଟି କବିତା’ ଇତ୍ୟାଦି ଇତ୍ୟାଦି । ‘ଧ୍ରୁବ ଚରିତ’ ମଧ୍ୟ ଅନ୍ୟ ଏକ ଏତାଦୃଶ କବିତା । ତେଣୁ କବିତାର ନାମକରଣ ‘ଭିନ୍ନ ଏକ ସକାଳର ଝିଅ ପାଇଁ କବିତା’ ହୋଇଥିଲେ ମଧ୍ୟ ଚଳିଥାନ୍ତା । ତେବେ କବି ପ୍ରାଥମିକ ରୀତିକୁ ବଦଳାଇଛନ୍ତି ଓ ନାମକରଣ କରିଛନ୍ତି ଭିନ୍ନ ଭାବରେ- ‘ଭିନ୍ନ ଏକ ସକାଳର ଝିଅ’ ଭାବରେ । ତେଣୁ କବିତା ପଢ଼ିଲେ ଆମେ କବିତାରେ ଭିନ୍ନ ସକାଳର ଝିଅକୁ ଭେଟିବା ନାହିଁ, ବରଂ ଭିନ୍ନ ଏକ ସକାଳ (ଯାହା ଅନାଗତ) ପାଇଁ ବର୍ତ୍ତମାନର ଝିଅକୁ ଦିଆଯାଉଥିବା ବଞ୍ଚିବାର ପ୍ରେରଣାକୁ ହିଁ ଭେଟିବା । ପ୍ରକାରାନ୍ତରେ ବଞ୍ଚିବାର ପ୍ରେରଣା ଲାଭ କରୁଥିବା ଝିଅ ଏଠାରେ ଆଦୌ ମୁଖ୍ୟ ନୁହେଁ, କବିଙ୍କ ବକ୍ତବ୍ୟହିଁ ମୁଖ୍ୟ । ପୂର୍ବରୁ କହିଛି ଯେ, ଏତାଦୃଶ କବିତା ଆମ ଓଡ଼ିଆ କବିତା ରାଜ୍ୟରେ ନୂଆ ନୁହେଁ, ତେବେ ଏତାଦୃଶ ଗ୍ରନ୍ଥ ଆମ କବିତା କ୍ଷେତ୍ର ପାଇଁ ସମ୍ପତ୍ତି ଭାବରେ ଅଭିନବ ଓ ସମୁଦ୍ଭିନ୍ନ । କାରଣ ପୂର୍ବରୁ ପ୍ରେରଣା ପାଇଁ ଗୋଟିଏ ଗୋଟିଏ କବିତା ଯଥେଷ୍ଟ ଥିଲେ ମଧ୍ୟ, ଏଠାରେ ବଞ୍ଚିବା ପାଇଁ ପ୍ରେରଣା ରହିଛି ଅଜସ୍ର । ବଞ୍ଚିବାର ଅନ୍ୟନାମ ଯଦି ସଂଗ୍ରାମ ହୁଏ, ତେବେ ମଣିଷ କିପରି ସଂଗ୍ରାମ କରିବ-ସେହି ପଥକୁ ଦେଖାଇଛନ୍ତି କବି ଉକ୍ତ କବିତା ଗ୍ରନ୍ଥରେ ।

 

କବି ପ୍ରମୋଦ କବିତା ଗୁଡ଼ିକରେ କିଛି ନୂଆ କଥା କହି ନାହାନ୍ତି, ମାତ୍ର ନିଜର ଗଭୀର ଅନୁଭବକୁ ନୂଆ ମନନ ନେଇ ଉପସ୍ଥାପିତ କରିଛନ୍ତି । ଭଲ କବି ମାତ୍ରେ ଠିକ୍ ଏଇ କଥା କରନ୍ତି । ଗୋଟିଏ କଥା ବାରମ୍ବାର କହୁଥିଲେ ମଧ୍ୟ ସେହି କାରଣରୁ ଅଧା କୁହା ହେଲାଭଳି ଲାଗେ । କବି ଏହି କାରଣରୁ ସବୁ କହିଛନ୍ତି ବୋଲି ସନ୍ତୋଷ ଲାଭ କରିପାରନ୍ତି ନାହିଁ । ଚିରକାଳ ଅସନ୍ତୋଷର ବହ୍ନିରେ ଜଳୁଥାନ୍ତି ଓ ମୁକ୍ତି ପାଇଁ ବାରମ୍ବାର କବିତାରେ ନିଜର ସେହି ଅଧାକୁହା କଥାକୁ ଦୋହରାଉଥାନ୍ତି । ପ୍ରମୋଦଙ୍କ ଠାରେ ତାହାହିଁ ହୋଇଛି । ଅନାଗତ ଭବିଷ୍ୟତକୁ ଯେତେବେଳେ କବି ଲକ୍ଷ୍ୟ କହିଛନ୍ତି, ସେତେବେଳେ ସମୟର କ୍ରୁରତାରେ ସେ ଶିହରୀ ଉଠିଛନ୍ତି । ନିଜ ବୁଦ୍ଧିରେ କିପରି ସେ ସମୟ ସହିତ ଯୁଝିବାକୁ ହେବ, ତାକୁ ବୁଝାଇଛନ୍ତି ନିଜର ଅଲିଅଳୀ ଝିଅକୁ ।

 

ସମାଲୋଚକ ପ୍ରଫେସର ଦାଶରଥି ଦାସ ବାସ୍ତବରେ ଯାହା କହିଛନ୍ତି, “ଝିଅ ଉପଲକ୍ଷ୍ୟ ମାତ୍ର ।” ତାହା ହିଁ ସତ୍ୟ । ଝିଅ ଏକ ପ୍ରତୀକାତ୍ମକ ପ୍ରୟୋଗ ମାତ୍ର । ଗଭୀର ଭାବରେ ଅନୁଧ୍ୟାନ କଲେ ଆମେ ଉପଲବ୍‍ଧି କରି ପାରିବା ଯେ, -କବିତାରେ ଝିଅ ବାସ୍ତବରେ ଏ ସମାଜର ଯେ କେହି ମନୁଷ୍ୟ ହୋଇ ପାରନ୍ତି । ଝିଅ କ’ଣ କି ? ଏକ ଅବଳା-ଦୁର୍ବଳା ଓ ଏକାନ୍ତ ଅସହାୟା । ଆଜି ବାସ୍ତବରେ କିଏ ପୁଣି ଅବଳା ବା ଦୁର୍ବଳା ନୁହେଁ ? କିଏ ପୁଣି ଅତ୍ୟନ୍ତ ଅସହାୟ ନୁହେଁ ? ଏଣୁ କବିଙ୍କର ଲକ୍ଷ୍ୟ ହେଉଛି ବାସ୍ତବରେ ଏହି ସମାଜ ବା ସମାଜର ଶିଶୁ ଗୋଷ୍ଠୀ ବା ଆସନ୍ତା ସମୟ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଶିଶୁ ସମାଜ । ତେଣୁ ଏଇ ଶିଶୁ ସମାଜ ଆଗାମୀ କାଲି କିପରି ମାନବିକ ନିୟତିକୁ ସ୍ୱୀକାର କରିବ, କିପରି ସଂଗ୍ରାମ କରିବ ଓ କିପରି ନିଜକୁ ଆତ୍ମପ୍ରକାଶ କରିବ, ସେ ସଂକ୍ରାନ୍ତରେ କବି ଅତ୍ୟନ୍ତ ଉଦ୍‍ବିଗ୍ନ ହୋଇ ଉଠିଛନ୍ତି ଓ ଅନେକ ସମାଧାନର ପଥ ନିର୍ଦ୍ଦେଶ କରିଛନ୍ତି ।

 

କବି ନିଜ ପ୍ରତି ଅତ୍ୟନ୍ତ ସଚେତନ । ତେଣୁ ସେ ପ୍ରଥମରୁ ବୁଝିଛନ୍ତି ଯେ; ଆଗାମୀ କାଲି ପାଇଁ ଆଜିର କବିତା ପୁରାତନ ବୋଲି ଅଭିହିତ ହୋଇ ସାରିଥିବ । ତଥାପି ନିଜ କବିତା ଉପରେ କବିଙ୍କର ଭରସା ପ୍ରବଳ ଭାବରେ ଅତୁଟ ରହିଛି । ସେଇଥିପାଇଁ ସେ କହି ରଖିଛନ୍ତି:

 

“ମା’ରେ

ତୁ ବଡ଼ ହେବା ବେଳକୁ

ଏ କବିତା ପୁରୁଣା ହୋଇ ଯିବଣି-

ଭିନ୍ନ ଏକ ସକାଳର ସତ୍ୟ ଦିଶିବଣି ।

ତଥାପି ୟାକୁ ପଢ଼ିବୁ-ଏ କବିତା ଯେ

ସେହି ଅନାଗତ ସତ୍ୟଟିର ସ୍ଵପ୍ନ ପାଇଁ

ତୋ ଦୁଆରକୁ ଅବଶ୍ୟ ମୁକୁଳା ରଖିବ-

X       X       X       X."

(ପୃ:୭)

 

ତେଣୁ ସେଦିନ କବିଙ୍କ କବିତା ବଞ୍ଚିବାର ପ୍ରେରଣା ଯୋଗାଇବ-ଏ ବିଶ୍ୱାସ କବିଙ୍କର ଅତୁଟ ରହିଛି ।

 

କବି ଆଜି ଜୀବନର ଅତ୍ୟନ୍ତ ନିଷ୍ଠୁର ବାସ୍ତବତାକୁ ଭେଟିଛନ୍ତି । ସୂର୍ଯ୍ୟର ଅରୁଣ ରଶ୍ମି ଭୂମି ସ୍ପର୍ଶ ନ କରୁଣୁ କବି ବିଷାକ୍ତ ବାଷ୍ପର ଶତ୍ରୁତାକୁ ଶୁଣି ପାରିଛନ୍ତି । ଅନୁଭବ କରିଛନ୍ତି ଯେ, ଦୂରରୁ ଦିଶୁଥିବା ‘ପାହାଡ଼ ଆଉ ଶ୍ୟାମଳ ସ୍ଵପ୍ନର ଚରାଭୂଇଁ’ ହୋଇ ନାହିଁ; ପକ୍ଷାନ୍ତରରେ ‘ତୋପ କମାଣର ଜୀଅନ୍ତା ଆଗ୍ନେୟଗିରି;”ରେ ତାହା ଏବେ ପରିଣତ ହୋଇ ସାରିଲାଣି । ସେଠାରେ ‘ଆଉ ରଙ୍ଗୀନ ନୀରବତାର ଜୀବନ ସଙ୍ଗୀତ ନାହିଁ’, ପରିବର୍ତ୍ତେ ସେଠାରୁ ‘ଭୂତପ୍ରେତ କାନ୍ଦଣା ଲହରୀ’ କେବଳ ଭାସି ଆସୁଛି । କାରଣ ଏଠିକାର ‘ଇତିହାସତ ସେଇ ମାଟିକୁ ବାଣ୍ଟି ନେବାର ଶୋଷ’ରେ ଆକୁଳିତ-। ତେଣୁ ଏଭଳି ସକାଳକୁ ନେଇ ବଞ୍ଚିବାକୁ ହେଲେ ଯୁଦ୍ଧ ଅନିବାର୍ଯ୍ୟ । ଯୁଦ୍ଧ ବିନା କ’ଣ ବଞ୍ଚି ହୁଏ ? କବି ତ ଭବିଷ୍ୟତ ବଂଶଧରକୁ ଡାକି କହିଛନ୍ତି-

 

“x x ତୁ ଯୁଦ୍ଧ ଦେଶରୁ ପାଦ କାଢ଼ିବୁ ନାହିଁ

ଯୁଦ୍ଧ ଛଡ଼ା ଜୀବନର ଅର୍ଥ କାହିଁ ମା-

ଯୁଦ୍ଧରେ ଜାତ ହୋଇଛେ ଆମେ

ଯୁଦ୍ଧରେ ଗଢ଼ା ଆମ ଜୀବନର ପଥ ଇମାରତ

X X X X X

ଯୁଝିବୁ - ଯୁଝିବୁ

ବରଫ ଉପରେ ସହିଦ ରକ୍ତର ଜୀବନ ଲେଖିବୁ

ଅସଲ ବିଜୟର ପ୍ରମାଣ ଦେବାକୁ ହେଲେ

ଦୁରନ୍ତ ପଥର ବୁକୁ

ରକ୍ତକ୍ଷରା ଜୀବନର ସଂଗୀତ ଶୁଣିବୁ ।”

(ପୃଷ୍ଠା-୧୦)

 

ଯୁଦ୍ଧରେ ସାଧାରଣତଃ ଦୁଇଗୋଟି ଦିଗ ଥାଏ । ଗୋଟିଏ ହେଉଛି ପ୍ରତିହିଂସା ଓ ଅନ୍ୟଟି ହେଉଛି ପ୍ରତିଦାନ । ତେବେ କବି ପ୍ରତିହିଂସାକୁ ଉପେକ୍ଷା କରିବାକୁ ଚେତେଇ ଦେଇଛନ୍ତି । ପ୍ରତିଦାନ ପାଇଁ ଯୁଦ୍ଧ କଲେ ଯେଉଁ ଜୀବନର ସାର୍ଥକତା ମିଳେ, କବି ସେହି ସାର୍ଥକତାର ଚିରକାଙ୍‍କ୍ଷୀ । ସେହି କାରଣରୁ କବି କୁହନ୍ତି-

 

“x x x x

କାରଗିଲ୍‍ରୁ ବି କବିତା ଲେଖିବୁ

କାହାରି ମୃତ୍ୟୁ ପାଇଁ ନୁହେଁ-

କାହାରି ଜୀବନ ପାଇଁ ଯୁଝିବୁ

ସନ୍ତ୍ରୀସୀଟିଏ ନୁହେଁ

ସୈନିକଟିଏ ହେବୁ ।।”

(ପୃଷ୍ଠା-୧୧)

 

କବି କେବଳ ଅନାଗତ ଭବିଷ୍ୟତର କଥା କବିତାରେ କହି ନାହାନ୍ତି । ଅଧିକନ୍ତୁ ଅନାଗତ ଭବିଷ୍ୟତ ପାଇଁ ଏବେଠାରୁ ନିଜ ବଂଶଧରକୁ ପ୍ରସ୍ତୁତ କରାଇଛନ୍ତି । ବାସ୍ତବତା ଯେତେ ନିଷ୍ଠୁର ଓ ଭୟଙ୍କର ହେଲେ ମଧ୍ୟ, ତାହା ଯେ ସତ୍ୟ- ସେ କଥାକୁ ଯେ, କେବେ ଉପେକ୍ଷା କରିହେବ ନାହିଁ- ଏକଥା କବି ବୁଝନ୍ତି । ତେଣୁ ସେ ଝିଅକୁ ମିଥ୍ୟା ସ୍ୱପ୍ନ ଓ ଅଳୀକ ସମ୍ଭାବନାର କଳ୍ପନାରେ ନିମଗ୍ନ ରଖିବା ପରିବର୍ତ୍ତେ ଭୟଙ୍କର ବାସ୍ତବତା ସହିତ ପରିଚୟ କରାଇଛନ୍ତି । ଏଇ ଯେପରି କବି କହିଛନ୍ତି-

 

“ଦେଖି ପାରୁଛୁ !

ଅନ୍ଧାରକୁ ଲମ୍ବିଥିବା ସୁଡ଼ଙ୍ଗର ସୀମାନ୍ତରେ

କେମିତି ଅର୍କ୍ଷିତ ପରି ଠିଆ ହେଇଛି ‘ସ୍ନେହ’

ରକ୍ତ ସରସର କାଦୁଅରେ ପୋଡ଼ି ଯାଇଛି ପାଦ

କଳା ଓ କମଳା ରଙ୍ଗର ଉଜ୍ଜ୍ୱଳ ଆତଙ୍କରେ

ଶେଥା ଦିଶୁଛି ଆଖି

ଗତ ରାତିର ବାରୁଦ ଗନ୍ଧରେ ପୋଡ଼ି ଯାଇଛି କେଶ

ଅନାଥ ପିଲାଟି ପରି ହାତ ପାତୁଛି

ଥରେ ଦେଖିବ ସୁନାରଙ୍ଗର ସୂର୍ଯ୍ୟ

ବାପାର ଢାଲ କାହିଁ

ତୋଳି ପାରିବ ଲୁହ ଶେଷର କାନ୍ଦ !”

(ପୃଷ୍ଠା-୧୩)

 

ବାପାତ ଅପାରଗ (ଆମେ ତ ସେଇ ଅପାରଗ ପ୍ରତାରକର ଦଳ/ପୃଷ୍ଠା-୯), ତେଣୁ ତା’ର ଢାଲ ନ ଥିବା ଅତ୍ୟନ୍ତ ସ୍ୱଭାବିକ । ତେଣୁ ଆଜିର ସମୟରେ ଶିଶୁ ଅତ୍ୟନ୍ତ ଅସହାୟ; ଆପାତତଃ ଏହି ମର୍ମରେ । ତାକୁ କେହି ରକ୍ଷାର କବଚ ପିନ୍ଧାଇ ଦେଇ ପାରିବେ ନାହିଁ । ସେ ହେଉଛି ଏକାନ୍ତ ନିଃସଙ୍ଗ-ଏକାନ୍ତ ଏକାକୀ । ବାପା ହିସାବରେ ସେ ଝିଅକୁ ଅଭୟ ଦିଅନ୍ତି । ତା’ମନରେ ସାହସ ଜନ୍ମାନ୍ତି । କୁହନ୍ତି - “ଏକାକୀ ହେବାକୁ ଡର କାହିଁକି ମା-/ ଆପଣା ଆତ୍ମାର ଡାକ ଶୁଣିବାକୁ ପର କାହିଁକି !” (ପୃଷ୍ଠା-୫୧) ପୁଣି ମଧ୍ୟ ସେ କୁହନ୍ତି, “ ନିର୍ଜନତା ହିଁ ଆମର ନିରୀହତମ ପରିଚୟ ମା/ ନଗ୍ନ ନିକାଞ୍ଚନ ଶୀତରାତିଟି ହିଁ ଆମ ଆତ୍ମାର ବିଶ୍ୱସ୍ତ ଦୋସର/ ପାଦରେ ଲାଗିଥିବା କେଇ ବୁନ୍ଦା କାକର ଟୋପା ହିଁ/ ଆମ ରକ୍ତର ସ୍ୱପ୍ନ ଅନୁଚର ।” (ପୃଷ୍ଠା-୫୨)-। ସେଦିନ କବିଗୁରୁ ରବୀନ୍ଦ୍ରନାଥ ମଧ୍ୟ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଠିକ୍ ସେହି କଥା ଲେଖିଥିଲେ । ଏକଲା ହେବା ଆଦୌ ନିନ୍ଦନୀୟ ବ୍ୟାପାର ନୁହେଁ । କେହି ଯଦି ସାଙ୍ଗରେ ନ ଆସନ୍ତି; ତେବେ ଏକଲା ଚାଲ । କବି ମଧ୍ୟ କୁହନ୍ତି, ଏକାକୀ ହେବକୁ ଆଦୌ ଡର ନାହିଁ । ଆକାଶରେ ଏକୁଟିଆ ତାରା, ପୃଥିବୀରେ ଏକୁଟିଆ ନଈ-ଏମାନେତ ସମସ୍ତେ ପ୍ରେରଣାର ଉତ୍ସ । ତେଣୁ ଖୋଜିଲେ ଏମାନେ ନିଜ ଭିତରେ ହିଁ ମୁହଁ ଦେଖାଇବେ-ନାଁ ଧରି ଡାକିବେ । ତେଣୁ ତାରା ଓ ନଈରୁ ପ୍ରେରଣା ନେଇ ନିଜ ବାଟରେ ହିଁ ଯିବାକୁ ହେବ । କାହାରି ଦ୍ୱିତୀୟ ସଂସ୍କରଣ ପରି ନୁହେଁ, ନିଜେ ନିଜର ପରିଚୟ ହୋଇ ବଞ୍ଚିବାକୁ ପଡ଼ିବ । କବି ଝିଅକୁ ଅତ୍ୟନ୍ତ କଠୋର ସତ୍ୟ ସହିତ ପରିଚୟ କରାଇ କୁହନ୍ତି-

 

“ସେଇଥି ପାଇଁ ତ କହୁଛି

ଆଗକୁ ଚାହିଁବୁ

ନୀତି ନେତି ଗୁଳା ଗୁଳି ଛାଡ଼ି

ବହୁଥିବା ସମୟର ନଈ କୂଳେ କୂଳେ

ଜୀବନର ଆବେଗକୁ ବାଟ ଛାଡ଼ି ଦେବୁ ।”

(ପୃଷ୍ଠା-୬୧)

 

ପାଶ୍ଚାତ୍ୟ ମନୋବିଜ୍ଞାନୀମାନେ କୁହନ୍ତି, ପୁତ୍ର-କନ୍ୟା ବଡ଼ ହୋଇଗଲେ-ପିତା-ମାତା ପ୍ରତିସ୍ପର୍ଦ୍ଧା ମନେ ହୁଅନ୍ତି । ସେକଥା କବି ବୁଝିଛନ୍ତି । ସେହି କାରଣରୁ ବୋଧହୁଏ ଝିଅକୁ କହିଛନ୍ତି-

 

“ବାପାହିଁ ତୋର ପ୍ରିୟତମ ଶତ୍ରୁ ମା-

ବାପାହିଁ ତୋର ପ୍ରାଚୀନ-ପ୍ରତିକୂଳର ହେତୁ

ବାପାର କୋହରେ ଭରା କବିତା ଖାତାକୁ

ପୁରୁଣା ଭାବିବୁ

ପୁରୁଣା ରକ୍ତର ମାଟି ଉପରେ ନୂଆ ଆତ୍ମାର ଆକାଶ ଖୋଜିବୁ

ନୂଆ ଚେତନାର ସତ୍ୟ ଖୋଜିବୁ

ମାନି ନେଉଥିବା ପଶୁଟିଏ ନୁହେଁ

ଅମାନିଆ ମଣିଷଟିଏ ହେବୁ

ବାପାର ପୃଥିବୀ ପରି ନୁହେଁ

ଆପଣା ପୃଥିବୀର ସ୍ଵପ୍ନ ଦେଖିବୁ

ବାପା ପରି ନୁହେଁ

ଆପଣା ପରି ହେବୁ ।।”

(ପୃଷ୍ଠା-୬୨)

 

ନିଜେ ନିଜ ପରି ହେବା ବାସ୍ତବରେ ବଡ଼ କଷ୍ଟକର ବ୍ୟାପାର । କାରଣ ନିଜକୁ ନିଜ ପରି କରିବାକୁ ହେଲେ ଆମେ ପ୍ରଥମେ ନିଜକୁ ଚିହ୍ନିବା ଦରକାର - ନିଜ ପରିବେଶକୁ ଚିହ୍ନିବା ଦରକାର- ଓ ନିଜ ଭିତରେ ଅସତ୍ୟ ଓ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ ସାହସ ଥିବା ଦରକାର । ନ ହେଲେ ତ ଆମେ ‘ମାନି ନେଉଥିବା ପଶୁ’ଟିଏ ହୋଇଯିବା । ତେଣୁ ‘ଅମାନିଆ ମଣିଷ’ ହେବା ବରଂ ଶ୍ରେୟସ୍କର - ମନା ପଶୁ ନୁହେଁ । ତେଣୁ ତ କବି କୁହନ୍ତି-

 

“ନିନ୍ଦାରେ ନିଥୟ ହେବୁ ନାହିଁ ମା-

ପ୍ରଶସ୍ତିରେ ପୁଲକିତ ନୁହେଁ

ପୁରୁଣା ଫିସାଦକୁ ମାପିବା ଶିଖିବୁ

ଚୁଲିରେ ନ ଜଳି ଚାଳରେ ଜଳିବୁ

ପ୍ରତିବାଦ ଯେତେ ଅର୍ଥହୀନ ମନେ ହେଲେ ବି

ପ୍ରତିବାଦୀ ହେବୁ ।

ଅଗ୍ନି ପରୀକ୍ଷାର ଅପମାନକୁ ଅଗ୍ନିରେ ନିଭାଇବୁ ।”

(ପୃଷ୍ଠା-୧୯)

 

ପ୍ରତିବାଦ କଲେ ଏ ସମାଜରେ ମୁକ୍ତି ଅଛି କି ? ପ୍ରତିବାଦ କରିବା ଅର୍ଥ ଶତ୍ରୁ ସୃଷ୍ଟି କରିବା-। ତେଣୁ ଶତ୍ରୁ ମେଳରେ ବଞ୍ଚିବାକୁ ମଧ୍ୟ ପଡ଼ିବ । କବି ବୁଝାନ୍ତି-

 

“xx ପ୍ରତିଶୋଧର ଜୁଇରେ ଜଳିବୁ ନାହିଁ ମା-

କାହାରି ପଶା ପାଲିର ଗୋଟି ହେବୁ ନାହିଁ

କି ରକ୍ତରେ ବାଳ ବାନ୍ଧିବୁ ନାହିଁ

ପ୍ରେମରେ ହେଉ କି କ୍ରୋଧରେ ହେଉ

ରାବଣକୁ ପୁଅ ପରି ପାଳିବା ଶିଖିବୁ

ସ୍ନେହରେ କ୍ଷମାରେ ତିତିକ୍ଷାରେ

ପୃଥିବୀ ବାନ୍ଧିବୁ ।”

(ପୃଷ୍ଠା-୧୯)

 

ପୁନଶ୍ଚ କବି କହିଛନ୍ତି,-

“ଥକି ପଡ଼ିବୁ ନାହିଁ ମା-

ରାତ୍ରିର ସୁଶୋଭିତ ମାୟାରେ ବିଭୋର ହେବୁ ନାହିଁ

କି ଆଲୋକିତ ଅପୂର୍ଣ୍ଣତାରେ ଅବଶ ହେବୁ ନାହିଁ

ପହଞ୍ଚିଯିବାର ବିଭ୍ରମରେ ଶୋଇ ପଡ଼ିବୁ ନାହିଁ

ପ୍ରାପ୍ତିରେ ଅପ୍ରାପ୍ତିରେ ଶୋକରେ ସରାଗରେ

ଆଗକୁ ଚାହିଁବୁ

ଉପରେ ଯେ ଚଳମାନ ନିଃସୀମ ସତ୍ୟର ଖୁରା

ଚାଲିବୁ ଚାଲିବୁ

ଚାଲିବାରେ ଯେ ଆନନ୍ଦ ଆଲୋକ ଅଛି

ଏତିକି ବୁଝିବୁ

ଚାଲିବାରେ ଯେ ମଧୁର ମହକ ଅଛି

ଏତିକି ବୁଝିବୁ ।।”

(ପୃଷ୍ଠା-୧୫)

 

ଏହିପରି ଭାବରେ ଦେଖିବାକୁ ଗଲେ କବି ଜୀବନର ନିଷ୍ଠୁର ବାସ୍ତବତାକୁ ଯେଉଁଭଳି ଭାବରେ ଭେଟିଛନ୍ତି, ତାକୁ ରୂପାୟନ କରିବା ସହ ସେଥିରୁ ମୁକ୍ତି ପାଇଁ ପରବର୍ତ୍ତୀ ଉତ୍ତର ପୀଢ଼ିଙ୍କୁ ମାର୍ଗ ଦର୍ଶାଇଛନ୍ତି । କୁହାଯାଏ ଭଗବାନଙ୍କ ପରେ କବି, ଯିବ କି ମାନବକୁ ସତମାର୍ଗ ଦେଖାଇଥାନ୍ତି-। ଏକଥା କବି ପ୍ରମୋଦଙ୍କ ଠାରେ ପୂର୍ଣ୍ଣମାତ୍ରାରେ ସତ୍ୟ ହୋଇଛି ।

 

ସେଦିନ କବି ରମାକାନ୍ତ ରଥ ନିଜର ‘ଶ୍ରୀରାଧା’ କାବ୍ୟକୁ ଠିକ୍ ଏହି ମର୍ମରେ ଲେଖିଥିଲେ-। ଶ୍ରୀରାଧା ବୃନ୍ଦାବନେଶ୍ଵରୀ ହେବାପୂର୍ବରୁ ତାଙ୍କର ଯେଉଁ ପ୍ରେମ ସମ୍ବେଦନ ମର୍ତ୍ତ୍ୟସ୍ତରରେ ଭାବାକୁଳ ହୋଇଉଠିଥିଲା, ତାହାକୁ ଉପଜୀବ୍ୟ କରି ଗଢ଼ି ଉଠିଥିଲା ଶ୍ରୀରାଧା କାବ୍ୟ । ଏଠି ମଧ୍ୟ ଝିଅ ଭିନ୍ନ ଏକ ସକାଳକୁ ଦେଖିବା ପୂର୍ବରୁ ଆତ୍ମ ପ୍ରସ୍ତୁତି ପଥରେ ବାପା ଦ୍ୱାରା ଯେଉଁ ମାର୍ଗର ସନ୍ଧାନ ଲାଭ କରୁଛି, ତାହାକୁ ଉପଜୀବ୍ୟ କରି ଉକ୍ତ କାବ୍ୟ ଗ୍ରନ୍ଥଟି ରଚିତ ହୋଇଛି । ଏହା ଛଡ଼ା କବିଙ୍କ ସ୍ମୃତିରେ କେତେବେଳେ ରବୀନ୍ଦ୍ର ନାଥ (ଜୀବନ ଯଖନ ଶୁକାୟେ ଯାୟ, କରୁଣା ଧାରାୟ ଏସୋ....' / ପୃଷ୍ଠା-୨୩) ତ କେତେବେଳେ ମଧୁରାଓ (ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ......../ପୃଷ୍ଠା-୬୪), ପୁଣି କେତେବେଳେ ସଚ୍ଚିଦାନନ୍ଦ ରାଉତରାୟ (ଭରା ଯେଠି ‘ପ୍ରତିମା’ ଓ ‘ଅଳକା’ ନିଃଶ୍ଵାସ / ପୃଷ୍ଠା-୨୬) ଉଙ୍କି ମାରିଛନ୍ତି । ତେଣୁ କବିତା ସଂରଚନା କାଳରେ ସେହି କବିଙ୍କ ଭାବଧାରା ବେଶ ଛାପ ପକାଇ ଦେଇଛି । ଅନ୍ୟ ପକ୍ଷରେ ମଧ୍ୟ କବି ଗୀତା ଓ ଶଙ୍କରାଚାର୍ଯ୍ୟଙ୍କ ବାଣୀକୁ ମଧ୍ୟ ସ୍ମରଣ ରଖିଛନ୍ତି । ମୋଟ ଉପରେ କହିବାକୁ ଗଲେ କବି ବିଦ୍‍ବତ୍ତା ଓ ଅଧ୍ୟୟନ ତାଙ୍କୁ ନିଜ କବିତା ଗଢ଼ିବାରେ ଅପୂର୍ବ ଦକ୍ଷତା ପ୍ରଦାନ କରିଛି । କବି ଅନେକତ୍ର ବେଶ ସ୍ୱାଚ୍ଛନ୍ଦ୍ୟରେ ଦେଶୀୟ ତଥା କଥିତ ଭାଷାକୁ କବିତାରେ ପ୍ରୟୋଗ କରିଛନ୍ତି । ଯେପରି : ୟାକୁ (ଏହାକୁ), ମୁକୁଳା, ଅର୍କ୍ଷିତ, ଶେଥା, ଥୁଣ୍ଟା, ଇତ୍ୟାଦି ଇତ୍ୟାଦି । ଏହାଛଡ଼ା କବିଙ୍କର ଅପୂର୍ବ ଚିତ୍ରକଳ୍ପ କବିତାକୁ ବେଶ ରସାଣିତ କରିଥାଏ । କେତୋଟି ଚିତ୍ରକଳ୍ପର ଉଦାହରଣ ଆମେ ଏହି କ୍ରମରେ ଲକ୍ଷ୍ୟ କରିପାରିବା । ଯେପରି : ଶ୍ୱେତମର୍ମର ସକାଳ, ତୁଷାର ଶୁଭ୍ର ସକାଳ, ରଙ୍ଗୀନ ନୀରବତା, ରକ୍ତାଭ ଆକାଶ, ବାଦାମୀ ଛବି, କଅଁଳ ଝରଣା, ମୃତ ବରଫ, କଳା ଓ କମଳା ରଙ୍ଗର ଉଜ୍ଜ୍ୱଳ ଆତଙ୍କ, ସୁନାରଙ୍ଗର ସୂର୍ଯ୍ୟ, କଣ୍ଟାରକ୍ତର ପାଉଜି, ଶ୍ୟାମଳ ଭବିଷ୍ୟ, ନିଃସୀମ ସତ୍ୟର ଖୁରା, ସବୁଜ ସକାଳ, ଥୁଣ୍ଟା ଓଡ଼ିଶା, ସାଇତା ଶତାବ୍ଦୀ, ପାପଗର୍ଭ ପତିତ ପଥର, ଧୂସର ସାଗର, ଧର୍ଷିତା ଆୟୁଷ, ବିଧବା ରାତି, ମୁକୁଳା ଦ୍ଵାର, ନିଧଭକ ନିଦ୍ରା ମୁକ୍ତ ଆକାଶ, ମୁକୁଳା ଜାଗରଣ, ଅରମା ଅନ୍ଧାର, ଶୂନ୍ୟ ନିର୍ଜନତା ଇତ୍ୟାଦି । କବିତା ଗୁଡ଼ିକରେ ଅନ୍ତର୍ନିହିତ ଗୁଞ୍ଜନ ରହିଛି, ରହିଛି ମଧ୍ୟ ଯତିପାତ ଜନିତ ଦୃଶ୍ୟମାନ ଗୁଞ୍ଜ ଓ ମେଳ ଛବିଶତମ କବିତା / ପୃଷ୍ଠା-୭୫ ଓ ଅନେକ କବିତାର କେତେକ ପଙ୍‍କ୍ତି) । ତେବେ ମୋଟ ଉପରେ ଦେଖିବାକୁ ଗଲେ ‘ଭିନ୍ନ ଏକ ସକାଳର ଝିଅ’ କାବ୍ୟ ଗ୍ରନ୍ଥଟି କବି ଡକ୍ଟର ପ୍ରମୋଦ ସରଙ୍କୁ ଏକ ସାରସ୍ୱତ ପୁରୁଷ ଭାବରେ ପାଠକ ମହଲରେ ପରିଚିତ କରାଇ ପାରିଛି । ନିଜର ଗଭୀର ଅନୁଭୂତିକୁ ନେଇ ସେ ଆମ ସମାଜକୁ ଯେଉଁ ବଞ୍ଚିବାର ମହାମନ୍ତ୍ରକୁ ଶୁଣାଇଛନ୍ତି ତାହା ହିଁ ତାଙ୍କ କବିତାକୁ ଅଜସ୍ର ଗୌରବ ପ୍ରଦାନ କରିବ, ଏଥିରେ ସନ୍ଦେହ ନାହିଁ ।

 

 

ଅଧ୍ୟାପକ,

ଓଡ଼ିଆ ବିଭାଗ

ରଘୁନାଥଜୀଉ ମହାବିଦ୍ୟାଳୟ

ଦେଉଳ ସାହି, କଟକ-୭୫୩୦୦୮

 

***

 

ଏକାଡେମୀ ସମାଚାର

 

ସାର୍ ବାସୁଦେବ ସୁଢ଼ଳଦେବ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦ, ଦେବଗଡ଼ଙ୍କ ମିଳିତ ଆନୁକୂଲ୍ୟରେ ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ଜୟନ୍ତୀ ପାଳନ ଅବସରରେ ତା ୧୬ ।୫।୨୦୦୩ରିଖ ସନ୍ଧ୍ୟା ୬ଘଣ୍ଟା ସମୟରେ ଦେବଗଡ଼ସ୍ଥ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାରସ୍ୱତ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସାରସ୍ଵତ ସ୍ମୃତି ସଭାରେ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ଦାସ, ଜିଲ୍ଲାପାଳ, ଦେବଗଡ଼ ମୁଖ୍ୟଅତିଥି ଭାବରେ, ପ୍ରଫେସର ରବି ଶଙ୍କର ମିଶ୍ର, ସମ୍ମାନନୀୟ ଅତିଥି ଓ ଶ୍ରୀ ଅଶୋକ କୁମାର ଦାସ ସମ୍ମାନନୀୟ ବକ୍ତାଭାବରେ ଯୋଗଦାନ କରି ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପାଣ୍ଡିତ୍ୟ ଓ ସାହିତ୍ୟାନୁରାଗ ସଂବନ୍ଧରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ଦୋଳଗୋବିନ୍ଦ ନାୟକ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏକାଡେମୀର ସଦସ୍ୟ ଡକ୍ଟର ଫଣୀନ୍ଦ୍ରଭୂଷଣ ନନ୍ଦ ଏହି ସଭାରେ ପୌରୋହିତ୍ୟ କରିଥିଲେ ।

 

ସନ୍ଥ କବି ଭୀମଭୋଇ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭୀମଭୋଇ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ତା୧୬।୫।୨୦୦୩ରିଖ ସଂଖ୍ୟା ୬.୩୦ ଘଣ୍ଟା ସମୟରେ ରେଢ଼ାଖୋଲସ୍ଥ କଦମ୍ବ ପଡ଼ିଆ ଠାରେ ଏକାଡେମୀର ଉପସଭାପତି ଶ୍ରୀ ଉମାଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।

 

ଏହି ସ୍ମୃତି ସଭାରେ ଶ୍ରୀ ଶରତ ନାରାୟଣ ବେହେରା ଓ ଶ୍ରୀ ମହେନ୍ଦ୍ର କୁମାର ବିଶ୍ୱାଳ ସମ୍ମାନନୀୟ ଅତିଥି ଏବଂ ଶ୍ରୀ ଆଦିକନ୍ଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ସମାଜ ସଂସ୍କାର ଦିଗରେ ଭୀମଭୋଇଙ୍କ ସାହିତ୍ୟ ସୃଷ୍ଟ ବୋଲି ମତ ପୋଷଣ କରିଥିଲେ । ଭୀମଭୋଇଙ୍କ ଆଧ୍ୟାତ୍ମିକ ଚେତନା ଆମ ସମାଜର ମୂଳ ଲକ୍ଷ୍ୟ ହେବା ଉଚିତ୍ ।

 

ଶେଷରେ ଭୀମଭୋଇ ସାହିତ୍ୟ ପରିଷଦର ସଂପାଦକଙ୍କ ଦ୍ୱାରା ଜୟନ୍ତୀ ସଭାର ବରେଣ୍ୟ ଅତିଥିବର୍ଗ ଏବଂ ଉତ୍ସାହୀ ଗୁଣଗ୍ରାହୀ ଶ୍ରୋତାମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

 

ସୁରେନ୍ଦ୍ର ମହାନ୍ତି ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରସ୍ୱତ ସମାରୋହ ସମିତି, ସାଲେପୁରଙ୍କ ମିଳିତ ଆନୁକୂଲ୍ୟରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତା ୨୧।୬।୨୦୦୩ରିଖ ପୂର୍ବାହ୍ନ ୧୦.୩୦ ଘଣ୍ଟା ସମୟରେ ସାଲେପୁର ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଜୟନ୍ତୀ ସଭାରେ ଡକ୍ଟର ରାମଚନ୍ଦ୍ର ବେହେରା, ମୁଖ୍ୟଅତିଥି, ଡକ୍ଟର ବିଜୟାନନ୍ଦ ସିଂହ ଓ ଶ୍ରୀ ସଦାଶିବ ଦାଶ, ସମ୍ମାନିତ ଅତିଥି ଏବଂ ଶ୍ରୀ ଗୌରହରି ଦାସ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସୁରେନ୍ଦ୍ର ମହାନ୍ତି ସ୍କୁଲ ଜୀବନରୁ ଆରମ୍ଭ କରିଥିବା ସାହିତ୍ୟ ରଚନା ବିଷୟରେ ଆଲୋଚନା କରିଥିଲେ । ସୁରେନ୍ଦ୍ର ମହାନ୍ତି ଏହି ସାଲେପୁର ମାଟିର ଗର୍ବ ଓ ଗୌରବ ବୋଲି ବକ୍ତା ଓ ଅତିଥିମାନେ ମତଦାନ କରିବା ସହିତ ତାଙ୍କର ସାହିତ୍ୟ ଓଡ଼ିଆ ସାହିତ୍ୟକୁ ଆଗାମୀ ବହୁ ବର୍ଷ ଧରି ଋଦ୍ଧିମନ୍ତ କରିବ ବୋଲି କହିଥିଲେ ।

 

ସାରସ୍ୱତ ସମାରୋହ ସମିତିର ସଭାପତି ଶ୍ରୀ ଅଭୟ ନାୟକ ଏହି ଜୟନ୍ତୀ ସଭାରେ ପୌରୋହିତ୍ୟ କରିଥିଲେ ।

 

ପଣ୍ଡିତ କୃପାସିନ୍ଧୁ ମିଶ୍ର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ କୃପାସିନ୍ଧୁ ସ୍ମୃତି ସମିତିଙ୍କ ମିଳିତ ଆନୁକୂଲ୍ୟରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ଜୟନ୍ତୀ ତାଙ୍କର ଜନ୍ମସ୍ଥାନ ପୁରୀ ଜିଲ୍ଲାସ୍ଥ ବୀରପ୍ରତାପପୁରଠାରେ ତା୨୭।୬।୨୦୦୩ରିଖ ସନ୍ଧ୍ୟା ୬.୩୦ ଘଣ୍ଟା ସମୟରେ ଏକାଡେମୀର ସଦସ୍ୟ ଶ୍ରୀ ଚନ୍ଦ୍ରଶେଖର ଦାଶବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଜୟନ୍ତୀ ସଭାରେ ପୁରୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି ସମ୍ମାନିତ ଅତିଥି, ପ୍ରଫେସର ଡକ୍ଟର ବାଉରୀବନ୍ଧୁ କର, ମୁଖ୍ୟବକ୍ତା, ଡକ୍ଟର ବିଜୟାନନ୍ଦ ସିଂହ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ନଳିନୀ ମୋହନ ମହାନ୍ତି, ସମ୍ମାନିତ ବକ୍ତା ଭାବେ ଯୋଗଦାନ କରିଥିଲେ । ପଣ୍ଡିତ କୃପାସିନ୍ଧୁଙ୍କ ଜୀବନାଦର୍ଶ ଓ ସତ୍ୟବାଦୀ ଯୁଗୀୟ ଓଡ଼ିଆ ସାହିତ୍ୟ ସଂବନ୍ଧରେ ବକ୍ତାମାନେ ବିଶେଷ ଆଲୋକପାତ କରିଥିଲେ ।

 

ପ୍ରାରମ୍ଭରେ ଏକାଡେମୀର ସଂପାଦକ ଶ୍ରୀ ଦୋଳଗୋବିନ୍ଦ ନାୟକ କାର୍ଯ୍ୟକ୍ରମ ସଂବନ୍ଧୀୟ ସୂଚନା ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶେଷରେ ସ୍ମୃତି ସଂସଦର ସଂପାଦକଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯିବାପରେ ସଭା କାର୍ଯ୍ୟର ସମାପ୍ତି ଘୋଷଣା କରାଯାଇଥିଲା ।

 

ବିକ୍ରମଦେବ ବର୍ମା ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ, ଜିଲ୍ଲା ସଂସ୍କୃତି ପରିଷଦ ଓ ଜୟପୁର ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ତା୨୮।୬।୨୦୦୩ରିଖ ସନ୍ଧ୍ୟା ୬ଘଣ୍ଟା ସମୟରେ ଜୟପୁରସ୍ଥ ସରୋଜିନୀ ଭବନରେ ବିଶିଷ୍ଟ ସାରସ୍ୱତ ସାଧକ ରାଜା ବିକ୍ରମଦେବ ବର୍ମାଙ୍କ ୧୩୪ତମ ଜୟନ୍ତୀ ଏକାଡେମୀ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

 

ଏହି ଜୟନ୍ତୀ ସଭାରେ ପ୍ରଫେସର ଶରତ କୁମାର ମହାନ୍ତି ସମ୍ମାନନୀୟ ଅତିଥି ଓ ଡକ୍ଟର ସୁବାସ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ଦିଗରେ ବିକ୍ରମ ଦେବ ବର୍ମାଙ୍କ ଉଦ୍ୟମ ଓଡ଼ିଆ ଜାତୀୟତାର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ ।

 

ଶେଷରେ ଜୟପୁର ସାହିତ୍ୟ ପରିଷଦର ସଂପାଦକଙ୍କ ଦ୍ଵାର। ଧନ୍ୟବାଦ ଅର୍ପଣ କରାଯିବାପରେ ସଭାର ସମାପ୍ତି ଘୋଷଣା କରାଯାଇଥିଲା ।

 

କାଳିନ୍ଦୀ ଚରଣ ପାଣିଗ୍ରାହୀ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳ ସାହିତ୍ୟ ସମାଜ, କଟକଙ୍କ ସହଯୋଗରେ ଲବ୍ଧ ପ୍ରତିଷ୍ଠ କବି ଓ କଥାକାର କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ଅବସରରେ ତା୨।୭।୨୦୦୩ରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ କଟକସ୍ଥ ଶ୍ରୀ ରାମଚନ୍ଦ୍ର ଭବନରେ ଏକାଡେମୀର ସଭାପତି ଶ୍ରୀ ପଠାଣି ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

 

ଏହି ସ୍ମୃତିସଭାରେ ଡକ୍ଟର ଶରତଚନ୍ଦ୍ର ପ୍ରଧାନ ସମ୍ମାନନୀୟ ଅତିଥି, ଡକ୍ଟର ରତ୍ନାକର ଚଇନି ଓ ଡକ୍ଟର ରେଖା ମହାନ୍ତି ସମ୍ମାନନୀୟ ବକ୍ତାଭାବେ ଯୋଗଦାନ କରି କାଳିନ୍ଦୀ ଚରଣଙ୍କ ସାହିତ୍ୟ ଉପରେ ସାରଗର୍ଭକ ଆଲୋଚନା କରିଥିଲେ । ଶେଷରେ ଉତ୍କଳ ସାହିତ୍ୟ ସମାଜର ସଂପାଦକ ଡକ୍ଟର ବିଜୟାନନ୍ଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

 

କର୍ମବୀର ଗୌରୀଶଙ୍କର ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କର୍ମବୀର ଗୌରୀଶଙ୍କର ରାୟଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତା୧୩।୭।୨୦୦୩ରିଖ ସନ୍ଧ୍ୟା ୬.୩୦ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାକକ୍ଷରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ସାରସ୍ଵତ ସ୍ମୃତି ସଭାରେ ଡକ୍ଟର ଖଗେନ୍ଦ୍ର ନାଥ ମଲ୍ଲିକ ମୁଖ୍ୟବକ୍ତା ଏବଂ ଡକ୍ଟର ହୁସେନ ରବି ଗାନ୍ଧୀ ଓ ଶ୍ରୀ ଲକ୍ଷ୍ମୀନାରାୟଣ ରାୟସିଂହ ସମ୍ମାନନୀୟ ବକ୍ତା ଭାବେ ଯୋଗଦାନ କରି ଗୌରୀଶଙ୍କରଙ୍କ ସାରସ୍ୱତ ତଥା ସାଂବାଦିକ ଜୀବନାଦର୍ଶ ଏବଂ ସମାଜ ସଂସ୍କାର କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ । ଏକାଡେମୀର ସଦସ୍ୟ ଶ୍ରୀ ଚନ୍ଦ୍ରଶେଖର ଦାସବର୍ମାଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା ।

 

***